Unknown

 

 

 

 

 

 

 

 

 

 

ଆଧୁନିକ ଓଡ଼ିଆ କଥା ସାହିତ୍ୟ

ଡକ୍ଟର ନରେନ୍ଦ୍ର ନାଥ ମିଶ୍ର

 

ଭୂମିକା

 

ଉପନ୍ୟାସ ଭାରତୀୟ ଉତ୍ସ ଖୋଜି ବସିଲେ, ପ୍ରକୃତରେ ହତାଶ ହେବା ପାଇଁ ପଡ଼ିବ । ତଥ୍ୟ ଦୃଷ୍ଟିରୁ, ପ୍ରଚଳିତ ଅର୍ଥରେ ଉପନ୍ୟାସର ପରମ୍ପରା ସୁସମୃଦ୍ଧ ସଂସ୍କୃତ ସାହିତ୍ୟରେ ନଥିଲା । ସଂସ୍କୃତ ଆଳଙ୍କାରିକମାନେ ଗଦ୍ୟ ରଚନାକୁ ପ୍ରଧାନତଃ ଦୁଇଭାଗରେ ବିଭକ୍ତ କରିଛନ୍ତି–ଆଖ୍ୟାୟିକା ଓ କଥା–ଏଥିରୁ କୌଣସିଟି ଉପନ୍ୟାସ ଅଥବା କ୍ଷୁଦ୍ରଗଳ୍ପବାଚ୍ୟ ନୁହେଁ । ସୁନିପୁଣ ସଂସ୍କୃତ ସାହିତ୍ୟ, କାବ୍ୟ ଓ ନାଟକରେ ସୁସମୃଦ୍ଧ ହେଲେହେଁ, ଦଣ୍ଡୀଙ୍କ ‘ଦଶକୁମାରଚରିତ’ ସୁବନ୍ଧୁଙ୍କର ‘ବାସବଦତ୍ତା’ ଓ ବାଣଭଟ୍ଟଙ୍କ ‘କାଦମ୍ବରୀ’କୁ ସଂସ୍କୃତ ସାହତ୍ୟରେ ଉପନ୍ୟାସରୂପେ ଆଖ୍ୟାତ କରାଯାଇଥାଏ । ମାତ୍ର ଏଥିରେ ଉପନ୍ୟାସର ପ୍ରବୃତ୍ତି ଥିଲେହେଁ ତାହାର ଚରିତ୍ର ନାହିଁ । ଏସବୁ କାହାଣୀ ପର୍ଯ୍ୟାୟର । ଏଥିରେ ଚରିତ୍ରଚିତ୍ରଣ ଦୁର୍ବଳ, ବର୍ଣ୍ଣନାରୀତି ଏକ-ଆୟତନବିଶିଷ୍ଟ (One - dimensional) ଓ ବିସ୍ରସ୍ତ । ପାଶ୍ଚାତ୍ୟ ସାହିତ୍ୟରେ ଯେଉଁ ବିଶେଷ ପରିସ୍ଥିତିରେ ଅଷ୍ଟାଦଶ ଶତାବ୍ଦୀରେ ଉପନ୍ୟାସର ଅଙ୍କୁରୋଦ୍‌‌ଗମ ହୋଇଥିଲା, ସେ ପରିସ୍ଥିତି ପ୍ରାକ୍‌–ମଧ୍ୟ ଯୁଗୀୟ ଭାରତରେ ନଥିବାରୁ, ଉପନ୍ୟାସ ସୃଷ୍ଟି ସମ୍ଭବ ହୋଇପାରି ନଥିଲା । ସାହିତ୍ୟର ଫର୍ମ୍‌ ବା ଆଙ୍ଗିକ ସବୁବେଳେ ସମାଜ ଭିତ୍ତିକ ।

ଊନବିଂଶ ଶତାବ୍ଦୀରେ ହିଁ ଇଂରାଜୀ ସାହତ୍ୟ ସମ୍ପର୍କରେ ଆସି ଭାରତର ବିଭିନ୍ନ ପ୍ରାନ୍ତୀୟ ସାହିତ୍ୟରେ ଉପନ୍ୟାସର ବିକାଶ ଘଟିଥିଲା । କିନ୍ତୁ ଓଡ଼ିଆ ସାହିତ୍ୟରେ ଫକୀରମୋହନ “ଛମାଣ ଆଠଗୁଣ୍ଠ” ଲେଖିବା ବେଳକୁ, ତାଙ୍କ ସମସାମୟିକ ଭିକ୍ଟୋରିଆନ୍‌ ଇଂରାଜୀ ଔପ୍ୟନାସିକମାନଙ୍କ ସହିତ ଯେ ଆଦୌ ପରିଚିତ ନଥିଲେ, ଏହା ନିଃସନ୍ଦେହରେ କୁହାଯାଇପାରେ-। ପୁଣି ‘ଛମାଣ ଆଠଗୁଣ୍ଠ’ରେ ପ୍ରାକୃତବାଦ ବା naturalism ର ଯେଉଁ ପ୍ରବୃତ୍ତି ପରିଲକ୍ଷିତ ହୁଏ ସମଗ୍ର ଭାରତୀୟ ସାହିତ୍ୟରେ ତାହା ବିରଳ ବୋଲି ନିଃସଂଶୟରେ ମଧ୍ୟ ଦାବୀ କରାଯାଇପାରେ ।

ଫକୀରମୋନଙ୍କ ପରଠାରୁ ଓଡ଼ିଶା ଉପନ୍ୟାସ ଇତିମଧ୍ୟରେ ଅବଶ୍ୟ କିଛିଟା ଅଗ୍ରଗତି କରିଛି । କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ । ଉପନ୍ୟାସ ବହୁ ପ୍ରକାରର । ଆଞ୍ଚଳିକ, ଆତ୍ମଜୀବନୀମୂଳକ, ଐତିହାସିକ ଉଦ୍ଦେଶ୍ୟମୂଳକ ବା ଅଭିପ୍ରାୟିକ, ମନସ୍ତାତ୍ତ୍ୱିକ ଓ ଘଟଣା ପ୍ରବାହଧର୍ମୀ ଇତ୍ୟାଦି । କିନ୍ତୁ ଓଡ଼ିଆ ସାହିତ୍ୟର ଉପନ୍ୟାସ ମୁଖ୍ୟତଃ ସାମାଜିକ ସ୍ତରରେ ହିଁ ଅଟକି ଯାଇଛି । ସେଇ ପରିସୀମା ମଧ୍ୟରେ ଯେଉଁ ସବୁ ପରୀକ୍ଷା ନିରୀକ୍ଷା ହୋଇଛି ତାହା ଅଭିନନ୍ଦନୀୟ ହେଲେ ହେଁ ତାହାର ବିଭବ ସାମାନ୍ୟ । ଏହା ଓଡ଼ିଆ ଔପନ୍ୟାସିକମାନଙ୍କ ପ୍ରତିଭା ମାନ୍ୟତାର ପରିଚୟ ନୁହେଁ–ଏଥିପାଇଁ ଦାୟୀ ଓଡ଼ିଶାର ସାମାଜିକ ଓ ପାରିପାର୍ଶ୍ଵିକ ପରିସ୍ଥିତି ।

ଏହି ସନ୍ଦର୍ଭଟି ଓଡ଼ିଶା ସାହିତ୍ୟ ଅକାଦମୀ ପକ୍ଷରୁ ସଂଯୋଜିତ “ଓଡ଼ିଆ-ସାହିତ୍ୟର-ଇତିହାସ”ର ଉପନ୍ୟାସ-ଖଣ୍ଡ । ଏଥିରେ ସୁସମାଲୋଚକ ଡଃ ନରେନ୍ଦ୍ର ନାଥ ମିଶ୍ର ଓଡ଼ିଆ ଉପନ୍ୟାସର ଉତ୍ପତ୍ତିଠାରୁ ଆରମ୍ଭ କରି ସାହିତ୍ୟିକ କାଳ ପର୍ଯ୍ୟନ୍ତ ଅଭିବ୍ୟକ୍ତିର ବିଭିନ୍ନ କ୍ରମ ଆଲୋଚନା କରିଛନ୍ତି । ଓଡ଼ିଆ ସାହିତ୍ୟର ଆଗ୍ରହୀ ପାଠକ ଓ ଆଲୋଚକମାନଙ୍କ ପକ୍ଷରେ ଏହା ବହୁ ସହାୟକ ହେବ ସନ୍ଦେହ ନାହିଁ ।

ଶିବାନୀ

ସୁରେନ୍ଦ୍ର ମହାନ୍ତି

କଟକ

ସଭାପତି

ତା୧୨-୪-୮୨ରିଖ

ଓଡ଼ିଶା ସାହିତ୍ୟ ଅକାଦମୀ

Image

 

ଅଗ୍ରଲେଖ

 

୧. “ଓଡ଼ିଆ ସାହିତ୍ୟର ଇତିହାସ” ପ୍ରଣୟନ ଓଡ଼ିଶା ସାହିତ୍ୟ ଏକାଡେମୀର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏ ଅବଧି ଓଡ଼ିଆ ସାହିତ୍ୟର ଇତିହାସ ରଚନା ଦିଗରେ ଯେ ଉଦ୍ୟମ ନ ହୋଇଛି ତାନୁହେଁ । ବ୍ୟକ୍ତି ବିଶେଷ ସାହିତ୍ୟିକ ଓ ସମାଲୋଚକମାନଙ୍କଦ୍ୱାରା ଏ ଦିଗରେ ଆଗରୁ କେତେକ ଉଲ୍ଲେଖ ଯୋଗ୍ୟ କାର୍ଯ୍ୟ କରାଯାଇଛି । ତନ୍ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କର “ଓଡ଼ିଆ ସାହିତ୍ୟର ଇତିହାସ”, ପଣ୍ଡିତ ନୀଳକଣ୍ଠ ଦାସଙ୍କ “ଓଡ଼ିଆ ସାହିତ୍ୟର କ୍ରମ ପରିଣାମ”, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ “ଓଡ଼ିଆ ସାହିତ୍ୟର ଇତିହାସ”, ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ, ଆଦିପର୍ବ; ଓ ମଧ୍ୟପର୍ବ; ଡଃ ମାୟାଧର ମାନସିଂହଙ୍କ ଓଡ଼ିଆ ସାହିତ୍ୟର ଇତିହାସ ଏବଂ ଡଃ ନଟବର ସାମନ୍ତରାୟ, ଡଃ ବଂଶୀଧର ମହାନ୍ତି, ଶ୍ରୀ ନୀଳମଣି ମିଶ୍ର, ଡଃ ବୃନ୍ଦାବନ ଆଚାର୍ଯ୍ୟ, ଡଃ ଗୋପାଳ ଚନ୍ଦ୍ର ମିଶ୍ର, ଶ୍ରୀ ପଠାଣି ପଟ୍ଟନାୟକ ପ୍ରମୁଖଙ୍କର ପୁସ୍ତକଗୁଡ଼ିକ ଉଲ୍ଲେଖ ଯୋଗ୍ୟ । ସାଂପ୍ରତିକ କାଳରେ ମଧ୍ୟ ଏ ଦିଗରେ କେତେକ ଉଲ୍ଲେଖ ଯୋଗ୍ୟ କାର୍ଯ୍ୟ କରାଯାଉଛି । ଏହାଛଡ଼ା ସାହିତ୍ୟର ବିଭିନ୍ନ ବିଭାଗ ଉପରେ ମଧ୍ୟ ଇତିହାସ ସଂକଳନର ପ୍ରଚେଷ୍ଟା ଦୃଷ୍ଟିଗୋଚର ହୁଏ । ଏ ସଂକ୍ରାନ୍ତରେ ନାଟ୍ୟ ସାହିତ୍ୟ କ୍ଷେତ୍ରରେ ଗିରିଜା ଶଙ୍କର ରାୟଙ୍କର ଓଡ଼ିଆ ନାଟ୍ୟକଳା, ଇତ୍ୟାଦି ଉଲ୍ଲେଖ କରାଯାଇପାରେ । ସେହିପରି ଅନ୍ୟାନ୍ୟ କେତେକ ବିଭାବ ଯଥା–ଲିପି ସାହିତ୍ୟ, କଥା ସାହିତ୍ୟ ପ୍ରଭୃତି ସମ୍ବନ୍ଧରେ ମଧ୍ୟ ଇତିହାସ ରଚନାର ଚେଷ୍ଟା ହୋଇଛି । ଏହାଛଡ଼ା ନିର୍ଦ୍ଦିଷ୍ଟ କାଳ ସୀମା ମଧ୍ୟରେ କେତେକ ନିର୍ଦ୍ଦିଷ୍ଟ ବିଭାବର ଆଲୋଚନା ମଧ୍ୟ କରାଯାଇଛି ।

 

୨. ଉପରୋକ୍ତ ପ୍ରଣାଳୀରେ ଇତିହାସ ପ୍ରଣୟନର କେତେକ ନିର୍ଦ୍ଦିଷ୍ଟ ପରିସୀମା ରହିଛି-। ବ୍ୟକ୍ତି ବିଶେଷଙ୍କଦ୍ୱାରା ପ୍ରକାଶିତ ଇତିହାସ ସଂକଳନ ଆକାର ଦୃଷ୍ଟିରୁ ସୀମିତ ଏବଂ ସେହି କାରଣରୁ ବିଭିନ୍ନ ବିଭାବ ସଂପର୍କରେ ପର୍ଯ୍ୟାପ୍ତ ପରିମାଣରେ ଆଲୋଚନା ଦୃଷ୍ଟିଗୋଚର ହୁଏ ନାହିଁ-। ଏହାଛଡ଼ା ଓଡ଼ିଆ ସାହିତ୍ୟର କେତେକ ନିଜସ୍ୱ “ଫର୍ମ” ରହିଛି ଯାହା ଅନ୍ୟକୌଣସି ଭାରତୀୟ ଭାଷାରେ ବିରଳ । ଓଡ଼ିଆ ସାହିତ୍ୟର କେତେକ “ଫର୍ମ” ମଧ୍ୟ ତୁଳନାତ୍ମକ ଭାବେ ଅନ୍ୟ ଭାରତୀୟ ଭାଷାର ସାହିତ୍ୟଠାରୁ ଉନ୍ନତତର । ସେ ସମ୍ବନ୍ଧରେ ସବିଶେଷ ଆଲୋଚନା ହୋଇନାହିଁ । ନିର୍ଦ୍ଦିଷ୍ଟ ବିଭାବ ଉପରେ ଯେଉଁ କେତେକ ସ୍ୱତନ୍ତ୍ର ଆଲୋଚନା ହୋଇଛି ତହିଁରୁ ସମୁଦାୟ ଓଡ଼ିଆ ସାହିତ୍ୟର ପୃଷ୍ଠଭୂମି ଉପରେ ଉକ୍ତ ବିଭାବର ପୂର୍ଣ୍ଣ ପ୍ରତିଛବି ମିଳେନାହିଁ ।

 

୩. ଏ ସମସ୍ତ ବାଦ ଦେଲେ ପ୍ରବଂଧ, ସମାଲୋଚନା ଓ ରମ୍ୟରଚନା କ୍ଷେତ୍ରରେ ଯେଉଁ ସବୁ ଅଗ୍ରଗତି ହୋଇଛି ତାହାର କ୍ରମାନୁସାରୀ ଆଲୋଚନା ଦିଗରେ ଉଦ୍ୟମ ପର୍ଯ୍ୟାପ୍ତ ନୁହେଁ । ସେହିପରି ଆତ୍ମଚରିତ, ଭ୍ରମଣ କାହାଣୀ, ଓ ବୈଜ୍ଞାନିକ ସାହିତ୍ୟର ବିଶଦ କ୍ରମାନୁସାରୀ ଆଲୋଚନା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

୪. ଏହାଛଡ଼ା ସାଂପ୍ରତିକ କାଳରେ ବିଭିନ୍ନ ସାହିତ୍ୟର କ୍ଷେତ୍ରରେ ନାନା ପ୍ରକାରର ପରୀକ୍ଷା ନିରୀକ୍ଷା ଚାଲିଛି । ସାମାଜିକ ପୃଷ୍ଠଭୂମିରେ ଏଗୁଡ଼ିକର ତାତ୍ପର୍ଯ୍ୟ ଓ ଉତ୍‌କ୍ରମତା ସଂପର୍କରେ କେତେକ ଆଲୋଚନା ଅଛି ସତ କିନ୍ତୁ ବିଭାବ ଗୁଡ଼ିକର ସମୁଦାୟ ପୃଷ୍ଠଭୂମି ଉପରେ ଏହାର ସମ୍ୟକ୍‌ ବିଚାର ଆଲୋଚନାର ଆବଶ୍ୟକତା ରହିଛି ।

 

୫. ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପରିକଳ୍ପିତ “ଓଡ଼ିଆ ସାହିତ୍ୟର ଇତିହାସ” ପ୍ରଣୟନ ଯୋଜନା ଉପରୋକ୍ତ ଅଭାବ ପୂରଣ କରିବା ଦିଗରେ ଉଦ୍ଦିଷ୍ଟ ।

 

୬. ସାହିତ୍ୟର ଇତିହାସ ପ୍ରଣୟନ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରଣାଳୀ ଅବଲମ୍ବନ କରାଯାଇଛି । ଐତିହାସିକ କାଳ କ୍ରମରେ, ଯୁଗ ବିଭାଗ ଅନୁସାରେ, କେତେକ ବିଶିଷ୍ଟ ଲେଖକମାନଙ୍କୁ ଦିଗସ୍ତମ୍ଭରୂପେ ଗ୍ରହଣ କରି, ସାହିତ୍ୟର ବିଭିନ୍ନ ବିଭାବ ଅନୁସାରେ ସାହିତ୍ୟର ବିଭିନ୍ନ “ଫର୍ମ” ଆଙ୍ଗିକ ଅନୁସାରେ, ଇତ୍ୟାଦି ରଚନାର ପ୍ରଣାଳୀ ବିଭିନ୍ନ କାରଣରୁ ନିର୍ଣ୍ଣିତ ହୋଇଥାଏ । ଏକାଡେମୀ ପକ୍ଷରୁ ପରିକଳ୍ପିତ ପ୍ରଣୟନ ଯୋଜନାରେ ଏକ ମିଶ୍ର ପଦ୍ଧତି ଅନୁସରଣ କରାଯାଇଛି । ଏହାର କାରଣ ସ୍ୱରୂପ କୁହାଯାଇପାରେ ଯେ ଇତିହାସ ସଂକଳନର ମୌଳିକ ପଦ୍ଧତିଗୁଡ଼ିକ ଅନୁସରଣ କରି ଯେଉଁ ପ୍ରଣାଳୀରେ ଓଡ଼ିଆ ସାହିତ୍ୟର ନିଜସ୍ୱ ବୈଶିଷ୍ଟ୍ୟ ପ୍ରତିପାଦିତ ହୋଇପାରିବ ଓ ଏହାର ସ୍ୱକୀୟତା ପ୍ରସ୍ଫୁଟିତ ହୋଇପାରିବ ସେହି ପ୍ରଣାଳୀ ହିଁ ଅବଲମ୍ବନ କରାଯାଇଛି ।

 

୭ ସମସାମୟିକ ସମାଜ, ସଂସ୍କୃତ ଓ ରାଜନୈତିକ ଚିନ୍ତାଧାରାର କ୍ରମ ବିକାଶ ସହିତ ସାହିତ୍ୟିକ ବିକାଶ ଧାରାର ସଂପର୍କ ଏହି ପରିପ୍ରେକ୍ଷୀରେ ଏକ ନିର୍ଦ୍ଦିଷ୍ଟ ଫର୍ମ ବିଭାବର କ୍ରମବିକାଶ ଓ କ୍ରମ ପରିଣତି, ଓଡ଼ିଆ ସାହିତ୍ୟକୁ ସେହି ନିର୍ଦ୍ଦିଷ୍ଟ ଫର୍ମ ବିଭାବର ସାମଗ୍ରିକ ଅବଦାନ, ପରବର୍ତ୍ତୀ ସାହିତ୍ୟିକ ଧାରା ଉପରେ ଏହାର ପ୍ରଭାବ ଓ ସ୍ଥଳ ବିଶେଷରେ ପରବର୍ତ୍ତୀ କାଳରେ ଏହାର ପୁନରଭ୍ୟୁଦୟ’ ମୋଟାମୋଟି ଏହି ଆଭିମୁଖ୍ୟର ଇତିହାସ ସଂକଳନ କାର୍ଯ୍ୟ କରାଯାଇଛି । ଆବଶ୍ୟକ ଅନୁସାରେ ନିର୍ଦ୍ଦିଷ୍ଟ ବିଭାବ ଗୁଡ଼ିକର ନୂତନ ଚିନ୍ତା ଓ ମୂଲ୍ୟବୋଧର ପ୍ରବର୍ତ୍ତକ, ଓ ଅଗ୍ରଦୂତଗଣ, ମୂଖ୍ୟ ସାହିତ୍ୟ ସ୍ରଷ୍ଟା ବୃନ୍ଦ ଓ ଗୌଣ ସାହିତ୍ୟ ସ୍ରଷ୍ଟା ବୃନ୍ଦଙ୍କର ଆଲୋଚନା ମଧ୍ୟ କରାଯାଇଛି । ପରବର୍ତ୍ତୀ କେତେକ ଭାଗରେ ନିକଟବର୍ତ୍ତୀ ଅନ୍ୟାନ୍ୟ ଆଂଚଳିକ ଭାଷାର ବିକାଶ ଓ ଉନ୍ମେଷ ସହିତ ତୁଳନାତ୍ମକ ବିବରଣୀ ମଧ୍ୟ ସନ୍ନିବେଶ କରାଯାଇଛି ।

 

ଆଧୁନିକ ବିଭାବ ଗୁଡ଼ିକରେ ଆଧୁନିକତାର ଗୁଣାଗୁଣ, ନିର୍ଦ୍ଦିଷ୍ଟ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ପରିସ୍ଥିତିର ପରିବର୍ତ୍ତନ ଓ ପରିବର୍ଦ୍ଧନ ସହିତ ଏହାର ସଂପର୍କ ଏବଂ ସମୟ କ୍ରମରେ ଲେଖା ଲେଖକମାନଙ୍କର ଗୁଣାଗୁଣ ଘେନି ଏହି ବିଭାବ ଗୁଡ଼ିକର ଯେଉଁ ସବୁ ବିଭକ୍ତି କରଣ ହୋଇଛି ସେ ସଂପର୍କରେ ସୂଚନା ଦିଆଯିବା ସଙ୍ଗେ ସଙ୍ଗେ ସମଗ୍ରଭାବେ ଏହି ବିଭାବ ଗୁଡ଼ିକର ମୂଲ୍ୟାୟନ ଓ ମୌଳିକତା ଓ ଅଭିବୃଦ୍ଧିର ଧାରା (Trend) ସଂପର୍କରେ ବିଶ୍ଳେଷଣାତ୍ମକ ଆଲୋଚନା କରାଯିବା ପାଇଁ ପ୍ରୟାସ କରାଯାଇଛି ।

 

ଏହାଛଡ଼ା ଆବଶ୍ୟକ ସ୍ଥଳେ ସମସାମୟିକ ବିବରଣୀ ସପକ୍ଷରେ ପ୍ରମାଣିକ ଦଲିଲ ଗୁଡ଼ିକର ଉଲ୍ଲେଖ, ବିଭିନ୍ନ ଭାଗରେ ଉଲ୍ଲେଖ ଥିବା ଲେଖକମାନଙ୍କର ବର୍ଣ୍ଣାନୁକ୍ରମିକ ତାଲିକା ଏବଂ ମୌଳିକ ଓ ସହାୟକ ଗ୍ରନ୍ଥ ସୂଚୀ ସନ୍ନିବେଶିତ କରାଯାଇଛି । ତାଛଡ଼ା ଆବଶ୍ୟକ ସ୍ଥଳେ ଉଲ୍ଲେଖ କରାଯାଇଥିବା ସବୁ ଲେଖକଙ୍କର ଜନ୍ମ ଓ ମୃତ୍ୟୁ ତାରିଖ ଏବଂ ଉଲ୍ଲେଖ କରାଯାଇଥିବା ସମସ୍ତ ପୁସ୍ତକର ପ୍ରକାଶ ସମୟର ଉଲ୍ଲେଖ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଇଛି ।

 

୮. ଏହି ଆଭିମୁଖ୍ୟକ ଆଖି ଆଗରେ ରଖି “ଓଡ଼ିଆ ସାହିତ୍ୟର ଇତିହାସକୁ” ନିମ୍ନଲିଖିତ ଭାଗରେ ବିଭକ୍ତ କରାଯାଇଛି ।

 

(କ)

ପ୍ରାକ୍‌ ସାରଳା ଓ ପୁରାଣ ସାହିତ୍ୟ

(ଖ)

ସନ୍ଥ (ଭକ୍ତି) ସାହିତ୍ୟ

(ଗ)

ରୀତି ସାହିତ୍ୟ

 

(କ)

ଉପେନ୍ଦ୍ର ଯୁଗ ପର୍ଯ୍ୟନ୍ତ

 

(ଖ)

ଉପେନ୍ଦ୍ର ଓ ପରବର୍ତ୍ତୀ ସ୍ରଷ୍ଟାଗଣ

(ଘ)

ପ୍ରାଚୀନଗୀତି ଓ ଚୌପଦୀ ସାହିତ୍ୟ

(ଙ)

ପ୍ରାଚୀନ ଗଦ୍ୟ ସାହିତ୍ୟ ।

(ଚ)

ଆଧୁନିକ କାବ୍ୟ କବିତା ।

(ଛ)

ଆଧୁନିକ ନାଟକ ।

(ଜ)

ଆଧୁନିକ କଥା ସାହିତ୍ୟ ।

 

(କ)

ଗଳ୍ପ

 

(ଖ)

ଉପନ୍ୟାସ ।

(ଝ)

ଆଧୁନିକ ଗଦ୍ୟ ସାହିତ୍ୟ

 

(କ)

ପ୍ରବଂଧ ସମାଲୋଚନା ଓ ରମ୍ୟ ରଚନା ।

 

(ଖ)

ବୈଜ୍ଞାନିକ ସାହିତ୍ୟ, ଆତ୍ମଚରିତ ଓ ଭ୍ରମଣ କାହାଣୀ ।

(ଞ)

ଓଡ଼ିଆ ଲିପି ଓ ଭାଷାର ବିକାଶଧାରା ।

 

୯. ଉପରୋକ୍ତ ବିଭାଗୀକରଣ ଓଡ଼ିଆ ସାହିତ୍ୟର କ୍ରମବିକାଶର ଧାରା ନିର୍ଣ୍ଣୟ ଓ ସୃଷ୍ଟିର ଯଥୋଚିତ ମୂଲ୍ୟାୟନରେ ସାହାଯ୍ୟ କରିବ ବୋଲି ଆଶା କରାଯାଏ ।

 

୧୦. ବର୍ତ୍ତମାନ ଏହି ସଂକଳନର–ଆଧୁନିକ କଥା ସାହିତ୍ୟ (ଉପନ୍ୟାସ) ଭାଗ ପ୍ରକାଶ ପାଉଛି । ଏହି ଭାଗର ପ୍ରଣେତା ଡଃ ନରେନ୍ଦ୍ର ନାଥ ମିଶ୍ର ଓଡ଼ିଆ ଭାଷାର ଜଣେ ସଫଳ ଗଦ୍ୟ ଲେଖକରୂପେ ସ୍ୱୀକୃତ । ଆଧୁନିକ ଓଡ଼ିଆ କାବ୍ୟଧାରାର ଅନୁଶୀଳନ କରି ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଉପାଧି ପ୍ରାପ୍ତ ହୋଇଛନ୍ତି । ସାହିତ୍ୟିକ ଆଲୋଚନା ସମୀକ୍ଷାତ୍ମକ ପ୍ରବନ୍ଧ ରଚନା କ୍ଷେତ୍ରରେ ସେ ସୁପ୍ରତିଷ୍ଠିତ ।

 

“ଓଡ଼ିଆ ସାହିତ୍ୟର ଇତିହାସ” ପର୍ଯ୍ୟାୟର ଏହି ଗ୍ରନ୍ଥଟି ଆଦରଲାଭ କରିବ ବୋଲି ଆଶା କରୁଛି ।

 

ମିଉଜିଅମ୍‌ ବିଲ୍‌ଡ଼ିଙ୍ଗସ୍‌,

ରାଇଚରଣ ଦାସ

ଭୁବନେଶ୍ୱର-୭୫୧୦୧୪

ସଂପାଦକ

 

ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

ସ୍ୱୀକୃତି

 

ଓଡ଼ିଆ ସାହିତ୍ୟ ଏକାଡେମୀଙ୍କୁ ସାଧୁବାଦ । ପୂର୍ଣ୍ଣାଙ୍ଗ ସାହିତ୍ୟ ଇତିହାସ ରଚନା ପାଇଁ ପ୍ରୟାସର ଅଙ୍ଗରୂପେ କଥା ସାହିତ୍ୟର ଉପନ୍ୟାସ ଅଂଶ ଘେନି ଇତିହାସ ରଚନାର ଭାର ମୋ ଉପରେ ଅର୍ପଣ କରିଛନ୍ତି ।

 

ଉପନ୍ୟାସ ଆଧୁନିକ ଓଡ଼ିଆ ସାହିତ୍ୟର ଏକ ଅଂଶ, ମାତ୍ର–ସର୍ବବୃହତ ଅଂଶ । କବିତା, ନାଟକ, ସାଧାରଣ ଗଦ୍ୟ ତୁଳନାରେ ଏହାର ପରିସର ବହୁ ବ୍ୟାପକ । ଏକ ସ୍ୱତନ୍ତ୍ର ଖଣ୍ଡରେ ଏହି ଇତିହାସ କଳ୍ପିତ ହେବା ଉଚିତଥିଲା । ସୀମାବଦ୍ଧ ସମୟ ଓ ସଂକ୍ଷିପ୍ତ ପରିସର ମଧ୍ୟରେ ଏହି ଗ୍ରନ୍ଥଟି ଲେଖିବାକୁ ହୋଇଅଛି । ସ୍ୱର୍ଗତ ଶ୍ରୀକୁମାର ବନ୍ଦ୍ୟୋପାଧ୍ୟାୟ ବଙ୍ଗ ସାହିତ୍ୟର ଉପନ୍ୟାସର ଇତିହାସ ରଚନା ପାଇଁ ଦର୍ଶବର୍ଷ ଅତିବାହିତ କରିଥିଲେ । ମାତ୍ର ଓଡ଼ିଆ ଉପନ୍ୟାସ ବିଷୟକ ଏହି ଗ୍ରନ୍ଥଟି ମତେ ଛଅମାସରୁ ଅଳ୍ପ ସମୟ ମଧ୍ୟରେ ଲେଖିବାକୁ ହୋଇଛି । ପୁଣି ସାମୟିକ ଅବସର ସମୟରେ ଏହାକୁ ଏକ ପୂର୍ଣ୍ଣାଙ୍ଗ ଇତିହାସ କରିବା ଅବାନ୍ତର । ଏକ ପୂର୍ଣ୍ଣାଙ୍ଗ ଇତିହାସର ଖସଡ଼ା ବୋଲି ଏହାକୁ କୁହାଯାଇପାରେ । ଏକକ ଭାବରେ ବିଶିଷ୍ଟ ଉପନ୍ୟାସ ଗ୍ରନ୍ଥ ଅଥବା ବିଶିଷ୍ଟ ଔପନ୍ୟାସିକ ମାନଙ୍କର ବିଶଦ ଆଲୋଚନା ପାଇଁ କ୍ଷେତ୍ର ମିଳିନାହିଁ । କେବଳ ସୂଚନା ଓ ଇଂଗିତରେ ଯୁଗ ବିଶେଷର ଭାବମୂର୍ତ୍ତି ଅଙ୍କନ ପାଇଁ ପ୍ରୟାସ ହୋଇଅଛି । ଓଡ଼ିଆ ଉପନ୍ୟାସର ଉତ୍ପତ୍ତିର ଉତ୍ସ ସଂଧାନଠାରୁ ସମସାମୟିକ ସ୍ଥିତି ଓ ଭବିଷ୍ୟତ ବିକାଶର ପ୍ରଭୂତ ଇଂଗିତ ଏ ରଚନାରେ ଦିଆ ହୋଇଅଛି । ସାହିତ୍ୟିକ ମୂଲ୍ୟ ଦୃଷ୍ଟିରୁ ବୈଶିଷ୍ଟ୍ୟ ମଂଡ଼ିତ ଗ୍ରନ୍ଥ ଓ ଗ୍ରନ୍ଥକର୍ତ୍ତାଙ୍କୁ ପ୍ରାଧାନ୍ୟ ଦିଆ ହୋଇଅଛି । ଏ କ୍ଷେତ୍ରରେ ନିର୍ବାଚନ ଖୁବ୍‌ ଦୁରୂହ କାର୍ଯ୍ୟ । ସମସ୍ତ ଉପନ୍ୟାସ ବିଶ୍ୱଭାରତୀ ଗ୍ରନ୍ଥାଗାରରୁ ପାଇବା ସମ୍ଭବ ହୋଇନାହିଁ । ତେଣୁ ଅନିଚ୍ଛାକୃତ ଭାବେ କେହି ଔପନ୍ୟାସିକ ଓ କିଛି କିଛି ବିଶିଷ୍ଟ ଉପନ୍ୟାସ ଏହି ଆଲୋଚନା ପରିସରରୁ ବାଦ ପଡ଼ିଯିବା ସ୍ୱାଭାବିକ । ଭବିଷ୍ୟତରେ ଏ ସବୁକୁ ଆଲୋଚନାର ଅଙ୍ଗୀଭୂତ କରିପାରିଲେ ସୁଖୀ ହେବି । ବିଦଗ୍‌ଧ ପାଠକ, ଲେଖକ, ପ୍ରକାଶକ ଓ ଏକାଡ଼େମୀ କର୍ତ୍ତୃପକ୍ଷ–ସମସ୍ତଙ୍କର ସହଯୋଗ କାମନା କରୁଛି ।

 

୧୮, ରତନପଲ୍ଲୀ

ନରେନ୍ଦ୍ର ନାଥ ମିଶ୍ର

ଶାନ୍ତିନିକେତନ-୭୩୧୨୩୫

 

୧୭.୭.୮୧

 

Image

 

ପ୍ରଥମ ଅଧ୍ୟାୟ

ଉପକ୍ରମ : ଉତ୍ପତ୍ତିର ଉତ୍ସ

 

ଆଧୁନିକ ଓଡ଼ିଆ କଥାସାହିତ୍ୟ ପାଶ୍ଚାତ୍ୟ ସାହିତ୍ୟ ପ୍ରଭାବର ଫଳ । ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଏହାର ବିକାଶ ଘଟିଥିଲା । ମଧ୍ୟଯୁଗୀୟ ଓ ଅଷ୍ଟାଦଶ ଶତାବ୍ଦୀରେ ଏହାର ବିକାଶ ଘଟିଥିଲା । ମଧ୍ୟଯୁଗୀୟ ଧର୍ମ ଓ ସାମାଜିକ ଶୃଙ୍ଖଳରୁ ମନୁଷ୍ୟର ମୁକ୍ତି ଓ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ବାର୍ତ୍ତା ଆଧୁନିକ ପାଶ୍ଚାତ୍ୟ କଥାସାହିତ୍ୟର ପ୍ରାଣ । ଏହି କଥା ସାହିତ୍ୟକୁ ବ୍ୟକ୍ତି ଜୀବନର ଆଲେଖ୍ୟ କୁହା ଯାଇପାରେ । ସମାଜ ଓ ପରିବାର ସଙ୍ଗେ ବ୍ୟକ୍ତି ମନର ସଂଘର୍ଷ ଓ ଏହି ସଂଘର୍ଷଜନିତ ବହୁ ସମସ୍ୟା ଅବତାରଣା ସଙ୍ଗେ ସଙ୍ଗେ ଏହାର ସମାଧାନର ଇଙ୍ଗିତ ଆଧୁନିକ କଥାସାହିତ୍ୟ ବହନକରେ । ଏହି ବ୍ୟକ୍ତି ସମାଜର ସକଳ ସ୍ତରରୁ ଗୃହୀତ । ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟରେ କେବଳ ସମାଜର ଉପର ସ୍ତରର ପ୍ରାଧାନ୍ୟ ଥିଲା । ପୁଣି ଉପରସ୍ତର ବ୍ୟକ୍ତିଙ୍କର ଆଦର୍ଶଚିତ୍ର ଆଙ୍କିବା ଥିଲା ସାହିତ୍ୟର ଧର୍ମ । କିନ୍ତୁ ଆଧୁନିକ କଥାସାହିତ୍ୟରେ ସମାଜର ସକଳ ସ୍ତରର ବ୍ୟକ୍ତି ଆହୂତ, ସେମାନଙ୍କର ବାସ୍ତବଚିତ୍ର ପ୍ରତିଫଳିତ । ପ୍ରାଚୀନ ସାହିତ୍ୟରେ ମାନବତାର ଦାବୀ ଖଣ୍ଡିତ । ଭାଗ୍ୟ ଓ ଦେବ ନିର୍ଭର ମନୁଷ୍ୟର କାହାଣୀ ଆଧୁନିକ କଥାସାହିତ୍ୟର ଅଙ୍ଗୀଭୂତ ହୋଇ ନ ପାରେ । ଅନ୍ୟଥା ଆଧୁନିକ କଥାସାହିତ୍ୟ ସାଧାରଣ ଜୀବନର ବାସ୍ତବ ଚିତ୍ର ଅଙ୍କନ କରେ । ସାଧାରଣ ମନୁଷ୍ୟର ଆଶା ଆକାଂକ୍ଷାକୁ ରୂପଦାନ କରେ । ଏଥିପାଇଁ ସମାଜରେ ରାଜା, ପୁରୋହିତ, ଧନିକ ଓ ବଣିକ ସ୍ଥାନରେ ଜନସାଧାରଣଙ୍କ ପ୍ରାଧାନ୍ୟ ଅନୁଭୂତ ନ ହେବା ପର୍ଯ୍ୟନ୍ତ ଉପନ୍ୟାସର ଆବିର୍ଭାବ ସମ୍ଭବ ହୋଇ ନ ଥିଲା ।

 

ପ୍ରାଚୀନ ଓ ମଧ୍ୟଯୁଗର ସାହିତ୍ୟରେ ଯେଉଁଠି ଲେଖକମାନଙ୍କ ଅଜ୍ଞାତସାରରେ ଜୀବନର ବାସ୍ତବଚିତ୍ର ଅଙ୍କନର ଚେଷ୍ଟା ଦେଖାଦେଇଛି, ସମାଜର ସାଧାରଣ ମଣିଷ ଜୀବନର ସଂଘର୍ଷଚିତ୍ର ଫୁଟିଉଠିଛି, ସେଠାରେ ଯେପରିକି ଆଧୁନିକ କଥାସାହିତ୍ୟର ଉତ୍ସମୁଖ ଫିଟି ପଡ଼ିଅଛି । ପ୍ରାଚୀନ ସାହିତ୍ୟରୁ ଏହି ଉପାଦାନ ସକଳ ଏକତ୍ର ଗ୍ରଥିତ କରି ଆଧୁନିକ କଥାସାହିତ୍ୟର ମୂଳଉତ୍ସ ଖୋଜା ଯାଇପାରେ । ଯଥାର୍ଥରେ ଆଧୁନିକ ଉପନ୍ୟାସର ଆବିର୍ଭାବର ବହୁ ପୂର୍ବରୁ ହିଁ ଏହାର ଉପାଦାନ ରାଜି ବିକ୍ଷିପ୍ତ ଭାବରେ ସର୍ବତ୍ର ବିଦଗ୍‌ଧ ଓ ଲୌକିକ ସାହିତ୍ୟରେ ପରିବ୍ୟାପ୍ତ ହୋଇ ରହିଥିଲା । ଏହିସବୁ ଉପାଦାନର ସୁସମ୍ବନ୍ଧ ଓ ସୁନିୟନ୍ତ୍ରିତ ବିନିଯୋଗ ମଧ୍ୟରେ ଆଧୁନିକ ପ୍ରତିଭାବାନ ଲେଖକମାନଙ୍କ ସାର୍ଥକତା ଦେଖାଯାଇପାରେ ।

 

ଭାରତର ସାଂସ୍କୃତିକ ଐତିହ୍ୟ କେବଳ ସୁପ୍ରାଚୀନ ନୁହେଁ ବୈଚିତ୍ର୍ୟମୟ । ସମସ୍ତ ଦେବଭାବନା ଓ ଅତିମାନୁଷିକ କଳ୍ପନା ମଧ୍ୟରେ ବ୍ୟକ୍ତି ଭାବନା ଓ ସମଗ୍ର ମାନବ ଜୀବନର ହିତକାମନା ଏହାର ଶିରାରେ ଶିରାରେ ପ୍ରବାହିତ । ସୁପ୍ରାଚୀନ ପ୍ରାକୃତ, ପାଲି ଓ ବୈଦିକ ସାହିତ୍ୟର ବହୁ ଗାଥା ଭିତରେ ଆଧୁନିକ କଥାସାହିତ୍ୟର ଅଙ୍କୁରୋଦ୍‌ଗମ ଘଟିଥିଲା । ବାସ୍ତବ ଜୀବନର ରସଧାରା ପ୍ରବଳ ସ୍ରୋତରେ ଏଥିରେ ପ୍ରବାହିତ ହୋଇଥିଲା । ଲେଖକଙ୍କର ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଶକ୍ତି, ଘଟଣାର ଉପସ୍ଥାପନାରେ ନାଟକୀୟକଳା, ଗଳ୍ପ କଥନର ନିପୁଣତା ଆଜି ବି ଆମକୁ ବିସ୍ମିତ କରେ ।

 

ଅବଶ୍ୟ ଏହି ଗଳ୍ପଗୁଡ଼ିକ ଭିତରେ ନୀତିଶିକ୍ଷାଦାନ, ପ୍ରାଚୀନ ଧର୍ମୀୟ ଓ ସାମାଜିକ ପରଂପରା ରକ୍ଷାର ପ୍ରୟାସ ସହଜରେ ଦୃଷ୍ଟି ଆକର୍ଷଣ କରେ । ସତେ ଯେପରିକି ବର୍ହିଜଗତର ବୈଚିତ୍ର୍ୟ ଓ ସୌନ୍ଦର୍ଯ୍ୟରୁ ବଂଚିତ କରି ଶୁଷ୍କ ନୀତିକଥା ଶୁଣାଇବା ପାଇଁ ଏହି ଲେଖକମାନେ ଚେଷ୍ଟା କରିଯାଇଛନ୍ତି । ପ୍ରାଚୀନ ଭାରତୀୟ କଥାସାହିତ୍ୟର ବୌଦ୍ଧଜାତକ, ପଞ୍ଚତନ୍ତ୍ର ଓ ବିଷ୍ଣୁ ଶର୍ମାଙ୍କ ହିତୋପଦେଶ ଏହି ଶ୍ରେଣୀର ରଚନା । ଏହି କାହାଣୀଗୁଡ଼ିକର ନୀତି-ନିର୍ଯ୍ୟାସ ଏବେ ବି ଆମମାନଙ୍କର ଅଭିଜ୍ଞତାର ଅଙ୍ଗୀଭୂତ ହେଉଅଛି ଅଜସ୍ର ଶିଶୁପାଠ୍ୟ ଗଳ୍ପ ମାଧ୍ୟମରେ । ତେଣୁ ଆଧୁନିକ କଥାସାହିତ୍ୟ ଉପରେ ଏସବୁର ପରୋକ୍ଷ ପ୍ରଭାବ ଅସ୍ୱୀକାର କରିହୁଏ ନାହିଁ ।

 

ପ୍ରାଚୀନ ଭାରତର କଥାସାହିତ୍ୟ ମଧ୍ୟରେ ବୌଦ୍ଧ ଜାତକଗୁଡ଼ିକ ଶ୍ରେଷ୍ଠ ସ୍ଥାନୀୟ । ବାସ୍ତବ ଜୀବନର ଚିତ୍ର, ବାସ୍ତବ ସମସ୍ୟାର ଉପସ୍ଥାପନ ଓ କାହାଣୀର ବଳିଷ୍ଠ ଗତି ଓ ବିନ୍ୟାସ ସବୁଦିଗରୁ ଏଗୁଡ଼ିକର ମହତ୍ତ୍ୱ ସ୍ୱୀକୃତ । ଆମମାନଙ୍କର ଚିରାଚରିତ ଜୀବନଧାରା ବିରୁଦ୍ଧରେ ବୌଦ୍ଧଧର୍ମ ବିପ୍ଳବ ଘୋଷଣା କରିଥିଲା । ମାନବ ଜୀବନର ସୁଖ ଦୁଃଖ ପ୍ରତି ନିର୍ଲିପ୍ତ ଅନାସକ୍ତି ଓ ସନ୍ନ୍ୟାସସୁଲଭ ତିତିକ୍ଷା ପରିବର୍ତ୍ତେ ଜୀବନପ୍ରତି ଗଭୀର ମମତ୍ୱବୋଧ, ଦୁଃଖ ନିରାକରଣ ଓ ସୁଖ ସଂଭୋଗର ସଂଜୀବନ ଲାଗି ଏକ ଉଦାତ୍ତ ଆହ୍ୱାନ ଏହି ବୌଦ୍ଧଜାତକର ଗଳ୍ପଗୁଡ଼ିକରେ ଦେଖିବାକୁ ମିଳେ । ହିନ୍ଦୁ ସମାଜଧାରାର ଏକ ଦିଗରେ ଥିଲା ତପୋବନ ଓ ଅନ୍ୟ ଦିଗରେ ଥିଲା ଗାର୍ହସ୍ଥାଶ୍ରମ । ଏହି ଉଭୟ ମଧ୍ୟରେ ଯେପରିକି କୌଣସି ସଂଯୋଗ ସେତୁ ନିର୍ମିତ ହୋଇ ନ ଥିଲା-। ଏହି ସେତୁ ରଚନା କରିଥିଲେ ବୌଦ୍ଧଭିକ୍ଷୁ ଓ ଭିକ୍ଷୁଣୀଗଣ । ସେମାନେ ପ୍ରତିଦିନ ଗ୍ରାମ ବା ନଗର ମଧ୍ୟରେ ଯେ କେବଳ ଭିକ୍ଷା ଗ୍ରହଣ ଓ ଉପଦେଶ ଦାନ ଉଦ୍ଦେଶ୍ୟରେ ଭ୍ରମଣ କରୁଥିଲେ ତା ନୁହେଁ ଓ ସେମାନେ ସାଧାରଣ ଗୃହସ୍ଥଜୀବନର ସମସ୍ୟା ସହିତ ଜଡ଼ିତ ହେଉଥିଲେ । ଏହି ସାଧାରଣ ଜୀବନ ସହିତ ଏକାତ୍ମତା ହିଁ ଏହି ବୌଦ୍ଧ ସାହିତ୍ୟର ପ୍ରାଣପ୍ରାଚୁର୍ଯ୍ୟର ପ୍ରଧାନ ଉତ୍ସ । ସମକାଳୀନ ସମାଜର ରୀତି, ନୀତି, ଭାଷା, ନିମ୍ନ ଓ ମଧ୍ୟ ଶ୍ରେଣୀ ସମାଜର ଜୀବନଯାତ୍ରା, ଭିକ୍ଷୁ ଓ ଭିକ୍ଷୁଣୀ ମଧ୍ୟରେ ପରସ୍ପରର ସୌହାର୍ଦ୍ଦ୍ୟ, ପ୍ରେମ, ଘୃଣା, ଭକ୍ତି ଓ ଭଣ୍ଡାମୀ, ତିତିକ୍ଷା ଓ ଭୋଗଲିପ୍‌ସା ବ୍ୟକ୍ତିଗତ ଉଚ୍ଚାଭିଳାଷ ଓ ସମୂହପାଇଁ ଆତ୍ମୋତ୍ସର୍ଗ ଭାବନା ସବୁକିଛି ଏହି କାହାଣୀ ଗୁଡ଼ିକରେ ପ୍ରତିଫଳିତ ହୋଇଛି । ଏହି କାହାଣୀଗୁଡ଼ିକର ବିଷୟ ନିର୍ବାଚନ ଓ ବର୍ଣ୍ଣନା ଭଙ୍ଗୀରେ ନୂତନତ୍ୱ ଓ ସୃଜନଶୀଳତା ବିଦ୍ୟମାନ । ସମସ୍ତ ଜୀବନର ବିଚିତ୍ର ଓ ବିବିଧ ଘଟଣାର ଅପୂର୍ବ ସମାବେଶ ସଙ୍ଗେ ସଙ୍ଗେ ନୀତି ପ୍ରଚାର ଲାଗି କୌଣସିଠାରେ ଗଳ୍ପକୁ ବଳି ଦିଆଯାଇ ନାହିଁ । ଗଳ୍ପଗୁଡ଼ିକୁ ମନୋହର ଓ ଚିତ୍ତାକର୍ଷକ କରିବା ପାଇଁ ଯେପରିକି ଜାତକ କଥା ଲେଖକମାନେ ସର୍ବତ୍ର ଉଦ୍ୟମ କରିଅଛନ୍ତି । ଏପରିକି ପଶୁପକ୍ଷୀ ବିଷୟକ ଗଳ୍ପଗୁଡ଼ିକ ମଧ୍ୟରେ ହାସପରିହାସ, ବାସ୍ତବ ବର୍ଣ୍ଣନା, ପଶୁପକ୍ଷୀଙ୍କ ପ୍ରକୃତ ସ୍ୱଭାବ ଓ ବ୍ୟବହାର ଫୁଟେଇବା ପାଇଁ ଏମାନେ ହେଳା କରିନାହାନ୍ତି । ପଞ୍ଚତନ୍ତ୍ରର ଜରଦ୍‌ଗବ କାହାଣୀରେ ଗୃଧ୍ରତ ଅଥବା କଙ୍କଣ ଲୋଭୀ ଶାର୍ଦ୍ଦୁଳର କାହାଣୀରେ ଅରଣ୍ୟବାସୀ ବ୍ୟାଘ୍ରର କୌଣସି ଆକୃତି ପ୍ରକୃତି ବର୍ଣିତ ହୋଇନାହିଁ । କିନ୍ତୁ ଜାତକର ହାତୀ, ମାଙ୍କଡ଼ ଆଦିଙ୍କ ମୁଖରେ ଯେତେ ବୁଦ୍ଧ-ମାହାତ୍ମ୍ୟ ବର୍ଣ୍ଣିତ ହୋଇଥାଉ ନା କାହିଁକି ଏମାନେ ନିଜର ବାସ୍ତବ ପ୍ରକୃତିରୁ ବଂଚିତ ହୋଇ ନାହାନ୍ତି । ବୌଦ୍ଧ ଜାତକର ଆଉ ଗୋଟିଏ ବିଶେଷତ୍ୱ ହେଉଛି ସମାଜର ସକଳ ଶ୍ରେଣୀର ଜନସାଧାରଣଙ୍କ ଚିନ୍ତାରେ ଏହା ସମୃଦ୍ଧ । ଶିଳ୍ପୀ, ବଣିକ, କମାର, ବଢ଼େଇ, ଶୁଣ୍ଢୀ ଆଦି ବହୁ ଶ୍ରେଣୀ ଜନସାଧାରଣଙ୍କ ଜୀବନଯାତ୍ରା ସମ୍ବନ୍ଧରେ ବହୁ ତତ୍ତ୍ୱ ଏଥିରେ ସନ୍ନିବେଶିତ ହୋଇଛି । ବରଂ ସମାଜର ଉପରସ୍ତର ଯଥା: ରାଜା, ପୁରୋହିତମାନଙ୍କ ଚରିତ୍ର ଅତି ସାଧାରଣ ଭାବେ ଚିତ୍ରିତ । ଜାତକଗଳ୍ପର ବୋଧିସତ୍ତ୍ୱ ସତେ ଯେପରିକି ଉଚ୍ଚନୀଚ ସମାଜର ସକଳସ୍ତରର ପ୍ରତିନିଧି । ଏକ ଦିଗରେ ତାଙ୍କର ଅଲୌକିକ ମାହାତ୍ମ୍ୟ ରାଜକୁଳ ମର୍ଯ୍ୟାଦା ପ୍ରକାଶିତ ପାଇଥିବା ସ୍ଥଳେ ଅନ୍ୟ ଦିଗରେ ତାଙ୍କୁ ନିହାତି ନୀଚକୁଳୋଦ୍ଭବରୂପେ ଚିତ୍ରିତ କରାଯାଇଛି । ସବୁବେଳେ ଆଦର୍ଶ ମଧ୍ୟରେ ଅବସ୍ଥାପିତ ନ କରି ଗଳ୍ପକାର ବାସ୍ତବତାର ପଙ୍କରେ ଅନାୟସରେ ତାଙ୍କୁ ନିମଜ୍ଜିତ କରାଇଅଛନ୍ତି । କେତେବେଳେ ତାଙ୍କର ପଦସ୍ଖଳନ ଘଟିଅଛି, ନିର୍ବୋଧତାର ପରିଚୟ ମିଳିଅଛି । ବୁଦ୍ଧଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ବର୍ଣ୍ଣନା ପ୍ରସଙ୍ଗରେ ତାଙ୍କୁ ଯେଭଳି ସାଧାରଣ ମଣିଷର ସଂଗୀଭାବେ ବର୍ଣ୍ଣନା କରାଯାଇଛି, ତାହା ଅନ୍ୟ କୌଣସି ଧର୍ମପ୍ରବର୍ତ୍ତାଙ୍କ କ୍ଷେତ୍ରରେ କ୍ୱଚିତ ଦେଖାଯାଏ । ମହାକାବ୍ୟ ଜୀବନର ବୀରତ୍ୱ ଓ ମହତ୍ୱପୂର୍ଣ୍ଣ ଦିଗକୁ ହିଁ ପ୍ରାଧାନ୍ୟଦିଏ । କିନ୍ତୁ କଥା ସାହିତ୍ୟ ଜୀବନର ଅସଂଖ୍ୟ ଅତି ପରିଚିତ ହାସ୍ୟ ଅଶ୍ରୁମଣ୍ଡିତ କ୍ଷୁଦ୍ର କ୍ଷୁଦ୍ର କାହାଣୀ ମଧ୍ୟରେ ଅନ୍ତର୍ନିହିତ ସହଜାତ ରସଧାରାକୁ ଉପାଦାନରୂପେ ବ୍ୟବହାର କରେ । ଯେଉଁଠି ଏହି ଧାରା ଯେଉଁ ପରିମାଣରେ ପରିବ୍ୟାପ୍ତ କଥାସାହିତ୍ୟର ଭିତ୍ତି ସେହିଠାରେ ସେତେ ବଳିଷ୍ଠ । ଏପରିକି ଆଧୁନିକ କଥାସାହିତ୍ୟର ଭିତ୍ତି ସେହିଠାରେ ସେତେ ବଳିଷ୍ଠ । ଏପରିକି ଆଧୁନିକ କଥାସାହିତ୍ୟରେ ନାରୀପୁରୁଷ ସଂପର୍କ ଘେନି ଯେଉଁ ସହଜାତ ପ୍ରବୃତ୍ତିଚାଳିତ ବାସ୍ତବଚିତ୍ରର ବହୁଳ ଅବତାରଣା ଦେଖିବାକୁ ମିଳେ, ତାହାର ନିଦର୍ଶନ ପର୍ଯ୍ୟନ୍ତ ବୌଦ୍ଧ ଜାତକରେ ବିଦ୍ୟମାନ । ଦୃଷ୍ଟାନ୍ତ ସ୍ୱରୂପ ଏଠାରେ ଅନ୍ଧଭୂତ ଜାତକରେ ବର୍ଣ୍ଣିତ ଘଟଣାଟିଏ ଉଲ୍ଲେଖ କରାଯାଇପାରେ । ଏଠାରେ ପ୍ରଣୟବତୀ ଏକ ନାରୀର ସତୀତ୍ୱ ଅହଂକାର ଘେନି ଏକ ରସୋତ୍ତୀର୍ଣ୍ଣ ବାସ୍ତବ ଜୀବନର କାହାଣୀ ବର୍ଣ୍ଣିତ ହୋଇଅଛି । ବ୍ୟଭିଚାରିଣୀର ସ୍ୱାମୀ ତା’ର ପ୍ରଣୟୀଠାରେ ପରାଭୂତ ହୋଇଛି । ସ୍ତ୍ରୀ ନିଜର ସତୀତ୍ୱ ପରୀକ୍ଷା ଦେବା ପାଇଁ ଅଗ୍ନିରେ ପ୍ରବେଶ ପାଇଁ ଉଦ୍ୟତ । ଏହି ନିରପରାଧିନୀ ମୃତ୍ୟୁବରଣର ଉତ୍ତେଜନାରେ ଉତ୍ତେଜିତ ତାହାର ପ୍ରଣୟୀ ସ୍ୱାମୀକୁ ଭର୍ତ୍ସନା କରୁ କରୁ ସ୍ତ୍ରୀର ହାତଧରି ଟାଣି ନେଇଯାଇଛି । ପରପୁରୁଷ-କଳଙ୍କିତା ଅଗ୍ନିପରୀକ୍ଷାରୁ ନିବୃତ୍ତ ହୋଇଛି । ସମାଜର ଅନୁମୋଦନକ୍ରମେ ପତିଗୃହ ଛାଡ଼ି, ପ୍ରଣୟୀକୁ ବରଣ କରିଛି । କାହାଣୀଟି ଯେପରି ବିଶୁଦ୍ଧ ହାସ୍ୟରସପୂର୍ଣ୍ଣ ସେହିପରି ରୋମାଞ୍ଚକର ଘଟଣା ସମାବେଶରେ ରସାଳ ।

 

ଆଧୁନିକ କଥାସାହିତ୍ୟର ଉପାଦାନ ପ୍ରାଚୀନ ଭାରତୀୟ କଥାସାହିତ୍ୟରୁ ବହୁ ପରିମାଣରେ ଖୋଜା ଯାଇପାରେ । ସଂସ୍କୃତରେ ପଞ୍ଚତନ୍ତ୍ର ହିତୋପଦେଶ, କଥାସରିତ ସାଗର, ଦଶକୁମାର ଚରିତ ଆଦି ବହୁ କଥାଗ୍ରନ୍ଥ ଦଶମ ଏକାଦଶ ଶତକ ପୂର୍ବରୁ ଏହି ଦେଶରେ ସର୍ବତ୍ର ପ୍ରଚାରିତ ହୋଇଥିଲା । କେବଳ ନୀତିଶିକ୍ଷା ଦେବା ଯେ ଏହି କାହାଣୀଗୁଡ଼ିକର ଉଦ୍ଦେଶ୍ୟ ଥିଲା, ଏହା କୁହାଯାଇ ନ ପାରେ । ଜନ ମନୋରଞ୍ଜନ ଥିଲା ଏଗୁଡ଼ିକର ଅନ୍ୟତମ ଉଦ୍ଦେଶ୍ୟ । ସେଥିଲାଗି ସାଧାରଣ ଗୃହସ୍ଥ ଜୀବନରେ ଛଳନାମୟୀ ନାରୀର ବହୁ ବ୍ୟାପକ ଚିତ୍ର ଏହି କାହାଣୀଗୁଡ଼ିକରେ ଅଙ୍କିତ । ମନୁସଂହିତା ତଥା ଆମର ପୁରାଣଗୁଡ଼ିକରେ ନାରୀ ପ୍ରତି ଯେଉଁ ଦୃଷ୍ଟିକୋଣ ପ୍ରକାଶପାଇଥିଲା ତାହା ହିଁ ବହୁ ପରିମାଣରେ ଏଠାରେ ଦେଖିବାକୁ ମିଳେ । ବୌଦ୍ଧ ତାନ୍ତ୍ରିକତାର ବିଭତ୍ସ ବିକୃତି, ହିନ୍ଦୁଧର୍ମର ଆଦର୍ଶବିଚ୍ୟୁତି, ମୁସଲମାନ ଆକ୍ରମଣ କାଳର ସାମାଜିକ ଅବକ୍ଷୟ ପ୍ରକ୍ରିୟା ଜାତୀୟ ଜୀବନକୁ ଯେଭଳି ବିପର୍ଯ୍ୟସ୍ତ କରିଥିଲା, ନାରୀର ମର୍ଯ୍ୟାଦା ଓ ପୁରୁଷର ପୌରୁଷବୋଧକୁ ଯେପରି ମ୍ଳାନ କରିଦେଇଥିଲା, ତାହାର ଚିତ୍ର ଏହି କାହାଣୀଗୁଡ଼ିକରୁ ମିଳିଥାଏ । ବିଳାସୀ ଐହିକ ସୁଖପରାୟଣ ରୁଚିବିକାରଗ୍ରସ୍ତ ଏକ ସମାଜର ଚିତ୍ର ଏହି ମଧ୍ୟକାଳୀନ ସଂସ୍କୃତ ଗଳ୍ପ ସାହିତ୍ୟରୁ ମିଳିଥାଏ । ମାତ୍ର ଜନ ଜୀବନରେ ସୁପ୍ରତିଷ୍ଠିତ ଭାବାଦର୍ଶ ଓ ଆଦର୍ଶବୋଧ ଜନସାଧାରଣଙ୍କ ମଧ୍ୟରୁ ଲୁପ୍ତ ହୋଇଯାଇ ନ ଥିଲା । ଏହି ଧାରାଟି ପ୍ରଚ୍ଛନ୍ନ ଫଲ୍‌ଗୁପରି ବିଭିନ୍ନ ଭାରତୀୟ ଭାଷାର ଗଳ୍ପ ସାହିତ୍ୟରେ ପ୍ରବାହିତ ହୋଇଥିଲା । ପ୍ରାଚୀନ ଓଡ଼ିଆ ସାହିତ୍ୟ ଏହାର ବ୍ୟତିକ୍ରମ ନୁହେଁ ।

 

ll୨ll

 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏକ ସୁମହାନ ଓ ସୁମହତ ସୃଷ୍ଟି ସାରଳା ମହାଭାରତ । ଏଥିରେ ମହାଭାରତର ସ୍ଥୂଳ କାହାଣୀ ବ୍ୟତୀତ ଅଜସ୍ର ଲୌକିକ କାହାଣୀର ସମାବେଶ ଘଟିଛି । ସାହିତ୍ୟିକ ଜୀବନର ବହୁ କ୍ଷୁଦ୍ର ତୁଚ୍ଛାତିତୁଚ୍ଛ ଘଟଣାକୁ କେନ୍ଦ୍ର କରି ରଚିତ କାହାଣୀର ନାୟକରୂପେ ମହାକାବ୍ୟର ନାୟକନାୟିକାମାନଙ୍କୁ କବି ବୃହତ୍ତର ଲୋକଜୀବନର ନିକଟବର୍ତ୍ତୀ କରାଇଅଛନ୍ତି । ଏହିସବୁ କାହାଣୀର ସଂରଚନାରେ ଉପନ୍ୟାସର ମୌଳିକବୀଜ ନିହିତ । ରାଜକୁମାରୀ ଦ୍ରୌପଦୀଙ୍କୁ କୁମ୍ଭାରଶାଳରେ ଶୁଆଇ ଭୀମଙ୍କର ଭୀମ ରୂପ ଦେଖାଇ ଅତି ଦୀନଦୁସ୍ଥ ପରିବାରରେ ନବବଧୂର ଲାଂଛନାର ଚିତ୍ର କବି ଅଙ୍କନ କରିଅଛନ୍ତି । ଏପରିକି ରାଜଦରବାରର ଚିତ୍ର ଅଙ୍କନରେ କବି ମୁହୂର୍ତ୍ତକ ପାଇଁ ପ୍ରଶାନ୍ତ ପଲ୍ଲୀର ବଟମଣ୍ଡପରେ ନ୍ୟାୟନିଶାପରେ ରୀତି ଭୁଲି ନାହାନ୍ତି । ମହାଭାରତ ଯୁଦ୍ଧ ପୂର୍ବରୁ ଧୃତରାଷ୍ଟ୍ର ଓ ଶକୁନିଙ୍କ ଆଳାପ ଅଥବା ଯୁଧିଷ୍ଠିର ଓ ଶକୁନିଙ୍କ ସଂଳାପ ମଧ୍ୟରେ କବି ବହୁ କାହାଣୀର ସମାବେଶ ଘଟାଇ ଅଛନ୍ତି । ତୁଳା ମୁହାଁକାଙ୍କ, ତୁଳସୀବଣବାଘ, ଅଳସୁଆ ଅନନ୍ତା ଭଳି ଅଜସ୍ର କାହାଣୀ ଏହାର ଦୃଷ୍ଟାନ୍ତ । ‘ସତ୍ୟଆମ୍ବ’ କାହାଣୀଟିରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଆତ୍ମସ୍ୱୀକୃତି ପାଇଁ ବାଧ୍ୟକରିଛନ୍ତି । ଦ୍ରୌପଦୀଙ୍କର ଆତ୍ମସ୍ୱୀକୃତି ମଧ୍ୟରେ ରମଣୀର ଚିରନ୍ତନ ଆଶା, ଆଙ୍କାକ୍ଷା ରୂପାୟିତ ହୋଇଅଛି । ପଞ୍ଚପତି ସୁହାଗିନୀ ଦ୍ରୌପଦୀ କର୍ଣ୍ଣଙ୍କ ପ୍ରତି ମଧ୍ୟ ନିଜର ଆସକ୍ତି ପୋଷଣ କରିବାକୁ ଭୁଲିନାହାନ୍ତି । ସାରଳାଦାସଙ୍କ କାହାଣୀ ମଧ୍ୟକୁ ଯେପରି ସମାଜର ନାନା ଶ୍ରେଣୀର ଜନସମାଜର ଆଗମନ ଘଟିଅଛି, ସେହିପରି ନାନା ପଶୁପକ୍ଷୀ ବୃକ୍ଷଲତାର ଆଗମନ ଘଟିଅଛି । କେତେବେଳେ ଗଳ୍ପର ନାୟକ ଭାବରେ ଅଥବା ଗଳ୍ପଗୁଡ଼ିକ ଗତିଶୀଳ କରିବା ପାଇଁ ଏହି ସବୁର ବିନିଯୋଗ କରାଯାଇଛି । ଦେବତାଙ୍କୁ କ୍ରୋଧ, ଲୋଭ ଓ ଈର୍ଷାର ବଶବର୍ତ୍ତୀ କରାଇବା, ଭୂତ ଓ ଅସୁର ଆଦିଙ୍କୁ ନିର୍ବୋଧ ଭାବରେ ଚିତ୍ରିତ କରିବା ମଧ୍ୟରେ ସାରଳାଦାସ ବସ୍ତୁତଃ ମନୁଷ୍ୟର ଅନ୍ତଃପ୍ରକୃତିର ବୈଚିତ୍ରମୟ ରୂପ ହିଁ ଅଙ୍କନ କରିଛନ୍ତି । ଏକ ଏକ କାହାଣୀ ମଧ୍ୟରେ କିପରି ଗୋଟିଏ ଗୋଟିଏ ଜାତିର ଧର୍ମୀୟସଂସ୍କାର, ସାଂସ୍କୃତିକ ଐତିହ୍ୟ ଓ ମାନବିକ ମୂଲ୍ୟବୋଧ ସମ୍ୟକରୂପେ ସମନ୍ୱିତ କରାଯାଇପାରେ । ତାହାର ସୁନ୍ଦର ନିଦର୍ଶନ ସାରଳାଦାସଙ୍କ ଦେଉଳତୋଳା ଗଳ୍ପରେ ଦେଖିବାକୁ ମିଳେ । ମହାକାବ୍ୟର ମହାନାୟକମାନଙ୍କୁ ପ୍ରବୃତ୍ତିର ଦାସତ୍ୱ ସ୍ୱୀକାର କରାଇ କବି ମହାକାବ୍ୟିକ ପରମ୍ପରାକୁ ଲଂଘନ କରିଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ପ୍ରକୃତ ଜନସମାଜରେ ପ୍ରଚଳିତ କାହାଣୀଗୁଡ଼ିକୁ ନିଜ ମହାକାବ୍ୟରେ ସ୍ଥାନ ଦେଇ ତାକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦାନ କରିଅଛନ୍ତି । ଶ୍ରୀକୃଷ୍ଣଙ୍କ ସହଜ ସୁନ୍ଦରୀସମ୍ଭୋଗ ଅଥବା ଯୁଧିଷ୍ଠିରଙ୍କ ସାହାଣୀ କନ୍ୟା ବିଭା ମଧ୍ୟରେ ସମାଜରେ ପ୍ରଚଳିତ ବ୍ୟଭିଚାର ଚିତ୍ର ହିଁ କବି ଅଙ୍କନ କରିଛନ୍ତି । ଶ୍ରମ ଓ ସଂଚୟର ସୁମହାନ ଆଦର୍ଶ ସାରଳାଦାସଙ୍କ ବର୍ଣ୍ଣିତ ଭୀମକୁବେର କାହାଣୀ ଓ ବାବନାଭୂତ କଥାରେ ପ୍ରତିଫଳିତ ହୋଇଅଛି । ଗୋଟି ଗୋଟି ଧନ ସଂଚୟକରି ମହାଧନୀ କୁବେର ପ୍ରୟୋଜନବୋଧରେ ଦେଶର ହିତ ପାଇଁ ନିଜର ସଂପଦ ଅକାତରରେ ଢାଳି ଦେଇଛନ୍ତି । ମହାଶକ୍ତିଶାଳୀ ବାବନାଭୂତ ଜଣେ ସାମାନ୍ୟ କୃଷକର ଜାଲରେ ବନ୍ଦୀହୋଇ ଆଜୀବନ ତାହାର ଦାସତ୍ୱ ସ୍ୱୀକାର କରିଅଛି । “ବଡ଼ ସାନ କଥା ଯେ ନ ମାନନ୍ତି ପୋଏ, ପଶ୍ଚାତରେ ଭୋଗନ୍ତି ସେ ଯେ ବାବନାଭୂତ ପ୍ରାୟେ” ଏକ ଲୋକୋକ୍ତିରେ ପରିଣତ ହୋଇଯାଇଛି । ସଂପଦ ଲାଭରେ ନୁହେଁ ଯଥୋପଯୁକ୍ତ ବିନିଯୋଗରେ ହିଁ ତାହାର ସାର୍ଥକତା । ଚଣ୍ଡିପୁରାଣର ଅମ୍ବିକା ଚଣ୍ଡାଳ ଆଖ୍ୟାନଟିରେ କବିଙ୍କର ଉଦାର ସାମାଜିକ ମୂଲ୍ୟବୋଧ ପ୍ରକାଶ ପାଇଅଛି । ମହଳା କୁଢ଼ରେ ଧାନ ଚାଷ କରି, ବଳକାଧାନ ଦେଢ଼ି ଦେଇ ଅମ୍ବିକା ଧନୀ ହୋଇଛି । ଚଣ୍ଡାଳ କର୍ମ ଛାଡ଼ି ସେ ଅୟସରେ ଜୀବନ ଭୋଗ କରିଛି । କିନ୍ତୁ କୁସୀଦଲୋଭୀ ଅମ୍ବିକାର ଚଣ୍ଡାଳ ଅପବାଦ ଯାଇନାହିଁ । ମାତ୍ର ସମାଜର ହିତ ପାଇଁ ଯେତେବେଳେ ସେ ନିଜର ସମସ୍ତ ସମ୍ପଦ ନିଜ ଜାମାତା ବଶିଷ୍ଠଙ୍କ ହାତରେ ଦାନକରି ଦେଇଛି, ସେତେବେଳେ ସେ ନିଜ ଧନର ସାର୍ଥକତା ଲାଭ କରିଛି ।

 

ସାରଳାଦାସଙ୍କ ମହାଭାରତ ସାଙ୍ଗକୁ ବଳରାମଦାସଙ୍କ ରାମାୟଣ, ଜଗନ୍ନାଥ ଦାସଙ୍କ ଭାଗବତ, ଅଚ୍ୟୁତାନନ୍ଦଙ୍କ ହରିବଂଶ, ପିତାମ୍ବର ଦାସଙ୍କ ନୃସିଂହ ପୁରାଣ ଆଦିରେ ଅଜସ୍ର ଲୌକିକ କାହାଣୀର ସମାବେଶ ଦେଖିବାକୁ ମିଳେ । ଏହିସବୁ କାହାଣୀ ଭିତରେ ମହାକାବ୍ୟିକ କଳ୍ପନା ଜୀବନର ବାସ୍ତବତାର ପୁଟରେ ଶ୍ରୋତା ମନରେ ବିସ୍ମୟ, ଆବେଗ ଓ କୌତୂହଳ ଉଦ୍ରେକ କରିବାକୁ ସମର୍ଥ ହୋଇଅଛି । ପୁରାଣ ଓ ମହାକାବ୍ୟ ବ୍ୟତୀତ ପ୍ରାଚୀନ ପ୍ରବନ୍ଧ କାବ୍ୟରେ ଲୌକିକ କାହାଣୀର ସୁନ୍ଦର ସମାବେଶ ଘଟିଅଛି । କେତେକ କିମ୍ବଦନ୍ତୀ କାବ୍ୟରୂପ ଲାଭ କରିଅଛି । ରୋମାନସ୍‌ ସୁଲଭ କୌତୁହଳ ପ୍ରାଣତା ଓ ମାନବୀୟ ପ୍ରବୃତ୍ତିର ଅନାବୃତ ପ୍ରକାଶ ଏହି କାହାଣୀଗୁଡ଼ିକୁ ଆଧୁନିକ ଉପନ୍ୟାସର ସମଧର୍ମୀ କରିଅଛି । ଅର୍ଜ୍ଜୁନ ଦାସଙ୍କ କଳ୍ପଲତା ଓ ଅମର ସିଂହଙ୍କ ପ୍ରଣୟକାହାଣୀ, ନରସିଂହ ଶେଣ ମହାପାତ୍ରଙ୍କ ‘ପରିମଳା’, ପ୍ରତାପ ରାୟଙ୍କ ‘ଶଶିସେଣା’ ଓ ବନମାଳୀ ଦାସଙ୍କ ‘ଚାଟ ଇଚ୍ଛାବତୀ’ କାବ୍ୟର ପ୍ରଣୟ ଉପାଖ୍ୟାନଗୁଡ଼ିକ ଏକାନ୍ତ ଭାବରେ କାଳ୍ପନିକ ଲୌକିକ କାବ୍ୟକାହାଣୀରୂପେ ଉପଭୋଗ୍ୟ । ଏହି ଗଳ୍ପଗୁଡ଼ିକ ପ୍ରସଙ୍ଗରେ ଡଃ କୃଷ୍ଣଚରଣ ବେହେରାଙ୍କ ଉକ୍ତି ସ୍ମରଣ କରାଯାଇପାରେ–

 

ଗଳ୍ପ ଗୁଂଫନରେ, ଘଟଣା ବିନ୍ୟାସରେ, ଚରିତ୍ର ସମୂହର ଚିତ୍ତବୃତ୍ତି ଚିତ୍ରଣରେ ଏବଂ କେତେକ ସାମାଜିକ ରୀତିନୀତି ବର୍ଣ୍ଣନାରେ ଏଗୁଡ଼ିକ ଆଧୁନିକ କଥାସାହିତ୍ୟର ସମଧର୍ମୀ-ବୋଲାଯାଇପାରେ । ପଦ୍ୟ ପରିବର୍ତ୍ତେ ଗଦ୍ୟରେ ରଚିତ ହୋଇଥିଲେ, ଏଗୁଡ଼ିକ ଆଧୁନିକ ଗଳ୍ପ ବା ରୋମାନ୍‌ସରୂପେ ଗ୍ରହଣ କରିବାରେ କୌଣସି ବାଧା ନ ଥାନ୍ତା ।”

 

ll ୩ ll

 

କାବ୍ୟ ମହାକାବ୍ୟର ଅନ୍ତର୍ଭୁକ୍ତ କାହାଣୀ ବ୍ୟତୀତ ପ୍ରାଚୀନ ଓଡ଼ିଆ ସାହିତ୍ୟ ସ୍ୱତନ୍ତ୍ର କାହାଣୀଗ୍ରନ୍ଥରେ ମଧ୍ୟ ସମୃଦ୍ଧ । ‘ପ୍ରସ୍ତାବସିନ୍ଧୁ’, ‘ଦାର୍ଢ଼୍ୟତାଭକ୍ତି ରସାମୃତ’, ‘ଚୈତନ୍ୟଭଗବତ’, ‘ଜଗନ୍ନାଥ ଚରିତାମୃତ’ ଆଦି ସ୍ୱତନ୍ତ୍ର ପର୍ଯ୍ୟାୟର କାହାଣୀଗ୍ରନ୍ଥ । ଏଇସବୁ କାହାଣୀଗ୍ରନ୍ଥରେ ପ୍ରାଚୀନ ସଂସ୍କୃତ ସାହିତ୍ୟର ଯେପରି ଅନୁକରଣ ବା ଅନୁସରଣ କରାଯାଇଛି, ସେହିପରି ଜନସୃତି, କିମ୍ବଦନ୍ତୀ, ଲୋକବୃତ୍ତ ଆଦିର ଅବଲମ୍ବନରେ ଏହି କବିମାନେ କଳ୍ପନା, ଅନୁମାନ ଓ ଜୀବନର ପ୍ରତ୍ୟକ୍ଷ ଦର୍ଶନାନୁଭୂତିଦ୍ୱାରା ଚାଳିତ ହୋଇ ନବ ନବ ସୃଜନଧର୍ମୀତାର ପରିଚୟ ଦେଇଅଛନ୍ତି । ବିଶୁଦ୍ଧ ହାସ୍ୟରସ ଓ ଶାଣିତ ବିଦ୍ରୂପ ରଚନାରେ ଏହି କାହାଣୀଗୁଡ଼ିକର ଚିରନ୍ତନ ମୂଲ୍ୟ ବୃଦ୍ଧି ପାଇଅଛି । ଦୀକୃଷ୍ଣଙ୍କର ‘ଭଗବତ ଭଲ୍ଲୁକ’ ଗଳ୍ପଟିରେ ଭ୍ରଷ୍ଟାଚାରଗ୍ରସ୍ତ ଭଣ୍ଡ ସନ୍ନ୍ୟାସୀର କରୁଣ ପରିଣତି ବିଶେଷ ଉପଭୋଗ୍ୟ । ଏହି କହାଣୀର ଅସହାୟ, ନିର୍ବୋଧ କୃଷକବଧୂ ‘ଛ’ମାଣ ଆଠଗୁଣ୍ଠ’ର ‘ସାରିଆ’ର ସ୍ମରଣ କରାଇଦିଏ । ସମାଜଦ୍ୱାରା ଭର୍ତ୍ସିତା ସନ୍ତାନହୀନା ତରୁଣୀବଧୂ ଭଣ୍ଡସନ୍ନ୍ୟାସୀର ଫାନ୍ଦରେ ପଡ଼ିଛି । ନିର୍ବୋଧପତି ଏହି ସନ୍ନ୍ୟାସୀଦ୍ୱାରା ପ୍ରତାରିତ ହୋଇଛି । ପ୍ରତାରିତା ହୋଇଛି ଏହି ସରଳା ନାରୀ । ମାତ୍ର ଗଳ୍ପର ନାଟକୀୟ ଗୁମ୍ଫନ ମଧ୍ୟରେ ଭଣ୍ଡସନ୍ନ୍ୟାସୀର ହୋଇଛି ଉପଯୁକ୍ତ ଶାସ୍ତି ଓ ସରଳା ନାରୀଟି ପାଇଛି ତା’ର ଏକାଗ୍ରତାର ପୁରସ୍କାର । ଭଣ୍ଡସନ୍ନ୍ୟାସୀ କୃଷକବଧୂର ସୌନ୍ଦର୍ଯ୍ୟରେ କାମାର୍ତ୍ତ ହୋଇଛି । ନିଶାରାତ୍ରିରେ ଶ୍ମଶାନରୁ ଉଲଗ୍ନ ହୋଇ ମୁଠାଏ ମାଟି ଆଣିବା ପାଇଁ ସେ କୃଷକବଧୂକୁ କହିଛି । ଏଣେ ତା’ର ପତିକୁ ଏହି ଦୃଶ୍ୟ ଦେଖାଇ ତା’ର ସ୍ତ୍ରୀ ଯେ ଗୋଟାଏ ଡାହାଣୀ ଓ ତାକୁ ପରିହାର କରିବା ଉଚିତ୍‌ ଏହା ବୁଝାଇ ଦେଇଛି । ସରଳ ସ୍ୱାମୀ ଏହି ପ୍ରତାରକ ସନ୍ନ୍ୟାସୀର କଥାନୁସାରେ ନିଜ ସ୍ତ୍ରୀକୁ ଗୋଟାଏ କାଠ ସିନ୍ଦୁକରେ ପୂରାଇ କୂଳପ୍ଳାବିନୀ ନଦୀ ମଧ୍ୟକୁ ଭସାଇ ଦେଇଛି । ଭାସି ଯାଉଥିବା ପଦାର୍ଥଟିକୁ ଉଆସ ଉପରୁ ଲକ୍ଷ୍ୟକରି ରାଜା କୃଷକବଧୂକୁ କାଠସିନ୍ଦୁକରୁ ଉଦ୍ଧାର କରିଛନ୍ତି ଓ ସେହି ସିନ୍ଦୁକରେ ଗୋଟାଏ ଭାଲୁ ପୂରାଇ ଭସାଇ ଦେଇଛନ୍ତି । ଏହି କଳ୍ପିତ ସ୍ଥାନରେ ଅପେକ୍ଷାରତ ସନ୍ନ୍ୟାସୀ ସେଇ ସିନ୍ଦୁକଟି ଉଦ୍ଧାର କରିଛି । ମାତ୍ର ବଧୂ ପରିବର୍ତ୍ତେ ଭଲ୍ଲୁକ ମୁଖରେ ପତିତ ହୋଇଛି ।

 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏକ ବୈଶିଷ୍ଟ୍ୟ ହେଉଛି ବଳିଷ୍ଠ ଗଦ୍ୟ ମାଧ୍ୟମରେ ଗଳ୍ପକଥନର ପ୍ରୟାସ । ଯୁଗଧର୍ମ ଅନୁସାରେ ଏହି ଗଦ୍ୟରେ ହୁଏତ କାବ୍ୟର ପ୍ରବଣତା ଓ ଅଳଙ୍କାର ପ୍ରାଚୁର୍ଯ୍ୟ ଫୁଟିଉଠିଛି । ତେବେ ପ୍ରାଚୀନ ଓଡ଼ିଆ ସାହିତ୍ୟର ପଦ୍ୟର ବିପୁଳ ପ୍ରବାହ ମଧ୍ୟରେ ଗଦ୍ୟର ଏହି କ୍ଷୀଣ ସ୍ରୋତ ନିଃସନ୍ଦେହରେ ବୈଚିତ୍ର୍ୟ ଆନୟନ କରିଛି । ପ୍ରାଚୀନ ଗଦ୍ୟପଦ୍ୟ ମିଶ୍ରିତ ରଚନାର ଏକ ଶ୍ରେଷ୍ଠ ନିଦର୍ଶନ “ରୁଦ୍ରସୁଧାନିଧି” । ଏଥିରେ ଗଳ୍ପର ଗତି ବର୍ଣ୍ଣନାର ବାହୁଲ୍ୟରେ ଶିଥିଳ । ମାତ୍ର ବଳିଷ୍ଠ ଚରିତ୍ରାୟନ, ଘଟଣାର ଆନୁପୂର୍ବକ ବିନ୍ୟାସ, ବାସ୍ତବୋଚିତ ସଂଳାପର ସ୍ଫୂରଣ ମଧ୍ୟରେ ଏହି ଅପୂର୍ଣ୍ଣ ଗ୍ରନ୍ଥଟିରେ ଯେପରିକି ପ୍ରଥମ ଓଡ଼ିଆ ଉପନ୍ୟାସର ଆତ୍ମପ୍ରକାଶ ଦେଖିବାକୁ ମିଳେ । ଚତୁର୍ଦ୍ଦଶ ବା ପଞ୍ଚଦଶ ଶତକର ‘ରୁଦ୍ରସୁଧାନିଧି’ ଓ ଅଷ୍ଟଦଶ ଶତକର ବ୍ରଜନାଥଙ୍କ ‘ଚତୁର ବିନୋଦ’ ମଧ୍ୟରେ ଗଦ୍ୟ କଥାସାହିତ୍ୟର ବିକାଶ ପରିଣତି ମାଦଳାପାଞ୍ଜି, ଚଇନିଙ୍କ ଚକଡ଼ା, ଘୁମୁସୁର ରାଜବଂଶାବଳୀ ବ୍ରତକଥା ଆଦିର ଗଦ୍ୟକାହାଣୀ ମଧ୍ୟରେ ଦେଖାଯାଇପାରେ । ମାଦଳାପାଞ୍ଜିରେ ଶିବେଇ ସାନ୍ତରାଙ୍କ ଖିରୀଖିଆ, ଚକଡ଼ା ପୋଥିରେ ପ୍ରତାପରୁଦ୍ରଙ୍କ ଅନ୍ଧାରିବିଜେ ଓ ପରଜାରାଉତ ମାଝିରାମ ପାତ୍ରର ଶାସ୍ତି ଓ ଅଣକିଆ ଆଦିକନ୍ଦ ମିଶ୍ରଙ୍କ କରୁଣକାହାଣୀ ପ୍ରଭୃତି ଗଳ୍ପଗୁଡ଼ିକରେ ହାସ ପରିହାସ, ବ୍ୟଙ୍ଗବିଦ୍ରୂପ ତଥା କରୁଣ ରସର ଯେପରି ଅପୂର୍ବ ସମାବେଶ ଘଟିଅଛି ତାହା ସର୍ବତ୍ର ସହଜରେ ମିଳେ ନାହିଁ ।

 

ବ୍ରଜନାଥଙ୍କ ‘ଚତୁର ବିନୋଦ’ ପ୍ରାଚୀନ ଓଡ଼ିଆ କଥାସାହିତ୍ୟର ଶ୍ରେଷ୍ଠ ଅର୍ଘ୍ୟ । ଏକ ଲୋକଜୀବନର ବାସ୍ତବ ଅଧ୍ୟୟନ ଅନ୍ୟ ଦିଗରେ ବହୁ ଶାସ୍ତ୍ରଦର୍ଶିତା ତଥା ପାରଂପାରିକ ଦରବାରୀ ସାହିତ୍ୟ ସହିତ ନିଜର ଗଭୀର ପରିଚୟ ବ୍ରଜନାଥଙ୍କୁ ଜଣେ ଅନନ୍ୟ ସାଧାରଣ କଥାସାଗରରୂପେ ପ୍ରତିଷ୍ଠିତ କରାଇଅଛି । ବ୍ରଜନାଥ ନିଜେ ଗ୍ରନ୍ଥର ଆରମ୍ଭରେ କଥାର ସଂଜ୍ଞା ନିରୂପଣ କରିବାକୁ ଯାଇ କହିଛନ୍ତି...

 

ମିଥ୍ୟା ଗ୍ରନ୍ଥ ପ୍ରବନ୍ଧେନ ମନୋହରତି ଯା ଭୃଶଂ,

ନାନା କୌତୁକ ହାସାଦ୍ୟୈଃ ସା କଥେତ୍ୟଭିଧୀୟତେ ।

 

ପ୍ରକୃତରେ ବ୍ରଜନାଥ ବଡ଼ଜେନାଙ୍କ ଏହି କାହାଣୀଗୁଡ଼ିକର ରଚନା ପାଇଁ କଳ୍ପନାର ଆଶ୍ରୟ ନେବା ସଙ୍ଗେ ସଙ୍ଗେ ଜୀବନ ଓ ସମାଜକୁ ସତ୍ୟସଂଧାନୀ ଦୃଷ୍ଟିରେ ଦେଖିବାକୁ ଛାଡ଼ିନାହାନ୍ତି । ବୈଶ୍ୟ, ବୈଦ୍ୟ, ପୁରୋହିତ, ବାରିକ, ବଣିଆ, ଶୁଣ୍ଢୀ ଆଦି ଅଜସ୍ର ସମାଜର ପ୍ରତିନିଧି ସ୍ଥାନୀୟ’ ଚରିତ୍ର ଗ୍ରହଣ କରିବା ସଙ୍ଗେ ସଙ୍ଗେ ଗିରିଧାରୀ ଦତ୍ତ, ମଞ୍ଜାରୀ କନ୍ୟା, ଖର୍ବ ରୂପ ମାଦଳିଆ, ପୁଣ୍ଡରିକ ପଣ୍ଡା ଓ କୁନ୍ଦରେଖା ଆଦି ବହୁବ୍ୟକ୍ତି ଚରିତ୍ରର ମଧ୍ୟ ଅବତାରଣା କରିଅଛନ୍ତି । ଚତୁର ବିନୋଦକାର ନିପୂଣ କଥାଶିଳ୍ପୀ, କାହାଣୀର ଗତି ଅବ୍ୟାହତ ରଖି ଚରିତ୍ର ଓ ଘଟଣାର ଅନ୍ତର୍ନିହିତ ମର୍ମ ଉଦ୍‌ଘାଟନପାଇଁ ସେ ବର୍ଣ୍ଣନାର ଓ ସଂଳାପର ଉପଯୁକ୍ତ ବିନିଯୋଗ କରିଅଛନ୍ତି । ଢଗଢ଼ମାଳୀ, ଲୌକିକ ସାହିତ୍ୟ ଓ ଲୋକ ମୁଖଭାଷାର ଏତେ ବଳିଷ୍ଠ ବିନିଯୋଗ ଅନ୍ୟତ୍ର କ୍ୱଚିତ ଦେଖିବାକୁ ମିଳେ । ବ୍ରଜନାଥଙ୍କ ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଅଜସ୍ର କାହାଣୀର ଅଣୁରୂପ ଘେନି ଏକ ବୃହତ କାହାଣୀର ବେଣୀରଚନା । ଖଣ୍ଡସହିତ ସମଗ୍ର ଯୋଗସୂତ୍ର ରକ୍ଷାକରି କାହାଣୀ ରଚନାର ଯେଉଁ ମହାନ୍‌ ପରଂପରା ରାମାୟଣ, ମହାଭାରତ ଯୁଗରୁ ଦେଖିବାକୁ ମିଳେ । ବ୍ରଜନାଥ ସତେ ଯେପରି ତାହାର ବଳିଷ୍ଠ ଉତ୍ତରାଧିକାରୀ । ମାତ୍ର ଗୋଟିଏ ରଜନୀର ପୃଷ୍ଠପଟରେ ପ୍ରଣୟ ଅଭିଳାଷୀ ଚଞ୍ଚଳାକ୍ଷୀ ଓ ମୋହନାଙ୍ଗକୁ କେନ୍ଦ୍ରକରି ଏହି ସମସ୍ତ କାହାଣୀଗ୍ରନ୍ଥଟି କଳ୍ପିତ । ହାସବିନୋଦ, ରସବିନୋଦ, ନୀତିବିନୋଦ ଓ ପ୍ରୀତିବିନୋଦ ଏଇ ଚାରିଶାଖାକୁ କେନ୍ଦ୍ରକରି ଗପ ଶାଖାମାଧ୍ୟମରେ ଶତାଧିକ ଗଳ୍ପର ଏକ ମହାଦ୍ରୂମ ବ୍ରଜନାଥ ରଚନା କରିଅଛନ୍ତି । ବ୍ରଜନାଥଙ୍କ ଏହି କାହାଣୀ ଗ୍ରନ୍ଥଟି ମଧ୍ୟରେ ଦୂର ଓ ନିକଟର ବହୁ ବିଚିତ୍ର ପରମ୍ପରା ସମନ୍ୱିତ । ଏକ ଦିଗରେ ଆରବ୍ୟରଜନୀର ରେମାଞ୍ଚଧର୍ମିତା ଓ ଅନ୍ୟଦିଗରେ ଲୌକିକ କାହାଣୀ ମହାନ ସ୍ଫୂର୍ତ୍ତିର ଏତେ ସୁନ୍ଦର ସମନ୍ୱୟ ଅନ୍ୟତ୍ର କ୍ୱଚିତ୍‌ ଦେଖିବାକୁ ମିଳେ ।

 

ll ୪ ll

 

ପାରମ୍ପରିକତା ଓ ପ୍ରୟୋଗାତ୍ମକ ପରୀକ୍ଷା ସାହିତ୍ୟରେ ଦୁଇଟି ମୌଳିକ ଧର୍ମ । ବିଦଗ୍‌ଧ ସାହିତ୍ୟ ନବଶୈଳୀ ଓ ରୀତିର ସାହିତ୍ୟ ସୃଷ୍ଟିକରେ । ବୈଚିତ୍ର୍ୟ ଖୋଜୁ ଖୋଜୁ ଜନଜୀବନରୁ ଏହା ଅନେକ ଦୂରବର୍ତ୍ତୀ ହୋଇଯାଏ । କଳ୍ପନାର ଶୂନ୍ୟମଣ୍ଡଳରୁ ପୁଣି ବାସ୍ତବର ମାଟିକୁ ଫେରିଆସିବାକୁ ହୁଏ, ନୂତନ ସଂଜୀବନୀ ଶକ୍ତି ଆହରଣ ଲାଗି । ଏହ ସଂଜୀବନୀ ଶକ୍ତିର ମୂଳଉତ୍ସ ଲୋକସାହିତ୍ୟ । ଲୋକକାହାଣୀର ଗନ୍ତାଘର ସମୟର ପ୍ରବାହରେ କେବେ ଶୂନ୍ୟ ହୁଏ ନାହିଁ । ଅଧିକନ୍ତୁ ପରିବର୍ଦ୍ଧିତ ପରିବେଶ ଓ ନୂତନ ପରିସ୍ଥିତିରୁ ମଣିଷ ସବୁବେଳେ ନୂତନ ଅଭିଜ୍ଞତା ଲାଭକରେ । ଏଇ ନୂତନ ଅଭିଜ୍ଞତା ଭିତ୍ତି ରଚନା କରେ ନୂତନ କାହାଣୀର । ଲୋକକାହାଣୀ ଲୋକଜୀବନର ନୀରସ ଦୈନନ୍ଦିନ ଜୀବନରେ କାହାଣୀ ନୁହେଁ । ଏହା ଯୁଗ ଯୁଗର ଅଭିଜ୍ଞତା ଓ ଅନୁଭୂତିର ଆଧାର ରୂପରେ କଳ୍ପିତ । ଲୋକକାହାଣୀକୁ ସାଧାରଣତଃ କିଶୋର ସାହିତ୍ୟର ଅନ୍ତର୍ଗତ କରାଗଲେ ହେଁ ଏହା ଅପରିଣତ ମନର ସୃଷ୍ଟି ନୁହେଁ । କଳ୍ପନା ପ୍ରବଣ, ରସପ୍ରାଣ ଚିରନ୍ତନ ମାନବତାର ହୃଦୟାଭିବ୍ୟକ୍ତି ଲୋକକାହାଣୀରେ ଘଟିଥାଏ । ପ୍ରାକ୍‌-ଲିପି ସମାଜରେ ଏହି କାହାଣୀର ଜନ୍ମ । ମାତ୍ର ଲିପିଗତ ସାହିତ୍ୟର ସୁଦୀର୍ଘ ଇତିହାସ କାଳରୁ ଏହା ନାନା ଭାବରେ ଲିପିବଦ୍ଧ କରାହୋଇଛି । ଲୋକକାହାଣୀର ସୁମହାନ ବ୍ୟାପ୍ତି ଓ ସୁନିର୍ଦ୍ଦିଷ୍ଟ ସ୍ଥିତି ବ୍ୟତୀତ ଅତୀତର ସେଇ ପୁରାଣ, ମହାପୁରାଣ, ମହାକାବ୍ୟର କଳ୍ପନା ପର୍ଯ୍ୟନ୍ତ ଅସମ୍ଭବ । ପୁଣି କେତେ କାବ୍ୟ ମହାକାବ୍ୟ ବିସ୍ମୃତି ହୋଇଛି । ଖଣ୍ଡିତ ଆକାରରେ ତା’ର ସ୍ମୃତି ଜୀବିତ ରହିଛି ଏହି ଲୋକକାହାଣୀ ଭିତରେ । ଆପାମର ଜନସାଧାରଣଠାରୁ ନେତା, ସ୍ରଷ୍ଟା, ପ୍ରବୁଦ୍ଧମନ ଓ ବିଦଗ୍‌ଧ ହୃଦୟର ଅଧିକାରୀ ସମସ୍ତେ ଲୋକକାହାଣୀର ଧାରକ ଓ ବାହକ । ପୁରୁଷାନୁକ୍ରମେ ଲୋକକାହାଣୀର ପୁନରାବୃତ୍ତି ଘଟେ । ଘଟେ ପୁନର୍ଜୀବନ ମଧ୍ୟ । ଲୋକଗଳ୍ପର ବୈଶିଷ୍ଟ୍ୟ ହେଉଛି ଆଞ୍ଚଳିକତା ଓ ବିଶ୍ୱଜନୀନତାର ଏକତ୍ର ସହାବସ୍ଥାନ । ଉଭୟର ସମନ୍ୱୟରେ ଏହାର ଆତ୍ମା ଗଠିତ । ଲୋକଗଳ୍ପ ବିଶ୍ୱପର୍ଯ୍ୟଟକ ଓ ସାର୍ବଜନୀନ ମାନବୀୟ ଆଦର୍ଶର ବିଧାୟକ । ସାଂପ୍ରଦାୟିକତା, ଧର୍ମାନ୍ଧତା, ସଂକୀର୍ଣ୍ଣ ଆଞ୍ଚଳିକତା, ଭୌଗଳିକ ପ୍ରକୃତିର ବ୍ୟବଚ୍ଛିନ୍ନତା, ଜାତି ବା ସମାଜ ବିଶେଷର ପ୍ରୌଢ଼ୀ ଏହାକୁ ଛୁଇଁ ମଧ୍ୟ ଛୁଇଁ ନାହିଁ । ଏହା ସୃଜନଶୀଳ ମାନବାତ୍ମାର ସ୍ଥାୟୀ କୀର୍ତ୍ତି ।

 

ଆଧୁନିକ ଓଡ଼ିଆ କଥାସାହିତ୍ୟର ଉନ୍ମେଷ କାଳରୁ ହିଁ ଓଡ଼ିଆ ଲୋକକାହାଣୀର ସଂଗ୍ରହ ଓ ସଂକଳନ ଦିଗରେ ନାନା ଉଦ୍ୟମ କରାହୋଇଅଛି । ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ପାଶ୍ଚାତ୍ୟ ବିଦଗ୍‌ଧ ପଣ୍ଡିତଙ୍କ ପ୍ରେରଣାରେ ଆମ ଦେଶରେ ପ୍ରଥମେ ଲୋକସାହିତ୍ୟ ସଂଗ୍ରହର ପ୍ରୟାସ ହୋଇଥିଲା । ବିଶେଷ ଭାବରେ ଲୋକକାହାଣୀ ଓଡ଼ିଆରେ ମୌଳିକ ଗଦ୍ୟଶୈଳୀର ବିକାଶରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା । ଜନୈକ କରଣ ମହିଳାଙ୍କଦ୍ୱାରା ସଂକଳିତ ଲୋକକାହାଣୀ ‘କଥାଲହରୀ’ର ମୁଖବଂଧରେ ଆଧୁନିକ ବୌଦ୍ଧିକଗଦ୍ୟର ପ୍ରାଣ ପ୍ରତିଷ୍ଠାତା ଭକ୍ତକବି ମଧୁସୂଦନଙ୍କ ଉକ୍ତି ସ୍ମରଣୀୟ । “ବର୍ତ୍ତମାନ ଓଡ଼ିଆରେ ଯେଉଁ ଗଦ୍ୟରଚନା ପ୍ରଣାଳୀ ଦେଖାଯାଏ ତାହା ଆଧୁନିକ ଏବଂ ବୈଦେଶିକ ସାହିତ୍ୟର ପ୍ରଭାବ ଯୋଗୁଁ ଭାଷାଭଙ୍ଗୀ ବା ବାକ୍ୟରଚନା ପ୍ରଣାଳୀ ଲକ୍ଷିତହେବ, ତାହା ରକ୍ଷଣଶୀଳା ନାରୀମାନଙ୍କର ମୁଖନିଃସୃତ ଉତ୍କଳଭାଷାର ସ୍ୱଭାବିକରୀତି । ତାହାର ଅଯତ୍ନ ସୁଲଭ ଅକୃତ୍ରିମ ମୁକ୍ତ ମାଧୁରୀର ମୋହିନୀଶକ୍ତି କେତେକ ପଣ୍ଡିତମନ୍ୟ ଉତ୍କଟ ଋଷିଗ୍ରସ୍ତ ଲୋକଙ୍କ ଛଡ଼ା କିଏ ଅସ୍ୱୀକାର କରିବ ? ଏହି ଭାବରେ ଦେଖିଲେ ଆଧୁନିକ କଥାସାହିତ୍ୟରେ ଭାଷାର ସହଜ ସ୍ଫୂର୍ତ୍ତି ସ୍ୱାଭାବିକ ମାଧୂର୍ଯ୍ୟ ଓ ଜନ ମନୋରଂଜନର ଶକ୍ତି ସବୁ ଯେପରିକି ଲୋକକାହାଣୀର ପରିମଣ୍ଡଳରୁ ଆହୂତ । ଲୋକଜୀବନର ଚିତ୍ର ଅଙ୍କନ କରୁକରୁ ଲୋକଭାଷା, ଲୋକଚରିତ୍ର ଲୋକକାହାଣୀର ନାୟକ ନାୟୀକାଙ୍କର ଭାବଚିତ୍ର ଆଧୁନିକ କଥାସାହିତ୍ୟକୁ ପ୍ରଭାବିତ କରିବା ସ୍ୱାଭାବିକ । ଉତ୍କଳ କାହାଣୀର ସଂକଳୟିତା ଗୋପାଳଚନ୍ଦ୍ର ପ୍ରହରାଜ ନିଜେ ଅବଶ୍ୟ କୌଣସି ଉପନ୍ୟାସ ଲେଖି ନାହାନ୍ତି । କିନ୍ତୁ ଗୋପାଳ ପ୍ରହରାଜଙ୍କ ଲୋକକାହାଣୀ ଓ ଆଧୁନିକ ଓଡ଼ିଆ କଥାସାହିତ୍ୟର ଜନକ ଫକୀରମୋନଙ୍କ ଭାଷାରୀତିରେ ଯେପରିକି ଏକତ୍ମତା ଦେଖାଯାଏ ମନେହୁଏ ପରସ୍ପର ପରସ୍ପରର ପରିପୂରକ ଭାବେ କାର୍ଯ୍ୟ କରିଅଛନ୍ତି । ଲୋକକାହାଣୀରେ ସ୍ୱର୍ଗ ଏଣ୍ଡୁରି ଚାଖିବାକୁ ଚାହିଁଥିବା ସେହି ସ୍ୱଳ୍ପବୁଦ୍ଧି ତନ୍ତୀଟିର ଚିତ୍ର ଯେପରିକି ଫକୀରମୋହନଙ୍କ ‘ଭଗିଆ’ ମଧ୍ୟରେ ଫୁଟିଉଠିଛି । ଗୋପାଳଚନ୍ଦ୍ର ପ୍ରହରାଜଙ୍କ କାହାଣୀଗୁଡ଼ିକ ସଂକଳିତ ହୋଇ ନ ଥିଲେ ନନ୍ଦକିଶୋର, କୁନ୍ତଳାକୁମାରୀ ପ୍ରଭୃତିଙ୍କ ଜନପ୍ରିୟ ଉପନ୍ୟାସଗୁଡ଼ିକ ସୃଷ୍ଟି ହୋଇପାରି ନ ଥାନ୍ତା । ଅବଶ୍ୟ ଲୋକସାହିତ୍ୟରେ ପ୍ରବେଶ ଲୋକସାହିତ୍ୟ ସଂକଳନ ମାଧ୍ୟମରେ ଯେ କେବଳ ଘଟେ ତାହା ନୁହେଁ; ଶୈଶବରୁ ହିଁ ଲୋକସାହିତ୍ୟର ରସଧାରାରେ ହିଁ ସୃଷ୍ଟିଶୀଳ ମନ ଗଢ଼ିଉଠେ । ଏହି ଭାବରେ ଅଧୁନାତନ ଯେକୌଣସି ସାର୍ଥକ କଥାସାହିତ୍ୟରେ ଲୋକସାହିତ୍ୟର ପ୍ରଭାବ ଓ ପରିଣତି ଦେଖାଯାଇପାରେ । ଲୋକକାହାଣୀର ସଂଗ୍ରାହକ ଗୋପାଳ ପ୍ରହରାଜଙ୍କ ଭାଷାରେ “ଦେଶୀୟ ସାହିତ୍ୟର ଉନ୍ନତି କରିବାକୁ ହେଲେ ପୁରାତନ ଓ ଅଧୁନାତନ ଆଚାର ବ୍ୟବହାର, ନୀତି, କଳ୍ପନାଶକ୍ତିର ପରାକ୍ରମ ଜ୍ଞାତ ହେବା ସର୍ବୋତଭାବେ ଶ୍ରେୟସ୍କର” । ଲୋକସାହିତ୍ୟର ଶବ୍ଦଭଣ୍ଡାର ପ୍ରତି ସେ ଲକ୍ଷ୍ୟକରି କହିଛନ୍ତି–“ଯେତେ ଅପଭ୍ରଷ୍ଟ ଓ ଘରୋଇ ଶବ୍ଦ ଲିପିବଦ୍ଧ ହୋଇରହେ ସାହିତ୍ୟ ଓ ଭାଷା ବିଜ୍ଞାନରେ ସେତିକି ମଙ୍ଗଳ” । “ଘରୋଇ ଭାଷା ଓ ଶବ୍ଦ ବ୍ୟବହାର କରିବା ପ୍ରଥମେ ଯେତେ ସହଜ ଓ ହେୟ ମନେହୁଏ ପ୍ରକୃତରେ ତାହା ସେତେ ସହଜ ନୁହେଁ ।” ଲୋକକଥାର ପ୍ରଭାବରେ ଆଧୁନିକ କଥାସାହିତ୍ୟିକମାନେ ଏହି କଠିନ କାର୍ଯ୍ୟରେ ସଫଳ ହୋଇଅଛନ୍ତି ।

 

ଲୋକକଥା ଗଳ୍ପକଥନର ମୌଳିକ ପରଂପରାର ଧାରକ । ପୁଣି ଗଳ୍ପର ରସ ଉପଭୋଗ ପାଇଁ ଏହା ଆମ ମନକୁ ତିଆରିକରେ । ଶୈଶବରେ ଯାହାର ମନ ଲୋକକାହାଣୀ ପାଇଁ ବ୍ୟାକୁଳତା ଅନୁଭବ କରିଥାଏ, ପରିଣତ ବୟସରେ ସେଇ ପାଠକର ହୃଦୟରେ ମହତ୍‌ କଥାସାହିତ୍ୟରେ ପ୍ରବେଶ ଲାଗି ବ୍ୟାକୁଳତା ପ୍ରକାଶ ପାଇବା ସ୍ୱାଭାବିକ । ଲୋକ ଗଳ୍ପରେ କଥାକାର ସେଇ ଚିରାଚରିତ ଉକ୍ତି–“ସୁଖ କହିବି କି ଦୁଃଖ କହିବି ନା ଯାହା ଅଙ୍ଗେ ନିଭାଇଛି ତାହା କହିବି” ଏବେ ବି କଥାରଚନା ଓ କଥାର ଉପଭୋଗ ପାଇଁ ପରିବେଶ ଯୋଗାଇପାରେ । କଥାଟିଏ କହୁଁ–ଏଇ ଉକ୍ତିଟି ଭିତରେ ସତେ ଯେପରିକି କଥା ରଚନା ପାଇଁ ଆଧୁନିକ ଲେଖକମାନେ ବି ପ୍ରେରଣାଲାଭ କରିପାରନ୍ତି ।

 

ଲୋକକଥାର ପ୍ରଭାବ ସୁଦୂରପ୍ରସାରୀ । ତଥାପି ଆଧୁନିକ କଥାସାହିତ୍ୟର ଧର୍ମ ସ୍ୱତନ୍ତ୍ର-। ଅନନ୍ତକାଳ ସ୍ରୋତରେ ଅଖଣ୍ଡ ଅବସରରେ ଅବାରିତ କଳ୍ପନାର ସୃଷ୍ଟି ହେଉଚି ଲୌକିକ କଥାସାହିତ୍ୟ । ମାତ୍ର ଆଧୁନିକ କଥା ସାହିତ୍ୟ ଆଧୁନିକ ମନର ଖଣ୍ଡିତ ଭାବ ଚେତନାରୁ ସୃଷ୍ଟି ନିର୍ଦ୍ଦିଷ୍ଟ କାଳରେଖା, ସୁନିର୍ଦ୍ଦିଷ୍ଟ ଦେଶଭାଗ, ପରିମିତ କଳ୍ପନାଶକ୍ତି ଓ ପରିଣତ କଳାବୋଧ ଘେନି ଆଧୁନିକ କଥାସାହିତ୍ୟର ସୃଷ୍ଟି । ଆଧୁନିକ ଶିକ୍ଷାର ବାହନ ସାମୟିକ ପତ୍ରିକା ଓ ସମ୍ବାଦପତ୍ର ମଧ୍ୟ ଏହାର ଅନ୍ୟତମ ଉତ୍ସ । ଆଜି ରାଜା ନାହାନ୍ତି । ନାହାନ୍ତି ତାଙ୍କର ଚାଟୁକାର ଭାଟ । ରାଜା, ମନ୍ତ୍ରୀ, ସାଧବ ଓ କଟୁଆଳ ପୁଅମାନେ ଚାରି ସଙ୍ଗାତ ବସୁନାହାନ୍ତି । ତଥାପି ଏକ ଦିଗରେ ରହିଛି କ୍ଷମତାର ଉତ୍ସ ଓ ଅନ୍ୟ ଦିଗରେ ରହିଛି ପ୍ରକୃତ କ୍ଷମତାର ଠୁଳୀଭୂତ ପ୍ରକାଶ । ଏହି ଉଭୟ ଯୋଗସୂତ୍ର ସ୍ଥାପନପାଇଁ ଆଜି ଗଢ଼ିଉଠିଛି ଗଣସଂଚାର ମାଧ୍ୟମ । ସମ୍ବାଦପତ୍ର ହିଁ ଏହି ମାଧ୍ୟମର ଶ୍ରେଷ୍ଠ ପ୍ରତିନିଧି । ଊନବିଂଶ ଶତକରେ ହିଁ କଥା ସାହିତ୍ୟର ଅଗ୍ରଜ ଭାବରେ ଓଡ଼ିଆ ସମ୍ବାଦପତ୍ର ଓ ସାମୟିକ ପତ୍ର ଆତ୍ମପ୍ରକାଶ କରିଥିଲା । ସତେ ଯେପରିକି ଏଇ ସାମୟିକ ପତ୍ରିକା ପୃଷ୍ଠାରୁ ଉପଯୁକ୍ତ ମୃତ୍ତିକାର ରସ ଓ ପରିମଣ୍ଡଳର ଉତ୍ତାପ ଲାଭକରି କଥାସାହିତ୍ୟର ଅଙ୍କୁରୋଦ୍‌ଗମ ଘଟିଥିଲା । ଆଧୁନିକ କଥାସାହିତ୍ୟର ବଳିଷ୍ଠଉତ୍ସ ସମ୍ବାଦ ଓ ସାମୟିକ ପତ୍ର ।

 

ll ୫ ll

 

ଊନବିଂଶ ଶତକ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଅନ୍ଧକାରମୟ ଯୁଗ । ସାତ ସମୁଦ୍ର ତେର ନଈ ସେପାରିରୁ ଆସିଥିଲେ ବଣିକ ଇଂରେଜ । ୧୮୦୩ରେ ସେମାନେ ହେଲେ ଓଡ଼ିଶାର ଶାସକ । ଏହି ପରାଧୀନତାର ଯୁଗରେ ଆର୍ଥିକ ଓ ବାଣିଜ୍ୟିକ କ୍ଷେତ୍ରରେ ଅଧୋଗତିର ଚରମ ସୀମାରେ ଓଡ଼ିଶାର ଜନସାଧାରଣ ଉପନୀତ ହୋଇଥିଲେ । ଊନବିଂଶ ଶତାବ୍ଦୀର ଓଡ଼ିଶା ଏକ ଭୌଗୋଳିକ ନାମ ବିଶେଷ ମାତ୍ର ଥିଲା । ଏହାର ରାଜନୈତିକ ସଂହତି, ସାଂସ୍କୃତିକ ଉନ୍ନତି ଥିଲା ସୁଦୂର ପରାହତ । ଇଂରେଜ ଶାସନର ପ୍ରଥମ କେତେବର୍ଷ ଓଡ଼ିଶା ପ୍ରାୟ ଲୋକସ୍ମୃତିରୁ ବିସ୍ମୃତ ହୋଇ ରହିଥିଲା । ଇଂରେଜ ଶାସନ ପ୍ରତିଷ୍ଠାର ପ୍ରାୟ ଗୋଟିଏ ପୁରୁଷ ପରେ ୧୮୩୬ ଖ୍ରୀଷ୍ଟାବ୍ଦରେ କଟକ, ପୁରୀ ଓ ବାଲେଶ୍ୱରକୁ କେନ୍ଦ୍ରକରି ଶିକ୍ଷା ବ୍ୟବସ୍ଥାର ସାମାନ୍ୟ ପ୍ରୟାସ ହୋଇଥିଲା । କାରଣ ଇଂରେଜ ଶାସନ କର୍ତ୍ତାମାନେ ପାଇକ ବିଦ୍ରୋହ ପାଇଁ, ଜନସାଧାରଣର ହିତ ପାଇଁ ସମୟ ପାଇ ନଥିଲେ । ୧୮୫୭ରେ ଘଟିଲା ସାରା ଭାରତ ବ୍ୟାପୀ ସିପାହୀ ବିଦ୍ରୋହ ଏହାର ଫଳସ୍ୱରୂପ ଇଷ୍ଟ-ଇଣ୍ଡିଆ-କମ୍ପାନୀ ଶାସନର ଅବସାନ ଘଟିଲା । ଭାରତ ପ୍ରତ୍ୟକ୍ଷ ଭାବରେ ମହାରାଣୀ ଭିକ୍ଟୋରିଆଙ୍କ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେଲା । ଦିଲ୍ଲୀରେ ବିଦ୍ରୋହୀ ସିପାହୀ ସେନାର ପରାଜୟ ସଙ୍ଗେ ସଙ୍ଗେ ଭାରତୀୟମାନଙ୍କୁ ଶାସନର ଅନୁଗତକରି ରଖିବା ପାଇଁ ଓ ଆଧୁନିକ ଜ୍ଞାନ ବିଜ୍ଞାନ ସହିତ ପରିଚିତ ହେବାର ସୁଯୋଗ ଦେବାପାଇଁ ଗଢ଼ିଉଠିଲା କଲିକତା, ଦିଲ୍ଲୀ, ବମ୍ବେ ବିଶ୍ୱବିଦ୍ୟାଳୟ ମାନ । ଏହି ଯୁଗରେ ଭାରତର ରାଜଧାନୀ ଥିଲା କଲିକତା ମହାନଗରୀ । ଏଇ ବଙ୍ଗପ୍ରଦେଶର ଏକ ଡିଭିଜନ ଥିଲା ଓଡ଼ିଶାର ଏକାଂଶ କଟକ, ପୁରୀ, ବାଲେଶ୍ୱର ଏହି ତିନୋଟି ଜିଲ୍ଲା । ରାଜନୈତିକ ବ୍ୟବଚ୍ଛିନ୍ନତା ଏପରି ଦୃଢ଼ଥିଲା ଯେ ସମଗ୍ର ଓଡ଼ିଶାର ପ୍ରାକୃତିକ ଭୂଖଣ୍ଡକୁ ଏକ ଶାସନାଧୀନ କରିବାର ସ୍ୱପ୍ନ ସୁଦ୍ଧା କେହି ଦେଖି ନଥିଲେ । ସାନବଡ଼ ୨୬ଟି ଦେଶୀୟ ରାଜ୍ୟ ଏହି ବ୍ୟବଚ୍ଛିନ୍ନତାର ଥିଲା ଅନ୍ୟ ଏକଦିଗ । ନାନା ଜାତି, ଉପଜାତି, ଶାସନଗତ ବିଭାଜନ ମଧ୍ୟରେ ଏକ ଉତ୍କଳୀୟଭାବ ଜାଗ୍ରତ କରିବାର ଏକମାତ୍ର ମାଧ୍ୟମ ଥିଲା ସମ୍ବାଦପତ୍ର ଏହି ସମ୍ବାଦପତ୍ର ମାଧ୍ୟମରେ ଓଡ଼ିଶାର ସାମାଜିକ, ଆର୍ଥିକ, ଧାର୍ମିକ ଓ ସାଂସ୍କୃତିକ ଜୀବନର ଭାବମୂର୍ତ୍ତି ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ବିକଶିତ ହୋଇଉଠିଥିଲା । ଜାତୀୟ ଜୀବନର ଆତ୍ମପ୍ରକାଶର ଏହି ଶୀର୍ଷଶିଖରରୁ ହିଁ ଏକୀଭୂତ ଓଡ଼ିଶାର କଳ୍ପନା ଜନ୍ମ ଲାଭ କରିଥିଲା । ମାତ୍ର ଏହାର ଆଦ୍ୟ ଉନ୍ମେଷ ଘଟିଥିଲା ସଂବାଦପତ୍ରର ପୃଷ୍ଠାରେ ।

 

ଆଧୁନିକ ଅର୍ଥରେ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ପ୍ରବୋଧ ଚନ୍ଦ୍ରିକା’ ଜଣେ ୟୁରୋପୀୟଙ୍କ କୀର୍ତ୍ତି । ଲେସୀସାହେବ ଥିଲେ ଏହାର ସଂପାଦକ ଓ ଶ୍ରୀଯୁକ୍ତ ଡବ୍‌ଲୁ ବ୍ରୁକ୍‌ସ ସାହେବଙ୍କଦ୍ୱାରା କଟକ ନଗରର ଯନ୍ତ୍ରାଳୟରେ ୧୮୫୬ ଜାନୁଆରୀରେ ପ୍ରଥମ ସଂଖ୍ୟା ମୁଦ୍ରିତ ହୋଇଥିଲା । ପାଠକମାନଙ୍କ ପ୍ରତି ପ୍ରଥମପତ୍ର ଶୀର୍ଷକ ସଂପାଦକୀୟରେ ସେ କାଳର ଓଡ଼ିଶାର ଆଶା ଆକାଂକ୍ଷାକୁ ପ୍ରକାଶ କରିଥିଲେ । ଉଭୟ ଗଳ୍ପକଥନଦ୍ୱାରା ଆନନ୍ଦପ୍ରଦାନ ଓ ଆବଶ୍ୟକ ଶ୍ରେୟଦାୟକ ଜ୍ଞାନ ପ୍ରଚାରଦ୍ୱାରା ଜନମତ ଗଠନ ଏହି ପତ୍ରିକାର ଉଦ୍ଦେଶ୍ୟ ଥିଲା । କୌଣସି ବିଶେଷ ଧର୍ମର ପ୍ରଚାର ଏହାର ଅଭିପ୍ରାୟ ନୁହେଁ ବୋଲି ସଂପାଦକ ନିଜର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ସିପାହୀ ବିଦ୍ରୋହର କିଛି କିଛି ସମ୍ବାଦ ଏହି ବିଦ୍ରୋହରେ ଇଂରେଜମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିବା ରାଜା ଜମିଦାରମାନଙ୍କ ବିଷୟ ବର୍ଣ୍ଣନା ସଙ୍ଗେ ସଙ୍ଗେ ଓଡ଼ିଶାରେ ସିପାହୀ ବିଦ୍ରୋହର ଅନ୍ୟତମ ନେତା ସୁନ୍ଦରସା (ସୁରେନ୍ଦ୍ର ସାଏ)ଙ୍କ ସମ୍ବାଦ ମଧ୍ୟ ଏଥିରେ ପରିବେଶିତ ହୋଇଛି । ଧନୀମାନଙ୍କୁ ଜଳ କୀର୍ତ୍ତି ଆଦି ସଂପାଦନ ପାଇଁ ଉତ୍ସାହ ଦେବା ସଙ୍ଗେ ସଙ୍ଗେ ସରକାରଙ୍କୁ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ସଂପାଦକ ଆହ୍ୱାନ ଦେଇଛନ୍ତି । ପତ୍ରିକାର ମୁଖ୍ୟ ସମ୍ବାଦଗୁଡ଼ିକ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ଜଣେ ଲବଣ ରପ୍ତାନୀ ପୁରୀ, କଟକ, ବାଲେଶ୍ୱର ଜିଲ୍ଲାର ନଈବଢ଼ି ଆଦି ବିଷୟ ମଧ୍ୟ ସ୍ଥାନ ପାଇଅଛି । ‘ପ୍ରବୋଧ ଚନ୍ଦ୍ରିକା’ ଓ ‘ଉତ୍କଳ ଦୀପିକା’ ପ୍ରକାଶ ମଧ୍ୟରେ ଦଶ ବର୍ଷ ଅତିବାହିତ ହୋଇଥିଲା (୪ ଅଗଷ୍ଟ ୧୮୬୬)ରେ କଟକରୁ ପ୍ରଥମେ ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା । ଉତ୍କଳୀୟ ଆଶା ଆକାଂକ୍ଷାର ଭାବମୂର୍ତ୍ତି ଅକପଟ ଭାବେ ଉତ୍କଳ ଦୀପିକାରେ ହିଁ ପ୍ରଥମେ ଆତ୍ମପ୍ରକାଶ କରିଥିଲା । ୧୮୬୬ରେ ସେଇ ନଅଙ୍କ ଦୁର୍ଭିକ୍ଷର ପଦଧ୍ୱନି, ଅନାହାରକ୍ଳିଷ୍ଟ ମୁମୂର୍ଷୁ ଜନତାର ଆର୍ତ୍ତନାଦ ପ୍ରକାଶ ସଙ୍ଗେ ସଙ୍ଗେ ଏଇ ପ୍ରଳୟଙ୍କରୀ ଦୁର୍ଭିକ୍ଷ ପରବର୍ତ୍ତୀ ବିକଳାଙ୍ଗ ସମାଜର ପୁନର୍ଗଠନ ଲାଗି ଉତ୍କଳ ଦୀପିକା ଆହ୍ୱାନ ହେଇଥିଲା ।

 

“କେଉଁ ସ୍ଥାନରେ କି ଆଶ୍ଚର୍ଯ୍ୟ କର୍ମ ହେଉଅଛି, ତାହା ଶ୍ରବଣରେ ଓ ସୁଗଳ୍ପ ପାଠରେ ସମସ୍ତଙ୍କ ଅନ୍ତଃକରଣ କ୍ଷଣକାଳୀନ ହସ ଓ ଆହ୍ଲାଦ ଜନ୍ମାଇବା” ଏଇ ରୀତି ପ୍ରବୋଧ ଚନ୍ଦ୍ରିକା ପରି ଉତ୍କଳ ଦୀପିକା ମଧ୍ୟ ଅକ୍ଷୂର୍ଣ୍ଣ ରଖିଥିଲା । ଏହାର ସାପ୍ତାହିକୀ ସମ୍ବାଦ ପୃଷ୍ଠାରେ ନରମାଂସ ଭକ୍ଷଣକାରୀ ଗୁଡ଼ିଆଣୀର କାହାଣୀ ଅଥବା କଟକ ଛୋଟ ଅଦାଲତର ଓକିଲ ରଘୁନାଥ ଦାସଙ୍କର ପୁଅ ମଧୁସୂଦନ ଦାସଙ୍କ ସରକାରୀ କଚେରୀରୁ ଟଙ୍କାଚୋରି ଓ କଲିକତା ପଳାଇ ଖ୍ରୀଷ୍ଟଧର୍ମ ଗ୍ରହଣ ଓ ଖ୍ରୀଷ୍ଟିଆନ ସ୍ତ୍ରୀର ପାଣିଗ୍ରହଣ ପ୍ରସଙ୍ଗରେ ଦୀପିକାର ବିଦ୍ରୂପାତ୍ମକ ସମ୍ବାଦ ପରିବେଷଣ ବେଶ୍‌ ଉପଭୋଗ୍ୟ । ଓଡ଼ିଆମାନେ ସ୍ୱଭାବତଃ ନିର୍ବୋଧ କି ? ଏହି ପ୍ରବାଦ ବାକ୍ୟ ଯଥାର୍ଥ କି ନା ଦୀର୍ଘ ସଂପାଦକୀୟରେ ଇଂରେଜ ଏବଂ ବଂଗୀୟମାନଙ୍କ ତୁଳନାରେ ଓଡ଼ିଆମାନଙ୍କର ଅଧୋଗତିର କାରଣ ଦର୍ଶାଇ ଦିଆଯାଇଛି । ୧୮୬୭ ମସିହା ଜାନୁଆରୀ ମାସରେ ପ୍ରକାଶିତ ‘ଉତ୍କଳ ଦୀପିକା’ର ସଂପାଦକୀୟରେ ବିଗତ ବର୍ଷର ପର୍ଯ୍ୟାଲୋଚନା ବିଶେଷ ଉଲ୍ଲେଖଯୋଗ୍ୟ । ଦୀପିକା ମତରେ–୧୮୬୬ ଓଡ଼ିଶାର ଇତିହାସରେ ଏକ ପ୍ରଧାନ ବର୍ଷ । ଏହା କେବଳ ଦୁର୍ଭିକ୍ଷ ପାଇଁ ସ୍ମରଣୀୟ ନୁହେଁ, ସ୍ମରଣୀୟ ଦୁର୍ଭିକ୍ଷ ନିବାରଣ ପାଇଁ ଉପାୟ ଉଦ୍ଭାବନ ଉଦ୍ଦେଶ୍ୟରେ ଇରିଗେସନ କମ୍ପାନୀ ଗଠନ, ଶିକ୍ଷା କାର୍ଯ୍ୟର ତତ୍ତ୍ୱାବଧାନ ନିମନ୍ତେ ଉତ୍କଳୀୟମାନଙ୍କ ନିଯୁକ୍ତି, ଓଡ଼ିଶାର ସାମାଜିକ ଉନ୍ନତିରେ ମୁଦ୍ରାଯନ୍ତ୍ରର ଦାନ, ପ୍ରଥମ ଓଡ଼ିଆ ପଞ୍ଜିକା ପ୍ରକାଶନ, ସର୍ବପ୍ରଥମ ପ୍ରାଚୀନ ଓଡ଼ିଆ କାବ୍ୟ ‘ପ୍ରେମ ସୁଧାନିଧି’ର ପୁସ୍ତକାକାରରେ ପ୍ରକାଶନ ଓ ପରିଶେଷରେ ‘ଉତ୍କଳ ଦୀପିକା’ର ପ୍ରକାଶ ନିମନ୍ତେ ଏହି ବର୍ଷଟି ସ୍ମରଣୀୟ ।

 

ଊନବିଂଶ ଶତାବ୍ଦୀର ଶେଷ ପାଦରେ ପତ୍ରିକା ପ୍ରକାଶ ପାଇଁ ସମଗ୍ର ଓଡ଼ିଶାର ନଗରଗୁଡ଼ିକରେ ଯେପରିକି ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଥିଲା । ଊନବିଂଶ ଶତାବ୍ଦୀ ଶେଷ ସୁଦ୍ଧା ମୁଦ୍ରାଯନ୍ତ୍ର ସ୍ଥାପନ ଓ ପତ୍ରିକା ପ୍ରଚାର କେବଳ କଟକ, ବାଲେଶ୍ୱର ମଧ୍ୟରେ ସୀମାବଦ୍ଧ ନ ରହି ବିଭିନ୍ନ ଗଡ଼ଜାତର ରାଜଧାନୀମାନଙ୍କୁ ମଧ୍ୟ ପ୍ରସାରିତ ହୋଇଥିଲା ଓ ପ୍ରାୟ ଅର୍ଦ୍ଧଶତାଧିକ ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦ ଓ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇଥିଲା । ଧର୍ମପ୍ରଚାର, ଶିକ୍ଷା ବିସ୍ତାର, ସମାଜ ସଂସ୍କାର, ଜନସ୍ୱାସ୍ଥ୍ୟ ଓ ବ୍ୟବସାୟ ପ୍ରସାର ଉଦ୍ଦେଶ୍ୟରେ ବିଭିନ୍ନ ପତ୍ରପତ୍ରିକା ପ୍ରକାଶିତ ହୋଇଥିଲା । ଏହି ପତ୍ରିକାଗୁଡ଼ିକ ମାଧ୍ୟମରେ ସୁଦୂର ୟୁରୋପର ଆଧୁନିକତମ ଚିନ୍ତା ଜନସାଧାରଣଙ୍କ ନିକଟରେ ପରିବେଷିତ ହୋଇପାରିଥିଲା । ଦେଶପ୍ରେମ ଓ ୟୁରୋପୀୟ ସାମ୍ୟବାଦୀ ଆଦର୍ଶର ପ୍ରଚାରପାଇଁ ମଧ୍ୟ ସ୍ୱତନ୍ତ୍ର ପତ୍ରିକାମାନ ପ୍ରଚାର ଲାଭକରିଥିଲା । ଏଇସବୁ ପତ୍ରିକାର ରଙ୍ଗମଞ୍ଚରେ ଉଚ୍ଚ ଓ ନୀଚ ସବୁ ସ୍ତରର ବ୍ୟକ୍ତିମାନେ ସ୍ଥାନ ପାଉଥିଲେ । ଉଚ୍ଚ କ୍ଷମତାରେ ଥିବା ଇଂରେଜ ଓ ଦେଶୀୟ ରାଜପୁରୁଷଙ୍କ ସୁକାର୍ଯ୍ୟର ପ୍ରଶଂସା ଓ କୁକାର୍ଯ୍ୟର ନିନ୍ଦା କରିବାକୁ ଏଇ ପତ୍ରିକାଗୁଡ଼ିକ ପଶ୍ଚାଦ୍‌ପଦ ହେଉ ନ ଥିଲେ । ପୁଣି ଏଇ ନିର୍ଭୀକ ସାମ୍ବାଦିକତା କ୍ଷେତ୍ରରେ ଉଦାର ହୃଦୟ ୟୁରୋପୀୟମାନେ ମଧ୍ୟ ପୂର୍ଣ୍ଣପ୍ରାଣରେ ସହଯୋଗ କରିବାକୁ ଓ ପ୍ରୟୋଜନ ହେଲେ ଦୁଃଖଭୋଗ କରିବାକୁ ମଧ୍ୟ ଆଗଭର ହେଉଥିଲେ । ଦୃଷ୍ଟାନ୍ତ ସ୍ୱରୂପ କଟକ ଷ୍ଟାଣ୍ଡାର୍ଡ଼ ନାମକ ସମ୍ବାଦପତ୍ରର ସଂପାଦକ ଲଏରି ସାହେବଙ୍କ ବିରୁଦ୍ଧରେ ଜଣେ ଇଂରେଜ ଶାସକ ଅର୍ଦେଷ୍ଟ ସାହେବଙ୍କ ମାନହାନି ମକଦ୍ଦମା । ଏଥିରେ ଫିରିଙ୍ଗି ସାହେବଙ୍କ ମଦ୍ୟପାନ ଓ ଦେଶୀୟ ନିମନ୍ତ୍ରିତ ଭଦ୍ରବ୍ୟକ୍ତିଙ୍କ ପ୍ରତି ଅପମାନର ବିରୋଧ କରାଯାଇଥିଲା ।

 

ସମକାଳୀନ ଉତ୍କଳୀୟ ଜନଜୀବନର ସାମଗ୍ରୀକ ଚିତ୍ର ଏଇ ସଂବାଦ ପତ୍ରଗୁଡ଼ିକ ପ୍ରକାଶ କରିଥିଲେ । ୧୮୭୦ ଖ୍ରୀଷ୍ଟାବ୍ଦରେ ଜଳପଥରେ କଲିକତା ସହିତ କଟକର ପ୍ରଥମ ଯୋଗାଯୋଗ ସ୍ଥାପିତ ହୋଇଥିଲା ଓ ଏଥିପାଇଁ ସମୟ ଲାଗୁଥିଲା ଦଶ ଦିନ । କଟକରୁ ପୁରୀ ମଧ୍ୟରେ ଘୋଡ଼ାଗାଡ଼ି ସାହାଯ୍ୟରେ ଯାତ୍ରୀ ଆଦାନପ୍ରଦାନର ବ୍ୟବସ୍ଥା କରାହୋଇଥିଲା । ଏହି ଊନବିଂଶ ଶତାବ୍ଦୀରେ ହିଁ ଡାକ ବିଭାଗ ଜରିଆରେ ମୋଗଲବନ୍ଦ ଅଞ୍ଚଳ ସହ ଗଡ଼ଜାତ ଅଞ୍ଚଳର ଯୋଗାଯୋଗ ପ୍ରତିଷ୍ଠିତ ହୋଇଥିଲା । ଡାକବିଭାଗ, ଶିକ୍ଷାବିଭାଗ ଓ ସମ୍ବାଦପତ୍ର ପରସ୍ପରର ପରିପୂରକ ଭାବରେ ସାର୍ବଜନୀନ ଯୋଗାଯୋଗ ରକ୍ଷା ନିମନ୍ତେ ପ୍ରୟାସ କରିଥିଲେ । ଜନମତ ଗଠନ ପାଇଁ ଏହି ଯୁଗରେ ବହୁ ସାଧାରଣ ସଂସ୍ଥା ଗଢ଼ିଉଠିଥିଲା । କଟକରେ ସ୍ଥାପିତ ଉତ୍କଳ ଉଲ୍ଲାସିନୀ ସଭା (୧୮୬୯) ଏହାର ପ୍ରଥମ ଦୃଷ୍ଟାନ୍ତ ସ୍ଥାପନ କରିଥିଲା । ଏହାର ଦୃଷ୍ଟାନ୍ତରେ ଉତ୍କଳ ସଭା (୧୮୭୮), ସୁହୃଦ ସମାଜ (୧୮୭୮), ଉତ୍କଳ ଭାଷୋଦ୍ଦିପନୀ ସଭା (୧୮୬୭) ଆଦି ବହୁ ସମାଜ ଗଢ଼ିଉଠିଥିଲା । ଏହି ସଭାମାନଙ୍କରେ ନାନା ବିରୁଦ୍ଧମତ ଓ ତା’ର ସମାଧାନ ପାଇଁ ଯୁକ୍ତି ଉପସ୍ଥାପିତ ହେଉଥିଲା । ପତ୍ରିକାମାନଙ୍କରେ ଏହାର ବିବରଣୀ ପ୍ରକାଶ ମଧ୍ୟରେ ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିତ୍ୱ ସମଗ୍ର ସମାଜରେ ପ୍ରତିଫଳନର କ୍ଷେତ୍ର ସୃଷ୍ଟି ହୋଇଥିଲା । ଦେଶହିତ, ସମାଜ ସଂସ୍କାର ଭାଷା ଓ ସାହିତ୍ୟର ଉନ୍ନତି, ଶିକ୍ଷା ବିସ୍ତାର ମୂଳରେ ଏହି ସଂଗଠନଗୁଡ଼ିକର ଦୃଢ଼ ଭୂମିକା ଥିଲା ।

 

କି ଗଳ୍ପ ସଂରଚନା, କି ଚରିତ୍ରାୟଣ ସବୁ ଦିଗରେ ସମ୍ବାଦପତ୍ର ଗୁଡ଼ିକ ପଥିକୃତ୍‌ ଥିଲେ । ଆଇନ୍‌ ଅଦାଲତର ମୋକଦ୍ଦମାର ବିବରଣୀ ନାନା ଦେଶୀୟ ରାଜ୍ୟରେ ପ୍ରଜାମେଳି ଓ ବିରୋଧ, ଭୂତ ପ୍ରେତ ଘେନି ଜନରବ, ଡକାୟତି ଓ ରାହାଜାନୀ, ଯାନିଯାତ୍ରାର ବିବରଣୀ, ବାବାଜୀ ଓ ଧର୍ମ ପ୍ରଚାର ବିବରଣୀ ଆଦି ମଧ୍ୟରେ ଗଳ୍ପର ବହୁ ଉପାଦାନ ବହୁ ପରିମାଣରେ ଥିଲା । ରାଜ ପୁରୁଷମାନଙ୍କର ଆଗମନ ଓ ବିଦାୟ ବିଶିଷ୍ଟ ବ୍ୟକ୍ତିମାନଙ୍କର ଉଚ୍ଚପଦ ପ୍ରାପ୍ତି, ଅଥବା ବିୟୋଗ କାଳରେ ଶୋକ ବଚନ ମଧ୍ୟରେ ଚରିତ୍ରାୟଣର ପ୍ରୟାସ ସୁସ୍ପଷ୍ଟ । ଦୃଷ୍ଟାନ୍ତ ସ୍ୱରୂପ, ଉତ୍କଳ ଦୀପିକାରୁ ପୁରୀ ଠାକୁରରାଜାଙ୍କ ନରହତ୍ୟା ମକଦ୍ଦମା, କେନ୍ଦୁଝର ପ୍ରଜା ମେଳି ଓଡ଼ିଶାରେ ରେଳବିସ୍ତାର, ଦରବାରରେ ଚର୍ମପାଦୁକା ବ୍ୟବହାର ଆଦି ବହୁ ବିଷୟରେ ସପକ୍ଷ ଓ ବିପକ୍ଷରେ ବହୁ ଯୁକ୍ତି, ଘଟଣାର ବିବରଣୀ ଉପନ୍ୟାସକୁ ବିଶେଷ ଭାବରେ ଉପାଦାନ ଯୋଗାଇଥିଲା । ନାନା ବିଚିତ୍ର ସମ୍ବାଦକୁ ଗୋଟିଏ ତାରିଖର ପରିଧିର ଅନ୍ତର୍ଭୁକ୍ତ କରିବାଦ୍ୱାରା ବୈଚିତ୍ର୍ୟ ମଧ୍ୟରେ ଐକ୍ୟ ଆନୟନ ନୀତିର ଚରିତାର୍ଥତା ସମ୍ବାଦପତ୍ର ହିଁ ପ୍ରଥମେ ଘୋଷଣା କରିଥିଲା । ବସ୍ତୁତଃ ପ୍ରତ୍ୟେକ ଉପନ୍ୟାସର ହିଁ ଘଟଣା, ଦିଗ୍‌ଦୃଶ୍ୟ ବର୍ଣ୍ଣନା ମତବାଦର ଅବତାରଣାର ବୈଚିତ୍ର୍ୟ ମଧ୍ୟରେ ସ୍ଥାନ ଓ କାଳର ନିର୍ଦ୍ଦିଷ୍ଟ ପରିଧିରେ କାହାଣୀର ସଂହତି ଓ ଐକ୍ୟ ଆନୟନର ପ୍ରୟାସ ଦେଖିବାକୁ ମିଳେ । ସମ୍ବାଦପତ୍ରର ଦର୍ପଣରେ ସମାଜର ବହିରଙ୍ଗ ତଥା ଅନ୍ତରଙ୍ଗ ଭାବାବେଶର ଚିତ୍ର ପ୍ରଥମରେ ହିଁ ପ୍ରତିଫଳିତ ହୋଇଥାଏ । ଊନବିଂଶ ଶତାବ୍ଦୀର ଓଡ଼ିଆ ସମ୍ବାଦପତ୍ରର ଜଗତ ଏହାର ବ୍ୟତିକ୍ରମ ନ ଥିଲା । ନବଜାଗ୍ରୁତି ଉତ୍କଳ ଆଧୁନିକ ଯୁଗରେ ପ୍ରବେଶ ପାଇଁ ଯେଉଁ ଆଶା ବା ଅକାଂକ୍ଷା ପୋଷଣ କରୁଥିଲା, ପ୍ରାଚୀନ ପ୍ରଥା ଓ ପରଂପରାର ବଂଧନରୁ ମୁକ୍ତ ହେବାର ପ୍ରୟାସରେ ଯେଉଁ ଅନ୍ତର୍ଗୂଢ଼ ବ୍ୟଥା ଅନୁଭବ କରୁଥିଲା ସମ୍ବାଦପତ୍ର ପୃଷ୍ଠାରେ ତା’ର ପ୍ରଥମ ପ୍ରକାଶ ଦେଖିବାକୁ ମିଳୁଥିଲା । ସମକାଳର ଓ ସ୍ୱକାଳର ହୋଇ ସମ୍ବାଦପତ୍ରରେ ପ୍ରକାଶିତ ଉପାଦାନଗୁଡ଼ିକୁ ନିଜ ରଚନାରେ ସ୍ଥାନ ଦେଇ ଔପନ୍ୟାସିକମାନେ ଚିରକାଳର ସଂପଦରେ ପରିଣତ କରିଥିଲେ ।

Image

 

Unknown

ଦ୍ୱିତୀୟ ଅଧ୍ୟାୟ

ଊନବିଂଶ ଶତାବ୍ଦୀର ଓଡ଼ିଆ କଥା ସାହିତ୍ୟ

 

ସମାଜ ଜୀବନରେ ପରିବର୍ତ୍ତନ ଦୁଇ ଭାବରେ ଆସେ । ଗୋଟିଏ ଭାବଗତ, ଅନ୍ୟଟି ବସ୍ତୁଗତ । ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କୃତି ସହିତ କ୍ରମଶଃ ପରିଚୟ ଭାବଗତ ପରିବର୍ତ୍ତନରେ ମୂଳଦୁଆ ରଚନା କରିଥିଲା । ୧୮୬୬ ନଅଙ୍କ ଦୁର୍ଭିକ୍ଷ ଏକ ବିଧିପ୍ରେରିତ ପ୍ରାକୃତିକ ଦୁର୍ଯ୍ୟୋଗ ନଥିଲା, ବ୍ୟବସାୟୀ ଇଂରେଜ କମ୍ପାନୀ ଶାସନର ଏହା ଥିଲା ଅବଶ୍ୟମ୍ଭାବୀ ପରିଣତି । ଓଡ଼ିଶାର ଜନଜୀବନରେ ଏହା ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଦୁର୍ଭିକ୍ଷ କବଳରେ ଏକ ଚତୁର୍ଥାଂଶ ଲୋକ ମୃତ୍ୟୁବରଣ କରିଥିଲେ । ଜୀବିତମାନେ ମନେ କରିଥିଲେ ସେମାନେ ଯେପରି ଏକ ଶ୍ମଶାନରେ ବାସ କରୁଛନ୍ତି । କେତେ ପ୍ରାଚୀନ ଧର୍ମ ଧାରଣାର ଖୋଳସ ଲୋକଙ୍କ ମନରୁ ଖସି ପଡ଼ିଥିଲା । ଏକ ପ୍ରଚଣ୍ଡ ଅଭିମାନରେ ଏଇମାନଙ୍କ ଭିତରୁ ଦଳେ ଓଡ଼ିଶାର ପାରଂପରିକ ପ୍ରତିଷ୍ଠିତ ଦେବତା ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଥିଲେ । ପୁଣି ଦଳେ ଛତରରେ ଖାଇ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ । କେହି ବା ଭାଗ୍ୟକୁ ଅନୁସରଣ କରି ଜନ୍ମଭୂଇଁ ଛାଡ଼ି ଦୂର ଦେଶର ପଥିକ ହୋଇଥିଲେ-। ନବ୍ୟଶିକ୍ଷିତଙ୍କ ଆଗରେ ସମକାଳୀନ ସ୍ୱଦେଶର କୌଣସି ଆକର୍ଷଣ ନଥିଲା । ନିଜର ସୃଷ୍ଟିଶୀଳ ଭାବାବେଶକୁ ରୂପ ଦେବା ପାଇଁ ସେମାନେ ରେମାଣ୍ଟିକ୍‌ କଳ୍ପନାର ଆଶ୍ରୟ ନେଲେ । ସେମାନେ ଅନ୍ତରରେ ଥିଲେ ଆଧ୍ୟାତ୍ମବାଦୀ । କିନ୍ତୁ ଭାବବାଦର ପରିମଣ୍ଡଳରେ ସେମାନେ ଆତ୍ମହରା ହୋଇଥିଲେ । ତେଣୁ ଏକ ରୋମାଣ୍ଟିକ୍‌ ସ୍ୱରଚେତନା ଏମାନଙ୍କ ମନକୁ ଆଚ୍ଛନ୍ନ କରି ରଖିଥିଲା ।

 

କବିତା ମଧ୍ୟଯୁଗର ପରମ୍ପରା ବହନ କରିଥିଲା । ଏଥିରେ ସାଫଲ୍ୟ ଥିଲା ପରିପୂର୍ଣ୍ଣ ସାଧନା ସାପେକ୍ଷ । ପୁଣି ଏହାର ପୋଷକତା ପାଇଁ ଯଥେଷ୍ଟ ପ୍ରାଚୀନ ପରିବେଶ ନ ଥିଲା । ଅନ୍ୟ ପକ୍ଷରେ ଗଦ୍ୟ ଥିଲା ଶିଥିଳ ଆକୃତି, ଅପୂର୍ଣ୍ଣ ଶୈଳୀରେ ଭାବପ୍ରକାଶର ଏକ ସହଜ ମାଧ୍ୟମ । ଯେ କୌଣସି ରୁଚି ଓ ଯେ କୌଣସି ବିଷୟକୁ ଗ୍ରହଣ କରିବା ପାଇଁ ଏହାର କ୍ଷମତା ଥିଲା ଅପରିସୀମ । ସାମୟିକ ପତ୍ରଗୁଡ଼ିକ ପୃଷ୍ଠାରେ ପରିବେଶିତ ହୋଇ ବୃହତ୍ତର ସମାଜରେ ପ୍ରବେଶ ପାଇଁ ପଦ୍ୟରଚନାର ଏକ କ୍ଷେତ୍ର ପ୍ରସ୍ତୁତ ହୋଇଯାଇଥିଲା । ସାମୟିକ ସାହିତ୍ୟ ପତ୍ରଗୁଡ଼ିକର ଆବେଦନରେ ଊନବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସଗୁଡ଼ିକ ରଚିତ ହୋଇଥିଲା । ଲେଖକମାନେ ନିଜର ଖଣ୍ଡିତ ଅବସର ଘେନି ଯଦି ବିଭିନ୍ନ ରୁଚିର ସାଧାରଣ ପାଠକଙ୍କ ନିକଟରେ ପ୍ରବେଶ କରିବାକୁ ଚାହୁଁଥିଲେ–ତାଙ୍କଠାରେ କଳ୍ପନା ପ୍ରସୂତ ଉପନ୍ୟାସର ଆକର୍ଷଣ ଥିଲା ପ୍ରବଳ । ଏକ ଦିଗରେ ନୈତିକତା ଓ ଅନ୍ୟ ଦିଗରେ ଭାବାବେଗ ଏ ଉଭୟର ସମ୍ମିଶ୍ରଣରେ ଏ ଯୁଗର ଉପନ୍ୟାସଗୁଡ଼ିକ ସୃଷ୍ଟି ହୋଇଥିଲା । ମାତ୍ର କ୍ରମଶଃ ନୈତିକ ଆଦର୍ଶ କାବ୍ୟିକ ପୁରୋଦୃଷ୍ଟିର ସୀମା ଅତିକ୍ରମ କରି ଏଇ ଉପନ୍ୟାସଗୁଡ଼ିକ ବାସ୍ତବଚିତ୍ର ଅଙ୍କନ କରିବା ପାଇଁ ପ୍ରୟାସ କରିଥିଲେ । ତେଣୁ ବାସ୍ତବ ଜୀବନର ସମସ୍ତ କ୍ରିୟା, ପ୍ରତିକ୍ରିୟା, ସଂଘର୍ଷ ଓ ସମନ୍ୱୟଧାରା ବହନ କରି ଏ ଉପନ୍ୟାସଗୁଡ଼ିକ ଏକ ସାର୍ଥକ କଳାତ୍ମକ କୃତି ହୋଇଉଠିଥିଲା ।

 

ଉତ୍କଳ ଦର୍ପଣ ପତ୍ରିକା ପାଇଁ ରାଧାନାଥ ଲେଖିଥିଲେ ‘ଇଟାଲୀୟଯୁବା’ ଓ ମଧୁସୂଦନ ଲେଖିଥିଲେ ‘ପ୍ରଣୟର ଅଦ୍ଭୂତ ପରିଣାମ’ । ଆଧୁନିକ ଓଡ଼ିଆ କଥାସାହିତ୍ୟର ଆଦ୍ୟ ଉନ୍ମେଷ କାଳରେ ହୁଏତ ଅନୁସରଣ ଓ ଅନୁକରଣ ଥିଲା ଏକ ଅବଶ୍ୟମ୍ଭାବୀ ପ୍ରୟୋଜନୀୟତା ଅତି ତରୁଣ ବୟସରେ ରାଧାନାଥ ଏଇ ‘ଇଟାଲୀୟ ଯୁବା’ ରଚନା କରିଥିଲେ । ତାଙ୍କ ମନରେ ଏକ ରୋମାଣ୍ଟିକ୍‌ ଭାବାବେଗ ପୂରି ରହିଥିଲା । ରାଧାନାଥଙ୍କ ପରିବାରର ଭାଷା ହୁଏତ ଥିଲା ବଙ୍ଗଳା । ଚତୁଃପାଶ୍ୱର୍ର ଜୀବନ ସହିତ ତାଙ୍କର ନିବିଡ଼ ଯୋଗ ନ ଥିଲା । ତାଙ୍କର ରୋମାଣ୍ଟିକ୍‌ ମନ ଦୂରଦେଶ ଓ ଦୂର ଅତୀତର ସ୍ୱପ୍ନରେ ବିଭୋଗ ହୋଇ ଏହିପରି ଏକ କାହାଣୀ ରଚନାର ପ୍ରୟାସ କରିଥିଲା । ‘ଇଟାଲୀୟ ଯୁବା’ ପୁସ୍ତକରେ ହିଁ ରାଧାନାଥ ପ୍ରଥମେ ଉପନ୍ୟାସ ଶବ୍ଦଟି ବ୍ୟବହାର କରିଅଛନ୍ତି । ଉପନ୍ୟାସର ମୂଳସୂତ୍ର ସେ ଗ୍ରହଣ କରିଛନ୍ତି । ଆଲୌକିକତା ଅତିରଂଜନ ସେ ପରିହାର କରିଛନ୍ତି । ସୁନିର୍ଦ୍ଦିଷ୍ଟ ସ୍ଥାନ ଓ କାଳ ଉପରେ ଆଧାରିତ ଏଇ ଗଳ୍ପଟିରେ ରାଧାନାଥ ଏକ ଦୂର ଦେଶର ପ୍ରଣୟ ପ୍ରଣୟିନୀଙ୍କ କାହାଣୀ ପରିବେଷଣ କରିଛନ୍ତି । ରାଧାନାଥଙ୍କ ଗଳ୍ପର ଭାଷା କାବ୍ୟାଶ୍ରୟୀ, ପରିମିତ ଓ ସୁନିୟନ୍ତ୍ରିତ ସାହିତ୍ୟିକ ଗଦ୍ୟର ନିକଟବର୍ତ୍ତୀ । ଗଳ୍ପକଥନର ଚମତ୍କାରିତା ଔତ୍ସୂକ୍ୟ ସୃଷ୍ଟି । ଚରିତ୍ର ଚିତ୍ରଣ, ଘଟଣାର ପୃଷ୍ଠପଟରୂପେ ଦିଗ୍‌ଦୃଶ୍ୟର ସୌନ୍ଦର୍ଯ୍ୟ ଅଙ୍କନ ପାଇଁ ରାଧାନାଥ ପ୍ରୟାସ କରିଛନ୍ତି ଓ ସଫଳ ହୋଇଛନ୍ତି ମଧ୍ୟ । ଏହି କାହାଣୀଟିରେ ଆଧୁନିକ ଉପନ୍ୟାସର ଏକ ବଳିଷ୍ଠ ସୂତ୍ର ପ୍ରେମର ତ୍ରିଭୁଜ ଅଙ୍କିତ । କାହାଣୀର ନାୟିକା ଲରା ଏକ ଦିଗରେ ତାହାର ପ୍ରଣୟୀ ଅନ୍ୟ ଦିଗରେ ତାହାର ସ୍ୱାମୀ । ସ୍ୱାମୀହରା ଲରା ନିର୍ଯ୍ୟାତିତା । ଏଇ ନିର୍ଯ୍ୟାତନାର ପ୍ରତିଶୋଧ ପାଇଁ ତା’ର ପ୍ରେମିକ ନରହତ୍ୟା କରିଅଛି । ବହିରଙ୍ଗ ଓ ଘଟଣାବଳୀର ଚତ୍ର କରୁ କରୁ ରାଧାନାଥ ଚରିତ୍ରର ଅନ୍ତଃଜଗତରେ ପ୍ରବେଶ କରିବାର ସୁଯୋଗ ଲାଭ କରିଅଛନ୍ତି । ହତ୍ୟାକାରୀର ମାନସିକ ପୀଡ଼ା ବର୍ଣ୍ଣନାରେ ରାଧାନାଥ ମୁଖର “ଆତ୍ମଗ୍ଳାନି କେତେ ଯନ୍ତ୍ରଣାଦାୟକ, ନିର୍ଦ୍ଦୋଷତା ମହାରତ୍ନ ଥରେ ହଜିଗଲେ ଆଉ ତାହାର ପୁନଃପ୍ରାପ୍ତିର ସମ୍ଭାବନା ନ ଥାଏ ।” ଗତାନୁଶୋଚନା ମଧ୍ୟ ଦେଇ ରାଧାନାଥ ଆଧୁନିକ ଉପନ୍ୟାସ ରଚନା ପାଇଁ ମଣିଷର ଅନ୍ତଃଜୀବନର ଚିତ୍ରର ଧାରା ଫିଟାଇଛନ୍ତି-। ମନୁଷ୍ୟ ଅନ୍ତରର ବିଷାଦ ଓ ଆନନ୍ଦର ଉଷ୍ଣ ଓ ଉଜ୍ଜ୍ୱଳ ଚିତ୍ର ଅଙ୍କନ ସଙ୍ଗେ ସଙ୍ଗେ ବିଦ୍ୱେଷ, କ୍ରୋଧ ଓ ଘୃଣାର ଯଥାର୍ଥ ଚିତ୍ର ଏଇ ଗଳ୍ପରେ ଅଙ୍କିତ । ଉପନ୍ୟାସର ଆଦିକାଳରେ ରଚିତ ରୋମାନ୍‌ଧର୍ମୀ ରଚନା ଲାଗି ରାଧାନାଥହିଁ ପ୍ରଥମେ ପଥ ନିର୍ମାଣ କରିଛନ୍ତି । ଗୋଟିଏ ଦିଗରେ ରାଧାନାଥ ଅନ୍ୟ ଉପନ୍ୟାସକାରମାନଙ୍କଠାରୁ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ତାହା ହେଉଛି ରାଧାନାଥଙ୍କ ସୃଜନଧର୍ମୀ ଭାଷା । ଏଥିରେ ସମକାଳୀନ ସମ୍ବାଦପତ୍ର ଭାଷାର ସହଜ ସ୍ଫୂର୍ତ୍ତି ନାହିଁ । ଅଥଚ ଗଦ୍ୟକୁ ଏକ କଳାଶ୍ରୀପୂର୍ଣ୍ଣ ମାଧ୍ୟମ ଭାବରେ ପ୍ରତିଷ୍ଠା ଦେବାର ବଳିଷ୍ଠ ଉପାଦାନ ଅଛି । ସ୍ୱଦେଶୀୟ ପରିବେଶ ଓ ସ୍ୱଦେଶୀୟ ଐତିହାସିକ ଘଟଣା ଓ କିମ୍ବଦନ୍ତୀ ଅବଲମ୍ବନରେ ବହୁ କଥାକାବ୍ୟ ରଚନାକରି ରାଧାନାଥ ଖ୍ୟାତିଲାଭ କରିଅଛନ୍ତି । ମାତ୍ର ପ୍ରଥମ ଔପନ୍ୟାସିକ ଭାବରେ ଜଣେ ଅନୁବାଦକ ଅବା ଅନୁସରଣକାରୀ ଭୂମିକାରେହିଁ ସେ ମୌଳିକସ୍ରଷ୍ଟାର ସମ୍ମାନ ଲାଭ କରିପାରିନାହାନ୍ତି । ଯଦିବା ମୌଳିକ ସୃଷ୍ଟିର ସମସ୍ତ ସମ୍ଭାବନା ଇଟାଲୀୟ ଯୁବାରେ ବିଦ୍ୟମାନ ।

 

ll ୩ ll

 

ପ୍ରଥମ ଅବସ୍ଥାରେ ବିଭିନ୍ନ ପତ୍ରପତ୍ରିକା ପାଇଁ ଉପନ୍ୟାସ ରଚିତ ହୋଇଥିଲା । ଉତ୍କଳ ମଧୂପ (୧୮୭୮)ରେ ପ୍ରକାଶିତ “ସୌଦାମିନୀ” ଇନ୍ଦ୍ରଧନୁ (୧୮୯୩)ରେ ପ୍ରକାଶତିତ ‘ଉନ୍ମାଦିନୀ’–ଏ ଉଭୟର ଲେଖକ ଥିଲେ ରାମଶଙ୍କର ରାୟ । ୧୮୮୫ ଖ୍ରୀରେ ପ୍ରକାଶିତ ‘ପ୍ରଦୀପ’ ପତ୍ରିକାରେ ଦୁଇଟି ଅସଂପୂର୍ଣ୍ଣ ଉପନ୍ୟାସ ପ୍ରକାଶିତ ହୋଇଥିଲା । ଗୋଟିଏ ଅନାଥିନୀ ଏବଂ ଅନ୍ୟଟି ‘ମଠର ସଂବାଦ’ । ଏ ଦୁଇଟିର ଲେଖକଙ୍କ ନାମ ଅଜ୍ଞାତ । ସ୍ୱନାମଧନ୍ୟ ଫକୀର ମୋହନ ଏହାର ଲେଖକ ହୋଇପାରନ୍ତି ବୋଲି ଅନୁମାନ କରାଯାଇଥାଏ; ଯଦିବା ଫକୀର ମୋହନଙ୍କ ଆତ୍ମଜୀବନୀ ବା ଅନ୍ୟ କୌଣସି ସୂତ୍ରରୁ ଏହାର ସମର୍ଥନ ମିଳେ ନାହିଁ । ଏଇ ଅସମ୍ପୂର୍ଣ୍ଣ ଉପନ୍ୟାସଗୁଡ଼ିକ ମଧ୍ୟରୁ ସୌଦାମିନୀ ଓ ଅନାଥିନୀ ଐତିହାସିକ ଉପନ୍ୟାସ । ସୌଦାମିନୀର କାହାଣୀ ରାଜପୁତ୍‌ ଇତିହାସରୁ ଗୃହୀତ । ରାଜକୀୟ ଆଡ଼ମ୍ବର, ଯୁଦ୍ଧ ଓ ଦୁଃସାହସିକ ବୀରତ୍ୱପୂର୍ଣ୍ଣ ଅଭିଯାନର ରୋମାଞ୍ଚକର ନାଟକୀୟ ବର୍ଣ୍ଣନାହିଁ ଏହି ଉପନ୍ୟାସର ପ୍ରାଣ । ଏଇ ଉପନ୍ୟାସର ବୀରନାୟକ ଭାରତୀୟ ଆଦର୍ଶର ମୂର୍ତ୍ତ ପ୍ରତୀକ । ସେ କେବଳ ଦୈହିକ ଶକ୍ତିରେ ଅଥବା ଭୋଗ ବୃତ୍ତିରେ ନିଜର ବୀରତ୍ୱର ପରିଚୟ ଦେଇନାହାନ୍ତି । ନିଜ ଜନନୀଙ୍କ ପ୍ରଭାବରେ ସେ ସବୁପ୍ରକାର ବିପଦ ଓ ପ୍ରରୋଚନାର ସମ୍ମୁଖରେ ନ୍ୟାୟ ଓ ନୀତିର ଅନୁସରଣ କରିଛନ୍ତି ।

 

‘ଅନାଥିନୀ’ର କାହାଣୀ ଓଡ଼ିଶାର ଇତିହାସ ଉପରେ ଆଧାରିତ । ପ୍ରତାପରୁଦ୍ରଙ୍କର ରାଜତ୍ୱର ଅବସାନ ସମୟର ଐତିହାସିକ ଚିତ୍ର ଏଇ ଉପନ୍ୟାସର ମୂଳବସ୍ତୁ । ଏକ ଦିଗରେ ନାୟକର ସିଂହାସନପ୍ରାପ୍ତି ଓ ଅନ୍ୟ ଦିଗରେ ଏକ ଗ୍ରାମ୍ୟ ଅନାଥିନୀବାଳିକାର ପ୍ରେମ ଏଇ ଉଭୟ ମଧ୍ୟରେ ଉପନ୍ୟାସ କାହାଣୀର ସଂଘାତଭୂମି ରଚିତ । କିନ୍ତୁ “ମଠର ସଂବାଦ” ଉପନ୍ୟାସଟି ଭିନ୍ନ ଉପାଦାନରେ ଗଠିତ । ସମସାମୟିକ ସମାଜରୁ ଉପାଦାନ ଗ୍ରହଣ କରି ବ୍ୟଙ୍ଗ ଓ ବିଦ୍ରୂପ ରଚନାହିଁ ଏହାର ମୂଳ ଉଦ୍ଦେଶ୍ୟ । ସନ୍ନ୍ୟାସୀଙ୍କ ଭ୍ରଷ୍ଟାଚାର ଓ ଭଣ୍ଡାମି ଇଂରେଜୀ ଶିକ୍ଷିତ ଛାତ୍ର ଡାକ୍ତରଙ୍କର ଚାରିତ୍ରିକ ସ୍ଖଳନ, କଲିକତିଆ ବାବୁ ଓ ଡେପୁଟୀ ହାକିମଙ୍କ ବ୍ୟଙ୍ଗବିଦ୍ରୂପ ଉପରେ ଏହି ଗଳ୍ପଟିର ଭାବଭୂମି ରଚିତ । ‘ମଠର ସଂବାଦ’କୁ ପ୍ରକୃତରେ ହୁଏତ ଏକ ଉପନ୍ୟାସ ନ କହି ସମସାମୟିକ ସମାଜର ଏକ ସ୍କେଚ୍‌ ବା ନକ୍‌ସା କୁହାଯାଇପାରେ । ପରବର୍ତ୍ତୀ କାଳରେ ରଚିତ ସାମାଜିକ ଉପନ୍ୟାସ ପାଇଁ ଏହାହିଁ ଦୃଢ଼ଭିତ୍ତି ରଚନା କରିଥିଲା ।

 

ll ୪ ll

 

ଉମେଶ ଚନ୍ଦ୍ରଙ୍କ ପଦ୍ମମାଳୀ ସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ ଭାବେ ଗୃହୀତ । ଉମେଶଚନ୍ଦ୍ରଙ୍କ ଜନ୍ମସ୍ଥାନ ପୁରୀ (୧୮୫୭ ଖ୍ରୀଷ୍ଟାବ୍ଦ) । ଉମେଶଚନ୍ଦ୍ର ଥିଲେ ଉଚ୍ଚଶିକ୍ଷିତ ଓ ସରକାରୀ କର୍ମଚାରୀ । ସେ ନିଜକୁ ଉତ୍କଳଭାଷା ଅନଭିଜ୍ଞ ବୋଲି ପରିଚିତ କରାଇଛନ୍ତି । ତଥାପି ସୁନିର୍ଦ୍ଦିଷ୍ଟ ଘଟଣା ଓ ସ୍ୱଦେଶୀୟ ପରିବେଶକୁ ଭିତ୍ତିକରି ସେ ଏଇ ଗଳ୍ପ-ଉପନ୍ୟାସ ରଚନାର ପରିକଳ୍ପନା କରିଛନ୍ତି । ଢେଙ୍କାନାଳର ଆସିଷ୍ଟାଣ୍ଟ ମେନେଜରରୂପେ କାର୍ଯ୍ୟ କରୁଥିବା ସମୟରେ ୩୨ ବର୍ଷ ବୟସରେ ସେ ପଦ୍ମମାଳୀ ରଚନା କରି ପ୍ରକାଶ କରିଥିଲେ । ବାଲେଶ୍ୱର ସମ୍ବାଦବାହିକାଙ୍କ ମତରେ–“ପ୍ରକୃତ ଘଟଣା ସମ୍ବଳିତ କୌଣସି ଉପନ୍ୟାସ ଅବଧି ଓଡ଼ିଆ ଭାଷାରେ ପ୍ରଚାରିତ ହୋଇ ନଥିବାରୁ ଉମେଶବାବୁଙ୍କ ଏହି ଶେଷ ଉଦ୍ୟମଟି ବେଶ୍‌ ପ୍ରଶଂସନୀୟ । ଏହି ଖଣ୍ଡିକ ଓଡ଼ିଶାରେ ପ୍ରଥମ ନଭେଲ କହିଲେ ଅତ୍ୟୁକ୍ତି ହେବନାହିଁ ।” ଏହି ଗ୍ରାହକତା ଉମେଶ ଚନ୍ଦ୍ରଙ୍କୁ କେଉଁଝର ବିଦ୍ରୋହ ନାମକ ଉପନ୍ୟାସ ରଚନାରେ ପ୍ରୟାସୀ କରାଇଥିଲା । ପଦ୍ମମାଳୀର ବିଷୟବସ୍ତୁ ନିକଟ ଇତିହାସରୁ ଗୃହୀତ । ୧୮୩୫ ଖ୍ରୀଷ୍ଟାବ୍ଦରେ ନୀଳଗିରି ରାଜ୍ୟରେ ସଂଘଟିତ ଏକ ସାମନ୍ତ ଦ୍ୱନ୍ଦ୍ୱକୁ କେନ୍ଦ୍ରକରି ଏ ଉପନ୍ୟାସଟି ରଚିତ । ଲେଖକଙ୍କ ଭାଷାରେ “ଆମ୍ଭେ କେବଳ ଏଇ କ୍ଷୂଦ୍ରାୟତନ ଓ ଅପେକ୍ଷାକୃତ ଅଖ୍ୟାତନାମ ରାଜ୍ୟର ସ୍ୱଳ୍ପବ୍ୟାପୀ ଘଟଣାକୁ ଅବଲମ୍ବନ କରି ଏ ଉପନ୍ୟାସକୁ ରଚନା କରୁଅଛୁଁ । ଦୁଇଗୋଟି ଐତିହାସିକ ଘଟଣାର ସମନ୍ୱୟରେ ପଦ୍ମମାଳୀ ରଚିତ ହୋଇଅଛି । ନୀଳଗିରି ରାଜ୍ୟର କର୍ମଚାରୀରମାନଙ୍କଦ୍ୱାରା ପାଞ୍ଚଗଡ଼ ଆକ୍ରମଣ ଓ ହରିହର ଭ୍ରମରବାବୁଙ୍କଦ୍ୱାରା ନୀଳଗିରି ଆକ୍ରମଣ-। ଲେଖକଙ୍କ ଉକ୍ତି ଅନୁସାରେ ସେଇ ଇତିହାସର ‘ଏକ ବର୍ଣ୍ଣର ଅପଳାପ’ ନକରି ପାଠକଙ୍କ ଚିତ୍ତରଞ୍ଜନ କରିବାକୁ ସମଧିକ ଯତ୍ନବାନ ହୋଇଅଛନ୍ତି । ସେ ଉଭୟ ଘଟଣା ବର୍ଣ୍ଣନା ଓ ଚରିତ୍ର ସମାବେଶ ପାଇଁ ଜନଶ୍ରୁତି ଓ କଳ୍ପନା ଉପରେ ନିର୍ଭର କରିଛନ୍ତି । ଜୟନ୍ତୀ ଓ ବାଂଛାନିଧି ବଳବନ୍ତ ରାୟ ଉପାଖ୍ୟାନ, ରାମିଆମା, ଲକ୍ଷ୍ମଣ ପଣ୍ଡା, ପୁରୁଷୋତ୍ତମ ସେନାପତି ଆଦି ଗୌଣ ଚରିତ୍ରଙ୍କଠାରୁ ଆରମ୍ଭକରି ପଦ୍ମମାଳୀ ଦୁର୍ଯ୍ୟୋଧନ ଦାସ ଓ ମହନ୍ତ ହରିହର ରାମାନୁଜଙ୍କ ପର୍ଯ୍ୟନ୍ତ ସବୁ ଚରିତ୍ର କେବଳ ଗଳ୍ପକୁ ପୂର୍ଣ୍ଣାଙ୍ଗରୂପ ଦେବାପାଇଁ କଳ୍ପିତ । ମାଣିତ୍ରୀର ଜାଗରଯାତ୍ରାରେ ପଦ୍ମମାଳୀର ଅପହରଣ ପଥରେ ପରୀକ୍ଷିତ ସିଂହଙ୍କଦ୍ୱାରା ପଦ୍ମମାଳୀର ଉଦ୍ଧାର, ମହନ୍ତ ରାମାନୁଜଙ୍କ ଆଶ୍ରମରେ ପଦ୍ମମାଳୀ ଓ ପରିକ୍ଷିତ ସିଂହଙ୍କ ପ୍ରଣୟ ଓ ବିବାହ ନିର୍ବନ୍ଧ, ଦୁର୍ଯ୍ୟୋଧନଙ୍କ ପ୍ରତିଶୋଧ ଇତ୍ୟାଦି ବହୁ ରୋମାଞ୍ଚକର ଘଟଣାର ପ୍ରବାହ ଉପନ୍ୟାସଟିକୁ ଉପଭୋଗ୍ୟ କରିଅଛି । ଅସାଧାରଣ ଘଟଣା, କଳ୍ପନା ପ୍ରସୂତ ଚରିତ୍ର ଓ ବର୍ଣ୍ଣାଢ଼୍ୟ ଜୀବନଚିତ୍ର ମଧ୍ୟରେ ରୋମାନ୍‌ସ ସୁଲଭ ଏହି ଗଳ୍ପର ସୃଷ୍ଟି । ନାରୀ ଚରିତ୍ରରେ ରମଣୀୟତା ଓ ପୁରୁଷ ଚରିତ୍ରରେ ଶୌର୍ଯ୍ୟବୀର୍ଯ୍ୟ ସଙ୍ଗେ ସଙ୍ଗେ ପଶୁ-ସୁଲଭ ଲମ୍ପଟତା ଓ କାପୁରୁଷତାର ଚିତ୍ର ଲେଖକ ଉଜ୍ଜ୍ୱଳ ରଙ୍ଗରେ ଚିତ୍ରିତ କରିଅଛନ୍ତି । ଖଣ୍ଡିତା ବିରହିଣୀ ନାୟିକାର ଚିତ୍ର ଅଙ୍କନରେ ଲେଖକ ଯେପରିକି ରୀତିଯୁଗୀୟ ପରଂପରା ଅନୁକରଣ କରିଅଛନ୍ତି । ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ ପାଇଁ ଶକ୍ତିର ଆଶ୍ରୟ ନେବାପାଇଁ ଜନସାଧାରଣ ସଂଗଠିତ ହେଉଥିବା ଚିତ୍ର ଏହି ଉପନ୍ୟାସଟିରେ ବିଶେଷ ସ୍ମରଣୀୟ । ଅନେକ ପ୍ରାଚୀନ ରୀତିନୀତି, ସାମାଜିକ ପ୍ରଥା ଏଥିରେ ଯଥାଯଥ ଭାବେ ବର୍ଣ୍ଣିତ ହୋଇଛି । ସିଆଡ଼ି ନଈର ଆଗରେ ଅଙ୍ଗାରଖଣ୍ଡ ବାନ୍ଧି ସୈନ୍ୟ ସମାବେଶ କରିବା, ଛଞ୍ଚାଣଡ଼ିଆଁ ବାଘ ଅର୍ଥାତ୍‌ ବାଉଁଶ ଯଷ୍ଟି ଉପରେ ପାଦଦେଇ ଲମ୍ପଦେଇ ଚାଲୁଥିବା ଚଉକିଦାର, ମ୍ଳେଛ ଫିରିଙ୍ଗି ପ୍ରତି ଜନସାଧାରଣଙ୍କର ଭୟ ଓ ଘୃଣା, ଏଇସବୁ ପୁଙ୍ଖାନୁପୁଙ୍ଖଭାବେ ଉପନ୍ୟାସଟିରେ ସ୍ଥାନ ପାଇଅଛି । ସମକାଳୀନ ଗଣତାନ୍ତ୍ରିକ ଆଦର୍ଶର ଅବତାରଣା ଏଇ ଉପନ୍ୟାସର ଅନ୍ୟତମ ବିଦ୍ରୋହୀନାୟକ ଘଣ୍ଟଶୀଳା ଗଡ଼ନାୟକ ଲମ୍ବୋଦର ଗଜେନ୍ଦ୍ର ମୁଖରେ କରାଇଅଛନ୍ତି । “ପ୍ରଜାନେଇ ରାଜା, ଯେଉଁ ରାଜ୍ୟରେ ପ୍ରଜାମାନଙ୍କର ଧନ, ପ୍ରାଣ, ମନ, ମହତ୍ୱର ରକ୍ଷାନାହିଁ, ଈଶ୍ୱର କେବେ ସେ ରାଜ୍ୟର ମଙ୍ଗଳ କରିବେ ନାହିଁ ।” ନୈତିକ ଆଦର୍ଶ ବୋଧହିଁ ଚରିତ୍ରଗୁଡ଼ିକର ନିୟାମକ ହୋଇଅଛି । ଅନ୍ୟାୟକାରୀ ଦୁର୍ଯ୍ୟୋଧନ ଦାସଙ୍କଠାରୁ ରାମିଆମା ପର୍ଯ୍ୟନ୍ତ ସମସ୍ତେ ଉପଯୁକ୍ତ ଶାସ୍ତିଭୋଗ କରିଛନ୍ତି । କିନ୍ତୁ ଆଦର୍ଶ ଓ ନ୍ୟାୟ ପଥରେ ପରିଚାଳିତ ହୋଇ ବାଂଛାନିଧି ବଳବନ୍ତ ରାୟ ଜୟନ୍ତୀ, ପରୀକ୍ଷିତ ସିଂ ଓ ପଦ୍ମମାଳୀଙ୍କ ଜୀବନରେ ମିଳନସୁଖ ଲାଭ କରିଅଛନ୍ତି । ଆଖ୍ୟାୟିକା ବର୍ଣ୍ଣନା ମଝିରେ ବୈଚିତ୍ର୍ୟ ସୃଷ୍ଟିପାଇଁ ଲେଖକ ଚରିତ୍ରମାନଙ୍କ ମୁଖରେ ସଂଳାପ ସଂସ୍ଥାପନ କରିଛନ୍ତି । ଯଦିବା ଏଇ ସଂଳାପର ଭାଷା ବହୁସମୟରେ ପାତ୍ରମୁଖୀ ହୋଇନାହିଁ । ଉପନ୍ୟାସର ତ୍ରୟୋଦଶ ଚତୁର୍ଦ୍ଦଶ ପରିଚ୍ଛେଦରେ ପଦ୍ମମାଳୀର ପୀଡ଼ା ବିଷୟରେ ବୈଦ୍ୟମାନଙ୍କର ଯୁକ୍ତିତର୍କ ଓ ପାରିଷଦ୍‌ମାନଙ୍କ କଥୋପକଥନ ଅତ୍ୟନ୍ତ ହାସ୍ୟୋଦ୍ଦୀପକ । ଯାହାକିଛି ଆଧୁନିକ ତାହା ଯେ ସ୍ପୃହଣୀୟ ନୁହେଁ ତାହାନେଇ ଲେଖକ ବହୁ ସୁନ୍ଦର ବ୍ୟଙ୍ଗ ବିଦ୍ରୂପ କରିଅଛନ୍ତି । ଅଶୀତିବର୍ଷପରେ ମହନ୍ତଙ୍କ ଦର୍ଶନେନ୍ଦ୍ରିୟର ତୀକ୍ଷ୍‌ଣତା ବର୍ଦ୍ଧନ ପାଇଁ ସୋଲଲୋନ କମ୍ପାନୀ ଅଥବା ତାଙ୍କ ପାକ ଶକ୍ତିରେ ସାହାଯ୍ୟ ପାଇଁ ଆମେରିକାନ୍‌ ଡେଣ୍ଟିଷ୍ଟ ଆସିନଥିଲେ । କେତେକ ଇଂରେଜ ଶବ୍ଦର ପ୍ରୟୋଗକରି ଲେଖକ ହାସ୍ୟରସ ସୃଷ୍ଟିର ପ୍ରୟାସ କରିଛନ୍ତି । “ମରହଟ୍ଟି ଲୋକମାନଙ୍କପରି ଆଲୋକ ବାୟୁ ବର୍ଜିତ ଗୃହରେ ବାସକଲେ ହେଲ୍‌ଥ ଖରାପ ହୁଏ ।” ଭଳି ଉକ୍ତି ଏହାର ଦୃଷ୍ଟାନ୍ତ ।

 

ମଧ୍ୟଯୁଗୀୟ କାବ୍ୟ ପରଂପରା ଅବଲମ୍ବନ କରି ସତେ ଯେପରିକି ଲେଖକ ବାରମ୍ବାର ପାଠକମାନଙ୍କୁ ସମ୍ବୋଧନ କରିଛନ୍ତି । ପ୍ରଥମଯୁଗରେ ଏଇ ଓଡ଼ିଆ ଉପନ୍ୟାସଟି ଭାଷା-ଶୈଳୀ-ଦୃଷ୍ଟିରୁ ବିଶେଷ ଉଚ୍ଚକୋଟୀର ହୋଇପାରିନଥିଲା । ହୁଏତ ଚଳନ୍ତି-ଓଡ଼ିଆ-ଭାଷାରେ ଏଇ ଲେଖକଙ୍କ ଦକ୍ଷତା ନଥିଲା । ତଥାପି ନିଜକୁ ଓଡ଼ିଆ ଭାଷା ଅନଭିଜ୍ଞ ବୋଲି ସ୍ୱୀକାର କରିଥିଲେହେଁ ଲେଖକ ସାଧୁ-ସଂସ୍କୃତ-ଶବ୍ଦ ସହିତ ଗ୍ରାମ୍ୟକଥିତ ଭାଷାର ପ୍ରୟୋଗ କରିବାପାଇଁ ଉଦ୍ୟମ କରିଅଛନ୍ତି । ଉପନ୍ୟାସର ଗଳ୍ପାଂଶ ଚରିତ୍ରସୃଷ୍ଟି, ସମାଜଚିତ୍ର ଓ ରଚନାଶୈଳୀ ପ୍ରତି କ୍ଷେତ୍ରରେ ସ୍ୱଦେଶୀୟ ପଟ୍ଟଭୂମିକୁହିଁ ପ୍ରାଧାନ୍ୟ ଦେଇଅଛନ୍ତି । ଡଃ କୃଷ୍ଣଚରଣ ବେହେରା ଯଥାର୍ଥରେ କହିଛନ୍ତି, “ଆମରି ପ୍ରଥମ ଉପନ୍ୟାସ ଆମରି ମାଟି ଜଳବାୟୁର ଫସଲ ବୋଲି ବିନା ଦ୍ୱିଧାରେ ମତ ଦିଆଯାଇପାରେ ।” ପଦ୍ମମାଳୀ ରଚନାର ୨୦ ବର୍ଷ ପରେ ୧୮୯୮ ଖ୍ରୀଷ୍ଟାବ୍ଦରେ ସଂଘଟିତ କେନ୍ଦୁଝର ବିଦ୍ରୋହକୁ କେନ୍ଦ୍ର କରି ରମେଶଚନ୍ଦ୍ର ଉଦାସୀ ଛଦ୍ମ ନାମରେ କେନ୍ଦୁଝର ବିଦ୍ରୋହ ନାମକ ଏକ ଐତିହାସିକ ଉପନ୍ୟାସ ରଚନା କରିଥିଲେ । ଏହି ଉପନ୍ୟାସର ସାତଟି ପରିଚ୍ଛେଦ ମୁକୁର ପତ୍ରିକାରେ ପ୍ରକାଶିତ ହୋଇଥିଲା । ଉପନ୍ୟାସଟି ପୂର୍ଣ୍ଣାଙ୍ଗ ହୋଇଥିଲେ କଥାସାହିତ୍ୟିକରୂପେ ଉମେଶଚନ୍ଦ୍ରଙ୍କର ପରିଣତ ରୂପଟି ପ୍ରକାଶ ପାଇଥାନ୍ତା ।

 

ll ୫ ll

 

ମୟୁରଭଞ୍ଜରୁ ପ୍ରକାଶିତ ଉତ୍କଳ ପ୍ରଭାରେ ରାମଶଙ୍କରଙ୍କ ବିବାସିନୀ ଧାରାବାହିକ ଭାବେ ୧୮୯୧-୧୮୯୫ ଭିତରେ ପ୍ରକାଶିତ ହୋଇଥିଲା । ରାମଶଙ୍କର ଉନ୍ମାଦିନୀ ଓ ଅନାଥିନୀ ନାମରେ ଆଉ ଦୁଇଟି ଉପନ୍ୟାସ ଲେଖିଥିଲେହେଁ ବିବାସିନୀହିଁ ତାଙ୍କର ଏକମାତ୍ର ପୂର୍ଣ୍ଣାଙ୍ଗ ଉପନ୍ୟାସ । ଏଇ ଉପନ୍ୟାସଟି ରଚନାକରି ସେ ଉତ୍କଳପ୍ରଭାଦ୍ୱାରା ଏକଶତ ଟଙ୍କା ପୁରସ୍କୃତ ହୋଇଥିଲେ ଓ ହିନ୍ଦୋଳ ରାଜାଙ୍କ ଅର୍ଥ ସାହାଯ୍ୟରେ ବିବାସିନୀ ପୁସ୍ତକାକାରରେ ମୁଦ୍ରିତ ହୋଇଥିଲା । ରାମଶଙ୍କର ଉପନ୍ୟାସ ରଚନାରେ ମଧ୍ୟ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚେଷ୍ଟା କରିଛନ୍ତି । ବିବାସିନୀ ଆପାତଃ ଦୃଷ୍ଟିରୁ ଏକ ଐତିହାସିକ ଉପନ୍ୟାସ । ଏହା ଅଷ୍ଟାଦଶ ଶତାବ୍ଦୀର ମରହଟ୍ଟା ଶାସନକାଳରେ ଘଟିଥିବା ଏକ ଘଟଣାକୁ କେନ୍ଦ୍ରକରି କଳ୍ପିତ । ମାତ୍ର ପ୍ରକୃତରେ ଏଥିରେ ଇତିହାସ ସଚେତନତା ଅତ୍ୟନ୍ତ କ୍ଷୀଣ । ଅଷ୍ଟାଦଶ ଶତାବ୍ଦୀର ଉତ୍କଳରେ ମରହଟ୍ଟା ଶାସନର ତୁଙ୍ଗ ପ୍ରତିଷ୍ଠା କାଳରେ ହିନ୍ଦୁପାଦ୍‌ ପାଦସାହୀର କଳ୍ପନା, ଧର୍ମୀୟ ଅଭ୍ୟୁତ୍‌ଥାନ, ଶିଳ୍ପ ଓ ଭାସ୍କର୍ଯ୍ୟର ବିକାଶ, ଏଇ ସବୁର ମହନୀୟ ଚିତ୍ର ବିବାସିନୀ ପୃଷ୍ଠାରୁ ମିଳେନାହିଁ । ବସ୍ତୁତଃ ବିବାସିନୀ ଅଦୂର ଇତିହାସ ଉପରେ ଭିତ୍ତିକରି ଏକ ଉପନ୍ୟାସ ମାତ୍ର । ନଅଙ୍କଦୁର୍ଭିକ୍ଷର ଛାୟା, ଇଂରେଜ ଶାସନ ବିରୁଦ୍ଧରେ ଜନତାର ସାମୟିକ ପ୍ରତିରୋଧକୁ ସତେ ଯେପରି ଐତିହାସିକ ଆବରଣ ଦେଇ ଏଇ ଉପନ୍ୟାସଟି ଲେଖକ ପ୍ରକାଶ କରିଛନ୍ତି । ଦେଶର ଯେଉଁ ଦୁରାବସ୍ଥାର ଚିତ୍ର ବର୍ଣ୍ଣିତ ହୋଇଛି ସେ ସବୁ ବସ୍ତୁତ କମ୍ପାନୀ ଶାସନର ଚିତ୍ର । ଇଂଲଣ୍ଡର ପାର୍ଲିଆମେଣ୍ଟ କର୍ତ୍ତୃକ ନିଯୁକ୍ତ ଫେମିନ୍‌କମିଶନ ଆସି ଓଡ଼ିଶାର ନଅଙ୍କଦୁର୍ଭିକ୍ଷର କାରଣ ଓ ପ୍ରତିକାର ସ୍ଥିର କଲାଭଳି ନାଗପୁରର ଭୋଁସଲାଙ୍କ ଜଣେ କର୍ମଚାରୀ ଆସି ଦୁର୍ଭିକ୍ଷ ବିଷୟରେ ତଦନ୍ତ କରିଛନ୍ତି ଓ ଓଡ଼ିଶା ଶାସନକର୍ତ୍ତା ଶମ୍ଭୂଜୀଙ୍କୁ ସୁବାଦାର ପଦରୁ ବହିଃଷ୍କାର କରିବାପାଇଁ ସୁପାରିଶ କରିଛନ୍ତି । ଏସବୁ ଅଷ୍ଟାଦଶ ଶତାବ୍ଦୀର ଘଟଣା ନୁହେଁ, ସମସାମୟିକ ଘଟରାର ପ୍ରତିଫଳନ । ଏକ ଦିଗରେ ସୁବାଦାରଙ୍କ ଅମନୁଷ୍ୟତା ଓ ଅନ୍ୟଦିଗରେ ଡୁମନ ସରଦାରଙ୍କ ମାନବିକ ଗୁଣାବଳୀର ବର୍ଣ୍ଣନା ମଧ୍ୟରେ ଲେଖକ ସାଧାରଣ ମନୁଷ୍ୟଠାରେ ଉଚ୍ଚମାନବିକ ଗୁଣର ସଂଧାନ କରିଥିବାର ଦେଖାଯାଏ । ଯେଉଁଠାରେ କ୍ଷମତା ସେହିଠାରେ କଳୁଷ, ଏହାହିଁ ଯେପରି ଲେଖକ ବାରମ୍ବାର ସୂଚାଇଛନ୍ତି ଏହି ଡକାୟତଦଳକୁ ସମର୍ଥନ କରୁଥିଲେ ବାବାଜୀ ହନୁମାନ ଦାସ ଓ ଗିରିଧାରୀ ଦାସ । ବିବାସିନୀ ଉପନ୍ୟାସଟି ରୋମାଞ୍ଚକର ଐତିହାସିକ ଘଟଷର ପୃଷ୍ଠପଟରେ ରଚିତ ହୋଇଥିବାରୁ ଏଥିରେ ପୁରୁଷଚରିତ୍ରଙ୍କ ବାହୁଲ୍ୟ ଦେଖିବାକୁ ମିଳେ । ଏଇ ଉପନ୍ୟାସଟିର ନାୟିକା କଳାବତୀର ଅନ୍ୟନାମ ବିବାସିନୀ । କଳାବତୀ ଓ ରସକଳା ଦୁଇଟି ପରିପୂରକ ଚରିତ୍ର, ରସକଳା, କଳାବତୀ ଓ ଭୂୟାଁ ଦଳପତି ରଘୁନାଥ ପଟ୍ଟନାୟକଙ୍କୁ ଘେନି ଏଠାରେ ପ୍ରେମର ତ୍ରିଭୁଜ ଅଙ୍କିତ ହୋଇଅଛି । ରଘୁନାଥ ପଟ୍ଟନାୟକଙ୍କର ପୌରୁଷ ଅତିମାନୁଷିକ ଶକ୍ତି ଓ ହୃଦୟବତ୍ତାର ପରସ୍ଫୁଟନ ପାଇଁ ଏଇ ଦୁଇଟି ନାରୀ ଚରିତ୍ର ଯଥାଯଥରୂପେ ପ୍ରଣୟିନୀ ଓ ପ୍ରେମିକା ଭୂମିକା ଗ୍ରହଣ କରିଅଛନ୍ତି । ଉପନ୍ୟାସର ଶୈଳୀଦିଗରୁ ରାମଶଙ୍କର ଆଖ୍ୟାୟିକା ବର୍ଣ୍ଣନା, ଦିଗ୍‌ଦୃଶ୍ୟ ଅବତାରଣା, ଚରିତ୍ରମୁଖୀ ସଂଳାପ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହାନ୍ତି । ନାନାସ୍ଥଳରେ ନିବଦ୍ଧଧର୍ମୀ ଟୀକା ଟିପ୍‌ପଣୀର ମଧ୍ୟ ଆଶ୍ରୟ ନେଇଛନ୍ତି । ଏଇ ଉପନ୍ୟାସ ଲେଖିବା ମୂଳରେ କେବଳ ଏଇ ମନୋରଂଜନ କାହାଣୀ ପରିବେଷଣ ନୁହେଁ ସମସାମୟିକ ଧର୍ମୀୟ, ସାମାଜିକ ଚିନ୍ତାଧାରା ସହିତ ଯେପରିକି ଆମକୁ ପରିଚିତ କରାଇବାକୁ ଅଧିକ ପ୍ରୟାସ କରିଛନ୍ତି । ରାମଶଙ୍କର ଉଦାରମନା ଥିଲେ । ସେ ଯେପରି ଅନ୍ଧ କୁସଂସ୍କାରର ବିରୋଧୀ ଥିଲେ ସେହିପରି ପାଶ୍ଚାତ୍ୟ ରୀତିର ଅନ୍ଧ-ଅନୁସରଣକାରୀ ନଥିଲେ । ତେବେ ତାଙ୍କର ନାୟିକା କଳାବତୀ ଚରିତ୍ର ଚିତ୍ରଣରୁ ମନେହୁଏ ସେ ବିଧବାବିବାହର ପକ୍ଷପାତୀ ନଥିଲେ । ତତ୍ୱପ୍ରଚାର, ନୀତିଉପଦେଶର ବାହୁଲ୍ୟବର୍ଣ୍ଣନାରେ ପରିମିତି ବୋଧର ଅଭାବ, ଆଳଂକାରିକ ଶୈଳୀ ଔପନ୍ୟାସିକ ଭାବେ ରାମଶଙ୍କରଙ୍କୁ ଯଥାର୍ଥ ସାଫଲ୍ୟରୁ ବଞ୍ଚିତ କରିଅଛି । ରାମଶଙ୍କରଙ୍କ ଭାଷାଶୈଳୀ କ୍ଳିଷ୍ଟ ଓ ସ୍ଥଳବିଶେଷରେ ସାଧୁସଂସ୍କୃତ ସହିତ କଥିତ ଗ୍ରାମ୍ୟଭାଷାର ବିନିଯୋଗ ଗୁରୁଚଣ୍ଡାଳ ଦୋଷପରି ମନେହୁଏ । ତେଣୁ ରାମଶଙ୍କରଙ୍କ “ଗଦ୍ୟଶୈଳୀ ଉପନ୍ୟାସ ଅନୁପଯୋଗୀ ଓ ଏକ ଅପ୍ରୀତିକର ବାଣଭଟୀ ଭାଷା ।”

 

ll ୬ ll

 

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଦୁଇଟି ଯୁଗାନ୍ତକାରୀ ଉପନ୍ୟାସ ପ୍ରକାଶ ପାଇଥିଲା । ପ୍ରଥମଟି ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ଓ ଦ୍ୱିତୀୟଟି ଗୋପାଳବଲ୍ଲଭଙ୍କ ‘ଭୀମାଭୂୟାଁ’ । ଛମାଣ ଆଠଗୁଣ୍ଠ ଉତ୍କଳ ସାହିତ୍ୟପତ୍ରିକା ପ୍ରଥମଖଣ୍ଡ ଦଶମ ସଂଖ୍ୟା (୧୮୯୭)ରୁ ଆରମ୍ଭ ହୋଇ ଦ୍ୱିତୀୟ ଖଣ୍ଡ ସପ୍ତମ ସଂଖ୍ୟା (୧୮୯୯)ରେ ଶେଷ ହୋଇଥିଲା । ଭୀମାଭୂୟାଁ ୧୮୯୮ରେ ଗୋପାଳବଲ୍ଲଭ ରଚନା କରିଥିଲେ । ଊନବିଂଶ ଶତାବ୍ଦୀର ଉପନ୍ୟାସ ରଚନାଧାରା ଯେଉଁ ଗତାନୁଗତିକ ପଥରେ ପ୍ରବାହିତ ହେଉଥିଲା ତାହାରି ଗତି ଭିନ୍ନମୁଖୀ ହେଲା । କେବଳ ରୋମାଞ୍ଚକର ଗଳ୍ପ ଅଥବା ଲୋମହର୍ଷଣକାରୀ ଘଟଣାର ବର୍ଣ୍ଣନା ଉପନ୍ୟାସର ଉପଜୀବ୍ୟ ହୋଇ ରହିଲାନାହିଁ । ଉପନ୍ୟାସରେ ପ୍ରଥମଥର ପାଇଁ ବୃହତ୍ତର ଜନଜୀବନର ସାଧାରଣ ସୁଖଦୁଃଖର ଅତି ପରିଚିତ କାହାଣୀ ମାଧ୍ୟମରେ ଏକ ମନୋଜ୍ଞ ଆଲେଖ୍ୟ ଅଙ୍କନର ପ୍ରୟାସ ହେଲା । ଔପନ୍ୟାସିକମାନେ କେବଳ କଳ୍ପନା ବା ଉଦ୍ଭାବନୀଶକ୍ତିର ଆଶ୍ରୟ ନଦେଇ ନିଜର ଅନୁଭବ ଓ ବ୍ୟକ୍ତିଗତ ଜୀବନର ମହାନ୍‌ ଅଭିଜ୍ଞତା ଉପାଦାନରେ ଉପନ୍ୟାସ ସୃଷ୍ଟିରେ ପ୍ରୟାସୀ ହେଲେ । ଫକୀରମୋହନଙ୍କ ଥିଲା ସୁଦୀର୍ଘ କର୍ମମୟ ଜୀବନର ଅଭିଜ୍ଞତା । ସେ ଥିଲେ ଊନବିଂଶ ଶତକର ଉତ୍କଳୀୟ ନବଜାଗରଣର ଶ୍ରେଷ୍ଠ ପଥିକୃତ । ଦୀର୍ଘ ଅର୍ଦ୍ଧଶତାବ୍ଦୀ କର୍ମମୟ ଜୀବନର ଅବସାନ ପରେ ଫକୀରମୋହନଙ୍କ ଏକ ନବଜନ୍ମ ଘଟିଲା କଥାଶିଳ୍ପୀ ଭାବେ । ଅତି ସରଳ ଓ ସାଧାରଣ ଘଟଣାକୁ କେନ୍ଦ୍ରକରି ସେ ଗଢ଼ିବସିଲେ ଅନବଦ୍ୟ ଚରିତ୍ରରାଜି । ଫକୀରମୋହନଙ୍କ ଏଇ ଦୃଷ୍ଟି ଭୀମାଭୂୟାଁରେ ମଧ୍ୟ ଅଭାବ ନୁହେଁ । ଭୀମାଭୂୟାଁରେ ମଧ୍ୟ ଘଟଣା ଗୌଣ ଚରିତ୍ରହିଁ ପ୍ରଧାନ । ମାନବୀୟ ମହତ୍ତ୍ୱ ଓ ଉଦାରତା ପ୍ରକୃତି କୋଳରେ ଲାଳିତ ଅତିସାଧାରଣାଠରେ ମଧ୍ୟ ଦୁର୍ଲଭ ନୁହେଁ-। ଏହି ଆଦର୍ଶରେ ଚାଳିତ ହୋଇ ଆଦିବାସୀ ବହୁଳ ଗଡ଼ଜାତ ଅଞ୍ଚଳରେ ନିଜକର୍ମ ଜୀବନର ଅନୁଭୂତି ଭିତ୍ତିରେ ଏହି ଉପନ୍ୟାସଟି ରଚିତ । ଗୋପାଳବଲ୍ଲଭ (୧୮୭୦-୧୯୧୪) ୧୮୪୪ରେ ରେଭେନ୍‌ସା କଲେଜର ଛାତ୍ର ଭାବରେ ପ୍ରଥମେ ଏମ୍‌.ଏ. ପାଶ କରି ଡେପୁଟି କଲେକ୍ଟର ଭାବରେ କର୍ମ ଜୀବନରେ ଯୋଗ ଦେଇଥିଲେ । ୧୮୯୧ ମସିହାରେ ସେ ହୋଇଥିଲେ ଓଡ଼ିଶାର ଗଡ଼ଜାତ ସମୂହର ଆସିଷ୍ଟାଣ୍ଟ ସୁପରିଂଟେଣ୍ଡେଣ୍ଟ । ପ୍ରଥମ ଜୀବନରେ ସେ କବିତା ଓ ଅନୁବାଦ ମାଧ୍ୟମରେ ସାହିତ୍ୟରେ ପ୍ରବେଶ କରିଥିଲେ । ପରିଶେଷରେ ସେ ବୁଝିଥିଲେ ତାଙ୍କର ଯୁଗ ପଦ୍ୟପାଇଁ ନୁହେଁ, ଗଦ୍ୟ ପାଇଁ ଯଥେଷ୍ଟ ଅନୁକୂଳ । ସେଥିପାଇଁ ସେ ଉପନ୍ୟାସ ରଚନାରେ ବ୍ରତୀ ହୋଇଥିଲେ ଓ ଏହି ଉପନ୍ୟାସଟି ସେ ସମୟରେ ଇଂରେଜ ଶାସକ ଆଣ୍ଡ୍‌ହେଣ୍ଡରସନ୍‌ ଲିରାଫ୍ରେସରଙ୍କୁ ଉତ୍ସର୍ଗ କରିଥିଲେ । ଲେଫାଟନାଣ୍ଟ ଗଭର୍ଣ୍ଣରଙ୍କ ଓଡ଼ିଶା ଗଡ଼ଜାତ ଭ୍ରମଣର ସ୍ମୃତି ସ୍ମାରକୀଭାବେ ଭୂୟାଁ ଉପଜାତିର କାହାଣୀ ସମ୍ବଳିତ ଏଇ ଗ୍ରନ୍ଥଟି ରଚିତ ହୋଇଥିଲା । ଲେଖକଙ୍କ ଭାଷାର “ଆଦିମ ଭୂୟାଁ ଅଧ୍ୟୁସିତ ପାର୍ବତ୍ୟ ଭୂମିରୁ ସାଉଁଟା ହୋଇଥିବା ଗୋଟିଏ ଅରଣ୍ୟ ପ୍ରସୂନ । ଏହା କବି ରାଜନୀତିଜ୍ଞ ଓ ଦାର୍ଶନିକଙ୍କୁ ଚିନ୍ତାର ଖୋରାକ ଯୋଗାଇପାରେ” । ପ୍ରକୃତରେ ଗୋପାଳବଲ୍ଲଭଙ୍କର ଏଇ ଦୂରଦୃଷ୍ଟି ଥିଲା ଏକାନ୍ତ ଯୁଗାନ୍ତକାରୀ । ଆଦିବାସୀ ଜୀବନଘେନି ଉପନ୍ୟାସ ରଚନାରେ ଅତ୍ୟାଧୁନିକ ପରଂପରା ବିଂଶ ଶତକର ପ୍ରାୟ ଦ୍ୱିତୀୟାର୍ଦ୍ଧ ବେଳକୁ ଓଡ଼ିଆ ସାହିତ୍ୟରେ ଦେଖାଦେଇଛି । ଏହା ଯେପରିକି ତା’ର ପୂର୍ବସୂଚନା । ଭୂୟାଁମାନଙ୍କର ଜୀବନଚିତ୍ରର ବାସ୍ତବ ପଟଭୂମିରେ ରଚିତ ହେଲେହେଁ ଓ ଭୀମାଭୂୟାଁର ଚରିତ୍ରରେ ଉଦାର ମାନବୀୟ ଆଦର୍ଶର ପରିସ୍ଫୁଟନ ସତ୍ୱେ ବାସ୍ତବତା ଉପରେ ଚାପକଥା ସୁଲଭ ଅତି ପ୍ରାକୃତିକତାର ଉପାଦାନ ଉପନ୍ୟାସକୂ କେତେକ ପରିମାଣରେ ରୋମାନ୍‌ସଧର୍ମୀ କରିଅଛି । ଆଦିବାସୀଙ୍କ ଜୀବନ ପ୍ରକୃତି କୋଳରେ ଲାଳିତ । ତାଙ୍କର ପ୍ରଣୟରେ ନାରୀର ଭୂମିକା, ପୁରୁଷ ସହିତ ସମାନ ମର୍ଯ୍ୟାଦାରେ ଅଧିଷ୍ଠିତ । ମୁକ୍ତ ପ୍ରଣୟ, ଅବାରିତ ପ୍ରାକୃତିକ ଜୀବନ ମଧ୍ୟରେ ଈର୍ଷା ଦ୍ୱନ୍ଦ୍ୱ ଓ ସଂଘର୍ଷର ଚିତ୍ରରେ ଉପନ୍ୟାସଟି ଯଥେଷ୍ଟ ଉପଭୋଗ୍ୟ ହୋଇଛି । କାହାଣୀଟି ମୁଖ୍ୟତଃ ପ୍ରେମମୂଳକ । ଏକ ଦିଗରେ ଚିନାମାଳୀ ଅନ୍ୟ ଦିଗରେ ରାଜଜେମାଙ୍କ ପ୍ରତି ପ୍ରେମର ଦୈହିକ ବର୍ଣ୍ଣନାର ଊଦ୍ଧ୍ୱର୍କୁ ଉପନ୍ୟାସର ନାୟକ ଭୀମାକୁ ଲେଖକ ଉତ୍ତୀର୍ଣ୍ଣ କରାଇଛନ୍ତି । ଏକ ନୈତିକ ଆବେଗଦ୍ୱାରା ଚାଳିତ ହୋଇ ଲେଖକ ଯେପରିକି ଏଇ ଅପ୍ରାକୃତିକ ସଂଯତ ପ୍ରଣୟଚିତ୍ର ପ୍ରକାଶ କରିଅଛନ୍ତି । ପ୍ରଣୟର ସାର୍ଥକତା ଭୋଗରେ ଦୁହେଁ ତ୍ୟାଗରେ । ଏହାହିଁ ଭୀମାର ଚରିତ୍ରରେ ପ୍ରତିପାଦିତ ହୋଇଛି । ଜଣେ ସାଧାରଣ ଆଦିବାସୀ ଧାଙ୍ଗଡ଼ ଭାବରେ ଆବିର୍ଭୂତ ଭୀମା ନାନା ଦୈହିକ ଶକ୍ତିର ପରୀକ୍ଷା ଭିତରଦେଇ ପରିଶେଷରେ ଆଧ୍ୟାତ୍ମିକ ଶକ୍ତିର ସଂଧାନ ଲୋଡ଼ିଅଛି ଓ ରାଜଜେମାଙ୍କୁ ନିଜର ସାଧନାର ସଙ୍ଗିନୀରୂପେ ଗ୍ରହଣ କରି ସାଧୁର ଜୀବନ ବିତାଇଅଛି । ଘଟଣା ପ୍ରବାହ ସଙ୍ଗେ ସଙ୍ଗେ ଚରିତ୍ରଗୁଡ଼ିକର ମାନସିକ ଅନ୍ତଦ୍ୱର୍ନ୍ଦ ଫୁଟାଇବାରେ ଲେଖକଙ୍କ ପ୍ରୟାସ ଅତିଶ୍ଳାଘ୍ୟ ଓ ସୁନ୍ଦର । ପ୍ରଧାନ ଚରିତ୍ରର ପୁଷ୍ଟିଲାଗି ରାଜା ହରିଚନ୍ଦନ ମର୍ଦ୍ଦରାଜଙ୍କଠାରୁ ସାଧୁ ସର୍ଦ୍ଦାର, ନଅର କିଶୋର ଚନ୍ଦ୍ରଶେଖର ପଟ୍ଟନାୟକ, ରମ୍ପକସିଂଙ୍କଠାରୁ ବେବର୍ତ୍ତା ତ୍ରିଲୋଚନ ମହାପାତ୍ରଙ୍କ ପର୍ଯ୍ୟନ୍ତ ସବୁ ଚରିତ୍ର ପ୍ରତି ଲେଖକଙ୍କ ମମତା ଓ ସମଦୃଷ୍ଟି ଥିଲେବି ଭୀମା ଓ ବେବର୍ତ୍ତା ପରସ୍ପରର ପରିପୂରକ ଭାବେ ବିଦ୍ୟମାନ । ନିଜ ଅପକର୍ମ ଯୋଡ଼ାଇବା ପାଇଁ ବେବର୍ତ୍ତା ଫଳହାରୀ ବାବାଜୀଙ୍କ ଭକ୍ତ ସାଜି ଝୁଲାମୁଣା ଧରିଛି । କିନ୍ତୁ ଭୀମା ପତନବଂଧୁର ଜୀବନର ସିଡ଼ିରେ, କର୍ତ୍ତବ୍ୟର କଠୋର ଶିଳାରେ ବାରମ୍ବାର ଆଘାତ ଖାଇ ଯଥାର୍ଥ ଧାର୍ମିକ ଅନୁଭୂତି ଲାଭ କରିଅଛି । ହୁଏତ କାବ୍ୟିକନ୍ୟାୟ ଦୃଷ୍ଟିରେ ଆପଣା ଅପକର୍ମର ଫଳସ୍ୱରୂପ ବେବର୍ତ୍ତୀଙ୍କୁ ଲେଖକ ମୃତ୍ୟୁଦଣ୍ଡ ଦେଇଛନ୍ତି । ଜାତିଗତ ଅହମିକାର ସମସ୍ତ ଖୋଲସ ଖସିପଡ଼ିଛି । ଉଚ୍ଚକୁଳ ଜାତି ବେବର୍ତ୍ତା ନୀଚକାର୍ଯ୍ୟ କରିବାକୁ କୁଣ୍ଠାବୋଧ କରିନାହାନ୍ତି । ଭିନ୍ତୁ ଭୂୟାଁ ଯୁବକ ଭୀମା ଅତି ସାଧାରଣ ପରିବେଶ ଓ ସମାଜର ନିମ୍ନତମ ସ୍ତରରୁ ନିଜର ମହତ କର୍ମର ଫଳଭାଗୀ ହୋଇ ମହତ୍‌ତମ ବ୍ୟକ୍ତିତ୍ୱ ଲାଭ କରିଅଛି । ଚିନାମାଳୀ, ରାଜଜେମା, ବେବର୍ତ୍ତାଣୀ ଆଦି ନାରୀଚରିତ୍ରର ସମାହାର ଉପନ୍ୟାସଟିକୁ ଉପଭୋଗ୍ୟ କରିଛି । ପୁରୁଷର ସକଳ ସୁକର୍ମ ଓ ଦୁଃଷ୍କର୍ମରେ ଏହି ନାରୀମାନେ ସମାନ ଭାଗୀଦାର ହେଇଅଛନ୍ତି । ଗୋଟିଏ ଦୃଷ୍ଟିରୁ ଦେଖିଲେ ଭୀମାଭୂୟାଁ ଏକ ପାରିବାରିକ ଉପନ୍ୟାସ । ସାଧୁ ସର୍ଦ୍ଦାରଙ୍କ ପରିବାରର କାହାଣୀ ଘେନି ଏହା ରଚିତ । କିନ୍ତୁ ଭୂୟାଁମାନଙ୍କ ରୀତିନୀତି ଦେଶୀୟ ରାଜ୍ୟର ଶାସନ, ରାଜାଙ୍କ ବିଚାର, ଯୁଦ୍ଧଆଦି ସବୁ ଘଟଣା ଅତି ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନାଦ୍ୱାରା ଲେଖକ ସାମାଜିକ ବାସ୍ତବତା ଘେନି ନିଜର ସଚେତନାତାର ପରିଚୟ ଦେଇଛନ୍ତି । ଜୀବନପ୍ରତି ଗୋପାଳବଲ୍ଲଭଙ୍କ ଦୃଷ୍ଟିକୋଣ ଉଦାର, ଆଦର୍ଶେନ୍ମୁଖୀ ନୀତିବାଦର ସେ ପୂର୍ଣ୍ଣ ସମର୍ଥକ । ସତେ ଯେପରିକି ଆପଣା ଯୁଗର ଶିକ୍ଷିତ ସମାଜର ଧର୍ମ ନାମରେ ଅଧର୍ମ ଆଚରଣର ରୀତି ଲେଖକଙ୍କୁ ବ୍ୟଥିତ କରିଥିଲା । ଲେଖକଙ୍କ ଉକ୍ତିରେ ବାଣାସୁର ଓ ଭୀମା ଜାତିକୁଳର ମାନମର୍ଯ୍ୟାଦା ରୀତିନୀତିକୁ ଫିଙ୍ଗିଦେଲା ଭଳି ଲୋକ ନୁହନ୍ତି । ମୁକ୍ତ ଭାବରେ ବିବାହ କରି ନିଜର ଲୋକ ବା ଧର୍ମ ଅକ୍ଷିରେ ଧୂଳିଦେବା ଭଳି ଶିକ୍ଷିତ ହୋଇ ନାହାନ୍ତି । ଭୀମାଭୂୟାଁର ଲେଖକ କାବ୍ୟିକ ବର୍ଣ୍ଣନାଶୈଳୀ ସମ୍ପୂର୍ଣ୍ଣ ପରିହାର କରିନଥିଲେ ବି ନିଜ ରଚନାରେ ସହଜ ଓ ସ୍ୱାଭାବିକ ଭାଷା ବିନିଯୋଗ କରିବାକୁ ଚେଷ୍ଟା କରିଅଛନ୍ତି ।

 

ଫକୀରମୋହନ ଊନବିଂଶ ଶତାବ୍ଦୀରେ ନିଜର ପ୍ରଥମ ଉପନ୍ୟାସ ଛମାଣ ଆଠଗୁଣ୍ଠ ରଚନା କରିଥିଲେ ହେଁ ତାଙ୍କର ଅନ୍ୟ ସମସ୍ତ ଉପନ୍ୟାସ ବିଂଶ ଶତାବ୍ଦୀରେହିଁ ରଚିତ । ତେଣୁ ଫକୀରମୋହନ ଆଧୁନିକ ଓଡ଼ିଆ ସାହିତ୍ୟର ଉନବିଂଶ ଶତାବ୍ଦୀର କବି ଓ ବିଂଶ ଶତକର ଅନନ୍ୟ ସାଧାରଣ ଗଦ୍ୟଶିଳ୍ପୀ ଭାବରେ ଗୃହୀତ ହେବା ସ୍ୱାଭାବିକ । କିନ୍ତୁ ଉନବିଂଶ ଶତାବ୍ଦୀର ଆଦର୍ଶବାଦ, ସାହିତ୍ୟରୁଚି, ଜୀବନବୋଧ ଏହିସବୁର ଯେପରିକି, ପରିଣତିର ସ୍ୱାକ୍ଷର ତାଙ୍କର ଛମାଣ ଆଠଗୁଣ୍ଠରେ ହିଁ ମିଳିଥାଏ । ଏହି ଛମାଣ ଆଠଗୁଣ୍ଠକୁ ବିଂଶଶତକର ଭାବଭୂମିରେ ଉପସ୍ଥାପିତ କରିବାରେ କୌଣସି ବାଧା ଜନ୍ମେନାହିଁ । କାରଣ ଏହା ଏକ କାଳଜୟୀ ସୃଷ୍ଟି । କିନ୍ତୁ ଊନବିଂଶ ଶତାବ୍ଦୀରେ ଓଡ଼ିଆ କଥାସାହିତ୍ୟର ବ୍ୟାପ୍ତି ଓ କଳନା ପ୍ରସଙ୍ଗରେ ଏକାନ୍ତ ସ୍ମରଣୀୟ ରାଧାନାଥଙ୍କ ଇତାଲୀୟ ଯୁବା । ଏହା ଅନୁକରଣ ବା ଆହରଣ ହେଉ ଆଧୁନିକ କଥାସାହିତ୍ୟର ବହୁ ମୂଳସୂତ୍ର ଏହି ଉପନ୍ୟାସଟିରେ ଗ୍ରଥିତ ହୋଇଅଛି । ପ୍ରଥମତଃ ଏହାର ଗଦ୍ୟ, ଗଦ୍ୟଛନ୍ଦର ବୈଚିତ୍ର୍ୟ ଓ ଗତି ରାଧାନାଥଙ୍କୁ ଯେପରି ଜଣାଥିଲା ବୋଧହୁଏ ତାହା ଆଉ ସେପରି କାହାକୁ ଜଣାନଥିଲା । ନିଟୋଳ ବାକ୍ୟର ବିନ୍ୟାସ, ସୁନିର୍ବାଚିତ ଶବ୍ଦର ପ୍ରୟୋଗ ଓ ପ୍ରତ୍ୟେକ ଦୃଶ୍ୟ ଓ ଭାବର ପରିଚ୍ଛନ୍ନ ପ୍ରକାଶ ଏହି ରଚନାର ପ୍ରତ୍ୟେକ ପଂକ୍ତିରେହିଁ ଦେଖିବାକୁ ମିଳେ । ଆଧୁନିକ ଉପନ୍ୟାସ କେତୋଟି ମୂଳସୂତ୍ର ଉପରେ ଗଠିତ । ପ୍ରଥମତଃ ମନୁଷ୍ୟର ଅନ୍ତଃପ୍ରବୃତ୍ତିର ବିକାଶସୂତ୍ର ସଂଧାନ । କେହି ଚୋର ବା ସାଧୁ ଭାବରେ ଜନ୍ମଲାଭ କରେ ନାହିଁ । ମାତ୍ର ପରିବେଶର ପରିଣାମରେ ବ୍ୟକ୍ତିର ଚରିତ୍ର ଗଢ଼ିଉଠେ । ଏଇ ଦୃଷ୍ଟିରେ ଦେଖିଲେ ସମାଜ ଯେଉଁମାନଙ୍କୁ ଅପକର୍ମ ପାଇଁ ତାତ୍ସଲ୍ୟକରେ କବି ଓ ଲେଖକଙ୍କ ଦୃଷ୍ଟି ସେହିଠାରେ ହିଁ ସତ୍ୟର ସଂଧାନ କରେ ଓ ଅପକର୍ମକାରୀଙ୍କର ହୃଦୟର ମହତ୍ତ୍ୱ ଫୁଟାଇଦିଏ । ରାଧାନାଥଙ୍କ ଅଙ୍କିତ ଇଟାଲୀୟ ଯୁବା ଚରିତ୍ରରେ ଏହି ଦିଗଟି ଅତି ସୁନ୍ଦର ଭାବରେ ଫୁଟିଉଠିଅଛି । ଠିକ୍‌ ସେହିପରି ନୈତିକତା ସହିତ ପ୍ରବୃତ୍ତିର ସଂଘାତ । ଏହାହିଁ ଆଧୁନିକ ମନୁଷ୍ୟର ଭଗ୍ନମନସ୍କତାର ଅନ୍ୟତମ କାରଣ । ରାଧାନାଥ ଅତି ସୁନ୍ଦର ଭାବରେ ନିଜର କାହାଣୀଟିରେ ଏହାର ଇଙ୍ଗିତ କରିଛନ୍ତି । ଧନୀ ଅଭିଜାତ ଘରର ସନ୍ତାନ ସୁଖର ନୀଡ଼ଛାଡ଼ି କିପରି ନିରୁଦ୍ଦିଷ୍ଟ ହୁଏ; ଅତି ପରିଚିତଙ୍କ ମଧ୍ୟରେ ଘୃଣା ଓ ବିଦ୍ୱେଷ ଓ ଅପରିଚିତଙ୍କ ମଧ୍ୟରେ ନିବିଡ଼ ବନ୍ଧୁତ୍ୱର ବନ୍ଧନ କିପରି ଗଢ଼ିଉଠେ ରାଧାନାଥହିଁ ପ୍ରଥମେ ସ୍ୱାଭାବିକ କାହାଣୀ ମଧ୍ୟରେ ଦେଖାଇ ଦେଇଛନ୍ତି । ଏଇସବୁ ଦିଗରୁ ବିଚାର କଲେ ରାଧାନାଥଙ୍କଠାରେ ଜଣେ କଥାସାହିତ୍ୟିକର ପରିଣତିର ସ୍ୱାକ୍ଷର ନଥିଲେହେଁ ଥିଲା ଅନନ୍ୟ ଦୂରଦୃଷ୍ଟି ଓ ଅପୂର୍ବ ଗ୍ରାହିକାଶକ୍ତି । ଦୂରଦେଶ ଓ କାଳର ପରିଧିରୁ ଏକ ଚିରନ୍ତନ ହୃଦୟଗ୍ରାହୀ କଥିକାଟିଏ ସଂଗ୍ରହକରି ଓଡ଼ିଆ ଉପନ୍ୟାସର ଶୁଭସୂଚନା ଦେଇଅଛନ୍ତି । ରାଧାନାଥଙ୍କ ଆଉ ଏକ ବୈଶିଷ୍ଟ୍ୟ ହେଉଛି ସେ ଉପନ୍ୟାସଟିକୁ ସମ୍ପୂର୍ଣ୍ଣରୂପେ ଆଧୁନିକ ଗତିଶୀଳ ଜୀବନର ପୃଷ୍ଠଭୂମିରେ ସ୍ଥାପନ କରିଛନ୍ତି । ଆଧୁନିକ ପରିବହନ (ଜାହାଜ, ରେଳଗାଡ଼ି ଇତ୍ୟାଦି) ଓ ଗଣସଂଯୋଗ ମାଧ୍ୟମ (ସମ୍ବାଦପତ୍ର, ଡାକ ଚଳାଚଳ ଇତ୍ୟାଦି)ର ପରିପୂର୍ଣ୍ଣ ବିନିଯୋଗ କରିଛନ୍ତି । ଗଳ୍ପର ବିୟୋଗାନ୍ତ ପରିଣତିରେ କାରୁଣ୍ୟ କୋମଳ, ଲାବଣ୍ୟମଧୁର ଚିରନ୍ତନ ମାନବତାର ଚିତ୍ର ଅଙ୍କନ କରିଛନ୍ତି ।

Image

 

ବିଂଶ ଶତକର ଓଡ଼ିଆ ଉପନ୍ୟାସ : ପ୍ରଥମ ପର୍ବ

 

ଭାରତର ଜାତୀୟ ଜୀବନରେ ବିଂଶ ଶତକ ଏକ ନୂତନ ଭାବଚେତନା ସୃଷ୍ଟିକଲା । ଏହାଥିଲା ନବଜାଗରଣ ଓ ନବନିର୍ମାଣର ଯୁଗ । ଆଧୁନିକ ସମାଜ ଗଠନରେ ପାଶ୍ଚାତ୍ୟ ଶିକ୍ଷାର ବିକାଶ, ଏକ ଶିକ୍ଷିତ ମଧ୍ୟ ଶ୍ରେଣୀର ଅଭ୍ୟୁଦୟ ଓ ଜାତୀୟ ଆନ୍ଦୋଳନର ନବରୂପାୟନ ଘଟିଲା । ଭାରତର ଶିକ୍ଷିତ ମଧ୍ୟଶ୍ରେଣୀର ଭାବଭୂମିରେ ୟୁରୋପର ଜାତୀୟ ଆଦର୍ଶ ଅନୁସରଣରେ ବିଦେଶୀ ଶାସକଙ୍କ ପ୍ରତି ଘୃଣା ଓ ଅବିଶ୍ୱାସରୁ ଜନ୍ମଲାଭକରି ଭାବୁକ, କବି, ସାହିତ୍ୟିକ ଓ ଦେଶପ୍ରେମିକଙ୍କର ଭାବଜଗତରେ ଭାରତୀୟ ଆଦର୍ଶବାଦ ଜୀବନର ସକଳସ୍ତରକୁ ସ୍ପର୍ଶକଲା । ଭାରତ୍ରୀୟ ଜାତୀୟ କଂଗ୍ରେସର ପ୍ରଭାବ ଅଧିକରୁ ଅଧିକ ଜାତୀୟ ଜୀବନରେ ଅନୁଭୂତ ହେଲା । ଏହାରି ମାଧ୍ୟମରେ ପ୍ରାଚ୍ୟ ଓ ପାଶ୍ଚାତ୍ୟର ନାନାବିଧ ଆଦର୍ଶ ଭାରତୀୟ ଜନମାନସକୁ ପରିବର୍ତ୍ତିତ ଓ ସଂହତ କରିବାରେ ସମର୍ଥ ହେଲା । ଊନବିଂଶ ଶତକରେ ଧର୍ମ ଓ ସଂସ୍କୃତି ଦିଗରୁ ଇଂରେଜମାନଙ୍କ ବିରୋଧରେ ଏକ ପ୍ରତିକ୍ରିୟା ଜାତ ହୋଇଥିଲା । ମାତ୍ର ବିଂଶ ଶତକରେ ଏଥିସହ ରାଜନୈତିକ ପ୍ରତିକ୍ରିୟାର ସମିଶ୍ରଣ ଘଟିଲା । ବିଂଶ ଶତକର ଆଦ୍ୟପାଦରେ ବିଶ୍ୱଇତିହାସର ଦୁଇଟି ପ୍ରସିଦ୍ଧ ଘଟଣା ଭାରତବର୍ଷର ଜନଜୀବନକୁ ବିଶେଷ ପ୍ରଭାବିତ କଲା । ପ୍ରଥମଟି ୧୯୦୫ ଖ୍ରୀ: ଜାପାନର ରୁଷିଆ ଉପରେ ବିଜୟ, ଦ୍ୱିତୀୟଟି ପ୍ରଥମ ବିଶ୍ୱଯୁଦ୍ଧରେ (୧୯୧୪-୧୮) ଭାରତୀୟମାନଙ୍କର ଅଂଶଗ୍ରହଣ । ଜାପାନ୍‍ର ବିଜୟ ସମଗ୍ର ଏସିଆରେ ଗର୍ବ ଓ ଗୌରବବୋଧ ଆଣିଦେଲା । ଆଧୁନିକତା ଓ ପାଶ୍ଚାତ୍ୟ ଆଧିପତ୍ୟ ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ଚିନ୍ତାଶୀଳ ବ୍ୟକ୍ତିମାନେ ସମର୍ଥ ହେଲେ । ୟୁରୋପୀୟଙ୍କ ସଙ୍ଗେ ଯୁଦ୍ଧରେ ଯୋଗଦେଇ ବିଦେଶୀଙ୍କ ସଙ୍ଗେ ଯୋଗ୍ୟତାରେ ସମାନତାବୋଧ ଜାତହେଲା । ସ୍ୱରାଜ୍ୟ କଳ୍ପନା ଗାନ୍ଧୀଜୀଙ୍କ ପ୍ରେରଣାରେ ସମଗ୍ର ଭାରତରେ ଏକ ନୂତନ ଉନ୍ମାଦନା ଖେଳାଇଦେଲା ।

 

ବିଂଶ ଶତକର ଆଦ୍ୟପାଦରେ ଭାରତୀୟ ଜାତୀୟ ଆନ୍ଦୋଳନର ଭାବଚେତନା ଓଡ଼ିଶାରେ ମଧ୍ୟ ଅନୁଭୂତ ହୋଇଥିଲା । ଏ ପର୍ଯ୍ୟନ୍ତ ଇଂରେଜ ଶାସନରେ ଓଡ଼ିଶାର କୌଣସି ସ୍ୱତନ୍ତ୍ର ସ୍ଥିତି ନଥିଲା । ଊନବିଂଶ ଶତକ ଥିଲା ଓଡ଼ିଶା ପକ୍ଷରେ ଏକ ଅନ୍ଧକାରମୟ ଯୁଗ ଓ ନଅଙ୍କ ଦୁର୍ଭିକ୍ଷ ଥିଲା ଓଡ଼ିଶାର ଚରମ ବିପର୍ଯ୍ୟୟର କାଳ । ଏହାର ପ୍ରତିକାର ସ୍ୱରୂପ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ପ୍ରଦେଶରେ ପରିଣତ କରିବା ପାଇଁ ଭାରତ ସଚିବ ସାର୍‌ ଷ୍ଟାଫୋର୍ଟ ନର୍ଥକୋର୍ଟଙ୍କ ମନରେ ୧୮୬୮ରେ ପ୍ରଥମେ କଳ୍ପନା ସ୍ଥାନ ପାଇଥିଲା । ମାତ୍ର ବିଭିନ୍ନ ପ୍ରଦେଶରେ ସଂଖ୍ୟାଲଘୁ ସଂପ୍ରଦାୟ ଭାବରେ ଓଡ଼ିଆମାନେ ରହିବା ଫଳରେ ସାଂସ୍କୃତିକ, ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ଓଡ଼ିଆମାନଙ୍କୁ ସୁଯୋଗ ଦେବାକୁ ପଡ଼ୋଶୀମାନେ ରାଜି ନଥିଲେ । ଏକ ଦିଗରେ ଇଂରେଜୀ ପ୍ରଶାସନ ଓ ଅନ୍ୟ ଦିଗରେ ଏଇ ପଡ଼ୋଶୀମାନଙ୍କର ଅସହିଷ୍ଣୁତା ବିରୁଦ୍ଧରେ ଦେଶପ୍ରେମୀ ଓଡ଼ିଆମାନଙ୍କୁ ଆନ୍ଦୋଳନ କରିବାକୁ ପଡ଼ିଥିଲା । ଏହି ଆନ୍ଦୋଳନର ପରିପୂର୍ଣ୍ଣ ରୂପ ୧୯୦୩ ଖ୍ରୀ:ଅରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଗଠିତ ଉତ୍କଳ ସମ୍ମିଳନୀରେ ପ୍ରକାଶିତ ହୋଇଥିଲା । ଏହି ସମ୍ମିଳନୀ ମଞ୍ଚରେ ମଧୁସୂଦନ ଦାସ, ଗୋପବନ୍ଧୁଙ୍କ ପରି ଦେଶସେବକ, ଫକୀରମୋହନ, ରାଧାନାଥଙ୍କ ଭଳି ସାହିତ୍ୟିକ ରାଜା ମହାରାଜଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କଣ୍ଠରେ ଗୋଟିଏ ଭାଷାକୁ କେନ୍ଦ୍ରକରି ଜାତି ଗଠନର ସଂକଳ୍ପ ଘୋଷିତ ହୋଇଥିଲା । ଏଇ ସଂକଳ୍ପରେ କୌଣସି ସଂକୀର୍ଣ୍ଣତା ନଥିଲା । ଏହି ସମ୍ମିଳନୀର ମଞ୍ଚରେ ଦଣ୍ଡାୟମାନ ହୋଇ ଗୋପବନ୍ଧୁ ଘୋଷଣା କରିଥିଲେ “ଉଦାର ମାନବିକତା ସମ୍ମିଳନୀର ଲକ୍ଷ୍ୟହେଲେ ଭାରତୀୟ ଜାତୀୟ ଆନ୍ଦୋଳନରୁ ଆମେମାନେ ପୃଥକ୍‌ ହୋଇ ରହିଲେ ଚଳିବନାହିଁ-।” ପୁଣି ସେ ଘୋଷଣା କରିଥିଲେ “ଉଦାର ମାନବୀୟ ପୂର୍ଣ୍ଣପ୍ରାଣତା ପ୍ରତ୍ୟେକ ଜାତିର ଲକ୍ଷ୍ୟ । ଏହା ସ୍ଥିର ବିଶ୍ୱାସ ନହେଲେ ବ୍ୟକ୍ତିବିଶେଷର ସମତା ଓ ଏକତା ସମ୍ଭବପର ନୁହେଁ । ୧୯୦୩ ରୁ ୧୯୧୮ ପର୍ଯ୍ୟନ୍ତ ଉତ୍କଳ ସମ୍ମିଳନୀ କେବଳ ଉତ୍କଳୀୟ ଦେଶମିଶ୍ରଣ ପ୍ରସଙ୍ଗ ଘେନି କାର୍ଯ୍ୟ କରୁଥିଲା । ବିଶ୍ୱଯୁଦ୍ଧର ଅବସାନ ସଙ୍ଗେ ସଙ୍ଗେ ଭାରତରେ ଶାସନ ସଂସ୍କାର ଲାଗି ପ୍ରୟାସ ଆରମ୍ଭ ହୋଇଥିଲା । ଏହି ପଟ୍ଟଭୂମିରେ ୧୯୧୯ରେ ଗୋପବନ୍ଧୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଭାରତୀୟ ମହାସମିତିର ଉଦ୍ଦେଶ୍ୟ ଓ ଆକାଂକ୍ଷାଙ୍କୁ ନିଜର ଉଦ୍ଦେଶ୍ୟରୂପେ ଗ୍ରହଣ କରିଥିଲା । ଜଗତରେ ଭାରତର ଓ ଭାରତରେ ଓଡ଼ିଶାର ଯଥାର୍ଥ ସ୍ଥାନ ପ୍ରତିଷ୍ଠା ଉଦ୍ୟମରେ ସମସ୍ତେ ଅନୁପ୍ରାଣିତ ହୋଇଥିଲେ । ଏକ ନବଜାଗ୍ରତ ମାନବିକତାର ଆତ୍ମା ଜାତୀୟ ଜୀବନରେ ପ୍ରତିଫଳିତ ହୋଇଥିଲା । ୧୯୦୫ରେ ପ୍ରକାଶିତ ‘ମୁକୁର’ ୧୯୧୪ରେ ପ୍ରକାଶିତ ‘ସତ୍ୟବାଦୀ’ ୧୯୧୯ରେ ପ୍ରକାଶିତ ‘ସମାଜ’ ପ୍ରଭୃତି ପତ୍ରିକାଗୁଡ଼ିକ ଏହି ଆଦର୍ଶ ଓ ଆକାଂକ୍ଷାର ମୁଖପତ୍ରରୂପେ ପ୍ରକାଶିତ ହେଲା । ‘ସତ୍ୟବାଦୀ’ର ପ୍ରଥମ ସଂଖ୍ୟାର ସଂପାଦକୀୟରେ ଗୋପବନ୍ଧୁ ଯଥାର୍ଥରେ ଲେଖିଥିଲେ “ମାତୃଭାଷା ସାହାଯ୍ୟରେ ମାତୃଭୂମିର ସେବା କରିବାଦ୍ୱାରା ଆମ୍ଭେମାନେ ମହାଭାରତ ସେବା ଏବଂ ସେହି ସୂତ୍ରରେ ବିଶ୍ୱସେବା କରିବାର ଆଶା ରଖିଅଛୁଁ ।”

 

ସାମଗ୍ରିକ ଭାବରେ ସାହିତ୍ୟରେ ମାନବପ୍ରେମ ଓ ଆଧ୍ୟାତ୍ମିକତାର ଆଦର୍ଶ ପ୍ରତିଫଳିତ ହୋଇଥିଲା । ଅତୀତ ପରିବର୍ତ୍ତେ ବର୍ତ୍ତମାନକୁ ଓ ସୁଦୂର ପରିବର୍ତ୍ତେ ନିଜର ସମସାମୟିକ ସମାଜକୁ ଦୃଷ୍ଟି ସମକ୍ଷରେ ରଖି ସାହିତ୍ୟ ସୃଷ୍ଟିର ପ୍ରୟାସ ହେଲା । ଜୀବନର ଏକ ଉଜ୍ଜ୍ୱଳ ଆଲେଖ୍ୟ ଅଙ୍କନ ଉଦ୍ଦେଶ୍ୟରେ ସମାଜରେ ବହୁବିଧ ସମସ୍ୟା ସାହିତ୍ୟର ଅଙ୍ଗୀଭୂତ ହେଲା । ସ୍ୱପ୍ନାକୁଳ ଭାବୁକତା ପରିବର୍ତ୍ତେ ଏକ ସତ୍ୟାଶ୍ରୟୀ ଆଦର୍ଶବାଦ ଓ କ୍ରିୟାଶୀଳତାର ଆଦର୍ଶ ଭାବଜଗତରେ ରାଜତ୍ୱ କଲା-। ସବୁପ୍ରକାର ଅବସାଦକର ବିଷାଦବାଦୀ ଚିନ୍ତାର, ଭାବବାଦୀ ବିଶୃଙ୍ଖଳାର ସ୍ଥାନରେ ଏକ ସହଜ ସ୍ୱତଃସ୍ଫୂର୍ତ୍ତ ସୁଶୃଙ୍ଖଳ କ୍ରିୟାଶୀଳ ମନୋଭଙ୍ଗୀ ପ୍ରକାଶ ପାଇଲା । ଏକ ଦିଗରେ ବୌଦ୍ଧିକତା ଓ ଅନ୍ୟ ଦିଗରେ ମାନବୀୟ ସମ୍ବେଦନଶୀଳତା ମଧ୍ୟରେ ନିହିତ ଅନ୍ତର୍ଦୁଷ୍ଟି ଓ ଶକ୍ତି କଥା-ସାହିତ୍ୟରେ ଏକ ନୂତନ ଦିଗ୍‌ବଳୟର ଉନ୍ମୋଚନ କଲା । ଜୀବନର ପ୍ରାଣବନ୍ୟାରେ ଆତ୍ମପ୍ରକାଶ ଓ ଆତ୍ମପ୍ରତିଷ୍ଠାର ଉଦଗ୍ର ସାଧନାରେ ଶାଣିତ ବିଦ୍ରୂପରେ, ଟ୍ରେଜେଡ଼ୀର କାରୁଣ୍ୟରେ କଥାସାହିତ୍ୟ ଯଥାର୍ଥରେ ହୋଇଉଠିଲା ଜୀବନର ପ୍ରଜ୍ଜୋଳ ମୁଖ୍ୟପତ୍ର ।

 

– ଏକ –

 

“ଫକୀରମୋହନଙ୍କ (୧୮୪୩-୧୯୧୮) ପ୍ରତିଭା ପାରଂପାରିକ କ୍ରମବିକାଶର ଏକ ଉନ୍ମେଷ ନୁହେଁ । ଜଗତର ସବୁ ପ୍ରତିଭାପରି ଏହା ଆକସ୍ମିକ । ୧୮୭୬ରେ ସୌଦାମିନୀ ରଚନା କରି ରାମଶଙ୍କର ଉପନ୍ୟାସର ଜନ୍ମଦାତା ହୋଇଛନ୍ତି । ୧୧୮୮ରେ ପଦ୍ମମାଳୀ ରଚନା କରି ଉମେଶଚନ୍ଦ୍ର ଉପନ୍ୟାସ ଶିଶୁର ମାତୁଳସ୍ଥାନ ଅଧିକାର କରିପାରନ୍ତି, ମାତ୍ର ଯଥାର୍ଥ ପିତାର ଗୌରବ କେବଳ ଫକୀରମୋହନଙ୍କର ପ୍ରାପ୍ୟ ।” (ସମାଲୋଚନା କୁଂଜବିହାରୀ ଦାଶ, ପୃ: ୪୪ ବିଶ୍ୱଭାରତୀ ୧୯୬୨) ଉପନ୍ୟାସ ରଚନା ପୂର୍ବରୁ ଫକୀରମୋହନଙ୍କର ଥିଲା ସୁଦୀର୍ଘ ପ୍ରସ୍ତୁତି । ଫକୀରମୋହନ ନିଜର ସାହିତ୍ୟିକଜୀବନ ଅତି ତରୁଣ ବୟସରୁ ଆରମ୍ଭ କରିଥିଲେ । କିନ୍ତୁ ଯଥାର୍ଥରେ ଏହାଥିଲା ତାଙ୍କ ସଂଗ୍ରାମମୟ ଜୀବନର ଏକ କ୍ଷୀଣ ଅଂଶ । ଆଦ୍ୟ ଯୌବନରେ ୧୮୬୪ ଖ୍ରୀ:ଅରେ ମାତ୍ର ଏକୋଇଶବର୍ଷ ବୟସରେ ଫକୀରମୋହନ ବାଲେଶ୍ୱର ମିଶନ୍‌ ସ୍କୁଲରେ ଶିକ୍ଷକତା ଆରମ୍ଭକଲେ । ସେହି ସମୟରୁ ଆରମ୍ଭ ହୋଇଥିଲା ବୋଧଦାୟିନୀ ପତ୍ରିକା ମଧ୍ୟରେ ତାଙ୍କର ସାହିତ୍ୟ ସାଧନା । ଫକୀରମୋହନଙ୍କ ଔପଚାରିକ ଶିକ୍ଷାଥିଲା ଅତ୍ୟନ୍ତ ଅଳ୍ପ ଓ ପ୍ରାଥମିକ ବିଦ୍ୟାଳୟରେ ସୀମାବଦ୍ଧ । ଜୀବନରୁ ଓ ଗ୍ରନ୍ଥପାଠରୁ ସେ ନିଜର ଅନୁଭୂତି ସଂଚୟ କରିଥିଲେ । ଶିକ୍ଷକ ଭାବେ ତାଙ୍କର ଅବଦାନ ଥିଲା ଓଡ଼ିଆ ବ୍ୟାକରଣ ଓ ଭାରତବର୍ଷର ଇତିହାସ । ଓଡ଼ିଆ ବଙ୍ଗଳାଭାଷା ଘେନି ଦ୍ୱନ୍ଦ୍ୱରେ ଫକୀରମୋହନ ଥିଲେ ଉତ୍ତର ସୀମାନ୍ତର ପ୍ରହରୀ । ବାଲେଶ୍ୱରରେ ତାଙ୍କର ଶିକ୍ଷକଜୀବନ ଥିଲା ସ୍ୱଳ୍ପସ୍ଥାୟୀ । ଫକୀରମୋହନ ସେନାପତି ଏଣ୍ଡ କମ୍ପାନୀ ଓ ପ୍ରେସ୍‌ ମଧ୍ୟ ବେଶିଦିନ ସ୍ଥାୟୀ ହୋଇ ନଥିଲା । ଖ୍ରୀଷ୍ଟ୍ରିୟାନ ମିଶ୍‌ନାରୀମାନଙ୍କ ବିଶ୍ୱାସ ବିରୋଧରେ ଆସି ଫକୀରମୋହନ ଶିକ୍ଷକତା ହରାଇଲେ । ପ୍ରବେଶକଲେ ଗଡ଼ଜାତର କର୍ମ ଜୀବନରେ । ୧୮୭୦ରୁ ୧୮୯୫ ଦୀର୍ଘ ପଚିଶବର୍ଷ ସେ ବିଭିନ୍ନ ଗଡ଼ଜାତରେ କର୍ମଜୀବନ ଅତିବାହିତ କଲେ । ତାଙ୍କ କର୍ମଜୀବନରେ ଥିଲା ଅନୁଭୂତିର ପ୍ରାଚୁର୍ଯ୍ୟ । ଏକ ଦିଗରେ ଖିଆଲୀ ରାଜା ଓ ଅନ୍ୟଦିଗରେ ଅତ୍ୟାଚାରିତ ପରଂପରାପୀଡ଼ିତ ଆଧୁନିକଶିକ୍ଷା ବର୍ଜିତ ଦାରିଦ୍ର୍ୟ ନିପୀଡ଼ିତ ସାଧାରଣ ପ୍ରଜା । ମାନବବାଦୀ ଫକରୀମୋହନ ରାଜା ଓ ପ୍ରଜା ଉଭୟଙ୍କ ହିତାକାଂକ୍ଷୀ ଥିଲେ । ସମ୍ମୁଖରେ ଘଟୁଥିବା ଜୀବନର ବିଚିତ୍ରଲୀଳାର ସେ କେବଳ ମୂକସାକ୍ଷୀ ନଥିଲେ, ଆଖି ଆଗରେ ଘଟୁଥିବାର ବିୟୋଗାନ୍ତ ଘଟଣାର ଜୀବନଦୃଶ୍ୟକୁ ସେ ଯେପରିକି ସ୍ମୃତିରେ ସାଇତି ରଖୁଥିଲେ । ପଞ୍ଚାବନ ବର୍ଷ ବୟସରେ ସକ୍ରିୟ କର୍ମଜୀବନରୁ ଅବ୍ୟାହତି ପରେ ସେ ଓଡ଼ିଆ କଥାସାହିତ୍ୟରେ ପ୍ରବେଶ କରିଥିଲେ । ତାଙ୍କ ଆଖି ଆଗରେ ଥିଲା ଅଳ୍ପ କେତୋଟି ଓଡ଼ିଆ ରୋମାନ୍‌ସ । ଏଗୁଡ଼ିକ ଘଟଣା ପ୍ରଧାନ । ଏହାର ନାୟକ ସତେ ଯେପରିକି ସଖିନାଚର କଣ୍ଢେଇ, ଅଦୃଶ୍ୟ ସୂତ୍ରଧରର ଅଙ୍ଗୁଳି ଚାଳିତ । ସମସାମୟିକ ବିଶ୍ୱସାହିତ୍ୟର ସମୃଦ୍ଧ ପରିଧି ହୁଏତ ଫକୀରମୋହନଙ୍କ ଭାବଲୋକର ବାହାରେ ନଥିଲା । ତାଙ୍କର ଧ୍ୟାନ ଓ ଭୁୟୋଦର୍ଶନର ଜଗତରେ ଗ୍ରନ୍ଥପାଠାର ସ୍ଥାନ ଆଦୌ ଗୌଣ ନଥିଲା । ସେ ପ୍ରାଚ୍ୟ ଓ ପାଶ୍ଚାତ୍ୟର କ୍ଲାସିକ ସହିତ ପରିଚିତ ଥିଲେ । ତାଙ୍କର ଅଧିତବ୍ୟ ଗ୍ରନ୍ଥଗୁଡ଼ିକର ସଂଖ୍ୟା ଅଳ୍ପ ଥିଲେ ବି ବିଷୟରେ ପ୍ରବେଶଥିଲା ଅତି ଗଭୀର । କିନ୍ତୁ ଫକୀରମୋହନଙ୍କୁ କ୍ୱଚିତ ବାହାର କୌଣସି ଛାଞ୍ଚ ଦେବାକୁ ପଡ଼ିଥିଲା । ତାଙ୍କ ଚରିତ୍ରଗୁଡ଼ିକ ଏକ ସମବ୍ୟଥୀ ଦରଦୀ ହୃଦୟର ଏକାନ୍ତ ନିକଟବର୍ତ୍ତୀ । ତେଣୁ ତାଙ୍କ ଉପନ୍ୟାସଗୁଡ଼ିକ ମାଧ୍ୟମରେ ଆମର ଅତି ପରିଚିତ ଜୀବନର ଆଲେଖ୍ୟ ବି ପାଠକଙ୍କ ଚେତନାକୁ ଗଭୀରଭାକେ ସ୍ପର୍ଶ କରିଥାଏ-। ତାଙ୍କ ଉପନ୍ୟାସର ଉପାଦାନ ଊନବିଂଶ ଶତାବ୍ଦୀ ଗ୍ରାମୀଣ ଓଡ଼ିଶାର ଜୀବନ ପ୍ରବାହରୁ ହିଁ ଗୃହୀତ-। ତେବେ ଯୁଗୋଚିତ ପ୍ରଭାବରେ ଫକୀରମୋହନ ସ୍ୱୈର କଳ୍ପନାରୁ ନିଜକୁ ସମ୍ପୂର୍ଣ୍ଣ ମୁକ୍ତ କରିପାରି ନଥିଲେ । ତାଙ୍କର ଐତିହାସିକ ଉପନ୍ୟାସ ‘ଲଛମା’ ଏହାର ନିଦର୍ଶନ । କିନ୍ତୁ ସ୍ୱୈର ଚେତନାର ପ୍ରଭାବ ଅତିକ୍ରମ କରିବାକୁ ଫକୀରମୋହନଙ୍କ ବାସ୍ତବ ଅନୁଭୂତି ଓ ସମକାଳୀନ ଜୀବନଧାରା ପ୍ରତି ତଦାତ୍ମ୍ୟ ବୋଧର ଶକ୍ତି ଥିଲା ପ୍ରବଳ । ସେ କେବଳ ଊନବିଂଶ ଓ ବିଂଶଶତାବ୍ଦୀର ଆରମ୍ଭର ଅତି ସହଜ ବିଶ୍ୱାସୀ ଗ୍ରାମୀଣ ଚରିତ୍ରଠାରୁ ଉଚ୍ଚଭିଳାଷୀ ମଧ୍ୟବିତ୍ତ ଓ କଳ୍ପନାବିଳାସୀ ନବ୍ୟ ପାଶ୍ଚାତ୍ୟ ଶିକ୍ଷିତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିତ୍ର ଫୁଟାଇଛନ୍ତି । ଏକ ଦିଗରେ ପରଂପରା ଓ ସଂସ୍କାର, ଅନ୍ୟ ଦିଗରେ ଅନୁକରଣ ଓ ପାଶ୍ଚାତ୍ୟ ଜୀବନାଦର୍ଶ ମଧ୍ୟରେ ଦ୍ୱିଧାକ୍ରାନ୍ତ ନାଗରିକ ଜୀବନପ୍ରତି ମଧ୍ୟ ତାଙ୍କର ସମବେଦନା ଊଣା ନଥିଲା । ‘ପ୍ରାୟଶ୍ଚିତ୍ତ’ ହିଁ ତାହାର ନିଦର୍ଶନ ।

 

ଏତେ ଅଳ୍ପ ଲେଖି ଏତେ ବେଶି ପ୍ରତିଷ୍ଠା ଫକୀରମୋହନଙ୍କ ଭଳି କ୍ୱଚିତ କାହା ଜୀବନରେ ଘଟିଛି । ଫକୀରମୋହନଙ୍କ ଭଳି କ୍ୱଚିତ କାଦା ଜୀବନରେ ଘଟିଛି । ଛମାଣ ଆଠଗୁଣ୍ଠ, ମାମୁଁ ଓ ପ୍ରାୟଶ୍ଚିତ ସାଙ୍ଗକୁ ଖଣ୍ଡିଏ ମାତ୍ର ଐତିହାସିକ ଊପନ୍ୟାସ ‘ଲଛମା’ । ଲଛମାରେ ଫକୀରମୋହନ ସମସାମୟିକ ରୋମାନ୍‌ସ ପରିଧିରେ ହିଁ ବିଚରଣ କରୁଥିଲେ । ଇଂରେଜମାନଙ୍କଦ୍ୱାରା ସଦ୍ୟ ପ୍ରଚାରିତ ଭାରତୀୟ ଇତିହାସ ହିଁ ଫକୀରମୋହନଙ୍କ ପାଠ୍ୟଥିଲା । ତାକୁଇ ସେ ସତ୍ୟ ବୋଲି ଗ୍ରହଣ କରିଥିଲେ । ତେଣୁ ଇତିହାସର ସତ୍ୟଦୃଷ୍ଟି ତାଙ୍କଠାରେ ପ୍ରକାଶ ପାଇବା ସମ୍ଭବ ନଥିଲା । ଫକୀରମୋହନଙ୍କ ରଚିତ ଭାରତର ଇତିହାସ ୧୮୬୯ ଓ ୮୦ରେ ଦୁଇଭାଗରେ ପ୍ରକାଶ ପାଇଥିଲା । ପ୍ରାୟ ତିରିଶବର୍ଷ ପରେ ଫକୀରମୋହନ ଲେଖିଥିଲେ ଐତିହାସିକ ଗଳ୍ପ ‘ଅପୂର୍ବ ମିଳନ’ । ତାହାର ପରିଣତ ରୂପହେଲା ‘ଲଛମା’ । ଏଥିରେ ନାରୀ ପୁରୁଷ ବେଶ ସାଜିଛି । ରାଧାନାଥଙ୍କ ଊଷା ଓ ପାର୍ବତୀ ଯେପରିକି ପାନରା ଲଛମାଠିଁ ଏକୀଭୂତ ହୋଇଛନ୍ତି । ଖଳନାୟକ ମରହଟ୍ଟା ସେନାପତି ଭାସ୍କର ପଣ୍ଡିତ ବୀରଙ୍ଗନା ଲଛମାର ଛୁରୀରେ ପ୍ରାଣ ହରାଇଛନ୍ତି । ଏ ସମସ୍ତ ଘଟଣାଟି ସ୍ୱୈର ଚିନ୍ତା ପ୍ରସୂତ ଓ ଐତିହାସିକ ଘଟଣାଠାରୁ ବହୁ ଦୂରବର୍ତ୍ତୀ ମରହଟ୍ଟା ଶାସନର ଉଜ୍ଜ୍ୱଳତମ ଦିଗ, ମରହଟ୍ଟା ରାଷ୍ଟ୍ରଶକ୍ତିରେ ଅନ୍ତର୍ନିହିତ ଥିବା ଭାରତୀୟ ଆଦର୍ଶର ଚିତ୍ର ଆଙ୍କି ମଧ୍ୟ ଫକୀରମୋହନ ତାହାର ସମର୍ଥନ କରି ନାହାନ୍ତି । ଏକ ରାହାଜାନୀରେ ତୀର୍ଥଯାତ୍ରୀ ଦମ୍ପତି ଲଛମା ଓ ବାଦଲ ସିଂହର ପରସ୍ପରଠାରୁ ବିଚ୍ଛେଦ, ପିତୃହତ୍ୟାର ପ୍ରତିଶୋଧ ଗ୍ରହଣ ଓ ପୁନର୍ମିଳନ ଘଟଣାରାଜିର ସାର୍ବଜନୀନ ମାନବୀୟ ଆବେଦନ ସହଜରେ ଦୃଷ୍ଟି ଆକର୍ଷଣ କରେ । ଆଲି ବର୍ଦ୍ଦିଖାଁ ଓ ଭାସ୍କର ପଣ୍ଡିତଙ୍କ ସଂଘର୍ଷ ତଥା ଐତିହାସିକ ପଟ୍ଟଭୂମିରେ ମୂଳ କାହାଣୀର ମାନବୀୟତା ମ୍ଳାନ ହୋଇଯାଇ ନାହିଁ । ଉପନ୍ୟାସରେ ବର୍ଣ୍ଣିତ ରାହାଜାନୀ, ହତ୍ୟା, ଯୁଦ୍ଧ, ଅଭିଯାନ, ରାଜକୀୟ ପରିବେଶ, ପ୍ରାଚୀନ ଦୁର୍ଗର ଚିତ୍ର ସବୁକିଛି ରୋମାନ୍‌ସ ସୁଲଭ । ଅତିବାସ୍ତବତା ଭିତରେ ବାଦଲସିଂ ଓ ଲଛମାର ପ୍ରଣୟ ଚିତ୍ରକୁ ଫକୀରମୋହନ ବାସ୍ତବ ଓ ଜୀବନ୍ତ କରିପାରିଛନ୍ତି । ଏହା ହିଁ ତାଙ୍କର ବୈଶିଷ୍ଟ୍ୟ ।

 

– ଦୁଇ –

 

ରୋମାନ୍‌ସଧର୍ମୀ ଓଡ଼ିଆ ଉପନ୍ୟାସର ଧୂସର ଦିଗ୍‌ବଳୟରେ ପ୍ରଥମ ଉଜ୍ଜ୍ୱଳ ସ୍ତମ୍ଭ ଭାବରେ ଆତ୍ମପ୍ରକାଶ କଲା ଫକୀରମୋହନଙ୍କ ସାମାଜିକ ଉପନ୍ୟାସ ‘ଛ ମାଣ ଆଠଗୁଣ୍ଠ’ । ଏକ ପରିମିତ ମାଟିର ସ୍ପର୍ଶ ଓ ଗନ୍ଧ ଯେପରିକି ବୁଦ୍ଧଙ୍କ ଭୂମି ସ୍ପର୍ଶ ମୁଦ୍ରା ଭଳି ଓଡ଼ିଆ ସାହିତ୍ୟର ସୃଷ୍ଟି ମାନସରୁ ସମସ୍ତ କଳୁଷ ଦୂର କରିଦେଲା । କଳ୍ପନା ଉପରେ ବାସ୍ତବ, ଭାବପ୍ରବଣତା ସ୍ଥାନରେ ସତ୍ୟଦୃଷ୍ଟିର ପ୍ରତିଷ୍ଠା ଘଟିଲା । ପରିମିତ ଭୂମିଖଣ୍ଡ ନାମରେ କୌଣସି ଏକ ସାହିତ୍ୟ କୃତି ନାମିତ ହୋଇ ନଥିଲା । କେଡ଼େ ସୀମାବଦ୍ଧ ଏ ମାନବ-ଜୀବନ । ସୁନ୍ଦରୀନାୟିକା ଓ ନାୟକମାନଙ୍କୁ ଘେନି ବିଳାସ କାବ୍ୟରଚାନ ଧାରାରେ ଯାହାକିଛି ଅବଶେଷ ଥିଲା ଫକୀରମୋହନ ‘ଛମାଣ ଆଠଗୁଣ୍ଠ’ ରଚନାକରି ତାହାର ମୂଳଚ୍ଛେଦ କଲେ । ଯେଉଁ ଫକୀରମୋହନ ଲେଖିଥିଲେ ।

 

ପାଞ୍ଚ ପୁରୁଷର ଜମିଖଣ୍ଡ ଥିଲା ପୁଞ୍ଜି

ତେତିକି ବେଳରେ ପଡ଼ିଥିଲା ମୁଣ୍ଡ ଗୁଂଜି ll

ସରକାର ବାହାଦୂର ଦୟାକଲେ ଭାରି

ପ୍ରଜାସତ୍ୱ ଆଇନ୍‌ଟା କରିଦେଲେ ଜାରି ll

କୃଷକର ବଢ଼ିଗଲା ଗୋଟାଏ ଜୀବିକା

ରେଜେଷ୍ଟି ଅଫିସରେ ଜମି କିଣା ବିକା ll

 

କିମ୍ବା

 

ଯେଉଁ ଫକୀରମୋହନ ଲେଖିଥିଲେ–

 

ଆହାରେ କି ପାପ କରିଥିଲୁ ଜଣାନାହିଁ

ଚଷାକୁଳେ ଜନ୍ମଦେଲା ବିଧାତା କିପାଇଁ ।

 

ସେହି କୃଷକ ସମାଜରୁ ଫକୀରମୋହନ ନିଜ ନାୟକ ନାୟିକାଙ୍କୁ ଖୋଜି ନେଲେ । ଫକୀରମୋହନ ନିଜର ଦୀର୍ଘଜୀବନରେ ଲକ୍ଷ୍ୟ କରିଥିଲେ ଊନବିଂଶ ଶତାବ୍ଦୀରେ ଓଡ଼ିଶାର ସମାଜଜୀବନର ପରାଭବ, ଗ୍ଳାନି ଓ ଭଗ୍ନ ଦଶାଚିତ୍ର । ଓଡ଼ିଶାରେ ଭୂମିରାଜସ୍ୱ ନୀତି କମ୍ପାନୀ ଅମଳରୁ ଯାହାଥିଲା ଇଂରେଜ ଶାସନରେ ତାହା ପରିବର୍ତ୍ତିତ ହୋଇ ନଥିଲା । ଏହି ଭୂରାଜସ୍ୱନୀତି ଓଡ଼ିଶାକୁ ଅନ୍ତଃସାରଶୂନ୍ୟ କରିଦେଇଥିଲା । ଏଠାରେ ଯଥାର୍ଥ ଅନୁସନ୍ଧାନକରି ବଙ୍ଗ ଦେଶ ଭଳି ଚିରସ୍ଥାୟୀ ବନ୍ଦୋବସ୍ତ ହୋଇନଥିଲା । ଇଂରୋଜମାନେ ପୂର୍ବଭଳି ଫସଲର ଅଂଶ ନନେଇ ଦୁର୍ଲଭ ମୁଦ୍ରାରେ ଦୁର୍ବହ କର ଅତ୍ୟାଚାରୀ ଜମିଦାରଙ୍କଦ୍ୱାରା ଆଦାୟ କରାଉଥିଲେ । ସରକାରୀ ଅମଲା ଓ କିରାଣୀମାନେ ଥିଲେ କାର୍ଯ୍ୟତଃ ଜମିଦାର । ଏମାନଙ୍କ ଅବୈଧ ଶୋଷଣ ଓ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ପ୍ରଜାଙ୍କ ଗୁହାରୀ ଶୁଣିବାକୁ କେହି ନଥିଲେ । ଭୂରାଜସ୍ୱ ସାଙ୍ଗକୁ ଶିଳ୍ପନୀତିର ବିଭୀଷିକା ମିଶିଲା । ଓଡ଼ିଶାରେ ବଡ଼ସମ୍ପଦ ଲବଣ ଓ ବସ୍ତ୍ରଶିଳ୍ପ ବିପର୍ଯ୍ୟସ୍ତ ହେଲା । ଓଡ଼ିଶାର ଅଭିଜାତ ସାମନ୍ତମାନେ ପାଇକ ବିଦ୍ରୋହର ମୁର୍ମୂର ଦାହରେ ଛିନ୍ନମୂଳ ହୋଇଯାଇଥିଲେ । ଦେଶର ଏକ ସର୍ବବ୍ୟାପୀ ଅଧଃପତନ କାଳରେ ମାନବିକତା ହିଁ ହୁଏ ପ୍ରଥମ ବଳୀ । ନିର୍ଦ୍ଦୋଷ, ନିର୍ବୋଧ ହିଁ ହୁଏ ସବୁଠାରେ ନିପୀଡ଼ିତ । ଅନ୍ଧବିଶ୍ୱାସ ସାଙ୍ଗକୁ ଆତ୍ମାଭିମାନ ମିଶି ଆତ୍ମଘାତି ହେବାର ପଥହିଁ ମୁକ୍ତ କରିଦିଏ । ଏଇ ଚିତ୍ରଦେବାରେ ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ଏକ ସାର୍ଥକ ରସୋତୀର୍ଣ୍ଣ ରଚନା ।

 

‘ଛ’ମାଣ ଆଠଗୁଣ୍ଠ’ରେ ମିଳେ ଫକୀରମୋହନଙ୍କର ସୃଷ୍ଟିମାନସର ଏକ ବାସନ୍ତୀ ଅଧ୍ୟାୟର ସୂଚନା । ୧୮୯୬ରେ ଫକୀରମୋହନ କର୍ମଜୀବନରୁ ଅବସର ନେଲେ । ଆରମ୍ଭହେଲା କଟକରେ ଅଭିଜାତ ସ୍ୱଚ୍ଛନ୍ଦ ଜୀବନ । ୧୯୬୬ରେ ହିଁ ସେ ବାଲେଶ୍ୱର ଜାତୀୟସଭାର ପ୍ରତିନିଧି ଭାବରେ ମାନ୍ଦ୍ରାଜରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ । ବାଳଗଙ୍ଗାଧର ତିଲକଙ୍କ ସହ ତାଙ୍କର ସାକ୍ଷାତ ହେବାର ସୁଯୋଗ ଘଟିଥିଲା । ତିଲକଙ୍କ ଅନୁପ୍ରେରଣାରେ କଂଗ୍ରେସ ହୋଇଥିଲା ଆଧୁନିକତମ ସାମାଜିକ ଓ ରାଜନୈତିକ ଚିନ୍ତାଧାରାର ବାହକ ଓ ଧାରକ । ଫକୀରମୋହନ ସମସାମୟିକ ଭାରତୀୟ ତଥା ପାଶ୍ଚାତ୍ୟ ଚିନ୍ତାଧାରା ସହିତ ସୁପରିଚିତ ଥିଲେ । ଊନବିଂଶ ଶତାବ୍ଦୀରେ କେବଳ ସାମନ୍ତ ସ୍ୱେଚ୍ଛାଚାର ବିରୁଦ୍ଧରେ ସଂଗଠିତ ଜନଶକ୍ତିର ବିଜୟ ଘୋଷିତ ହୋଇଥିଲା ତାହାନୁହେଁ, ନବଗଠିତ ପୁଞ୍ଜିବାଦୀ ଶକ୍ତି ବିରୁଦ୍ଧରେ ଶ୍ରମିକ ଶ୍ରେଣୀର ବିପ୍ଳବର ବାଣୀ ଘୋଷିତ ହୋଇଥିଲା; ଧର୍ମ ଓ ପ୍ରାଚୀନ ସଂସ୍କାର ବିରୁଦ୍ଧରେ ମେଧା ବିପ୍ଳବ ଆତ୍ମପ୍ରକାଶ କରିଥିଲା । ଏହି ମେଧା ବିପ୍ଳବ ପ୍ରଥମେ ଜୀବନର ପ୍ରତ୍ୟେକ ସ୍ତରରେ ବୈଜ୍ଞାନିକ ଚିନ୍ତାରେ ଅନୁପ୍ରେବେଶ କରାଇଥିଲା । ସହଜ ବିଶ୍ୱାସ ଓ ଅନ୍ଧଅନୁକରଣ ମୂଳରେ କୁଠାରଘାତକଲା । ଫକୀରମୋହନ ସାମସ୍ତ ଶ୍ରେଣୀର ଭଗ୍ନଦଶା ନିଜେ ପ୍ରତ୍ୟକ୍ଷ କରିଥିଲେ ସେମାନଙ୍କ ଆଭିଜାତ୍ୟ ଓ ସହଜ ବିଶ୍ୱାସର ସୁଯୋଗ ଘେନି ବିଦେଶୀ ଶାସନଯନ୍ତ୍ରର ସହାୟତାରେ ଦଳେ ଆଭିଜାତ୍ୟ ହୀନ ମଧ୍ୟବିତ୍ତ କିପରି ନିଜର ଉଚ୍ଚାକାଂକ୍ଷା ପୂରଣ ପାଇଁ ସବୁପ୍ରକାର ମାନବୀୟ ମୂଲ୍ୟକୁ ବଳି ଦେଉଥିଲେ ତାହା ଫକୀରମୋହନ ଲକ୍ଷ୍ୟ କରୁଥିଲେ । ଫକୀରମୋହନଙ୍କ ସମସାମୟିକ ସମାଜରେ ଶ୍ରେଣୀ ସଂଘର୍ଷର ଉନ୍ମେଷ ଘଟି ନଥିଲା । କିନ୍ତୁ ଫକୀରମୋହନ ନିଜର ଦୂରଦୃଷ୍ଟି ଫଳରେ ନିପୀଡ଼ିତ କୃଷକଶ୍ରେଣୀ ଓ ଶ୍ରମିକଶ୍ରେଣୀ ଶୋଷକ ଶ୍ରେଣୀର ବିରୁଦ୍ଧରେ କିଭଳି ପ୍ରତିଶୋଧ ଗ୍ରହଣ କରିପାରେ ତାହା ଦେଖିପାରିଥିଲେ । ବାସ୍ତବପାଇଁ ସେ ଆଦର୍ଶକୁ ବଳିଦେଇ ନଥିଲେ । ବାସ୍ତବତାର କ୍ଳେଦ ଓ ପୁତୀ ତାଙ୍କୁ ସ୍ପର୍ଶ କରି ନଥିଲା । ବାସ୍ତବ ମଧ୍ୟରେ ଆଦର୍ଶର ପ୍ରାଣ ପ୍ରତିଷ୍ଠାରେ ସମୁଜ୍ଜ୍ୱଳ ହୋଇ ଉଠିଥିଲା ତାଙ୍କର ସୃଷ୍ଟି । ‘ଛମାଣ ଆଠଗୁଣ୍ଠ’ରେ ମଙ୍ଗରାଜଙ୍କର ଅର୍ଥଲୋଭ ଜନିତ କୁକର୍ମ ଓ ଭଗିଆ, ସାରିଆଙ୍କର ଧର୍ମର ଅହିଫେନ ସେବନ ଓ ଦୁଃଖଭୋଗ ଏକାନ୍ତ ବାସ୍ତବ । ମାତ୍ର ମଙ୍ଗରାଜଙ୍କ ଜେଲ ଓ ଅନୁତାପ ଅତ୍ୟନ୍ତ ବାସ୍ତବୋଚିତ ରୀତିରେ ଫକୀରମୋହନଙ୍କ ବର୍ଣ୍ଣନାରେ ପ୍ରକାଶ ପାଇଥିଲେ ବି ଏଥିରେ ଲେଖକଙ୍କ ନୈତିକ କଳନା ଓ ଆଦର୍ଶବୋଧର ଛାପହିଁ ସୁସ୍ପଷ୍ଟ ।

 

ଛ’ମାଣ ଆଠଗୁଣ୍ଠର ଚରିତ୍ରଗୁଡ଼ିକ ମଧ୍ୟରେ ପାଠକର ସମବେଦନା କାହାରିପ୍ରତି ଊଣାହୁଏ ନାହିଁ । ଅପକର୍ମର କୁପରିଣାମ ତାଙ୍କର ପ୍ରତ୍ୟେକ ଚରିତ୍ରକୁ ଭୋଗିବାକୁ ପଡ଼ିଛି ଓ ପରିଶେଷରେ ସମସ୍ତ ଉପନ୍ୟାସ ମଧ୍ୟରେ ବିୟୋଗ ବିଧୂର କାରୁଣ୍ୟ ଦାନାବାନ୍ଧିଉଠିଛି । ପଣ୍ଡିତ ନୀଳକଣ୍ଠ ଯଥାର୍ଥରେ କହିଛନ୍ତି–“ଫକୀରମୋହନଙ୍କ ପ୍ରତିଭାର ନବନବ ଉନ୍ମେଷ ଦେଖାଯାଏ ତାଙ୍କ ଭାଷା, ବର୍ଣ୍ଣନା ତଥା ଚରିତ୍ର ଚିତ୍ରଣର ପ୍ରକାଶଭଙ୍ଗୀରେ । ଏସବୁ ମୂଳରେ ରହିଛି ତାଙ୍କର ରସାତ୍ମକତା ବା ହ୍ୟୁମର (Humour) । ଅସୁରଦିଘୀର ବର୍ଣ୍ଣନାଠାରୁ ପାଣ୍ଡିଆର ତଳି ଉପୁଡ଼ା, ମଙ୍ଗରାଜଙ୍କ ଏକାଦଶୀ ଚମ୍ପାର ହରକଳାଭାବ “ମୂର୍ତ୍ତିକାଶ୍ଚ ଗଜାରୁଣ ବନ୍ଧ୍ୟାୟ ପୁତ୍ରଦାୟିନୀ” ମଧ୍ୟରେ ଗ୍ରାମଦେବୀଙ୍କର ସୋତ୍ର ରଚନା ପର୍ଯ୍ୟନ୍ତ ସବୁଠି ଫକୀରମୋହନଙ୍କ ସରସ ସ୍ୱତଃସ୍ଫୂର୍ତ୍ତ ରସିକତା ପ୍ରକାଶ ପାଇଅଛି ।” ଫକୀରମୋହନ ପ୍ରତ୍ୟେକ ଦୃଶ୍ୟପଟର ବର୍ଣ୍ଣନାରେ ମଧ୍ୟ ଅତି ସୁନ୍ଦର ଚିତ୍ରକଳ୍ପମୟ ଭାଷା ପ୍ରୟୋଗ କରିଛନ୍ତି । ବିରୂପା ନଦୀକୂଳର, ଗୋପୀସାହୁ ଦୋକାନର ଦୃଶ୍ୟ ବର୍ଣ୍ଣନାର ପ୍ରତ୍ୟେକ ଛାତ୍ରେ ଛାତ୍ରେ ଏହା ଦେଖିବାକୁ ମିଳେ । ବିଶେଷତଃ ଚମ୍ପାର ହତ୍ୟା ମୁହୂର୍ତ୍ତର ଘଟଣାଗୁଡ଼ିକର ବର୍ଣ୍ଣନା ଯେପରି ନାଟକୀୟ ସେହିପରି ବାସ୍ତବୋଚିତ ଓ ହୃଦୟସ୍ପର୍ଶୀ । ଘଟଣାକୁ ପରିବେଶର ପ୍ରାକୃତିକତା ମଧ୍ୟରେ ଉପସ୍ଥାପନ କରିବାର କଳା ଫକୀରମୋହନଙ୍କୁ ଯେପରି ଜଣାଥିଲା ତାହାର ତୁଳନା ନାହିଁ । “ବରଗଛଟା ଗୋଟାଏ ଅନ୍ଧାର ବୁହାପରି ଛିଡ଼ାହୋଇ ଦୋହଲି ଦୋହଲି ଗୋଟାଏ ଆତଙ୍କମୟ ଶବ୍ଦ କରୁଅଛି ।” “କିମ୍ବା ଘର ମଧ୍ୟରେ ଜଳୁଥିବା ଦୀପର ତେଜଟି କ୍ରମଶଃ କ୍ଷୀଣହୋଇ ଆସୁଅଛି ।” ଏଇ ଚିତ୍ରକଳ୍ପ ମଧ୍ୟରେ ସତେ କ’ଣ ସୁପ୍ତ ଚମ୍ପାର ଜୀବନଦୀପ ଲିଭି ଆସିବାର ଇଙ୍ଗିତ ନାହିଁ । ଶେଷ ସଂଧ୍ୟାରେ ପଶ୍ଚିମ ଆକାଶରେ ଗୋଟିଏ ମାତ୍ର ଲୋହିତ କିରଣ ରେଖା ଅନନ୍ତ ଆକାଶରେ ପଡ଼ିବାର ଦିଗଦୃଶ୍ୟ ଚିତ୍ର ମଧ୍ୟରେ ଚମ୍ପାର ଜୀବନଦୀପ ଯେ ମୁହୂର୍ତ୍ତକରେ ଲିଭିଯିବ ଏହାକଣ ବୁଝିହୁଏ ନାହିଁ । ନିଦ୍ରିତା ଶୁକରୀକୁ ବଣଭିତରୁ କେନ୍ଦୁଆ ଯେପରି ଅନାଏ, ସୁପ୍ତଚମ୍ପାକୁ ଗୋବିନ୍ଦାର ସେହିପରି ଅନାଇବା ଗୋଟାଏ ଜ୍ୟୋତି ଚଳ ଚଳ କରି ଚମ୍ପାର ଉପରଦେଇ କାନ୍ଥରେ ବୁଲିଯିବା ପରେ ଗୋବିନ୍ଦାର ଚମକ ଓ ପରିଶେଷରେ ଶୁକରୀ ଉପରେ କେନ୍ଦୁଆ ଝାମ୍ପି ପଡ଼ିଲାପରି ସେହିସମୟରେ ଦୀପଟା ଗର୍ଭକୁ ପଡ଼ିଯାଇ ଦପ୍‌କରି ଲିଭିଯିବାର ବର୍ଣ୍ଣନା କିମ୍ବା ଏଇ ଦୃଶ୍ୟର ଶେଷ ଯବନିକାପାତ ସମୟରେ ମୁହୂର୍ତ୍ତକ ସକାଶେ ସେଠାରେ ଅଦୃଶ୍ୟ ଅଂଧାର ମଧ୍ୟରେ ପ୍ରଳୟ ହେବାପରି ଜଣାଯିବାର ବର୍ଣ୍ଣନାରେ ଫକୀରମୋହନଙ୍କର ପୁଙ୍ଖାନୁପୁଙ୍ଖ ସଂଦର୍ଶନ ଶକ୍ତି, ପରିମିତିବୋଧ, ଇଙ୍ଗିତରେ ସମଗ୍ରତାର ଚିତ୍ରଦାନର କଳାକୌଶଳ ସହଜରେ ପାଠକ ହୃଦୟସ୍ପର୍ଶକରେ । ସତେ ଯେପରି ସମସ୍ତ କିଛି ପାଠକ ମାନସରେ ନାଟକର ଦୃଶ୍ୟ ଭଳି ଅଙ୍କିତ ହୁଏ । ବିନା ରଙ୍ଗମଞ୍ଚ, ବିନା ନାଟିତକରେ ଏପରି ନାଟ୍ୟାନୁଭୂତି କେଉଁ ରଚନା ସୃଷ୍ଟି କରିପାରେ? ନିଃସଙ୍ଗ ଏକକତା ମଧ୍ୟରେ ନଥିଲେ ହୁଏତ ଫକୀରମୋହନ ଜଣେ ଶ୍ରେଷ୍ଠ ନାଟ୍ୟକାର ହୋଇଥାନ୍ତେ । ସର୍ବସମକ୍ଷରେ ଫକୀରମୋହନ “ଛ’ମାଣ ଆଠଗୁଣ୍ଠ” ପାଠକଲେ, ଏହାର ସଂଳାପଠାରୁ ଘଟଣାଚିତ୍ର ପର୍ଯ୍ୟନ୍ତ ସର୍ବତ୍ର ନାଟକୀୟ ବିନ୍ୟାସ ପ୍ରମାଣିତ ହୋଇପାରେ ।

 

ଫକୀରମୋହନଙ୍କ ଅନ୍ୟ ଦୁଇଟି ସାମାଜିକ ଉପନ୍ୟାସ ‘ମାମୁଁ’ ଓ ‘ପ୍ରାୟଶ୍ଚିତ’ । ମଧ୍ୟବିତ୍‌ ଶ୍ରେଣୀର ଦୁଇଟି ଦିଗ ଏଇ ଦୁଇ ଉପନ୍ୟାସରେ ପ୍ରତିଫଳିତ । ଗୋଟିଏ କ୍ଷେତ୍ରରେ ସ୍ୱଳ୍ପ ଶିକ୍ଷିତଙ୍କ ଧନଲୋଭ ଓ ଅନ୍ୟଟିରେ ଉଚ୍ଚ ଶିକ୍ଷିତଙ୍କର ଉଚ୍ଚ ଆଦର୍ଶବାଦୀତା ଓ ଅବାସ୍ତବ କଳ୍ପନା ପ୍ରବଣତା । ଏଇ ଦୁଇ ଉପନ୍ୟାସର ଘଟଣା ପଟ୍ଟଭୂମିରେ ବହୁକାଂଶ ସଂଘଟିତ ହୋଇଛି ସହରରେ, ଯଦିବା ଗ୍ରାମ ଓ ସହର ସମନ୍ୱିତ ରୂପାଙ୍କନର ଧାରାଚ୍ଛିନ୍ନ ହୋଇନାହିଁ । ପୂର୍ବର ଛ’ମାଣ ଆଠଗୁଣ୍ଠ ସଙ୍ଗେ ମାମୁଁର ସ୍ଥୂଳ ସାମଞ୍ଜସ୍ୟ ଲକ୍ଷିତ । ରାମଚନ୍ଦ୍ର ମଙ୍ଗରାଜ ଓ ମାମୁଁ ନଟବର ଦାସ ଦୁହେଁ ସମ୍ପଦର ଦୁର୍ବାର ଲାଳସାରେ ଚାଳିତ । ମଙ୍ଗରାଜ ଘର ଚମ୍ପା ନାଜର ଘରେ ଚିତ୍ରାର ଅବତାର ପାଇଛି । ମାମୁଁର ଉତ୍ତରରାୟଙ୍କ ଉଆସରେ ଛ’ମାଣ ଆଠଗୁଣ୍ଠର ବାଘସିଂହ ବଂଶର ଛାୟା ପଡ଼ିଅଛି । ମଙ୍ଗରାଜଙ୍କ ଶିକାର ଭଗିଚନ୍ଦ୍ର ନାଜରଙ୍କ ନୁରୁ । ବଂଶ ବିଦ୍ୟା ବୁଦ୍ଧିରେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଥିଲେ ସୁଦ୍ଧା ସରଳତା, ଅମାୟିକତା, ସହିଷ୍ଣୁତା ଆଦି ଗୁଣରେ ଉଭୟଙ୍କର ପ୍ରତି ପାଠକଙ୍କ ମନ ବହୁ ପରିମାଣରେ ଏକଭାବରେ ଆକୃଷ୍ଟ ହୁଏ । ଭଗି ସାରିଆର ଆଖିରୁ ଲହୁ ପୋଛି ଆଶ୍ରୟ ଦେବାକୁ ପେସ୍କାରବାବୁ ନଥିଲେ ସାଆନ୍ତାଣୀଙ୍କ ସହାନୁଭୂତିର କ୍ଷୀଣ ହସ୍ତ କିଛି କରି ପାରିନାହିଁ । ଏହା ବ୍ୟତୀତ କଚେରୀ, ପୁଲିସ, ଓକିଲ, ବଡ଼ଲୋକଙ୍କ ବ୍ୟଭିଚାର ଚିତ୍ରରେ ସର୍ବତ୍ର ସାଦୃଶ୍ୟ ଲକ୍ଷିତ । ସର୍ବୋପରି ପରିଣାମରେ ସାଦୃଶ୍ୟ ମଙ୍ଗରାଜ ଓ ନଟବରଙ୍କ ଅନୁତାପ ଓ ଅନ୍ତିମ ନିର୍ଯ୍ୟାତନା ପ୍ରାୟ ସମାନ । ମାମୁଁ ଟିକିଏ ଅସଂପୂର୍ଣ୍ଣ ପରି ବୋଧହୁଏ । (ଓଡ଼ିଆ ଭାଷା ଓ ସାହିତ୍ୟ ପଂ. ନୀଳକଣ୍ଠ ଦାସ ପୃ: ୧୬୫) ଶେଷାଂଶରେ ଛିନ୍ନ ଘଟଣାର ପ୍ରବାହର ଆଚ୍ଛାଦନ ମଧ୍ୟରେ ମାମୁଁ ଉପନ୍ୟାସର ପରିଣତିରେ ଅପୂର୍ଣ୍ଣତାର ଇଙ୍ଗିତ ସ୍ପଷ୍ଟ । ଲେଖକଙ୍କ ସ୍ୱୀକାରୋକ୍ତି ସ୍ମରଣୀୟ–“ମାମୁଁ ଖଣ୍ଡ ଅସଂପୂର୍ଣ୍ଣ ଭାବେ ଲେଖା ହୋଇଛି । ସଂପୂର୍ଣ୍ଣ ଭାବେ ଲେଖା ହୋଇଥିଲେ ଛାପାଖର୍ଚ୍ଚ ପାଞ୍ଚଶତ ଟଙ୍କା ପର୍ଯ୍ୟନ୍ତ ଲାଗିଥାନ୍ତା । ବ୍ୟୟ ଲାଘବ ନିମନ୍ତେ ୩l୪ ପରିଚ୍ଛେଦ କାଟି ଦେଇଛି, ସୁତରାଂ ଅନେକ ନାୟକ ନାୟିକା ଚରିତ୍ର ଫୁଟିଲେ ନାହିଁ ।” (ଫକୀରମୋହନ ସମୀକ୍ଷା–ସୁରେନ୍ଦ୍ର ମହାନ୍ତି ପୃ: ୨୩୨)
 

ବସ୍ତୁତଃ ମାମୁଁ ଉପନ୍ୟାସର ପରିକଳ୍ପନା ମହାକାବ୍ୟିକ । ବହୁ ଚରିତ୍ର ସମାଗମ । ଘଟଣାର ପର୍ଯ୍ୟାପ୍ତ ବିଶ୍ଳେଷଣ ଓ ଧୀର ଲଳିତ ଗତି, ଗଳ୍ପାଂଶର ଶିଥିଳବଦ୍ଧତା ଓ ବ୍ୟପ୍ତି । ଚରିତ୍ରାୟଣରେ ବୈଚିତ୍ର୍ୟ, ନାୟକ ଓ ପ୍ରତିନାୟକ ମଧ୍ୟରେ ମହନୀୟ ମହତ୍ୱ ସର୍ବତ୍ର ମହାକାବ୍ୟିକ ପ୍ରସାଦ ଗୁଣର ଇଙ୍ଗିତ ମିଳେ । ଏଇଠାରେ ହିଁ ମାମୁଁର ସାର୍ଥକତା । ଭାବ ଭୂମିରେ ଏକ ମହାକାବ୍ୟିକ ବ୍ୟାପ୍ତି ଦେବାପାଇଁ ଯେପରି କି ମାମୁଁର ପଣ୍ଡିତସଭାର ଅନ୍ୟ ଏକ ଲକ୍ଷ୍ୟ ।

 

ଏକ ଦିଗରେ ଆଭିଜାତ୍ୟ, କୌଳିନ୍ୟ ଓ ଉଦାରତା ଅନ୍ୟ ଦିଗରେ ଧନ ଲୋଭ ଓ ଅନ୍ତଦାର ଓ କୃପଣତା । ଏକ ଦିଗରେ ଈର୍ଷା ଓ ଅନ୍ୟଦିଗରେ ଉଦାର ମାନବିକତାର ସମନ୍ୱୟରେ ମାମୁଁ ଉପନ୍ୟାସ ରସୋତ୍ତୀର୍ଣ୍ଣ ହୋଇଛି ।

 

ପ୍ରାୟଶ୍ଚିତ ଫକୀର ମୋହନଙ୍କ ଶେଷ ଉପନ୍ୟାସ । ଦୁଇଟି କରଣ ଆଭିଜାତ୍ୟ ପିରବାରରେ ଦ୍ୱନ୍ଦ୍ୱ ଓ ପରିଶେଷରେ କୁମାର ଗୋବିନ୍ଦଚନ୍ଦ୍ରଙ୍କ ଉଦାରତା ନିଗ୍ରହ ଓ ଆତ୍ମୋତ୍ସର୍ଗ ମଧ୍ୟରେ ସୁଖୀୟ ପରିଣତି ଉପନ୍ୟାସଟିକୁ ଭାରତୀୟ ଆଦର୍ଶର ନିକଟବର୍ତ୍ତୀ କରିଅଛି । ଫକୀର ମୋହନଙ୍କ ଶେଷ ବୟସର ଅନୁଭୂତି ଓ ବିଶ୍ୱାସର ଭାବମୂର୍ତ୍ତିରେ ଉଜ୍ଜ୍ୱଳ ଏଇ ଉପନ୍ୟାସଟିରେ ଶିଳ୍ପୀ ମାନସର ସେଇ ନିସ୍ତରଙ୍ଗ ସମାହିତ ଭାବ–all passions spent ଭାବ ଅନ୍ୟତ୍ର ଦୁର୍ଲଭ । ଗଠନପାଟବ ଦିଗରୁ ପ୍ରାୟଶ୍ଚିତ ସମଧିକ ସଂହତ ଓ କାହାଣୀର ପଞ୍ଜର ସୁଗଠିତ । ଏହାର ଗୋବିନ୍ଦଚନ୍ଦ୍ର, ସଇତା ଓ ସଦାନନ୍ଦ–ଏଇ ତିନୋଟି ଚରିତ୍ର ସବିଶେଷ ପରିସ୍ଫୁଟ । ଖଳନାୟକ ସଦାନନ୍ଦ କବଳରୁ ଗୋବିନ୍ଦଚନ୍ଦ୍ରଙ୍କୁ କେବଳ ରକ୍ଷା କରିନାହିଁ, ଗୋବିନ୍ଦଚନ୍ଦ୍ରଙ୍କ ଚରିତ୍ରକୁ ବିକଶିତ କରିବାରେ ସଇତା ଚରିତ୍ର ବିଶେଷ ସହାୟକ ହୋଇଛି । ସୁଶିକ୍ଷିତ, ସୁଚତୁର, ପରାର୍ଥ ପରାୟଣ ସଇତା ସାମାନ୍ୟ ସେବକରୁ ବଡ଼ପଣ ପାଇଛି; ଏଇ ଉଚ୍ଚାସନର ମର୍ଯ୍ୟାଦା ରକ୍ଷାକରିଛି । ସଇତା ପ୍ରତି ଲେଖକଙ୍କର ଦରଦ ପୂର୍ଣ୍ଣମାତ୍ରାରେ ।

 

ଫକୀରମୋହନ ଊନବିଂଶ ଶତାବ୍ଦୀର ବାସ୍ତବବାଦୀ ଔପନ୍ୟାସିକ ଧାରାର ପ୍ରବର୍ତ୍ତକ । କେବଳ ପ୍ରାୟଶ୍ଚିତ ହିଁ ତାଙ୍କର ଏକ ଭାବପ୍ରଧାନ ଉପନ୍ୟାସ । ଏହାର ସ୍ୱାଦ ମଧ୍ୟ ‘ମାମୁଁ’ ଓ ‘ଲଛମା’ଠାରୁ ଭିନ୍ନ । ଲଛମା ଓ ମାମୁଁର ଚରିତ୍ର ଚିତ୍ରଣ କୁଶଳତା, ଟ୍ରାଜେଡ଼ିର ରସଘନ ଭାବ ପ୍ରାୟଶ୍ଚିତରେ ନାହିଁ । କିନ୍ତୁ ଧର୍ମୀୟ ଦ୍ୟୋତନା ଓ ଦାର୍ଶନିକ ସୁଲଭ ଆଧ୍ୟାତ୍ମିକ ଭାବଚେତନା ପ୍ରାୟଶ୍ଚିତର ବୈଶିଷ୍ଟ୍ୟ । ଫକୀରମୋହନଙ୍କ ବ୍ୟଙ୍ଗ ମିଶ୍ରିତ ରସିକତାର ଶୈଳୀ ମଧ୍ୟ ପ୍ରାୟଶ୍ଚିତରେ ସମୟ ସମୟରେ ମ୍ଳାନ ହୋଇଆସିଛି । ଶେଷପର୍ଯ୍ୟାୟର ଅଧ୍ୟାୟଗୁଡ଼ିକ ଅସଂଲଗ୍ନ ଆଂଶିକତ୍ୱ ଲକ୍ଷଣାକ୍ରାନ୍ତ । ଗୋବିନ୍ଦଚନ୍ଦ୍ରଙ୍କ ହସ୍‌ପିଟାଲରୁ ପଳାୟନର ପରବର୍ତ୍ତୀ ଘଟଣାର ବର୍ଣ୍ଣନା ମଧ୍ୟରେ ସନ୍ନ୍ୟାସ ଓ ପାରମାର୍ଥିକତା ହିଁ ପ୍ରଧାନ ସ୍ଥାନ ଲାଭ କରିଛି । ଏପରିକି ଡାକ୍ତର ସୁକାନ୍ତ ଓ ଗୋବିନ୍ଦଚନ୍ଦ୍ରଙ୍କ ସଂଳାପ ମଧ୍ୟରେ ଏଥିପାଇଁ ପରିବେଶ ସୃଷ୍ଟି କରାଯାଇଛି । ଅନୁତାପ ଉପନ୍ୟାସର ନାୟକମାନଙ୍କୁ ସଂପଦ ଓ ଭୋଗ ବୃତ୍ତିରୁ ନିବୃତ୍ତ କରି ବୈରାଗ୍ୟ ଆଡ଼କୁ ଘେନିଯାଇଛି ।

 

ଫକୀରମୋହନ ଓଡ଼ିଆ ଜୀବନର ସାର୍ଥକ ଚିତ୍ରକାର । ସମାଜ ସଂସ୍କାର, ସାମାଜିକ ସମସ୍ୟାର ଅବତାରଣା କରିବା ସଙ୍ଗେ ସଙ୍ଗେ ତା’ର ସମାଧାନର ଇଙ୍ଗିତ ମଧ୍ୟ ହୃଦୟ ପରିବର୍ତ୍ତନ ମଧ୍ୟରେ ଦେଖାଇଛନ୍ତି । ଫକୀରମୋହନଙ୍କ ବଡ଼କୃତିତ୍ୱ ଲୋକ କଥିତଭାଷାକୁ ସାହିତ୍ୟିକ କୌଳିନ୍ୟ ଦାନ । ଚରିତ୍ର ଓ ପରିବେଶକୁ ବାସ୍ତବତାର ପୂଟଦେଇ ପ୍ରକାଶ କରିବାରେ ତାଙ୍କର ଭାଷା ଶୈଳୀ ଏକ ବଡ଼ ସାଧନ । ଫକୀରମୋହନଙ୍କ ମାନବିକତା ନିପୀଡ଼ିତ ମାନବ ସମାଜ ପ୍ରତି ତାଙ୍କର ମର୍ମସ୍ପର୍ଶୀ ସଂବେଦନଶୀଳତା ମଧ୍ୟରେ ପ୍ରକାଶିତ । ତଥାପି ଫକୀରମୋହନ ବିଂଶ ଶତକର ସମସ୍ୟା ଜର୍ଜରିତ ସମାଜର ମର୍ମଭେଦ ପାଇଁ ସାର୍ଥକ ଶିଳ୍ପ ସୃଷ୍ଟି କରିପାରିନାହାନ୍ତି । ବିଂଶ ଶତକର ଉପନ୍ୟାସ ବିଷୟଧର୍ମୀ ନ ହୋଇ ଇଙ୍ଗିତଧର୍ମୀ ଓ ଭାବଧର୍ମୀ ହେବାହିଁ ଅଧିକ ବାଂଛନୀୟ-। କିନ୍ତୁ ଫକୀରମୋହନ ତାହା କରି ପାରି ନଥିଲେ । ଆଧୁନିକ ନାଟକ ଯେପରି ଅଭିନେତା ଓ ଦର୍ଶକ ମଧ୍ୟରେ ସମନ୍ୱୟ ଆଣିବାରେ ପ୍ରୟାସୀ ଉପନ୍ୟାସର ନାୟକ ଓ ପାଠକ ସେହିପରି ସମପର୍ଯ୍ୟାୟରେ ଉପସ୍ଥାପିତ । ଲେଖକ ବାରଂବାର ଆତ୍ମପ୍ରକାଶ କରି କାହାଣୀ ଓ ବର୍ଣ୍ଣନାରେ ଛେଦ ଘଟାଇବା ମଧ୍ୟ ଅବାଂଛନୀୟ । ଫକୀରମୋହନଙ୍କ ଛ’ମାଣ ଆଠଗୁଣ୍ଠ ପ୍ରାୟଶ୍ଚିତ ପ୍ରତି ଲକ୍ଷ୍ୟକଲେ ମନେହୁଏ ଫକୀରମୋହନ ପ୍ରାୟ ଏ ରୀତି ଛାଡ଼ି ଆସୁଥିଲେ । ମାତ୍ର ଆଧୁନିକ ଭାଷାରେ ଆଧୁନିକଜୀବନର ଆଶା ଅକାଂକ୍ଷାକୁ ରୂପ ଦେବା ପାଇଁ ପ୍ରାୟଶ୍ଚିତ ଫକୀରମୋହନଙ୍କ ଶେଷ ପ୍ରୟାସ । ଏ ପ୍ରୟାସ ପରିଣତି ଦିଗରେ ଅଧିକ ଅଗ୍ରସର ହୋଇପାରି ନଥିଲା ।

 

ll ୪ ll

 

ନୂଆ ରୀତିର ଉପନ୍ୟାସ ରଚନା ପାଇଁ ଫକୀରମୋହନଙ୍କ ଜୀବିତ କାଳରେହିଁ ପ୍ରୟାସ ଆରମ୍ଭ ହୋଇଥିଲା । ଗୋପାଳବଲ୍ଲଭ ଦାସ (୧୮୬୦-୧୯୧୪) ଓ ନନ୍ଦକିଶୋର ବଳ (୧୮୭୫-୧୯୨୮)ଙ୍କ ନାମ ଏହି କ୍ଷେତ୍ରରେ ସ୍ମରଣୀୟ । କିନ୍ତୁ ଏମାନେ ସମସ୍ତେ ସାମୟିକ ଲେଖକ । ଏମାନଙ୍କ ଲେଖାରେ କୌଣସି ଧାରାବାହିକତା ଓ ଗତି ଲକ୍ଷିତ ହୁଏ ନାହିଁ । ନନ୍ଦକିଶୋରଙ୍କ କନକଲତାର ପ୍ରଥମାଂଶ ଉତ୍କଳ ସାହିତ୍ୟ ପତ୍ରିକାରେ ହିଁ ପ୍ରକାଶିତ ହୋଇଥିଲା । ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଫକୀରମୋହନଙ୍କ ନିକଟ ସାହଚର୍ଯ୍ୟରେ ଅବସ୍ଥାନ କାଳରେ ହିଁ ନନ୍ଦକିଶୋର କନକଲତା ରଚନା ଆରମ୍ଭ କରିଥିଲେ । ଫକୀରମୋହନଙ୍କ ପ୍ରଭାବମୁକ୍ତ ଏକ ନୂତନ ଭାଷା ଶୈଳୀ ଓ ଆଙ୍ଗିକର ପରିଚୟ ଏଥିରେ ସୁସ୍ପଷ୍ଟ । ହୀରାପୁରର ବଜ୍ରଧର ହରିଚନ୍ଦନଙ୍କ ବାଡ଼ି ଓ ଦାଣ୍ଡରେ ଗୋଟିଏ ସକାଳର ଚିତ୍ର ଦେବାକୁ ଯାଇ ନନ୍ଦକିଶୋର ହିଁ କେବଳ ଲେଖିପାରନ୍ତି, “ଏକ ଗଦ୍ୟ ଅନ୍ୟଟି ରସମୟୀ କବିତା, ଏକ କର୍ମ ଅନ୍ୟଟି ପ୍ରୀତି, ଏକ ଭଙ୍ଗୁର ପର୍ବତ ଅନ୍ୟଟି କଳନାଦିନୀ ତରଙ୍ଗିଣୀ” (ନ:ଗ୍ର: ପୃ ୮୪୯) କିନ୍ତୁ ଏହି ବର୍ଣ୍ଣନାପରେ ପାଠକ ଅବଧାନଙ୍କ ଦୃଷ୍ଟିର ଉଲ୍ଲେଖଦ୍ୱାରା ସତେଯେପରି ନନ୍ଦକିଶୋର ଆମକୁ ଫକୀରମୋହନଙ୍କ ବୃତ୍ତକୁ ଫେରେଇ ନେଇଛନ୍ତି । ପୁଣି ନାୟିକାର ନାମକୁ ଘେନି ଉପନ୍ୟାସର ନାମକରଣ ରୀତି ମଧ୍ୟ ସୌଦାମିନୀ ଓ ପଦ୍ମମାଳୀ ଯୁଗକୁ ସ୍ମରଣ କରାଇଦିଏ । ତଥାପି ଔପନ୍ୟାସିକ ଆଧୁନିକ ଜୀବନର ସମସ୍ୟା ପ୍ରତି ସଚେତନ । ନବଯୁଗର ତରୁଣ ତରୁଣୀଙ୍କ ମର୍ମବାଣୀ ଉଦାର କଣ୍ଠରେ ଉପନ୍ୟାସଟିରେ ଉଚ୍ଚାରିତ । ଉପନ୍ୟାସଟି ପୂର୍ଣ୍ଣାଙ୍ଗ ଅବୟବ ଧାରଣକରି ପ୍ରକାଶିତ ହୋଇଥିଲା ୧୯୨୫ ଖ୍ରୀଷ୍ଟାବ୍ଦରେ । ସବୁଜ ଯୁଗର ଅଭ୍ୟୁଦୟ କାଳରେ । ଉଦୀୟମାନ କବି ଶ୍ରୀଯୁକ୍ତ ଅନ୍ନଦାଶଂକର ରାୟ ଓ ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏହାକୁ ଉଚ୍ଚସ୍ଥାନ ଦେଇ ସମାଲୋଚନା କରିବା କଥା ନନ୍ଦକିଶୋର ନିଜେହିଁ ସ୍ୱୀକାର କରିଯାଇଛନ୍ତି । (କନକଲତା ୫l୧୦l୧୯୨୫ ନନ୍ଦକିଶୋର ଗ୍ରନ୍ଥାବଳୀ)

 

କନକଲତାର କାହାଣୀ ଅତି ସରଳ । ରାଜେନ୍ଦ୍ର ଓ କନକଲତା ହରିଚନ୍ଦନ ବଂଶର ଗୋଟିଏ ବୃନ୍ତରେ ଯେପରିକି ଦୁଇଟି ପ୍ରସୂନ । ରାଜେନ୍ଦ୍ର ଏଇ ଉପନ୍ୟାସଟିର ନାୟକ ଓ ତା’ର ଭଗିନୀ କନକଲତା ନାୟିକା । କନକଲତା ନିଜ ଇଚ୍ଛାରେ ଚାଳିତ ହୋଇ ନାହିଁ । କାରଣ ତା’ର ଆଧୁନିକ ବ୍ୟକ୍ତିତ୍ୱ ନାହିଁ । କିନ୍ତୁ ରାଜେନ୍ଦ୍ର ଶିକ୍ଷିତ ଆଧୁନିକ । ସେ ନିଜ ଇଚ୍ଛା ଶକ୍ତି ସର୍ବତ୍ର ପ୍ରୟୋଗ କରିବ ବୋଲି ଚାହିଁଛି । ନିଜ ବନ୍ଧୁଙ୍କ ବିଧବା ଭଉଣୀ ରମାକୁ ବିବାହ କରିବ ବୋଲି ସ୍ଥିର କରିଛି । ମାତ୍ର ଘଟଣାକ୍ରମେ ରମା ବିସୂଚିକାରେ ପ୍ରାଣତ୍ୟାଗ କରିଛି ଓ ରାଜେନ୍ଦ୍ର ସନ୍ନ୍ୟାସ ଗ୍ରହଣ କରିଛନ୍ତି ! ଏହିପରି ଭାବରେ ଉପନ୍ୟାସଟିରେ ଟ୍ରାଜେଡ଼ିର କରୁଣତା ଫୁଟିଉଠିଛି । ନନ୍ଦକିଶୋର ଜୀବନଧର୍ମୀ ଶିଳ୍ପୀ ହରିଚନ୍ଦନ ଓ ପାଇକରାୟ ପରିବାରରେ ଚିତ୍ରଦାନ ପ୍ରସଂଗରେ ତାଙ୍କର ଏଇ ଭାବଟି ଜୀବନ୍ତ ହୋଇଉଠିଛି । ହରିଚନ୍ଦନ ପରିବାର ହର୍ଷାଲୋଳିତ । ପାଇକରାୟ ପରିବାର ବିଷାଦ ମଳିନ......ଏକ ଜାହ୍ନବୀର ପୁଣ୍ୟ ପିୟୁଷ । ଅନ୍ୟଟି ଗମ୍ଭୀର ଗଭୀର କୃଷ୍ଣନୀରା ଯମୂନା । ଏକ ସରସ ଫଳପୁଷ୍ପଶୋଭୀ ସୁରମ୍ୟ ଉଦ୍ୟାନ ଅନ୍ୟଟି ଶୁଷ୍କ ମରୁମୟ ପ୍ରଦେଶ । କେବଳ ଧନଞ୍ଜୟ ଓ ଉମା ସେଥିରେ ଓଏସିସ୍‌ ।” (ନ:ଗ୍ର: ପୃ ୮୮୧) ସମସାମୟିକ ସମାଜର ଅର୍ଥଲୋଭ, କୁସଂସ୍କାର, ଭ୍ରଷ୍ଟାଚାର ସମ୍ମୁଖରେ ପ୍ରଣୟୋନ୍ମୁଖ ତରୁଣ ପ୍ରାଣର ଗଭୀର ହୃଦୟର ବାଣୀ କନକଲତାରେ ନନ୍ଦକିଶୋର ରୂପ ଦେଇଛନ୍ତି । ପରଂପରାରେ ଯାହାକିଛି ସ୍ୱାଦ୍ୟ ଓ ସୁନ୍ଦର ତାହା ଗ୍ରହଣ କରିବାକୁ ନନ୍ଦକିଶୋର ସଦା ଉନ୍ମୁଖ । ନନ୍ଦକିଶୋରଙ୍କ ଚିତ୍ରରେ ‘ପ୍ରାଚୀନକୁ ନବୀନ ସାହସରେ ସମ୍ବର୍ଦ୍ଧନା କରୁଅଛି’ । କଠୋର କର୍ତ୍ତବ୍ୟ ଓ ପୂର୍ଣ୍ଣ ପାରିବାରିକ ଆନନ୍ଦ, ସଂଯମ ଓ ନିର୍ଦ୍ଦୋଷ ଆମୋଦ, କର୍ମ ଓ ଭକ୍ତି, ବୈରାଗ୍ୟ ଓ ଭୋଗ ପରସ୍ପରର ହସ୍ତ ମର୍ଦ୍ଦନ କରୁଅଛି । (ନ:ଗ୍ର: ପୃ ୯୦୩) । ନନ୍ଦିକିଶୋରଙ୍କ ଶିଳ୍ପସୃଷ୍ଟିରେ ଏହାର ପରିସର ବହୁ ବ୍ୟାପକ । ଏକ ଦିଗରେ ଅତି ସାଧାରଣ ପଲ୍ଲୀର ଭାବ ଓ ଚେତନାର ଚିତ୍ର; ଲୋକମୁଖର ଭାଷା, ରୀତିନୀତି, ଯୋଗୀ ଭିକାରୀଙ୍କ ଗୀତଠାରୁ ଆଧୁନିକ ଜୀବନ ଓ ସମାଜର ସକଳ ସମସ୍ୟା, ବୈଜ୍ଞାନିକ ତଥ୍ୟ ଓ ଦାର୍ଶନିକର ସତ୍ୟଦୃଷ୍ଟି ନନ୍ଦକିଶୋରଙ୍କ ଶିଳ୍ପମାନସକୁ ଆଚ୍ଛନ୍ନ କରିଅଛି । ନନ୍ଦକିଶୋର ସତେ ଯେପରିକି ସୁଖପାଠ୍ୟ କାହାଣୀଟିଏ ରଚନା କରିବାକୁ ବସିନାହାନ୍ତି । କାହାଣୀ ଓ ଘଟଣାର ଅନ୍ତରାଳରେ ନିଜ ଅନ୍ତରର ଭାବାବେଶ ସହିତ ସ୍ୱଗତୋକ୍ତି ରଚନା କରିଛନ୍ତି । କଥକତା ସତେ ଯେପରି ଯୁକ୍ତି ସର୍ବସ୍ୱ ଲଳିତ ନିବନ୍ଧରେ ଢାଙ୍କି ହୋଇଯାଇଅଛି । ପ୍ରକୃତିର ବହିଃସୌନ୍ଦର୍ଯ୍ୟ ପରିବର୍ତ୍ତେ ନନ୍ଦକିଶୋର ସବୁ ସମୟରେ ଚରିତ୍ରର ଅନ୍ତଃସୌନ୍ଦର୍ଯ୍ୟ ଉଦ୍‌ଘାଟନ ପାଇଁ ପ୍ରୟାସୀ । ଏଥିପାଇଁ ଶାଶ୍ୱତ ଅଭିଜ୍ଞତା ପ୍ରସୂତ ଆର୍ଶବାଣୀଠାରୁ ସ୍ୱଦେଶ ଓ ବିଦେଶର ଶ୍ରେଷ୍ଠ ସାହିତ୍ୟିକଙ୍କ କୃତୀରେ ମଧ୍ୟ ଆଶ୍ରୟ ନେଇଛନ୍ତି । ତାଙ୍କର ନାୟକ ପ୍ରତି ଏହାହିଁ ଶେଷ ଆହ୍ୱାନ–“ଯାଅ ସନ୍ନ୍ୟାସୀ ଯାଅ ଦେଶ ପବିତ୍ର ଓ ଧନ୍ୟ ହେଉ ଏବଂ ପୃଥିବୀ ସ୍ୱର୍ଗରେ ପରିଣତ ହେଉ । କନକ ଓ ରାଜେନ୍ଦ୍ର...ଏକ ଲତାରେ ଦୁଇଟି ପୁଷ୍ପ ପ୍ରସ୍ଫୁଟିତ ହୋଇଥିଲେ । ଉଭୟ ବିଶ୍ୱପିତାଙ୍କ ଶ୍ରୀଚରଣରେ ଶୋଭା ପାଉଛନ୍ତି ।” (ନ:ଗ୍ର: ପୃ ୯୩୮) ଏହି ଭାବରେ ନନ୍ଦକିଶୋର ନିଜର ସାମାଜିକ ବାସ୍ତବ ଦୃଷ୍ଟିକୁ ଏକ ଆଧ୍ୟାତ୍ମିକ ଭାବଚେତନାରେ ପରିଣତ କରିଛନ୍ତି । ଔପନ୍ୟାସିକ ନନ୍ଦକିଶୋରଙ୍କ ପ୍ରଥମ ସୃଷ୍ଟି କନକଲତା । ଏହାହିଁ ତାଙ୍କର ଶେଷ ସୃଷ୍ଟି । ତେଣୁ ତାଙ୍କଠାରେ ପରିଣତ କଳାଦୃଷ୍ଟି ଫୁଟିନାହିଁ । ବହୁ ଗୌଣ ଚରିତ୍ର ଅବତାରଣା, ଅବାନ୍ତର ବର୍ଣ୍ଣନା, ଅତି ଦାର୍ଶନିକ ଦୃଷ୍ଟିଭଙ୍ଗୀ, ନୀତିବୋଧ ବର୍ଣ୍ଣନା ମଧ୍ୟରେ ଲେଖକଙ୍କ ଆତ୍ମପ୍ରକାଶ ଓ ବ୍ୟାଖ୍ୟାନ ପ୍ରବଣତା ଉପନ୍ୟାସଟିକୁ ସୌଷ୍ଠବ ମଣ୍ଡିତ କରିପାରି ନାହିଁ ।

 

ଚିନ୍ତାମଣି ମହାନ୍ତି (୧୯୭୬-୧୯୪୩) ଦୀର୍ଘ ବ୍ୟବଧାନରେ ପାଞ୍ଚଖଣ୍ଡି ଉପନ୍ୟାସ ରଚନା କରିଛନ୍ତି । ରୂପାଚୂଡ଼ି, ଯୁଗଳ ମଠ, ଟଙ୍କା ଗଛ, ବୁଲାଫକୀର ଓ ଶନିସପ୍ତା । ଏହିସବୁ ଉପନ୍ୟାସରେ ବିଷୟବସ୍ତୁ ସାମାଜିକ ଓ ପାରିବାରିକ । କଥାବସ୍ତୁରେ, ଘଟଣାର ପରିବେଷଣରେ ମଧ୍ୟ ଫକୀରମୋହନଙ୍କ ଛାଞ୍ଚ ଚିନ୍ତାମଣି ଗ୍ରହଣ କରିଛନ୍ତି । ଏପରିକି ଫକୀରମୋହନଙ୍କ ହ୍ୟୁମରର ଅନୁକରଣ ପର୍ଯ୍ୟନ୍ତ “ମର୍କଟ ବଦନା ରାମା ସ୍ଥୂଳାକଟୀ କ୍ଷୀଣ ଶ୍ୟାମା ଦିଶଇ ଛାମୁରେ ଦନ୍ତ ଯେହ୍ନେ ମନ୍ଦର ।” ଭଳି ପଂକ୍ତିରେ ଦେଖାଯାଇପାରେ । କିନ୍ତୁ ଏଥିରେ ଫକୀରମୋହନଙ୍କର ସରସତା ଓ ରସଦୃଷ୍ଟି ମିଳିବା ଦୁର୍ଲ୍ଲଭ । ଚିନ୍ତାମଣିଙ୍କର ଗଦ୍ୟ ଅତ୍ୟନ୍ତ ସରଳ ଓ ଏକପ୍ରକାର ବୈଶିଷ୍ଟ୍ୟ ବିହୀନ । ଅନର୍ଗଳ କଥକତା, ବାକ୍‌ପଲ୍ଲବନ, ଅବାନ୍ତର ସମ୍ବୋଧନ ମଧ୍ୟରେ ଚିନ୍ତାମଣିଙ୍କ ଉପନ୍ୟାସଗୁଡ଼ିକର ସାର୍ଥକତା ସୁଦୂର ପରାହତ ହୋଇଛି । ତଥାପି ଆପଣା ଯୁଗରେ ଔପନ୍ୟାସିକ ଭାବେ ଚିନ୍ତାମଣି ଅଭିନନ୍ଦିତ ହୋଇଥିଲେ । ତାଙ୍କର ଶନିସପ୍ତା ଉପନ୍ୟାସଟି ସବୁଜ ସାହିତ୍ୟ ସମିତିଦ୍ୱାରା ପ୍ରକାଶିତ ହୋଇଥିଲା । ଏହାର ନାୟକ ସନାତନ ଶନିବାର, ଶନିବେଳା ଓ ଶନିସପ୍ତା ଦଶାରେ ଜନ୍ମଗ୍ରହଣ କରି ପିତାଙ୍କ ସମସ୍ତ ଆଶଙ୍କା ଦୂରକରି ବିଦ୍ୟାନିପୁଣତା ଓ ଦେଶ ସେବାରେ ଖ୍ୟାତ ଅର୍ଜ୍ଜନ କରିଛି । ମାତ୍ର ବିବାହ ବଂଧନରେ ବାଂଧିନହୋଇ କେବଳ ନିଜର ପରିବାରର ଚାରିକାନ୍ଥ ମଧ୍ୟରେ ନିଜକୁ ଆବଦ୍ଧ ନକରି ହୋଇଛି ତ୍ୟାଗୀ, ଦେଶପ୍ରେମୀ, ଆଦର୍ଶ ଧାର୍ମିକପୁରୁଷ । ଉପନ୍ୟାସଟିରେ ଦୁଇଟି ପର୍ଯ୍ୟାୟ ପ୍ରଥମଟିରେ ନନ୍ଦଙ୍କ ପରିବାର ଓ ଦ୍ୱିତୀୟଟିରେ ତାଙ୍କ ପୁତ୍ର ସନାତନଙ୍କ ବୈରାଗ୍ୟ ମଧ୍ୟରେ ଜୀବନର ପରିପୂର୍ଣ୍ଣ ଚିତ୍ର ଦେବାପାଇଁ ଲେଖକଙ୍କ ଉଦ୍ୟମ ଶ୍ଳାଘ୍ୟ ଓ ସୁନ୍ଦର । ଔପନ୍ୟାସିକ ମାନବପ୍ରୀତି, ଦେଶପ୍ରୀତି ଓ ସାହିତ୍ୟପ୍ରୀତିର ସୁନ୍ଦର ନିଦର୍ଶନ ରଖିଛନ୍ତି । ସ୍ଥାନେ ସ୍ଥାନେ ତାଙ୍କର ବର୍ଣ୍ଣନା କାବ୍ୟଧର୍ମୀ ହୋଇଅଛି । ବଳିଷ୍ଠ ଚରିତ୍ର ଜରିଆରେ ଉଚ୍ଚ ଆଦର୍ଶ ପ୍ରତିଷ୍ଠା ଲକ୍ଷ୍ୟରେ ଯେପରିକି ତାଙ୍କର ଉପନ୍ୟାସଗୁଡ଼ିକ କଳ୍ପିତ । ଈଶ୍ୱର ବିଶ୍ୱାସ ପ୍ରଣୋଦିତ ନିର୍ମଳ ନୀତିବାଦୀ ଜୀବନ ତାଙ୍କର କାମ୍ୟ । ୧୯୨୦ରୁ ୧୯୪୦ ମଧ୍ୟରେ ଚିନ୍ତାମଣିଙ୍କ ଉପନ୍ୟାସଗୁଡ଼ିକ ରଚିତ । ଚିରସାଧକ ଚିନ୍ତାମଣି, ରାଧାନାଥ, ଫକୀରମୋହନଙ୍କ ପଦାଙ୍କ ଅନୁସରଣ କରି ସତ୍ୟବାଦୀ ଓ ସବୁଜ ଯୁଗ ଅତିକ୍ରମ କରି ଆଧୁନିକ କାଳର ବିକାଶ ପର୍ଯ୍ୟନ୍ତ ନିଜର କଳାସୃଷ୍ଟି କାଳର ବିପୁଳ ପ୍ରବାହରେ ଉତ୍ତୀର୍ଣ୍ଣ ରଖିଥିଲେ । ଏହାହିଁ ତାଙ୍କର ବଡ଼ ସାର୍ଥକତା ।

 

ଫକୀରମୋହନଙ୍କ ପରବର୍ତ୍ତୀ ଯୁଗରେ ଓଡ଼ିଆ ଉପନ୍ୟାସର କ୍ରମବିକାଶରେ ନୂତନତର ଦିଗନ୍ତ ଉନ୍‌ମୋଚନରେ ମଲାଜହ୍ନର ଲେଖକ ଉପେନ୍ଦ୍ର କିଶୋର ଦାସ ଓ ‘ମନେ ମନେ’ର ଲେଖକ ବୈଷ୍ଣବ ଚରଣ ଦାସଙ୍କ ନାମ ସ୍ମରଣୀୟ । ଉପନ୍ୟାସର ଚରିତ୍ରଗୁଡ଼ିକର ପ୍ରସ୍ଫୁଟନରେ ମନସ୍ତାତ୍ତ୍ୱିକ ବିଶ୍ଳେଷଣକୁ ଏମାନେ ପ୍ରାଧାନ୍ୟ ଦେଇଛନ୍ତି । ବୈଷ୍ଣବଚରଣ ଦାସଙ୍କ ‘ମନେ ମନେ’ର ପ୍ରଥମାଂଶ ଉତ୍କଳ ସାହିତ୍ୟ ପତ୍ରିକାରେ ଗଳ୍ପ ଆକାରରେ ପ୍ରକାଶିତ ହୋଇଥିଲା । ଏହି ଗଳ୍ପଟିକୁ ବଂଧୁମାନଙ୍କ ଅନୁରୋଧରେ ଲେଖକ ଉପନ୍ୟାସରେ ରୂପାନ୍ତରିତ କରିଥିଲେ । ଲେଖକଙ୍କ ନିଜ କଥାରେ ପ୍ରଥମରୁ ଉପନ୍ୟାସର ଧାରଣାମାତ୍ର ନଥାଇ କ୍ଷୁଦ୍ରଗଳ୍ପକୁ ଏପରି ଭାବରେ ପରିବର୍ଦ୍ଧନ କରି ତାକୁ ଉପନ୍ୟାସ ନାମରେ ଅଭିହିତ କରୁଛି ବୋଲି ମୁଁ ନିଜେ କୁଣ୍ଠିତ ।” ପ୍ରକୃତରେ ଗଳ୍ପାଂଶ ଦୃଷ୍ଟିରୁ ଦେଖିଲେ ଏହା ଏକ କ୍ଷୁଦ୍ର ଗଳ୍ପ ପରି ମନେହୁଏ । ଘଟଣାର ମଧ୍ୟ ସେପରି ବାହୁଲ୍ୟ ନାହିଁ । ନୀଳୁ ଓ କନକ ଏକା ଗାଁର । ଆଶୈଶବ ସଙ୍ଗୀ । କିନ୍ତୁ କନକର ବିବାହ ହୁଏ ଅନ୍ୟ ଗାଁର ନିଧିବାବୁଙ୍କ ସଙ୍ଗେ । ବାହାରେ ନିଧିବାବୁଙ୍କ ପରିବାର ସଙ୍ଗେ ନୀଲୁ ବାବୁଙ୍କ ଆତ୍ମୀୟତାର ଅଭାବ ନଥିଲା । ନିଧିବାବୁ ଓ କନକର ଉଦ୍ଦେଶ୍ୟ ଥିଲା ତାଙ୍କର ଭଉଣୀ ରଙ୍ଗୀକୁ ପାଠଶାଠ ପଢ଼ାଇ ଶିକ୍ଷିତ ନୀଲୁଙ୍କ ପାଇଁ ଉପଯୁକ୍ତ କରିବା । ଅପ୍ରସ୍ତୁତ ନୀଲୁବାବୁ ଦେଖି ଗାଁ ଛାଡ଼ି କଲିକତା ଚାଲିଯାଇଛନ୍ତି । ନୀଲୁବାବୁଙ୍କର ଅନିଚ୍ଛା କଥା ଜାଣି ରଙ୍ଗୀର ନିଧିବାବୁଙ୍କ ଦାମ୍ପତ୍ୟ ଜୀବନରେ ଘଟେ ଏକ ଅଚାନକ ଝଡ଼ । କଲିକତାରେ ଜଣେ ବ୍ୟର୍ଥ ପ୍ରେମିକ ବୃଦ୍ଧଙ୍କ ସଙ୍ଗେ ନୀଲୁବାବୁଙ୍କର ସାକ୍ଷାତ ଘଟେ । ରଙ୍ଗୀର ମସ୍ତିଷ୍କ ବିକୃତି ପାଇଁ ନୀଲୁ ନିଜକୁହିଁ ଦାୟୀ କରୁଥାନ୍ତି । ବୃଦ୍ଧଙ୍କର ଉପଦେଶ–‘ଦେଖ ଯୁବକ ପ୍ରେମ କ’ଣ ତୁମେ ବୁଝନା । ଯଦି କେବେ ପ୍ରେମ କର ଏଇ କଥାଟି ମୋର ମନେ ରଖିଥିବ–ପ୍ରେମିକାର ଇଚ୍ଛାହିଁ ପ୍ରେମିକର ଆଇନ୍‌, ଶାସ୍ତ୍ର, ଧର୍ମ ।” ରଙ୍ଗୀ ସହିତ ବିବାହରେ କନକର ସମ୍ମତିଥିଲା । କନକର ଇଚ୍ଛା ପୂର୍ଣ୍ଣ କରିବା ପାଇଁ ହୃଦୟ ମଧ୍ୟରୁ କନକର ସମସ୍ତ ସ୍ମୃତିକୁ ପୋଛିଦେଇ ଓ ରଙ୍ଗୀକୁ ବିବାହ କରିବାର ଇଚ୍ଛାଘେନି ନୀଲୁ ଫେରିଲେ । ନିଧିବାବୁଙ୍କ ପ୍ରତି ବିରାଗରେ ଅସ୍ଥିରମନା କନକ ଏଣେ କୂଅ ଭିତରେ ଡେଇଁ ପଡ଼ିଥିଲା । କୂଅରୁ ତାକୁ ଉଦ୍ଧାର କରାଗଲା । ମାତ୍ର ସେ ହେଲା ଶଯ୍ୟାଶାୟୀ । ମୃତ୍ୟୁର ପୂର୍ବ ମୁହୂର୍ତ୍ତରେ ନୀଲୁ ଓ ରଙ୍ଗୀଙ୍କର ହାତକୁ ଏକାଠି କରି ସେ ଇହଲୀଳା ସାଙ୍ଗକଲା । ଏହାହିଁ ‘ମନେ ମନେ’ର କଥାବସ୍ତୁ ।

 

ବାହାରର ସାମାଜିକ ସଂପର୍କ ଅନ୍ତରର ଅନୁମୋଦନ ଲାଭ ନକଲେ ତାହା ମୂଲ୍ୟହୀନ । ପୁଣି ଦେହର ଆପର୍ଷଣ ମନକୁ ପ୍ରଭାବିତ କରେ । ମନର ଗଭୀର ଗହ୍ୱରରେ ଚରିତ୍ରମାନଙ୍କର ଭାବବିକାଶର ବୈଚିତ୍ର ମନେମନେର ସାର୍ଥକତାର ପ୍ରଧାନ କାରଣ । ନୀଲୁବାବୁ, କନକ ଓ ରଙ୍ଗୀ ଏଇ ତିନିଜଣଙ୍କୁ ଘେନି ହୃଦୟ ଦିଆନିଆର ତ୍ରିଭୁଜ ଅଙ୍କିତ । ନିଧିବାବୁ ଥାଇ ନଥିଲାପରି । ସେ ଯେପରିକି ବାହାର ସମାଜର କେବଳ ପ୍ରତିନିଧି । କନକ ମୁଖରେ ହିଁ ଲେଖକ ସାମାଜିକ ସଂକୀର୍ଣ୍ଣତା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ରଙ୍ଗୀର ମାନସିକ ବିକୃତ ପଟ୍ଟଭୂମିରେ କନକ ଭାବିଚାଲିଛି । କନକ ସେତେବେଳକୁ ରଙ୍ଗୀର ହୃଦୟ, ମନ ପରିଷ୍କାର ଭାବରେ ଦେଖି ସାରିଲାଣି । ଜାଣିଲାଣି ନୀଲୁଙ୍କ ପାଇଁହିଁ ତା’ର ଏଦଶା । ନୀଲୁଙ୍କ ପାଇଁ ଏକା ନୁହେଁ ସମାଜର ସଂକୀର୍ଣ୍ଣତା ପାଇଁ ତା’ର ଅଧିକ ଦୁଃଖ । “ସମାଜପ୍ରତି ଆନ୍ତରିକ ଘୃଣା ସହିତ ନିଧିବାବୁର ମନେହେଲା ପାଶ୍ଚାତ୍ୟ ଶିକ୍ଷା ଏ ଦେଶକୁ ଆସିବା ପୂର୍ବରୁ ଯଦି ସମାଜସଂସ୍କାର ଆସିଥାନ୍ତା–ସମାଜର ସଂକୀର୍ଣ୍ଣତା ମଧ୍ୟରେ କୂପମଣ୍ଡୂକ ହୋଇ ରହିବାକୁ ସଙ୍ଗେ ସଙ୍ଗେ ନବୀନ ଆଲୋକ ମଧ୍ୟ ଆମରି ଭିତର ବାହାର ଉଦ୍ଭାସିତ କରିପକାଇବ । ଏଇଟାତ ସ୍ୱାଭାବିକ ନୁହେଁ, କି ବିଡ଼ମ୍ବନା ।” (ମନେ ମନେ ପୃ. ୧୨୯) ପାରିବାରିକ ସାମାଜିକ ପରିବେଷ୍ଟନୀ ମଧ୍ୟରେ ପ୍ରେମିକ ପ୍ରେମିକାଙ୍କ ହୃଦୟତନ୍ତ୍ରୀର ସୂକ୍ଷ୍ମ ବିଶ୍ଳେଷଣରେ ଔପନ୍ୟାସିକ ସିଦ୍ଧହସ୍ତତା ଦେଖାଇନାହାନ୍ତି ଉଦାର ମାନବିକ ଆଦର୍ଶବୋଧ, ମୁକ୍ତ ପ୍ରଣୟ ଓ ସ୍ୱାଧୀନ ବ୍ୟକ୍ତିସତ୍ତାର ବିକାଶଘେନି ପୁରୋଦୃଷ୍ଟିର ପରିଚୟ ଦେଇଛନ୍ତି । ମନେମନେର ବାଣୀ ସମାଜର ସକଳ ସ୍ତର ପ୍ରତି ଅଭିପ୍ରେତ । ତରୁଣ ଜୀବନଚର୍ଯ୍ୟା ଓ ପ୍ରବୀଣର ନୀତିବୋଧକୁ ସହଜ ସ୍ୱାଧୀନ ଓ ସ୍ୱାଭାବିକ ମାର୍ଗରେ ପରିଚାଳିତ କରିବାପାଇଁ ଲେଖକ ଦୂରଦୃଷ୍ଟିର ପରିଚୟ ଦେଇଛନ୍ତି । ବୈଷ୍ଣବଚରଣଙ୍କ ଏଇ ଏକମାତ୍ର ସୃଷ୍ଟିରୁ ତାଙ୍କର ଭାଷାଶୈଳୀର କ୍ରମବିକାଶ ନିର୍ଣ୍ଣୟ କରିବା କଠିନ । ଘଟଣା ଓ ବିଷୟ ଅନୁରୂପ । କେତେବେଳେ ସହଜ ଲୌକିକଭାଷା ଓ କେତେବେଳେ ବା କାବ୍ୟିକ ଇଙ୍ଗିତଧର୍ମୀ ଭାଷା ବ୍ୟବହାରରେ ସେ ସିଦ୍ଧହସ୍ତତାର ପରିଚୟ ଦେଇଛନ୍ତି ।

 

ବିବାହ ଓ ପ୍ରଣୟ–ଏକଦିଗରେ ଶୃଙ୍ଖଳା ଓ ଅନ୍ୟ ଦିଗରେ ଆବେଗ, ଏକ ଦିଗରେ ବଂଧନ ଅନ୍ୟ ଦିଗରେ ମୁକ୍ତି–ଏହି ଦ୍ୱନ୍ଦ୍ୱର ପଟ୍ଟଭୂମିରେ ଉପେନ୍ଦ୍ର କିଶୋରଙ୍କର ସମସ୍ୟାକୈନ୍ଦ୍ରିକ ମନସ୍ତାତ୍ୱିକ ଉପନ୍ୟାସ ମଲାଜହ୍ନ କଳ୍ପିତ । ଏହାର ନାୟିକା ସତୀ ମନେକରିଛି ବିବାହ ଯେପରି ଗୋଟାଏ ଅମୁହାଁ ଦେଉଳ । ଏଇ ଅମୁହାଁ ଦେଉଳରୁ ଯେତେବେଳେ ତା’ର ଆତ୍ମା ମୁକ୍ତି ଖୋଜିଛି; ସ୍ୱାମୀଗୃହ ଛାଡ଼ି ସମାଜର ବଂଧନ ଏଡ଼ାଇ ସତୀ ଯେତେବେଳେ ତା’ର ଏକଦା ପ୍ରଣୟ ପ୍ରାର୍ଥୀ ନାଥନନାଙ୍କ ଘରଛାଡ଼ି ସେ ପଥ ଖୋଜିଛି, ସେ ବ୍ୟର୍ଥ ହୋଇଛି । ଆଗରେ ଦେଖିଛି ବହମାନ ଏକ ନଦୀ । ସତେଯେପରି ସବୁ ଆବର୍ଜନାକୁ ନିଜ ପ୍ରବାହ ମଧ୍ୟକୁ ଟାଣିନେଇ କେଉଁ ଏକ ସାଗର ଗର୍ଭରେ ନିକ୍ଷେପ କରିବାକୁ ବ୍ୟଗ୍ର । ମଲାଜହ୍ନ ଏକ ଆତ୍ମକଥନୀ ଭଙ୍ଗୀରେ ଲେଖା ଉପନ୍ୟାସ । ଏଠାରେ ନାୟିକା ସତୀର ଯେପରିକି ବୃହତ୍ତର ସମାଜର ସମସ୍ତଙ୍କୁ ନିଜର ଜୀବନର ଅକୁହାକାହାଣୀ କହି ବସିଛି । ସମାଜ କେବଳ ବାହାର ଦେଖେ । ଅନ୍ତରାଳରେ କ’ଣ ଘଟିଯାଏ ତାହା ଦେଖେ ନାହିଁ । ସତୀ ତାହାହିଁ ଦେଖାଇଛି । ଗୋଟିଏ ଦିନ ଯାତ୍ରାରେ ପଥ ଭୁଲି ପିଲାଦିନର ପରିଚିତ ବଂଧୁ ନାଥନନାଙ୍କ ସହିତ ଯେତେବେଳେ ସେ ଘରକୁ ଫେରିଛି, ସ୍ୱାମୀ ତାକୁ ପରିତ୍ୟାଗ କରିଛନ୍ତି, କଳଙ୍କିନୀ ବୋଲି ଦୋଷ ଦେଇ । ମାତ୍ର ଦାସୀ ସଙ୍ଗେ ପ୍ରଣୟାସକ୍ତ ପ୍ରୌଢ଼ ସ୍ୱାମୀଙ୍କୁ ସମାଜ କଳଙ୍କ ଦେଇନାହିଁ । ସତୀର ପ୍ରଣୟ ତ୍ୟାଗ ଓ ଆତ୍ମୋତ୍ସର୍ଗରେ ମହୀୟାନ । ମାତ୍ର ସତୀ ବିପ୍ଳବିଣୀ ନୁହେଁ । ସ୍ୱାମୀଙ୍କର ସମସ୍ତ ଲାଂଛନା ଓ ବ୍ୟଭିଚାର ସେ ନୀରବରେ ସହ୍ୟକରିଛି । ଘଟଣାକ୍ରମେ ସେ ସ୍ୱାମୀଙ୍କଦ୍ୱାରା ବିତାଡ଼ିତ ହୋଇ ନଥିଲେ ଓ ଆକସ୍ମିକ ଭାବରେ ତା’ର ପ୍ରଣୟୀ ନାଥନନାଙ୍କ ସଙ୍ଗେ ସିଦ୍ଧେଶ୍ୱର ପୁର ମେଳାରେ ତା’ର ସାକ୍ଷାତ ଘଟି ନଥିଲେ ଉପନ୍ୟାସର କାହାଣୀ ପରିଣତ ଦିଗକୁ ଗତି କରି ନଥାନ୍ତା । ଏଇ ଆକସ୍ମିକତା କାହାଣୀର ସ୍ୱାଭାବିକତାରେ ବାଧା ସୃଷ୍ଟି କରିଛି । ସଂଯତ ବର୍ଣ୍ଣନା ପରିପାଟୀ ସହଜ ସ୍ୱତଃସ୍ଫୂର୍ତ୍ତ ଭାଷା ଗ୍ରାମୀଣ ପରିବେଶର ବାସ୍ତବଚିତ୍ର ମଲାଜହ୍ନ ଉପନ୍ୟାସଟିକୁ ରସୋତ୍ତୀର୍ଣ୍ଣ କରିଅଛି । ବ୍ୟର୍ଥ ପ୍ରଣୟର ପ୍ରତୀକରୂପେ ମଲାଜହ୍ନର ଟ୍ରାଜେଡ଼ୀ ପାଠକ ହୃଦୟକୁ ଗଭୀର ଭାବରେ ଆଲୋଡ଼ନ କରେ ।

 

ll ୭ ll

 

ବିଂଶ ଶତକର ଆଦ୍ୟ ପାଦରେହିଁ ଫକୀରମୋହନ ଓଡ଼ିଆ ଊପନ୍ୟାସକୁ ଆଧୁନିକ ରୂପ ଦେଇଥିଲେ ଓ ଉପନ୍ୟାସ ଉପଯୋଗୀ ଭାଷା ସୃଷ୍ଟି କରିଥିଲେ । ଧନୀ, ଦରିଦ୍ର, ଶାସକ ଶାସିତ ମଧ୍ୟରେ ସଂଘଟିତ ଅର୍ନ୍ତଦ୍ୱନ୍ଦ୍ୱ ପ୍ରତି ଇଙ୍ଗିତ କରିଥିଲେ । ଊନବିଂଶ ଶତାବ୍ଦୀର ଆଦର୍ଶ ଓ ଆକାଂକ୍ଷା ଏଥିରେ ମୂର୍ତ୍ତ ହୋଇଥିଲା । ବିଂଶ ଶତାବ୍ଦୀର ପ୍ରଥମ ପାଦରେ ହିଁ ଆସିଲା ପ୍ରଥମ ବିଶ୍ୱଯୁଦ୍ଧ । ସାରା ପୃଥିବୀ ଉପରେ ଏହାର ପ୍ରଭାବ ଥିଲା ଅପ୍ରତିହତ । ଯେଉଁ ଦ୍ୱନ୍ଦ୍ୱ ଦେଶ ଦେଶ ଭିତରେ, ସମାଜ ସମାଜ ଭିତରେ ତା’ର ମୂଳ ଭାବୁକମାନେ ମଣିଷର ମନରେ ହିଁ ଖୋଜିଲେ । ଭଗ୍ନମନସ୍କତା, ବ୍ୟର୍ଥ ପ୍ରଣୟ, ଅପୂର୍ଣ୍ଣ ଉଚ୍ଚାଭିଳାଷ ମଧ୍ୟରେ ଖଣ୍ଡିତ ବ୍ୟକ୍ତିର ଜୀବନ ମାନବୀୟ ସଂହତିର ବଡ଼ ବାଧକ । ଏହାକୁ ଅତିକ୍ରମ କରିବା ପାଇଁ ଆଧୁନିକ ଶିକ୍ଷାର ପ୍ରସାର ଘଟିଲା । ପାଶ୍ଚାତ୍ୟ ନୂତନ ଶିକ୍ଷା ସମାଜ ମନକୁ ଆଲୋକିତ କଲା । ବ୍ୟକ୍ତିମନରେ କେତେ ଉଚ୍ଚାକାଂକ୍ଷା ଜାଗ୍ରତକଲା । କିନ୍ତୁ ସମାଜର ଦ୍ରୂତ ପରିବର୍ତ୍ତନ ଘଟିଲା ନାହିଁ । ଏହି ପରିପ୍ରେକ୍ଷୀରେ ନୂତନ ମନସ୍ତାତ୍ୱିକ ସମସ୍ୟାଧର୍ମୀ ଉପନ୍ୟାସର ଆବିର୍ଭାବ ଘଟିଲା । ଏକଦା ଉପନ୍ୟାସର ଲେଖକମାନେ ଥିଲେ ପ୍ରବୀଣ ଓ ବହୁ ଅଭିଜ୍ଞତାର ପୁଷ୍ଟ ଥିଲା ସେମାନଙ୍କ ରଚନା । ନଥିଲା ଏଥିରେ ତାରୁଣ୍ୟର ସ୍ଫୂର୍ତ୍ତି ଓ ଭାବାବେଗ । ତିରିଶ ଦଶକରେ ଓଡ଼ିଆ ଭାବଜଗତରେ ଏକ ନୂତନ ଦିଗ୍‌ବଳୟ ଖୋଲିଲା । ସତେ ଯେପରିକି ଯାତ୍ରା ଆରମ୍ଭ ହେଲା ଦୁଇଟି ସୀମାନ୍ତରେ । ଗୋଟିଏ ବହିର୍ମୁଖୀ, ଅନ୍ୟଟି ଅନ୍ତର୍ମୁଖୀ । ବହିର୍ମୁଖୀ ଦୃଷ୍ଟିଘେନି ଦେଶ ଦେଶ ଜାତି ଜାତି ମଧ୍ୟରେ ସେତୁ ରଚନାର ପ୍ରୟାସ ହେଲା । ମାତ୍ର ସାହିତ୍ୟର ସମୃଦ୍ଧି ତା’ର ବ୍ୟାପ୍ତିରେ ନୁହେଁ, ତା’ର ଗଭୀରତାରେ । ଅନ୍ତର୍ମୁଖୀ ଦୃଷ୍ଟି ଘେନି ଲେଖକମାନେ ଆବିଷ୍କାର କଲେ ବ୍ୟକ୍ତିମନର ଅତଳଗହ୍ୱର ।

 

ଏହି ପରିବେଶରେ ସବୁଜଗୋଷ୍ଠୀର ତରୁଣ ଲେଖକମାନଙ୍କର ସମବେତ ପ୍ରୟାସର ଫଳଶୁତି ‘ବାସନ୍ତୀ’ ଉପନ୍ୟାସଟି ସ୍ମରଣୀୟ । ଉତ୍କଳ ସାହିତ୍ୟ ପତ୍ରିକାରେ (୨୮ଶ ଭାଗ ୨ୟ ସଂଖ୍ୟାଠାରୁ ୩୦ଶ ଭାଗ ୮ମ ସଂଖ୍ୟା) ୧୯୨୪ ଠାରୁ ୧୯୩୦ ମଧ୍ୟରେ ଏହା ଧାରାବାହିକ ଭାବେ ପ୍ରକାଶ ପାଇଥିଲା । ବାସନ୍ତୀ ଉପନ୍ୟାସର କଥାବସ୍ତୁର ପରିକଳ୍ପନା ଅନ୍ନଦାଶଙ୍କର ଓ କାଳିନ୍ଦୀଚରଣ କରିଥିଲେ । ଏହାର ଆଭିମୂଖ୍ୟ ଅନ୍ନଦାଶଙ୍କରଙ୍କ ବିଜ୍ଞାପନରେ ହିଁ ଦେଖିବାକୁ ମିଳେ-। ପାଶ୍ଚାତ୍ୟ ଜଗତର ରୋଲାଁ, ଇବ୍‌ସେନ୍‌ ଓ ରବୀନ୍ଦ୍ରନାଥଙ୍କ ରଚନାଦ୍ୱାରା ଅନୁପ୍ରାଣିତ ହୋଇ ସବୁଜଗୋଷ୍ଠୀ ସାହିତ୍ୟ ରଚନାରେ ବ୍ରତୀ ହୋଇଥିଲେ । ଧର୍ମ ଓ ସମାଜର ସଂସ୍କାର ଆଣିବା, ସମାଜରେ ନାରୀ ଓ ପୁରୁଷଙ୍କୁ ସମାନ ସ୍ଥାନ ଦେବା ଓ ସବୁ ପ୍ରକାର ପ୍ରାଚୀନ କୁସଂସ୍କାର ଏଡ଼ାଇ ଜାତିକୁ ଏକ ନୂତନ ରୂପରେ ଗଢ଼ିବା ଏମାନଙ୍କର ଲକ୍ଷ୍ୟ ଥିଲା । ଉପନ୍ୟାସର ନାୟକ ଓ ନାୟିକା ଦେବବ୍ରତ ସବୁପ୍ରକାର ପ୍ରାଚୀନ ସଂସ୍କାରର ବିରୋଧୀ । ଜାତି ଧର୍ମ ନିର୍ବିଶେଷରେ ପ୍ରଣୟ ଓ ମୁକ୍ତ ବିବାହରେ ସ୍ୱୀକୃତି ଦେଇଛନ୍ତି । ବାସନ୍ତୀ ସହିତ ଦେବବ୍ରତର, ସୁନୀତି ସହିତ ରମେଶର ବିବାହରେ ଏହି ନୀତି ଘୋଷିତ ହୋଇଛି । ଖ୍ରୀଷ୍ଟିଆନ୍‌ ମହିଳା ସୁନୀତିର ବିବାହ ହୋଇଛି ରମେଶ ସଙ୍ଗେ । ସୁନୀତିର ପିତା କହିଛନ୍ତି “ଏ ବିବାହ କୌଣସି ସମ୍ପ୍ରଦାୟର ଧର୍ମ ମନ୍ଦିରରେ ହୋଇପାରିବ ନାହିଁ । ମୁଁ ରମେଶକୁ ଖ୍ରୀଷ୍ଟିଆନ୍‌ ହେବାକୁ ପ୍ରବର୍ତ୍ତାଇବି ନାହିଁ କିମ୍ବା ଖ୍ରୀଷ୍ଟିଆନ୍‌ ଧର୍ମ ଛାଡ଼ିବାକୁ ସୁନୀତିକୁ କହିବି ନାହିଁ । ସେମାନେ ଯେମିତି ଅଛନ୍ତି ସେମିତି ଥାଆନ୍ତୁ ।” (ବାସନ୍ତୀ ୨୨ଶ ପରିଚ୍ଛେଦ) ଉପନ୍ୟାସ ନାୟିକା ବାସନ୍ତୀ ଉଚ୍ଚ ଶିକ୍ଷିତା । ଏହାହିଁ ଦେବବ୍ରତଙ୍କ ମାତାଙ୍କୁ ବ୍ୟଥିତ କରିଛି । ଦେବବ୍ରତ ଏକ ଦିଗରେ ଆଧୁନିକତା ଓ ଅନ୍ୟଦିଗରେ ପ୍ରାଚୀନ ସଂସ୍କାର ସହିତ ସାମଞ୍ଜସ୍ୟ ଆଣିବା ପାଇଁ ଚେଷ୍ଟାକରିଛନ୍ତି । ଦେବବ୍ରତ ପ୍ରକୃତରେ ସବୁଜ ଯୁଗର ମାନସ ସନ୍ତାନ । ବାସନ୍ତୀ ପଛରେ ଅନ୍ୟତମ ନାୟିକା ନିର୍ମଳା ଦେବୀଙ୍କ ଚରିତ୍ରରେ ସର୍ବଧର୍ମ ପ୍ରତି ସମାଦର ଓ ଅଖଣ୍ଡ ଭାରତୀୟ ଜାତୀୟତା ଆଦର୍ଶ ପ୍ରତିଫଳିତ ହୋଇଛି । ମାତ୍ର ସମାଜ, ସଂଗଠନ, ପରିବାର ଏଇ ସକଳ ସହିତ ସଂଘର୍ଷରେ ଲିପ୍ତହୋଇ ବ୍ୟକ୍ତି ମନ ଯେଉଁ ଅବସାଦ ସମ୍ମୁଖୀନ ହୁଏ ତାହାର ବାସ୍ତବତା କେହି ଅସ୍ୱୀକାର କରିପାରେ ନାହିଁ । ଜାତିର ସ୍ୱାଧୀନତା ଲାଗି ସମାଜର ସଂସ୍କାର ଲାଗି ଦୀନ ଦରିଦ୍ରଙ୍କ ସେବା ଓ ନାରୀ ଜାତିର ଉନ୍ନତି ବିଧାନ ଲାଗି ସମର୍ପିତ ପ୍ରାଣ ଦେବବ୍ରତ ବାସ୍ତବତାର କଠୋର ଭୂମିରେ ଛିଡ଼ାହୋଇ ଅନୁଭବ କରିଛି–“ମୁଁ ଠକିଯାଇଛି ଠକିଯାଇଛି, ଗୋଟିଏ ବିଭ୍ରାନ୍ତ ଭ୍ରାନ୍ତିର ଶୁଷ୍କ ଶାନ୍ତ, ଶୂନ୍ୟତା ମୋ ହୃଦୟକୁ ଆଚ୍ଛନ୍ନ କରିରଖିଛି । ବାହାରେ ସମାଜ କରିଦେଇଛି ଏକଘରକିଆ, ଭିତରେ ମା କରିଦେଇଛନ୍ତି କୁଳରୁ ଦୂର, ସ୍ତ୍ରୀ କରିଦେଇଛି ମନରୁ ଦୂର । କାମ କରିବାକୁ ଇଚ୍ଛା, କ’ଣ ନେଇ କାମକରିବି ? ଏଇ ଅବସନ୍ନ ମନ । ତାରୁଣ୍ୟର କଳ୍ପନା ବିଳାସୀ ପ୍ରାଣ ସତେଯେପରି ବାସ୍ତବତାର ପ୍ରବଳ ଝଞ୍ଜାଭିତରେ ଆର୍ତନାଦ କରିଉଠିଛି । ବାସନ୍ତୀ ଉପନ୍ୟାସଟି ଆଧୁନିକ ସହରବାସୀ ଶିକ୍ଷିତ ମଧ୍ୟବିତ୍ତ ସମାଜର ଚିତ୍ରରେ ସମୃଦ୍ଧ ।

 

ଇଳରାମ ବାବୁଙ୍କ ବିଧବା ସ୍ତ୍ରୀ ନିର୍ମଳା ଦେବୀ ନିଜର ଏକମାତ୍ର କନ୍ୟା ବାସନ୍ତୀର ଭାର କଲେଜଛାତ୍ର ଦେବବ୍ରତ ଉପରେ ଅର୍ପଣ କରି ବିଦାୟ ନେଇଛନ୍ତି । ନିଜ ପରିବାର ଓ ମାତାଙ୍କ ଅନିଚ୍ଛା ସତ୍ୱେ ଆଦର୍ଶବାଦୀ ଦେବବ୍ରତ ବାସନ୍ତୀକୁ ବିବାହ କରିଛି । ଏକ ଦିଗରେ ଉଦାରତା ଓ ଆଦର୍ଶ ଅନ୍ୟ ଦିଗରେ ପାରଂପାରିକ ରୁଚିବୋଧ । ଶେଷ ପର୍ଯ୍ୟନ୍ତ ଦେବବ୍ରତ ବାସନ୍ତୀର ସ୍ୱାଧୀନତାକୁ ସହ୍ୟ କରିପାରିନାହିଁ । ବାସନ୍ତୀ ଆତ୍ମସମର୍ପଣ କରିବା ନାରୀ ନୁହେଁ । ତେଣୁ ବାସନ୍ତୀ ଦେବବ୍ରତ ଘରୁ ବିଦାୟ ନେଇଛି । ବାସନ୍ତୀର ଡାଏରୀ ଓ କେତେକ ଚିଠିପତ୍ରରୁ ଦେବବ୍ରତ ବାସନ୍ତୀର ପ୍ରକୃତ ପରିଚୟ ଲାଭକରିଛି ଓ ପୁଣି ବାସନ୍ତୀକୁ ଆପଣାର କରିନେଇଛି । ଘଟଣାର ପ୍ରବାହରେ ଉତ୍‌ଥାନ ଓ ପତନ କ୍ୱଚିତ୍‌ ଘଟିଛି । ନାରୀ ଓ ପୁରୁଷର ସମ ମର୍ଯ୍ୟାଦା ପ୍ରତିଷ୍ଠାହିଁ ଯେପରିକି ଏ ଉପନ୍ୟାସର ପ୍ରଧାନ ବକ୍ତବ୍ୟ । ଏଇ ବକ୍ତବ୍ୟକୁ ପରିସ୍ଫୁଟ କରିବା ପାଇଁ ସମସ୍ତ ଚରିତ୍ର ଓ ସବୁ ଘଟଣାର ସଂହତ ସମାବେଶ ଘଟିଅଛି । ପ୍ରଧାନ ଚରିତ୍ରଗୁଡ଼ିକ ସହିତ ବହୁ ଗୌଣ ଚରିତ୍ରର କୋଳାହଳ ଦେଖିବାକୁ ମିଳେ । ଏହି ଚରିତ୍ରଗୁଡ଼ିକର ଗୁଣଗ୍ରାମ ବର୍ଣ୍ଣନା ସମସାମୟିକ ସମାଜର ସ୍ଥିତି ଓ ଗତି, ଆଦର୍ଶ, ଆକାଂକ୍ଷା ଫୁଟାଇବାର ସଫଳ ପ୍ରୟାସ ହୋଇଛି । ଏହି ଗୌଣ ଚରିତ୍ରଗୁଡ଼ିକୁ ଟାଇପ୍‌ (Type) ଚରିତ୍ର କୁହାଯାଇପାରେ । ତେବେ ମୁଖ୍ୟ ଚରିତ୍ରଗୁଡ଼ିକୁ ଫୁଟାଇବାରେ ଲେଖକମାନଙ୍କ ପ୍ରୟାସ ଅଭିନନ୍ଦନୀୟ । ବାସନ୍ତୀ ଓ ଦେବବ୍ରତର ପ୍ରଣୟ ଓ ପରିଣୟକୁ କେନ୍ଦ୍ରକରି ଗଢ଼ିଉଠିଥିବା ଆନନ୍ଦ, ବିଷାଦ, ଈର୍ଷା, ଦ୍ୱେଷ, ବନ୍ଧୁତ୍ୱ ଓ ବିରୋଧର ଚିତ୍ର ସମସ୍ତ ଉପନ୍ୟାସର ଘଟଣା ପ୍ରବାହକୁ ଗତିଶୀଳ କରାଇଅଛି । ଏମାନଙ୍କ ଜୀବନ ଭଗିଆ ସାରିଆର ଜୀବନ ଭଳି ସହଜ ଓ ସ୍ୱାଭାବିକ ପରିବେଶରେ ଗଢ଼ିଉଠିନାହିଁ । ନାନା ପରିବର୍ତ୍ତିତ ପରିବେଶ ମଧ୍ୟରେ ଏହି ଚରିତ୍ରମାନେ ମନର ଭାରସାମ୍ୟ ରକ୍ଷା କରିଛନ୍ତି । ଏମାନଙ୍କ ପ୍ରେମ ଓ ଜୀବନ ଆଦର୍ଶ ଓ ବାସ୍ତବର ବନ୍ଧୁର ପଥରେ ସ୍ୱାଭାବିକ ସହଜସ୍ଫୂର୍ତ୍ତି ଲାଭ କରିଅଛି । ସହରର ଲାଳିତା ବାସନ୍ତୀ ପଲ୍ଲୀ ପରିବେଶରେ ଜୀବନର ସମସ୍ତ କଠୋରତା ମଧ୍ୟରେ କେବଳ ଦେବବ୍ରତର ପ୍ରଣୟ ତାକୁ ବଞ୍ଚାଇ ରଖିଛି । ମାତ୍ର ଏଇ ପ୍ରେମରେ ଯେତେବେଳେ ଭଟ୍ଟା ଦେଖାଦେଇଛି ସେତେବେଳେ ସେ ଅନ୍ୟରୂପ ଧାରଣ କରିଛି । ଦେବବ୍ରତର ଜୀବନରେ ମଧ୍ୟ ଆସିଛି ବହୁ ପରିବର୍ତ୍ତନ । ମାତ୍ର ଏ ପରିବର୍ତ୍ତନ ମୂଳରେ ରହିଛି ବାସନ୍ତୀର ବଳିଷ୍ଠ ବ୍ୟକ୍ତିତ୍ୱ । ବାସନ୍ତୀ ବିଚାରରେ ଆଦର୍ଶ ସମାଜ ମୂଳରେ ପୁରୁଷ ଓ ନାରୀ ଦୁହିଁଙ୍କର ହାତର ସମନ୍ୱୟ ରହିବା ଉଚିତ । ଯେତେବେଳେ ତା’ରି ବିଶ୍ୱାସରେ ବାଧା ଆସିଛି ସେ ତା’ର ପ୍ରତିବାଦ କରିଛି । କଠୋର ହୋଇଛି ଅପମାନ ନିକଟରେ, ଅନ୍ୟାୟ ନିକଟରେ । ନିଜର ଷୋଳଅଣା ଅଧିକାର ବୁଝିନେବା ପାଇଁ ସେ ଆଗେଇ ଆସିଛି ।

 

ବାସନ୍ତୀ ବହୁ ଲେଖକଙ୍କର ଲେଖନୀ ପ୍ରସୂତ ହେଲେହେଁ ଏହାର ଭାଷା ସାବଲୀଳ । ସ୍ଥଳ ବିଶେଷରେ ଭାବବିଭୋର ଆବେଗଧର୍ମୀ ଓ କାବ୍ୟିକ । ଏଥିରେ ହୁଏତ ଖାଣ୍ଟି ଗ୍ରାମୀଣ ଶବ୍ଦର ବିନିଯୋଗ କ୍ୱଚିତ୍‌ ଘଟିଛି । ମାତ୍ର ସାଧୁ ତତ୍‌ସମ ଶବ୍ଦର ପ୍ରୟୋଗ ଏହାର ଶୈଳୀକୁ ଭାରାକ୍ରାନ୍ତ କରିନାହିଁ । ବିଭିନ୍ନ ଲେଖକଙ୍କ ଭାଷାର ଓ ଲେଖାର ରୀତର ତାରତମ୍ୟ ସତ୍ତ୍ୱେ ଏହାର ସାଫଲ୍ୟ ବିଷୟରେ ଆଶାବାଦୀ ଅନ୍ନଦାଶଙ୍କରଙ୍କ ଉକ୍ତି ସ୍ମରଣୀୟ “ଏହାକୁ କେହି କେହି ଖେଚୁଡ଼ି କହିପାରନ୍ତି-। ହେଲେ ଖେଚୁଡ଼ିଟା ଯେ ଭାତଠାରୁ ଅଧିକ ଉତ୍କୃଷ୍ଟତର ଖାଦ୍ୟ ଏହା ସମସ୍ତେ ଜାଣନ୍ତି-। ସୁନ୍ଦର ହେଲେ ଆମମାନଙ୍କ ଖେଚୁଡ଼ି ଉପନ୍ୟାସଟିକୁ ଉପହାସ କରି କେହି ଉପବାସ ରହିବେ ନାହିଁ ।” ପ୍ରକୃତରେ ବାସନ୍ତୀ ନାଗରିକ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ଓ ଗ୍ରାମୀଣ ସମାଜ ଚେତନା, ନବ୍ୟ ଶିକ୍ଷିତଙ୍କ ଆଦର୍ଶବୋଧ ଓ ବିଶେଷ ଭାବରେ ନାରୀ ସ୍ୱାଧୀନତାର ମନୋଜ୍ଞ ଚିତ୍ର ପରିବେଷଣ କରି ଓଡ଼ିଆ ଉପନ୍ୟାସର ଏକ ବାସନ୍ତୀ ଅଧ୍ୟାୟ ସୃଷ୍ଟିକରିଛି ।

 

।। ୮ ।।

 

ବାସନ୍ତୀ ଉପନ୍ୟାସରେ ଲେଖକମାନଙ୍କ ମଧ୍ୟରେ ଲେଖିକାଙ୍କୁ ମଧ୍ୟ ଦେଖିବାକୁ ମିଳେ । ହୁଏତ ପ୍ରକୃତରେ ଏମାନେ କୌଣସି ଲେଖକଙ୍କର ଛନ୍ମନାମ । କାରଣ ପତ୍ରିକାରେ ପ୍ରକାଶ ପାଇଥିବା ବନଲତା ଦେଈ ଓ ରତ୍ନମଣି ଦେଈଙ୍କ ନାମ ପୁସ୍ତକାକାରରେ ପ୍ରକାଶିତ ବାସନ୍ତୀ ଉପନ୍ୟାସରେ ଦେଖିବାକୁ ମିଳେନାହିଁ । ବସ୍ତୁତଃ ଲେଖକମାନେହିଁ ଛଦ୍ମରେ ଲେଖିକା ନାମଧାରଣ କରିଥାଇପାରନ୍ତି । ନାରୀ ନିଜର କଥା ନିଜେ କହୁ–ଏହାହିଁ ଯେପରି ଥିଲା ସବୁଜ ଗୋଷ୍ଠୀ ଲେଖକମାନଙ୍କ ଆଦର୍ଶ । ଆଜି ଶିକ୍ଷାଦୀକ୍ଷାର ଅଭିନ୍ନତା, ସାମାଜିକ ମିଳାମିଶାର ଅବାଧ ସୁଯୋଗ-। ନାରୀ ପୁରୁଷର ମନୋଭାବରେ ଭିନ୍ନତାର ସୀମାରେଖା ସଂକୁଚିତ ହୋଇଆସିଛି । ବାସ୍ତବତାର ପ୍ରଭାବ, ଅର୍ଥନୈତିକ ସ୍ଥିତି ଏବଂ ଜୀବିକାର୍ଜନ ସଙ୍ଗେ ସଙ୍ଗେ ଆତ୍ମପ୍ରତିଷ୍ଠା ପାଇଁ ଦୃଢ଼ ଆତ୍ମନିର୍ଭରଶୀଳା ନାରୀର ଅଗ୍ରଣୀ ଭୂମିକା ଓଡ଼ିଆ କଥା ସାହିତ୍ୟରେହିଁ ପ୍ରଥମେ ଦେଖାଦେଇଛି ।

 

ବିଶ୍ୱଯୁଦ୍ଧୋତ୍ତର ସମାଜରେ ଅନ୍ତତଃ ଗୋଟିଏ ସ୍ତରରେ ପାରଂପାରିକ ସ୍ଥିତିର ପରିବର୍ତ୍ତନ ଘଟିଥିଲା । ଯୌଥ ପରିବାରର ବଂଧନ କ୍ରମଶଃ ଶିଥିଳ ହୋଇଆସୁଥିଲା । ବ୍ୟବସାୟ ଓ ଶିକ୍ଷାଲାଭ ଉଦ୍ଦେଶ୍ୟରେ ତରୁଣମାନେ ଦୂରଦେଶକୁ ଯାତ୍ରା କରୁଥିଲେ । ଭିନ୍ନ ଧର୍ମ ଓ ଭିନ୍ନ ସଂସ୍କୃତି ତରୁଣ ତରୁଣୀଙ୍କ ମଧ୍ୟରେ ବ୍ୟବ୍ୟଧାନ ସୃଷ୍ଟି କରୁ ନଥିଲା ପୁଣି ଆନ୍ତର୍ଜାତୀୟ ବିବାହ ମାଧ୍ୟମରେ ମାନବ ମୈତ୍ରୀର ମହତ୍‌ କଳ୍ପନା ଆଦର୍ଶବାଦୀ ତରୁଣ ତରୁଣୀଙ୍କୁ ଉଦ୍‌ବୁଦ୍ଧ କରୁଥିଲା । ଓଡ଼ିଶାରୁ ଉଚ୍ଚ ଅଭିଜାତ ପରିବାରରେ ଉନବିଂଶ ଶତାବ୍ଦୀର ଶେଷାଂଶରୁ ହିଁ ଏହି ଧାରା ଦେଖାଦେଇଥିଲା । ମୟୁରଭଞ୍ଜର ରାଜା ରାଜଚନ୍ଦ୍ରଭଂଜ ଚିରାଚରିତ ରୀତିରେ କୌଣସି ରାଜପରିବାରରୁ ବିବାହ ନକରି ବ୍ରାହ୍ମ କେଶବଚନ୍ଦ୍ର ସେନ୍‌ଙ୍କ କନ୍ୟାକୁ ବିବାହ କରିଥବଲେ । ତିରିଶ ଦଶକର ପୂର୍ବରୁ ଢେଙ୍କାନାଳର ଆଦର୍ଶବାଦୀ ଯୁବକ ସାରଙ୍ଗଧର ଦାଶ “ପ୍ରିଂଡ଼ା ହାଉସୱାର୍ଥ” ନାମକ ଜଣେ ଆମେରିକା ଅଧିବାସିନୀ ସୁଇସ୍‌ ମହିଳାଙ୍କୁ ବିବାହ କରିଥିଲେ । ସର୍ବତ୍ର ଏହିସବୁ ବହୁଗୋଷ୍ଠୀ ସମନ୍ୱିତ ଭିନ୍ନଧର୍ମାଶ୍ରିତ ବିବାହକୁ କେନ୍ଦ୍ରକରି ଯେଉଁସବୁ କ୍ଷୁଦ୍ର ପରିବାର ଗଢ଼ିଉଠୁଥିଲା, ତା’ର ଚତୁର୍ଦିଗରେ ଯୌଥ ପରିବାରର ପ୍ରେତାତ୍ମା ଯେପରିକି ଘେରି ରହିଥିଲା । ଏପରିକି ଯୌଥ ପରିବାର ମଧ୍ୟରେ ମଧ୍ୟ ବ୍ୟକ୍ତି କୈନ୍ଦ୍ରିକ ପରିବାର ରଚନା ଅନ୍ତଃଦ୍ୱନ୍ଦ୍ୱ କ୍ରମଶଃ ଦାନାବାନ୍ଧି ଉଠିଥିଲା । ଏହି ଯୁଗରେ ନାରୀର ଯେ ସ୍ୱତନ୍ତ୍ର ବ୍ୟକ୍ତି ବୋଧ ଓ ତା’ର ସ୍ୱାତନ୍ତ୍ର୍ୟ ଯଥୋପଯୁକ୍ତ ଚିତ୍ର ଲେଖକଙ୍କଠାରୁ ହିଁ ଆଶା କରାଯାଉଥିଲା । ସାହିତ୍ୟର ପାରଂପାରିକ ବାତାବରଣରେ ନର ଦୃଷ୍ଟିରେ ନାରୀ ଥିଲା ସକଳ ସୌନ୍ଦର୍ଯ୍ୟର ଆଧାର । ପୁଣି କେତେବେଳେ ସମସ୍ତ ବିଫଳତା ଓ ହୀନତାର ମୂର୍ତ୍ତ ପ୍ରତୀକ । ସେଥିପାଇଁ ନାରୀ ଅବିଶ୍ୱାସିନୀ, କଳଙ୍କିନୀ, ଭୀରୁ । ସେଇ ଆର୍ଷବଚନ–ଢୋଲ, ପଶୁ ଓ ନାରୀ କେବଳ ସବୁ ତାଡ଼ନାର ଯୋଗ୍ୟ । କେବଳ ନାରୀ ଦୃଷ୍ଟିରେ ନରର ଚିତ୍ର କେଉଁଠି ଫୁଟିନଥିଲା । ଯଦିବା ଫୁଟିଥିଲା ତାହା ଯେପରିକି ନିପାତନ ଓ ପ୍ରାଚୀନ ଭାରତୀୟ ଆଦର୍ଶର ପରିପ୍ରକାଶ ମାତ୍ର । କଥାସାହିତ୍ୟ ଜଗଜକୁ ଯେତେବେଳେ ଲେଖିକାମାନେ ପ୍ରବେଶ କଲେ ସେତେବେଳେ ଏକ ନୂତନ ଦୃଷ୍ଟିର ପରିଚୟ ମିଳିଲା ।

 

ବିଂଶ ଶତକ ଆଦ୍ୟପାଦରେ ଓଡ଼ିଶାରେ ନାରୀଜାଗରଣର ମୂର୍ତ୍ତ ପ୍ରତୀକ ଥିଲେ କୁନ୍ତଳାକୁମାରୀ । ଜନଜୀନବରେ ଆଧୁନିକା ଡାକ୍ତର ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ । କିନ୍ତୁ ତାଙ୍କ ହୃଦୟରେ ସମସ୍ତ ନାରୀଜାତି ପ୍ରତି ସହାନୁଭୂତି ଓ ଏକାତ୍ମବୋଧ ଥିଲା ପ୍ରବଳ । ସେ କବିତା ଓ ଉପନ୍ୟାସ ମଧ୍ୟରେ ନିଜହୃଦୟର ପ୍ରକାଶ ଲୋଡ଼ିଥିଲେ । କୁନ୍ତଳାଙ୍କ ବ୍ୟକ୍ତିତ୍ୱ ସର୍ବଭାରତୀୟ ପଟ୍ଟଭୂମିରେ ଗଢ଼ିଉଠିଥିଲା । ମଧ୍ୟପ୍ରଦେଶର ବସ୍ତର ଦେଶୀୟା ରାଜ୍ୟରେ ତାଙ୍କର ଜନ୍ମ । ମାତ୍ର ତାଙ୍କର କୈଶୋର ବିତିଥିଲା ବର୍ମାରେ । ତାଙ୍କର ବାପା ଦାନିଏଲ୍‌ ସାବତ୍‌ ବର୍ମାରେ ଜଣେ ଚିକିତ୍ସକ ଥିଲେ । କୁନ୍ତଳା ୧୩ ବର୍ଷ ବୟସରେ କଟକ ଆସିଥିଲେ ଓ ୨୧ ବର୍ଷ ବୟସରେ ଏଲ୍‌.ଏମ୍‌.ପି. ପରୀକ୍ଷାରେ କୃତୀତ୍ୱ ଲାଭକରି କଟକରେ ରେଡ୍‌କ୍ରସ ବିଭାଗରେ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ । କଟକରେ ତାଙ୍କର ଏହି ରହଣି ଥିଲା ମାତ୍ର ଛଅବର୍ଷ । ୧୯୨୧ ଠାରୁ ୧୯୨୭ । ଏହି ବୟସରେ ଏହି ସ୍ୱଳ୍ପ ସମୟ ଭିତରେ ଏଇ ଅବସରରେ ଅସଂଖ୍ୟ ଗୀତି କବିତା ରଚନା ସଙ୍ଗେ ସଙ୍ଗେ ପାଞ୍ଚଖଣ୍ଡି ଉପନ୍ୟାସ ରଚନା କରିଥିଲେ । ମନେ ହୋଇପାରେ ଏସବୁ କୁନ୍ତଳାଙ୍କ କଞ୍ଚାହାତର ଲେଖା । ଶିଳ୍ପୀତ୍ୱର ପରିଣତିର ଅବକାଶ ନଥିଲା । କିନ୍ତୁ ଏଇ ସଦ୍ୟ ସ୍ୱଚ୍ଛ ଲେଖନୀର ଗତିଥିଲା ଅବାରିତ । ଏଥରେ ଥିଲା ତାରୁଣ୍ୟ ଉଦାର କଳ୍ପନା ଓ ଉଚ୍ଚ ଆଦର୍ଶ । କୁନ୍ତଳାକୁମାରୀ କୈଶୋର ଓ ଯୌବନରେ ଜୀବନ ସଂଗ୍ରାମରେ ବିଶେଷଭାବେ କ୍ଷତବିକ୍ଷତ ହୋଇଥିଲେ । ତାଙ୍କ ମାତାପିତାଙ୍କର ବିଷ-ଦୃଷ୍ଟିରେ ପଡ଼ିଥିଲେ । ଏକାକିନୀ ମାତାହିଁ ତାଙ୍କୁ ଆତ୍ମନିର୍ଭରଶୀଳା କରି ପାରିଥିଲେ । କୁନ୍ତଳା ଖ୍ରୀଷ୍ଟିଆନ୍‌ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଉତ୍କଳୀୟ ଆଦର୍ଶ ଓ ଉଦାର ଆର୍ଯ୍ୟଭାବ ପ୍ରତି ତାଙ୍କର ଥିଲା ଅକୁଣ୍ଠ ଅନୁରାଗ । ଜାତୀୟତା ଓ ମା୍‌ନବିକତା ତାଙ୍କର ପ୍ରାଣତନ୍ତ୍ରୀକୁ ଉଦ୍‌ବେଳିତ କରିଥିଲା । ଏହାର ଫଳଶ୍ରୂତି ହେଉଛି ତାଙ୍କର ଉପନ୍ୟାସସମୂହ । କୁନ୍ତଳାଙ୍କ ଉପନ୍ୟାସଗୁଡ଼ିକ ମହାତ୍ମାଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଓ ସମାଜ ସଂସ୍କାର ଆନ୍ଦୋଳନର ପଟ୍ଟଭୂମିରେ ଲିଖିତ । ସେ ଯୁଗରେ କୁନ୍ତଳା କୁମାରୀଙ୍କ ଉପନ୍ୟାସମାନ ଯେପରି ଜନପ୍ରିୟତା ଲାଭ କରିଥିଲା ତାହାର ତୁଳନା ନାହିଁ । ତାଙ୍କର କାଳୀବୋହୁ ଓ ପରଶମଣି ଅଳ୍ପ ସମୟରେ ଏକାଧିକ ସଂସ୍କରଣରେ ପ୍ରକାଶିତ ହୋଇଥିଲା । ୧୯୨୩ରେ ତାଙ୍କର ପ୍ରଥମ ଉପନ୍ୟାସ ଥିଲା ‘ଭ୍ରାନ୍ତି’, ୧୯୨୫ରେ ‘ନଅତୁଣ୍ଡୀ’ ଓ ୧୯୨୮ରେ ତାଙ୍କର ସର୍ବବୃହତ୍‌ ଓ ସର୍ବଶ୍ରେଷ୍ଠ ଉପନ୍ୟାସ ‘ରଘୁ ଅରକ୍ଷିତ’ ପ୍ରକାଶ ପାଇଥିଲା ।

 

ପାରିବାରିକ ଓ ସାମାଜିକ ପୃଷ୍ଠଭୂମି ଉପରେ କୁନ୍ତଳାଙ୍କ ପ୍ରାୟ ସମସ୍ତ ଉପନ୍ୟାସ କଳ୍ପିତ-। ସାମାଜିକ ଅସମାଜିକ ସାମଞ୍ଚସ୍ୟ ଓ ପାରିବାରିକ ସଂଗଠନରେ ନାରୀର ଭୂମିକା ସଂପର୍କରେ ସେ ଥିଲେ ସଚେତନ । ନିପୀଡ଼ନର ବର୍ଣ୍ଣନା ମାଧ୍ୟମରେ ଜୀର୍ଣ୍ଣ ସାମାଜିକ ଅବସ୍ଥାର ବିଲୋପ ଉଦ୍ଦେଶ୍ୟରେ କୁନ୍ତଳାଙ୍କ ପ୍ରୟାସ ପରିଲକ୍ଷିତ । ପ୍ରଚଳିତ ସମାଜର ବିବାହ ବିଧି ଜୀବନ ସଂଗ୍ରାମରେ ଅସହାୟ ନାରୀର ଶୋଚନୀୟ ଅବସ୍ଥା, ହୃଦୟହୀନ ପୁରୁଷର ନିର୍ମମ ଅତ୍ୟାଚାର ଓ ସ୍ୱେଚ୍ଛାଚାରିତା ଓ କୁନ୍ତଳାକୁ ବ୍ୟଥିତ କରିଥିଲା ଜୀର୍ଣ୍ଣ ପୁରାତନ ସମାଜର ଧ୍ୱଂସସ୍ତୁପ ଉପରେ ସୁନ୍ଦର ଓ ସୁସ୍ଥ ସମାଜ ଓ ଆନନ୍ଦମୟ ପରିବାର ଗଠନଲାଗି କୁନ୍ତଳା ନିଜର ଉପନ୍ୟାସଗୁଡ଼ିକରେ ଇଙ୍ଗିତ ଦେଇଯାଇଅଛନ୍ତି ।

 

କୁନ୍ତଳାଙ୍କ ପ୍ରଥମ ଉପନ୍ୟାସ ‘ଭ୍ରାନ୍ତି’ରେ ଏକ ମଧ୍ୟବିତ୍ତ ଜମିଦାର ପରିବାରର ଚିତ୍ର ପ୍ରଦତ୍ତ । ଏଠାରେ ଜମିଦାର କନ୍ୟା ଶେଫାଳୀ ଓ ଅନଙ୍ଗ ମୋହନ ଏକ ପରିବାରରେ ପାଳିତ ଓ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ସହଜାତ ପ୍ରବୃତ୍ତିରେ ଚାଳିତ ହୋଇ ପ୍ରଣୟାବଦ୍ଧ ହୋଇଅଛନ୍ତି । ମାତ୍ର ଜୀର୍ଣ୍ଣ ସମାଜର ପ୍ରଥା ଓ ନ୍ୟସ୍ତ ସ୍ୱାର୍ଥର ଚକ୍ରାନ୍ତ ଏହି ପ୍ରଣୟରେ ବାଧା ସୃଷ୍ଟି କରିଛି । ନାୟକ ହୋଇଛି ଦେଶତ୍ୟାଗୀ ଓ ନାୟିକା ହୋଇଛି ପୀଡ଼ିତା, ଶଯ୍ୟାଶାୟିନୀ । ପରିଶେଷରେ ଘଟଣାକ୍ରମେ ସମସ୍ତଙ୍କର ଭ୍ରାନ୍ତି ଦୂର ହୋଇଛି ଓ ଉପନ୍ୟାସର ପରିସମାପ୍ତି ଘଟିଛି ନାୟକ ନାୟିକାଙ୍କ ବିବାହ ଓ ମିଳନରେ । ଏହି ଉପନ୍ୟାସର ଗଳ୍ପରେ ଅବଶ୍ୟ ବିଶେଷ ବୈଚିତ୍ର୍ୟ ନାହିଁ । ମାତ୍ର ବିବାହରେ ପ୍ରେମର ମୂଲ୍ୟ ଯେ କେତେ ବେଶୀ ତାହାହିଁ ଲେଖିକା ଦେଖାଇ ଦେଇଛନ୍ତି ।

 

ନଅତୁଣ୍ଡୀ କୁନ୍ତଳାଙ୍କର ଅନ୍ୟ ଏକ ସରସ ଉପନ୍ୟାସ । ଏହାର ନାୟିକା ନିମ୍ନ ଶ୍ରେଣୀରେ ଜନ୍ମଗ୍ରହଣ କରିଛି ଓ ଲୋକରେ କଳିହୁଡ଼ି ବୋଲି ତା ନାମରେ ଅପବାଦ ରଟିଛି । ମାତ୍ର ତା’ର ଅନ୍ତର୍ନିହିତ ସତ୍‌ସାହସ; ଦେଶ ଓ ଦଶର ମଙ୍ଗଳ ପାଇଁ ଆତ୍ମବଳୀଦାନର ଦୁଃସାହସ ତାକୁ ଉନ୍ନତି ପଥରେ ଘେନିଯାଇଛି । ସଂସ୍କାର କାମୀ ଆଧୁନିକମନା ଜମିଦାର କୃଷ୍ଣଚନ୍ଦ୍ର ରାଉତରାୟଙ୍କର ସେ ହୋଇଛି ପତ୍ନୀ ଓ ଏକଦା କଳିହୁଡ଼ି ରତନୀ ମଙ୍ଗଳଚଣ୍ଡୀ ରତ୍ନାବତୀରେ ପରିଣତ ହୋଇଛି । ପରଶମଣିରେ ଶାଶୁ, ନଣନ୍ଦ ଓ ସ୍ୱାମୀର ଅତ୍ୟାଚାରରେ କୁଳବୋହୂର ଦୁର୍ବିସହ ଜୀବନ ଚିତ୍ର ଅଙ୍କିତ ହୋଇଅଛି । ପାରିବାରିକ ଜୀବନ ସ୍ନେହ, ମମତା ଓ ସହାନୁଭୂତି ବଦଳରେ ଈର୍ଷା, ଦ୍ୱେଷ ଓ ହିଂସାର ରାଜତ୍ୱରେ କିପରି ଶୁଷ୍କ ଓ ବନ୍ଧ୍ୟ ହୋଇପାରେ । ଏହା କିପରି ଗୁଣବତୀ ନାରୀର ଅସୀମ ଧୈର୍ଯ୍ୟ ବଳରେ ପୁଣି ସୁଖର ସଂସାରରେ ପରିଣତ ହୋଇପାରେ ତାହା କୁନ୍ତଳାକୁମାରୀ ଦେଖାଇଛନ୍ତି–ଏହି ଉପନ୍ୟାସର ନାୟିକା ଲଳିତା ଚରିତ୍ରରେ । ନାରୀର ସମସ୍ତ ଦୁଃଖଭୋଗର ମୂଳରେ ପୁରୁଷର ସ୍ୱେଚ୍ଛାଚାରିତା ଯେତିକି ନୁହେଁ ନାରୀର ଈର୍ଷା ଓ ପରଶ୍ରୀକାତରତାର ଦାନ ତତୋଽଧିକ । ନାରୀକୁ ନିଜ ଦୋଷ ଦୁର୍ବଳତା ବିଷୟରେ କୁନ୍ତଳା ସଚେତନ କରାଇ ଦେଇଛନ୍ତି । ନାୟିକା ଲଳିତା ଅନୁଭବ କରିଛି ‘ନାରୀର ଶତ୍ରୁ ନାରୀ’ । ପୁରୁଷ ଏକପ୍ରକାର ଦେଖିବାକୁ ଗଲେ ସ୍ତ୍ରୀ ହାତରେ ଖେଳନା । ମା ଭଉଣୀ କଥାରେ ପଡ଼ି ପୁରୁଷ ଆପଣା ସ୍ତ୍ରୀକୁ ଦୁଃଖ ଦିଏ । ପୁଣି ବାହାରର ସ୍ତ୍ରୀ ହାତ ମୁଠାରେ ରହି ଆପଣା ଭାର୍ଯ୍ୟାକୁ ପରିତ୍ୟାଗ କରେ । ଲଳିତା ନିଜର ଶାଶୁ ମାଳିନୀ ଓ ନଣନ୍ଦ ରମାସୁନ୍ଦରୀଙ୍କଦ୍ୱାରା ନିର୍ଯ୍ୟାତିତା ହେଲେହେଁ ଓ ଏଇମାନଙ୍କ ପ୍ରରୋଚନାରେ ନିଜ ସ୍ୱାମୀ ବିମ୍ବାଧରଙ୍କଦ୍ୱାରା ନିପୀଡ଼ିତା ହେଲେହେଁ ସ୍ଵାମୀଙ୍କର ମୃତ୍ୟୁପରେ ଏଇ ଅସହାୟ ପରିବାରର ଦାୟିତ୍ୱ ନିଜେ ଗ୍ରହଣ କରିଅଛି । ତା’ର ଅସୀମ ଧୈର୍ଯ୍ୟ ଓ ସୁଗୁଣରାଜିର ସ୍ପର୍ଶରେ ଆସି ଶାଶୁ ନଣନ୍ଦ ସମସ୍ତଙ୍କର ହୃଦୟର ପରିବର୍ତ୍ତନ ଘଟିଅଛି । ବାଲ୍ୟ ବିବାହ ଓ ବୈଧବ୍ୟର କରୁଣଚିତ୍ର କାଳୀବୋହୁ ଉପନ୍ୟାସରେ ଅଙ୍କିତ । ସମସାମୟିକ ସମାଜ ସଂସ୍କାର ଲାଗି ସେ ବାଲ୍ୟ ବିବାହ ବିରୋଧୀ ଆଇନ ଓ ବିଧବା ବିବାହକୁ ସମର୍ଥନ କରିଛନ୍ତି । ବାଲ୍ୟବିଧବା ଲକ୍ଷ୍ମୀ ସମାଜ ସଂସ୍କାରକ (ଚନ୍ଦ୍ରୋଦ୍ୱୟ)ଙ୍କର ଧର୍ମପତ୍ନୀ ହୋଇଅଛି । ଯେ ବାଲ୍ୟ ବିଧବା ତଥାକଥିତ ଶାସ୍ତ୍ରର ଓ ଧର୍ମର ନିଗଡ଼ରେ ବନ୍ଦୀହୋଇ ସମାଜରେ କଳଙ୍କ ରଟନା କରେ, ତା’ର ନାରୀତ୍ୱ ମାତୃତ୍ୱର ବିଭବରେ ମଣ୍ଡିତ ହୋଇ ସୁସ୍ଥସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରେ । ଏହା ଦେଖାଇବା ହିଁ କାଳୀବୋହୁ ଉପନ୍ୟାସର ପ୍ରଧାନ ଆଭିମୁଖ୍ୟ ।

 

କୁନ୍ତଳାଙ୍କ ସର୍ବବୃହତ୍‌ ଉପନ୍ୟାସ ରଘୁଅରକ୍ଷିତ । ତାଙ୍କର ଅନ୍ୟ ଉପନ୍ୟାସଗୁଡ଼ିକ ଛୋଟ ଘଟଣା ଓ ଅତି ସରଳ କାହାଣୀ ଉପରେ ପ୍ରତିଷ୍ଠିତ । ସେଇଦୃଷ୍ଟିରୁ ରଘୁଅରକ୍ଷିତ ଏକ ପୂର୍ଣ୍ଣାଙ୍ଗ ଉପନ୍ୟାସ । ସ୍ଥାନ ଓ କାଳର ବ୍ୟାପ୍ତି, ଘଟଣାର ଘାତ ପ୍ରତିଘାତ ଓ ଜଟିଳ ସମାରୋହ, ପରିବେଷଣରେ ନାଟକୀୟତା ଓ ବହୁ ବିଭିନ୍ନ ସ୍ୱାଦର ଚରିତ୍ରର ପରିପୂର୍ଣ୍ଣ ବିକାଶ ଏଇ ଉପନ୍ୟାସଟିକୁ ସାଫଲ୍ୟମଣ୍ଡିତ କରିଅଛି । ଜନ୍ମ ନୁହେଁ, କର୍ମ ବଳରେ ହିଁ ମନୁଷ୍ୟ ସୌଭାଗ୍ୟ ଲାଭ କରେ । ଏହି ଉପନ୍ୟାସର ନାୟକ ଅନାଥ ବଙ୍କଳ ରଘୁ ପକ୍ଷରେ ଏହା ସତ୍ୟ ହୋଇଅଛି । ଅନାଥ ରଘୁ ବହୁଦେଶ ଭ୍ରମଣ କରିଅଛି । ଶ୍ରେଷ୍ଠ ଧନଶାଳୀ ହୋଇଅଛି । ସର୍ବଭାରତୀୟ ଖ୍ୟାତି ଅର୍ଜିଥିବା ରଘୁକୁ ଲେଖିକା ଉତ୍କଳର ସେବକଭାବେ ଫେରାଇ ଆଣିଛନ୍ତି । ଏକଦା ଅନାଥ ରଘୁ ଧନୀ ହୋଇଛି । ମାତ୍ର ଧନ ଓ ସଂପଦ ତାକୁ ଆସକ୍ତ କରିପାରି ନାହିଁ । ଏହାର ମୂଳରେ ରହିଛି ପତ୍ନୀ ବିୟୋଗ ବେଦନା । ରଘୁ ଦେଶ ସେବାରେହିଁ ନିଜର ପ୍ରଣୟ ବିଭୋର ହୃଦୟର ଯଥାର୍ଥ ପ୍ରକାଶ ଲୋଡ଼ିଅଛି । ଏଇ ରଘୁଅରକ୍ଷିତ ଉପନ୍ୟାସରେ ପ୍ରଥମେ ଆମେ ଏକ ସର୍ବଭାରତୀୟ ପୃଷ୍ଠଭୂମି ଦେଖିବାକୁ ପାଉଁ । ବ୍ରହ୍ମଦେଶ, ବଂଗ ଓ ଉତ୍କଳର ଜୀବନଧାରା ଘେନି ଲେଖିକାଙ୍କ ବାସ୍ତବ ଅନୁଭୂତି ରଘୁଅରକ୍ଷିତରେ ପ୍ରକାଶ ପାଇଅଛି । ଏକଦା ଅରକ୍ଷିତ ରଘୁ ଦେଶର ଅଗଣିତ ଅରକ୍ଷଙ୍କୁ ରକ୍ଷାକରିବା ଲାଗି ସ୍ୱାଧୀନତାର ମହାନ ଆନ୍ଦୋଳନରେ ଆତ୍ମନିୟୋଗ କରିଅଛି । ଭାରତୀୟ ସାମଜର ଅଗଣିତ ସମସ୍ୟାର ସମାଧାନ ଦାରିଦ୍ର୍ୟ ଓ କୁସଂସ୍କାର ଗ୍ରସ୍ତ ଜନସାଧାରଣଙ୍କ ଦୁଃଖ ମୋଚନ ଏକମାତ୍ର ସ୍ୱାଧୀନତାଦ୍ୱାରା ସମ୍ଭବ ହୋଇପାରେ–ଏହି ଦୃଢ଼ ବିଶ୍ୱାସ କୁନ୍ତଳାକୁମାରୀଙ୍କ ନାୟକ ରଘୁର ଚରିତ୍ରରେ ଫୁଟାଇଅଛନ୍ତି । ସମାଜ ସଂସ୍କାରମୂଳକ ଉପନ୍ୟାସ କୁନ୍ତଳାଙ୍କ ପୂର୍ବରୁ ଲିଖିତ ହୋଇଥିଲା । ମାତ୍ର ସମାଜ ସଂସ୍କାରର ବଳିଷ୍ଠ ଧାରାକୁ ରାଜନୀତିକ ଆଦର୍ଶରେ ପରିଣତ କରିବାର ପ୍ରୟାସ କ୍ୱଚିତ୍‌ ଦେଖାଯାଇଥିଲା । ସେଇ ଦିଗରୁ ‘ରଘୁ ଅରକ୍ଷିତ’ ଓଡ଼ିଆରେ ପ୍ରଥମ ରାଜନୈତିକ ଉପନ୍ୟାସ ।

 

କୁନ୍ତଳା ନିଜେ ନାରୀ । ନାରୀ ହୃଦୟ ଗହନ ବ୍ୟଥା ଓ ଆଶା ନିରାଶାର ସ୍ୱର ସ୍ୱତଃସ୍ଫୂର୍ତ୍ତ ଭାବରେ ତାଙ୍କ ଚରିତ୍ରଗୁଡ଼ିକରେ ରୂପାୟିତ ହୋଇଛି, ମଧ୍ୟବିତ୍ତ ଜମିଦାର ପରିବାରଠାରୁ ଦୀନଦରିଦ୍ର ଦୁଃଖୀ ପରିବାରର ବହୁ ବିଚିତ୍ର ନାରୀ ଚରିତ୍ରରେ ଗ୍ରହଣ କରିଛନ୍ତି । କେତେବେଳେ ତାଙ୍କର ନାରୀ ସହନଶୀଳା, ଦୟା, କ୍ଷମା ଓ କୋମଳତାର ଆଧାର । ପୁଣି କେତେବେଳେ ନିଷ୍ଠୁର ହୃଦୟହୀନା ଓ ସ୍ୱାର୍ଥସିଦ୍ଧିଲାଗି ସକଳ ଅପକର୍ମରେ ନିରତା ତାଙ୍କର ଚରିତ୍ରଗୁଡ଼ିକ ଶିଷ୍ଟ ନହେଲେ ଦୃଷ୍ଟ । କିନ୍ତୁ ଶିଷ୍ଟର ସଂପର୍କରେ ଆସି ଦୁଷ୍ଟର ଯେ ପରିବର୍ତ୍ତନ ଘଟିପାରେ କୁନ୍ତଳାଙ୍କର ଏଇ ବିଶ୍ୱାସ ଥିଲା । ଅନ୍ତତଃ ଲଳିତାକୁ ପରଶମଣିରେ ପରିଣତ କରାଇବାରେ ଏହାହିଁ ପ୍ରକାଶ ପାଇଛି । ରଘୁ ଅରକ୍ଷିତର ରସକଳା, ସରସ୍ୱତୀ, ପୀତେଇନାନୀ, ତାରାମଣି, ଭ୍ରାନ୍ତିର ଇନ୍ଦୁମୁଖୀ; କାଳୀବୋହୁର ଶାନ୍ତିଲତା ଓ ପରଶମଣିର ଲଳିତା ଦୟା, କ୍ଷମା ଓ କୋମଳତାର ଆଧାର । ଏମାନଙ୍କ ତ୍ୟାଗ ଓ ସହିଷ୍ଣୁତା ଉପରେ ଜୀର୍ଣ୍ଣ ସମାଜ ପୁନର୍ଜୀବନ ଫେରିପାଇଛି ଓ ଈର୍ଷାଦ୍ୱନ୍ଦ୍ୱ ପୀଡ଼ିତ ପରିବାରକୁ ଫେରିଆସିଛି ଶାନ୍ତି ଓ ସୁଖ ଯୁଥିଳା । ଗେହ୍ଲୀ, ରମାସୁନ୍ଦରୀ, ଶଙ୍କରୀ ତମାଳିନୀ ଆଦି କେତେ ଦୁଷ୍ଟ ଚରିତ୍ରଙ୍କ ଅପକର୍ମରୁ ରକ୍ଷା ମିଳିଛି । କୁନ୍ତଳା ନାରୀର ବହିରଙ୍ଗରୂପ ବର୍ଣ୍ଣନାରେ ଶକ୍ତି ଅପଚୟ ନକରି ତା’ର ଅନ୍ତଃସୌନ୍ଦର୍ଯ୍ୟର ଚିତ୍ର ଅଙ୍କନ କରିଛନ୍ତି । ନାରୀହିଁ ଯେପରିକି ତାଙ୍କ ଉପନ୍ୟାସ ଜଗତର ଜୈତ୍ର ପତାକା ଧାରିଣୀ । ନାରୀ ଚରିତ୍ରର ବିକାଶ ଲାଗି କେବଳ ପୁରୁଷ ଚରିତ୍ରଗୁଡ଼ିକ କଳ୍ପିତ ସତେ ଯେପରିକି ଏକ ଲ୍ୟାଣ୍ଡସ୍‌କେପର ଶୂନ୍ୟସ୍ଥାନ ପୂରଣ ପାଇଁ ଅଥବା ଏକ ଚରିତ୍ରକୁ ପୂର୍ଣ୍ଣତା ଦାନ ପାଇଁ ଏଗୁଡ଼ିକର ଆବଶ୍ୟକତା ଅନୁଭୂତି ହୋଇଛି । ପୁରୁଷ ଚରିତ୍ରରେ ଶୌର୍ଯ୍ୟ ବୀର୍ଯ୍ୟ ଓ ଗୌରବ ଗାରିମାର ଚିତ୍ର ଦୁର୍ଲ୍ଲଭ । ଏମାନେ କେତେବେଳେ ଭାଗ୍ୟ ହସ୍ତରେ କ୍ରୀଡ଼ନକ ଅଥବା ନାରୀହାତରେ ଖେଳନା । ଏମାନଙ୍କ ଯାହାକିଛି ମହତ୍ତ୍ୱ ତାହା କେବଳ ପ୍ରଣୟବତୀ ଆଦର୍ଶମୁଖୀ ନାରୀର ସାହଚର୍ଯ୍ୟରୁହିଁ ସମ୍ଭବ ହୋଇଅଛି । ଯେଉଁଠି ନାରୀର ଅମର୍ଯ୍ୟଦା ସେଇଠି ପୁରୁଷର ପତନ ଚରମ ସୀମାକୁ ଯାଇଅଛି । ସମାଜପତି ଭୂମିକାରେ ସେ ହୋଇଛି ଦୁରାଚାରୀ, ଲମ୍ପଟ, ଲୋଭୀ, ଘୃଣ୍ୟ ସୟତାନ । ‘କୁନ୍ତଳାକୁମାରୀଙ୍କ ଜନପ୍ରିୟତାର କାରଣ ତାଙ୍କର ଗଭୀର ଆଶାବାଦ, ମହାନ୍‌ ସ୍ୱଦେଶାଭିମାନ, ସ୍ୱାଧୀନତାପ୍ରତି ଆକୁଣ୍ଠ ଆଗ୍ରହ ଓ ଉତ୍କଳୀୟ ଚେତନା । ପ୍ରାଚୀନ ଉତ୍କଳର ଗୌରବ ଓ ସମସାମୟିକ ଭାରତବର୍ଷରେ ଉତ୍କଳର ସ୍ଥିତି ଘେନି କୁନ୍ତଳା ଏକାନ୍ତ ସଚେତନ ଥିଲେ । ମାତ୍ର କେବଳ ଆଦର୍ଶବାଦ ଘେନି କୌଣସି ଉନ୍ନତ ସାହିତ୍ୟ ସୃଷ୍ଟି ସମ୍ଭବ ହୁଏ ନାହିଁ । ଏହାର ମଧ୍ୟ ଏକ କଳାଶ୍ରୀପୂର୍ଣ୍ଣ ନିଟୋଳ ଆକୃତି ପ୍ରୟୋଜନ । ଏଇ ଦିଗରୁ ବିଚାର କଲେ କୁନ୍ତଳା ଯେପରି ସାର୍ଥକତାର ଦ୍ୱାର ଦେଶରେ ଅବତୀର୍ଣ୍ଣା ହୋଇ ଓଡ଼ିଆ ଉପନ୍ୟାସ ରାଜ୍ୟରୁ ବିଦାୟ ଘେନିଛନ୍ତି । ତାଙ୍କ ଭ୍ରାନ୍ତି, ନଅତୁଣ୍ଡୀ, କାଳୀବୋହୁ ପରଶମଣି ଆକୃତିରେ କ୍ଷୁଦ୍ର । ଏଥିରେ ଶିଳ୍ପୀର କୌଣସି ଗଭୀର ଅନ୍ତଃଦୃଷ୍ଟି ପ୍ରକାଶିତ ହୋଇନାହିଁ । କୌଣସି ମହାନ୍‌ ଚରିତ୍ରକୁ କୌଣସି କ୍ଷୁଦ୍ରତମ ବିନ୍ଦୁରେ ଅଥବା ଏକ ମହତ୍‌ ସତ୍ୟକୁ ଘଟଣାର ପ୍ରବାହରେ କାଳଜୟୀ ରୂପଦେବାର ପ୍ରୟାସ ଏଥିରେ ନାହିଁ । ଡ଼ଃ କୁଞ୍ଜବିହାରୀଙ୍କ ଉକ୍ତିରେ “ଉପନ୍ୟାସର ବୃହତ୍‌ କଳ୍ପନା, ଯୋଜନା, ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ବହୁ କ୍ରିୟା, ପ୍ରତିକ୍ରିୟା ଓ ପରିଣତି, ଚରିତ୍ରର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ ଏଥିରେ ନାହିଁ ।” (ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ ପୃ.୧୨୨)

Image

 

ବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସ

(ଦ୍ୱିତୀୟ ପର୍ବ)

 

ତିରିଶ ଦଶକରେ ଓଡ଼ିଆ ସାହିତ୍ୟର ଏକ ଆମୂଳ ପରିବର୍ତ୍ତନ ଘଟିଲା । ଏ ପରିବର୍ତ୍ତନର ମୂଳରେ ଥିଲା ରାଜନୈତିକ ସଚେତନତା । ଏକ ଦିଗରେ ସ୍ୱାଧୀନତା ପାଇଁ ସଂଗ୍ରାମ ଓ ଅନ୍ୟ ଦିଗରେ ସ୍ୱୟତ୍ତଶାସିତ ସଂସ୍ଥା ମଧ୍ୟରେ ରାଜନୈତିକ କ୍ଷମତାଲାଭ ସମାଜ ଜୀବନରେ ଏକ ନୂତନ ଚାଞ୍ଚଲ୍ୟ ସୃଷ୍ଟିକଲା । ପୁଣି ଏକ ଦିଗରେ ପାରଂପାରିକ ଗ୍ରାମ ଶାସନ ଓ ଅନ୍ୟ ଦିଗରେ ପାଶ୍ଚାତ୍ୟ କେନ୍ଦ୍ରାନୁଗ ଗଣତାନ୍ତ୍ରିକ ଶାସନ ଘେନି ବିତର୍କ ସୃଷ୍ଟି ହୋଇଥିଲା । ଏହି ସମୟରେ ପ୍ରତିଷ୍ଠିତ ରୁଷିଆରେ ସାମ୍ୟବାଦୀ ଶାସନର ଆଦର୍ଶ ମଧ୍ୟ ତରୁଣ ବୁଦ୍ଧିଜୀବୀମାନଙ୍କୁ ଉଦ୍‌ବୁଦ୍ଧ କରିଥିଲା । ୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେଲା ଓ ପ୍ରଥମେ କଂଗ୍ରେସ ଶାସନ ପ୍ରତିଷ୍ଠିତ ହେଲା । ଏକ ଦିଗରେ ଅହିଂସା ଅସହଯୋଗ ଓ ଅନ୍ୟ ଦିଗରେ ସଶସ୍ତ୍ର ପ୍ରତିରୋଧ ପାଇଁ ମତବାଦ ପ୍ରକାଶ ପାଇଲା । ୟୁରୋପର ଆକାଶରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଯାଉଥିଲା-। ପ୍ରଥମ ବିଶ୍ୱଯୁଦ୍ଧ କାଳରେ ଯେପରି ସଶସ୍ତ୍ର ବିଦ୍ରୋହର ପ୍ରୟାସ ହୋଇଥିଲା ତାଠାରୁ ଆହୁରି ବୃହତ୍ତର ସଶସ୍ତ୍ର ସଂଘର୍ଷର ବାତାବାରଣ ଦେଶରେ ସୃଷ୍ଟି ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ମଧ୍ୟରେ ରାଜନୈତିକ ଚାଞ୍ଚଲ୍ୟ ଦାନାବାନ୍ଧି ଉଠିଥିଲା । ଏକ ଦିଗରେ ୧୯୪୨ରେ ଭାରତଛାଡ଼ ଆନ୍ଦୋଳନ ଓ ଅନ୍ୟ ଦିଗରେ ନେତାଜୀ ସୁଭାଷଚନ୍ଦ୍ରଙ୍କର ଆତ୍ମଗୋପନ ଓ ବିଦେଶ ପଳାୟନ ଜର୍ମାନ ଓ ଜାପାନ ସାହାଯ୍ୟରେ ଆଜଦ୍‌ହିନ୍ଦ୍‌ ସରକାର ଗଠନ ଓ ଆଣ୍ଡାମାନ୍‌ ଦ୍ୱୀପରେ ସ୍ୱାଧୀନତାର ଘାଟିସ୍ଥାପନ - ଏଇ ସମସ୍ତ ଘଟଣା ଜନସାଧାରଣଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା । ଏହି ପରିବେଶରେ ବହୁ ରାଜନୈତିକ ଉପନ୍ୟାସ ରଚିତ ହୋଇଥିଲା । ରାଜନୀତି ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ, ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣକାରୀ ବିଶିଷ୍ଟ ନେତା, ସାମଜ ସେବୀ ଓ ସାମ୍ବାଦିକମାନଙ୍କୁ ରାଜନୈତିକ ଉପନ୍ୟାସ ଆକୃଷ୍ଟ କରିଥିଲା । ଏମାନେ କେତେବେଳେ ଅତୀତର ପୃଷ୍ଠଭୂମିରେ ପୁଣି କେତେବେଳେ ସମସାମୟିକ ସମାଜର ପରିବେଶରେ ଉପନ୍ୟାସମାନ ରଚନା କରିଥିଲେ । ଲେଖକମାନଙ୍କର ସ୍ୱାଧୀନ କଳ୍ପନାର କ୍ରୀଡ଼ାଲାଗି ଇତିହାସ ମୁକ୍ତ ଅଙ୍ଗନ ଯୋଗାଇଥିଲା । ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର ଏପରିକି ରାମଚନ୍ଦ୍ର ଆଚାର୍ଯ୍ୟଙ୍କ ଐତିହାସିକ ଉପନ୍ୟାସରେ ଅତ୍ୟାଚାରୀ ବିଦେଶୀ ଶାସକ ବିରୁଦ୍ଧରେ ବିଦ୍ରୋହର ସୂଚନା ମିଳେ । ଦେଶର ରାଜଧାନୀଠାରୁ ଗ୍ରାମର ପଞ୍ଚାୟତଘର ପର୍ଯ୍ୟନ୍ତ ରାଜନୈତିକ ଦଳାଦଳି, ବିଦ୍ୱେଷର ଚିତ୍ର ରାମପ୍ରସାଦ ସିଂହ ଓ ହରେକୃଷ୍ଣ ମହତାବଙ୍କ ଉପନ୍ୟାସରେ ଦେଖାଯାଇପାରେ ।

 

ଓଡ଼ିଆ ଉପନ୍ୟାସରେ ରାଜନୀତି ଚେତନାର ଅଭ୍ୟୂଦୟ ଆଧୁନିକ ଭାରତ ଇତିହାସର ପଟ୍ଟଭୂମିରେ ବିଚାର୍ଯ୍ୟ । ପ୍ରଥମ ବିଶ୍ୱଯୁଦ୍ଧର ଅବସାନ ପରେ ସର୍ବପ୍ରଥମ ଭାରତୀୟ ଉପମହାଦେଶରେ ଦାୟିତ୍ୱପୂର୍ଣ୍ଣ ଶାସନର ପରୀକ୍ଷା ଚାଲେ । ଇଂରେଜମାନେ ଭାରତୀୟଙ୍କ ସାହାଯ୍ୟ କାମନା କରନ୍ତି । ୧୯୧୯ର ଭାରତୀୟ ଶାସନ ଆଇନ୍‌ ସର୍ବପ୍ରଥମେ ଏଥିପାଇଁ ଏକ ନୂତନପଥ ଖୋଲିଦେଲା । ଶତ ଶତ ବର୍ଷର ଆନ୍ଦୋଳନ ଫଳରେ ୟୁରୋପର ଲୋକେ ଯେଉଁ ଗଣତାନ୍ତ୍ରିକ ଅଧିକାର ହାସଲ କରିଥବଲେ ୧୯୦୯ରୁ ୧୯୩୫ ଭିତରେ ଭାରତରେ ତା’ର ପ୍ରବର୍ତ୍ତନର ପ୍ରୟାସ ହୋଇଥିଲା । ଏହା ମୂଳରେ ଥିଲା ଭାରତୀୟମାନଙ୍କ ଅଧିକାର ଅର୍ଜନର ଉଦ୍ୟମ ଓ ଅନ୍ୟ ଦିଗରେ ଭାରତୀୟ ଜନଗଣଙ୍କ ପ୍ରତି ବ୍ରିଟେନ୍‌ର ଉଦାର ମନୋଭାବ । କିନ୍ତୁ ଭାରତୀୟ ବୁଦ୍ଧିଜୀବୀମାନେ ସ୍ୱାଧୀନତାର ଶେଷପାଦରେ ପହଞ୍ଚିବା ପାଇଁ ଅଧୀରତା ପ୍ରକାଶ କରିଥିଲେ । ଜନସାଧାରଣଙ୍କର ଏହି ଜାତୀୟ ଆକାଂକ୍ଷାକୁ ଅହିଂସା ଅସହଯୋଗ ଓ ଆଇନ୍‌ ଅମାନ୍ୟ ଆନ୍ଦୋଳନ ଜରିଆରେ ରୂପଦେଲେ ଗାନ୍ଧିଜୀ । ୧୯୩୦, ୩୧ ଓ ୩୨ରେ ତିନିଥର ବିଲାତ ସରକାରଙ୍କ ସହିତ ଆଲୋଚନାରେ ବସିଲେ । ଏହାର ଶେଷ ପରିଣାମ ହେଲା ୧୯୩୫ରେ ଭାରତ ଶାସନ ଆଇନ । ଏଥିରେ ସମଗ୍ର ଭାରତ ଉପମହାଦେଶରେ ଏକ ସଂଘୀୟ ଶାସନ ପ୍ରତିଷ୍ଠା ହେଲା । ଏହାରି ମଧ୍ୟରେ ସ୍ୱାଧୀନତାର ବୀଜ ଅଙ୍କୁରିତ ହେବାକୁ ଲାଗିଲା । ଭାରତବର୍ଷର ପ୍ରତ୍ୟେକ ପ୍ରାନ୍ତରେ ସ୍ୱୟଂଶାସିତ ପ୍ରାଦେଶିକ ସରକାର ଗଠିତ ହେଲା । ମାତ୍ର ଏଇ ବ୍ୟବସ୍ଥାର ସୁଫଳ ଦେଶବାସୀ ଭୋଗ କରିପାରି ନଥିଲେ । ଏକ ଦିଗରେ ରାଜନ୍ୟବର୍ଗଙ୍କ ଅସହଯୋଗ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂଲଣ୍ଡର ଯୋଗଦାନ ଏକ ରାଜନୈତିକ ଅନିଶ୍ଚୟତା ସୃଷ୍ଟିକଲା । ବିଶ୍ୱଯୁଦ୍ଧର ପ୍ରଭାବ ଭାରତୀୟ ଜନମାନସରେ ତିନୋଟି ଦିଗରେ କଳ୍ପନା କରାଯାଇପାରେ । ପ୍ରଥମ ବିଶ୍ୱଯୁଦ୍ଧ ଭଳି ପ୍ରଥମେ ମନେ ହୋଇଥିଲା ଏହା ସୁଦୂର ୟୁରୋପ ଭୂଖଣ୍ଡରେ ଯୁଦ୍ଧ ଓ ଭାରତୀୟମାନଙ୍କ ପାଇଁ ଏହା ଏକ ଗଳ୍ପର ବିଷୟ । ଏହି ଯୁଦ୍ଧରତ ଇଂରେଜମାନଙ୍କ ସହ ଅସହଯୋଗ ପାଇଁ ୧୯୩୯ରେ କଂଗ୍ରେସ ପ୍ରଥମରୁହିଁ ସିଦ୍ଧାନ୍ତ ନେଲା ଓ ପ୍ରାଦେଶିକ ସରକାରରେ ଅଂଶଗ୍ରହଣ କଲାନାହିଁ । ୧୯୪୦ରେ ଯୁଦ୍ଧର ଗତି ବଦଳିଲା । ଫ୍ରାନ୍‌ସର ପତନ ଘଟିଲା । ଜର୍ମାନ ଓ ଇଂରେଜ ଯୁଦ୍ଧରେ ଇଂରେଜମାନେ କ୍ଷତବିକ୍ଷତ ହେଲେ । ଇଂରେଜଙ୍କ ଦୁର୍ଦ୍ଦିନରେ ସୁଯୋଗ ଗ୍ରହଣକରି ଭାରତୀୟ ସ୍ୱାଧୀନତା ପାଇଁ ସ୍ୱପ୍ନ ଦାନାବନ୍ଧି ଉଠିଲା । ଯୁଦ୍ଧ କ୍ରମଶଃ ମଧ୍ୟ ପ୍ରାଚ୍ୟରୁ ସୁଦୂର ପ୍ରାଚ୍ୟ ପର୍ଯ୍ୟନ୍ତ ବିସ୍ତାରିତ ହେଲା । ଭାରତୀୟ ସୈନ୍ୟମାନେ ପ୍ରତ୍ୟକ୍ଷରେ ଯୁଦ୍ଧରେ ଯୋଗଦେଲେ । ଇଂରେଜମାନଙ୍କ ମିଶ୍ରଣ ଶକ୍ତି ଭାବରେ ଆମେରିକା ସୈନ୍ୟମାନେ ରଣାଙ୍ଗନରେ ପ୍ରବେଶ କଲେ । ୧୯୪୨ ଯୁଦ୍ଧର ତୃତୀୟସ୍ତର ଜାପାନୀ ସହାୟତାରେ ଆଜାଦ୍‌ହିନ୍ଦ୍‌ ଫୌଜ୍‌ ଆସାମ ପର୍ଯ୍ୟନ୍ତ ଅଗ୍ରସର ହେଲେ । ବିଶାଖାପାଟଣା ଓ କଲିକତାରେ ଜାପାନୀ ବୋମା ପଡ଼ିଲା । ଯୁଦ୍ଧର ଆତଙ୍କ, ଆର୍ଥିକ ବିପର୍ଯ୍ୟୟ, ଯୋଗାଯୋଗ ବ୍ୟବସ୍ଥାର ଅସ୍ଥିରତା, ଦୁର୍ଭିକ୍ଷ ସମସ୍ତ ଭିତରଦେଇ ସମଗ୍ର ଦେଶର ରାଜନୈତିକ ଓ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଲା । ଏଇ ଯୁଦ୍ଧ ଭିତରେ ଭାରତୀୟ ଉପମହାଦେଶର ସ୍ୱାଧୀନତା ଆଶା ଆକାଂକ୍ଷା ଯେତିକି ବଳବତୀ ହେଲା ଭାରତୀୟ ସଂହତି ସେତିକି ଦୁର୍ବଳ ହୋଇପଡ଼ିଲା । ୧୯୪୦ରେ ମୁସଲିମ୍‌ ଲିଗ୍‌ ପାକିସ୍ଥାନ ଦାବିକଲା । ଏହି ପରିସ୍ଥିତିରେ ୧୯୪୨ରେ ଏକ ଭାରତ ଗଠନର ସର୍ବଶେଷ ପ୍ରସ୍ତାବ ଘେନି ସାର୍‌ ଷ୍ଟାଫୋର୍ଡ଼ କ୍ରିପ୍‌ସ ଭାରତ ଆସିଲେ ଓ ୧୯୪୨ ଅଗଷ୍ଟ ମାସରେ ମହାତ୍ମାଗାନ୍ଧି ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କଲେ । କିନ୍ତୁ ଏହି ଆନ୍ଦୋଳନ ତତ୍‌କ୍ଷଣାତ୍‌ ସଫଳ ହେଲାନାହିଁ । ଯୁଦ୍ଧରେ ଇଂଲଣ୍ଡର ଜୟଲାଭ ଆଶୁ ସ୍ୱାଧୀନତାର ସ୍ୱପ୍ନ ଭାଙ୍ଗିଦେଲା । ୧୯୪୫ରେ ଜାପାନ୍‌ର ପରାଜୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଯବନିକା ଟାଣିଲା । ସଂଗେ ସଂଗେ ଆରମ୍ଭ ହେଲା ଭାରତୀୟ ସଂହତି ଓ ଭାରତୀୟ ସ୍ୱାଧୀନତା ଘେନି ଆନ୍ଦୋଳନର ଶେଷ ଅଧ୍ୟାୟ । ଜୁନ୍‌ ତିନି ୧୯୪୭ରେ ଦେଶଭାଗ ପ୍ରସ୍ତାବ ବ୍ରିଟିଶ ମନ୍ତ୍ରୀମଣ୍ଡଳର ଅନୁମୋଦନ ଲାଭକଲା । ସଙ୍ଗେ ସଙ୍ଗେ ଭାରତୀୟ ଭୂଖଣ୍ଡରେ ଇସ୍‌ଲାମର ଆଧିପତ୍ୟ ପାଇଁ ମୁସ୍‌ଲିମ୍‌ ଲିଗ୍‌ ସାଂପ୍ରଦାୟିକ ଦଂଗାର ଆଶ୍ରୟ ନେଲା । ସ୍ୱାଧୀନତା ସଂଗ୍ରାମଠାରୁ ଆହୁରି ଏକ ଭୟାବହ ଅନ୍ତର୍ଘାତି ସଂଗ୍ରାମରେ ଦେଶ ଜଡ଼ିତ ହେଲା । ଏଇ ଭାବରେ ଇଂରେଜମାନଙ୍କରୁ ୩୫୦ ବର୍ଷର ବାଣିଜ୍ୟିକ ପ୍ରାଧାନ୍ୟ, ଦୁଇଶତ ବର୍ଷର ରାଜନୈତିକ କ୍ଷମତା ଓ ୧୩୦ ବର୍ଷର ସାର୍ବଭୌମିକ ଆଧିପତ୍ୟର ଅବସାନ ଘଟିଲା । ମାତ୍ର ଅନ୍ୟପକ୍ଷରେ ମ୍ୟାକଲେ ଆଦିଙ୍କ ସ୍ୱପ୍ନ ଅଧିକ ସାର୍ଥକ ହେଲା । ଇଂରେଜ ଶାସନ ଗଲା କିନ୍ତୁ ରହିଲା ଇଂରେଜୀ ଭାଷା, ପାଶ୍ଚାତ୍ୟ ବୌଦ୍ଧିକତା ମତବାଦ, ଭାରତବର୍ଷରେ ସୁଦୀର୍ଘ ଇତିହାସରେ ସଞ୍ଚିତ ଏଇ ଚେତନାର ଧାରାରୂପେ ।

 

ବ୍ରିଟିଶ୍‌ ଶାସନର ଶେଷ ପଚିଶ ବର୍ଷ ଭାରତୀୟ ସମାଜ, ଭାରତୀୟ ଅର୍ଥନୀତି ଓ ବୌଦ୍ଧିକ ଭାବଚେତନାର ଜଗତରେ ଏକ ନବ ଅଭ୍ୟୁଦୟର ଯୁଗ । ଶିକ୍ଷାର ବିସ୍ତାର ଭାରତୀୟ ସମାଜକୁ ଆଧୁନିକ ଜଗତର ନିକଟବର୍ତ୍ତୀ କଲା । ୧୯୨୪ରେ ସିମଳା ସାମଗ୍ରିକ ଉଚ୍ଚଶିକ୍ଷାର ବିସ୍ତାରପାଇଁ ଏକ ସମ୍ମିଳନୀ ଅନୁଷ୍ଠିତ ହେଲା । ୧୯୨୫ରେ ଇଣ୍ଟର ୟୁନିଭରସିଟି ବୋର୍ଡ଼ ପ୍ରତିଷ୍ଠିତ ହେଲା । ୧୯୩୫ରୁ ୩୬ ମଧ୍ୟରେ ସାରାଭାରତରେ ପ୍ରାୟ ଶତକଡ଼ା ସତାବନ ଜଣ ବଙ୍କଳ ଓ ଶତକଡ଼ା ୧୭ ଜଣ ବାଳିକା ବିଦ୍ୟାଳୟରେ ଯୋଗଦେଲେ । ସ୍ୱାଧୀନତା ଆନ୍ଦୋଳନ, ଯୁଦ୍ଧ ଓ ଯୁଦ୍ଧୋତ୍ତର ପୁନର୍ଗଠନ ମଧ୍ୟରେ ଶିକ୍ଷା ମାଧ୍ୟମରେ ସମାଜର ପରିବର୍ତ୍ତନ ଦ୍ରୂଦଶାଳୀ ହୋଇଥିଲା । ନାରୀର ଅଧିକାର ପ୍ରତିଷ୍ଠା, ଜାତିଭେଦର ବିଲୋପ, ଧର୍ମୀୟ ସଂସ୍କାର ପରିବର୍ତ୍ତେ ବ୍ୟକ୍ତିସ୍ୱାତନ୍ତ୍ର ଓ ନୈତିକ ଅଧିକାର ପ୍ରତିଷ୍ଠାପାଇଁ ପ୍ରବଳ ପ୍ରୟାସ ଆରମ୍ଭ ହେଲା । ଏଇ ଉଚ୍ଚ ଜୀବନ-ବୋଧର ଆଦର୍ଶକୁ ସାର୍ଥକ କରିବା ପାଇଁ ଜାତୀୟ ଜୀବନ କ୍ରମଶଃ ଶକ୍ତି ସଂଚୟ କରିଥିଲା । ଭାରତୀୟମାନେ କେବଳ ଅତୀତ ଗୌରବ ଆଡ଼କୁ ନ ଚାହିଁ ନୂତନ ଭବିଷ୍ୟତ ପ୍ରତି ଦୃଷ୍ଟିଦେଲେ । କେବଳ ଅତୀତର ଅନୁକରଣରେ ନୁହେଁ ସମକାଳୀନ ପାଶ୍ଚାତ୍ୟର ଶିଳ୍ପ ଓ ବିଜ୍ଞାନ ଶକ୍ତିର ଆହରଣରେ ହିଁ ଭବିଷ୍ୟତ ଗଠନର ସ୍ୱପ୍ନ ଦୃଢ଼ ହେଲା । ପ୍ରଥମ ବିଶ୍ୱଯୁଦ୍ଧର ଅବସାର ସଂଗେ ସଂଗେ ଭାରତରେ ଦ୍ରୂତ ଅର୍ଥନୈତିକ ବିକାଶ ଦେଖାଗଲା । ଲୌହ ଶିଳ୍ପର ବିକାଶ ଘଟିଲା । ବସ୍ତ୍ର ଶିଳ୍ପରେ ଜାପାନର ପ୍ରତିଦ୍ୱନ୍ଦିତାରୁ ରକ୍ଷାପାଇବା ପାଇଁ ଭାରତୀୟ ବୈଦେଶିକ ବସ୍ତ୍ରନିୟନ୍ତ୍ରଣ ବୋର୍ଡ଼ ପ୍ରତିଷ୍ଠା ହେଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଯୁଦ୍ଧର ପ୍ରୟୋଜନରେ ଭାରତର ବହୁ ଯନ୍ତ୍ରବିଦ୍‌ ଓ ବୈଜ୍ଞାନିକଙ୍କୁ ପ୍ରଶିକ୍ଷଣ ଦିଆଗଲା ଓ ସାମରିକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ସବୁପ୍ରକାର ଶିଳ୍ପକୁ ଉତ୍ସାହ ଦିଆଗଲା । ସମଗ୍ର ପୃଥିବୀରେ ଏକକ ବୃହତ୍ତମ ଲୌହ କାରଖାନା ଏ ଦେଶରେ ଗଢ଼ିଉଠିଲା ଓ ଭାରତ ହେଲା ସମଗ୍ର ପୃଥିବୀରେ ଷଷ୍ଠ ଶିଳ୍ପ ସମୃଦ୍ଧ ଦେଶ । ମାତ୍ର ଦେଶର ବିପୁଳ ଜନସଂଖ୍ୟା ଓ ବ୍ୟାପ୍ତି ତୁଳନାରେ ଏଇ ସୁଖସମୃଦ୍ଧି ଯଥେଷ୍ଟ ନଥିଲା ତେଣୁ ସମଗ୍ର ଜନସାଧାରଙ୍କ ଭାଗ୍ୟର ପରିବର୍ତ୍ତନ ପାଇଁ ଗାନ୍ଧୀଜୀଙ୍କ ପ୍ରୟାସ ଅବ୍ୟାହତ ରହିଲା । ସାମାଜିକ ଜୀବନକ୍ଷେତ୍ରରେ ଗାନ୍ଧିଜୀ ଥିଲେ ପ୍ରକୃତ ବିପ୍ଳବୀ । ଦଳିତ ଜାତି, ନାରୀ ଓ ଶୂଦ୍ରଙ୍କର ସମାନ ମର୍ଯ୍ୟାଦା ଓ ସମାନ ଅଧିକାର, ଭିନ୍ନ ଜାତି ମଧ୍ୟରେ ବିବାହ ପ୍ରଚଳନ ସମଗ୍ର ଜାତି ପ୍ରାଣରେ ପୂର୍ଣ୍ଣପ୍ରାଣ ମାନବତା ପ୍ରତିଷ୍ଠାର ପଥ ଉନ୍ମୁକ୍ତ କରିଦେଲା ।

 

ଓଡ଼ିଆ କଥା ସାହିତ୍ୟରେ ଏଇ ନୂତନ ଜୀବନଧାରା, ନୂତନ ସାମାଜିକ ଆଦର୍ଶ, ନୂତନ ମାନବତାବୋଧ, ନୂତନ ସାମାଜିକ ଚେତନାର ପ୍ରତିବିମ୍ବ ପଡ଼ିଥିଲା । ଔପନ୍ୟାସିକମାନେ ଶିଳ୍ପସୃଷ୍ଟି ସଙ୍ଗେ ସଂଙ୍ଗେ ନୂତନ ଭାବଧାରାର ପ୍ରଚାର ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ପରିବର୍ତ୍ତନର ସ୍ରୋତମୁଖରେ ସାମାଜିକ ଜୀବନର ଅସ୍ଥିରତା, ବ୍ୟକ୍ତିଜୀବନର ଆଶା ଓ ନୈରାଶ୍ୟ ସବୁକିଛି ଉପନ୍ୟାସର ଅଙ୍ଗୀଭୂତ ହୋଇଥିଲା । ଯେଉଁସବୁ ବିପ୍ଳବୀ ଜନନାୟକଗଣ ବ୍ରିଟିଶ୍‌ର ବନ୍ଦୀଶାଳରେ ସାମୟିକ ବନ୍ଦୀହୋଇ ରହିଥିଲେ, ସେମାନଙ୍କ ମଧ୍ୟରୁ କେହି କେହି କଥାସାହିତ୍ୟ ମାଧ୍ୟମରେ ହିଁ ଆତ୍ମପ୍ରକାଶ କରିଥିଲେ ।

 

– ଦୁଇ –

 

ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଜୀବନଚିତ୍ର ଅଙ୍କନ କରିବାକୁ ବସି ଯେତେବେଳେ ଔପନ୍ୟାସିକମାନେ ବୈଚିତ୍ର୍ୟର ସଂଧାନ କରିବାରେ ବ୍ୟର୍ଥ ହୋଇଥିଲେ ସେତେବେଳେ ଗୋଦାବରୀଶ ମିଶ୍ରଙ୍କର ଆବିର୍ଭାବ (୧୮୮୬-୧୯୫୬) ହୋଇଥିଲା । ରାଧାନାଥ ଯେପରି ବହୁ ବୈଦେଶିକ କାହାଣୀ ଓ ବିଶ୍ୱର ଶ୍ରେଷ୍ଠ ସାହିତ୍ୟର ଉପାଦାନ ଘେନି ଓଡ଼ିଶାର ଭୂଗୋଳ ଓ ଇତିହାସ ସହିତ ସାମଞ୍ଜସ୍ୟ ରଖି ନୂତନ କାବ୍ୟ ସୃଷ୍ଟି କରିଥିଲେ, ଠିକ୍‌ ସେହିପରି ଗୋଦାବରୀଶ ବିଶ୍ୱସାହିତ୍ୟର କେତୋଟି ଶ୍ରେଷ୍ଠ ଉପନ୍ୟାସକୁ ଓଡ଼ିଶାର ପଟ୍ଟଭୂମିରେ ଏକାନ୍ତ ମୌଳିକ କାହାଣୀରୂପେ ପରିବେଷଣ କରିଛନ୍ତି । ତାଙ୍କର ଚାରୋଟି ଉପନ୍ୟାସ ଘଟାନ୍ତର, ଅଭାଗିନୀ, ୧୮୧୭ (ଅଠର ଶହ ସତର) ଓ ନିର୍ବାସିତ । ପ୍ରଥମ ତିନୋଟି ଉପନ୍ୟାସ ଯଥାକ୍ରମେ ରମର୍ଟ ଲୁଇ ଷ୍ଟ୍ରିଭେନ୍‌ସନ୍‌ଙ୍କ ଡକ୍ଟର ଜେକିଲ ଆଣ୍ଡ୍‌ ମିଷ୍ଟର ହାଇଡ୍‌ ଓ ଫରାସୀ ଔପନ୍ୟାସିକ ଭିକ୍ଟର ହ୍ୟୁଗୋଙ୍କ ଲେ’ ମିଜରବ୍ଲ ଓ ଡିକେନ୍‌ସଙ୍କ ‘ଏ ଟେଲ ଅଫ୍‌ ଟୁ ସିଟିସ୍‌’ର ଉତ୍କଳୀୟ ରୂପାନ୍ତର ମାତ୍ର । ଏଇ ଉପନ୍ୟାସଗୁଡ଼ିକୁ ନିର୍ବାଚନ କରିବାରେ ଲେଖକଙ୍କର ଯେତିକି କୃତିତ୍ୱ ନାହିଁ ତାଠାରୁ ବେଶି କୃତିତ୍ୱ ଉତ୍କଳୀୟ ପରିବେଶରେ ଗଳ୍ପଗୁଡ଼ିକୁ ପରିବେଷଣ କରିବାରେ । ଘଟଣାର ରୋମାନ୍‌ସସୁଲଭ କୌତୁହଳ, କାହାଣୀରେ ଆବେଗ ସଞ୍ଚାର ଓ ପ୍ରାଚୀନ ଉତ୍କଳ ଗୌରବମୟ ଆଲେଖ୍ୟ ଅଙ୍କନରେ ଲେଖକ ସଫଳ ହୋଇଛନ୍ତି । ସେଇ ଦୃଷ୍ଟିରୁ ଗୋଦାବରୀଶଙ୍କ ସାଫଲ୍ୟ ଅନନ୍ୟ ସାଧାରଣ ।

 

ଗୋଦାବରୀଶଙ୍କ ଅଭାଗିନୀ ସମ୍ପୂର୍ଣ୍ଣରୂପେ ଉତ୍କଳୀୟ ପରିବେଶରେ ଚିତ୍ରିତ । ଉଦାର ମାନବୀୟରସରେ ସଂଜୀବିତ ଉପଭୋଗ୍ୟ ଉପନ୍ୟାସ । ଏହାର ନାୟକ ପାଣୁ ନାଏକ ତସ୍କର, ମାଗନ୍ତା ଓ ଅପରାଧୀ । ସେ ସମାଜରେ ଘୃଣିତ ଓ ଲାଂଛିତ । ମାତ୍ର ଜଣେ ସାଧୁ ପୁରୁଷଙ୍କ ସଙ୍ଗ ଲାଭକରି ତା ଜୀବନରେ ଘଟିଛି ରୂପାନ୍ତର । ସେ ହୋଇଛି ଦେବାନ ଧନଂଜୟ । ବ୍ୟବସାୟୀ, ଧନୀ ଓ ପରିଶେଷରେ ସ୍ୱାମୀ ଉାପକ୍ଷିତା ହତଭାଗିନୀ ରାଧାର ଏକମାତ୍ର କନ୍ୟା ରମାର ସହାୟକର୍ତ୍ତା । ନିରପରାଧର ରକ୍ଷାକର୍ତ୍ତା । କିନ୍ତୁ ଶେଷ ପର୍ଯ୍ୟନ୍ତ ନିଜ ଅପରାଧ ପାଇଁ ନିଜକୁ ସେ କ୍ଷମାକରିପାରିନାହିଁ । ଅଭାଗିନୀର ମା ଭାଗ୍ୟ ଫେରିପାଇଛି ସେନାପତି ଗୋବିନ୍ଦ ସିଂହଙ୍କ ପୁତ୍ର ବନମାଳୀଙ୍କର ପାଣିଗ୍ରହଣ କରି । ଇଂରେଜ ଶାସନ ବିରୁଦ୍ଧରେ ସଂଗଠିତ ବିଦ୍ରୋହୀ ଓଡ଼ିଶାର ଐତିହାସିକ ପଟ୍ଟଭୂମିକୁ ଜୀବନ୍ତ କରିବାରେ ଗୋଦାବରୀଶ ସଫଳକାମ ହୋଇଛନ୍ତି । ପାଣୁ ନାଏକର ହୃଦୟ ପରିବର୍ତ୍ତନ ଓ ଆତ୍ମ ଅପରାଧବୋଧରେ କାରୁଣ୍ୟ ଓ ଉଚ୍ଚମାନବୀୟ ଆଦର୍ଶବୋଧର ସାର୍ଥକ ଅବତାରଣା କରାଯାଇଛି । ‘୧୮୧୭’ ଗୋଦାବରୀଶଙ୍କର ଅନ୍ୟ ଏକ ଐତିହାସିକ ଉପନ୍ୟାସ । ଏହା ମଧ୍ୟ ପାଇକ ବିଦ୍ରୋହରେ ପୃଷ୍ଠଭୂମିରେ ଅବସ୍ଥାପିତ । ଏକଦିଗରେ ଖୋର୍ଦ୍ଧାରେ ପାଇକମାନଙ୍କର ବିଦ୍ରୋହ ଓ ବିଦ୍ରୋହୀ ସେନାଧ୍ୟକ୍ଷ ବକ୍‌ସୀ ଜଗବନ୍ଧୁଙ୍କ ମହତ୍ତ୍ୱ ଓ ଅନ୍ୟଦିଗରେ ମାଣିତ୍ରିଗଡ଼ର ଶାସକମାନଙ୍କର ଅତ୍ୟାଦାର ମଝିରେ ପରେପକାରୀ ସଦାଶିବଙ୍କ ଦୀର୍ଘ ଅଠରବର୍ଷ କାରାବାସ ଓ ମୁକ୍ତି, ଏଭଳି ଅଜସ୍ର ଘଟଣାର ପ୍ରବାହ ମୁଖରେ ବିପ୍ଳବୀ ଓ ଇଂରେଜମାନଙ୍କ ଯୁଦ୍ଧ ଅତ୍ୟାଚାରୀ ଦେଶୀୟ ଶାସକମାନଙ୍କ ବିରୁଦ୍ଧରେ ପ୍ରତିଶୋଧ, ଗୁପ୍ତହତ୍ୟା, ନ୍ୟାୟାଳୟର ବିଚାରି ବିଦ୍ରୋହୀମାନଙ୍କ ପ୍ରତି ଦମନନୀତି, ଗୁପ୍ତଚରବାହିନୀର କାର୍ଯ୍ୟ ଓ ପରିଶେଷରେ ଓଡ଼ିଶାର ପାଇକ ବିଦ୍ରୋହର ଅବସାନ, ବିପ୍ଳବୀ ଆତ୍ମାର ଚିରଜାଗ୍ରତ ଶପଥ, ପରାଧୀନତା ଜର୍ଜରିତ ଉତ୍କଳୀୟ ପ୍ରାଣରେ ଆଶା ଓ ଆତ୍ମବିଶ୍ୱାସର ଉଜ୍ଜ୍ୱଳ ଭାବମୂର୍ତ୍ତି ଅଙ୍କନ କରିବାରେ ୧୮୧୭ରେ ଗୋଦାବରୀଶଙ୍କ ସାର୍ଥକତା ଅନସ୍ୱୀକାର୍ଯ୍ୟ । ଏକ ଦିଗରେ ରାଜନୀତିର ଘନଘଟା ଆଦର୍ଶ ପ୍ରତି ନିଷ୍ଠା ଓ ଆତ୍ମୋତ୍ସର୍ଗ ଓ ଅନ୍ୟଦିଗରେ ନିଷ୍ଠୁର ଆଚରଣ, ହିଂସା, ବିଭତ୍ସତା ବିରୁଦ୍ଧରେ ମାନବମନର ସହଜାତ କାରୁଣ୍ୟ, ଆତ୍ମନିପୀଡ଼ନ, ଅନୁତାପ ଓ ଅନୁଶୋଚନାର ଚିତ୍ର ଆମେ ଦେଖିବାକୁ ପାଉ । ଏହି ବିଦ୍ରୋହର ଅନ୍ୟତମ ନେତା ଦୀନବନ୍ଧୁଙ୍କର ପତ୍ନୀ ଚମ୍ପାର ମାନସିକ ଅନ୍ତଦ୍ୱର୍ନ୍ଦ୍ୱ ଓ ମସ୍ତିସ୍କବିକୃତି, ବିପ୍ଳବୀମାନଙ୍କର ମାନବିକତା, ପ୍ରଣୟ, ଆତ୍ମବଳୀଦାନ ଏଇ ସମସ୍ତ ଭିତରେ ଏକ ବୀର ଜାତିର ମାନବୀୟ ମର୍ଯ୍ୟାଦାବୋଧ ଉପନ୍ୟାସରେ ଲେଖକ ଫୁଟାଇଅଛନ୍ତି । ନିର୍ବାସିତ ଏକ ରୋମାଞ୍ଚକର ଉପନ୍ୟାସ । ପୁରୀ ରାଜା ଦିବ୍ୟସିଂହ ଦେବଙ୍କ ଦ୍ୱୀପାନ୍ତର ଘଟଣାକୁ କେନ୍ଦ୍ରକରି ଏହା ରଚିତ । ଏକ ଦିଗରେ ବୈଜ୍ଞାନିକ କାଳ୍ପନିକତା ଓ ଅନ୍ୟ ଦିଗରେ ନାୟକଙ୍କର ବୈପ୍ଳବିକ ଉଦ୍ଭାବନ, ଅଭିଯାନ, ସୁଦୂର ଦ୍ୱୀପାନ୍ତରରେ ବନ୍ଦୀ ଦିବ୍ୟସିଂହଙ୍କୁ ଉଦ୍ଧାର, ମେଜର ବେହେରାଙ୍କ ସାଫଲ୍ୟ ଓ ପରିଶେଷରେ ପରାଧୀନ ଦେଶରୁ ଦୂରରେ ରହି ଏକ ଅଜ୍ଞାତଦ୍ୱୀପରୁ ଭାରତକୁ ଇଂରେଜ କବଳରୁ ଉଦ୍ଧାର କରିବା ପାଇଁ ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ବିଦ୍ରୋହୀମାନଙ୍କ ଶପଥ ଓ ଆତ୍ମନିର୍ବାସନର କାହାଣୀ ଏହି ଉପନ୍ୟାସଟିର ଉପଜୀବ୍ୟ । ଏହି ଉପନ୍ୟାସର ରଚନାକାଳ ୧୯୪୬ । ନେତାଜୀ ସୁଭାଷଙ୍କର ଦେଶାନ୍ତର ଓ ଆଣ୍ଡାମାନ୍‌ରେ ସ୍ୱାଧୀନ ସରକାର ପ୍ରତିଷ୍ଠାର ଐତିହାସିକ ପଟ୍ଟଭୂମିରେ ଗୋଦାବରୀଶ ପରିବେଷଣ କରିଥିବା ସ୍ୱାଭାବିକ । ଏଇ ଉପନ୍ୟାସର ନାୟକ ମେଜର ବେହେରା ପ୍ରଥମ ବିଶ୍ୱଯୁଦ୍ଧରେ ଇଂରେଜ ବାହିନୀରେ ଯନ୍ତ୍ରବିଦ୍‌ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶାର ଗୋପାଳପୁରରେ ଗୋପନରେ ଉଡ଼ାଜାହାଜ ନିର୍ମାଣ କରିବା ଓ ଦୁଃସାହସିକ ଭାବରେ ପୁରୀ ରାଜାଙ୍କୁ ଉଦ୍ଧାର କରିବା ଘଟଣା ବର୍ଣ୍ଣନାରେ କିଛି ଐତିହାସିକ ବ୍ୟତିକ୍ରମ ଘଟିଥାଇ ପାରେ । କାରଣ ଠାକୁରରାଜା ଦିବ୍ୟସିଂହଦେବ ପ୍ରଥମ ବିଶ୍ୱଯୁଦ୍ଧ ପର ପର୍ଯ୍ୟନ୍ତ ଜୀବିତ ନଥିଲେ । ଏଥିରେ ଏଇସବୁ ଐତିହାସିକ ବ୍ୟତିକ୍ରମ ସତ୍ୱେ ଉପନ୍ୟାସଟିରେ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର ଉଦ୍ଦୀପନାମୟୀ ଚିତ୍ର ଅଙ୍କିତ ହୋଇଅଛି । ଓଡ଼ିଆ ଉପନ୍ୟାସ ଜଗତରେ ଦୁଃସାହସିକ ଅଭିଯାନ, ସମୁଦ୍ର ଦୂରଦ୍ୱୀପରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖରେ ବୀରୋଚିତ ସଂଗ୍ରାମର ଏପରି ଉଦାର ଚିତ୍ର ଗୋଦାବରୀଶଙ୍କ ପରି କେହି ଅଙ୍କନ କରିନଥିଲେ ।

 

ଘଟାନ୍ତର ଉପନ୍ୟାସଟି ମଧ୍ୟ ଏକ ବିଦେଶୀ ଉପନ୍ୟାସ ବୋଲି ଆଦୌ ମନେହୁଏ ନାହିଁ-। କଟକ ସହରର ଗଳିକନ୍ଦି ତେଲଙ୍ଗାବଜାର ତୁଳସୀପୁରର ବସ୍ତି ଏଥିରେ ଜୀବନ୍ତ ହୋଇଉଠିଛି । ଡାକ୍ତର ନାଏକଙ୍କ ସଦେଇ ଜେନାରୂପେ ଘଟାନ୍ତରର କାହାଣୀ ବର୍ଣ୍ଣନାରେ ଉପନ୍ୟାସର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍କଣ୍ଠା ଓ ଆବେଗର ସଞ୍ଚାର କରିବାରେ ଲେଖକ ସଫଳ ହୋଇଛନ୍ତି । ଡାକ୍ତର ନାଏକଙ୍କ ଆତ୍ମଚରିତ୍ର ମାଧ୍ୟମରେ ଉପନ୍ୟାସର କଥାବସ୍ତୁ ଅତ୍ୟନ୍ତ ନାଟକୀୟ ଭାବେ ପରିବେଷିତ-। ଗୋଦାବରୀଶ ଏକାଧାରାରେ ଐତିହାସିକ, ରାଜନୈତିକ ଓ ସାମାଜିକ ଘଟନାର ସମନ୍ୱୟ ଘଟାଇଅଛନ୍ତି । ଐତିହାସିକ ଚିତ୍ର ଚିତ୍ରଣରେ ସେ ଊନବିଂଶ ଶତାବ୍ଦୀର ପାଇକ ବିଦ୍ରୋହକୁ ପ୍ରାଧାନ୍ୟ ଦେଇଛନ୍ତି । ଏଇ ବିଦ୍ରୋହର ପତନମୁଖରେ ସେନାପତି ବକ୍‌ସି ଭବିଷ୍ୟତବାଣୀ ଶୁଣାଇଛନ୍ତି । ଭବିଷ୍ୟତ ସ୍ୱାଧୀନତା ସଂଗ୍ରାମରେ ସାଫଲ୍ୟର ଚିତ୍ର ଆଙ୍କି ଗୋଦାବରୀଶ ଓଡ଼ିଆ ସମାଜର ସ୍ଥାଣୁ ଜୀବନରେ ନୂତନ ବିପ୍ଳବର ବାଣୀ ପ୍ରଚାର କରିଛନ୍ତି । ତାଙ୍କର ନାୟକ ନାୟିକା ପ୍ରତ୍ୟେକ ସଂଗ୍ରାମରତ, ସାଧନାରତ । ସାଧନା ଓ ସଂଗ୍ରାମର ମାର୍ଗ ଯେତେ କଣ୍ଟକିତ ଓ ବିପଦସଂକୁଳ ହେଲେବି ଧୈର୍ଯ୍ୟ ସାହସ ଓ ଅଖଣ୍ଡ ଆତ୍ମବିଶ୍ୱାସ ଘେନି ସେମାନେ ଅଗ୍ରସର ହୋଇଛନ୍ତି । ଏକ ମହନୀୟ ଲକ୍ଷ୍ୟ ସାଧନରେ ବୈଜ୍ଞାନିକ ଅନୁସଂଧାନ, ବୈପ୍ଳବିକ ସଂଗ୍ରାମ ଓ ମହାନ ମାନବୀୟ ଆଦର୍ଶ ମୂର୍ତ୍ତପ୍ରତୀକ ଡାକ୍ତର ତାରାକାନ୍ତ ନାଏକ, କର୍ମବୀର ପାଣୁ ନାଏକ, ଇଂଜିନିୟର ମେଜର ହରିହର ବେହେରା ଅଥବା ସଦାଶିବ କବିରାଜ । ସମସ୍ତେ ଭବିଷ୍ୟତ ପାଇଁ ଅନନ୍ତ ବିକାଶର ବୀଜ ବହନକରି ଆଣିଛନ୍ତି । ଗୋଦାବରୀଶଙ୍କ ଉପନ୍ୟାସଗୁଡ଼ିକ ଚାଞ୍ଚଲ୍ୟକର ଘଟଣାରେ ପରିପୂର୍ଣ୍ଣ । ରୋମାନସଧର୍ମୀ ହେଲେହେଁ ମହାକାବ୍ୟିକ କ୍ଲାସିକ୍‌ କଳ୍ପନାରେ ମହତ୍ତ୍ୱ ବ୍ୟଂଜିତ ହୋଇଅଛି । ଗୋଦାବରୀଶଙ୍କ ଭାଷା ଜୀବନ୍ତ, ଭାବପ୍ରବଣ ଓ ଓଡ଼ିଆ କଥିତ ଭାଷାର ଅତ୍ୟନ୍ତ ନିକଟବର୍ତ୍ତୀ । ଉତ୍କଣ୍ଠା, ଆବେଗ, ମନ୍ତ୍ରଣା, ଦରବାର ନ୍ୟାୟର ବିଚାର ସର୍ବତ୍ର ଗୋଦାବରୀଶ ସଂହତ ଓ ସ୍ୱତଃସ୍ଫୂର୍ତ୍ତ ଭାଷାର ବିନିଯୋଗ କରିଛନ୍ତି । ଗୋଦାବରୀଶଙ୍କ ଭାଷା ଚିତ୍ରମୟ ଓ ମନୋଜ୍ଞ ଉପମାନରେ ବିଭୂଷିତ । ବଡ଼ଲୋକମାନେ ବିଦେଶୀ ଶାସନର ବାହୁଛାୟା ତଳେ “ପାନଲତା ପରି ବଢ଼ନ୍ତି । ସୃଷ୍ଟିର ବିଧାନ ହେଉଛି ଯେତେବେଳେ ବିଜୁଳି ଆଲୁଅରେ ଆଖି ଝଲସିଯାଏ ଓ ସ୍ୱର୍ଗ, ମର୍ତ୍ତ୍ୟ ପାତାଳ ସବୁ ରସାତଳରେ ପଡ଼ିଗଲାପରି ମନେହୁଏ, ସେହି ଦାରୁଣ ମୁହୂର୍ତ୍ତରେ ବଜ୍ର ମନୁଷ୍ୟର ମୁଣ୍ଡ ଛାଡ଼ି ଦୁର୍ବହ ଚଡ଼ଚଡ଼ି ନାଦରେ ଗଛ ଅଗରେ ଯାଇ ପଡ଼େ ।”

 

– ତିନି –

 

ହାସ୍ୟରସ ପ୍ରଧାନ ଉପନ୍ୟାସ ପ୍ରାୟ ଓଡ଼ିଆ ସାହିତ୍ୟରେ ବିରଳ । ଓଡ଼ିଆ ଉପନ୍ୟାସର ଜନକ ଫକୀରମୋହନ କେବଳ ହାସ୍ୟରସ ସୃଷ୍ଟି ପାଇଁ ସ୍ୱତନ୍ତ୍ର ଉପନ୍ୟାସ ଲେଖି ନଥିଲେ ହେଁ, ତାଙ୍କର ସମସ୍ତ ଉପନ୍ୟାସରେ ଏହା ବିକୀର୍ଣ୍ଣ ହୋଇ ରହିଅଛି । ଫକୀରମୋହନଙ୍କ ପରିହାସ ରସିକତା ମଧ୍ୟରେ ବୁଦ୍ଧିର ତୀକ୍ଷ୍ମତା କ୍ୱଚିତ୍‌ ଉପଲବ୍‌ଧି କରିହୁଏ । ଅଧିକନ୍ତୁ ଏକ ସହାନୁଭୂତିଶୀଳ କାରୁଣ୍ୟଶୀତଳ ସ୍ପର୍ଶକାତର ହୃଦୟର ପରିଚୟ ମିଳେ । ଏକ ଦିଗରେ ହାସ୍ୟ ଅନ୍ୟ ଦିଗରେ ଅଶ୍ରୁ ଯେପରିକି ଏକ ଇନ୍ଦ୍ରଧନୁର ବର୍ଣ୍ଣବିଭା ସୃଷ୍ଟିକରେ । ଘଟଣା ଓ ବର୍ଣ୍ଣନା ଜୀବନ୍ତ ହୋଇଉଠେ । ଅତ୍ୟାଚାରୀ ପ୍ରତି ଶାଣିତ ବିଦ୍ରୂପ ଏଥିରେ ଅନୁଭୂତ ହୁଏ । ସେଥିଲାଗି କେବଳ ଫକୀରମୋହନ ସ୍ୱତନ୍ତ୍ର ଉପନ୍ୟାସ ରଚନା କରି ନାହାନ୍ତି । ଫକୀରମୋହନଙ୍କ ଏହି ଧାରା ପରବର୍ତ୍ତୀ କଥାସାହିତ୍ୟକୁ ଯେ ପରିମାଣରେ ପ୍ରଭାବିତ କରିବା କଥା ତାହା କ୍ୱଚିତ୍‌ କରିଅଛି । ଫକୀରମୋହନଙ୍କ କିଂଚିତ୍‌ ପରବର୍ତ୍ତୀ ଗୋପାଳଚନ୍ଦ୍ର ପ୍ରହରାଜ ହାସ୍ୟରସକୁ ନିଜର ଲଳିତ ନିବନ୍ଧରେ ଉପଜୀବ୍ୟ କରିଅଛନ୍ତି । କିନ୍ତୁ ଏଇ ଅବହେଳିତ ଦିଗଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩)ଙ୍କଦ୍ୱାରା ପୁଷ୍ଟ ହୋଇଅଛି । ସେ ଲାଳିକା, ଯାତ୍ରା, ପ୍ରହସନ ଓ କବିତା ପର୍ଯ୍ୟନ୍ତ ସର୍ବତ୍ର ବିଶୁଦ୍ଧ ହାସ୍ୟରସର ବିନିଯୋଗ କରିଛନ୍ତି । ତାଙ୍କର ସୃଷ୍ଟି ବୈଚିତ୍ର୍ୟ ମଧ୍ୟରେ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସର ପରିସର ଖୁବ୍‌ ଅଳ୍ପ । ବିଶେଷତଃ ଗୋଟିଏ ମାତ୍ର ଉପନ୍ୟାସ କଣାମାମୁଁ । ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରାକ୍‌କାଳରେ ୧୯୩୭ ଖ୍ରୀଷ୍ଟାବ୍ଦରେ ରଚିତ ହୋଇଥିଲା । ମାତ୍ର ଏହା ପ୍ରକାଶ ପାଇଥିଲା ବହୁପରେ ୧୯୪୭, ସେପ୍‌ଟେମ୍ବର ଡଗର ପତ୍ରିକାରେ । କଣାମାମୁଁର ଘଟଣାକାଳ ସହିତ ଜାତୀୟ ସ୍ୱାଧୀନତା ସଂଗ୍ରାମର ଘଟଣାବଳୀ ଓତଃପ୍ରୋତ ଭାବେ ଜଡ଼ିତ । ବିଦେଶୀ ଶାସନର ଏକ ଗଭୀର ଦୁର୍ଦ୍ଦିନର ପଟ୍ଟଭୂମିର ଲକ୍ଷ୍ମୀକାନ୍ତ ଏକ ଲିଜେଣ୍ଡ୍ୟାରୀ ଚରିତ୍ର ଅବତାରଣା କରିଛନ୍ତି କଣାମାମୁଁ ମାଧ୍ୟମରେ । କଣାମାମୁଁଙ୍କୁ ୧୯୪୨ ଅଗଷ୍ଟ ଆନ୍ଦୋଳନର ନେତାରୂପେ ଠିଆ କରାଇବା ହୁଏତ ଲକ୍ଷ୍ମୀକାନ୍ତଙ୍କର ଲକ୍ଷ୍ୟ ଥିଲା । ତା ହୋଇଥିଲେ ହୁଏତ ଘଟଣାର ପ୍ରବାହରେ ଉପନ୍ୟାସର କଥାବସ୍ତୁ ଅଧିକ ପୂର୍ଣ୍ଣତା ଲାଭ କରିପାରିଥାନ୍ତା । ମାତ୍ର ତା’ର ଆଭିମୂଖ୍ୟରେ କୌଣସି ପରିବର୍ତ୍ତନ ଘଟି ନଥାନ୍ତା, ଉପନ୍ୟାସଟି ଏକ ପ୍ରକାର ଆତ୍ମକଥନ ଭଙ୍ଗୀରେ ରଚିତ । ଅଭିରାମ ନାମକ ଜଣେ ଯୁବକ ନିଜର ଜୀବନ କାହାଣୀ ବର୍ଣ୍ଣନା ପ୍ରସଙ୍ଗରେ ନିଜର ଅତିପ୍ରିୟ ଏକାନ୍ତ ପରିଚିତ ଓ ଅଦ୍ଭୂତ କୌତୂହଳମୟ କଣାମାମୁଁଙ୍କର ଚିତ୍ର ବାଢ଼ିବସିଛି । କଣାମାମୁଁଙ୍କର ଆଖି କଣା ହେବା ବିଷୟରେ ଅଜସ୍ର କାହାଣୀ ରୂପକଥାରେ ପରିଣତ ହୋଇଛି । ସେ କଣାମାମୁଁ କି କିଣାମାମୁଁ ଏହା ଘେନି ଲେଖକ ହାସ୍ୟରସର ଅବତାରଣା କରିଛନ୍ତି । ପୁଣି ସଙ୍ଗେ ସଙ୍ଗେ ମାମୁଁଙ୍କର ମହତ୍ତ୍ୱ ଫୁଟାଇଛନ୍ତି । ସବୁ ବିପଦ ଝୁଙ୍କି ନିଜ ମୁଣ୍ଡକୁ ନେଇ ଅନ୍ୟର ସାହାପକ୍ଷ ହେଲାଭଳି ଦ୍ୱିତୀୟବ୍ୟକ୍ତି ଆଉ କେହି ନଥିଲେ । ଏଇ ମାମୁଁ କୁଆଡ଼େ ନବଗଡ଼ ରାଜାଙ୍କ ବଂଶଧର । ପଠାଣ, ମରହଟ୍ଟାଙ୍କ ସମୟରେ ଲଢ଼ି ଲଢ଼ି ସେ ଏଇ ବଂଶର ଧନଦୌଲତ ହରାଇଛନ୍ତି । କିନ୍ତୁ ଏଇ ବଂଶର ରକ୍ତ ମାମୁଁଙ୍କ ଧମନୀରେ ପ୍ରବାହିତ । ବିଦେଶୀ ଇଂରେଜ ଶାସନ ଓ ଏଇ ଶାସନର ଅପଶକ୍ତି ବିରୁଦ୍ଧରେ ସେ ଲଢ଼ିଛନ୍ତି । ଗାଁରେ ଆଖଡ଼ାଦଳ ସାଜିଛନ୍ତି । ସେମାନଙ୍କୁ ଶିଖେଇଛନ୍ତି କୁସ୍ତି, ଦଣ୍ଡବୈଠକ, ଛୁରାଖେଳ, ବାଡ଼ିଖେଳ, ଧନୁର୍ବିଦ୍ୟା । ଆଳସ୍ୟ ଓ ଚାରିତ୍ରିକ ସ୍ଖଳନ ଦୁର୍ବଳତାରୁ ଉଦ୍ଧାରକରି ଯୁବକମାନଙ୍କୁ ସେ ନବଜୀବନର ସଂଧାନ ଦେଇଛନ୍ତି । ତାଙ୍କ ଉଦ୍ଦେଶ୍ୟର ସାଧୁତା ଗ୍ରାମବାସୀଙ୍କୁ ମଧ୍ୟ ମୁଗ୍‌ଧ କରିଛି । କେତେବେଳେ ସେ ଡକାୟତଦଳଙ୍କ ସଙ୍ଗରେ ଲଢ଼ିଛନ୍ତି ପୁଣି କେତେବେଳେ ପୋଲିସ ସାଙ୍ଗରେ ଲଢ଼ିଛନ୍ତି । କାହାକୁ ଜଳରୁ ଉଦ୍ଧାର କରିଛନ୍ତି ତ କାହାକୁ ନିଆଁରୁ ଉଦ୍ଧାର କରିଛନ୍ତି । ପୁଣି କେଉଁ ଦୁଃଖିନୀ ନିରୀହା ବାଳିକା ଆଖିରୁ ଅଶ୍ରୁ ପୋଛିଛନ୍ତି । ମାମୁଁଙ୍କ ଉପସ୍ଥତିରେ ଗାଁ ଯେମିତି ନୂଆ ଜୀବନରେ ହସିଉଠେ, ତାଙ୍କର ଅନୁପସ୍ଥିତିରେ ଗାଁର ଜୀବନ କଳୁଷିତ ହୁଏ । କଣାମାମୁଁଙ୍କୁ ଜେଲ୍‌ରେ ରଖି ଉପନ୍ୟାସର ପରିସମାପ୍ତି ଘଟେ । କିନ୍ତୁ ଉପନ୍ୟାସର ଆମୂଳଚୁଳ ହାସ୍ୟରସ ପରିବେଷଣରେ ଲକ୍ଷ୍ମୀକାନ୍ତ ନିଜର ଅତୁଳନୀୟ ଶକ୍ତିର ପରିଚୟ ଦେଇଛନ୍ତି, ସେ ମାମୁଁଙ୍କୁ ଏତେ ମହାନ୍‌ କରି ଚିତ୍ର କରିବାକୁ ବସିଛନ୍ତି ଯେ ତାଙ୍କୁ ଘେନି ହାସ୍ୟରସର ଅନ୍ତନାହିଁ । ଏଇ ମାମୁଁ ନିଜର ଅତୀତ କାହାଣୀ କହିଲାବେଳେ ନବଗଡ଼ର ରାଜଉଆସକୁ ଘେନି ହାସ ପରିହାସର କାହାଣୀ ସୃଷ୍ଟି କରିଛନ୍ତି । ପୁଣି ଗ୍ରାମ ଟୋକାଙ୍କର ଦୈନନ୍ଦିନ ଜୀବନର ଚିତ୍ର ବର୍ଣ୍ଣନା ପ୍ରସଙ୍ଗରେ ବିଶୁଦ୍ଧ ହାସ୍ୟରସର ଅବତାରଣା କରିଛନ୍ତି । ସୀତା ପାର୍ଟ ଅଭିନୟ କରୁଥିବା ପିଲା ପ୍ରାଣନାଥକୁ ଛାଡ଼ି ନଯିବା ପାଇଁ ମିନତି କରୁକରୁ ଭୁଲ ପ୍ରମ୍ପଟିଂ ଶୁଣି ‘ଦେ ଖଣ୍ଡେ ବିଡ଼ି’ କହିବା ଭଳି ଘଟଣାର ଅବତାରଣା କରି ବିଶୁଦ୍ଧ ହାସ୍ୟରସ ସୃଷ୍ଟି କରିଛନ୍ତି । ଏଇ ହାସ୍ୟରସ ସୃଷ୍ଟି ପ୍ରସଙ୍ଗରେ ମଣିଷର କାର୍ଯ୍ୟକଳାପ, ଚାଲିଚଳଣ, କଥାବାର୍ତ୍ତା ସବୁକୁ ସୂକ୍ଷ୍ମ ଦୃଷ୍ଟିରେ ବିଶ୍ଳେଷଣ କରିଛନ୍ତି । ଗାଁ ଚୌକିଦାର, ହଗୁରୀ ଜେନା, ଟାଉଟର ଶମ୍ଭୁ ପଟ୍ଟନାୟକ, ଛତରା ଟୋକା ଶ୍ୟାମ ଓ ବଳିଆ, ହାଡ଼ିଆ ମା ଓ ଗୋଦରା ବୈରାମ ଖାଁ, ଝିଅ ବାହାଘରେ ମାଇପିଙ୍କ କାଳ ସବୁଥିରେ ବିଶୁଦ୍ଧ ହାସ୍ୟରସର ଅବତାରଣା କରିଛନ୍ତି । ତାଙ୍କର ହାସ୍ୟରସ ବିଷୟରେ ମନ୍ତବ୍ୟ କରିବାକୁ ଯାଇ ଡଃ. କୁଞ୍ଜବିହାରୀ ଦାଶ ଯଥାର୍ଥରେ କହିଛନ୍ତି, “ଯେତେବେଳେ ଏ ଜାତିର ଆଖିରୁ ଲୁହ ଶୁଖୁ ନଥିଲା, ହତାଶା ହାହାକାରରେ ଯେତେବେଳେ ଏ ଯୁଗର ସଂଚିତ ସାଧନା ଭାଙ୍ଗିପଡୁଥିଲା, ତା ସହିତ ସମତା ଦେଇ ଭାଙ୍ଗିପଡ଼ୁଥିଲା ଏକ ଶିକ୍ଷିତ ଜାତିର ମନ, ସେତିକିବେଳେ ତା ମୁଖରେ ଏକ ସୁସ୍ଥ ହସର ରେଖା ଆଙ୍କି ଦେଇଥିଲେ ଲକ୍ଷ୍ମୀକାନ୍ତ (ଶ୍ରୀମନ୍ତ - ଡଃ. କୁଞ୍ଜବିହାରୀ ଦାଶ - ପୃ. ୬୧-୬୨)

Image

 

– ଚାରି –

 

ରୋମାନ୍‌ସ ସୁଲଭ ଘଟଣା ବାହୁଲ୍ୟ କୌତୂହଳୋଦ୍ଦୀପକ କାହାଣୀର ସଂଯୋଜନା ଓ ଜାତୀୟତାର ଆଦର୍ଶ ଘେନି ଉପନ୍ୟାସ ରଚନାରେ ଗୋଦାବରୀଶ ମିଶ୍ରଙ୍କର ପଦାଙ୍କ ଅନୁସରଣ କରିଛନ୍ତି ଗୋଦାବରୀଶ ମହାପାତ୍ର (୧୮୯୮-୧୯୬୫) । ଗୋଦାବରୀଶ ମୋଟ୍‌ ଛଅଟି ଉପନ୍ୟାସ ଲେଖିଛନ୍ତି ୧୯୨୫ ରୁ ୧୯୩୮ ମଧ୍ୟରେ । ତାଙ୍କର ପ୍ରଥମ ଉପନ୍ୟାସ ରାଜଦ୍ରୋହୀ (୧୯୨୫) ପାଶ୍ଚାତ୍ୟ ବଣିକଙ୍କ ଓଡ଼ିଶା ଆଗମନ ଘେନି ରଚିତ । ଏହି ଉପନ୍ୟାସର ନାୟକ ବିଦେଶୀ ବେପାରୀଙ୍କଦ୍ୱାରା ଚିଲିକା କୂଳରେ ପରିତ୍ୟକ୍ତ ହୋଇଥିଲା । ସାଧୁ ଭକତଦାସଙ୍କଦ୍ୱାରା ଆଶ୍ରମରେ ପାଳିତ ହୋଇଥିଲା ଓ ବୁଲାରାମରୂପେ ନାଚ ଦେଖାଇ ବୁଲୁଥିଲା ଓ ଶେଷରେ ସେ ହୋଇଥିଲା ଖୋର୍ଦ୍ଧାର ରାଜା । ଏଇ ଉପନ୍ୟାସଟିରେ କଳ୍ପନାର ତଳୀ ଦେଇ ଅତୀତ ଓଡ଼ିଶାର ଗୌରବ କାହାଣୀ ବର୍ଣ୍ଣନା କରିବାରେ ସେ ମୁଖର ହୋଇଛନ୍ତି । ଏକ ଦିଗରେ ବିଦେଶୀ ବଣିକଙ୍କ ଅତ୍ୟାଚାର ଓ ଅନ୍ୟ ଦିଗରେ ମୁସଲମାନ ଶାସକଙ୍କ ନିର୍ମମ ନିଃପୀଡ଼ନର କାହାଣୀ ଏଥିରେ ବର୍ଣ୍ଣିତ-। ବନ୍ଦୀରମାୟା (୧୯୩୪)ରେ ମରହଟ୍ଟାକାଳର ଇତିହାସକୁ ପୃଷ୍ଠଭୂମିରୂପେ ଗୃହୀତ କରାଯଇଛି । ଏ ସମସ୍ତ ଚିତ୍ର କାରାରୁଦ୍ଧ ବନ୍ଦୀଙ୍କ ପ୍ରତି କାରାଗାରର ରକ୍ଷକଙ୍କ କନ୍ୟାଙ୍କ ସମବେଦନା ଓ ମରହଟ୍ଟାବନ୍ଦୀ ଦେବନାଥ ପ୍ରତି ତା’ର ପ୍ରଣୟ ବେଦନା ଓ ପରିଶେଷରେ ଏଇ ସମାଜଦ୍ୱାରା ନିଗୃହୀତ ଆତ୍ମବଳୀଦାନ କାହାଣୀ ମଧ୍ୟରେ ଲେଖକ ଟ୍ରାଜେଡ଼ି ସୁଲଭ କାରୁଣ୍ୟ ଫୁଟାଇଛନ୍ତି । ଏକ ଦିଗରେ ପ୍ରଣୟର ଉଦାର ଆକର୍ଷଣ ଓ ଅନ୍ୟ ଦିଗରେ ଜାତୀୟ ସମ୍ମାନର ଅହମିକା ମଧ୍ୟରେ ବିରୋଧ ଘେନି ଏହି ଉପନ୍ୟାସରେ ଦ୍ୱନ୍ଦ୍ୱ ଉପସ୍ଥିତ ହୋଇଛି । ରାଜଦ୍ରୋହୀ ଓ ବନ୍ଦୀରମାୟା ଉଭୟ ଉପନ୍ୟାସରେ କ୍ଷୟିଷ୍ଣୁ ମଧ୍ୟଯୁଗୀୟ ଆଭିଜାତ୍ୟ ପ୍ରତି ଲେଖକ ତୀବ୍ର କଟାକ୍ଷ କରିଛନ୍ତି । ପ୍ରେମପଥେ (୧୯୩୭) ଓ ବିଦ୍ରୋହ (୧୯୩୮) ଏହି ଦୁଇଟି ସାମାଜିକ ଉପନ୍ୟାସ । ପ୍ରେମପଥେରେ ହରିଚରଣ, କନକ ଓ ଚଞ୍ଚଳାକୁ ନେଇ ପ୍ରେମର ତ୍ରିଭୁଜ ଅଙ୍କିତ । ସ୍କୁଲଛାତ୍ର ହରିଚରଣଙ୍କ ସହିତ ଗାଉଁଲି ଝିଅ କନକର ନିର୍ବନ୍ଧ ହୋଇଥିଲା । କିନ୍ତୁ ହରିଚରଣ ସହରରେ ଉଚ୍ଚଶିକ୍ଷା ଲାଭକାଳରେ ସହପାଠିନୀ ଚଞ୍ଚଳାର ବଶବର୍ତ୍ତୀ ହୁଏ ଓ ଶେଷରେ କନକକୁ ଛାଡ଼ି ଚଞ୍ଚଳାକୁ ବିବାହ କରେ । କନକକୁ ଆଜୀବନ ଅପେକ୍ଷା କରିବାକୁ ପଡ଼େ ହରିଚରଣ ପାଇଁ । ଚଞ୍ଚଳାର ଭାଗ୍ୟ ଯେତିକି କରୁଣ ହୋଇଉଠିଛି, ପାରଂପରିକ ସମାଜର ରୀତିନୀତି ପ୍ରତି ଲେଖକଙ୍କ କଟାକ୍ଷ ହୋଇଉଠିଛି ତୀବ୍ର । ଏହାର ପରବର୍ତ୍ତୀ ବିଦ୍ରୋହ ଉପନ୍ୟାସଟିରେ ନାୟିକା ଗୌରୀ ହୋଇଛି ବିଦ୍ରୋହିଣୀ । ବାଲ୍ୟବିଧବା ଗୌରୀ ପିତାଙ୍କ ଶାସନ ନମାନି ସଂସ୍କାରକାମୀ ଯୁବକ ବ୍ରଜ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହୋଇଛି ଓ ବୃଦ୍ଧସ୍ୱାମୀ ରାଧାନାଥଙ୍କ ଯୁବତୀ ସ୍ତ୍ରୀ ରମା ବଞ୍ଚି ଥାଉଁଥାଉଁ ବିଧବା ବେଶ ଧାରଣ କରିଛି । ସମାଜର ବିଧିଠାରେ ଆତ୍ମସମର୍ପଣରେ ନୁହେଁ ଯଥାର୍ଥ ପ୍ରଣୟରେ ହିଁ ପରିଣୟର ସାର୍ଥକତା, ଗୋଦାବରୀଶଙ୍କ ଆଉ ଏକ ବୈଶିଷ୍ଟ୍ୟ ହେଉଛି ପତ୍ରାଚାର ମାଧ୍ୟମରେ ଉପନ୍ୟାସ ରଚନା । ପ୍ରେମପଥେ ଉପନ୍ୟାସଟିର ନାୟକ ନାୟିକା ନିଜ ବନ୍ଧୁମାନଙ୍କ ଚିଠି ପଢ଼ି ଚିଠି ଲେଖିଚାଲିଛନ୍ତି । ଏଇ ଚିଠିଗୁଡ଼ିକ ମଧ୍ୟରେ ହିଁ ଉପନ୍ୟାସର ଘଟଣା ପ୍ରବାହ ଗତିଶୀଳ ହୋଇଛି । ଗୋଦାବରୀଶଙ୍କ ଉପନ୍ୟାସଗୁଡ଼ିକର ଚରିତ୍ର ସବୁ ସ୍ୱୟଂସମ୍ପୂର୍ଣ୍ଣ ଓ ଜୀବନ୍ତ । ପ୍ରତ୍ୟେକ ଚରିତ୍ର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ମଣ୍ଡିତ । ଏଇ ଚରିତ୍ରଗୁଡ଼ିକ ଯେପରି କ୍ରିୟାଶୀଳ ସେହିପରି ଦୁଃସାହସୀ ଓ ସଂଗ୍ରାମର ପଟ୍ଟଭୂମିରେ ଦୃଢ଼ ପାଦରେ ଦଣ୍ଡାୟମାନ । କି ଐତିହାସିକ, କି ସାମାଜିକ ସର୍ବତ୍ର ତାଙ୍କ ଚରିତ୍ରଗୁଡ଼ିକ ତାଙ୍କର ନିଜସ୍ୱ ବ୍ୟକ୍ତିତ୍ୱରେ ସମୁଜ୍ୱଳ । ଗୋଦାବରୀଶଙ୍କ ପ୍ରଣୟଚିତ୍ର ସଂଯତ, ମାଧୁର୍ଯ୍ୟମଣ୍ଡିତ ଓ କାରୁଣ୍ୟକୋମଳ । ଏକ ଦିଗରେ ମନୁଷ୍ୟର ସହଜାତ ପ୍ରବୃତ୍ତି ଓ ଅନ୍ୟ ଦିଗରେ ସମାଜର ଅହେତୁକ ଶାସନ ଏହାକୁ କେନ୍ଦ୍ରକରି ଉପନ୍ୟାସରେ ନାଟକୀୟ ଦ୍ୱନ୍ଦ୍ୱର ଅବତାରଣା କରାଯାଇଛି ।

 

– ପାଞ୍ଚ –

 

ହରେକୃଷ୍ଣ ମହତାବ୍‌ (୧୮୯୯-): ବିଂଶ ଶତକର ଓଡ଼ିଆ ଜାତୀୟ ଜୀବନରେ ହରେକୃଷ୍ଣ ମହାତାବ୍‌ ଜଣେ ପ୍ରସିଦ୍ଧ ବ୍ୟକ୍ତି । ଏକ ଅଭିଜାତ ଜମିଦାର ପରିବାରରେ ଜନ୍ମଲାଭ କରି ସେ ଜାତୀୟ ମୁକ୍ତି ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ । କର୍ମୀ, ସେବକ ଓ ପ୍ରଶାସକ ଭାବରେ ତାଙ୍କର ମହାନ୍‌ ବ୍ୟକ୍ତିତ୍ୱର ଏକାଂଶ ସାହିତ୍ୟ ସୃଷ୍ଟିରେ ନିୟୋଜିତ ହୋଇଛି । ପୁଣି ସାମ୍ବଦିକତା, ପତ୍ରିକା ସଂପାଦନା ସଙ୍ଗେ ସଙ୍ଗେ ଇତିହାସ ଚର୍ଚ୍ଚା ଓ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ (ରମ୍ୟରଚନା, କାବ୍ୟକବିତା, ନାଟକ, ଉପନ୍ୟାସ ଆଦି ବହୁ ଦିଗରେ) । ସେ ଲେଖନୀ ଚାଳନା କରିଛନ୍ତି । ସବୁଜ ଯୁଗର ଲେଖକମାନେ ନବସ୍ୱୈରବାଦ ଚେତନାରେ ଉଦ୍‌ବୁଦ୍ଧ ହୋଇ ଗଭୀର ବିଶ୍ୱାସ, ହୃଦୟବୃତ୍ତିର ସ୍ୱତଃସ୍ଫୂର୍ତ୍ତ ସାଧନା ଭିତରେ କଳାସୃଷ୍ଟିରେ ମଗ୍ନଥିବା ସମୟରେ ମହତାବ୍‌ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରବେଶ କରିଛନ୍ତି । ୧୯୨୭ ଖ୍ରୀ:ଅ:ରେ ‘ପଲାସୀ ଅବସାନେ’ କାବ୍ୟ ରଚନା କରି । ସମସାମୟିକ ସମାଜ ତା’ର ଅତୀତ ଓ ବର୍ତ୍ତମାନ ଘେନି ମହତାବ୍‌ ଗଭୀରଭାବେ ଚିନ୍ତା କରିଛନ୍ତି ଓ ତା’ର ଭବିଷ୍ୟତର ସ୍ୱପ୍ନଦେଖିଛନ୍ତି । ମହତାବ୍‌ କେବଳ ଇତିହାସବିତ୍‌ ନୁହନ୍ତି ସେ ଆଧୁନିକ ଓଡ଼ିଶାର ଇତିହାସର ନିର୍ମାତା । ଏହି ଇତିହାସ ପ୍ରସିଦ୍ଧ ବ୍ୟକ୍ତିଙ୍କ ସାଧନାର ଏକ ଦିଗ ସାହିତ୍ୟ । କାରାଗାରରେ ବନ୍ଦୀ ସମୟରେ ବୃହତ୍ତର ଜାତୀୟ ଜୀବନକୁ ନିଜ ଭାବନାରେ ପ୍ରତିଫଳନ ପ୍ରୟାସରେ ମହତାବଙ୍କ ସାହିତ୍ୟ ସୃଷ୍ଟି । ଏବେବି ପ୍ରତ୍ୟକ୍ଷ ରାଜନୀତିରୁ ନିଜକୁ ଦୂରରେ ରଖି ସାହିତ୍ୟ ମାଧ୍ୟମରେ ନିଜକୁ ପ୍ରକାଶ କରିବାରେ ତତ୍ପର । ମହତାବଙ୍କ ଉପନ୍ୟାସଗୁଡ଼ିକ ମଧ୍ୟରେ ପ୍ରତିଭା, ଅବ୍ୟାପାର, ନୂତନଧର୍ମ, ଟାଉଟର ପ୍ରଭୃତି ସ୍ୱାଧୀନତାର ପୂର୍ବ ଯୁଗରେ ରଚିତ । ଏଥିରେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଜାଗରଣର ଚିତ୍ର ଓ ଏକ ଦିଗରେ ପାରଂପାରିକ ସମାଜ ଓ ଅନ୍ୟ ଦିଗରେ ନୂତନ ଆଦର୍ଶବାଦୀ ସଂକଳ୍ପର ସଂଘାତର ଚିତ୍ର ପ୍ରତିଫଳିତ ହୋଇଛି । ସମାଜ ସଂସ୍କାର, ରାତନୈତିକ ବିପ୍ଳବ, ଦେଶାତ୍ମବୋଧର ପ୍ରଚାର ପାଇଁ ଯେପରିକି ମହତାବଙ୍କ ଏହି ଯୁଗର ଉପନ୍ୟାସଗୁଡ଼ିକ ଅଭିପ୍ରେତ । କଳାଧର୍ମ ପ୍ରତି ମହତାବ ଯେତିକି ସଚେତନ ନୁହଁନ୍ତି କାଳଧର୍ମ ପ୍ରତି ସେତିକି ସଚେତନ । ଏହି ଉପନ୍ୟାସଗୁଡ଼ିକ ସତେ ଯେପରିକି ସମ୍ବାଦପତ୍ରର ସମ୍ପାଦକୀୟ ସ୍ତମ୍ଭର ବୃହତ୍‌ ସଂସ୍କରଣ । ଏହାର ଚରିତ୍ରଗୁଡ଼ିକ ସମାଜର ସକଳ ସ୍ତରରୁ ଗୃହୀତ । ସମାଜରୁ ଜାତିପ୍ରଥା, ଅଶିକ୍ଷା, କୁସଂସ୍କାର ଓ ପରଦାପ୍ରଥା ଆଦି ଦୂର କରିବା ସଙ୍ଗେ ସଙ୍ଗେ ଦେଶର ତରୁଣମାନଙ୍କୁ ବିଦେଶୀ ସରକାର ସହିତ ସହଯୋଗ ନକରି ସ୍ୱାଧୀନ ଦେଶସେବା ବ୍ରତରେ ବ୍ରତୀ କରାଇବା ଉଦ୍ଦେଶ୍ୟରେ ପ୍ରତିଭା ଉପନ୍ୟାସଟି କଳ୍ପିତ । ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଅପୁଛି ଉଚ୍ଚଶିକ୍ଷିତ ମହେନ୍ଦ୍ରଙ୍କ ଦୃଷ୍ଟିରେ ପ୍ରତିଭାରୂପେ ରୂପ ଲାଭକରିଛି । ଶିକ୍ଷା ଓ ଆଧୁନିକ ଦୃଷ୍ଟି ନାରୀକୁ ମଧ୍ୟ ସ୍ୱାଧୀନ ବ୍ୟକ୍ତିତ୍ୱରେ ଅଭିଷିକ୍ତ କରିପାରେ । ଏହାହିଁ ପ୍ରତିଭା ଉପନ୍ୟାସରେ ପ୍ରତିପାଦିତ । ପ୍ରତିଭା ଦେଶସେବକ ନବୀନଙ୍କ ଯଥାର୍ଥ ସହଧର୍ମିଣୀ ହୋଇପାରିଛି । ଅଥଚ ଏକ ଦିଗରେ ପ୍ରତିଭାର ଶାରୀରିକ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ମହେନ୍ଦ୍ର କେବଳ ଜଣେ ସରକାରୀ ଚାକିରିଆ ହୋଇ ଆଦର୍ଶଚ୍ୟୁତ ହୋଇଅଛି । ନାଟକୀୟ ଭାବରେ ପ୍ରତିଭା, ନବୀନ ଓ ମହେନ୍ଦ୍ର ତିନିଜଣଙ୍କର ଆବିର୍ଭାବ ଘଟିଛି । ବିପ୍ଳବିନୀ ପ୍ରତିଭା ପ୍ରଜାପୀଡ଼ନ ନିଜ ଶ୍ୱଶୁରଙ୍କୁ ମଧ୍ୟ ବିରୋଧ କରିଅଛି । ନାଟକୀୟ ଭାବରେ ପ୍ରତିଭା, ନବୀନ ଓ ମହେନ୍ଦ୍ରର ଆବିର୍ଭାବ ଘଟିଛି ବିପ୍ଳବୀ ସଭାରେ । ମହେନ୍ଦ୍ର ସେଠାରେ ଉପସ୍ଥିତ ହୋଇଛନ୍ତି ବିପ୍ଳବ ଦମନକାରୀ ସରକାରୀ ଅଫିସର ଭାବରେ । ଜେଲରୁ ଫେରି ନବୀନ ମଧ୍ୟ ସେହିଠାରେ ପହଞ୍ଚିଛି ବିପ୍ଳବିନୀ ପ୍ରତିଭା ସଜ୍ଞାହୀନ ହୋଇ ପଡ଼ିଥିବା ସମୟରେ । ପ୍ରତିଭାର ସଂଜ୍ଞା ଫେରିଛି, ମହାନ୍‌ ବିପ୍ଳବୀ ନେତା ପ୍ରକାଶ ବାବୁଙ୍କ ଆଶୀର୍ବାଦ ବାଣୀରେ ନବୀନ ଓ ପ୍ରତିଭାଙ୍କ ଜୀବନର ଆଦର୍ଶ ପ୍ରକାଶ ପାଇଛି । ନବୀନ ଓ ପ୍ରତିଭାଙ୍କ ଉପରେ ବିପ୍ଳବର ଭାର ଅର୍ପଣକରି ପ୍ରକାଶବାବୁ କହିଛନ୍ତି–“ବିପ୍ଳବର ଗଣ୍ଡିହୋଇ ତୁମେ ଦୁଇଜଣ ବଞ୍ଚିରହ ଦୁଃଖହିଁ ତୁମର ଚିର ସୁଖ ହେଉ । ନିର୍ଦ୍ଧନତା ହିଁ ତୁମର ସମ୍ପଦ ହେଉ, ବିଚ୍ଛେଦହିଁ ତୁମର ମଧୁର ମିଳନ ହେଉ । ଏହାହିଁ ମୋର ଆଦର୍ଶ ବିପ୍ଳବୀଙ୍କୁ ଆଶର୍ବାଦ ।” ସମସାମୟିକ ସ୍ୱାଧୀନତା ଆନ୍ଦୋଳନର ଚିତ୍ର, ଜମିଦାରଙ୍କ ପ୍ରଜାନିପୀଡ଼ନ, ସ୍ୱାଧୀନତା ସଂଗ୍ରାମୀଙ୍କ ବନ୍ଦୀ ଜୀବନ, ବନ୍ୟା ଓ ଅନାହାରରେ ପୀଡ଼ିତ ଦୂସ୍ଥ ଜନତାର ସେବାରେ ଆଦର୍ଶବାଦୀ ତରୁଣମାନଙ୍କର ଆତ୍ମଦାନ, ସରକାରୀ ଚାକିରୀର ଗୋଲାମୀ, ନିଶାନିବାରଣ ଓ ଜାତୀୟ କୁପ୍ରଥା ବିରୁଦ୍ଧରେ ଆଦର୍ଶବାଦୀ ତରୁଣମାନଙ୍କ ଅଭିଯାନର ହୃଦୟଗ୍ରାହୀ ଚିତ୍ର ଉପନ୍ୟାସଟିରେ ପରିବେଷିତ ହୋଇଅଛି । ପ୍ରତିଭା ପରି ‘ଅବ୍ୟାପାର’ ଆଉ ଗୋଟିଏ ରାଜନୈତିକ ଉପନ୍ୟାସ । ଏଥିରେ ସମାଜର ଜଟିଳ ସମସ୍ୟାର ଉପସ୍ଥାପନ କରାଯାଇଛି । ଗଡ଼ଜାତର ଅତ୍ୟାଚାରୀ ରାଜାମାନଙ୍କର ବିରୁଦ୍ଧରେ ଆନ୍ଦୋଳନର ପଟ୍ଟଭୂମିରେ ଉପନ୍ୟାସଟି କଳ୍ପିତ । ଏଥିରେ ମଧ୍ୟ ପ୍ରଣୟର ଏକ ତ୍ରିଭୁଜ, ଲାଲମୋହନ ବାବୁ, କୁମୁଦିନୀ ଓ ନିଶାମଣିକୁ ଘେନି ଗଢ଼ିଉଠିଛି । ଲାଲମୋହନ ବାବୁ ଶିକ୍ଷିତ, ପରମ ଦେଶସେବୀ ଓ ଆଦର୍ଶବାଦୀ ଯୁବକ । ଅନ୍ୟପକ୍ଷରେ ନିଶାମଣି ଶିକ୍ଷାଦୀକ୍ଷା ହୀନ ଗ୍ରାମ୍ୟ ବାଳିକାବଧୂ କୁମୁଦିନୀ ଜୀବନର ଏକ କରୁଣ ଅଧ୍ୟାୟରୁ ଉତ୍ତୀର୍ଣ୍ଣ ହୋଇ ପିତା ଓ ପତିକୁ ହରାଇ କଲିକତାରେ ଏକ ମହିଳା ଆଶ୍ରମରେ ଶିକ୍ଷାଦୀକ୍ଷା ଲାଭକରି ଶେଷରେ ହୋଇଛନ୍ତି ନାରୀ ନେତ୍ରୀ । କୁମୁଦିନୀଙ୍କ ପ୍ରତି ଆସକ୍ତ ଲାଲମୋହନ କୁମୁଦିନୀଙ୍କର ଉଦାର ବ୍ୟକ୍ତିତ୍ୱ ଓ ମହତ ହୃଦୟର ସଂସ୍ପର୍ଶରେ ଆସି କେବଳ ନିଜର କାମଜପ୍ରେମର ଊଦ୍ଧ୍ୱର୍କୁ ଯେ ଉଠିପାରିଛନ୍ତି ତା ନୁହେଁ ଜଣେ ଆଦର୍ଶ ବିପ୍ଳବୀରୂପେ ନିଜକୁ ଗଢ଼ିପାରିଛନ୍ତି । ଏକଦା ଅଶିକ୍ଷିତା ନିଶାମଣି କୁମୁଦିନୀଙ୍କ ଚେଷ୍ଟାରେ ସହରକୁ ଆସି ଆଧୁନିକ ଶିକ୍ଷାଲାଭ କରି ନୂତନ ବ୍ୟକ୍ତିତ୍ୱର ଅଧିକାରିଣୀ ହୋଇଛନ୍ତି ଓ ହୋଇପାରିଛନ୍ତି ଲାଲମୋହନ ବାବୁଙ୍କର ଯଥାର୍ଥ ସହଧର୍ମିଣୀ । ଶିକ୍ଷା ଓ ଆଧୁନିକ ମାନବତାବାଦ କୂପମଣ୍ଡୁକ ପଲ୍ଲୀର ସରଳ ବାଳିକାକୁ କି ଭାବରେ ମହତ୍‌ କରିପାରେ ତାହା ଏହି ଉପନ୍ୟାସଟରେ ପରିଣତି ନାଟକୀୟଭାବେ ବିୟୋଗାନ୍ତ ହୋଇଛି । ଲାଲମୋହନ ବାବୁ ଦୁଃସାହସୀ ବିପ୍ଳବୀଦଳର ନେତୃତ୍ୱକରି ଫାଶୀଦଣ୍ଡ ପାଇଛନ୍ତି ଓ ଲାଲମୋହନ ବାବୁଙ୍କର ଏକମାତ୍ର ପୁତ୍ର ସନ୍ତାନଟିକୁ ଜନ୍ମଦେଇ ପତିଗତପ୍ରାଣା ନିଶାମଣି ସ୍ୱାମୀଙ୍କ ମୃତ୍ୟୁଦଣ୍ଡ ସମ୍ବାଦରେ ଶୋକାକୁଳିତ ହୋଇ ଆତ୍ମତ୍ୟାଗ କରିଛନ୍ତି । ଏହିଠାରେ କୁମୁଦିନୀ ଦେବୀଙ୍କର ଭୂମିକା ଭବିଷ୍ୟତ ଶିଶୁଟିର ଧାତ୍ରୀ ଭାବରେ ସତେ ଯେପରିକି ନବଜାତ ବିପ୍ଳବର ପ୍ରତୀକ ହୋଇ ପ୍ରତିଷ୍ଠାଲାଭ କରିଅଛି । ଘଟଣାର ବିଶଦ ବର୍ଣ୍ଣନା ମଧ୍ୟରେ ଏକ ଦିଗରେ ନିପୀଡ଼ିତ ଜନତାର ଚିତ୍ର ଓ ଅନ୍ୟ ଦିଗରେ ବିପ୍ଳବୀ ଆଦର୍ଶବାଦୀ ଯୁବକ-ଯୁବତୀଙ୍କ ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ ବିବାହ ଓ ପ୍ରଣୟ, ଧ୍ୱଂସାତ୍ମକ ବିପ୍ଳବ ଓ ସର୍ଜନାତ୍ମକ ସଂଗଠନ ଭଳି ବହୁ ବିଷୟରେ ମନର ଦ୍ୱନ୍ଦ୍ୱ ବର୍ଣ୍ଣିତ ହୋଇଅଛି । ସାମାଜିକ ଉପନ୍ୟାସ ‘ନୂତନ ଧର୍ମ’ ଆନନ୍ଦଲହରୀ ଉପନ୍ୟାସମାଳାର ତ୍ରୟୋଦଶ ଅବଦାନ । ରାଜା ଜମିଦାର ସାଙ୍ଗକୁ ପ୍ରଜାମାନଙ୍କ ଉପରେ ଶୋଷଣର ବଡ଼ ଭାଗିଦାର ଥିଲେ ଭଣ୍ଡ-ସନ୍ନ୍ୟାସୀ ଓ ତଥାକଥିତ ଧର୍ମୀୟ ସଂଗଠନର ନେତାମାନେ । ନିଜକୁ ଭଗବାନରୂପେ ପ୍ରଚାରକରି ସବୁ ପ୍ରକାର ବ୍ୟଭିଚାର ଓ ବିଳାସରେ ଏମାନେ ମାତୁଥିଲେ, ଧନ ତଥା କ୍ଷମତାର ଯଥେଚ୍ଛାଚାର ଅପବ୍ୟବହାର କରୁଥିଲେ । ଉପନ୍ୟାସର ନାୟକ ମାୟାଧରକୁ କେନ୍ଦ୍ରକରି ବାବାଜୀଙ୍କ ଏକଦା ଶିଷ୍ୟ ରମେଶ, ବାବାଜୀଙ୍କ ଭକ୍ତ ଧନୀ ହରିହରଙ୍କ କନ୍ୟା ସୁନୀତି ଏସମସ୍ତେ ଧର୍ମୀୟ ଭଣ୍ଡତାର ବିରୁଦ୍ଧାଚାରୀ ଥିଲେ ତେଣୁ ଏମାନଙ୍କ ସମବେତ ଉଦ୍ୟମରେ କେବଳ ଯେ ଧର୍ମୀୟ ଭଣ୍ଡତାର ଅବସାନ ଘଟିଛି ତାନୁହେଁ ଶେଷରେ ବିଧବା ବିବାହ, ଜାତିଭେଦ ପ୍ରଥା ବିରୋଧରେ ଗ୍ରାମର ଦୁର୍ନୀତି ଓ ଦୋଷ ଦୁର୍ବଳତାର ବିରୁଦ୍ଧରେ ସଂଗଠନର ଚିତ୍ର ଉପନ୍ୟାସଟିକୁ ଉପଭୋଗ୍ୟ କରାଇପାରିଛି । ଏହି ଉପନ୍ୟାସରେ ଲେଖକଙ୍କର ଉଚ୍ଚ ଆଦର୍ଶବାଦ ନାୟମ ମାୟାଧରଙ୍କ ମୁଖରେ ଶୁଣାଯାଏ । “ଗରୀବ ଛୋଟ ନୁହଁନ୍ତି, ଗରୀବ ବୋଲି ମୋର ଗର୍ବ ହୁଏ । ଧନୀ ହୋଇଥିଲେ ମୁଁ ବୋଧହୁଏ ଜଣେ ନିଷ୍ଠୁର ଅତ୍ୟାଚାରୀ ହୋଇଥାନ୍ତି । ଗରୀବ ଭିତରେ ଈଶ୍ୱରଭାବ ବିକାଶ ପାଇବାର ସୁବିଧା ଅଛି । ଗରୀବ ହୋଇ ଜନ୍ମହେବା ଭାଗ୍ୟର ବିଷୟ । କିନ୍ତୁ ଧନୀ ଘରେ ଜନ୍ମହୋଇ ଇଚ୍ଛାକରି ଗରୀବ ହେବା ଆହୁରି ଭାଗ୍ୟର ବିଷୟ । ‘ଟାଉଟର’ ଉପନ୍ୟାସଟି ବାଲେଶ୍ୱର ଜିଲ୍ଲାର ଗୋଟିଏ ଗ୍ରାମକୁ ଭିତ୍ତିକରି ଓ ଏହି ଗ୍ରାମର ଗୋଟିଏ ସ୍କୁଲର ପ୍ରତିଷ୍ଠା ଘେନି ଗାଁର ଚାଷୀ, ତହସିଲଦାର, ସ୍କୁଲ ଇନିସ୍‌ପେକ୍‌ଟର ଗାଁର ନାଟଦଳ, ଗାଁ ମହାଜର, ବାଉରୀ ନିତିମଜୁରୀଆଙ୍କ ଜୀବନଚିତ୍ର ପ୍ରଦାନ ସଙ୍ଗେ ସଙ୍ଗେ ଆଦର୍ଶ ନାୟକ ରାମଚନ୍ଦ୍ରଙ୍କର ଗ୍ରାମ ଗଠନର ସୂତାକଟା ଓ ମାଟିହଣା ଆଦି ଗଠନମୂଳକ କାର୍ଯ୍ୟ ମାଧ୍ୟମରେ ଗାନ୍ଧୀନୀତିର ପ୍ରଚାର ଓ ଏହି ଆତ୍ମାଭିମାନୀ ସ୍ୱନିର୍ଭର ଆଦର୍ଶବାଦୀ ଗ୍ରାମର ଯୁବକମାନଙ୍କର ଗାଁ ଟାଉଟର ହାତରେ ଶାସ୍ତି ଉପନ୍ୟାସଟିରେ ବାସ୍ତବୋଚିତ ଭାବରେ ବର୍ଣ୍ଣିତ ହୋଇଅଛି । ସ୍ୱାଧୀନ ଭାରତର ସୁବୃହତଭିତ୍ତି ରଚନା ଗ୍ରାମ ଗଠନ ମାଧ୍ୟମରେ ହିଁ ସମ୍ଭବ । ଏହାହିଁ ଉପନ୍ୟାସରେ ପ୍ରତିପାଦନ କରାଯାଇଛି । ସ୍ୱାଧୀନତା ପରବର୍ତ୍ତୀକାଳୀନ ରାଜନୈତିକ ଓ ସାମାଜିକ ପୃଷ୍ଠଭୂମି ଉପରେ ମହତାବଙ୍କ ସର୍ବଶେଷ ଉପନ୍ୟାସ ‘ତୃତୀୟ ପର୍ବ’ (୧୯୭୭) ରଚିତ । ସମସାମୟିକ ସମସ୍ୟା, ରାଜନୈତିକ ଦୃଷ୍ଟିକୋଣ ଘେନି ମନ୍ତବ୍ୟର ଗୁରୁଭାରରେ ଏଇ ଉପନ୍ୟାସ ସତେଯେପରି ସମ୍ବାଦପତ୍ରର ପ୍ରବଂଧ ଭଳି ମନେହୁଏ । ଶିଳ୍ପ ସାଫଲ୍ୟ ଅପେକ୍ଷା ସମସାମୟିକ ସମାଜର ପରିବର୍ତ୍ତନଶୀଳ ଜୀବନଧାରାର ଆଲେଖ୍ୟ ଅଙ୍କନରେ ସେ ଅଧିକ ପ୍ରୟାସୀ । ଶିଳ୍ପ ସୃଷ୍ଟିର କ୍ରମବିକାଶ ଅପେକ୍ଷା ସମୟର ନିର୍ଦ୍ଦିଷ୍ଟ ଛାପ ମହାତାବଙ୍କ ସୃଷ୍ଟି ଶୀତଳତାକୁ ଗତିଶୀଳ କରିଅଛି । ସେ ସ୍ୱୀକାର କରନ୍ତି–“ମୋର ସାହିତ୍ୟ ସାଧନା ସ୍ରୋତସ୍ୱିନୀ ନଦୀପରି ବହିଚାଲିଛି । ଲେଖିଯିବା ମୋର ଅଭ୍ୟାସ; ଯେପରି ଫଳ ଫଳାଇବା ଗଛର ଅଭ୍ୟାସ” (୨୧.୪.୭୮ରେ ଲିଖିତ ମହାତାବଙ୍କ ବ୍ୟକ୍ତିଗତ ପତ୍ରରୁ)

Image

 

– ଛଅ –

 

ପ୍ରାକ୍‌ ସ୍ୱାଧୀନତାକାଳରେ ଜନପ୍ରିୟ ଔପନ୍ୟାସିକମାନଙ୍କ ମଧ୍ୟରେ ରାମପ୍ରସାଦ ସିଂହ, ଅନନ୍ତପ୍ରସାଦ ପଣ୍ଡା, ଲକ୍ଷ୍ମୀଧର ନାୟକ, ଜଗତ୍‌ବନ୍ଧୁ ମହାପାତ୍ର, କମଳାକାନ୍ତ ଦାସ ଓ ପ୍ରାଣକୃଷ୍ଣ ସାମଲ ଆଦିଙ୍କୁ ଦେଖିବାକୁ ମିଳେ ।

 

ରାମପ୍ରସାଦ ସିଂହ ସାମ୍ବାଦିକ ଓ ସାହିତ୍ୟିକ । ଜାତୀୟତା, ସାମ୍ୟବାଦୀଚିନ୍ତା ଓ ଶ୍ରେଣୀସଂଘର୍ଷର ବୈପ୍ଳବିକ ଭାବଧାର ଉପରେ ରାମପ୍ରସାଦଙ୍କ ଉପନ୍ୟାସଗୁଡ଼ିକ କଳ୍ପିତ । ତାଙ୍କର ଉପନ୍ୟାସଗୁଡ଼ିକ ମଧ୍ୟରେ ହେମଶିଖା, ସମାପ୍ତି, ମରିଚିକା, ଅଗ୍ନିପଥେ, ମରୁରସାଥି, ପୂଜାରବଳୀ ଓ ପ୍ରତିହିଂସା ପ୍ରଭୃତି ଉଲ୍ଲେଖଯୋଗ୍ୟ । ବ୍ୟଭିଚାରୀ ଶୋଷଣପୃଷ୍ଠ ଧନିକ ଗୋଷ୍ଠୀ ବିରୁଦ୍ଧରେ ନିସ୍ୱ ନିପୀଡ଼ିତ ଶୋଷିତର ଦୂରନ୍ତ ସଂଗ୍ରାମର ବିୟୋଗାନ୍ତ ପରିଣତିର ପଟ୍ଟଭୂମିରେ ହୋମଶିଖା ରଚିତ । ୧୯୪୨ ସର୍ବନାଶ ଦୁର୍ଭିକ୍ଷର ପଟ୍ଟଭୂମିରେ ପୁଂଜିପତିଙ୍କ ଶୋଷଣ ଓ ଦରିଦ୍ରଙ୍କ ଦୁର୍ଦ୍ଦଶାର ଚିତ୍ର ସମାପ୍ତି ଉପନ୍ୟାସରେ ଅଙ୍କିତ । ମରିଚୀକା ଓ ଅଗ୍ନିପଥେ ଉପନ୍ୟାସ ଦୁଇଟିରେ ମୁକ୍ତି ପାଇଁ ଆଦର୍ଶବାଦୀ ଯୁବକଙ୍କ ଆତ୍ମୋତ୍ସର୍ଗ, ପତିତାନାରୀଙ୍କ ହୃଦୟର ମହତ୍ୱ ଓ ବୈପ୍ଳବିକ ଦୃଷ୍ଟି ଲେଖକ ଫୁଟାଇଛନ୍ତି । ପ୍ରଣୟହୀନ ଦାମ୍ପତ୍ୟର ଆଲେଖ୍ୟ ମରୁରସାଥି ଉପନ୍ୟାସରେ ଅଙ୍କିତ । ପୂଜାରବଳୀ ଉପନ୍ୟାସଟି ଲବଣ ସତ୍ୟାଗ୍ରହର ପଟ୍ଟଭୂମିରେ ରଚିତ । ରାମପ୍ରସାଦଙ୍କ ଉପନ୍ୟାସ ଏକଦିଗରୁ ପ୍ରାଚାରଧର୍ମୀ ପୁଣି ଅନ୍ୟଦିଗରୁ ସମୟର ମୁଦ୍ରାଙ୍କ ବହନକରି ଭାରାକ୍ରାନ୍ତ । ଉପନ୍ୟାସର ଶୈଳୀ ଦିଗରୁ ରାମପ୍ରସାଦ ସଚେତନାତର ପରିଚୟ ଦେଇଛନ୍ତି । ତାଙ୍କ ଭାଷା ଆବେଗୋଷ୍ଣ’ ଗତିଶୀଳ ଓ ଆମୂଳଚୁଳ ପ୍ରସାଦଗୁଣ ମଣ୍ଡିତ । ମାତ୍ର ଉପନ୍ୟାସର ପ୍ରାଣ ଲୋକ ଚରିତ୍ରଚିତ୍ରଣ ଦିଗରୁ ରାମପ୍ରସାଦ ସାଫଲ୍ୟ ସୀମାୟିତ । ବ୍ୟକ୍ତିମନର ଗହନ ଅନ୍ତର୍ଦାହର ଚିତ୍ର ନଥିବାରୁ ତାଙ୍କର କୌଣସି ଉପନ୍ୟାସରୁ ଟ୍ରାଜେଡ଼ିର ବଳିଷ୍ଠ ସ୍ୱର ଶୁଣାଯାଏ ନାହିଁ । ରାମପ୍ରସାଦ ପ୍ରଚାରଧର୍ମୀ ଉପନ୍ୟାସ ରଚନାର ମରୁଭୂମିରେ ଶିଳ୍ପସୃଷ୍ଟିର ଏକ ନୂତନ ଦିଗ୍‌ବଳୟର ସନ୍ଧାନ ଦେଇଛନ୍ତି ମାତ୍ର ଗଢ଼ିପାରି ନାହାନ୍ତି ଚିରସବୁଜ ଓଏସିସ୍‌ ଯାହା ଭବିଷ୍ୟତରେ ପ୍ରାଣସଂଚାର କରିପାରନ୍ତା କାଳଜୟୀ ଭାବରେ ।

 

Unknown

ଅନନ୍ତ ପ୍ରସାଦ ପଣ୍ଡା (୧୯୦୬ ବାଲେଶ୍ୱର ଜିଲ୍ଲାର କଲ୍ୟାଣୀଗ୍ରାମ) ଶାସନବିଭାଗ ଓ ସମବାୟ ବିଭାଗରେ ନିଜର ସୁଦୀର୍ଘ କର୍ମମୟ ଜୀବନରେ ବହୁ କ୍ଷୁଦ୍ରଗଳ୍ପ, ଲିରିକ ଧର୍ମୀ କବିତା ରଚନା ସଙ୍ଗେ ସଙ୍ଗେ ଭାଗ୍ୟଚକ୍ର, କୁଲୀ, ନୂଆଁ ଦୁନିଆଁ, ମୁକ୍ତ ଆକାଶର ବିହଙ୍ଗ ଆଦି ଉପନ୍ୟାସମାନ ରଚନା କରିଛନ୍ତି । ବ୍ରାହ୍ମଣ ସମାଜରେ କନ୍ୟାସୁନାର ପ୍ରଚଳନ ଲୋଭରେ ଯୁବତୀ କନ୍ୟାର ବୁଢ଼ାବର ସଙ୍ଗେ ବିବାହର ଚିରାଚରିତ ଟ୍ରାଜିକ୍‌ ପରିଣତି ଦେଖିବାକୁ ମିଳେ । କୁଲୀ ଉପନ୍ୟାସଟି ଏକ ଦିଗରେ ଶ୍ରମିକଜୀବନର ବାସ୍ତବଚିତ୍ର ପ୍ରଦାନ ସଙ୍ଗେ ସଙ୍ଗେ ସମବାୟ ଆନ୍ଦୋଳନର ପ୍ରଚାରର ଏକ ମାଧ୍ୟମରୂପେ କଳ୍ପିତ ହୋଇଅଛି । ଯେପରି ଏକ ଦିଗରେ ଶ୍ରମିକମାନଙ୍କ ଧର୍ମଘଟର ସ୍ଲୋଗାନ୍‌ ଏ ଉପନ୍ୟାସ ପୃଷ୍ଠାରେ ଶୁଣାଯାଏ ଠିକ୍‌ ସେହିପରି ଲେଖକଙ୍କ ଆଦର୍ଶବାଦୀ ମନର ପରିଚୟ ମିଳେ । ଅନନ୍ତ ପ୍ରସାଦଙ୍କ ଭାଷାଶିଳ୍ପ ସହଜ ଓ ସ୍ୱତଃସ୍ଫୂର୍ତ୍ତି । ଉପନ୍ୟାସର କାହାଣୀ ଶିଥିଳବଦ୍ଧ । ଘଟଣାର ବର୍ଣ୍ଣନାରେ ପରିମିତିବୋଧର ଅଭାବ ଓ ସମଗ୍ର ଉପନ୍ୟାସର ବିନ୍ୟାସରେ କଳାସୌଷ୍ଠବର ଦିଗଟି ଯଥେଷ୍ଟ ବିକଶିତ ହେବାର ମନେହୁଏ ନାହିଁ-। ଆଶ ଓ ଉତ୍ସାହର ମୂର୍ତ୍ତପ୍ରତୀକରୂପେ ଲେଖକଙ୍କ ଚରିତ୍ରଗୁଡ଼ିକ ବଳିଷ୍ଠ ଆଦର୍ଶର ଧାରକ ଓ ବାହାକ ।

ଲକ୍ଷ୍ମୀଧର ନାୟକ (୧୯୧୪) ଅନ୍ୟତମ ଜନପ୍ରିୟ ଔପନ୍ୟାସିକ । ସେ ଯୁଗର ସାମ୍ୟବାଦୀ ଚେତନା, ଅର୍ଥନୈତିକ ନିପୀଡ଼ିତ ଦୁସ୍ଥ କୃଷକ ସମାଜର ଚିତ୍ର ଅଙ୍କନରେ ଲକ୍ଷ୍ମୀଧରଙ୍କ ଉପନ୍ୟାସଗୁଡ଼ିକର ସାର୍ଥକତା । ତାଙ୍କ ‘ସର୍ବହରା’ ଓ ‘ହାୟରେ ଦୁର୍ଭାଗା ଦେଶ’ ଭଳି ଉପନ୍ୟାସଗୁଡ଼ିକରେ ଦୃଷ୍ଟି ଆକର୍ଷଣ କରେ । ଲକ୍ଷ୍ମୀଧରଙ୍କ ଉପନ୍ୟାସଗୁଡ଼ିକରେ ଭାବପ୍ରବଣ ରୋମାଣ୍ଟିକ ବର୍ଣ୍ଣନାଶୈଳୀ ଓ ଅତିନାଟକୀୟ ଛଟା ବିଶେଷ ଭାବେ ଦେଖିବାକୁ ମିଳେ । ୧୯୩୪ରେ ରଚିତ ‘ଉଦ୍‌ଭ୍ରାନ୍ତ’ ଲକ୍ଷ୍ମୀଧରଙ୍କ ପ୍ରଥମ ଉପନ୍ୟାସ ।

Image

 

ବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସ

(ଚଳିତ ପର୍ଯ୍ୟାୟ)

 

୧୭୫୭ ପଲାସୀ ଯୁଦ୍ଧର ଅବସାନପରେ ଯେଉଁ ନାଟକର ଯବନିକା ଉତ୍ତୋଳିତ ହୋଇଥିଲା, ଅଗଷ୍ଟ ୧୫, ୧୯୪୭ରେ ତା’ର ଶେଷଦୃଶ୍ୟ ଅଭିନୀତ ହେଲା । ଭାରତ ସ୍ୱାଧୀନ ହେଲା । ଏକ ମହାଜାତିର ସକଳସ୍ୱପ୍ନ ସ୍ୱାଧୀନତାର ରଙ୍ଗମଞ୍ଚରେ ଖଣ୍ଡିତ ବିପର୍ଯ୍ୟନ୍ତ ହୋଇ ଆତ୍ମପ୍ରକାଶ କଲା । ଏକ ବିରାଟ ଏପିକ୍‌ ସ୍ଥାନୀୟ ନାଟକର ଯବନିକାପାତପରେ ତା’ର ଅନ୍ତର୍ନିହିତ ଦ୍ୱନ୍ଦ୍ୱ ଓ ଆଦର୍ଶର ଅବେଗ ଜାତିପ୍ରାଣକୁ ଆଲୋଡ଼ିତ କରିଥିଲା । ସ୍ୱାଧୀନତା ଓ ଶାସନଶକ୍ତି, ଗଣତାନ୍ତ୍ରିକ ଆଦର୍ଶ ଓ ଏକନାୟକ ଆଧିପତ୍ୟ, ଧର୍ମୀୟ ସହିଷ୍ଣୁତା ଓ ସାଂପ୍ରଦାୟିକ ବିରୋଧ, ଆଧୁନିକ ଯୁକ୍ତି ଓ ପ୍ରାଚୀନ ସଂସ୍କାର, ଅନ୍ଧାନୁକରଣ ଓ ସର୍ଜନାଶକ୍ତି, କୌମସଂକୀର୍ଣ୍ଣତା ଓ ମାନବୀୟ ଉଦାର ଦୃଷ୍ଟି ମଧ୍ୟରେ ସଂଘଟିତ ସଂଘର୍ଷର ଊଦ୍ଧ୍ୱର୍ରେ ଜାତୀୟ ମୁକ୍ତିର ତିକ୍ତ ମଧୂର ଅନୁଭୂତି ସମାଜଜୀବନ ଭଳି ସାହିତ୍ୟରେ ମଧ୍ୟ ପ୍ରତିଫଳିତ ହୋଇଥିଲା । ପରାଧୀନତାର ଯୁଗରେ ଜାତୀୟ ଆଶା ଆକାଂକ୍ଷା ରାଜନୈତିକ ସ୍ୱାଧୀନତାକୁ କେନ୍ଦ୍ରକରି ଆବର୍ତ୍ତିତ ହୋଇଥିଲା । ସ୍ୱାଧୀନତାର ପ୍ରାକ୍‌କାଳରେ ଅର୍ଥନୈତିକ ସ୍ୱାଧୀନତା, ସାମାଜିକ ନ୍ୟାୟ ପ୍ରତିଷ୍ଠାର ଆଦର୍ଶହିଁ ବଡ଼ହୋଇ ଦେଖାଇଦେଇଥିଲା । ଏକ ଦିଗରେ ଧନତନ୍ତ୍ର ଓ ଅନ୍ୟ ଦିଗରେ ଅମଲାତନ୍ତ୍ରର ସହଯୋଗରେ ଗଣତନ୍ତ୍ରର କ୍ଷମତାର ଉତ୍ସ ଗୋଷ୍ଠୀତନ୍ତ୍ରରେ ପର୍ଯ୍ୟବେସିତ ହେଲା । ବିଦେଶୀ ଶାସନରୁ ମୁକ୍ତ ଜାତି ପକ୍ଷରେ ସ୍ୱାଧୀନତାହିଁ ଥିଲା ପରମ ସମ୍ପଦ । ଏହି ସ୍ୱାଧୀନତାକୁ ରକ୍ଷା କରିବାରେ ଉଦଗ୍ର ଆବେଗହିଁ ଜାତୀୟ ଜୀବନରେ ଶକ୍ତିର ଉତ୍ସରୂପେ ଆତ୍ମପ୍ରକାଶ କଲା । ଜାତୀୟ ଭାବଭୂମିରେ ନବନବ ସମସ୍ୟାର ଉଦ୍‌ଭବ ଘଟିଲା । ସ୍ୱାଧୀନତାର ପ୍ରବାହରେ ଆଞ୍ଚଳିକତାର ଶତସହସ୍ର ଖଣ୍ଡଧାରା ଆକାର ଲାଭକଲା ।

 

ଶିଳ୍ପ ଓ ଭାବଜଗତରେ ସଂଖ୍ୟାତ୍ମକ ବିକାଶ ପାଇଁ ବୃହତ୍ତର ସୁଯୋଗ ସୃଷ୍ଟିହେଲା । ଓଡ଼ିଶାର ପରିଧି ଗଡ଼ଜାତର ମିଶ୍ରଣପରେ ବୃହତ୍ତର ହେଲା । ଶିକ୍ଷାର ସର୍ବସ୍ତରରେ ଆଞ୍ଚଳିକ ଭାଷାର ପ୍ରାଧାନ୍ୟ ସ୍ୱୀକୃତ ହେଲା । ଶିକ୍ଷିତ ଶ୍ରେଣୀର ସଂଖ୍ୟାବୃଦ୍ଧି ସଙ୍ଗେ ସଙ୍ଗେ ସମ୍ବାଦପତ୍ର ଓ ପୁସ୍ତକ ପ୍ରଚାରର ସଂଖ୍ୟାବଢ଼ିଲା । ସରକାରୀ ପୃଷ୍ଠପୋଷକତାର ପ୍ରଭାବ ସାହିତ୍ୟର ସଂଖ୍ୟାତ୍ମକ ବିକାଶରେ ସାହାଯ୍ୟ କଲା । ପୁସ୍ତକ ପ୍ରକାଶର ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ କ୍ରମଶଃ ଅଧିକରୁ ଅଧିକ ସଂଖ୍ୟକ ଲେଖକ ଆତ୍ମପ୍ରକାଶ କଲେ । କିଛି ଲେଖକ ଲେଖାକୁ ଏକ ପେଶାରୂପେ ଗ୍ରହଣ କଲେ । ସାହିତ୍ୟସୃଷ୍ଟି ପଛରେ କଠୋର ସାଧନାର ପ୍ରଭାବ ସ୍ୱତଃ ଅନୁଭୂତ ହେଲା । କ୍ରମଶଃ ଏକ ଶୃଙ୍ଖଳାମୁକ୍ତିର ପ୍ରବୃତ୍ତି ଛନ୍ଦ କବିତାରୁ ଆରମ୍ଭକରି କଥାସାହିତ୍ୟ ପର୍ଯ୍ୟନ୍ତ ସର୍ବତ୍ର ପ୍ରକାଶିତ ହେଲା । ରଚନାରେ ଯେତେ କମ୍‌ ପରିପାଟୀ ଫୁଟେ ଓ ଯେତେ ବେଶୀ ସ୍ୱାଚ୍ଛନ୍ଦ୍ୟକୁ ସ୍ଥାନ ଦିଆଯାଇପାରେ ତାହାହିଁ ହେଲା ଲେଖକମାନଙ୍କର ଧ୍ୟେୟବସ୍ତୁ । ଲାବଣ୍ୟ ସ୍ଥାନରେ ବୈଚିତ୍ର୍ୟ, ସ୍ଥୈର୍ଯ୍ୟସ୍ଥାନରେ ଗତି, ଏକାଗ୍ର ନିଷ୍ଠା ସ୍ଥାନରେ ଧାରାବାହିକ ଅସଂଲଗ୍ନ ବହୁଭାବ ପ୍ରଭାବଯୁକ୍ତ ଆନ୍ତର୍ଜାତୀୟ ସାହିତ୍ୟର ଛନ୍ଦ ଓ ଧାରା ପରିବ୍ୟାପ୍ତ ହେଲା । ଉପନ୍ୟାସ ଜଗତରେ ନୈତିକ ଆବେଗ ପରିବର୍ତ୍ତେ ଅନ୍ତଃଚେତନାର ବିଶୃଙ୍ଖଳ ଜଗତକୁ ଅଧିକ ପ୍ରବେଶ କରିବାର ପ୍ରବଣତା ଦେଖାଦେଲା । ବିପ୍ଳବ, ପରିବର୍ତ୍ତନ, ପ୍ରଚଳିତ ଜୀବନଧାରା, ମୂଲ୍ୟବୋଧ ପ୍ରତି ଆସ୍ଥାହୀନତା, ପରିବେଶଗତ ତଥ୍ୟର ଅସ୍ୱୀକାର ପର୍ଯ୍ୟନ୍ତ କରିବାକୁ ଲେଖକମାନେ କୁଣ୍ଠାବୋଧ କଲେନାହିଁ, ନୂତନ ଅଗ୍ରଗାମୀ ଲେଖକମାନଙ୍କ ଦୃଷ୍ଟିରେ ନରନାରୀର ସଂପର୍କ ଘେନି ସବୁପ୍ରକାର ଶ୍ଳୀଳତାର ସ୍ଥାନନେଲା ସୂକ୍ଷ୍ମ ଅନ୍ତର୍ଦୁଷ୍ଟିସଂପନ୍ନ ବିଶ୍ଳେଷଣ । ସେମାନେ ମନସ୍ତତ୍ତ୍ୱର ଆଲୋକରେ ସମାଜତତ୍ୱର ବିଶ୍ଳେଷଣ କଲେ । ମନୁଷ୍ୟର ଅନ୍ତଃଚେତନାରେ ଅବଚେତନର ଗହନରହସ୍ୟର ସନ୍ଧାନଲାଗି ଅନ୍ଧକାରର ଗହନଗୁହାରେ ନିଃଶଙ୍କ ଭାବରେ ଲେଖକମାନେ ପ୍ରବେଶ କଲେ । ବହୁଭିନ୍ନ ରୁଚିର ପାଠକମାନଙ୍କର ଆବିର୍ଭାବ ଘଟିବା ସଙ୍ଗେ ସଙ୍ଗେ ଲେଖାମଧ୍ୟରେ ସ୍ୱଳ୍ପ ଶିକ୍ଷିତ ଗ୍ରାମ୍ୟ ରୁଚିସଂପନ୍ନ ପାଠକଙ୍କର ଆନନ୍ଦ ଅଥବା ନାଗରିକ ବୁଦ୍ଧିଜୀବୀମାନଙ୍କର ମନକୁ ଖୋରାକ ଯୋଗାଇବା ପାଇଁ ବହୁ ବିଚିତ୍ର ଧରଣର ଉପନ୍ୟାସମାନ ଲେଖିବାରେ ବ୍ରତୀ ହେଲେ । କେତେବେଳେ ପାରଂପରିକ ସମାଜର ମୂଲ୍ୟବୋଧ, କେତେବେଳେ ଅବା ଅଞ୍ଚଳ ବିଶେଷର ପରିପୂର୍ଣ୍ଣ ଆଲେଖ୍ୟ, ପୁଣି କେତେବେଳେ ସହରୀ ଜୀବନର ଆଧୁନିକ ରୁଚି, ପୁଣି ଅବା ଗ୍ରାମ୍ୟ ଜୀବନର ସରଳ ବିଶ୍ୱାସ ସାଙ୍ଗକୁ ଦୁଃସାହସିକ ରୋମାନ୍‌ସଧର୍ମୀ ଗୋଏନ୍ଦା ଗଳ୍ପ ଓ ମହାକାବ୍ୟିକ ସର୍ଜନା-ଧର୍ମୀ ବୃହତ୍‌କାୟ ଉପନ୍ୟାସମାନ ରଚିତହେଲା । ସ୍ୱୈର ଚେତନାର ଆବେଗୋଷ୍ଣ ଗତିବେଗ କ୍ଲାସିକ୍‌ ଚେତନାର ଲାଳିତ୍ୟ ଓ ଦୀପ୍ତି ଏକତ୍ର ସହାବସ୍ଥାନ କଲା । ଯୁକ୍ତି ସ୍ଥାନରେ କେତେବେଳେ ପ୍ରବୃତ୍ତି ଓ ହୃଦୟ ବୃତ୍ତି ପ୍ରତିଷ୍ଠା, ବୁଦ୍ଧିର କ୍ଷୂରଧାରରେ କଳାର ବିବର୍ତ୍ତନର ସକଳ ପରଂପରାକୁ ଛିନ୍ନମୂଳ କରି ହୃଦୟବୃତ୍ତିର ନବନବ ଆବେଗରେ କେତେ ଅମୂର୍ତ୍ତ କଳ୍ପନା ସାହିତ୍ୟରେ ଆତ୍ମପ୍ରକାଶ କଲା । ଜୀବନର ପରିପୂର୍ଣ୍ଣ ରୂପ ନୁହେଁ, ତା’ର ଏକ ଏକ ମୁହୂର୍ତ୍ତର ଛିନ୍ନ ପୃଷ୍ଠାକୁ ଘେନି ସାହିତ୍ୟ ରଚିତ ହେଲା । ବୈଚିତ୍ର୍ୟ ଓ ବିରୋଧର ଭାବଭୂମିରେ କେତେ ବିଚିତ୍ର ଧାରାର ସମନ୍ୱୟ ଘଟିଅଛି, କେତେ ଅତୀତର ସ୍ମୃତି, କେତେ ଭବିଷ୍ୟତର କଳ୍ପନା ଦେଶଦେଶାନ୍ତରରେ ଯୁଗଯୁଗାନ୍ତରର ସୃଷ୍ଟିର ସାରସଂପଦର ଭଗ୍ନାଂଶକୁ ଘେନି ସ୍ୱଚ୍ଛ ଅପରିଶୀଳିତ ଆନନ୍ଦର ଉଦ୍‌ବେଳନ ଓ ବିଷାଦର ଛାୟ ଉପନ୍ୟାସର ପୃଷ୍ଠାକୁ ଅନୁରଂଜିତ କଲା ।

 

ବିଂଶ ଶତକର ଦ୍ୱିତୀୟାର୍ଦ୍ଧର ଓଡ଼ିଆ ଲେଖକ ସମାଜରେ ସକଳ ସ୍ତରର ସ୍ରଷ୍ଟାଙ୍କୁ ଦେଖିବାକୁ ମିଳେ । କେହି ବୁଦ୍ଧିଜୀବୀ, କେହିବା ବ୍ୟବହାରଜୀବୀ, କେହିବା ସାଧାରଣ ସାମ୍ବାଦିକ, କେହି ଉଚ୍ଚଶିକ୍ଷିତ, କେହି ସ୍ୱଳ୍ପଶିକ୍ଷିତ । ଏତେ ବିଚିତ୍ର ରୁଚି, ବିପୁଳ ଜୀବନବୋଧ, ବିବିଧ ବ୍ୟକ୍ତିତ୍ୱ ଘେନି ସାହିତ୍ୟ ରାଜ୍ୟରେ ପ୍ରବେଶ ପୂର୍ବରୁ କ୍ୱଚିତ ଘଟିଥିଲା । ପ୍ରବୀଣ ଓ ନବୀନ ସମସ୍ତଙ୍କ ପାଇଁ କଥା ସାହିତ୍ୟର ଦ୍ୱାର ଉନ୍ମୁକ୍ତ, ଏମାନଙ୍କ ମଧ୍ୟରେ ତିରିଶ ଦଶକରେ ଆତ୍ମପ୍ରକାଶ କରିଥିବା ପ୍ରବୀଣଙ୍କ ସହିତ ଷଷ୍ଠ ଦଶକରେ ଆତ୍ମପ୍ରକାଶ କରିଥିବା ନବୀନଙ୍କୁ ଏକତ୍ର ସହାବସ୍ଥାନ କରିବାର ଦେଖିବାକୁ ମିଳେ । କେତେ ପ୍ରବୀଣଙ୍କଠାରେ ଆଶାଭଙ୍ଗ ଓ ଆଦର୍ଶର ବିଲୟଜନିତ କ୍ଷୋଭ ଓ ନବୀନଙ୍କଠାରେ ଆଦର୍ଶହୀନତା ଓ ଉଦଗ୍ର ଜାନ୍ତବତାର ଉଦ୍‌ବେଳନ ଆତ୍ମପ୍ରକାଶ କରିବାର ଦେଖାଯାଏ । ଏଇ ଯୁଗକୁ ସାହିତ୍ୟିକ ସ୍ୱୈର ତନ୍ତ୍ରତାର ଯୁଗ କୁହାଯାଇପାରେ । ସମାଜରେ ପାରଂପରିକ ମୂଲ୍ୟବୋଧ ପ୍ରତି ଅନାସ୍ଥା ସଙ୍ଗେ ସଙ୍ଗେ ଉତ୍କଳୀୟ ଭାବନା ଓ ଆଦର୍ଶର ବୈଶିଷ୍ଟ୍ୟ ସନ୍ଧାନର ପ୍ରୟାସ ମଧ୍ୟ ଦେଖିବାକୁ ମିଳେ । ଉଚ୍ଚତର ସାହିତ୍ୟ ସୃଷ୍ଟିକ୍ଷେତ୍ରରେ ଏକ ଜାତୀୟ ଆଦର୍ଶର ଅନ୍ତରଙ୍ଗ ଭାବମୂର୍ତ୍ତିକୁ ରୂପଦେବାର ପ୍ରୟାସ ସୁସ୍ପଷ୍ଟ ହେବାର ଦେଖାଯାଏ । ଓଡ଼ିଶାର ନଦୀ, ପର୍ବତ, ଦୀର୍ଘ ଉପକୂଳର ସାଗର, ପାର୍ବତ୍ୟଭୂମିର ବୈଚିତ୍ର୍ୟ, ପ୍ରକୃତିର ଅନାବୃତ ସୌନ୍ଦର୍ଯ୍ୟ, ଉପଜାତୀୟ ଜୀବନର ଅକୃତ୍ରିମ ଜୀବନଧାରାକୁ ଘେନି ମହାକାବ୍ୟିକ ଉପନ୍ୟାସମାନ ସୃଷ୍ଟିର ପ୍ରୟାସ ହୋଇଅଛି । ସଙ୍ଗେ ସଙ୍ଗେ ମହାଭାରତୀୟ ତଥା ଆନ୍ତର୍ଜାତୀୟ ପୃଷ୍ଠପଟରେ ଭାରତର ବିଭିନ୍ନ ପ୍ରାନ୍ତର ସଂସ୍କୃତିର ବୈଚିତ୍ର୍ୟ ଓ ସମନ୍ୱୟର ପଟ୍ଟଭୂମିରେ ଉପନ୍ୟାସ ରଚନାର ପ୍ରୟାସ ମଧ୍ୟ ଦେଖାଦେଇଅଛି । ଅତୀତର ଆବିଷ୍କାରରେ ଯୁଗର ଲେଖକମାନେ ସ୍ୱଦେଶର ପ୍ରାଚୀନ ଇତିହାସଠାରୁ ଆରମ୍ଭ କରି ସଭ୍ୟତାର ଆଦିମ ଦିଗନ୍ତ ପର୍ଯ୍ୟନ୍ତ ଉନ୍ମୋଚନ କରିଛନ୍ତି । ଅତୀତ ଓ ବର୍ତ୍ତମାନର ସୀମା ଅତିକ୍ରମ କରି ଭବିଷ୍ୟତର ଚିତ୍ର ଅଙ୍କନ କରିବା, ପରିଚିତ ପୃଥିବୀର ପରିଧି ଅତିକ୍ରମ କରି ମହାଶୂନ୍ୟରେ ନୂତନ ଜଗତର ଚିତ୍ର ଆଙ୍କିବାର ପ୍ରୟାସ ପ୍ରବଣତା ପର୍ଯ୍ୟନ୍ତ ସମସାମୟିକ ଓଡ଼ିଆ କଥା ସାହିତ୍ୟକୁ ଐଶ୍ୱର୍ଯ୍ୟମଣ୍ଡିକ କରିଅଛି ।

 

ଓଡ଼ିଆ କଥା ସାହିତ୍ୟର ଜଗତ ନିତ୍ୟ ପ୍ରସାରଣଶୀଳ । ଏହାର ସୃଜ୍ୟମାନପରିଧି ଅନିରୂପିତ । ନିତ୍ୟ ନବନବ ପ୍ରେରଣାରେ ପ୍ରାଣବନ୍ତ । ବିଚିତ୍ର ରୁଚି ପ୍ରୟୋଜନରେ ଏହାର ମୂଲ୍ୟମାନ ସତତ ସ୍ୱତଃ ଅସ୍ଥିର । ଏହାର ଆରମ୍ଭ ଓ ପରିସମାପ୍ତି କୌଣସି ସୀମା ବା ଶାସନର ଅପେକ୍ଷା ରଖେନାହିଁ ତେଣୁ ଏହି ନବତରସୃଷ୍ଟ ଜଗତର ଯାତ୍ରାପଥ ଓ ପ୍ରବଣତାର ପରିଚୟ ପ୍ରଦାନ ପ୍ରସଙ୍ଗରେ କେବଳ ଭବିଷ୍ୟତ ପରିଣତିର କିଞ୍ଚିତ ଇଙ୍ଗିତଦେବା ବ୍ୟତୀତ କୌଣସି ସୁପରିକଳ୍ପିତ ବ୍ୟାଖ୍ୟା ଓ ଚୂଡ଼ାନ୍ତ ମୂଲ୍ୟାୟନ ସଂଭବ ନୁହେଁ ।

 

(୨)

 

କାଳିନ୍ଦୀଚରଣ ପାଣିଗ୍ରାହୀ (୧୯୦୧) ନବ ସ୍ୱୈରଚେତନାର ପଥିକୃତ୍‌ ସାହିତ୍ୟ ସାଧକ । କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ନାଟକ ଆଦି ସାହିତ୍ୟର ସର୍ବବିଧ ଧାରାରେ ଆତ୍ମପ୍ରକାଶର ସାର୍ଥକ ପ୍ରୟାସ କାଳିନ୍ଦୀଚରଣଙ୍କ ଠାରେ ଦେଖାଯାଏ । କବିତାରେ କାଳିନ୍ଦୀଚରଣ ଯେତିକି ଭାବବାଦୀ, ମନେହୁଏ କଥାସାହିତ୍ୟରେ ସେ ସେତିକି ଆଦର୍ଶବାଦୀ । କାଳିନ୍ଦୀଚରଣ ବସ୍ତୁତଃ ଯୋଡ଼ିଏ ଉପନ୍ୟାସ ଲେଖିଅଛନ୍ତି । ଗୋଟିଏ ଅତୀତର ପଟ୍ଟଭୂମିରେ ଓ ଅନ୍ୟଟି ସମସାମୟିକ ସାମଜିକ ଓ ରାଜନୈତିକ ଆଦର୍ଶ ଭିତ୍ତିରେ । ‘ମୁକ୍ତାଗଡ଼ର କ୍ଷୂଧା’ ଓ ‘ଅମରଚିତା’ ପ୍ରଥମ ପର୍ଯ୍ୟାୟର ଓ ‘ମାଟିର ମଣିଷ’, ‘ଲୁହାର ମଣିଷ’ ଓ ‘ଆଜିର ମଣିଷ’ ଦ୍ୱିତୀୟ ପର୍ଯ୍ୟାୟର ଉପନ୍ୟାସ-। କାଳିନ୍ଦୀଚରଣଙ୍କର ସାହିତ୍ୟଜୀବନ ତିରିଶ ଦଶକରେ ହିଁ ଆରମ୍ଭ ହୋଇଥିଲା । ନିଜ ସାହିତ୍ୟିକ ଜୀବନର ମହାର୍ଘ ଅନୁଭୂତି କାଳିନ୍ଦୀଚରଣ ‘ଅଙ୍ଗେଯାହା ନିଭାଇଛି’ ଗ୍ରନ୍ଥରେ ପ୍ରକାଶ କରିଛନ୍ତି । ଶୈଶବରୁ କାଳିନ୍ଦୀଚରଣ ଏକ ସାହିତ୍ୟିକ ପରିବେଶରେ ବଢ଼ିଥିଲେ । ତାଙ୍କର ବଡ଼ଭାଇ ଦିବ୍ୟସିଂହ ପାଣିଗ୍ରାହୀ ସାମୟିକ ଲେଖକ ଥିଲେ । ସେ ବ୍ୟବହାରଜୀବୀ ଥିଲେ ହେଁ ତାଙ୍କ ସାହିତ୍ୟିକରୁଚି ଉନ୍ନତ ଥିଲା । ଆବେଗଧର୍ମୀ କାବ୍ୟ ପ୍ରେରଣା ସଂଭୂତ ‘ତୁ ମୋ ମା’ ଓଡ଼ିଆ ସାହିତ୍ୟରେ ଏକଦା ଜନପ୍ରିୟତା ଅର୍ଜନ କରିଥିଲା । କାଳିନ୍ଦୀଚରଣଙ୍କର ସାନଭାଇ ସୁପରିଚିତ ସାମ୍ୟବାଦୀ ନେତା ଭଗବତୀଚରଣଙ୍କ ଆଦର୍ଶ କାଳିନ୍ଦୀଙ୍କୁ ମଧ୍ୟ ସ୍ପର୍ଶ କରିଥିଲା । ନବସ୍ୱୈରବାଦୀ ସ୍ୱପ୍ନପ୍ରବଣ କାଳିନ୍ଦୀ ବାସ୍ତବବାଦୀ ଜୀବନଧର୍ମୀ ପ୍ରଗତିଗୋଷ୍ଠୀ ଲେଖକ ଦଳରେ ସାମିଲ ହୋଇଥିଲେ । କାଳିନ୍ଦୀଚରଣଙ୍କ ଜୀବନ ବୈଚିତ୍ର୍ୟମୟ । ସେ ଓଡ଼ିଶାର ସମତିଳପ୍ରାନ୍ତର (ପୁରୀ ଜିଲ୍ଲାର ବିଶ୍ୱନାଥପୁର)ରେ ଜନ୍ମଗ୍ରହଣ କରିଥିଲେ । ପୁରୀ ସହରରେ ତାଙ୍କର ଶୈଶବ ଓ ଆଦ୍ୟ ଯୌବନ କଟିଥିଲା । କର୍ମସୂତ୍ରରେ ସେ ମୟୁରଭଂଜ ଓ ଅନ୍ୟ ବହୁ ବହୁ ଗଡ଼ଜାତର ପ୍ରାକୃତିକ ପରିବେଶ ଓ ଶାସନଧାରା ସହିତ ପରିଚିତ ହୋଇଥିଲେ । କେତେବେଳେ ସମବାୟ କର୍ମୀ, ପୁଣି କେତେବେଳେ ଜୀବନବୀମାର ଏଜେଣ୍ଟ ଓ ସାମ୍ବାଦିକରୂପେ କାଳିନ୍ଦୀଚରଣ ବହୁ ବିଚିତ୍ର ଓ ବିପୁଳ ଜନଗୋଷ୍ଠୀର ସଂସ୍ପର୍ଶରେ ଆସିଥିଲେ । ଆଧୁନିକ ଓଡ଼ିଆ ସାହିତ୍ୟରେ ରାଧାନାଥଙ୍କପରେ କାଳିନ୍ଦୀଚରଣହିଁ ସବୁଠାରୁ ବଡ଼ ସ୍ୱୀକୃତିପ୍ରାପ୍ତ ସାହିତ୍ୟିକ । ରବୀନ୍ଦ୍ରନାଥ, ପ୍ରେମଚାନ୍ଦଙ୍କ ଭଳି ପ୍ରମୂଖ ଭାରତୀୟ ସାହିତ୍ୟିକଙ୍କ ସୃଷ୍ଟି ଓ ବ୍ୟକ୍ତିତ୍ୱ ସଙ୍ଗେ ତାଙ୍କର ଯେପରି ନିବିଡ଼ ସଂପର୍କ ଘଟିଥିଲା । ପାଶ୍ଚାତ୍ୟର କ୍ଲାସିକ୍‌ ସାହିତ୍ୟରେ ମଧ୍ୟ ଗଭୀର ପ୍ରବେଶ ଥିଲା ।

 

ଏକ ଦିଗରେ ସର୍ବଭାରତୀୟ ଆଦର୍ଶ ଓ ଅନ୍ୟ ଦିଗରେ ଉତ୍କଳୀୟ ପରଂପରା ଉଭୟ କାଳିନ୍ଦୀଚରଣଙ୍କ ସୃଷ୍ଟି ମାନସରେ ପ୍ରତିଫଳିତ । ଓଡ଼ିଶାର ପ୍ରାଣକେନ୍ଦ୍ର କଟକ ନଗରୀରେ ପରିଣତ ବୟସରେ ସେ ନିଜ ସାହିତ୍ୟ ସାଧନାରତ ହୋଇଥିଲେ । ଶେଷ ବୟସରେ କାଳିନ୍ଦୀ ଚରଣଙ୍କର ସାହିତ୍ୟିକ ସୃଷ୍ଟି ଏକଦା ବିଦ୍ୟାଳୟର ପାଠ୍ୟପୁସ୍ତକ ରଚନା ମଧ୍ୟରେହିଁ ସୀମାବଦ୍ଧ ହୋଇ ରହିଥିଲା-। ମାତ୍ର ନିଜର ଆତ୍ମଜୀବନର ସୃଷ୍ଟି ସୌରଭ ତାଙ୍କର ସାହିତ୍ୟିକ ଖ୍ୟାତି ଅକ୍ଷୂର୍ଣ୍ଣ ରଖିଅଛି-

 

‘ମୁକ୍ତାଗଡ଼ର କ୍ଷୁଧା’ ଓ ‘ଅମରଚିତା’ ଏଇ ଉପନ୍ୟାସ ଦୁଇଟି ମଧ୍ୟରେ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ଓ ସମାଜ ଜୀବନରେ ଦୁର୍ଭିକ୍ଷର ବିଭୀଷିକା ଓ ପରବର୍ତ୍ତୀ ସମୟ ଚିତ୍ର ପ୍ରଦତ୍ତ । ଏହି ଉପନ୍ୟାସ ଦୁଇଟି ଗାନ୍ଧିଜୀଙ୍କର ସ୍ୱାଧୀନତା ସଂଗ୍ରାମ ଓ ଅସହଯୋଗ ଆନ୍ଦୋଳନ କାଳରେ ଲେଖା-। ମୁକ୍ତାଗଡ଼ର ରାଜା ଶୁଭକାନ୍ତ ଏଇ ଉପନ୍ୟାସଟିର ନାୟକ । ଏହି ଉପନ୍ୟାସଟିରେ ଲେଖକ ଓଡ଼ିଶାର ହୃତ୍‌ପିଣ୍ଡ ଭୁବନେଶ୍ୱର ଓ ଧଉଳି ନିକଟବର୍ତ୍ତୀ ଏକ କଳ୍ପିତ ରାଜ୍ୟ ମୁକ୍ତାଗଡ଼ର ରାଜା ଚନ୍ଦ୍ରକାନ୍ତ ଓ ଶୁଭକାନ୍ତଙ୍କର କାହାଣୀ ବର୍ଣ୍ଣନା କରିଛନ୍ତି । ପ୍ରଥମ ଦଶଟି ପରିଚ୍ଛେଦ ମଧ୍ୟରେ ଚନ୍ଦ୍ରକାନ୍ତଙ୍କର ସୁଶାସନ ଓ ଅପୁତ୍ରିକ ଚନ୍ଦ୍ରକାନ୍ତଙ୍କର ବେଦନାର୍ତ୍ତ ଜୀବନର କାହାଣୀର ଅବତାରଣା ମଧ୍ୟରେ ପୁରୋହିତ କନ୍ୟା ସୁନନ୍ଦା ସଙ୍ଗେ ତାଙ୍କର ଅବୈଧ ପ୍ରଣୟ ଓ ଶୁଭକାନ୍ତଙ୍କର ଜନ୍ମର ନାଟକୀୟ ଘଟଣା ବର୍ଣ୍ଣିତ । ଶୁଭକାନ୍ତଙ୍କର ଶୈଶବ କଟିଛି ଏକ ରହସ୍ୟମୟ ଭାବେ ସମାଜ ଚକ୍ଷୁର ଅନ୍ତରାଳରେ ଓ ସର୍ବବିଧ ବିଳାସବ୍ୟସନ ମଧ୍ୟରେ । ଏକାଦଶ ପରିଚ୍ଛେଦରେ ହିଁ ଚନ୍ଦ୍ରକାନ୍ତ ପଟ୍ଟଦେବଙ୍କର ଅଶୀତିତମ ବର୍ଷ ବୟସର ସ୍ୱୀକାରୋକ୍ତି ପ୍ରକାଶିତ ହୋଇଛି ଚନ୍ଦ୍ରକାନ୍ତ ପଟ୍ଟଦେବଙ୍କର ମୃତ୍ୟୁପରେ । ଏଇ ଆତ୍ମଲିପି ପ୍ରକାଶ ପରେ ସଂକଳକଙ୍କ ଆଗରେ ପରିଚିତ ନଣ୍ଡାବାବୁ ରାଜା ଶୁଭକାନ୍ତ ପଟ୍ଟଦେବ ନାମରେ ସିଂହାସନ ଆରୋହଣ କଲେ । ଶୁଭକାନ୍ତଙ୍କର ଜୀବନରେ ଦୁଇଟି ପର୍ଯ୍ୟାୟ ମୁକ୍ତାଗଡ଼ରେ ଦେଖିବାକୁ ମିଳେ । ପ୍ରଥମତଃ ଇଷ୍ଟଇଣ୍ଡିଆ କଂପାନୀ ଅମଳର ଏକ କ୍ଷୁଦ୍ର ରାଜ୍ୟର ରାଜା ପାଶ୍ଚାତ୍ୟ ବିଳାସ ବ୍ୟସନରେ ମଜ୍ଜି ରହିଲେ । ତାଙ୍କର ସାହେବୀ ପୋଷାକ, ପାଶ୍ଚାତ୍ୟ ସଂସ୍କାର ଓ ବିଳାସବ୍ୟସନ ପାଇଁ ସମସ୍ତ ପ୍ରଜା ନିପୀଡ଼ିତ ହେଲେ । ପରିଶେଷରେ ଶୁଭକାନ୍ତ ଏକ ବିରାଟ ପ୍ରାସାଦ ନିର୍ମାଣ ଆରମ୍ଭ କରିଛନ୍ତି । ଛାମୁକରଣ ବଳରାମ ପଟ୍ଟନାୟକ ହୋଇଛନ୍ତି ମହାପ୍ରତାପଶାଳୀ ଓ ପ୍ରଜା ଶାସନରେ ରାଜାଙ୍କର ହତିଆର । ଏହି ଶୁଭକାନ୍ତଙ୍କ ବିଚାରରେ ମାନବସମାଜ କେବଳ ଶାସନର ଯୋଗ୍ୟ, ଶୋଷଣର ସାମଗ୍ରୀ । ଏହି ପ୍ରାଜାପୁଞ୍ଜଙ୍କୁ ଶୋଷଣ କରି ବହୁବର୍ଷ ବ୍ୟାପୀ ରାଜପ୍ରାସାଦର ନିର୍ମାଣ ଚାଲିଛି ଓ ରାଜ୍ୟମୟ ଆତଙ୍କ ସୃଷ୍ଟିହୋଇଛି । ଏକ ଦିଗରେ ରାଜା ଚନ୍ଦ୍ରକାନ୍ତ ଦେବଙ୍କର ସୁରମ୍ୟ ‘ସାଧନା’ ଉଦ୍ୟାନର ବୃକ୍ଷରାଶୀର ଉଚ୍ଛେଦ ଓ ଅନ୍ୟ ଦିଗରେ ତାଙ୍କର ସୁଶାସିତ ସମୃଦ୍ଧ ମୁକ୍ତାଗଡ଼ର ପ୍ରଜାକୁଳର ଦୁର୍ଦ୍ଦଶା ସୁନ୍ଦର ପ୍ରତୀକ ମାଧ୍ୟମରେ ଏହି ଉଭୟ ଚିତ୍ର ପ୍ରଦତ୍ତ । ସାଧନା ଉଦ୍ୟାନର ଚଂପାଗଛଟିକୁ କାଟିବା ପାଇଁ ଶୁଭକାନ୍ତଙ୍କର ଆଦେଶ ମଧ୍ୟରେ ହିଁ ଏହି ଦୁର୍ବିପାକର ସୂଚନା ମିଳେ । ୧୮୫୦ରେ ଶୁଭକାନ୍ତ ସିଂହାସନ ଆରୋହଣ କଲେ । ୧୮୫୩ରେ ନୂତନ ରାଜପ୍ରାସାଦ ନିର୍ମାଣ ଆରମ୍ଭ ହେଲା ଓ ବାରବର୍ଷ ଧରି ଏହି ରାଜପ୍ରାସାଦ ନିର୍ମାଣ ସଙ୍ଗେ ସଙ୍ଗେ ରାଜ୍ୟର ଆର୍ଥିକ ପରିବର୍ତ୍ତନର ଚିତ୍ର ବର୍ଣ୍ଣିତ । ଶେଷରେ ୧୮୬୬ ନଅଙ୍କ ଦୁର୍ଭିକ୍ଷ । ଏହି ଦୁର୍ଭିକ୍ଷର ପୃଷ୍ଠଭୂମି ଓ କରାଳ ପରିବେଶରେ ଜନତାର ନେତା ସନାତନଙ୍କର ଆବିର୍ଭାବ ଓ ସନାତନଙ୍କର ଦେଶତ୍ୟାଗ ଘଟଣା ବର୍ଣ୍ଣିତ । ଏହି ସନାତନ ମୁଖରେ ଲେଖକ ବିପ୍ଳବର ବାଣୀ ଶୁଣାଇଛନ୍ତି । ମୃତ୍ୟୁମୂଖୀ, ଦୁର୍ଭିକ୍ଷକ୍ଳିଷ୍ଟ ଜନତାକୁ ସନାତନ ଶୁଣାଇଛନ୍ତି, “ତମେ ସବୁ ପ୍ରଥମେ ମନୁଷ୍ୟ ହୁଅ ତାହେଲେ ବଞ୍ଚିବା ପାଇଁ ଜଗତରେ ଦାବୀ କରିବ ।” ଏଇ ସନାତନ ପୁଣି ଭୃକୁଂଚିତ କରି କହିଛି, “ଭଗବାନ! ହାୟ ହତଭାଗ୍ୟ ଜାତି, ହରିହରି ବଦଳରେ ଜପକର ମନୁଷ୍ୟ ମନୁଷ୍ୟ, ମନୁଷ୍ୟହିଁ ଜଗତରେ ଭଗବାନଙ୍କର ସୃଷ୍ଟିକର୍ତ୍ତା ପରିଶେଷରେ ଶୁଭକାନ୍ତଙ୍କ ସମ୍ମୁଖରେ ତାଙ୍କର ଧାତ୍ରୀ ‘ସୁନା’ ପାଗଳିନୀ ହୋଇ କଟିଦେଶର ଦୁଇହସ୍ତ ପରିମିତ ଖଣ୍ଡିଏ ମିଳନ କୌପୀନ ପିଂଧି ତା’ର ସେହି ସ୍ତନ୍ୟପାୟୀ ଶିଶୁ ସହିତ ମରିପଡ଼ିଛି । ସନାତନଙ୍କର ବିଦ୍ରୂପ ଯାହା କରିପାରି ନାହିଁ, ଏଇ ନାରୀର ଆତ୍ମଦାନ ଶୁଭକାନ୍ତଙ୍କ ହୃଦୟରେ ଆଣିଛି ପରିବର୍ତ୍ତନ । ଏଇ ଗୋଟିଏ ନାରୀ ‘ସୁନା’ ଯେପରିକି ସହସ୍ର ରୂପଧାରଣ କରିଛି । ଗୋଟିଏ ସୁନା ପ୍ରତି ଅବହେଳା ପ୍ରଦର୍ଶନ କରି ଶୁଭକାନ୍ତ ସହସ୍ର ରୂପଧାରଣ କରିଛି । ଗୋଟିଏ ସୁନାପ୍ରତି ଅବହେଳା ପ୍ରଦର୍ଶନ କରି ଶୁଭକାନ୍ତ ସହସ୍ର ‘ସୁନା’ ପ୍ରତି ନିଜର କର୍ତ୍ତବ୍ୟ କରିବାକୁ ଆଗେଇ ଆସିଛନ୍ତି । ବଳରାମଙ୍କ ମୁଖରୁ ଶ୍ରୀ ହଜୁର । ଶ୍ରୀଛାମୁ ଶୁଣିବାକୁ ତାଙ୍କୁ ବିଷବତ୍‌ ମନେ ହୋଇଛି ସେ ବୁଝିଛନ୍ତି, ସେ ଆସିଛନ୍ତି ଏ ଜଗତକୁ ଗୃହହୀନ, ଆଶ୍ରୟହୀନ ହୋଇ; ସେ ରାଜନବର ଛାଡ଼ି ଗ୍ରାମେ ଗ୍ରାମେ ଘୂରିଛନ୍ତି । ସେଇ ଶୁଭକାନ୍ତଙ୍କ ସୁଖରେ କୁହାଯାଇଛି, “ଖାଲି ମୁଖା ଖଣ୍ଡେ ପିନ୍ଧି ଆମେ ରାଜା ହୋଇ ବୁଲୁଛୁ ବଳରାମ, ରାଜା, ମନ୍ତ୍ରୀ, କଟୁଆଳ କେତେଟାରୁ ଉପାଧି କେତେଟା ଉଠାଇ ଦିଅ, ଦେଖିବ ସବୁ ସମାନ ।” ଦୁର୍ଭିକ୍ଷ ପରିବେଶରେ ପାଇକ ସର୍ଦ୍ଦାର ବଳୀୟାର ସିଂହ ଓ ଅନ୍ୟ ପକ୍ଷରେ ପୁଲିସ୍‌ ଦାରୋଗା କୃପାନାଥ ବାବୁଙ୍କ ଅବତାରଣା ମଧ୍ୟରେ ଉପନ୍ୟାସଟିର ପରିସମାପ୍ତି ଘଟିଛି । ଏହି ହାକିମ୍‌ କୃପାନାଥଙ୍କ ପାଖରେ ଲୋକଙ୍କ ପାଇଁ ଗୁହାରି କରିବାକୁ ଶୁଭକାନ୍ତ ଯାଇଛନ୍ତି, ଠିକ୍‌ ଯେପରି ଲୋକଙ୍କର ହୋଇ ସନାତନ ଆସିଥିଲେ ତାଙ୍କଠାରେ ଗୁହାରୀ କରିବାକୁ, କିନ୍ତୁ ଆଭିଜାତ୍ୟହୀନ କୃପାନାଥଙ୍କଠାରୁ ସେ ପାଇଛନ୍ତି ଅପମାନ । କିନ୍ତୁ ଏଥିପାଇଁ ସେ କୃପାନାଥଙ୍କୁ ଦୋଷ ନଦେଇ ଦୋଷ ଦେଇଛନ୍ତି କ୍ଷମତାର । ପରିଶେଷରେ ଶୁଭକାନ୍ତଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି ଜଣେ ଭିକ୍ଷୁଣୀ ଓ ଏହି ଭିକ୍ଷୁଣୀ ସଂସ୍ପର୍ଶରେ ଆସି ଯେପରିକି ଶୁଭକାନ୍ତ ଉପଲବ୍‌ଧି କରିଛନ୍ତି ପ୍ରକୃତ ପ୍ରେମର ସ୍ୱରୂପ, ଯାହା ମାନବ ଚରିତ୍ରକୁ ମହୀୟାନକରେ ଓ ଦେବତ୍ୱର ସଂଚାର କରେ ।

 

ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାସିତ ସନାତନ ଓ ସ୍ୱେଚ୍ଛାକୃତ ଭାବରେ ସିଂହାସନ ପରିହାର କରିଥିବା ଶୁଭକାନ୍ତଙ୍କର ମଳିନ ଘଟିଛି । ଦୁର୍ଭିକ୍ଷ କବଳରୁ ଜନସାଧାରଣଙ୍କୁ ଉଦ୍ଧାର ପ୍ରୟାସ ମଧ୍ୟରେ ଆସିଛନ୍ତି ଅତ୍ୟାଚାରୀ ଶ୍ୟାମରଥେ, ଆସିଛି ପାଗଳିନୀ ଶୋଭା “ବୁଭୁକ୍ଷିତଂ କିଂ ନ କରୋତି ପାପ” ଏହି ପର୍ଯ୍ୟାରେ କିଏ ହୋଇଛି ଚୋର, କିଏ ହୋଇଛି ନରହନ୍ତା । କେଉଁଠି ନାରୀ ହରାଇଛି ତା’ର ସତୀତ୍ୱ । ପରିଶେଷରେ ସନାତନ ପାଇଛନ୍ତି ଫାଶୀ ଓ ଶୁଭକାନ୍ତଙ୍କର ଘଟିଛି ଦ୍ୱୀପାନ୍ତର । ଏହି ଦ୍ୱୀପାନ୍ତର ଦଣ୍ଡ ମୁହୂର୍ତ୍ତରେ ଦିବ୍ୟସିଂହଦେବଙ୍କର ଦ୍ୱୀପାନ୍ତର ଦଣ୍ଡ ମଧ୍ୟ ତାଙ୍କର ମନେପଡ଼ିଛି । ଦ୍ୱୀପାନ୍ତର ଜୀବନ ବର୍ଣ୍ଣନା କରାଯାଇଛି ପରବର୍ତ୍ତୀ ପୃଷ୍ଠାରେ । ତାପରେ ସାଗରଯାତ୍ରା, ଦ୍ୱୀପାନ୍ତରିତ ବଂଦିମାନଙ୍କର ଅବସ୍ଥାର ବର୍ଣ୍ଣନା ବେଶ୍‌ ମର୍ମନ୍ତୁଦ । ଦଶବର୍ଷ ପରେ ଶୁଭକାନ୍ତ ଫେରିଛନ୍ତି ସେହି ଭୁବନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଭିରାମ ସନ୍ନ୍ୟାସୀ, ଶିଷ୍ୟ ବଳରାମ ସମସ୍ତଙ୍କ ସହିତ ତାଙ୍କର ସାକ୍ଷାତ ହୋଇଛି । ରାଜସିଂହାସନୋଚିତ ଶୁଭକାନ୍ତ ଶୁଣୁଛନ୍ତି ସର୍ବମାନବର ସେହି ରାଜାର ପଦଧ୍ୱନି ଯେ ସମସ୍ତଙ୍କୁ ନିଜ ଅନ୍ତରରେ ସ୍ଥାନ ଦିଅନ୍ତି । ‘ଅମରଚିତା’ ଓ ‘ମୁକ୍ତାଗଡ଼ର କ୍ଷୁଧା’ରେ ଇତିହାସ ଯେପରିକି ଏକ ଉପଲକ୍ଷ ମାତ୍ର । ଲେଖକଙ୍କର ଲକ୍ଷ୍ୟ ହେଉଛି କ୍ଷମତା ସଙ୍ଗେ ମମତା, ଶାସନଶକ୍ତି ସଙ୍ଗେ ବ୍ୟକ୍ତିର ସଂଘର୍ଷର ଚିତ୍ର ଅଙ୍କନ କରିବା । କାଳିନ୍ଦୀଚରଣ ଏହି ଉପନ୍ୟାସ ଦୁଇଟି ମଧ୍ୟରେ ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ପ୍ରଥମେ ଏକ ନଦୀର ପ୍ରବାହ ଭଳି ‘ନଭେଲ ସିକ୍ୱେନସ’ ରଚନାର ପ୍ରୟାସ କରିଛନ୍ତି (Roman Flenve) । ଏହିଭଳି ଉପନ୍ୟାସ ରଚନା କାଳରେ ପ୍ରତି ଉପନ୍ୟାସ ପାଇଁ ଲେଖକଙ୍କୁ ନୂତନ ନାୟକ, ନୂତନ ସ୍ଥାନ କାଳ, ନୂତନ କଥାବସ୍ତୁ ଗ୍ରହଣ କରିବାର ଆବଶ୍ୟକତା ପଡ଼େନାହିଁ । କାଳିନ୍ଦୀଚରଣ ଠିକ୍‌ ଏହି ଶୈଳୀରେ ରଚନା କରିଛନ୍ତି ‘ମାଟିର ମଣିଷ’ ‘ଲୁହାର ମଣିଷ’ ଓ ‘ଆଜିର ମଣିଷ’ ଉପନ୍ୟାସ ତ୍ରୟୀ । ‘ମାଟିର ମଣିଷ’ ପ୍ରକୃତିର ଏକ ନଭେଲା ବା କ୍ଷୁଦ୍ର ଉପନ୍ୟାସ । କଟକ ଜିଲ୍ଲାର ବିରୂପା କୂଳରେ ପଧାନପଡ଼ାର ଏକ ନଗଣ୍ୟ ବସ୍ତିର ଶ୍ୟାମପଧାନର କୁଡ଼ିଆଘର ଏକା ମା ପେଟରୁ ଜନ୍ମଲାଭ କରିଛନ୍ତି ‘ବରଜୁ’ ଓ ‘ଛକଡ଼ି’ ତାଙ୍କ ସଂସାରକୁ ଆସିଛନ୍ତି ‘ହାରାବୋଉ’ ଓ ‘ନେତ୍ରମଣୀ’ । ଗାଁରେ କେତେ ନ୍ୟାୟ ନିଶାପ ଯେ ବରଜୁ ଭାଙ୍ଗେ, ଯେ ଆଉ ଦଶଜଣଙ୍କୁ ମନ୍ଦବାଟରୁ ଭଲବାଟକୁ ଆଣେ, ହିଂସାରୁ ପତିହିଂସାରୁ ବିରତ ରହେ, ସେହି ବରଜୁ ପଧାନ ପଡ଼ା ଛାଡ଼ି ହରିପୁରରେ ତା’ର ଭାବବଂଧୁ ଗୌରାଙ୍ଗ ସେଣର ଅତିଥି ହେଲା । ସେଇଠି ଦୁଃଖ ଦାରିଦ୍ର୍ୟ ସଙ୍ଗେ ଲଢ଼ି ବରଜୁ ଗଢ଼ିଛି ନୂଆ ସଂସାର । ହରିପୁର ଗାଁରେ ସୁଖ ଦୁଃଖରେ ସେ ଅଂଶ ନେଇଛି । କରିଛି ଗ୍ରାମ ସଂଗଠନ । କରିଛି ସମାଜ ସଂସ୍କାର । ଶେରେ ପଧାନପଡ଼ାର ନିର୍ଦ୍ଦୋଷ ଲୋକଙ୍କୁ ପୁଲିସ୍‌ ଅତ୍ୟାଚାରରୁ ମୁକୁଳାଇବା ପାଇଁ ଯାଇ ନିଜେ ବିଦେଶୀ ଶାସକଙ୍କର ପୋଲିସ୍‌ର ରୋଷ ଦୃଷ୍ଟିରେ ପଡ଼ିଛି । ଶେଷରେ ସ୍ୱରାଜ ପାଇଁ ପ୍ରଚାର କରିଛି ଓ ଜେଲ୍‌ରେ ପଶି ସେଦିନର ‘ମାଟିର ମଣିଷ’ ମାଟିର ବାଡ଼ ଭାଙ୍ଗି ପଶିଛି ଲୁହାବାଡ଼ ଭିତରେ । କାଳିନ୍ଦୀ ଚରଣଙ୍କର ଶେଷ ଉପନ୍ୟାସ ‘ଆଜିର ମଣିଷ’ରେ ସ୍ୱାଧୀନତା ପରବର୍ତ୍ତୀ ସମାଜର ଚିତ୍ର ଅଙ୍କିତ । ମନୁଷ୍ୟର ବ୍ୟକ୍ତିତ୍ୱର ବିକାଶ ପାଇଁ ପ୍ରୌଢ଼ ଜୀବନରେ ବି ଯେ ଶିକ୍ଷାର ଦାନ ରହିଛି ଏହି ଉପନ୍ୟାସରେ ତାହା ବର୍ଣ୍ଣିତ । ଆଦର୍ଶବାଦୀ ଶିଳ୍ପୀ କାଳିନ୍ଦୀଙ୍କର ଯଥାର୍ଥ ପରିଚୟ ଏହି ଉପନ୍ୟାସଟିରେ ବିରଳ । କାଳିନ୍ଦୀଚରଣଙ୍କର ନିଜସ୍ୱ ଭାଷାଶୈଳୀର କ୍ରମବିକାଶ ଉପନ୍ୟାସଗୁଡ଼ିକରୁ ଦେଖିବାକୁ ମିଳେ ନାହିଁ । କାରଣ ଉପନ୍ୟାସଗୁଡ଼ିକ ଦୀର୍ଘ ବ୍ୟବଧାନରେ ରଚିତ । ତେବେ ଐତିହାସିକ ଉପନ୍ୟାସ ଓ ସାମାଜିକ ଉପନ୍ୟାସ ପାଇଁ ଭିନ୍ନ ଭାଷାଶୈଳୀ ଯେପରିକି ସେ ଗ୍ରହଣ କରିଛନ୍ତି, ଐତିହାସିକ ଉପନ୍ୟାସର ଭାଷା ଆବେଗୋଷ୍ଣ, କାବ୍ୟିକ ଓ ସଂସ୍କୃତାନୁଗ, କିନ୍ତୁ ସାମାଜିକ ଉପନ୍ୟାସର ଭାଷା ଲୌକିକ, ସହଜ ଓ ସ୍ୱତଃସ୍ଫୂର୍ତ୍ତ ।

Image

 

(୩)

 

କାହ୍ନୁଚରଣ ମହାନ୍ତି (୧୯୦୬) ସବୁଜ ଯୁଗର ପରିପ୍ରେକ୍ଷୀରେ ନବସ୍ୱୈର ଚେତନାର ଭାବଭୂମିରେ ତାରୁଣ୍ୟର ସ୍ୱପ୍ନଘେନି କାହ୍ନୁଚରଣ ଓଡ଼ିଆ ଉପନ୍ୟାସ ରାଜ୍ୟରେ ପ୍ରବେଶ କରିଛନ୍ତି । ‘ବାଲିରାଜା’ କାଳିନ୍ଦୀଚରଣଙ୍କ ‘ମୁକ୍ତାଗଡ଼ର କ୍ଷୂଧା’ ପରି ଏକ ପର୍ଯ୍ୟୟବାଚି ଉପନ୍ୟାସ ଓ ତିନିଖଣ୍ଡରେ ରଚିତ । କଳିଙ୍ଗର କେଶରୀ ରାଜାଙ୍କ ସମୟରେ ଅବସ୍ଥାପିତ ଏହି ଐତିହାସିକ କାହାଣୀରେ ଦୁଃସାହସିକ ନାବିକ ଭଜନା, ଶ୍ରମିକ ବିପ୍ଳବୀ ମଣିଆ, ଖଳନାୟକ ଜଳଦସ୍ୟୁ ନାରାୟଣସାଧବ,ରୂପେଇ, ସୁଶୀଳା ପ୍ରଭୃତି ଚରିତ୍ରକୁ ଘେନି ଅଜସ୍ର ରୋମାଞ୍ଚକର ଘଟଣାର ବର୍ଣ୍ଣନା ମଧ୍ୟରେ ବାଲିରାଜା ଉପନ୍ୟାସ ତିନିଖଣ୍ଡ ଖୁବ୍‌ ଉପଭୋଗ୍ୟ । ଜଳଦସ୍ୟୁଙ୍କର ଅତ୍ୟାଚାର, ଦୁଃସାହସିକ ନୌ-ଯାତ୍ରାର ଚିତ୍ର ଘେନି ‘ବାଲିରାଜା’ ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ଏକ ନୂତନ ରେମାଣ୍ଟିକ୍‌ ଧାରା ପ୍ରବର୍ତ୍ତନ କରିଥିଲା । କାହ୍ନୁଚରଣ ନିକଟ ଇତିହାସରୁ ଆରମ୍ଭକରି ଆଦିମ ଇତିହାସ ପର୍ଯ୍ୟନ୍ତ ରୋମନ୍ଥନ କରିଛନ୍ତି । ନ-ଅଙ୍କ ଦୁର୍ଭିକ୍ଷର ପଟ୍ଟଭୂମିରେ ରଚିତ ‘ହା-ଅନ୍ନ’ ଓ ‘ଶାସ୍ତି’ ଠାରୁ ପ୍ରାକ୍‌-ସଭ୍ୟତା ଯୁଗର ମଣିଷର ଜୀବନର ଇତିହାସ ‘ଶର୍ବରୀ’ରେ ରୂପାୟିତ ହୋଇଅଛି । କାହ୍ନୁଚରଣ ସମକାଳୀନ ଓଡ଼ିଆ ସାହିତ୍ୟରେ ସର୍ବଶ୍ରେଷ୍ଠ ନ ହେଲେ ବି ସର୍ବାଧିକ ସଂଖ୍ୟକ ଉପନ୍ୟାସର ସ୍ରଷ୍ଟା । ଓଡ଼ିଶାର ପଲ୍ଲୀ ଜୀବନଠାରୁ ଆରମ୍ଭ କରି ସହରୀ ଜୀବନ, ସରଳ ପ୍ରଣୟ କାହାଣୀଠାରୁ ଆରମ୍ଭ କରି ଫ୍ରୟେଡ଼ିୟ ମନୋବିଷ୍ଳେଷଣ, ଯୌନଚେତନା, ସମାଜ ସଂସ୍କାର, ବୁଦ୍ଧିଜୀବୀଙ୍କର ଚରିତ୍ରର ବାସ୍ତବବାଦୀ ଚିତ୍ରଣ ଓ ସ୍ୱରାଜବାଦୀ ଚରିତ୍ରର ଅନୁଷଙ୍ଗ ପର୍ଯ୍ୟନ୍ତ ସବୁକିଛିର ସମନ୍ୱୟ ଘଟିଛି ତାଙ୍କ ଉପନ୍ୟାସଗୁଡ଼ିକରେ । କାହ୍ନୁଚରଣ ପାରଂପରିକ ରୀତିରେ ହିଁ ଉପନ୍ୟାସ ରଚନା କରିଛନ୍ତି–ଏହି ରୀତି ପ୍ରତି ତାଙ୍କର ଆଗ୍ରହ ଅଧିକ । ସୁଖପାଠ୍ୟ ଗଳ୍ପ, ସୁବଳିତ ଚରିତ୍ର ଓ ମନୋରମ ବର୍ଣ୍ଣନାର ପରମ୍ପରାକୁ ସେ ନିଜ ଉପନ୍ୟାସରେ ଅକ୍ଷୂର୍ଣ୍ଣ ରଖିଛନ୍ତି । କାହ୍ନୁଚରଣ ମାନବପ୍ରେମୀ ଶିଳ୍ପୀ । ସମାଜର ଶତ ନିପୀଡ଼ନର ଘୂର୍ଣ୍ଣି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ମନୁଷ୍ୟସୃଷ୍ଟ ବିତ୍ପାତ ମଧ୍ୟରେ ଏକ ଦିଗରେ ଜୀବନକୁ ଆଲିଙ୍ଗନ କରିବା ପାଇଁ ଓ ଅନ୍ୟ ଦିଗରେ ଉର୍ଦ୍ଧ୍ୱଚେତନାର ଉଦ୍‌ବର୍ତ୍ତନ ପାଇଁ ତାଙ୍କ ନାୟକ ନାୟିକାଙ୍କଠାରେ ପ୍ରବଣତା ଦେଖାଦେଇଛି । କାହ୍ନୁଚରଣଙ୍କ ଉପନ୍ୟାସଗୁଡ଼ିକ ପାଠକଲେ ମନେହୁଏ ସେ ଯେପରି ନିଜ ଚରିତ୍ରମାନଙ୍କ ସହିତ ବାସକରିଛନ୍ତି । ଘଟଣାଗୁଡ଼ିକ ଆଖି ଆଗରେ ଘଟିଅଛି ଓ କାହାଣୀର ରଙ୍ଗମଞ୍ଚରେ ସେ ବି ନିଜେ ଜଣେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଓଡ଼ିଆ ଉପନ୍ୟାସକୁ ସର୍ବସାଧାରଣ ପାଠକଙ୍କର ନିକଟବର୍ତ୍ତୀ କରାଇବା ପାଇଁ କାହ୍ନୁଚରଣଙ୍କ ଉଦ୍ୟମ ନିରଳସ । ତାଙ୍କର ଅତି ସହଜ, ସରଳ ଭାଷା ମଧ୍ୟରେ ଉପନ୍ୟାସର ଗଠନରୀତି ଯେପରିକି ଅତି ସ୍ୱଳ୍ପଶିକ୍ଷିତ ପାଠକଙ୍କ ପାଇଁ ଅଭିପ୍ରେତ । ମନକିଣା ଭାଷାରେ ହୃଦୟଛୁଆଁ ଗଳ୍ପ ରଚନାର ସେ ବିଶ୍ୱାସୀ । ତାଙ୍କ ନିଜ ଭାଷାରେ “ମୁଁ ଯେତେବେଳେ କଲମ ଧରି ଲେଖିବାକୁ ଆରମ୍ଭ କରେ ଚରିତ୍ରଗୁଡ଼ିକ ଆସି ମୋ ଆଗରେ ଠିଆହୁଅନ୍ତି, ମୋ କଲମ ମୁନରେ ନିଜେ ନିଜେ ସେମାନେ ଗଢ଼ିହୁଅନ୍ତି ।” ତା’ପରେ ତାଙ୍କର ଦ୍ୱିତୀୟ ଲକ୍ଷ୍ୟ ଏକ ପ୍ରବାହଶୀଳ କାହାଣୀ ରଚନା, ଯାହାର ପ୍ରବାହ-ଜନ୍ମଲାଭ କରେ ଏକ ତୁଙ୍ଗମନର ଗିରିକନ୍ଦରରୁ । ଅନ୍ତଃହୀତ କାହାଣୀ ଜଗତରେ ଦ୍ୱାର ଉନ୍ମୋଚନ କରିବାକୁ ଯାଇ ଅତୀତ ଓ ବର୍ତ୍ତମାନ, ଦୂର ଓ ନିକଟ, ବିଶ୍ୱାସ ଓ ଯୁକ୍ତି ନାଟକୀୟ ଦ୍ୱନ୍ଦ୍ୱ ଓ କାବ୍ୟିକ କଳ୍ପନା ସବୁକୁ ନିଜ ରଚନାର ଅଙ୍ଗୀଭୂତ କରିଅଛନ୍ତି । କାହ୍ନୁଚରଣ ପାଠକର ମନ ଓଟାରିବା ପାଇଁ ସବୁପ୍ରକାର କୌଶଳର ଅମଲମ୍ବନ କରିଅଛନ୍ତି । ତଥାପି, ତାଙ୍କ ଅନ୍ତରରେ ଯେ ରଚନାର ଏକ ଅନ୍ତର୍ନିହିତ ଅଦମ୍ୟ ପ୍ରେରଣା ଓଡ଼ିଆ ସାହିତ୍ୟର ଦିଗ୍‌ବଳୟକୁ ସମୃଦ୍ଧ କରିବାପାଇଁ ପ୍ରୟାସୀ ତାହା କେହି ଅସ୍ୱୀକାର କରିପାରିବେ ନାହିଁ । ଏକ ମହାକାବ୍ୟିକ ଉପନ୍ୟାସ ରଚନାର ବ୍ୟାପ୍ତି ଘେନି କାହ୍ନୁଚରଣ ଆତ୍ମପ୍ରକାଶ କରିଥିଲେ ‘ବାଲିରାଜା’ରେ । କ୍ଷୁଦ୍ର କ୍ଷୁଦ୍ର ମନୋରମ ଉପନ୍ୟାସ ମଧ୍ୟରେ ଯେଉଁ କେତୋଟି ବୃହତ୍‌କାୟ ଉପନ୍ୟାସ ରଚନା କରିଛନ୍ତି, ସେଗୁଡ଼ିକ ମଧ୍ୟରେ ‘ତମସାତୀରେ’ (୧୯୬୭) ଅନ୍ୟତମ । ଦଣ୍ଡକାରଣ୍ୟରେ ବାସ୍ତୁତ୍ୟାଗୀ ଜୀବନର ଚିତ୍ର । କେଉଁ ଏକ ନାମ ନଜଣା ମଦୀ, ତମସାର କ୍ଷୀଣବାରୀଧାରା ସଙ୍ଗେ ତା’ର ପର୍ବତ ଅରଣ୍ୟ ଦୁର୍ବିସହ ପ୍ରକୃତି ସଙ୍ଗେ ସଂଗ୍ରାମଶୀଳ ମାନବାତ୍ମାର ଅବିନଶ୍ୱର ଚିତ୍ର ସହସ୍ର ପୃଷ୍ଠାବ୍ୟାପୀ ଏଇ ଉପନ୍ୟାସଟିରେ ବାଣୀମୂର୍ତ୍ତି ଲାଭକରିଛି । ଏକଦା ଯେଉଁ କାହ୍ନୁଚରଣ ଇତିହାସରେ ମହାକାବ୍ୟର ସ୍ୱର ସଂଧାନ କରିଥିଲେ ସେ ଯେପରିକି ନିଜ ଜୀବନକାଳ ମଧ୍ୟରେ ତା’ର ସଂଧାନ ପାଇଛନ୍ତି ତମସାତୀରରେ ଛିନ୍ନମୂଳ, ଉଦ୍‌ବାସ୍ତୁ କେତୋଟି ହତଭାଗ୍ୟ ନରନାରୀଙ୍କର ଜୀବନରେ । ସ୍ୱକାଳର ପରିଧି ଅତିକ୍ରମ କରି ତାଙ୍କର ନାୟିକା ଅନିମା, କମଳା ଅଥବା ନାୟକ ଅମିୟ ମଣ୍ଡଳ, ସାଧନ ସନ୍ନ୍ୟାସୀ ଚିରକାଳର ସଭ୍ୟତା ଓ ଶାସନର ଜାଲରେ ପ୍ରକୃତିର ସଂହାର ଭୂମିରେ ବିଷର୍ଣ୍ଣ ବିକଳ ମାନବାତ୍ମାର କାରୁଣ୍ୟର ଭାବମୂର୍ତ୍ତି ବହନକରି ମହାକାଳର ନିଃସୀମ ଅନ୍ଧକାର ମଧ୍ୟରେ ଅପରାହତ ମାନବାତ୍ମାର ଜୟଯାତ୍ରା ଘୋଷଣା କରିଛନ୍ତି । କାହ୍ନୁଚରଣଙ୍କ ସୃଷ୍ଟିର ସମୃଦ୍ଧ ଦିଗ୍‌ବଳୟରେ ବିଶ୍ୱ ସାହିତ୍ୟର ବହୁ ବରେଣ୍ୟ ସ୍ରଷ୍ଟାଙ୍କର ପ୍ରଭାବ ଓ ପ୍ରତିବିମ୍ବ ଦେଖିହୁଏ । କେଉଁଠାରୁ କାହାଣୀ, କେଉଁଠାରୁ ଚରିତ୍ର ଗଠନର କଳା, କେଉଁଠାରୁ ଅବା ଦିଗ୍‌ଦୃଶ୍ୟ ବର୍ଣ୍ଣନାରଧାରା ଯେପରିକି ସେ ଆହରଣ କରିଛନ୍ତି । ତାଙ୍କର ବାଲିରାଜାରେ ଆଲେକ୍‌ଜାଣ୍ଡାର ଡୁମାଙ୍କର ‘ମାଉଣ୍ଟକ୍ରିଷ୍ଠୋର କାଉଣ୍ଟ’ ବା ‘କା’ରେ ପଲ୍‌.ଏସ୍‌.ବକ୍‌ଙ୍କର ‘ପାଭିଲିଅନ୍‌ ଅଫ୍‌ ୱିମେନ୍‌’ର ପ୍ରଭାବ ଦେଖାଯାଇପାରେ । ‘ଶାସ୍ତି’କୁ ‘ହାର୍ଡ଼ି’ଙ୍କ ‘ଉଡ଼ ଲେଣ୍ଡର’ ସହିତ ତୁଳନା କରାଯାଇପାରେ । ଏପରିକି ଓଡ଼ିଆ ସାହିତ୍ୟର ପରଂପରାରେ ମଧ୍ୟ କାହ୍ନୁଚରଣ ଯଥାର୍ଥ ଦାୟାଦ । ଫକୀରମୋହନଙ୍କ ହାସ୍ୟରସର ଦୃଷ୍ଟାନ୍ତ କାହ୍ନୁଚରଣଙ୍କ ରଚନାରେ ବିରଳ ନୁହେଁ । ଶାସ୍ତିର ପେସ୍‌କାର ଓ ଗୋବିନ୍ଦ ପଧାନ ଚରିତ୍ର ପ୍ରତି ବ୍ୟଙ୍ଗୋକ୍ତି ମଧ୍ୟରେ ଫକୀରମୋହନ ହିଁ ସ୍ପଷ୍ଟ ଦେଖାଯାଆନ୍ତି । ପେସ୍‌କାର, ଗୋବିନ୍ଦ ପଧାନ ନୁହେଁ ବେକରେ ତୁଳସୀମାଳି ପିନ୍ଧନ୍ତି, ଚୈତନ୍ୟ ଚରିତାମୃତ ପଢ଼ନ୍ତି, ଆଉ ଯାଜପୁରରେ କେବେ କେମିତି ଅଷ୍ଟପ୍ରହରୀ ହେଲେ ହାତ ଟେକି ଟେକି ଢଳି ଢଳି ସଭା ଆଗରେ ନାଚନ୍ତି । ଏପରିକି କାହ୍ନୁଚରଣଙ୍କ ଚରିତ୍ରସୃଷ୍ଟି ଓ ଘଟଣାପରେ ଘଟଣାଗତ ପରିବେଶ ବର୍ଣ୍ଣନାରେ ପୂର୍ବବର୍ତ୍ତୀ ଔପନ୍ୟାସିକଙ୍କ ସଙ୍ଗେ ସାମ୍ୟ ଦେଖାଯାଏ । ଦୃଷ୍ଟାନ୍ତ ସ୍ୱରୂପ କାଳିନ୍ଦୀଚରଣଙ୍କ ‘ମାଟିର ମଣିଷ’ର ବରଜୁ ଓ ‘ଶାସ୍ତି’ର ସନିଆ ଚରିତ୍ର ମଧ୍ୟରେ ଯଥେଷ୍ଟ ସାମ୍ୟ ଅଛି । ସନିଆ, ବରଜୁ ପରି ଗାଁ ଛାଡ଼ିଛି । ତଫାତ୍‌ କେବଳ ବରଜୁ ନିଜ ଭାଇକୁ ସୁଧାରି ନପାରି ଓ ସନିଆ ନିଜ ଗାଁରେ ସାମ୍ୟବାଦୀ ଆଦର୍ଶ କାର୍ଯ୍ୟକାରୀ କରିନପାରି ଗ୍ରାମ ଛାଡ଼ିଛନ୍ତି । ପୁଣି ଆଦର୍ଶବାଦୀ ଚରିତ୍ର ସୃଷ୍ଟି କରିବାକୁ ଯାଇ ଉଭୟ ଚରିତ୍ର ବାସ୍ତବୋଚିତ ହୋଇନାହିଁ । ସନିଆର ଯାହା ଶିକ୍ଷାଦୀକ୍ଷା ସେଥିରେ ସେ ଆଦର୍ଶ ସାମ୍ୟବାଦୀ ହେବ ଏହା ଅକଳ୍ପନୀୟ । ପୁଣି ସାମ୍ୟବାଦୀ ଆଦର୍ଶ କାର୍ଯ୍ୟକାରୀ କରିବା ପାଇଁ ଲୋଡ଼ା ଏକ ସଂଗଠନ; ବ୍ୟକ୍ତି ନୁହେଁ । ଏକଥା ଯେପରି ଲେଖକ ଭୁଲି ଯାଇଛନ୍ତି । ‘ମାଟିର ମଣିଷ’ର ପନ୍ଦର ବର୍ଷପରେ ରଚିତ ଶାସ୍ତିରେ ବର୍ଣ୍ଣିତ ବନେଇ ପରିଡ଼ାର ଗାଁକୁ ଚିହ୍ନେଇଦେବା ପାଇଁ କାହ୍ନୁଚରଣ ମାଟିର ମଣିଷର ଶାମପଧାନର ଗାଁର ବର୍ଣ୍ଣନାକୁ ଯେପରିକି ଅନୁସରଣ କରିଛନ୍ତି । ସମସ୍ତ ସୌରଜଗତରୁ ଆରମ୍ଭ କରି ପୃଥିବୀ, ଭାରତ; ଓଡ଼ିଶା ଓ ଶେଷରେ ନିଜର ସେଇ ଗ୍ରାମଟିର ସ୍ଥିତି ଦେଖାଇଛନ୍ତି ।

 

ତଥାପି କାହ୍ନୁଚରଣ ମହାନ୍‌ ଶିଳ୍ପୀ । ସମଗ୍ର ଓଡ଼ିଆ ଜାତିର ଆଶା ଓ ଆକାଂକ୍ଷାର ସେ ମନୋଜ୍ଞ ଚିତ୍ରକର । ଜୀବନ ଓ ସାହିତ୍ୟ ସତେ ଯେପରି କି ତାଙ୍କ ଉପନ୍ୟାସରେ ଗୋଟିଏ ବିନ୍ଦୁରେ ମିଳିତ ହୋଇଅଛି । ରାମଶଙ୍କରଙ୍କର ବିବାସିନୀଠାରୁ ଆରମ୍ଭକରି କାଳିନ୍ଦୀଚରଣ, ଗୋଦାବରୀଶ ପ୍ରଭୃତି ବହୁଲେଖକଙ୍କ କୃତିରେ ଓଡ଼ିଶାର ଦୁର୍ଭିକ୍ଷ ଓ ଦାରିଦ୍ର୍ୟର ଯେଉଁ ଚିତ୍ର ମିଳେ କାହ୍ନୁଚରଣ ତା’ର ସାର୍ଥକ ରୂପାୟନ କରିଛନ୍ତି । ଗାଁର ଟାଉଟର, ଗଡ଼ଜାତର ରାଜା, ସରକାରୀ ଅଫିସର ଉଦ୍‌ବାସ୍ତୁ, କାରଖାନର ଶ୍ରମିକ, ନିପୀଡ଼ତ ପଲ୍ଲୀବଧୂ, ଅତ୍ୟାଚାରିତ ମଜୁରିଆ ସବୁ ଯେପରିକି ତାଙ୍କ ଗ୍ରନ୍ଥରେ ଶୋଭାଯାତ୍ରା କରି ଚାଲିଛନ୍ତି । ଦୁଃଖଦୁର୍ଦ୍ଦଶାର ଚରମ ସୀମାରେ ଉପନିତ ଏକ ଜାତିର ଅନୁଭୂତି ରସରେ କାହ୍ନୁଚରଣଙ୍କ ଉପନ୍ୟାସ ଜଗତ ଗଠିତ । ଓଡ଼ିଶାର ଐତିହ୍ୟ, ଓଡ଼ିଆ ଜୀବନର ବୈଚିତ୍ର୍ୟ, ସାର୍ଥକ ଜୀବନଶିଳ୍ପୀ କାହ୍ନୁଚରଣଙ୍କ କଥା ସାହିତ୍ୟର ଜଗତରେ ସହଜ ଓ ସୁନ୍ଦର ଅଭିବ୍ୟକ୍ତି ଲାଭ କରିଅଛି ।

Image

 

(୪)

 

ରାଜକିଶୋର ପଟ୍ଟନାୟକ (୧୯୧୨)–ବୃତ୍ତିରେ ଆଇନ୍‌ଜୀବୀ କିନ୍ତୁ ଓଡ଼ିଆ କଥାସାହିତ୍ୟର ଅତୀନ୍ଦ୍ର ସାଧକ । ଓଡ଼ିଶାର ସେଇ ନବଜନ୍ମର କାଳ, ୧୯୩୬ରେ ରାଜକିଶୋର ଓଡ଼ିଆ ସାହିତ୍ୟରେ ପ୍ରବେଶ କରନ୍ତି । ରାଜକିଶୋର, ନିତ୍ୟାନନ୍ଦ ଓ ଗୋପୀନାଥ ଏକ ସମୟରେ ଓଡ଼ିଆ କଥା ସାହିତ୍ୟରେ ନୂତନ ଦିଗ୍‌ବଳୟର ସନ୍ଧାନ କରିଥିଲେ । ଓଡ଼ିଆ ସାହିତ୍ୟର ପ୍ରବୀଣତମ ସାରଥୀ ନୀଳକଣ୍ଠଙ୍କ ନବଭାରତରେ ଏଇ ତିନି ସାଧକଙ୍କର ‘ପ୍ରେମର ନିୟତି’ ପ୍ରକାଶ ପାଇଥିଲା । ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ଉଭୟତ୍ର ରାଜକିଶୋରଙ୍କର ସାର୍ଥକତାର ସ୍ୱାକ୍ଷର ନିହିତ । ଓଡ଼ିଆ ସାହିତ୍ୟରେ ଏକ ଦିଗରେ ନବସ୍ୱୈର ଚେତନାର ବିଲୟ ଓ ଅନ୍ୟଦିଗରେ ସାମ୍ୟବାଦୀ ପ୍ରଭାବିତ ପ୍ରଗତି ଚେତନାର ଅଭ୍ୟୁଦୟ କାଳରେ ପ୍ରେମ ଓ ମାନବୀୟ ଉଦାର ଆଦର୍ଶର ପଥିକୃତ୍‌ ସାଧକ ଭାବରେ ରାଜକିଶୋରଙ୍କର ବ୍ୟକ୍ତି ବୈଶିଷ୍ଟ୍ୟ ସହଜରେ ଦୃଷ୍ଟି ଆକର୍ଷଣ କରେ । ଓଡ଼ିଆ ଉପନ୍ୟାସକୁ ଆଦର୍ଶବାଦ ପଲ୍ଲୀଭିତ୍ତିକ ଜୀବନଚିତ୍ରର ପରିଧି ଭିତରୁ ମୁକ୍ତକରି ରାଜକିଶୋର ଏକ ନୂତନ ଧାରାର ସୃଷ୍ଟି କରନ୍ତି–‘ଅସରନ୍ତି’, ‘ବିରହିଣୀ’, ‘ସଂଜବତୀ’, ‘ସପନକୁହୁଡ଼ି’, ‘ସିନ୍ଦୁରଗାର’, ‘ସ୍ମୃତିର ମଶାଣି’, ‘ପ୍ରେମିକର ଡାୟରୀ’, ‘ଜୀବନର ମଦିରା’, ‘ଉସାମେଘ’, ‘କଜଳଗାର’ ଓ ‘ଚଲାବାଟ’ ଉପନ୍ୟାସଗୁଡ଼ିକରେ । ରାଜକିଶୋର ନିଜେ ଅଭିଜାତ ପରିବାରରେ ଜନ୍ମଲାଭ କରିଥିଲେ । ତେଣୁ ସେ ନିଜେ ଯାହା ତାଙ୍କ ଉପନ୍ୟାସର ନାୟକ ନାୟିକା ମଧ୍ୟ ପ୍ରାୟତଃ ଶିକ୍ଷିତ, ଅଭିଜାତ ଓ ନାଗର ଜୀବନରେ ଅଭ୍ୟସ୍ତ । ଉପନ୍ୟାସର ଗଠନ ଶୈଳୀରେ ରାଜକିଶୋର ନୂତନରୀତିର ପ୍ରବର୍ତ୍ତକ । ତାଙ୍କ ଉପନ୍ୟାସରେ କାହାଣୀ ଗୌଣ । ଚରିତ୍ର ସବୁ ଆଂଶିକ ସତ୍ତାରେ ବିଦ୍ୟମାନ । ଘଟଣାର ଆନୁପୂର୍ବିକ ବିବରଣୀ ଅସମ୍ପୂର୍ଣ୍ଣ । ତାଙ୍କ ଉପନ୍ୟାସସବୁ ଯେପରିକି ଏକ ଏକ ବିରାଟ ଦିଗ୍‌ଦୃଶ୍ୟ ଭିତରେ ଅବସ୍ଥାପିତ ସ୍ଥିର ଚିତ୍ରର ଆଭାସ ବହନ କରେ । ଏହି ଚିତ୍ର ଭିତରୁ ଚିରନ୍ତନ ନରନାରୀଙ୍କ ହୃଦୟାବେଗର ଉତ୍ସ ସୁଖ ସନ୍ଧାନରେ ସେ ଆଗ୍ରହୀ । ସଂଳାପ ସ୍ୱର୍ଗତୋକ୍ତି ଓ ସ୍ମୃତିଚାରଣ ଭିତରେ ତାଙ୍କର ଭାବହାଦୀ ନାୟକ ନାୟିକାଙ୍କ ଅନ୍ତର ପ୍ରକାଶିତ ହୁଏ । ପଦଟିଏ କଥା, ଟିକିଏ ହସ, ଅଥବା ସାମାନ୍ୟ ଏକ ଇଙ୍ଗିତକୁ ଘେନି ନିଜ ନାୟକ ନାୟିକାଙ୍କର ଅନ୍ତରର ଦ୍ୱାର ଉନ୍ମୋଚନ କରିବାକୁ ଲେଖକ ସଦାପ୍ରୟାସୀ । ‘ପ୍ରେମିକର ଡାୟରୀ’ ଉପନ୍ୟାସରେ ଗୋବର୍ଦ୍ଧନ, ଦୀନବଂଧୁ ଓ ପ୍ରଭାକର ତିନୋଟି ନାୟକ ବୁଦ୍ଧିମତି ନାୟିକା ସରଳାର ଚେନାଏ ହସର ବ୍ୟାଖ୍ୟାକରି ଚାଲିଛନ୍ତି ଦୀର୍ଘ ସ୍ୱର୍ଗତୋକ୍ତି ମଧ୍ୟରେ । ୟାରି ଭିତରେ ଚିରନ୍ତନ ନରର ଅନ୍ତରର ଭାଷା, ଅନୁଭବର ବାଣୀ ଫୁଟିଉଠେ । ଅଜସ୍ର ଉପମା ଓ ଦୃଷ୍ଟାନ୍ତ ଘେନି ରାଜକିଶୋରଙ୍କ ରଚନାଶୈଳୀ ଏକ ନିଜସ୍ୱ ବୈଶିଷ୍ଟ୍ୟ ଅର୍ଜନ କରିଛି । ଏକ କ୍ଲାସିକ୍‌ ସାହିତ୍ୟର ଏହି ବର୍ଣ୍ଣନାଶୈଳୀ ଲକ୍ଷଣାକ୍ରାନ୍ତ । ସମାଜ ଓ ସଙ୍ଗଠନର ଊଦ୍ଧ୍ୱର୍ରେ ବ୍ୟକ୍ତିସତ୍ତା କୈନ୍ଦ୍ରିକ ପୁରୁଷ ଓ ନାରୀଙ୍କର ଆବେଗୋଷ୍ଣ ପ୍ରଣୟାବିଷ୍ଟ ଜୀବନର ଚିତ୍ର ରାଜକିଶୋର ଆଙ୍କିଛନ୍ତି । ଦୀର୍ଘ ଅବିବାହିତ ଜୀବନର ଛନ୍ଦ ସେ ଖୋଜିଛନ୍ତି ନିଜ ଉପନ୍ୟାସରେ ପ୍ରେମିକ ପ୍ରେମିକାଙ୍କ ଅନ୍ତଜୀବନର ଆବିଷ୍କାରରେ । ପ୍ରେମିକର ଅନ୍ତର୍ମୁଖୀ, ସ୍ୱପ୍ନବିହାରୀ, ଆତ୍ମନିଷ୍ଠ ମନର ଅତଳ ଗୌହ୍ୱରରେ ପ୍ରବେଶ ପାଇଁ ଲେଖକଙ୍କ ପ୍ରୟାସ ସର୍ବତ୍ର ବିଦ୍ୟମାନ୍‌ । ନାୟକ ବା ନାୟିକା ମନର ମଣିଷର ସ୍ୱପ୍ନ ଦେଖନ୍ତି । ମାତ୍ର, ସାମାଜିକ ବେଷ୍ଟନି ଭିତରେ ସେମାନଙ୍କୁ ପାଇପାରନ୍ତି ନାହିଁ । ତେଣୁ ସେମାନେ ରହିଯାଆନ୍ତି ଚିରଜୀବନ ବିରହୀ ଓ ବିରହୀଣୀ ହୋଇ । ବ୍ୟକ୍ତିମଣିଷ ମରଣଶୀଳ । ଭାବରେ, ଭାଷାରେ, ଅନୁଭବରେ ଅମରତାର ପ୍ରେମିକ । ଏଇ ପ୍ରେମର ଉତ୍ସ ସନ୍ଧାନରେ ରାଜକିଶୋରଙ୍କର ଉପନ୍ୟାସ ଜଗତରେ ପ୍ରବାହିତ ହୋଇଛି ଏକ ଜାହ୍ନବୀର ସ୍ରୋତ । ଯାହା ଅନ୍ତରେ ଅନ୍ତରେ ସଦା ପ୍ରବାହଶୀଳ-

 

ରାଜକିଶୋରଙ୍କ ସୃଷ୍ଟିମାନସର ପ୍ରସାର ଏକ ସମତଳିକ କ୍ଷେତ୍ରର ଦିଗନ୍ତବିସ୍ତାରୀ ଦିଗ୍‌ବଳୟ ମଧ୍ୟରେ ହିଁ କଳନା କରାଯାଇପାରେ । ପ୍ରାୟ ତାଙ୍କ ଲେଖକ ଜୀବନର ମଧ୍ୟକାଳରେ ସୃଷ୍ଟି ‘ଚଲାବାଟ’ ଅବଲମ୍ବନରେ ତାଙ୍କ ସୃଷ୍ଟିମାନସର ଭାବକେନ୍ଦ୍ର ଆବିଷ୍କାର କରାଯାଇପାରେ । ‘ଚଲାବାଟ’ ଉପନ୍ୟାସଟି ଲେଖକଙ୍କର ଏକ ମହାକାବ୍ୟିକ ସୃଷ୍ଟି । ମାତ୍ର ଏଇ ମହାକାବ୍ୟିକ ଚେତନା ବିପୁଳ ସ୍ଥାନ ଓ କାଳରେ ବିଧୃତ ନୁହେଁ । ଏକ ଅନୁଚାରିତ ହୃଦୟବୃତ୍ତିର କ୍ରମ ପ୍ରସାରଣ କ୍ରିୟା ମଧ୍ୟରେ ଏଇ ଉପନ୍ୟାସଟି ଗଠିତ । ଉପନ୍ୟାସର କାହାଣୀରେ ଆବେଗ ନାହିଁ । ଗତି ନାହିଁ । ଏହାର ନାୟକ ନାୟିକା ଜୀବନରେ ନିତ୍ୟନୂତନ ଘଟଣା ପ୍ରବାହର ଧାରାରେ ବିଚିତ୍ର ପରିଣାମ ଭୋଗକରିନାହାନ୍ତି । ଗଳ୍ପାଂଶର ଅପୂର୍ଣ୍ଣତାକୁ ବର୍ଣ୍ଣାଢ଼୍ୟ ଚରିତ୍ରଗୁଡ଼ିକର ବ୍ୟାପ୍ତିରେ ପୂର୍ଣ୍ଣ କରିବାକୁ ଚେଷ୍ଟା କରିନାହାନ୍ତି । ଉପନ୍ୟାସର ନାୟକ ନାୟିକା ଅମରେନ୍ଦ୍ର, ରୀତା ଓ ସୁମତି କାହାରି ପୂର୍ଣ୍ଣ ଜୀବନଚିତ୍ର ଏହା ପ୍ରଦାନ କରେନାହିଁ । ସାମାଜିକ ବୃତ୍ତି ଓ ହୃଦୟବୃତ୍ତିର ସଂଘାତ ଓ ସମନ୍ୱୟର ବିଚିତ୍ର ପଥରେ ଗତିକରି ଜୀବନର ବୃହତ ରଙ୍ଗମଞ୍ଚରେ ଏମାନେ ଆତ୍ମପ୍ରକାଶ କରିନାହାଁନ୍ତି । ନାୟକ ଅମରେନ୍ଦ୍ର ଆମୂଳାନ୍ତ ପ୍ରେମିକ, ନାୟିକା ପ୍ରେମିକା–ଏକ ଏକ ଛାୟା ଚପଳମୂର୍ତ୍ତି ବହୁ ରହସ୍ୟର କୁହେଳି ଭିତରେ ପିହିତ । ଏମାନେ ପୃଥିବୀର କେଉଁ ଜଳବାୟୁରେ ବଢ଼ିଛନ୍ତି । କେଉଁ ଦେଶର କେଉଁ ରୂପାନ୍ୱିତ ସକାଳ ସନ୍ଧ୍ୟାରେ କେଉଁ ସାମାଜିକ କ୍ରୀୟାଚାର ମଧ୍ୟରେ ବଢ଼ିଛନ୍ତି ତାହାର କିଛି ଇଂଗିତ ଅଛି, ମାତ୍ର ବର୍ଣ୍ଣନା ନାହିଁ । ଏଇ ଇଂଗିତରୁ ରୂପସ୍ରଷ୍ଟା ଶିଳ୍ପୀର ବର୍ଣ୍ଣନାକଳା, ଯାହାର ଲାବଣ୍ୟ ସଙ୍ଗୀତର ଶାଶ୍ୱତ ସ୍ୱର ଲହର ଭଳି ବା ଚିତ୍ରପଟ୍ଟର ବର୍ଣ୍ଣବିଭା ଭଳି ଇନ୍ଦ୍ରିୟଗ୍ରାହ୍ୟ ହୋଇନାହିଁ । ହିମାଳୟ ଓ ଗଙ୍ଗା, ମହାନଦୀ ଓ କାଠଯୋଡ଼ି ସବୁର ପ୍ରତିଭାସ ମାତ୍ର ଏକ ନଗର, ଏକ ବିଶ୍ୱବିଦ୍ୟାଳୟର ରୁଦ୍ଧକକ୍ଷ ମଧ୍ୟକୁ ପ୍ରବେଶ କରିଅଛି । କେବଳ ନିଜର ନାୟକ ନାୟିକାଙ୍କର ଭାବମୂର୍ତ୍ତି ଫୁଟାଇବା ପାଇଁ ସୁପରିକଳ୍ପିତ ନିର୍ବାଚନ ଓ ସୁନିୟନ୍ତ୍ରିତ ଚାତୁର୍ଯ୍ୟ ମଧ୍ୟରେ ଲେଖକଙ୍କ ବୈଶିଷ୍ଟ୍ୟ ଲକ୍ଷଣୀୟ । ‘ଚଲାପଥ’ରେ ଚିତ୍ରାୟନ ବୃହତ୍ତର ଜୀବନପଥର ସମାନ୍ତରାଳରୂପେ କଳ୍ପିତ ହୋଇନାହିଁ । ଏକ କ୍ଷୁଦ୍ରଅଂଶ ସତ୍ତାରୁ ଏକ ମହତ୍‌ର ଭାବସତ୍ତାର ସମୀକରଣ ‘ଚଲାବାଟ’ର ପ୍ରାଣ-। ଏଇ ‘ଚଲାବାଟ’ ବା ଏଇପଥା ଜୀବନର ଏକ କ୍ଷୁଦ୍ରଅଂଶ । ଦୁଇପାଖରେ ତା’ର ଘେରା ଅଦୂର ଚକ୍ରବାଳ । ପଥଶେଷରେ ସନ୍ଧାନ ପାଇଁ ପଥିକର ଉଦ୍‌ବେଗ ନାହିଁ । ସହଯାତ୍ରୀଙ୍କ ସଙ୍ଗେ ଆଳାପଚାରୀ ତା’ର ମନ ନିଜ ମୁଦା ହୃଦୟର, ଗହନମନର ଦ୍ୱାର ଖୋଲି ନିଃସଂଗ ନିର୍ଜନମରୁର ବିଷବାସ୍ପରୁ ଆତ୍ମରକ୍ଷା ପାଇଁ ସଦାପ୍ରୟାସୀ । ଏଥପଥ, ଏଇଗଳ୍ପ ଏଇ ସଖ୍ୟ ସଂସାର ଛଡ଼ାଇନିଏ । ଏକ ବିୟୋଗାନ୍ତ ଧୂସର ଦିଗ୍‌ବଳୟରେ ସ୍ମୃତିଲୋକରେ ଏହା ରହେ ଚିର ଭାସ୍ୱର । ଯୌନ ବା ଅନ୍ନକ୍ଷୁଧାର ସହଜ ଆକର୍ଷଣ ରହିତ ଏହି ଉପନ୍ୟାସ ସତେ ଯେପରିକି ସାଧାରଣ ପାଠକଙ୍କ ପାଇଁ ଅଭିପ୍ରେତ ନୁହେଁ । ଏଇ ଉପନ୍ୟାସର ନାୟକ ନାୟିକା ସମସ୍ତେ ଯେପରିକି ଏକ ଏକ କକ୍ଷଚ୍ୟୁତ ତାରକା । ସେମାନଙ୍କ ମିଳନ ଆକସ୍ମିକ ବିଚ୍ଛେଦ ବି ଆକସ୍ମିକ । ମାତ୍ର ଯାହା ଆକସ୍ମିକ ତାହା ଅଳୀକ ନୁହେଁ । ଏଇ ‘ଚଲାପଥ’ର ପ୍ରତିପାଦ୍ୟ ଦର୍ଶନ ଘେନି ଲେଖକଙ୍କର ବିଶ୍ଳେଷଣ ସୁନ୍ଦର । “ଟିକିଏ ଲୋଭ, ଟିକିଏ ଲାଳସା, ଟିକିଏ ଖିଆଲ ମିଶି ଯେଉଁ କେତୋଟି କାମ ନିଜର ଅଜାଣତରେ ନିଜେ ବୁଝିବା ଆଗରୁ ଆରମ୍ଭ ହୋଇଯାଏ ସେଇ ହେଉଛି ସଂସାରରେ ସବୁଠାରୁ ସ୍ଥାୟୀ ।”

 

ଆଧୁନିକ ସମାଜର ସମସ୍ୟା ଓ ତା’ର ସମାଧାନର ଇଂଗିତ ଉପନ୍ୟାସରେ ଯତ୍ର ତତ୍ର ମିଳେନାହିଁ । ମାତ୍ର ଭାରତୀୟ ସଂହତିରେ ପ୍ରାନ୍ତୀୟ ସ୍ୱାତନ୍ତ୍ର୍ୟର ପରିମାପ କରିବାର ସୁନ୍ଦର ପ୍ରୟାସ ଗ୍ରନ୍ଥଟିରେ ବ୍ୟଂଜିତ ହୋଇଅଛି । ଭାଷା–ମଣିଷକୁ ମଣିଷ ସାଙ୍ଗରେ ଯୋଡ଼ିଦିଏ, ନିଜର ଅଚେତନ ମନର ଭାବକୁ ରୂପଦିଏ । ପ୍ରେମପ୍ରୀତି ଆଦର୍ଶର ଉନ୍ମାଦନା ମଧ୍ୟରେ ଭିନ୍ନ ଭାଷାଭାଷୀ ଲୋକଙ୍କୁ ଘେନି ଏକ ସମାଜ ଗଠନର ଅସାରତା ଲେଖକ ଦେଖାଇଛନ୍ତି (ଚଲାବାଟ - ପୃ: ୩୫୯) ଶୂନ୍ୟଗର୍ଭ ଆଦର୍ଶ ପରିବର୍ତ୍ତେ ମଣିଷର ଭାବମୟ ଜୀବନର ବାସ୍ତବ ଚିତ୍ର ଅଙ୍କନ ପାଇଁ ଜୀବନ ଶିଳ୍ପୀ ରାଜକିଶୋର ଚିର ଜାଗ୍ରତ । ତାଙ୍କ ରଚନାରେ ଶିଳ୍ପର ପରିପାଟୀ ନାହିଁ, ଅଛି ଶିଳ୍ପୀ ମନର ଧ୍ୟାନଗଂଭୀର ମୂର୍ତ୍ତି, ସାଧନା ଶୁଦ୍ଧ ରୂପ । ସେ ଗଳ୍ପ କହିବାକୁ ବସି ନାହାନ୍ତି, ଜୀବନ ଆଙ୍କିବାକୁ ବସିଛନ୍ତି । କଳ୍ପନା ଓ ପ୍ରବୁଦ୍ଧ ପ୍ରଜ୍ଞାର ରଶ୍ମିରେଖାରେ ସେ ସତ୍ୟର ସ୍ଥିର ରୂପ ଆବିଷ୍କାର କରି ବସିଛନ୍ତି । ଏଇ ସତ୍ୟ ନାନା ରୂପରେ ନାନା ଭାବରେ ଦେଶକାଳ ନିର୍ବିଶେଷରେ ପ୍ରକାଶିତ । ଜୀବନର ସମଗ୍ରତୀରେ ଯେପରି, ତାହାର ଅଂଶସତ୍ତାରେ ମଧ୍ୟ ସେହିପରି ପ୍ରତିବିମ୍ବିତ । ପ୍ରେମ ଓ ଜୀବନର ଆଦର୍ଶ ସନ୍ଧାନରେ ଦତ୍ତପ୍ରାଣ ରାଜକିଶୋରଙ୍କ ମାନସସୃଷ୍ଟି ତାଙ୍କର ଅନ୍ୟତମ ଶ୍ରେଷ୍ଠ କୃତି ‘ଚଲାବାଟ’ କଳାଦିଗରୁ ଯେତିକି ଅପୂର୍ଣ୍ଣ ଅନ୍ତର୍ଦୃଷ୍ଟି ଓ ବାସ୍ତବତା ଦିଗରୁ ସେତିକି ସଂପୂର୍ଣ୍ଣ ।

Image

 

(୫)

 

ନିତ୍ୟାନନ୍ଦ ମହାପାତ୍ର (୧୯୧୨) ସତେ ଯେପରିକି ନିଜର ଏକ ଆଦର୍ଶବାଣୀ ଘେନି ରାଜନୈତିକ ବିତଣ୍ଡା ସମସ୍ୟା ସଂକୁଳ ସାମାଜିକ ଜୀବନର ଊଦ୍ଧ୍ୱର୍ରେ ଶାଶ୍ୱତ ମାନବୀୟତାର ଭାଗ୍ୟ ରଚନାପାଇଁ କଥାସାହିତ୍ୟକୁ ସାମୟିକ ଏକ ମାଧ୍ୟମରୂପେ ଗ୍ରହଣ କରିଛନ୍ତି । ଗାନ୍ଧିଜୀଙ୍କ ଅନ୍ତର୍ନିହିତ ଭାବଧାରା ନିତ୍ୟାନନ୍ଦଙ୍କୁ ଯେ ଉଦ୍‌ବୁଦ୍ଧ କରିଥିଲା ଏଥିରେ ସନ୍ଦେହ ନାହିଁ । ତାରୁଣ୍ୟ ଭାବପ୍ରବଣତା ଭିତରେ ନିତ୍ୟାନନ୍ଦ ତିରିଶ ଦଶକରେ ଆତ୍ମପ୍ରକାଶ କରିଥିଲେ ଓଡ଼ିଆ ସାହିତ୍ୟରେ । ନିତ୍ୟାନନ୍ଦ ଔପଚାରିକ ଆନୁଷ୍ଠାନିକ ଶିକ୍ଷାରୁ ଯେତିକି ବଂଚିତ କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ସାହିତ୍ୟିକ ଦାୟାଦରୂପେ ଜୀବନର ବୃହତ୍ତର ପ୍ରାଣ ରସଧାରାରେ ସେତିକି ଅବବାହୀ । ନିତ୍ୟାନନ୍ଦଙ୍କର ପ୍ରଥମ ବଡ଼ ଗଳ୍ପ ‘ଭୁଲ’ ଜେଲ ଜୀବନର ସୃଷ୍ଟି । ୧୯୩୦ରେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ସେ ପାଠପଢ଼ା ଛାଡ଼ି ଜେଲରେ ପଶିଥିଲେ । ଏହା ୧୯୩୬ରେ ‘ନବଭାରତ’ ପତ୍ରିକାରେ ସ୍ଥାନ ପାଇଥିଲା । ଯଦିବା ଦୀର୍ଘ ବ୍ୟବଧାନରେ ୧୯୫୦ରେ ଏହା ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା । ସୁଲକ୍ଷଣା ଓ କିଶୋରର ପ୍ରଣୟକୁ ଭିତ୍ତିକରି କଳ୍ପିତ ଏଇ ଉପନ୍ୟାସଟିରେ ଲେଖକ ସମସାମୟିକ ସାମାଜିକ ଅବସ୍ଥାରେ ଆଦର୍ଶବାଦୀ ତରୁଣ ଜୀବନର ପଥର ସଂଧାନ କରିଛନ୍ତି । ‘ଭଂଗାହାଡ଼’ ଓ ‘ହିଡ଼ମାଟି’ (୧୯୪୮) ପଲ୍ଲୀଭିତ୍ତିକ ଉପନ୍ୟାସ । ପ୍ରାକ୍‌ ସ୍ୱାଧୀନତା କାଳର ଆଦର୍ଶର ଅଙ୍କୁର ସ୍ୱାଧୀନତାର ବାସ୍ତବ ଭୂମିରେ କିପରି ଉଧେଇ ପାରିନାହିଁ, କାହିଁକି ଉଧେଇ ପାରିନାହିଁ, ତାହା ବିଶ୍ଳେଷଣ କରିବାକୁ ଯାଇ ଲେଖକ ଗ୍ରାମ୍ୟ ଜୀବନର ସମସ୍ୟା ପ୍ରତି ଇଂଗିତ କରିଛନ୍ତି । ‘ଜୀଅନ୍ତାମଣିଷ’, ‘ଜୀବନର ଲକ୍ଷ୍ୟ’ (୧୯୫୬) ଓ ‘ସୁଖର ସଂଧାନେ’ (୧୯୫୮), ‘ପୀରତି ପଥ ଖସଡ଼ା’ (୧୯୩୯) ଭଳି ଉପନ୍ୟାସଗୁଡ଼ିକରେ ଲେଖକ ମନୁଷ୍ୟ ଜୀବନର ମହତ୍ତ୍ୱର ଆଦର୍ଶ ଓ ଲଘୁତମ ବାସନାର ସଂଘର୍ଷ ଘେନି ନିଜର ଭାବନାକୁ ରୂପ ଦେଇଛନ୍ତି–‘ଜୀବନଟା ଖାଲି ଭଲପାଇବା ପାଇଁ ନୁହେଁ, ଜୀବନ ଭଲପାଇବା ପାଇଁ ସୃଷ୍ଟି, କିମ୍ବା ଜୀବନର ସଉଦାକୁ ସାବଧାନରେ ଆଣି ରାନ୍ଧିବାଢ଼ି ବସିଲେ ଖରାପ ଲାଗିବନାହିଁ’ ଭଳି ଆଦର୍ଶର ବାଖ୍ୟା କରିଛନ୍ତି । ମନୁଷ୍ୟର ଦୁଃଖ ଓ ବ୍ୟର୍ଥତାର କାରଣ ଲେଖକ ଆର୍ଥିକ ବୈଷମ୍ୟ, ସାମାଜିକ ଅସାମ୍ୟ ବା ବିପ୍ଳବ ଓ ସଂଘର୍ଷର ଭାବଭୂମିରେ ଖୋଜିନାହାନ୍ତି । ସତ୍ୟ ପ୍ରକାଶରେ ମନୁଷ୍ୟର ଅକ୍ଷମତା, ଆତ୍ମପ୍ରବଞ୍ଚନା ହିଁ ତା’ର ସମସ୍ତ ଦୁଃଖର କାରଣ । ଜୀବନ ସ୍ରୋତର ପ୍ରବାହକୁ ଅବିରାମ କରିବା ପାଇଁ ଜୀବନର ସୃଷ୍ଟି, ଜୀବନ ନୁହେଁ, ପ୍ରଣୟର ମଧ୍ୟ ବାଖ୍ୟା କରିଛନ୍ତି । ନିତ୍ୟାନନ୍ଦ ଦୈହିକ ପ୍ରେମର ଅସାରତାର ଊଦ୍ଧ୍ୱର୍ରେ ଆତ୍ମିକପ୍ରେମର ମହତ୍ୱ ଫୁଟାଇବାରେ ଆଗ୍ରହୀ । ନିତ୍ୟାନନ୍ଦଙ୍କ କଥା ସାହିତ୍ୟର ବାଣିଜ୍ୟିକ ମୂଲ୍ୟ ସ୍ୱଳ୍ପ । ସେ ଯେପରିକି ପାଠକଙ୍କୁ ଆଖି ଆଗରେ ରଖି ଉପନ୍ୟାସ ରଚନା କରିନାହାଁନ୍ତି । ନିଜ ମନରେ ଆବେଗ ଫୁଟାଇବା ପାଇଁ ସାମୟିକ ଉପନ୍ୟାସ ରଚନା କରିଛନ୍ତି । ୧୯୩୦ରୁ ୧୯୬୦ ଦୀର୍ଘ ତିରିଷ ବର୍ଷ ମଧ୍ୟରେ ନିତ୍ୟାନନ୍ଦଙ୍କର ସୃଷ୍ଟିର ସଂପଦ ସ୍ୱଳ୍ପ । ନିତ୍ୟାନନ୍ଦଙ୍କ ଉପନ୍ୟାସରେ ବିଷୟବସ୍ତୁ ମାମୁଲି । ରାଜନୈତିକ ସମସ୍ୟା, ପଲ୍ଲୀଜୀବନ ଓ ପ୍ରେମ । ତାଙ୍କର ସାମାଜିକ ଚରିତ୍ରଗୁଡ଼ିକରେ ଏକ କାରୁଣ୍ୟ ମିଶ୍ରିତ ଆଶାବାଦର ସ୍ୱର ଅନୁରଣିତ ହୁଏ । ତାଙ୍କର ସୃଷ୍ଟ ପଲ୍ଲୀର ନିରିମାଖି ରତନି, ନିଷ୍ପେସିତ ସୁକୁରା, ବିଧବା ଚପଳା, ବିପତ୍ନିକ ବିଭୂତି ଅଥବା ଦେହଜ ପ୍ରଣୟ ମୁଗ୍‌ଧା ସୁମିତ୍ରା ଏମାନେ ସମସ୍ତେ ଯେପରିକି ବୃହତ୍ତର ସମାଜରୁ ସୁନିର୍ବାଚିତ ଏକ ଏକ ପ୍ରତୀକ । ଉପନ୍ୟାସର ଗଠନ ପାଟବ ଅଥବା ମହତ୍ତର କଳାକୃତିରେ ନିତ୍ୟାନନ୍ଦଙ୍କ ସାଫଲ୍ୟ ବିଷୟରେ ଅନେକ ସନ୍ଦିହାନ । ହୁଏତ ଏ ଦିଗରୁ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ଅଧିକ ସାର୍ଥକ । ଆଦର୍ଶ ଦିଗରୁ ନିତ୍ୟାନନ୍ଦ ଗାନ୍ଧିବାଦୀ, ଆଧ୍ୟାତ୍ମବାଦୀ ଓ କଳାସୃଷ୍ଟିରେ ମାନବବାଦୀ । ନିତ୍ୟାନନ୍ଦଙ୍କର ଭାଷା ଅନେକ ସମୟରେ ଉପନ୍ୟାସର ଉପଯୋଗୀ ବୋଲି ମନେହୁଏ ନାହିଁ । ନିଜର ଭାବାବେଗକୁ ରୂପଦେବା ପାଇଁ ସେ କେତେବେଳେ ଲିରିକ୍‌ଧର୍ମୀ ପୁଣି କେତେବେଳେ ନିଚ୍ଛକ ବିବରଣୀମୂଳକ ଭାଷା ଗ୍ରହଣ କରିଥାନ୍ତି, କେତେବେଳେ ନାଟକ ଅଥବା କେତେବେଳେ ରମ୍ୟରଚନାର ଭଙ୍ଗୀ ମଧ୍ୟରେ ସେ ଭାରସାମ୍ୟ ରକ୍ଷା କରିବାପାଇଁ କ୍ୱଚିତ ସମର୍ଥ ହୋଇଥାଆନ୍ତି ।

 

ଏହି ଯୁଗରେ ସାମୟିକ ଉପନ୍ୟାସ ଲେଖିଛନ୍ତି ଅନେକ । ସେମାନଙ୍କ ମଧ୍ୟରେ ପ୍ରାଣକୃଷ୍ଣ ସାମଲ (୧୯୧୨-୧୯୫୩), ଲକ୍ଷ୍ମୀଧର ନାୟକ (୧୯୧୪), ଚନ୍ଦ୍ରମଣି ଦାସ (୧୯୧୬-୧୯୭୦) ପ୍ରମୁଖଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ । ପ୍ରାଣକୃଷ୍ଣଙ୍କ ଉପନ୍ୟାସଗୁଡ଼ିକ ବହୁ ପରିମାଣରେ କାବ୍ୟିକ । ନୀଳକମଳ (୧୯୩୯ର ରଚନା ପ୍ରକାଶ ୧୯୪୪), ସହଯାତ୍ରିଣୀ (୧୯୪୫), ହାତୀକା ଦାନ୍ତ (୧୯୪୭), ପଲ୍ଲୀଜୀବନ (୧୯୪୮) ପ୍ରଥମ ଉପନ୍ୟାସରେ ପ୍ରେମ ଓ ଦ୍ୱିତୀୟ ଉପନ୍ୟାସରେ ସମାଜ ସଂସ୍କାର ମୁଖ୍ୟ ବିଷୟବସ୍ତୁ । କଥାବସ୍ତୁର ପରିବେଷଣରେ ନାଟକୀୟତା, ନାୟକ ନାୟିକାଙ୍କର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଓ ତରଳ ମଧୁର ଭାଷା ପ୍ରାଣକୃଷ୍ଣଙ୍କ ସୃଷ୍ଟି–ଜଗତକୁ ବୈଶିଷ୍ଟ୍ୟ ଦାନ କରିଅଛି । ଚନ୍ଦ୍ରମଣୀ ଦାସ ଓ ଲକ୍ଷ୍ମୀଧର ନାୟକ ପାଠକଙ୍କର ରୁଚିକୁ ଘେନି କେତେବେଳେ ଜୀବନାବେଗ ପୁଣି କେତେବେଳେ ଜାତୀୟତାର ବିସ୍ଫୋରଣ ଘଟାଇଛନ୍ତି । ଏସବୁ ଉପନ୍ୟାସଗୁଡ଼ିକ ସାଧାରଣ ଅର୍ଦ୍ଧଶିକ୍ଷିତ ପାଠକ ପାଠିକାଙ୍କ ପାଇଁ ଯେପରିକି ଅଭିପ୍ରେତ । ଜ୍ଞାନୀନ୍ଦ୍ର ବର୍ମା (୧୯୧୮), ଶତାବ୍ଦୀର ସ୍ୱପ୍ନଭଙ୍ଗ, ଲାଲଘୋଡ଼ା, ଜୀବନର ଛନ୍ଦ, ତିନୋଟି ହୃଦୟର କାହାଣୀ, ଶେଷ ଅଭିସାର ପ୍ରଭୃତି ବହୁ ଉପନ୍ୟାସ ରଚନା କରିଛନ୍ତି । କେତେବେଳେ ଡିଟେକ୍‌ଟିଭ ସୁଲଭ ରୋମାଞ୍ଚକର ଘଟଣା ଅଥବା ନଗ୍ନ ଯୌନ ଆବେଦନର ଛଟା ଥିଲେ ବି ତାଙ୍କର ଉପନ୍ୟାସର ସ୍ଥାନେ ସ୍ଥାନେ ଉନ୍ନତ ମାନବିକତାର ଉଦାର ଦୃଷ୍ଟି ଦେଖିବାକୁ ମିଳେ । ତାଙ୍କର ଭାଷାଶୈଳୀ କେତେବେଳେ କାବ୍ୟିକ, କେତେବେଳେ ଅବା ସାମ୍ବାଦିକ ସୁଲଭ ସହଜ ସାରଲ୍ୟମଣ୍ଡିତ । ଏହି ପର୍ଯ୍ୟାୟର ଔପନ୍ୟାସିକଙ୍କ ମଧ୍ୟରେ ଶୁକଦେବ ସାହୁ, କଣ୍ଡୁରୀ ଚରଣ ଦାସ, ଯମେଶ୍ୱର ମିଶ୍ର ଆଦି ବହୁ ଲେଖକଙ୍କର ନାମ ସ୍ମରଣ କରାଯାଇପାରେ । ମାତ୍ର ଅଜସ୍ର ସୃଷ୍ଟିର ବିସ୍ତୃତ ଦିଗ୍‌ବଳୟ ମଧ୍ୟରେ ଯେଉଁମାନେ ମହତ୍ତର ସୃଷ୍ଟିର ସାଫଲ୍ୟ ଘେନି ଆବିର୍ଭୂତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଗୋପୀନାଥ ମହାନ୍ତି (୧୯୧୪), ସୁରେନ୍ଦ୍ର ମହାନ୍ତି (୧୯୨୨) ଓ ବସନ୍ତ କୁମାରୀ ପଟ୍ଟନାୟକ (୧୯୨୭) ଉଲ୍ଲେଖଯୋଗ୍ୟ ।

 

ଗୋପୀନାଥ ମହାନ୍ତି–(୧୯୧୪)

 

ଆଧୁନିକ ଓଡ଼ିଆ ସାହିତ୍ୟରେ ପ୍ରବୁଦ୍ଧ ମାନସିକତା ଓ ଗଭୀର ଜୀବନବୋଧର ସମନ୍ୱୟ ଘଟିଛି ଲବ୍‌ଧପ୍ରତିଷ୍ଠ ଗଦ୍ୟଶିଳ୍ପୀ ଓ କଥାସାହିତ୍ୟିକ ଗୋପୀନାଥ ମହାନ୍ତିଙ୍କଠାରେ । ଏକ ଅଭିଜାତ ସଂସ୍କୃତ ମନ ତାଙ୍କର ଅତି ସାଧାରଣ ଖର୍ବାକୃତି ଶ୍ୟାମଳବର୍ଣ୍ଣ ପ୍ରସନ୍ନ-ମୁଖ ଭିତରେ ଫୁଟିଉଠେ । ଏହି ସାଧାରଣ ମଣିଷଟି ଭିତରେ ଅସାଧାରଣ ପ୍ରତିଭା ସତେ ଯେପରିକି ପାରଂପରିକ ଭାବରେ ବିକଶିତ ହୋଇଥିଲା । ଓଡ଼ିଶାର ହୃତ୍‌ପିଣ୍ଡ କଟକ ସହରର ଅଦୂରରେ ସିଧୁଆ ନଦୀକୂଳର ‘ନାଗବାଲି’ ଗାଁ । ଏଇଠି ସୂର୍ଯ୍ୟମଣି ମହାନ୍ତିଙ୍କର ପ୍ରାଚୀନ ଆଭିଜାତ୍ୟ ମଣ୍ଡିତ ପରିବାର । ପରିବର୍ତ୍ତନର ଧକ୍‌କାରେ ସୂର୍ଯ୍ୟମଣିଙ୍କୁ ଗ୍ରାମ ଛାଡ଼ି ଚାଲିଯିବାକୁ ହୁଏ ପାର୍ବତ୍ୟଅଞ୍ଚଳ ସୋନପୁରକୁ । ଏକ ଦିଗରେ ସମତଳର ପ୍ରଶାନ୍ତ ସବୁଜପ୍ରକୃତି ଓ ଅନ୍ୟପକ୍ଷରେ ରୁକ୍ଷ ଶିଳାମୟ ପାର୍ବତ୍ୟପ୍ରକୃତି ଯେପରିକି ଗୋପୀନାଥଙ୍କ ହୃଦୟରେ ବୈଚିତ୍ର ସୃଷ୍ଟି କରିଥିଲା । ଗୋପୀନାଥଙ୍କ ସୃଷ୍ଟି-ମାନସ ଯେପରି ସମଗ୍ର ଓଡ଼ିଶାର ପ୍ରତିନିଧିତ୍ୱ କରିଛି, ତାହା ଏଯୁଗରେ ବିରଳ । ଆବହମାନ କାଳରୁ ଶବର, ଦ୍ରାବିଡ଼ ଓ ଆର୍ଯ୍ୟଭାବର ସମନ୍ୱୟ ଭୂମି ଭାବେ ଓଡ଼ିଶା ପରିଚିତ । ଗୋପୀନାଥ ସମତଳ ଓଡ଼ିଶାର ଜନପଦ ସଂସ୍କୃତି ମଧ୍ୟରେ ନିଜର ଶୈଶବ, ପାର୍ବତ୍ୟ ସଂସ୍କୃତି ମଧ୍ୟରେ ନିଜର କୈଶୋର ଅତିବାହିତ କରିଥିଲେ । ଛାତ୍ର ଜୀବନରେ ଗୋପୀନାଥ ଥିଲେ ଅତ୍ୟନ୍ତ ମେଧାବୀ । ସେ ୧୯୩୦ ଖ୍ରୀ:ଅରେ ପାଟନା ବିଶ୍ୱବିଦ୍ୟାଳୟରୁ ଦ୍ୱିତୀୟ ସ୍ଥାନ ଅଧିକାର କରି ମାଟ୍ରିକ୍ୟୁଲେସନ୍‌ ପାସ କରିଥିଲେ । ବିଜ୍ଞାନରେ ଯୋଗଦେଇ ଆଇ.ଏସ୍‌.ସି. ପାଶ୍‌ କରିଥିଲେ । ବିଜ୍ଞାନ ଛାଡ଼ି ଇଂରାଜୀ ସାହିତ୍ୟରେ ଯୋଗ ଦେଇଥିଲେ ଓ ୧୯୩୬ ଖ୍ରୀ:ଅରେ ଇଂରାଜୀ ସାହିତ୍ୟରେ ଏମ୍‌.ଏ. ଉପାଧି ଗ୍ରହଣ କରିଥିଲେ । ସାହିତ୍ୟ ଛାତ୍ର ଭାବରେ ହିଁ ତାଙ୍କର ସାହିତ୍ୟ ସାଧନା ଆରମ୍ଭ ହୋଇଥିଲା । ୧୯୩୪ ଖ୍ରୀ:ଅରୁ ପ୍ରାୟ ଧାରାବାହିକ ଭାବରେ ପତ୍ରପତ୍ରିକା ପାଇଁ ସେ ରମ୍ୟରଚନା ଓ କ୍ଷୁଦ୍ରଗଳ୍ପ ଲେଖିଥିଲେ । ଗୋପୀନାଥ ଇଂରେଜୀ ସାହିତ୍ୟରେ ଏମ୍‌.ଏ. ପାଶ୍‌ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟରେ ମୌଳିକ ରଚନାରେ ମନୋନିବେଶ କରିଥିଲେ । ଇଂରେଜୀ ସାହିତ୍ୟରେ ଅଧ୍ୟାପନା ଅଥବା ଭାରତୀୟ ଶାସନ ବିଭାଗରେ ଉଚ୍ଚସ୍ଥାନ ଲାଭର ପ୍ରୟାସରେ ସେ ସଫଳ ହୋଇ ନଥିଲେ ଓ ଭାଗ୍ୟଚକ୍ରରେ ତାଙ୍କୁ ଓଡ଼ିଶା ଶାସନ ବିଭାଗରେ ଜଣେ ଜୁନିୟର୍‍ ଅଫିସର ଭାବରେ ଯୋଗଦେବାକୁ ପଡ଼ିଥିଲା ୧୯୩୮ ଖ୍ରୀ:ଅରେ । ତାଙ୍କର ମାସିକ ଦରମା ଥିଲା ମାତ୍ର ଏକଶତ ଟଙ୍କା । ୧୯୪୦ ଖ୍ରୀ:ଅରେ ସେ ଆଦରମଣି ଦେବୀଙ୍କୁ ବିବାହ କରିଥିଲେ ।

 

ଏକଦିଗରେ ବ୍ୟକ୍ତିଗତ ଜୀବନର ଆଶା ଆକାଂକ୍ଷା, ସାଫଲ୍ୟ ଓ ବିଫଳତା ଓ ଅନ୍ୟ ଦିଗରେ ଜାତୀୟ ଜୀବନର ବୈପ୍ଳବିକ ଓ ଉଦ୍ଦୀପନାମୟ ପରିବର୍ତ୍ତନ ମଧ୍ୟରେ ତିରିଶ ଦଶକରେ ଗୋପୀନାଥଙ୍କ ସୃଷ୍ଟି ମାନସର ଭିତ୍ତିଭୂମି ଗଠିତ ହୋଇଥିଲା । ୧୯୩୦ରେ ଗାନ୍ଧିଜୀଙ୍କର ଅଖଣ୍ଡ ପ୍ରତାପଶାଳୀ ଇଂରେଜ ଶାସନ ବିରୋଧରେ ଆଇନ୍‌ଅମାନ୍ୟ ଆନ୍ଦୋଳନ, ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ଓ ଭାରତରେ ସାମ୍ୟବାଦୀ ଆନ୍ଦୋଳନର ବ୍ୟାପ୍ତି ଗୋପୀନାଥଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା । ଗୋପୀନାଥ ଓଡ଼ିଶାର ହୃତ୍‌ପିଣ୍ଡ କଟକ ସହରରେ ନିଜର କର୍ମମୟ ଜୀବନ ସଙ୍ଗେ ସଙ୍ଗେ ଲେଖକ ଜୀବନ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ‘ମନଗହୀରର ଚାଷ’ ୧୯୩୮ରେ ଶେଷ ହୋଇଥିଲା । କର୍ମଜୀବନରେ ନାନା ସ୍ଥାନକୁ ସ୍ଥାନାନ୍ତରିତ ହୋଇ ସମଗ୍ର ଓଡ଼ିଶାର ପ୍ରାକୃତିକ ପରିବେଶ ଓ ଜୀବନଧାରା ସଙ୍ଗେ ସେ ବିଶେଷ ପରିଚିତ ହୋଇଥିଲେ । କିନ୍ତୁ ଆଦିବାସୀ ଅଧ୍ୟୁସିତ ସୁଦୂର ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଜଣେ ମହକୁମ୍ମା ଶାସକ ତଥା ବିଚାରପତି ଭାବରେ ରହଣି ଗୋପୀନାଥଙ୍କ ସୃଷ୍ଟିମାନସରେ ଏକ ନୂତନ ଦିଗନ୍ତ ଉନ୍ମୋଚନ କରିଥିଲା । ସେ ଆଦିବାସୀ, ପରଜା, କନ୍ଧଙ୍କ ଭାଷା ଶିଖିଥିଲେ । ସେମାନଙ୍କର ସାମାଜିକ ଚଳଣି, ରୀତିନୀତି, ଆର୍ଥିକଜୀବନ, ଦୁଃଖଦାରିଦ୍ର୍ୟ, ଉଦାର ମାନବିକତାବୋଧ, ମୁକ୍ତ ପ୍ରଣୟ ଓ ପ୍ରକୃତି କ୍ରୋଡ଼ର ସ୍ୱାଭାବିକ ଜୀବନଧାରା ସଙ୍ଗେ ଆତ୍ମୀୟତା ସ୍ଥାପନ କରିଥିଲେ । ଏହି ସମୟରେ ସେ ରଚନା କରିଥିଲେ ‘ଦାଦିବୁତା’, ‘ଅମୃତର ସନ୍ତାନ’, ‘ଶିବଭାଇ’, ‘ଅପହଞ୍ଚ’ ଓ ‘ପରଜା’ । ଏକ ଦିଗରେ ଆଦିବାସୀଙ୍କ ଦୁଃଖଦୁର୍ଦ୍ଦଶା ପ୍ରତି ଦରଦ ଓ ଅନ୍ୟଦିଗରେ ପାର୍ବତ୍ୟ ପ୍ରକୃତି, ମେଘମେଦୁର ଆକାଶ, କ୍ରୀଡ଼ାଚପଳ ଗିରିନଦୀ, ଝିଂଜା ପ୍ରକମ୍ପିତ ଅରଣ୍ୟଭୂମି ସମର ଭାବମୟ ଆବେଗୋଷ୍ଣ ଚିତ୍ର ଗୋପୀନାଥଙ୍କର ଏହି ଉପନ୍ୟାସଗୁଡ଼ିକୁ ମହତ୍ତର ସୃଷ୍ଟିର ମର୍ଯ୍ୟାଦା ଦେଇଥିଲା-। ଗୋପୀନାଥଙ୍କର ଏହିଉପନ୍ୟାସଗୁଡ଼ିକୁ ପାଠକଲେ ଏକ ଦିଗରେ ଜଣେ ନୃତାତ୍ୱିକ ତଥ୍ୟ ଜିଜ୍ଞାସୁର ସୂକ୍ଷ୍ମ ତତ୍ୱନିଷ୍ଠା ଓ ଅନ୍ୟ ଦିଗରେ ଜଣେ ମାନବବାଦୀ ସ୍ରଷ୍ଟାର ଗଭୀର ଅର୍ନ୍ତଦୃଷ୍ଟି ଯୁଗପତ୍‌ ବିସ୍ମୟ ସୃଷ୍ଟିକରେ ।

 

ଗୋପୀନାଥଙ୍କର ଉପନ୍ୟାସଜଗତକୁ କେହି କେହି ନୃତାତ୍ୱିକ, ମନସ୍ତାତ୍ୱିକ ଓ ସାମାଜିକରୂପେ ଶ୍ରେଣୀ ବିଭାଗ କରନ୍ତି । ପୁଣି କେହି ସମତଳ ଓ ପାର୍ବତ୍ୟ ଅଂଚଳ; ପୁଣି କେହି ଗ୍ରାମୀଣ ଓ ନାଗରିକ ଜୀବନର ଆଲେଖ୍ୟରୂପେ ଚିତ୍ରଣ କରିପାରନ୍ତି । ଗୋପୀନାଥଙ୍କର କୌଣସି କୌଣସି ଉପନ୍ୟାସରେ ଯେପରି ମାନବ ଚରିତ୍ରର ସେହିପରି ନିଃସର୍ଗ ପ୍ରକୃତିର ଅସଯତ୍ନ ଚିତ୍ର ଦେଖାଯାଏ, ପୁଣି କେଉଁଠି ନାରୀ ସମାଜର ଅଥବା ଈର୍ଷା ଦ୍ୱନ୍ଦ୍ୱ ଜଡ଼ିତ ପୁରୁଷ ସମାଜର ଚିତ୍ର । ଗ୍ରାମ୍ୟ ପଟ୍ଟଭୂମିର ବର୍ଣ୍ଣାଢ଼୍ୟ ଆଲେଖ୍ୟ ସଙ୍ଗେ ସଙ୍ଗେ ନାଗରିକ ଜୀବନର କଳୁଷ କାଳିମା ବହିରାଙ୍ଗ ବର୍ଣ୍ଣବିଭା ଓ ପ୍ରବଞ୍ଚନାର ଚିତ୍ର ।

 

ଯୌବନରେ ରଚିତ ଗୋପୀନାଥଙ୍କର ‘ପରଜା’ ଓ ଅମୃତର ସନ୍ତାନ ତାଙ୍କ ସୃଷ୍ଟିଶୀଳ ମନର ଶ୍ରେଷ୍ଠ ପ୍ରକାଶ ବୋଲି ବିବେଚିତ ହୋଇଥାଏ । ଆଦିବାସୀ ଜୀବନ ଘେନି ତାଙ୍କ ଉପନ୍ୟାସ ‘ଦାଦିବୁଢ଼ା’ରେ ଆଦିବାସୀଙ୍କ ପୂଜିତ ଗୋଟିଏ ଖଜୁରୀଗଛ ଏକ ବିଶିଷ୍ଟ ଚରିତ୍ରରେ ପରିଣତ ହୋଇଅଛି । ଅମୃତର ସନ୍ତାନ ଆଦିବାସୀ ଜୀବନ ଘେନି ତାଙ୍କର ସର୍ବବୃହତ୍‌ ଉପନ୍ୟାସ । ଏହାର ଶୈଳୀ ମହାକାବ୍ୟିକ । ଜୀବନର ସୂକ୍ଷ୍ମ ପର୍ଯ୍ୟବେକ୍ଷଣ, ପ୍ରଣୟ ଓ ଈର୍ଷାର ଗଭୀର ଅନୁଭୂତି, ପାତ୍ରୋପଯୋଗୀ ଭାଷା ଓ ଶକ୍ତିଶାଳୀ ଜୀବନ୍ତ ଦିଗଦୃଶ୍ୟର ଅନୁପମ ବର୍ଣ୍ଣନା ସବୁକିଛି ଭିତରେ ମନୁଷ୍ୟର ହସକାନ୍ଦ, ପ୍ରେମବିରହ, ଜୀବନ ସଂଗ୍ରାମ ଉତ୍ସବ ଧର୍ମାଚାର, ସଂସ୍କୃତି, ଭାଷା ପ୍ରଭୃତିର ଚିତ୍ର ଉପନ୍ୟାସରେ ଅଂଶୀଭୂତ ହୋଇଥିଲା ।

 

ଗୋପୀନାଥଙ୍କର ‘ଲୟବିଲୟ’ ଓ ‘ଦାନାପାଣି’ ଦୁଇଟି ଭିନ୍ନ ସ୍ୱାଦର ଉପନ୍ୟାସ । ‘ଲୟବିଲୟ’ ଉପନ୍ୟାସଟି ପୁରୀର ସମୁଦ୍ର କୂଳକୁ ଘେନି ରଚିତ । କଲିକତା ମହାନଗରୀର ରୁଦ୍ଧଶ୍ୱାସ ବାତାବରଣରୁ ଆସି ପ୍ରୌଢ଼ ତରୁଣରାୟ, ତାଙ୍କର ସ୍ତ୍ରୀ ଓ ଅନୁଢ଼ା କନ୍ୟା ଯେପରିକି ନୂତନ ଜୀବନର ସନ୍ଧାନ କରିଛନ୍ତି । ସୀମାହୀନ ସମୁଦ୍ରର ଅଜସ୍ର ଢେଉ ବିକ୍ଷୁବ୍‌ଧ ବାଲିବେଳାରେ ସମୁଦ୍ର ଓ ଆକାଶର କେତେ ବିଚିତ୍ର ରୂପ ଦେଶଦେଶାନ୍ତରରୁ ଆଗତ କେତେ ରୁଚି, କେତେ ଭିନ୍ନ ବେଶ, ବିଚିତ୍ରଭଂଗୀ–ଗୋପୀନାଥ ଯେପରି ସୂକ୍ଷ୍ମଭାବରେ ନିରୀକ୍ଷଣ କରିଛନ୍ତି, ତା’ର ପ୍ରକାଶ ମଧ୍ୟ ହୋଇଛି ସେହିପରି ବଳିଷ୍ଠ ଓ ପ୍ରଭାବଶାଳୀ । ପୁରୀର ପ୍ରସିଦ୍ଧ ଜଗନ୍ନାଥଙ୍କ ଦେବବିଗ୍ରହ ସମ୍ମୁଖରେ ଦଣ୍ଡାୟମାନ ଏଇ ଉପନ୍ୟାସର ନାୟକର ଅନୁଭବକୁ ଲେଖକ ରୂପ ଦେଇଛନ୍ତି । ନିମ୍ନ ଭାଷାରେ –

 

“ତରୁଣରାୟ ଦେବତା ବିଗ୍ରହ ଦେଖୁନାହିଁ, ସେ ଦେଖୁଛି ଅତି ଆପଣାର ହୋଇ ସେଇ ମନର ମଣିଷକୁ, ସେହି ଯାହାକୁ ସେ ମନଗହନର ଆପଣା ଅନ୍ଧାରି ଭିତରେ, ଆଉ ପଦାରେ ଜୀବନ ଯାକ ଲୋକ ଗହନରେ ଖୋଜି ବୁଲୁଥିଲା, X X X X X କେତେବେଳେ ମୁହୂର୍ତ୍ତକର ସ୍ମରଣରେ ହେତୁ କରୁଥିଲା କେତେବେଳେ ପାଶୋରି ଯାଇଥିଲା । ତାକୁ ଲାଗୁଥାଏ ସେ ଦେଖିପାରୁଛି ଏଇଠିତ ସେ । ତା ଆଗରେ ଏଇଠି କେଉଁଠି ସେ ଅଛନ୍ତି ।” ଏଇ ଦେବ ବିଗ୍ରହ ଆଗରେ ଯେଉଁ ମଣିଷ ଖୋଜିପାଇଛି ନିଜର ଉଦାରତା, ହରାଇଛି ନିଜର ଗ୍ଳାନି, ହତାଶା ଓ ଅହଂକାର ସେଇ ମଣିଷ ‘ଦାନାପାଣି’ର ବଳୀଦତ୍ତ ଭିତରେ ହୋଇଉଠିଛି ଅହଂକାରୀ, ଉଦ୍ଧତ ଓ ଦାନାପାଣିର ପ୍ରାଚୁର୍ଯ୍ୟ ଓ ଜୀବନର ସାଫଲ୍ୟ ଖୋଜି ଖୋଜି ପାଇଛି ବିରାଟ ଶୂନ୍ୟତା ।

 

ଗୋପୀନାଥ ବହୁ ସାମାଜିକ ଉପନ୍ୟାସ ରଚନା କରିଛନ୍ତି, ‘ରାହୁର ଛାୟା’, ‘ସପନମାଟି’, ‘ଦୁଇପତ୍ର’, ‘ଶରତ ବାବୁଙ୍କ ଗଳି’ ଏହି ଶ୍ରେଣୀର ଉପନ୍ୟାସ । କେହି କେହି ମନେକରନ୍ତି ଏଇ ଉପନ୍ୟାସଗୁଡ଼ିକରେ ଗୋପୀନାଥ ନିଜ ବଡ଼ଭାଇ କାହ୍ନୁଚରଣଙ୍କଦ୍ୱାରା ପ୍ରଭାବିତ-। କାହ୍ନୁଚରଣଙ୍କ ଗଳ୍ପ ରଚନା ରୀତି ଚମତ୍କାର, ଭାଷା ମସୃଣ । ମାତ୍ର ଗୋପୀନାଥଙ୍କ ଉପନ୍ୟାସର ଗଳ୍ପ ଗୌଣ, କେତେକ ସାମାଜିକ ଘଟଣାର ବିଷଦ ବର୍ଣ୍ଣନା ମଧ୍ୟରେ ଲେଖକ ନିଜର ବଳିଷ୍ଠ ଭାଷାଶୈଳୀ ଓ ସୂକ୍ଷ୍ମ ପର୍ଯ୍ୟବେକ୍ଷଣର ପରିଚୟ ଦେଇଛନ୍ତି ।

 

‘ହରିଜନ’ ଗୋପୀନାଥଙ୍କର ଆଉ ଏକ ଉଲ୍ଲେଖଯୋଗ୍ୟ ଉପନ୍ୟାସ । ଏହା ସ୍ୱାଧୀନତାର ପ୍ରାକ୍‌ କାଳରେ ବର୍ଣ୍ଣ-ବିଦ୍ୱେଷ ଓ ଶ୍ରେଣୀ ସଂଘର୍ଷର ପଟ୍ଟଭୂମିରେ ରଚିତ । ସହର ତଳିର ‘ନାକଧରାପୁର’କୁ ସହର ଲମ୍ବିଛି । ଅବିନାଶ ବାବୁଙ୍କ ଦ୍ୱିତଳ ପ୍ରାସାଦର ଶୋଭା ବର୍ଦ୍ଧନ ପାଇଁ ହରିଜନ ବସ୍ତି ଉଠି, ସେଠାରେ ପାର୍କ ତିଆରି ହୋଇଛି । ଏଇ ଘଟଣାକୁ କେନ୍ଦ୍ରକରି କେତେ ପ୍ରେମ, ଈର୍ଷା, ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ସଂଘର୍ଷର ଚିତ୍ର ଅଙ୍କିତ ହୋଇଛି । ସବୁ ଆନ୍ଦୋଳନ, ଆତ୍ମତ୍ୟାଗ ବିଫଳ ହୋଇଛି । ଦରିଦ୍ର, ହରିଜନଙ୍କୁ ସମର୍ଥନ ପାଇଁ ଆଗେଇ ଆସିଥିବା ଧନୀ ଓ ଶିକ୍ଷିତ ଲୋକେ ଶେଷ ମୁହୂର୍ତ୍ତରେ ସେମାନଙ୍କୁ ପରିତ୍ୟାଗ କରିଛନ୍ତି । କେହି ଚୋରୀ ଅପରାଧରେ ଜେଲ ଯାଇଛନ୍ତି, ସେମାନଙ୍କ ଜମି ଧନୀଙ୍କ ହାତକୁ ଯାଇଛି । ସେମାନେ ବିତାଡ଼ିତ ହୋଇଛନ୍ତି ସହର ଉପାନ୍ତର ଅପନ୍ତରାକୁ । ଗାନ୍ଧିଜୀଙ୍କ ଆଦର୍ଶ ଏଠାରେ ବ୍ୟର୍ଥ ହୋଇଛି । ଅଛୁଆଁ ଛୁଆଁ ହୋଇନାହିଁ, କି ଧନୀ ଭଦ୍ରସମାଜର ସମାନ ମର୍ଯ୍ୟାଦା ପାଇନାହିଁ ।

 

ଗୋପୀନାଥଙ୍କ ସର୍ବବୃହତ୍‌ ଉପନ୍ୟାସ ମାଟିମଟାଳ । ଏହା ରଚନାରେ ଲେଖକଙ୍କର ଦଶବର୍ଷ ଅତିବାହିତ ହୋଇଛି । ଏହା ଓଡ଼ିଶାର ସମତଳ ଅଞ୍ଚଳର ଗ୍ରାମଜୀବନରେ ଏକ ମହାକାବ୍ୟିକ ଚିତ୍ର । ଏହି ଉପନ୍ୟାସର ନାୟକ ରବି ବି.ଏ. ପାଶ୍‌ କରି ସହରରେ କର୍ମଜୀବନ ବିତାଇବାକୁ ଯାଇଛି । ପଥରେ ଜଣେ ବଂଧୁ ଘରେ ଗୋଟିଏ ରାତି କଟାଇବାକୁ ପଡ଼ିଛି । ସେଇଠି ସେ ସିଦ୍ଧାନ୍ତ କରିଛି, ସହର ନୁହେଁ, ଗ୍ରାମ ହିଁ ତା’ର କର୍ମଭୂମି । ପିତା ଜଣେ ଗାଉଁଲୀ ଜମିଦାର–ସେ ଏହାର ବିରୋଧ କରିଛନ୍ତି । ମାତ୍ର ରବି ନିଜ ସିଦ୍ଧାନ୍ତରେ ଅଟଳ ରହିଛି । ସେ ଗ୍ରାମବାସୀଙ୍କ ହିଂସା ଦ୍ୱେଷ ଦୂର କରିବାକୁ, ସେମାନଙ୍କୁ ଗୋଟିଏ ପରିବାରରେ ପରିଣତ କରିବାକୁ ସଂଗଠନ କରିଚାଲିଛି, ରବିର ବିରୋଧ ଘଟିଛି ପିତାଙ୍କ ସଙ୍ଗେ ନିଜ ବିବାହ ଘେନି । ଏଥିରେ ମଧ୍ୟ ନୂତନ ମୂଲ୍ୟବୋଧ ଓ ଭାବାଦର୍ଶର ଜୟ ଓ ପୁରାତନ ପରମ୍ପରାର କ୍ରମବିଲୟର ଚିତ୍ର ଅଙ୍କିତ ହୋଇଛି । ଗତାନୁଗତିକ ଜୀବନରେ ପ୍ରାକୃତିକ ବିପର୍ଯ୍ୟୟ ଆଗେ ମାନସିକ ସଂହତିର ସାର୍ଥକତା । ଏକ ବନ୍ୟାର କରାଳ ଚିତ୍ର ମଧ୍ୟରେ ମନୁଷ୍ୟର ଅସହାୟତା ଓ ଲୋଭ ଓ ଜୀବନ ଯନ୍ତ୍ରଣା ମଧ୍ୟରେ ସ୍ଥିତିର ସ୍ୱାଭାବିକ ପରିଣତି । ବହୁ ଘଟଣାର ଘାତ ପ୍ରତିଘାତ ନାଟକୀୟ ବିନ୍ୟାସ ମଧ୍ୟରେ ଲେଖକଙ୍କ ଗଭୀର ଅନ୍ତର୍ଦୃଷ୍ଟି ପ୍ରତିଫଳିତ । ମାତ୍ର ବୃହଦାକାର ଉପନ୍ୟାସଟିର ଶିଳ୍ପ ସଂଗତି ବିଷୟରେ କେହି କେହି ସନ୍ଦୀହାନ । ଏଥିରେ ଘଟଣାର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ରହିଛି । ମାତ୍ର ନାୟକ ନାୟିକାଙ୍କ ମାନସିକ ଦ୍ୱନ୍ଦ୍ୱର ଯଥାର୍ଥ ଚିତ୍ରଣ ନାହିଁ । ଘଟଣା ସ୍ଥାନେ ସ୍ଥାନେ ପୂର୍ବକଳ୍ପିତ ଭଳି ବୋଧହୁଏ । ଗଳ୍ପାଂଶର ଗତି ଏପରି ମନ୍ଥର ଯେ, ଏଥିରେ କୌଣସି ପାଠକ କୌତୁହଳ ଅନୁଭବ କରେନାହିଁ । ଏହି ଉପନ୍ୟାସରେ ମଧ୍ୟ ନାୟକ ନାୟିକାଙ୍କର ଆକସ୍ମିକ ଗୋପନ ମିଳନ । ସେଥିଲାଗି ଅପବାଦ ରଚନାର ପରିପାଟୀହୀନ ବର୍ଣ୍ଣନାରେ ଲେଖକ ଅଯଥା ଶକ୍ତି ଅପଚୟ କରିଛନ୍ତି । ଏଇ ଉପନ୍ୟାସର ‘ବଟ ମହାପାତ୍ର’ ଓଡ଼ିଆ ଉପନ୍ୟାସର ଜନକ ଫକୀର ମୋହନଙ୍କ ଛ’ମାଣ ଆଠଗୁଣ୍ଠର ରାମଚନ୍ଦ୍ର ମଙ୍ଗରାଜର ଯେପରିକି ଆଧୁନିକ ସଂସ୍କରଣ । ଉପନ୍ୟାସ କ୍ଷେତ୍ରରେ ନୂତନ ଆଙ୍ଗିକ ଶୈଳୀ ଘେନି ପରୀକ୍ଷା ଏବେବି ଚାଲିଛି । ତାଙ୍କର ‘ଆକାଶ ସୁନ୍ଦେରୀ’ ଉପନ୍ୟାସରେ ଜଣେ ସ୍ୱଳ୍ପବୁଦ୍ଧି ମଣିଷର ସ୍ୱଗତ ସଂଳାପ ସ୍ଥାନ ପାଇଛି । ସମଗ୍ର ଉପନ୍ୟାସରେ କୌଣସି ବିରତି ଚିହ୍ନ ପର୍ଯ୍ୟନ୍ତ ବ୍ୟବହୃତ ହୋଇନାହିଁ ।

 

ସରକାରୀ କର୍ମରୁ ଅବସର ଗ୍ରହଣ କରି ଗୋପୀନାଥ ସମ୍ପୂର୍ଣ୍ଣରୂପେ ସାହିତ୍ୟ ଓ ସମାଜର ବିକାଶ ପାଇଁ ନିଜକୁ ନିୟୋଜିତ କରିଛନ୍ତି । ଭାଷାଶିଳ୍ପର ସୃଷ୍ଟିଶୀଳ ମନଭାଷା ଶିକ୍ଷା ପ୍ରତି କୌତୂହଳୀ କରିଛି । ଆଦିବାସୀଙ୍କ ଭାଷାର ବର୍ଣ୍ଣନାତ୍ମକ ବ୍ୟାକରଣ ରଚନା ତାଙ୍କର ଅନ୍ୟତମ କୃତିତ୍ୱ ।

 

କୋଡ଼ିଏଗୋଟି ଉପନ୍ୟାସ ସଙ୍ଗେ ସଙ୍ଗେ ଗୋପୀନାଥଙ୍କର ‘ଆଠଗୋଟି’ କ୍ଷୁଦ୍ରଗଳ୍ପ ସଂକଳନ ପ୍ରକାଶିତ ହୋଇଛି । ବସ୍ତୁତଃ ୧୯୩୬ ଖ୍ରୀଷ୍ଟାବ୍ଦରେ ସୁନାମଧନ୍ୟ ଆଧୁନିକ ପତ୍ରିକାରେ ଗୋଟିଏ କ୍ଷୁଦ୍ରଗଳ୍ପ ଲେଖି ଗୋପୀନାଥ ଆତ୍ମପ୍ରକାଶ କରିଥିଲେ । ଗୋପୀନାଥଙ୍କ ପ୍ରଥମ ପ୍ରକାଶିତ ସଂକଳନ ‘ଘାସଫୁଲ’ର ଗଳ୍ପଗୁଡ଼ିକ ସମାଜ ଓ ଜୀବନର ଅତି ସାଧାରଣ ଘଟଣା ଓ ଚିତ୍ର ଉପରେ ଆଧାରିତ । ତାଙ୍କର ଅନ୍ୟ ସଂକଳନଗୁଡ଼ିକ ହେଉଛି–‘ପୋଡ଼ାକପାଳ’, ‘ନବବଧୂ’, ‘ଛାଇ ଆଲୁଅ’, ‘ରଣଧନ୍ଦୋଳ’, ‘ଗୁପ୍ତଗଙ୍ଗା’, ‘ନା ମନେନାହିଁ’, ‘ଉଡ଼ନ୍ତାଖଇ’; ସମୟ ସମୟରେ ଅତିକଥନ ଦୋଷରେ ତାଙ୍କ ଗଳ୍ପଗୁଡ଼ିକ ଭାରାକ୍ରାନ୍ତ ହୋଇଥିଲେ ହେଁ, ଏସବୁ ଏକ ପୋଖତ ମନର ସୃଷ୍ଟି । କେତେକ ଗଳ୍ପରେ ଏକ ଏକ ପ୍ରଭାବଶାଳୀ ମନୋଜ୍ଞ ପ୍ରତୀକ ମଧ୍ୟରେ କ୍ଷୁଦ୍ରଗଳ୍ପଗୁଡ଼ିକ ସାର୍ଥକ ହୋଇରହିଛି ।

 

ସାମୟିକ ଭାବରେ ଗୋପୀନାଥ ନାଟକ, ଜୀବନୀ ଓ ପ୍ରବନ୍ଧ ରଚନା କରିଥାନ୍ତି । ତାଙ୍କ ନାଟକଗୁଡ଼ିକ ମଞ୍ଚୋପଯୋଗୀ ନୁହେଁ । ମାତ୍ର ଉଚ୍ଚ କଳାତ୍ମକ କାବ୍ୟ ସୌନ୍ଦର୍ଯ୍ୟ ମଣ୍ଡିତ । ତାଙ୍କର ନିବନ୍ଧମଳାରେ ମୌଳିକ ଭାବନା, କଳାତ୍ମକ ପ୍ରକାଶ ସହଜରେ ପାଠକଙ୍କୁ ଆକୃଷ୍ଟ କରେ ।

 

ସୁରେନ୍ଦ୍ର ମହାନ୍ତି–(୧୯୨୨)

 

୧୯୪୨ରେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ରେଭେନ୍‌ସା କଲେଜର ଇଂରାଜୀ ଅନର୍ସ ଶେଷବର୍ଷ ଶ୍ରେଣୀରୁ ବହିଷ୍କୃତ ହୋଇଥିଲେ । ରାଜନୀତି ଓ ସାମ୍ବାଦିକତା ମଧ୍ୟରେ ସେ ଆଜୀବନ ସାହିତ୍ୟ ସାଧନା କରିଆସୁଛନ୍ତି । ୧୯୪୦ରୁ ସେ ପ୍ରଥମେ ନାଟକ ଲେଖକ ଓ କ୍ଷୁଦ୍ରଗଳ୍ପ ଲେଖକ ଭାବରେ ନୂତନ ଶୈଳୀର ପ୍ରବର୍ତ୍ତନ କରି ଆସିଛନ୍ତି । ନାଟ୍ୟକାର ସୁରେନ୍ଦ୍ର ମହାନ୍ତି ମାନବତା ଓ ନୈତିକତାର ପୂଜାରୀ ଥିଲେ । ବୁଦ୍ଧ ଓ ବାପୁଜୀଙ୍କ ଜୀବନୀ ତାଙ୍କୁ ନାଟକ ଲେଖିବା ପାଇଁ ପ୍ରେରିତ କରିଥିଲା । କିନ୍ତୁ ନାଟକୀୟତା ତାଙ୍କର ସମସ୍ତ ସାହିତ୍ୟ କୃତିରେ ଏକ ଶିଳ୍ପ ଚେତନା ଭାବରେ ଜୀବନ୍ତହୋଇ ରହିଥିଲା । କ୍ଷୁଦ୍ରଗଳ୍ପ ଓ ସାହିତ୍ୟ ସମୀକ୍ଷା କ୍ଷେତ୍ରରେ ଅବିନଶ୍ୱର ସୃଷ୍ଟି ସାଫଲ୍ୟର ଅଧିକାରୀ କିଛିଦିନ ବିଳମ୍ବରେ ଉପନ୍ୟାସ କ୍ଷେତ୍ରରେ ପ୍ରବେଶ କରିଛନ୍ତି । ତାଙ୍କର ପ୍ରାଥମିକ ଯୁଗର ଲେଖା ‘କଲେଜ୍‌ ବୟ’ (୧୯୪୭), ‘ବଧୂ ଓ ପ୍ରିୟା’ (୧୯୪୮) ଉପନ୍ୟାସଗୁଡ଼ିକ ଲରେନ୍‌ସଙ୍କ ଆଦର୍ଶରେ ଯୌନଚେତନା ଭିତରେ ସ୍ୱାଧୀନତାର ସ୍ୱପ୍ନରେ ସମାଚ୍ଛନ୍ନ । ଉଦଗ୍ର ଭାବପ୍ରବଣତା କ୍ରମଶଃ ମହତ୍ତର ଶିଳ୍ପ ସୃଷ୍ଟି ଆଡ଼କୁ ଶ୍ରୀ ମହାନ୍ତିଙ୍କୁ ଘେନିଯାଇଅଛି । ସେ ସମସାମୟିକ ସମାଜର ଭାବମୂର୍ତ୍ତି ଅଂକନ କରିବାକୁ ଯାଇ କେତେବେଳେ ନିଜ ସମସାମୟିକ କାଳରେ ବା ଇତିହାସ ଯୁଗରେ ଭ୍ରମଣ କରିଅଛନ୍ତି । ଶ୍ରୀ ମହାନ୍ତିଙ୍କ ଉପନ୍ୟାସଗୁଡ଼ିକ ଆଂଶିକ ଓ ଆତ୍ମିକ ଦୃଷ୍ଟିରୁ ବୈଚିତ୍ର୍ୟ ଦାବୀକରେ । ଅନ୍ଧଦିଗନ୍ତ (୧୯୬୪), ସାମାଜିକ ଉପନ୍ୟାସ । ହଂସଗୀତି ପ୍ରତୀକାତ୍ମକ ରହସ୍ୟବାଦୀ ଉପନ୍ୟାସ । ଶତାବ୍ଦୀର ସୂର୍ଯ୍ୟ (୧୯୭୦) ଓ କୁଳବୁଦ୍ଧ (୧୯୭୮) ଚରିତୋପନ୍ୟାସ, ନୀଳଶୈଳ (୧୯୬୮) ଓ ନୀଳାଦ୍ରି ବିନୟ (୧୯୭୯) ଐତିହାସିକ ଉପନ୍ୟାସ-। ଏସବୁ ଆଂଶିକ ବୈଚିତ୍ର୍ୟ ସତ୍ତ୍ୱେ ସୁରେନ୍ଦ୍ରବାବୁଙ୍କ ଉପନ୍ୟାସଗୁଡ଼ିକରେ ଅନ୍ତର୍ନିହିତଭାବ ଚେତନାରେ ରାଜନୀତିକ, ସାମାଜିକ, ଧର୍ମୀୟ ଓ ସଂସ୍କାରଗତ ପାରଂପାରିକତା ମଧ୍ୟରେ ପ୍ରତିଭାଶାଳୀ ବ୍ୟକ୍ତିର ସଂଘର୍ଷ ଓ ଉଦ୍‌ବର୍ତ୍ତନର ଚିତ୍ର ଅଙ୍କିତ ଲେଖକଙ୍କର ଏକ ସଂସ୍କାର ମୁକ୍ତ ନିରାସକ୍ତ ମାନବତାବାଦୀ ଦୃଷ୍ଟିକୋଣ ଏକ କାବ୍ୟିକ ଅନ୍ତଦୃଷ୍ଟି ସଙ୍ଗେ ମଣିଷର ଅନ୍ତର୍ଗତ ଭାବଜଗତର ଦ୍ୱନ୍ଦ୍ୱ ପ୍ରତି ଏକ ନାଟ୍ୟିକ ଦୃଷ୍ଟି ତାଙ୍କ ଉପନ୍ୟାସଗୁଡ଼ିକୁ ଶିଳ୍ପସମୃଦ୍ଧ କରିଅଛି । ଉପନ୍ୟାସର ଘଟଣାବଳୀକୁ ସ୍ଥାନକାଳର ବାସ୍ତବ ପଟ୍ଟଭୂମିରେ ଉପସ୍ଥାପନା ମଧ୍ୟରେ ଲେଖକଙ୍କର ପାରଂପାରିକ ରସଦୃଷ୍ଟି ପ୍ରତିଫଳିତ ହୋଇଅଛି । ମାତ୍ର ଉପନ୍ୟାସଗୁଡ଼ିକର ସାମଗ୍ରିକ ଗଠନରେ ନବନବ ପରୀକ୍ଷା ଓ ବହୁବିଧ ପ୍ରତ୍ୟାଶାର ସମନ୍ୱୟ ଘଟାଇ ସେ ଜଣେ ସାର୍ଥକ ପ୍ରୟୋଗବାଦୀ ଶିଳ୍ପୀର ପରିଚୟ ଦେଇଅଛନ୍ତି । ତାଙ୍କର ଉପନ୍ୟାସଗୁଡ଼ିକ ମହାକାବ୍ୟିକ ଭାବଚେତନା, ପ୍ରଗତୀ ସୁଲଭ ଆତ୍ମିକ ଅନୁଭୂତି ଓ ସୂୟାତିସୂକ୍ଷ୍ମ ସଂଦର୍ଶନ ଶକ୍ତିର ପରିଚୟ ଦେଇଥାଏ । ମନୁଷ୍ୟ ସଙ୍ଗେ ନିଃସର୍ଗ ପ୍ରକୃତିର ଆତ୍ମିକ ଯୋଗସୂତ୍ର ସ୍ଥାପନରେ ଶ୍ରୀ ମହାନ୍ତି ଜଣେ କୁଶଳୀ ଶିଳ୍ପୀର ପରିଚୟ ଦେଇଅଛନ୍ତି । ନାୟକ ନାୟିକାଙ୍କର ବିଷାଦ-ଆନନ୍ଦ ମୁହୂର୍ତ୍ତଗୁଡ଼ିକ ସତେ ଯେପରିକି ପ୍ରକୃତିର ଜୀବନ୍ତ ପ୍ରାଣସତ୍ତାରେ ସ୍ଥାୟିତ୍ୱ ଲାଭ କରିଅଛି ।

 

ସ୍ୱାଧୀନତାର ପ୍ରାକ୍‌ କାଳରେ ରଚିତ କଲେଜବୟ (୧୯୪୭), ସାମୟିକ ଶିକ୍ଷାନୁଷ୍ଠାନର ନୈତିକ ବିଭ୍ରାଟର ଏକ ବିଶ୍ଳେଷଣ । ଏହି ଉପନ୍ୟାସରେ କଲେଜର ଦୁଇଟି ତରୁଣୀ କିରବୀ ଓ ତା’ର ସହଧ୍ୟାୟିନୀ ମଂଜରୀ ମଧ୍ୟରେ ପତ୍ର ବିନିମୟ ଘଟିଛି । ସେମାନଙ୍କର କଲେଜ ବଂଧୁ ନିଶୀଥ, ସୁକାନ୍ତ, ସରୋଜ ସମ୍ପର୍କରେ । କେତେବେଳେ ଏହି ତରୁଣମାନେ ଅବଦମିତ ଯୌନ କ୍ଷୁଧାରେ ବିପଥଗାମୀ ପୁଣି ସ୍ୱାଧୀନତାର ଉଦ୍ଦୀପନାରେ ଆଦର୍ଶବାଦୀ । ଏମାନଙ୍କ ଧାରଣାରେ କଲେଜ କେତେଗୁଡ଼ିକ କ୍ରୀତଦାସର କାରଖାନା ଅଥବା ଲକ୍ଷ୍ୟହୀନ ଓ ଉତ୍ସୃଙ୍ଖଳ ଜୀବନର ଉଦ୍‌ଭଟ ଚିନ୍ତା, ଅଜୀର୍ଣ୍ଣ ବିଦ୍ୟାଘେନି ଏକ ଅନୁଷ୍ଠାନ । ପରିଶେଷରେ ଏକ ରାଜନୈତିକ ଆନ୍ଦୋଳନରେ ଛାତ୍ରମାନଙ୍କୁ କିପରି ହତାଶ ହତିଆର କରାଯାଉଥିଲା, ତା’ର ଚିତ୍ର ମଧ୍ୟରେ ଉପନ୍ୟାସଟି ଶେଷ ହୋଇଛି ।

 

ବଧୂ ଓ ପ୍ରିୟା (୧୯୪୮) ଉପନ୍ୟାସରେ ନାୟିକା ଲୀଳା ଶ୍ରୀକାନ୍ତଙ୍କର ସ୍ତ୍ରୀ, ମାତ୍ର ଶିଳ୍ପୀ ପଙ୍କଜର ପ୍ରଣୟୀ ଭାବରେ ଆଶା ଓ ଆଶଙ୍କାର ଘୂର୍ଣ୍ଣିରେ ତା’ର ହୃଦୟ ଯେପରି ହୋଇଛି ଭାରାକ୍ରାନ୍ତ ସେହିପରି ତା’ର ପ୍ରେମିକ ପଙ୍କଜର ଜୀବନ ହୋଇଛି ଅଶ୍ରୁବନ୍ୟାରେ ସଜଳ । ଏହିସବୁ ଲଘୁ ଉପନ୍ୟାସଗୁଡ଼ିକ ରଚନାର ଦୀର୍ଘ ୧୯ ବର୍ଷ ପରେ ଅନ୍ଧଦିଗନ୍ତ ପ୍ରକାଶିତ । ଏକ ଦିଗରେ ସ୍ୱାଧୀନତା ପାଇଁ ନିଗ୍ରହ ଓ ଅନ୍ୟ ଦିଗରେ ସ୍ୱାଧୀନତା ପରବର୍ତ୍ତୀ ଯୁଗର ବିତ୍ପାତ, ଏକ ଦିଗରେ ସ୍ୱାଧୀନତାର ସ୍ୱପ୍ନ ଓ ଅନ୍ୟ ଦିଗରେ ସ୍ୱାଧୀନତାର ବ୍ୟର୍ଥତାର ପଟ୍ଟଭୂମିରେ ୧୯୨୮ରେ ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନଠାରୁ ୧୯୫୦ରେ ପ୍ରଥମ ଜାତୀୟ ନିର୍ବାଚନ ସମୟ ମଧ୍ୟରେ ଉପନ୍ୟାସଟି କଳ୍ପିତ । ଏହି ଉପନ୍ୟାସର ଘଟଣା ପ୍ରବାହ ମଧ୍ୟରେ ସମସାମୟିକ ଇଂରେଜ ଭାରତର ରାଜନୈତିକ ଚିତ୍ର, ସାମାଜିକ ସମସ୍ୟା, ସାଂପ୍ରଦାୟିକ ସଂଘର୍ଷର ବର୍ଣ୍ଣନା ମଧ୍ୟରେ ଆଦର୍ଶବାଦୀ କର୍ମୀ ଓ ସ୍ୱାର୍ଥପର ଜନତାଙ୍କର ଚରିତ୍ରର ଶୋଭାଯାତ୍ରା ଚାଲିଅଛି । ସେଦିନର ପ୍ରଜାପୀଡ଼କ ଜମିଦାର ରାମନାରାୟଣ ମନ୍ତ୍ରୀ ହୋଇଛନ୍ତି, ସ୍ୱାର୍ଥର ଆଟୋପ ମଧ୍ୟରେ ଶୁଦ୍ଧୋଦନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମାତ୍ର ଧୋୟା ମୂଲକ ମଧୁପୁର ଗାଁରେ ଅତି ସାଧାରଣ ନିଧିଦାସ ୧୯୨୧ ରୁ ୧୯୪୭ ସମସ୍ତ ଆନ୍ଦୋଳନରେ ଝାସ ଦେଇ ସ୍ୱାଧୀନତା ପରେ କ୍ଷମତାର ପ୍ରଲୋଭନରୁ ନିଜକୁ ମୁକ୍ତ ରଖି ଶେଷ ପର୍ଯ୍ୟନ୍ତ ଅରଟରେ ସୂତାକାଟି ଦରିଦ୍ର ନାରାୟଣଙ୍କ ସେବାକରି ତଳି ତିଳ କରି ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଉତ୍ସର୍ଗ କରିଛନ୍ତି ନିଜର ଅଖ୍ୟାତ ପଲ୍ଲୀର ସେଇ ବିରୁପାଶ୍ରମର ଚତୁଃସୀମା ମଧ୍ୟରେ । ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ତାଙ୍କରି ଚିତାଭସ୍ମ ହୋଇଛି ତୀର୍ଥର ରେଣୁ । ନିଧିଦାସ ଚରିତ୍ରରେ ଯେଉଁ ଆତ୍ମନିପୀଡ଼କ ଓ ମହନୀୟ ବ୍ୟକ୍ତିତ୍ୱର ଚିତ୍ରଲେଖକ ଆଙ୍କିଛନ୍ତି, ସତେ ଯେପରି ସେଇ ଅନୁରୂପ ଚରିତ୍ରମାନ ଖୋଜିଛନ୍ତି ଜାତିର ଇତିହାସ ପୃଷ୍ଠାରୁ । ଆଦର୍ଶ ପାଇଁ ଆତ୍ମବଳୀଦାନର ଉଦଗ୍ର ପ୍ରେରଣାର ଉତ୍ସରୂପେ ସେ ଚିତ୍ରଣ କରିଛନ୍ତି ନୀଳଶୈଳ ଓ ନୀଳାଦ୍ରି ବିଜୟର ନାୟକ ଅଷ୍ଟାଦଶ ଶତାବ୍ଦୀର ଖୋର୍ଦ୍ଧାର ରାଜା ରାମଚନ୍ଦ୍ର ଦେବଙ୍କୁ । ସେ ଏକ ଦିଗରେ ଉତ୍କଳୀୟ ଆଦର୍ଶର ପ୍ରତୀକ । ଜଗନ୍ନାଥଙ୍କୁ ବିଧର୍ମୀଙ୍କ କବଳରୁ ରକ୍ଷାକରିବା ପାଇଁ ଧର୍ମାନ୍ତର ଗ୍ରହଣ କରିଛନ୍ତି ପୁଣି ନିଜର ସମସ୍ତ ସୁଖ ସଂଭୋଗ ପରିହାର ପରି ଜଗନ୍ନାଥଙ୍କୁ ଚିଲିକା କୂଳରେ ଲୁଚାଇ ଉତ୍କଳୟ ମର୍ଯ୍ୟାଦା ରକ୍ଷା କରିଛନ୍ତି । ଏହି ମହାନାୟକଙ୍କ ଚତୁପାଶ୍ୱର୍ରେ ଉଜ୍ଜ୍ୱଳଶିଖା ଭଳି ବେଢ଼ି ରହିଛନ୍ତି ଅନେକ ଗୌଣଚରିତ୍ର । ଲକ୍ଷ୍ମୀ ପରମଗୁରୁ, ବିଷ୍ଣୁ ପଶ୍ଚିମକବାଟ, ସେହିପରି ଜାତୀୟ ଅଧୋଗତିର ପ୍ରତୀକରୂପେ ଆତ୍ମପ୍ରକାଶ କରିଛନ୍ତି ବେଣୁ ଭ୍ରମରବର, ଗୌରୀ ରାଜଗୁରୁ ଓ ତାଙ୍କର ଅନୁଚରବର୍ଗ । ସମକାଳୀନ ସମାଜରୁ ଯେଉଁ ସମଧିକ ଅସମତା, ବିରୋଧ ସାମନ୍ତ ସଂସ୍କୃତିର ଅବକ୍ଷୟର ଚିତ୍ର ଲେଖକଙ୍କୁ ଉତ୍‌ପୀଡ଼ିତ କରିଥିଲା ସେସବୁର ଯଥାର୍ଥ ଆଲେଖ୍ୟ ଯେପରିକି ସେ ଇତିହାସର ପୃଷ୍ଠଭୂମିରେ ଦେଖିଛନ୍ତି । ରାଜନୈତିକ ନୀପୀଡ଼ନ, ପ୍ରାକୃତିକ ଦୁର୍ଯ୍ୟୋଗ ଏ ସମସ୍ତ ଭିତରେ ମାନବାତ୍ମାର ଅନାବିଳ ଆଶା ଓ ଆକାଂକ୍ଷାର ଚିତ୍ର, ସେ ଫୁଟାଇଛନ୍ତି ରାଜଅନ୍ତଃପୁର ବାସିନୀ ରିଜିୟାବାଇଠାରୁ ପରିତ୍ୟକ୍ତ ଗୃହରେ ବାସ କରୁଥିବା ସରଦେଇ ପର୍ଯ୍ୟନ୍ତ । ଜାତି, ଧର୍ମ ନିର୍ବିଶେଷରେ ଓଡ଼ିଆ ପ୍ରାଣର ଉଦାର ଦେବତା ଭାବରେ ଜଗନ୍ନାଥଙ୍କର ଯେଉଁ ଚିତ୍ର ରଥଯାତ୍ରାର ଜନସମୁଦ୍ର ମଧ୍ୟରେ ଲେଖକଙ୍କ ଆଖି ଆଗରେ ଭାସିଉଠୁଥିଲା । ୧୯୬୪ରେ ଗଭୀର ଅନ୍ତର୍ଦୃଷ୍ଟି ଘେନି ଲେଖକ ତାକୁ ହିଁ ରୂପ ଦେଇଛନ୍ତି ପର୍ଯ୍ୟାୟବାଚୀ ଉପନ୍ୟାସ ନୀଳଶୈଳ ଓ ନୀଳାଦ୍ରିବିଜୟ ଦୁଇଟିରେ । ନୀଳଶୈଳ ପ୍ରସଙ୍ଗରେ ଯଥାର୍ଥରେ କୁହାଯାଇଛି–“ମହାକାବ୍ୟିକ ବ୍ୟାପ୍ତି ବୈଚିତ୍ର୍ୟରେ ଓ ଐତିହାସିକ ତଥ୍ୟ ନିଷ୍ଠାରେ ନୀଳଶୈଳ ଏକ ଶ୍ରେଷ୍ଠ କୃତିର ଆସନଦାବୀ କରିପାରେ” । ଯେଉଁ ଭୂମିଭାଗ ଓ ଜନ ସମାଜର ଆଧାରରେ ଉପନ୍ୟାସଟି କଳ୍ପିତ ତାହା ସହିତ ଲେଖକଙ୍କର ଆତ୍ମୀୟତା ଉପନ୍ୟାସଟିକୁ କାଳଜୟୀ କରିଅଛି । ଏହି ଉପନ୍ୟାସର ଅନ୍ୟତମ ବିଷୟବସ୍ତୁ ଯୁଦ୍ଧ । ମାତ୍ର ଲେଖକ ଦୁଇଟି ସମଶକ୍ତି ସଂପନ୍ନ ପକ୍ଷଙ୍କ ମଧ୍ୟରେ ଯୁଦ୍ଧର କଳ୍ପନା କରିନାହାନ୍ତି । ଏକ ଦିଗରେ ଦୁର୍ଦ୍ଦାନ୍ତ ପାଶବିକ ଶକ୍ତି ଓ ଅନ୍ୟ ଦିଗରେ ଅସହାୟ ସାଧାରଣ ଜନତାର ଅନ୍ତରର ଶକ୍ତି ମଧ୍ୟରେ ସଂଘର୍ଷରେ ବଂଚିତର ବିଜୟର ନାଟକୀୟ ଚିତ୍ର କେତେ ଆକସ୍ମିକ ମୁହୂର୍ତ୍ତରେ ଜୟ ପରାଜୟର ଘଟଣା ସଙ୍ଗେ ସଙ୍ଗେ ନାୟକ ନାୟିକାଙ୍କର ମାନସିକ ଅନ୍ତଦ୍ୱର୍ନ୍ଦର ମାର୍ମିକଚିତ୍ର ଉପନ୍ୟାସଟିର ଛତ୍ରେ ଛତ୍ରେ ପ୍ରତିଫଳିତ ହୋଇଅଛି-। କି ଚରିତ୍ରଚିତ୍ରଣ କି ଘଟଣା ସଂସ୍ଥାପନା ସର୍ବତ୍ର ଶ୍ରୀ ମହାନ୍ତି ଯେପରି ବିଦଗ୍‌ଧ ମାନସିକତାର ପରିଚୟ ଦେଇଅଛନ୍ତି । ସେଥିରୁ ପ୍ରାଚୀନ ସାହିତ୍ୟ, ଓଡ଼ିଶାର ପାରମ୍ପାରିକ ଜୀବନବୋଧ ଓ ଓଡ଼ିଶାର ଐତିହାସିକ ଜୀବନଦର୍ଶନ ସହିତ ତାଙ୍କର ନିବିଡ଼ ପରିଚୟର ସୂଚନା ମିଳେ । ମଧ୍ୟ ଯୁଗରେ ଓଡ଼ିଶାର ସମାଜ, ରାଜଦରବାର, ଅଦ୍ଭୂତଦିଗ୍‌ଦୃଶ୍ୟ, ଶାନ୍ତପଲ୍ଲୀ, ଅତିସାଧାରଣ ଜନତା, ସୈନିକ, ନିଃସଙ୍ଗ ପରିବ୍ରାଜକ ଅତି ପ୍ରାକୃତ ଅଦ୍ଭୂତ ଘଟଣାଠାରୁ ଆରମ୍ଭ କରି ପଶୁପକ୍ଷୀ, ଅରଣ୍ୟ, ପର୍ବତ, ହ୍ରଦ, ନଦୀ ସବୁକିଛି ଯେପରିକି ପାଠକର ଦୃଷ୍ଟିପଥକୁ ଆହ୍ୱାନ କରେ ।

 

ଶତାବ୍ଦୀର ସୂର୍ଯ୍ୟ (୧୯୭୦) ଓ କୁଳବୃଦ୍ଧ (୧୯୭୮) ଉତ୍କଳ ଗୌରବ ମଧୁସୂଦନଙ୍କ ଜୀବନ ଉପରେ ଆଧାରିତ ଏକ ପର୍ଯ୍ୟାୟବାଚୀ ଚରିତୋପନ୍ୟାସ । ଅଦୂର ଇତିହାସର ଐତିହାସିକ ବିଷୟକୁ ଘେନି ଏପରି ଚରିତୋପନ୍ୟାସ ରଚନାର ପରିକଳ୍ପନା ଓଡ଼ିଆ ସାହିତ୍ୟରେ ଶ୍ରୀ ମହାନ୍ତିଙ୍କର ନୂତନ ପ୍ରତିଷ୍ଠା । ପ୍ରଥମ ଭାଗରେ ୧୮୦୩ ରୁ ୧୯୦୩ ପର୍ଯ୍ୟନ୍ତ ଏକ ଶତାବ୍ଦୀ କାଳର ଐତିହାସିକ ପୃଷ୍ଠଭୂମି ଉପରେ ନିଜ ନାୟକଙ୍କ ଆତ୍ମବିକାଶ କାହାଣୀ ବର୍ଣ୍ଣନା କରିଛନ୍ତି । ଦ୍ୱିତୀୟ ଭାଗ ‘କୁଳବୃଦ୍ଧ’ରେ ୧୯୦୩ରୁ ୧୯୩୪ରେ ମଧୁସୂଦନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଓଡ଼ିଶାର ରାଜନୈତିକ, ସାମାଜିକ ଜୀବନରେ ମଧୁସୂଦନଙ୍କର ଆତ୍ମଦାନର ଗୌରବମୟ କାହାଣୀ ବର୍ଣ୍ଣିତ । ଆମ ଦେଶର ଅତୀତ ଇତିହାସ ଯେ କେବଳ କୁହେଳିକାମୟ ତାହାନୁହେଁ, ଯଥାର୍ଥ ଇତିହାସ ସଚେତନତା ଅଭାବରୁ ଆଧୁନିକ ଯୁଗରେ ଇତିହାସ ରଚନା ମଧ୍ୟ କଷ୍ଟସାଧ୍ୟ । ମଧୁସୂଦନଙ୍କ ଜୀବନୀକାର ଶ୍ରୀ ମହାନ୍ତି ସତେ ଯେପରି ତଥ୍ୟ ଅଭାବରୁ ଉତ୍କଳ ଗୌରବଙ୍କର ପରିପୂର୍ଣ୍ଣ ଜୀବନୀ ରଚନାରେ ବ୍ୟର୍ଥ ହୋଇ ଏଇ ଚରିତୋପନ୍ୟାସ ରଚନାରେ ପ୍ରବୃତ୍ତ ହୋଇଛନ୍ତି । ଖୋଜି ବସିଲେ ଉତ୍କଳ ଗୌରବ ତଥା ତାଙ୍କ ସମସାମୟିକ ଜାତୀୟ ନେତାଙ୍କ ଜୀବନର ଘଟଣାବଳୀ ଓ ପାରସ୍ପରିକ ସମ୍ପର୍କ ବିଷୟରେ ବହୁ ତଥ୍ୟଗତ ତ୍ରୁଟି ମିଳିପାରେ । ମାତ୍ର ନିଜ ନାୟକଙ୍କ ସହିତ ଲେଖକ ନିଜକୁ ଏକାତ୍ମ କରିପାରିଛନ୍ତି । ମଧୁସୂଦନଙ୍କ ଜୀବନ ଓ ଆଦର୍ଶର ସାର୍ଥକ ଅବବୋଧ ପାଇଁ ମୂଳଚରିତ୍ରର ବିକାଶ ଓ ଏହାର ପୁଷ୍ଟି ନିମନ୍ତେ ଗୌଣ ଚରିତ୍ର, ଘଟଣା ଓ ପରିବେଶର ଅବତାରଣାରେ ଶ୍ରୀ ମହାନ୍ତିଙ୍କର ଶିଳ୍ପ ସାଫଲ୍ୟ, ନିର୍ବାଚନ ନୈପୁଣ୍ୟ ସହଜରେ ଦୃଷ୍ଟି ଆକର୍ଷଣ କରେ । ଉପନ୍ୟାସ ଲେଖକଙ୍କର ସ୍ୱାଧୀନତା ସଙ୍ଗେ ଜୀବନ ଚରିତ ଲେଖକଙ୍କ ତଥ୍ୟନିଷ୍ଠାର ସମନ୍ୱୟ ଘଟିଅଛି । ଶତାବ୍ଦୀର ସୂର୍ଯ୍ୟରେ ଲେଖକଙ୍କର ଉଦାର ବଚନ ବିନ୍ୟାସ, ଉପସ୍ଥାପନାର ନାଟ୍ୟିକତା କୁଳବୃଦ୍ଧରେ ଯେପରିକି ଜୟଲାଭ କରିଅଛି । ମଧୁସୂଦନ ଓଡ଼ିଆ ଜାତିର ଜୀର୍ଣ୍ଣ ଦେବାଳୟ, କିଏ ତା’ର ନିର୍ମାଣ ଅଥବା କିଏ ତା’ର ଉତ୍ତରାଧିକାରୀ ସେ ବିଚାର ଗୌଣ । ନିଃସଙ୍ଗ ମହିମାରେ କାଳର ଦିଗ୍‌ବଳୟ ରେଖା ଭେଦି ତାହା ଚିର ଦେଦୀପ୍ୟମାନ । ଉକ୍ତି ମଧ୍ୟରେ ଲେଖକ ଯେପରିକି ସମଗ୍ର ଜାତୀୟ ଭାବମୂର୍ତ୍ତିର ଦିଗଦୃଶ୍ୟ ଉପରେ ମଧୁସୂଦନଙ୍କ ବ୍ୟକ୍ତିତ୍ୱକୁ ଉପସ୍ଥାପିତ କରିଛନ୍ତି । ନାଟକୀୟ ଅତିରଂଜନ, କୃତ୍ରିମତାର ଆଚ୍ଛାଦନ ମଧ୍ୟରେ ଉତ୍କଳଗୌରବ ମଧୁସୂଦନଙ୍କ ସ୍ୱାଭାବିକ ଜୀବନଚିତ୍ର ଉପନ୍ୟାସର ନାୟକ ସୁଲଭ ଅତି ମାନବୀୟ ବ୍ୟକ୍ତିତ୍ୱରେ ଦୀପ୍ତିଲାଭ କରିଅଛି । ହୁଏତ ଏହାହିଁ ଚରିତୋପନ୍ୟାସର ସାର୍ଜିକ ସାଫଲ୍ୟର ଆଉ ଏକ ବିଭାବ ।

 

ଆଧୁନିକ ଜୀବନର ଯାହାକିଛି କୁତ୍ସିତ ବିଭ୍ରାନ୍ତିକର ତାକୁ କଳାତ୍ମକ ରୂପ ଦେବାର ପ୍ରୟାସ ନିଜ ତରୁଣ ଜୀବନଭଳି ପ୍ରବୀଣ ବୟସରେ ମଧ୍ୟ ଶ୍ରୀ ମହାନ୍ତି କରିଚାଲିଛନ୍ତି । ହୁଏତ ଏହା ତାଙ୍କ ସ୍ରଷ୍ଟା ମାନସର ଚିର ତାରୁଣ୍ୟର ପ୍ରତୀକ । ‘ହଂସ ଗୀତି’ (୧୯୭୭) ଏଇପରି ଏକ କ୍ଷୁଦ୍ରକୃତି-। ରାଜଧାନୀ ଦିଲ୍ଲୀର ପୃଷ୍ଟପଟରେ ବେକାର ଯୁବକ ସୁବ୍ରତ ଚୌଧୁରୀଙ୍କୁ ଚିତ୍ର କରିବସିଛନ୍ତି, ପ୍ରଣୟମୁଗ୍‌ଧା ସୁମିତ୍ରା, ହିପ୍‌ ପିଜନ୍‌ ଧନପତି ପାନ୍ନାଲାଲ, କଲଗାର୍ଲ ସୋନିଆ ଶ୍ରୀବାସ୍ତବ, ଯୋଗୀ ଆତ୍ମାନନ୍ଦ ଆଦି ଅଜସ୍ର ଚରିତ୍ରର ସମାରୋହ ମଧ୍ୟରେ । ଯେଉଁଠି ମଣିଷ ମଣିଷକୁ ଦେଖେ ହିଂସ୍ର ଜାନୁଆର ଅଥବା ସରୀସୃପ ରୂପରେ । ନିଃସଙ୍ଗ ଉଦ୍‌ବିଗ୍ନ ମଣିଷର ଅର୍ଥହୀନ ସକାଳ କଟେ ଶୂନ୍ୟଗର୍ଭ ଦିବସର ପ୍ରତୀକ୍ଷାରେ ।

 

ଓଡ଼ିଆ ସାହିତ୍ୟର ଉପନ୍ୟାସର ପ୍ରାନ୍ତରେଖାରେ ଜ୍ଞାନୀନ୍ଦ୍ର ବର୍ମା (୧୯୧୮), ଗୋକୁଳାନନ୍ଦ ମହାପାତ୍ର (୧୯୨୩), ନରସିଂହ ସାହୁ (୧୯୨୩), ମହାପାତ୍ର ନୀଳମଣି ସାହୁ (୧୯୨୬), ଚନ୍ଦ୍ରଶେଖର ରଥ (୧୯୨୯) ଆଦି ଔପନ୍ୟାସିକମାନେ ସ୍ମରଣୀୟ । ଏମାନେ ନିଜର ଅଜସ୍ର ସୃଷ୍ଟିସମ୍ଭାରରେ ଓଡ଼ିଆ ଉପନ୍ୟାସର ଦିଗ୍‌ବଳୟକୁ ଯେ କେବଳ ପ୍ରସାରିତ କରିଅଛନ୍ତି ତାହାନୁହେଁ, ନିଜର ସୃଷ୍ଟି ବୈଚିତ୍ର୍ୟରେ ଓଡ଼ିଆ ଉପନ୍ୟାସ କଳାର ସମୃଦ୍ଧି ସାଧନ କରିଛନ୍ତି । ଜ୍ଞାନୀନ୍ଦ୍ର ବର୍ମା ସାମ୍ବାଦିକ ଓ ଭାବଧର୍ମୀ ଔପନ୍ୟାସିକ । ସମାଜର ବହୁ ସମସ୍ୟା ଓ ତା’ର ସମାଧାନର ଇଙ୍ଗିତ ତାଙ୍କର ନାନା ଉପନ୍ୟାସରୁ ମିଳିଥାଏ । ଲାଲଘୋଡ଼ା, ଶତାବ୍ଦୀର ସ୍ୱପ୍ନଭଙ୍ଗ, ଜୀବନର ଛନ୍ଦ, ତନୁ ଅତନୁ, ତିନୋଟି ହୃଦୟର କାହାଣୀ, ଶେଷ ଅଭିସାର, ଭୂମିକା, ଅପରାହ୍ନର ଆକାଶ ଆଦି ଉପନ୍ୟାସଗୁଡ଼ିକ ମଧ୍ୟରେ ସାମନ୍ତବାଦୀ ସମାଜଠାରୁ ଆରମ୍ଭକରି ଆଧୁନିକ ଓଡ଼ିଶାର ପଲ୍ଲୀ ଜୀବନର ଚିତ୍ର, ପ୍ରବାସୀ ଓଡ଼ିଆ, ଜୀବନର ସମସ୍ୟା ଚିରାଚରିତ ପ୍ରଣୟର ଚିତ୍ର ସାଂପ୍ରଦାୟିକ ସଂପ୍ରୀତି ସବୁକିଛିକୁ କେନ୍ଦ୍ରକରି ତାଙ୍କ ଉପନ୍ୟାସଗୁଡ଼ିକ ଗଢ଼ିଉଠିଛି ।

 

ନରସିଂହ ସାହୁ ଇଂରେଜୀ ସାହିତ୍ୟର ଅଧ୍ୟାପକ ଓ ସାମାଜିକ ସେବା ଓ ସଂଗଠନ କାର୍ଯ୍ୟରେ ଜଡ଼ିତ ରହି ମଧ୍ୟ କୋଡ଼ିଏରୁ ଅଧିକ ଉପନ୍ୟାସ ରଚନା କରିଛନ୍ତି । ତାଙ୍କ ଅଜସ୍ରସ୍ରାବୀ ଲେଖନୀରୁ ଓଡ଼ିଆର ପଲ୍ଲୀଜୀବନରୁ ଆରମ୍ଭ କରି ସମସାମୟିକ ନାଗରିକ ଜୀବନର ସମସ୍ୟା ପର୍ଯ୍ୟନ୍ତ କୌଣସି ବିଷୟ ବାଦ୍‌ଯାଇନାହିଁ । ତାଙ୍କର ବିବରଣମୂଳକ ବର୍ଣ୍ଣନା ପ୍ରବନ୍ଧଧର୍ମୀ ଯୁକ୍ତିଧାରା ଓ ଚରିତ୍ର ବିଶ୍ଳେଷଣରେ ଅନ୍ତର୍ଦୃଷ୍ଟିର ଅଭାବ ଓ ଭାବପ୍ରବଣ ଆଦର୍ଶବାଦୀ ଦୃଷ୍ଟିକୋଣ ମଧ୍ୟରେ ହୁଏତ ତାଙ୍କ ଉପନ୍ୟାସଗୁଡ଼ିକର କଳାଧର୍ମ କ୍ଷୂର୍ଣ୍ଣ ହୋଇଅଛି । ତାଙ୍କର ଅତ୍ୟାଧୁନିକ ଉପନ୍ୟାସ ‘ଝଡ଼ରକବରୀ’ରେ ବିଶ୍ୱଭ୍ରମଣ, ବ୍ୟୋମଯାତ୍ରା ଉଚ୍ଚ ଆଦର୍ଶବାଦୀ ସେନାପତି ଶିକ୍ଷାବିତ୍‌ ଓ ବିକୃତ ମସ୍ତିସ୍କା ଅତି ଶିକ୍ଷିତିତା ନାୟିକାର ଚିତ୍ରଣ ମଧ୍ୟରେ ବାସ୍ତବତା ଥାଇପାରେ । ମାତ୍ର ଏସବୁ ଲେଖକଙ୍କର ଗଭୀର ଅନୁଭୂତି ରସରେ ସଂଜୀବିତ ହେଲାଭଳି ବୋଧହୁଏ ନାହିଁ । ମାତ୍ରାଧିକ ଭାବତ୍ସାସ ଓ ଆଂଶିକଗତ ଗଠନରେ ଶୈଥୀଲ୍ୟ ସତ୍ତ୍ୱେ ନରସିଂହଙ୍କ ଉଦ୍ଦେଶ୍ୟଧର୍ମୀ ଉପନ୍ୟାସଗୁଡ଼ିକ ସାଧାରଣ ପାଠକଙ୍କ ଜନପ୍ରିୟତା ଅର୍ଜନ କରିପାରେ ।

 

ବିଜ୍ଞାନ ବିଷୟରେ ଉପନ୍ୟାସ ରଚନାରେ ରସାୟନ ଅଧ୍ୟାପକ ଗୋକୁଳାନନ୍ଦ ମହାପାତ୍ର ଏକ ବିଶିଷ୍ଟ ସ୍ଥାନର ଅଧିକାରୀ । ବୈଜ୍ଞାନିକ ତଥ୍ୟର ଆଧାରରେ ରଚିତ ‘ପୃଥିବୀ ବାହାରେ ମଣିଷ’ ଚନ୍ଦ୍ରର ମୃତ୍ୟୁ, କୃତ୍ରିମ ଉପଗ୍ରହ ଭଳି ଉପନ୍ୟାସରେ ରୋମାଞ୍ଚଧର୍ମୀ କାହାଣୀର ପରିବେଷଣ ସଙ୍ଗେ ସଙ୍ଗେ ବିଜ୍ଞାନଭିତ୍ତିରେ ରଚିତ ଏକ ଆଦର୍ଶ ସମାଜର ଚିତ୍ର ପରିଲକ୍ଷିତ ହୁଏ ।

 

ମହାପାତ୍ର ନୀଳମଣି ସାହୁ (୧୯୨୬) ସୁନ୍ଦର ଉପଭୋଗ୍ୟ ହାସ୍ୟରସାଶ୍ରିତ କାହାଣୀ ରଚନାରେ ନିଜର ସାଫଲ୍ୟ ଲାଭ ସଙ୍ଗେ ସଙ୍ଗେ ‘ଧରା ଓ ଧାରା’, ‘ତାମସୀରାଧା’ ଆତି କେତୋଟି ଉପନ୍ୟାସ ମଧ୍ୟ ରଚନା କରିଛନ୍ତି । ତାଙ୍କର ଉପନ୍ୟାସଗୁଡ଼ିକ ମୁଖ୍ୟତଃ କାହାଣୀଧର୍ମୀ । କଥାବସ୍ତୁର ସଂଗଠନ, ଘଟଣାବଳୀର ପରିବେଷଣ ଓ ନାୟକ ନାୟିକାଙ୍କର ଚରିତ୍ର ଚିତ୍ରଣରେ ତାଙ୍କର ନିପୁଣତାର ଅଭାବ ନଥିଲେ ହେଁ ଆକସ୍ମିକତା, ରୋମାନ୍‌ସ ସୁଲଭ ଅତି ଔସୁକ୍ୟ ପ୍ରବଣତା ତାଙ୍କ ଉପନ୍ୟାସଗୁଡ଼ିକୁ ସାଧାରଣ ପାଠକଙ୍କ ନିକଟରେ ଉପଭୋଗ୍ୟ କଲେହେଁ ବିଦଗ୍‌ଧ ପାଠକଙ୍କଠାରେ ଗ୍ରହଣୀୟ ହୋଇ ନପାରେ ।

 

ଯମେଶ୍ୱର ମିଶ୍ର (୧୯୨୬)

 

କଇଁତ୍ରଗଡ଼ (ଆଠମଲ୍ଲିକ)ରେ ଜନ୍ମଗ୍ରହଣ କରିଥିଲେ । ୧୯୪୬ ଆଠମଲ୍ଲିକରେ ମହେଂଦ୍ର ଉଚ୍ଚ ବିଦ୍ୟାଳୟରେ କଳାଶିକ୍ଷକ ଭାବରେ ଅବସ୍ଥାନ କରିଛନ୍ତି । ଏକଦା ଶାନ୍ତିନିକେତନରେ (୧୯୫୫-୫୯) କଳାଭବନର ଛାତ୍ର ଥିଲେ । ଶିଶୁ କାହାଣୀ ଓ ଗୋଇନ୍ଦାଗଳ୍ପ ରଚନାରେ ତାଙ୍କର ବିଶେଷ ଆଗ୍ରହ ଓ ଆଧିପତ୍ୟ ଦେଖିବାକୁ ମିଳେ । ପ୍ରାୟ ୩୦ ଖଣ୍ଡ ଗୋଏନ୍ଦା ଉପନ୍ୟାସ ୧୯୬୦ ପର୍ଯ୍ୟନ୍ତ ପ୍ରକାଶ କରିଛନ୍ତି । ଏଥି ମଧ୍ୟରେ H. G. Wellsଙ୍କର Invisible man ଛାୟାରେ ଲିଖିତ ‘ଅଦୃଶ୍ୟ ଶିକାରୀ’ ଅନ୍ତର୍ଭୁକ୍ତ । ମାତ୍ର ଷଷ୍ଠ ଦଶକରେ ପ୍ରକାଶିତ ‘ଖମାରୀ’ ଓ ‘ଗଡ଼ଟିଆ’ ଆଞ୍ଚଳିକ ଉପନ୍ୟାସ ଭାବରେ ବୈଶିଷ୍ଟ୍ୟର ଅଧିକାରୀ । ଲେଖକଙ୍କ କଥାରେ କହିଲେ ରହସ୍ୟ ଉପନ୍ୟାସ ଲେଖି ହାଲିଆ ହେବାପରେ କିଛି ଜାଣିପାରିବା ଭଳି ବୟସ, ଅଙ୍ଗେ ଲିଭାଇଥିବା, ଆଖିରେ ଦେଖିଥିବା, ବିଶ୍ୱାସ ହେଲାଭଳି ପାଖରୁ ଶୁଣିଥିବା ଘଟଣାଗୁଡ଼ିକୁ ଖିଆଲରେ ରଖି କିଛି ଲେଖିବାକୁ ଚେଷ୍ଟାକରିଛି । ଏଇ ଚେଷ୍ଟାର ଫଳସ୍ୱରୂପ ‘ଖମାରୀ’ ଓ ‘ଗଡ଼ଟିଆ’ର ସୃଷ୍ଟି । ପଶ୍ଚିମ ଓଡ଼ିଶାର ମେହେନତି ଜନତାର ଜୀବନଚିତ୍ର, ସାମାଜିକ ସଂସ୍କାର, ଉତ୍ସବ ଅନୁଷ୍ଠାନର ପୃଷ୍ଠଭୂମି ଉପରେ ଗଡ଼ଟିଆରେ ଗ୍ରାମ୍ୟ ମଧ୍ୟବିତ୍ତ ଜୀବନର ଚିତ୍ର ଅଙ୍କିତ । ଏଥିରେ ସେ ଯୁଗର ଗଡ଼ଜାତ ଅଞ୍ଚଳର ପ୍ରାଞ୍ଜଳଚିତ୍ର ବର୍ଣ୍ଣିତ । ଦେବାନ୍‌ ବାବୁଙ୍କ କୋକଚାଷ, ମଧୂପୁରୋହିତଙ୍କ ମଦ୍ୟସେବନ, ଦନ୍ତ ଅଜାଙ୍କର ଧୂମପାନ, ହାତୀ ଖେଦା, ଦ୍ୱିତୀୟ ମହାଯୁଦ୍ଧ କାଳରେ ମଧ୍ୟବିତ୍ତ ସମାଜର ଆର୍ଥିକ ଦୁର୍ଗତି ଅନାଚାର ଓ ଭ୍ରଷ୍ଟତାର ହୃଦୟଗ୍ରାହୀ ଚିତ୍ର ଅଙ୍କନରେ ଯମେଶ୍ୱର ସମର୍ଥ ହୋଇଛନ୍ତି । ୧୯୭୦ ପରେ ଯମେଶ୍ୱର ଓଡ଼ିଆ ଉପନ୍ୟାସ କ୍ଷେତ୍ରରୁ ପ୍ରାୟ ବିରତ ରହିଛନ୍ତି । ମାତ୍ର ନିଜ ଓଡ଼ିଆ ଉପନ୍ୟାସଗୁଡ଼ିକର ସଂକ୍ଷିପ୍ତସାର ଇଂରେଜୀରେ ପ୍ରକାଶ କରିବା ପାଇଁ ସେ ଉଦ୍ୟମ କରିଛନ୍ତି । ଆଠମଲ୍ଲିକ ବାଣୀଭବନରୁ ୧୯୭୩ରେ ଗଡ଼ଟିଆର ଇଂରେଜୀ ଅନୁବାଦ ପ୍ରକାଶ ପାଇଅଛି । ଏହାର ପ୍ରଚ୍ଛଦପଟ୍ଟରେ ଗୋପାଳ କାନୁନ୍‌ଗୋଙ୍କ ଅଂକିତ ଛବିଟିର ଗଡ଼ଜାତର ଅନ୍ଧାରୀ ମୂଲକରେ ବେଦନାହତ ଦାରିଦ୍ର୍ୟ ନିଃପୀଡ଼ିତ ସାଧାରଣ ଜୀବନର ଆନନ୍ଦର ସ୍ୱରଲିପି ଉଚ୍ଚାରିତ ହୋଇଅଛି । ଯମେଶ୍ୱରଙ୍କର ସାର୍ଥକତାର ତାରିଫ କରି ସୁରେନ୍ଦ୍ର ମହାନ୍ତି ଯଥାର୍ଥରେ କହିଅଛନ୍ତି–“ଦୁଇଖଣ୍ଡି ସ୍ମରଣୀୟ ଉପନ୍ୟାସ ଲେଖିବାପରେ ଯମେଶ୍ୱର ହଠାତ୍‌ ନୀରବ ହୋଇପଡ଼ିଥିବା ଓଡ଼ିଆ ଉପନ୍ୟାସର ଦୁର୍ଭାଗ୍ୟ” ।

 

ଶୁକଦେବ ସାହୁ (୧୯୨୭)

 

କେନ୍ଦ୍ରାପଡ଼ାର ଧୂମାତ ଗ୍ରାମରେ ଜନ୍ମ । ୧୯୪୫ରୁ କଲିକତାରେ ଏକ ବିଦେଶୀ ବ୍ୟବସାୟୀ ଅନୁଷ୍ଠାନରେ କର୍ମଜୀବନ ଆରମ୍ଭ କରିଥିଲେ ଓ ୧୯୫୦ ପର୍ଯ୍ୟନ୍ତ କଲିକତାର ପ୍ରବାସୀ ଓଡ଼ିଆ ଆନ୍ଦୋଳନ ସହିତ ଘନିଷ୍ଠ ଭାବରେ ସଂପୃକ୍ତ ଥିଲେ । ୧୯୫୦ରୁ ସେ କଟକରେ ପୁସ୍ତକ ବ୍ୟବସାୟ ସହିତ ସଂପୃକ୍ତ । ୧୯୪୯ରୁ ୫୮ ମଧ୍ୟରେ ‘ନବଜନ୍ମ’, ‘ଝଡ଼ ଓ ଝରାଫୁଲ’, ‘ଖସଡ଼ା ପଥରେ’, ‘ପରବାସୀ’, ‘ବିଜୟବାହୁଡ଼ା’, ‘ମନର ଯେତେ ଆଶା’, ‘ମନହରିଣୀ କାନ୍ଦେ’, ‘ପ୍ରିୟା ଓ ପରକୀୟା’ ଆଦି ଓ ଜନପ୍ରିୟ ଉପନ୍ୟାସମାନ ପ୍ରକାଶିତ । ଶୁକଦେବଙ୍କର ଉପନ୍ୟାସଗୁଡ଼ିକରେ ଗ୍ରାମ ଜୀବନର ମୋହମୟ ଚିତ୍ର ଅଙ୍କିତ । ଗାଁ ମାଟିର ଖୋଲା ସବୁଜବିଲ, ନହନହକା ବାଉଁଶ ବଣ, ଆମ୍ବତୋଟା । ଏକ ଦିଗରେ ଗ୍ରାମୀଣ ନାରୀ ଜୀବନର ଆଶା ଓ ଆକାଂକ୍ଷା ଅନ୍ୟ ଦିଗରେ ଗ୍ରାମ୍ୟ ବିତାଡ଼ିତ ତରୁଣ ପ୍ରାଣର ଆଶାନିରାଶାର ଚିତ୍ର ଶୁକଦେବଙ୍କର ଉପନ୍ୟାସଗୁଡ଼ିକୁ ଉପଭୋଗ୍ୟ କରିଥାଏ । ଗଳ୍ପଗଠନର ଜଟିଳ ବିନ୍ୟାସ ଓ ସ୍ଫୂର୍ତ୍ତି ଶୁକଦେବଙ୍କ ଉପନ୍ୟାସଗୁଡ଼ିକରେ କ୍ୱଚିତ୍‌ ଘଟିଅଛି । ଏଇ ଦୃଷ୍ଟିରୁ ତାଙ୍କର ଉପନ୍ୟାସଗୁଡ଼ିକୁ ‘ନଭେଲା’ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇପାରେ । ଶୁକଦେବଙ୍କର ସଦ୍ୟତମ ସୃଷ୍ଟି ‘ଅଗ୍ନିଯୁଗର କାହାଣୀ’ (୧୯୭୯) ଧୂମାତ୍‌ ଓ ଇନ୍ଦୁପୁର ଦୁଇଟି ଗ୍ରାମର ଜୀବନର ବାସ୍ତବ ଚିତ୍ର ଓ ଅତୀତ ଇତିହାସକୁ କେନ୍ଦ୍ରକରି ରଚିତ । ବଳିଷ୍ଠ ଅନୁଭବ ଓ ମନୋଜ୍ଞଶୈଳୀ ଶୁକଦେବଙ୍କ ଉପନ୍ୟାସର ସାର୍ଥକତା ।

 

(୬)

 

ସୃଦ୍ୟମାନ ଉପନ୍ୟାସ ସାହିତ୍ୟର ଜଗତ ନବନବ ପ୍ରେରଣାରେ ପ୍ରାଣବନ୍ତ । ଏକ ଦିଗରେ ପାଠକଙ୍କ ରୁଚି ଓ ଚାହିଦା ପୂରଣରେ ପ୍ରସାରଶୀଳ ଓ ଅନ୍ୟ ଦିଗରେ ନବ ନବ ପ୍ରୟୋଗ ଓ ପରୀକ୍ଷାରେ ବିସ୍ମୟକର ପ୍ରାନ୍ତରେଖା ମଧ୍ୟରେ କୌଣସି ଏକକ ସ୍ରଷ୍ଟାଙ୍କ ପ୍ରତିଭାର ପରିପୂର୍ଣ୍ଣ ମୂଲ୍ୟାୟନ ଅସଂଭବ । ସତେ ଯେପରିକି ସୃଜ୍ୟମାନ ଉପନ୍ୟାସର ଗତି ଏକାଧିକ ଅଧିବୃତ୍ତର ସମାହାର, ଯାହାର ପ୍ରାରମ୍ଭ ବା ପରିସମାପ୍ତି କୌଣସିର ସୀମାନିର୍ଦ୍ଦେଶ ଅସମ୍ଭବ । ତେଣୁ ଲେଖକ ବିଶେଷଙ୍କର ସମୀକ୍ଷାରେ ପ୍ରବୃତ୍ତ ନହୋଇ ଉପନ୍ୟାସ ଜଗତରେ ପରିଚୟ ପ୍ରସଙ୍ଗରେ କେତୋଟି ବିଶେଷ ସୃଷ୍ଟିର ଅନୁଶୀଳନ କରାଯାଇପାରେ ।

 

ଆଧୁନିକ ଯୁଗରେ ସାମ୍ୟ ଓ ସମାନତା ଭିତ୍ତିରେ ବିକଶିତ ଲେଖକ ଓ ଲେଖିକାଙ୍କର ବ୍ୟକ୍ତିଜୀବନର ବିକାଶ ପରିଣତି ଦୃଷ୍ଟିରୁ କୌଣସି ଲେଖିକାଙ୍କର ସ୍ୱାତନ୍ତ୍ର୍ୟ ବିଚାର ହୁଏତ ଅନାବଶ୍ୟକ । ତଥାପି ଓଡ଼ିଆ ସାହିତ୍ୟର ଇତିହାସରେ କୁନ୍ତଳାକୁମାରୀଙ୍କ ପରେ ଔପନ୍ୟାସିକା ଭାବରେ ବସନ୍ତ କୁମାରୀ ପଟ୍ଟନାୟକ (୧୯୨୭) ଗୁଣାତ୍ମକ ଦୃଷ୍ଟିରୁ ଓଡ଼ିଆ ଉପନ୍ୟାସକୁ ସମୃଦ୍ଧ କରିଥିବାର ସ୍ୱୀକୃତି ପାଇଛନ୍ତି । ନିଜର ‘ଅମଡ଼ାବାଟ’ (୧୯୫୧) ଓ ‘ଚୋରାବାଲି’ (୧୯୭୨) ଏକ ଉପନ୍ୟାସ ଦୁଇଟିର ମହତ୍ତ୍ୱ ହେଉଛି ମାୟା ଓ କାବେରୀ ଆପାତ ବିରୋଧୀ ଦୁଇଟି ନାରୀ ଚରିତ୍ରର ସମାବେଶ ଓ ପରିପୂର୍ଣ୍ଣ ବିକାଶ । ମଧ୍ୟଶ୍ରେଣୀ ମନୋଭାବକୁ ଭିତ୍ତିକରି ଉପନ୍ୟାସ ରଚିତ l ସହରର ପରିବେଶରେ ଓକିଲ ପୀତାମ୍ବର ବାବୁଙ୍କର ପରିବାର l ଅଲିଅଳି ଝିଅ ମାୟା ଓ ବଧୂ କାବେରୀ l କାବେରୀ ଚାହିଁଛି ଡାକ୍ତର ସ୍ଵାମୀକୁ ଘେନି ନିଜର ସ୍ଵତନ୍ତ୍ର ସୁଖର ସଂସାର ରଚନା କରିବା ପାଇଁ l ମାତ୍ର ମାୟା ତିନୋଟି ଶିଶୁ ଚରିତ୍ରଙ୍କ ଦ୍ଵାରା ପରିବେଷ୍ଟିତ ହୋଇ କାବେରୀର କେତେ ସୁଖର ଆଶା ଯେପରିକି ଚୂର୍ଣ୍ଣବିଚୂର୍ଣ୍ଣ କରିଦେଇଛି l ମାୟାର ଚରିତ୍ର କ୍ରମଶଃ ଉଦାରତା ଓ ଦୀପ୍ତିରେ ମହୀୟାନ ହୋଇଉଠିଛି l ଯେତେବେଳେ ତା’ର କୁମାରୀ ଜୀବନର ଅବସାନ ଘଟିଛି ଓ ସେ ହୋଇଛି ଏକ ଅସହାୟ ପରିବାରର ବଧୂ l ଶାଶୁଙ୍କ ଚିକିତ୍ସା ପାଇଁ ସେ ନିଜ ହାତରୁ ଅଳଙ୍କାର ଖୋଲିଦେଇଛି ଅସହାୟ ସ୍ଵାମୀ ଶଶୀଭୂଷଣଙ୍କ ହାତରେ l ଏକ ଦିଗରେ ରୁଗ୍‍ଣ ପିତା ଅନ୍ୟ ଦିଗରେ ରୁଗ୍‍ଣ ଶାଶୁ l ଏକ ଦିଗରେ ବାପଘର ଅନ୍ୟ ଦିଗରେ ଶ୍ଵଶୁର ଘର l ଦୁଇଆଡ଼େ ଡୋର ଲାଗିଛି କାହାକୁ ଛିଡ଼ାଇବ, କିଏ ତା ପାଖରେ ବଡ଼ ? ଏହି ପ୍ରଶ୍ନବାଚକ ମଧ୍ୟରେ ଅମଡ଼ାବାଟର ଶେଷ ହୋଇଛି ଓ ଦ୍ଵିତୀୟ ଭାଗ ‘ଚୋରାବାଲି’ ଆରମ୍ଭ ହୋଇଛି ଯେତେବେଳେ ତା ଆଖିରୁ ଲୁହ ବନ୍ଦକରିବା ପାଇଁ ବୁଝାଇ ବସିଛନ୍ତି ତା’ର ଶାଶୁ l ମାୟାକୈନ୍ଦ୍ରିକ ଶଶିଭୂଷଣଙ୍କ ପରିବାର ଓ କାବେରୀ କୈନ୍ଦ୍ରିକ ମୋହନର ପରିବାର ମଧ୍ୟରେ ଏକ ସାମନ୍ତରାଳ ରେଖାଟାଣି ଚୋରାବଲିର ଲେଖିକା ବୁଝାଇଛନ୍ତି ବ୍ୟକ୍ତିକୈନ୍ଦ୍ରିକ ଆପାତଃ ସୁଖ ମଧ୍ୟରେ ହିଁ ଥାଏ ନିଃସଙ୍ଗତା, ବ୍ୟର୍ଥତା ଓ ଅତୃପ୍ତିର ଜୀବ l ବସନ୍ତ କୁମାରୀଙ୍କ ସାଫଲ୍ୟ ତାଙ୍କର ଧ୍ରୁପଦୀ ସାବଲୀଳ ଭାଷା ଶୈଳୀରେ, ଚରିତ୍ରଗୁଡିକର ପରିପୂର୍ଣ୍ଣ ଆତ୍ମିକ ବିକାଶରେ ସବୁଠାରୁ ବେଶୀ ପରିସ୍ଫୁଟ l ବୃଦ୍ଧ ପିତା, ବୃଦ୍ଧ ଶାଶୁ କିମ୍ବା ଚଞ୍ଚଳ ଶିଶୁ ଭାଇଭଉଣୀ ଯେ କୌଣସି ଚରିତ୍ର ଲେଖିକା ଫୁଟାଇଛନ୍ତି–ସେ ସବୁ ଯେପରି ବାସ୍ତବ ସେହିପରି ଜୀବନ୍ତ ହୋଇଉଠିଅଛି l ଉଭୟ ଆନନ୍ଦାଶ୍ରୁ ଓ ଶୋକାଶ୍ରୁଲିପ୍ତ ମୁଖଛବି ଅଙ୍କନରେ ଲିଖିକାଙ୍କର ଶିଳ୍ପୀ ସୁଲଭ ବ୍ୟକ୍ତିତ୍ଵର ପରିଚୟ ମିଳେ l

 

ଶ୍ରୀମତୀ କୁନ୍ତଳା କୁମାରୀ ଆଚାର୍ଯ୍ୟ (୧୯୩୨)

 

ପୁରୀର ଏକ ଅଭିଜାତ ପରିବାରରେ ଜନ୍ମ । ସମାଜସେବୀ, ନାରୀନେତ୍ରୀ ଭାବରେ ବିଶେଷ ଖ୍ୟାତିର ଅଧିକାରିଣୀ । ଛାତ୍ରୀଜୀବନରୁ ଓଡ଼ିଶା ଛାତ୍ର କଂଗ୍ରେସର ସଂପାଦିକା (୧୯୪୬) ଭାବରେ ରାଜନୀତିରେ ପ୍ରବେଶ । ବହୁଜନକଲ୍ୟାଣ ମୂଳକ ସଂସ୍ଥା ସହିତ ଜଡ଼ିତ ରହି ସେ ଦେଶ ସେବାରେ ଅତୀନ୍ଦ୍ର ଭାବରେ ବ୍ରତୀ ରହିଛନ୍ତି । ସାହିତ୍ୟ ତାଙ୍କ ବହୁମୁଖୀ କର୍ମ ଜୀବନର ଏକ ଆଂଶିକ ଅଭିବ୍ୟକ୍ତି । କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ମଧ୍ୟରେ ସେ ଆଧୁନିକ ଜୀବନର ବାସ୍ତବ ପରିବେଶ ସହିତ ନିଜ ନିବିଡ଼ ଅନୁଭୂତିର ଚିତ୍ର ଅଙ୍କନ କରିଛନ୍ତି । ତାଙ୍କର ଉଲ୍ଲେଖଯୋଗ୍ୟ କୃତୀ ‘ଅଦିନ ମେଘ’ (ଦ୍ୱିତୀୟ ପ୍ରକାଶ ୧୯୭୨) ଏକାଧିକ ସଂସ୍କରଣରେ ପ୍ରଚାରିତ । ଚଳଚିତ୍ରରୂପେ ଏହି ଉପନ୍ୟାସଟି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ । ଅଦିନମେଘର କାହାଣୀ ପଲ୍ଲୀଭିତ୍ତିକ । ତେବେ ଏହା ଆଧୁନିକ ଜୀବନର ଯନ୍ତ୍ରଣାରୁ ମୁକ୍ତନୁହେଁ । ଲେଖିକାଙ୍କ ନିଜର ଉକ୍ତି ସ୍ମରଣୀୟ । ବିଂଶ ଶତକର ସର୍ବଶ୍ରେଷ୍ଠ ପ୍ରଗତିବାଦୀ ଯୁଗର ନୂତନ ଆଭିମୁଖ୍ୟ ଯେଉଁ ବିଭିନ୍ନ ସମସ୍ୟା ସୃଷ୍ଟିକରିଛି, ତାହାରି ବିକଳ୍ପ କଳ୍ପନା ବହିଟିର ବିଷୟବସ୍ତୁ । ସାହିତ୍ୟ ପରାହତ ଜୀବନର ଅନ୍ତିମ ଚେଷ୍ଟା ନୁହେଁ, ଏହା ନୂତନ ଜୀବନର ଜୀବନିକା ।” ଏହି ନୂତନ ଜୀବନର ସ୍ପର୍ଶ ଲାଗିଛି ବାଳବିଧବା ଅଳି, ଅଫିସ୍‌ କିରାଣୀ ଚମ୍ପକ, ଗ୍ରାମସେବିକା ହେମାଙ୍ଗିନୀ ପ୍ରଭୃତିଙ୍କଠାରୁ ଗ୍ରାମ ସରପଞ୍ଚ ନନ୍ଦନିଧି ଦାସ ମହାପାତ୍ର ଓ ଗ୍ରାମର ରକ୍ଷଣଶୀଳ ସମାଜର ପ୍ରତିନିଧି ମଧୂଜେନା । ଏକା ତିଆଡ଼ୀଙ୍କଠାରୁ ଗାଁ ଟାଉଟର ଯଦୁଦାସଙ୍କ ପର୍ଯ୍ୟନ୍ତ । ଉପନ୍ୟାସର ଗଠନରେ ତିନି ସ୍ୱତନ୍ତ୍ର ସ୍ତରରେ ପ୍ରେମର ତ୍ରିଭୂଜ କଳ୍ପିତ । ‘ବୀଣା, ସୁରେଶ, ଚମ୍ପକ, ଅଳକା, ସୁରେଶ, ବୀଣା–ଚମ୍ପକ, ସୁରେଶ, ଅଳକାଙ୍କ ମଧ୍ୟରେ ଗଢ଼ିଉଠିଛି ଆଶା, ନୈରାଶ୍ୟ, ମିଳନ, ବିଚ୍ଛେଦ ଆଲୋକ ଅନ୍ଧାରର ଛାୟାଚିତ୍ର । ପୁଣି ଦେଶ-ଭାଗ ବର୍ଣ୍ଣନା ଦିଗରୁ ଉପନ୍ୟାସଟି ତ୍ରିପାର୍ଶ୍ୱ ମଣ୍ଡିତ । ଆଧୁନିକ ନାଗରିକ ଜୀବନର ଏକ ପାଶ୍ୱର୍ର ଓଡ଼ିଶାର ସମତଳ ଅଞ୍ଚଳର ତଥାକଥିତ ପ୍ରଗତିଶୀଳ ଗ୍ରାମ ଓ ଅନ୍ୟ ଦିଗରେ ସେ ପାର୍ବତ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅପେକ୍ଷାକୃତ ଶାନ୍ତ ସମାହିତ ପରିବେଶ । ଉପନ୍ୟାସର ନାୟକ ସୁରେଶଙ୍କ ଜୀବନର ଦର୍ଶନ: “ବାସନା ବିନାଶରେ ବିକାଶ ଅସମ୍ଭବ, ବରଂ ମରଣର ପଥ ପରିଷ୍କାର” । କିନ୍ତୁ ଶେଷ ପର୍ଯ୍ୟନ୍ତ ବାସନା ବିକାରଗ୍ରସ୍ତ ସୁରେଶ ସମସ୍ତ ବିକାରର ଊଦ୍ଧ୍ୱର୍କୁ ଉଠିଛନ୍ତି ଓ ଏହି ଉଦ୍‌ବର୍ତ୍ତନର ମୂକସାକ୍ଷୀରୂପେ ଦଣ୍ଡାୟମାନ ଚମ୍ପକ ସହିତ ଅବୈଧ ପ୍ରଣୟରୁ ଜନ୍ମ ନେଇଥିବା ରେଖା । ଉପନ୍ୟାସଟି ବିୟୋଗାନ୍ତ, ଯଦିବା ଏକ ଆକସ୍ମିକ ମିଳନର ବେଦନାତୁର ମୁହୂର୍ତ୍ତରେ ଲେଖିକା ଉପନ୍ୟାସର ଯବନିକା ଟାଣିଛନ୍ତି । କୁନ୍ତଳାକୁମାରୀଙ୍କର ଲେଖନଶୈଳୀ ସରସ ଓ ସାବଲୀଳ, ବର୍ଣ୍ଣନା ସଂକ୍ଷିପ୍ତ ଓ କାହାଣୀର ପରିପୂରକ । ବିଶେଷ ଭାବରେ ନାରୀମାନଙ୍କ ମୁଖର ସଂଳାପ ରଚନାରେ ଲେଖିକା ବହୁ ପରିମାଣରେ ସ୍ୱାଭାବିକ ସରସତା ଫୁଟାଇବାକୁ ସମର୍ଥ ହୋଇଛନ୍ତି । ମହତ୍‌ ଶିଳ୍ପ ସୃଷ୍ଟିର ସମସ୍ତ ସମ୍ଭାବନା ସତ୍ୱେ ଔପନ୍ୟାସିକ ଗଠନପାଟବ, ଉଦାର କଳ୍ପନା ଓ ମହତ୍ତର ଜୀବନର ବିପୁଳଚିତ୍ର ଅଙ୍କନରେ ସମର୍ଥ ହୋଇନାହାଁନ୍ତି । ହୁଏତ ଏହା ଲେଖିକାଙ୍କର ଏକ ପ୍ରାଥମିକ ପ୍ରୟାସ । ଏହାର ସ୍ୱୀକୃତି ତାଙ୍କୁ ମହତ୍ତର ସୃଷ୍ଟିର ପ୍ରେରଣା ଦେବ ବୋଲି ଆଶା କରାଯାଏ ।

 

ଶ୍ରୀମତୀ ପ୍ରତିଭା ରାୟ, ଜନ୍ମ ୧୯୪୪ ବାଲିକୁଦା, କଟକ । ଶିକ୍ଷାବିତ୍‌ (ରେଭେନ୍‌ସା କଲେଜର ପ୍ରଶିକ୍ଷଣ ବିଭାଗର ଅଧ୍ୟାପିକା) ଶିକ୍ଷା ମନସ୍ତତ୍ୱ ତାଙ୍କ ଗବେଷଣାର ବିଷୟ । ପିତା ପ୍ରଧାନ ଶିକ୍ଷକ ସ୍ୱର୍ଗତ ପର୍ଶୁରାମ ଦାସ ଥିଲେ ତାଙ୍କ ସାହିତ୍ୟିକ ପ୍ରେରଣାର ଉତ୍ସ । ଛାତ୍ରୀ ଜୀବନରୁ କବିତା ଓ ସାମୟିକ ପତ୍ରପତ୍ରିକାରେ କ୍ଷୁଦ୍ରଗଳ୍ପ ଆଦି ତାଙ୍କର ପ୍ରକାଶ ପାଇଥିଲା । ଷଷ୍ଠ ଦଶକରେ ଓଡ଼ିଆ ଉପନ୍ୟାସର ଦିଗ୍‌ବଳୟରେ ତାଙ୍କର ଆବିର୍ଭାବ ଏକ ନୂତନ ପ୍ରବାହ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ୨୦ ଖଣ୍ଡି ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ସେ ରଚନା କରିଛନ୍ତି । ସମଗ୍ର ଭାବରେ ସମାଜର ସୁଖଦୁଃଖ ଆଶା ଆକାଂକ୍ଷା, ତାଙ୍କ ଉପନ୍ୟାସର ଉପଜୀବ୍ୟ ହେଲେ ହେଁ ଆଧୁନିକଗୁଡ଼ିକ ଆଲୋକପାତ କରିଥାଏ । ନାରୀ ଜୀବନର ମର୍ଯ୍ୟାଦା ଓ ସମାଜର ନାରୀର ସମାନ ଅଧିକାର ପ୍ରତିଷ୍ଠା ପାଇଁ ଏକ ସଂଗ୍ରାମର ସ୍ୱର ତାଙ୍କର ଉପନ୍ୟାସରେ ଝଙ୍କୃତ । ପରିସ୍ଥିତିର ଦାସ ହେଲେ ହେଁ ତାହାର ଊଦ୍ଧ୍ୱର୍କୁ ଉଠିବା ପାଇଁ ବ୍ୟକ୍ତିକ ପ୍ରୟାସ ଓ ଏହି ପ୍ରୟାସ ଭିତରେ ପ୍ରତିଫଳିତ ବ୍ୟକ୍ତି ହୃଦୟର ଅନ୍ତରଙ୍ଗ ଚିତ୍ର ଅଙ୍କନରେ ଲେଖିକା ନିଜ ସିଦ୍ଧହସ୍ତତାର ପରିଚୟ ଦେଇଅଛନ୍ତି । ମନସ୍ତାତ୍ୱିକ ଦୃଷ୍ଟିଭଙ୍ଗୀ ଘେନି ସେ ଚରିତ୍ରଗୁଡ଼ିକୁ ଜୀବନ୍ତ କରିପାରିଛନ୍ତି । ତାଙ୍କର କେତୋଟି ସ୍ମରଣୀୟ ଉପନ୍ୟାସ ହେଲା, ‘ବର୍ଷା, ବସନ୍ତ, ବୈଶାଖ’ (୧୯୭୪), ‘ଅପରିଚିତା’ (୧୯୬୯), ‘ଉପନାୟିକା’ (୧୯୬୯), ‘ଅରଣ୍ୟ’ (୧୯୭୭) । ବିଶେଷ ଧରଣର ପାଠକଙ୍କ ପାଇଁ ବିଶେଷ ଭାବରେ ନବସ୍ୱାକ୍ଷର ଲାଭ କରିଥିବା ପୌଢ଼ ତଥା ଶିଶୁମାନଙ୍କ ପାଇଁ କେତେକ କ୍ଷୁଦ୍ର ଉପନ୍ୟାସ ଲେଖି ସେ ଯଶସ୍ୱିନୀ ହୋଇଛନ୍ତି । ପ୍ରତିଭାଙ୍କ ଶୈଳୀ ମନୋଜ୍ଞ, ସହଜ ଓ ସ୍ୱତଃସ୍ଫୂର୍ତ୍ତ । ନାରୀମୁଖର ଭାଷାକୁ ସେ ସାହିତ୍ୟରେ କୌଳିନ୍ୟ ଦେଇଛନ୍ତି । ଏହାହିଁ ତାଙ୍କ ନାରୀକୈନ୍ଦ୍ରିକ ଉପନ୍ୟାସଗୁଡ଼ିକର ସାର୍ଥକତାର ଅନ୍ୟତମ କାରଣ । ନାରୀଜୀବନର ଅନ୍ତରଙ୍ଗ କାହାଣୀ ଅଙ୍କନରେ କୁନ୍ତଳା ଅଥବା ବସନ୍ତ କୁମାରୀଙ୍କର ଦାୟାଦ ଭାବରେ ଶ୍ରୀମତୀ ପ୍ରତିଭା ରାୟ ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ନୂତନ ଦିଗ୍‌ବଳୟର ନୂଚନା ଦେଇଅଛନ୍ତି । ସୃଜ୍ୟମାନ ଓଡ଼ିଆ ଉପନ୍ୟାସର ପରିଧିର ସଂପ୍ରସାରଣରେ ତାଙ୍କର ଭବିଷ୍ୟତ ମହତ୍ତର ସୃଷ୍ଟି ସମୂହ ସହାୟକ ହେବ, ଏହା ନିଃସନ୍ଦେହ ।

 

ବହୁ ପ୍ରଚାରିତ ଉପନ୍ୟାସ “ବର୍ଷା ବସନ୍ତ ବୈଶାଖ”ରେ ଲେଖିକାଙ୍କର ଶୈଳୀ ଓ ଜୀବନଦର୍ଶନର ସୁନ୍ଦର ପରିଚୟ ମିଳେ । ବର୍ଷା ଭଳି ନିହାତି ଅବୁଝା ଝିଅ ସୁଲଗ୍ନା । ‘ବିକାର ଗ୍ରସ୍ତ ରୁଗ୍‌ଣ ସମାଜର ବିଷକୀଟ’ କବଳରୁ ସୃଷ୍ଟିର ଅନାହତ ଅନାବିଳ ଧାରା ଜୀବନ୍ତ ରଖିବାପାଇଁ ମାତୃତ୍ୱ ଗର୍ବିଣୀ ଏହି ନାରୀର ମହନୀୟ ଚରିତ୍ର ଦୀପକ, ଅମରେନ୍ଦ୍ର, ଦେବବ୍ରତ ଭଳି ପୁରୁଷ–“ସବୁଗୁଡ଼ିକ ଗନ୍ଧହୀନ କାଗଜ ଫୁଲ” ମଧ୍ୟରେ ସୁରଭି ସ୍ନିଗ୍‌ଧ ବର୍ଣ୍ଣବିଭାରେ ରଞ୍ଜିତ ହୋଇଉଠିଛି । ଉପନ୍ୟାସର କାହାଣୀ ଗତିଶୀଳ, ସଂଳାପ ଶାଣିତ । ପରିବେଶର ସ୍ୱାଭାବିକତା ରକ୍ଷିତ । ମାତ୍ର ପ୍ରାକୃତିକ ସୌନ୍ଦର୍ଯ୍ୟର ଉନ୍‌ମିଳନରେ, ଦେଶଭାଗ କାଳ ଉପସ୍ଥାପନାରେ କୌଣସି ମହତ୍‌ କଳାତ୍ମକ ଅଭିବ୍ୟକ୍ତି ଘଟିନାହିଁ । ଗଳ୍ପ୍ୟ ସ୍ୱାଭାବିକ ଗତି ବହୁ ଆକସ୍ମିକ ଘଟଣାଦ୍ୱାରା ନିୟନ୍ତ୍ରିତ-। ଆଦର୍ଶର ପୀଠରେ ନାୟନ ନାୟିକାଙ୍କ ଜୀବନ କିଂଚିତ ଅସ୍ୱାଭାବିକ ହୋଇଛି । ଏସବୁ ଦୁର୍ବଳତା ସତ୍ୱେ ସତ୍ୟର ଆପେକ୍ଷିକ ସତ୍ତା ଉନ୍‌ମିଳନରେ, ଆଦର୍ଶର ବିକାଶରେ, ପରିସ୍ଥିତି ପ୍ରକାଶରେ, ଘଟଣାର ଦିଗ ସ୍ୱାଭାବିକ ସମାବେଶ ମଧ୍ୟରେ ଆର୍ଷ ଉକ୍ତି ଭଳି ସଂକ୍ଷିପ୍ତ ବଚନ ବିନ୍ୟାସରେ ଲେଖିକାଙ୍କ ପୁରୋଦୃଷ୍ଟି ପ୍ରତିଫଳିତ । ‘ଭୁଲ ନଥାଇ ବୋଧହୁଏ ମଣିଷ ଜୀବନର ସ୍ଥିତି ନାହିଁ ।” ଭୁଲଭ୍ରାନ୍ତିର ଆଧୁନିକ ମଣିଷକୁ ଉଦାର ମହତ ଓ ସଂବେଦନଶୀଳ କରିବା ପାଇଁ ଉପନ୍ୟାସଟିର ଆବେଦନ ସହଜରେ ମ୍ଳାନ ହେବାର ନୁହେଁ ।

 

ନାରୀ ଜୀବନର କାହାଣୀ ଘେନି ସ୍ୱଳ୍ପ ହେଲେବି ବହୁ ଉପଭୋଗ୍ୟ ଉପନ୍ୟାସ ଅନେକ ଲେଖିକା ଲେଖିଅଛନ୍ତି । “ଓଡ଼ିଆ ଉପନ୍ୟାସ ସାହିତ୍ୟରେ କେତେଜଣ ନାରୀ ଔପନ୍ୟାସିକା” ପ୍ରବନ୍ଧରେ ଶ୍ରୀମତୀ ସାରଳାଦେବୀ ଏହିସବୁ ଉପନ୍ୟାସର ପରିଚୟ ଦେଇଅଛନ୍ତି । ପିତାମ୍ବରୀ ଦେବୀଙ୍କ କାନ୍‌ତରା ବାବୁ, ଶ୍ରୀମତୀ ଲବଙ୍ଗଲତା ଦେବୀଙ୍କର ‘ମନର ମଣିଷ’, କୁମୁଦଲତା ଦେବୀଙ୍କର ‘ଅବଳାମନ’, ସୀତା ଦେବୀ ଖାଡ଼ଙ୍ଗାଙ୍କର ‘ଅଗ୍ରଜ’, ଶ୍ରୀମତୀ କ୍ଷୀରୋଦ୍ରା ଦେବୀଙ୍କର ‘ପାଇଛି’ ଓ ‘ପାଷାଣ ବୁକେ ସପନ’, କଳ୍ପନା କୁମାରୀ ଦେବୀଙ୍କର ‘ଢେଉ’ ଓ ଅମୂଲ୍ୟ କୁମାରୀ ଦେବୀତ୍ୱର ‘ତୋଫାନ ପରେ’ ପ୍ରଭତି ଉପନ୍ୟାସଗୁଡ଼ିକ ସ୍ମରଣୀୟ । ଏହି ନାରୀ ଲେଖିକାମାନଙ୍କର ଉପନ୍ୟାସଗୁଡ଼ିକ ସରଳ କାହାଣୀ, ପାରିବାରିକ ଜୀବନର ବାସ୍ତବଚିତ୍ର, ନିଃପୀଡ଼ିତା ବଧୂ ଓ ଅସହାୟା ନାରୀର କରୁଣ ଆଲେଖ୍ୟ ଅତି ସରଳ ଭାଷାରେ ଅଙ୍କନ କରିଥାଏ । ପ୍ରାଚୀନ ଗ୍ରାମୀଣ ଜୀବନର ସରସତା ସଙ୍ଗେ ଆଧୁନିକ ଧନୀ ଓ ସହର ଜୀବନର ଜଟିଳତା ଫୁଟାଇବାକୁଯାଇ ଉପନ୍ୟାସଗୁଡ଼ିକରେ ଦ୍ୱନ୍ଦ୍ୱ ଆରୋପ କରାହୋଇଥାଏ । ଗରୀବର ସନ୍ତାନ ଆତ୍ମଚେଷ୍ଟାରେ ଶିକ୍ଷିତା ହେବା ଓ ଧନୀଘର କନ୍ୟାର ପାଣିଗ୍ରହଣ କରିବା ବା ସହରର ଶିକ୍ଷିତ କନ୍ୟା ଗ୍ରାମ ଜୀବନରେ ସଂସ୍କାର ଓ ପରିବର୍ତ୍ତନ ପାଇଁ ଅଗ୍ରସର ହୋଇ ପାରମ୍ପରିକ କୁସଂସ୍କାରଗ୍ରସ୍ତ ସମାଜର ବିରୁଦ୍ଧରେ ଆସିବା ଦେଖାଯାଏ । ଅଥବା କେତେବେଳେ ଏକାଧିକ ନାରୀ ଜଣେ ପୁରୁଷର ପ୍ରଣୟପ୍ରାର୍ଥୀ ହୋଇ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବା ଅଥବା ପରିଣୟ ଓ ପ୍ରଣୟରେ ବିଫଳ ହୋଇ ବିପ୍ଳବିନୀ ସାଜିବା ଭଳି ଘଟଣାର ଅବତାରଣା ଏଥିରେ ଦେଖିବାକୁ ମିଳେ । ନାରୀ ଲେଖିକାଙ୍କର ଉପନ୍ୟାସର ଆଉ ଏକ ଅତି ପରିଚିତ ବିଷୟ ହେଉଛି ଶାଶୁ ବୋହୂଙ୍କ ମଧ୍ୟରେ କଳି ଓ ଏହି ଅବସରରେ ପୁରୁଷର ଅସହାୟ ଅବସ୍ଥାର ବର୍ଣ୍ଣନା ।

 

(୭)

 

ସୃଜ୍ୟମାନ ଉପନ୍ୟାସ ଜଗତର ଏକ ବଡ଼ ଧର୍ମ ହେଉଛି ସାଧାରଣ ପାଠକଙ୍କ ମନରେ ଆନନ୍ଦ ଦେବା । ଏହି ଭାବରେ ରଚିତ ଉପନ୍ୟାସଗୁଡ଼ିକରେ ହୁଏତ ଅତି ସରଳ ପ୍ରଣୟକାହାଣୀ ଅଥବା ଗୋଏନ୍ଦାଗଳ୍ପକୁ ପ୍ରାଧାନ୍ୟ ଦିଆଯାଇଥାଏ । ଦୈନ୍ୟନ୍ଦିନ ପଣ୍ୟ କ୍ରୟ ଭଳି ଏହି ସରସ ଓ ସୁଲଭ ଉପନ୍ୟାସଗୁଡ଼ିକୁ ନିଜର ସାମାନ୍ୟ ଅବସର ସମୟର ଉପଭୋଗ ନିମନ୍ତେ ସ୍ୱଳ୍ପ ଶିକ୍ଷିତ ପାଠକମାନେ କିଣିଥାନ୍ତି । କଲିକତାର ଶ୍ରମିକମାନେ ହୁଏତ ଏହାର ବଡ଼ ପାଠକ । ଏହି ବଜାରର ପଣ୍ୟଧର୍ମୀ ଉପନ୍ୟାସଗୁଡ଼ିକର କଳାମୂଲ୍ୟ ସ୍ୱଳ୍ପ । ଜନପ୍ରିୟ ଉପନ୍ୟାସର ଲେଖକମାନେ ସାଧାରଣତଃ ପର୍ଯ୍ୟାୟବାଚୀ ଉପନ୍ୟାସ ଲେଖିଥାନ୍ତି । ଗୋଟିଏ ଉପନ୍ୟାସ ପାଠପରେ ଆଉ ଖଣ୍ଡିଏ ପଢ଼ିବାପାଇଁ ପାଠକଙ୍କୁ ଆକୃଷ୍ଟ କରନ୍ତି । ସାହିତ୍ୟର ଇତିହାସରେ ଏହି ଔପନ୍ୟାସିକମାନଙ୍କର ସ୍ଥାନ ଯାହା ହେଉନା କାହିଁକି ସମାଜ ଉପରେ ଏସବୁର ପ୍ରଭାବ କେତେ ଗଭୀର ତାହା ସ୍ୱତନ୍ତ୍ର ଗବେଷଣାର ବିଷୟ । ଏକ ପ୍ରକାର ଅହିଫେନ ଭଳି ହୁଏତ ଶ୍ରମଜୀବୀର ଶାନ୍ତି ଅପନୋଦନ ପାଇଁ ଏହାର ମୂଲ୍ୟ ଥାଇପାରେ, ଅନ୍ୟ ପକ୍ଷରେ ତରୁଣର ଅପୁଷ୍ଟମନକୁ ବିଭ୍ରାନ୍ତ କରିବାରେ ଏହି ଉପନ୍ୟାସର ଭୂମିକା ମଧ୍ୟ ଭାବି ଦେଖିବାର ବିଷୟ । ଡିଟେକ୍‌ଟିଭ ଉପନ୍ୟାସ ଲେଖି ଏକ ଦିଗରେ ଅର୍ଥଲାଭ କରିବା ଓ ଅନ୍ୟ ଦିଗରେ କୌଣସି ମହତ୍‌ ଆଦର୍ଶ ପାଇଁ କାର୍ଯ୍ୟ କରିବାର କେହି କେହି ଲେଖକଙ୍କୁ ଦେଖାଯାଏ । ମହତ୍‌ ଲକ୍ଷ୍ୟ ପୂରଣ ପାଇଁ ଗୋଇନ୍ଦା ଉପନ୍ୟାସ ରଚନା ଭଳି ଏକ ଅପେକ୍ଷାକୃତ କମ୍‌ ମନ୍ଦ ଉପାୟ ଏମାନେ ଗ୍ରହଣ କରିଥାନ୍ତି । ବିଦେଶୀ ସାହିତ୍ୟରେ କେହି କେହି ବଡ଼ ବଡ଼ କବି ଓ ବିପ୍ଳବୀଙ୍କୁ ଛଦ୍ମନାମରେ ଡିଟେକ୍‌ଟିଭ ଉପନ୍ୟାସ ଲେଖୁଥିବାର ଦେଖାଯାଏ । ଓଡ଼ିଆରେ ଶ୍ରୀ ଜମେଶ୍ୱର ମିଶ୍ର କଳାଶିକ୍ଷା ପାଇଁ ଅର୍ଥ ଲାଭ ଆଶାରେ ଏକଦା ବହୁ ଡିଟେକ୍‌ଟିଭ୍‌ ଉପନ୍ୟାସ ଲେଖିଥିଲେ । ତାଙ୍କ ଲକ୍ଷ୍ୟରେ ସେ ସିଦ୍ଧିଲାଭ କରିଥିଲେ । ଓଡ଼ିଆ ଡିଟେକ୍‌ଟିଭ ଉପନ୍ୟାସଗୁଡ଼ିକର ମୌଳିକତା ଉପରେ କୌଣସି ପ୍ରଶ୍ନ ନଉଠାଇବା ଭଲ । ସାଧାରଣତଃ ବଙ୍ଗଳା ନହେଲେ ହିନ୍ଦୀ ଡିଟେକ୍‌ଟିଭ୍‌ ଉପନ୍ୟାସର ହୁଏତ ଏମାନେ ଅନୁକରଣ କରିଥାନ୍ତି କିମ୍ବା ଶସ୍ତା ହିନ୍ଦୀ ସିନେମାର କାହାଣୀକୁ ଉପନ୍ୟାସର ରୂପ ଦେଇଥାନ୍ତି । ଚନ୍ଦ୍ରମଣି ଦାସ, ପ୍ରଥମେ ନରବଳି ନାମରେ ଗୋଟିଏ ଡିଟେକ୍‌ଟିଭ ଲେଖିଥିଲେ । ପାଠକଙ୍କର କୌତୂହଳ ଚରିତାର୍ଥ କରିବା ପାଇଁ ଏହି ଉପନ୍ୟାସର ଅନେକଖଣ୍ଡ ତାଙ୍କୁ ଲେଖିବାକୁ ହୋଇଥିଲା । ଚୋରୀ ଡକାୟତିର ଲୋମହର୍ଷଣକାରୀ କାହାଣୀ ମଧ୍ୟ ଡିଟେକ୍‌ଟିଭ ଉପନ୍ୟାସର ଅନ୍ୟ ଏକ ଉପାଦାନ । ଦ୍ୱାରିକାନାଥ ଦାସଙ୍କ ନାୟକ ଦସ୍ୟୁ ରବୀନ୍‌ ଓ ଯତୀନ୍‌ ଅଥବା କଣ୍ଡୁରୀ ଚରଣ ଦାସଙ୍କ ନାୟକ ଲାଲସିଂହ ଏକ ଦିଗରେ ଦସ୍ୟୁ ନରହନ୍ତା ଓ ଅନ୍ୟ ଦିଗରେ କର୍ମବୀର ଦାନବୀରରୂପେ ଚିତ୍ରିତ । ଶ୍ରୀ ଯୋଗେନ୍ଦ୍ର କୁମାର ମହାନ୍ତି, ଗିରିଧାରୀ ମହାରଣା, ଭୂବେନ୍‌ ଗୋସ୍ୱାମୀ, ରୁଦ୍ର ସୁନ୍ଦର ମହାପାତ୍ର, ମହେଶ୍ୱର ପଣ୍ଡା, ଜମେଶ୍ୱର ତ୍ରିପାଠୀ ଆଦିଙ୍କ ନାମ ଏ ଦିଗରେ ସର୍ବାଦୌ ସ୍ମରଣୀୟ ।

 

(୮)

 

ଉପନ୍ୟାସ ରଚନା ଯେକୌଣସି ସାଧାରଣ ଶିକ୍ଷିତ ବ୍ୟକ୍ତିର ଏକ ସାମୟିକ ବିଳାସ ହୋଇପାରେ । ହୁଏତ ଅର୍ଥ ଲାଭ ଅଥବା ଯଶ ଲାଭ ପାଇଁ ନଲେଖି ନିଜ ଜୀବନର କୌଣସି ଏକ ସ୍ମରଣୀୟ ଅନୁଭୂତିକୁ ପ୍ରକାଶ କରିବା ପାଇଁ ଏମାନେ ଉପନ୍ୟାସର ଆଶ୍ରୟ ନିଅନ୍ତି । ଗୋଟିଏ ଅଧେ ଉପନ୍ୟାସ ଲେଖୁ ଲେଖୁ କେହି ଉପନ୍ୟାସ ରଚନାକୁ ନିଜର ପେଶାରୂପେ ଗ୍ରହଣ କରନ୍ତି କେହି ବା କରନ୍ତି ନାହିଁ, କିନ୍ତୁ ଯଦି ଏହି ଏକକ ଉପନ୍ୟାସର ସ୍ରଷ୍ଟାଭାବରେ ସାହିତ୍ୟ ଇତିହାସରେ ଏମାନଙ୍କର ସ୍ଥାନ ଗୌଣ, ତଥାପି ଏହି ଉପନ୍ୟାସଗୁଡ଼ିକର ଭାବ ବୈଚିତ୍ର୍ୟ, ଆଙ୍ଗିକ ଓ ରୂପଗତ ସ୍ୱାତନ୍ତ୍ର୍ୟ ଅନେକ ସମୟରେ ଦୃଷ୍ଟି ଆକର୍ଷଣ କରେ । ଏ କ୍ଷେତ୍ରରେ ଔପନ୍ୟାସିକଙ୍କ ବିଚାର ନୁହେଁ, ଉପନ୍ୟାସର ବିଚାର କରିବାକୁ ପଡ଼େ । ପୁଣି କବିତା, ନାଟକ, ଭ୍ରମଣ କାହାଣୀ ଆଦି ଲେଖି ଖ୍ୟାଦି ଅର୍ଜନ କରିଥିବା କେହି କେହି ସାହିତ୍ୟିକଙ୍କୁ ଉପନ୍ୟାସ କ୍ଷେତ୍ରରେ ଆବିର୍ଭୂତ ହେବାର ଦେଖିବାକୁ ମିଳେ । ଏମାନଙ୍କ ଏକକ କୃତି ମଧ୍ୟରେ ଥାଏ ଅନନ୍ୟ ସାଧାରଣ ଶିଳ୍ପିତ୍ୱ । କେତେବେଳେ ଏମାନେ ସାହିତ୍ୟ ସାଧନାର ଆରମ୍ଭରେ ହିଁ ଉପନ୍ୟାସ କ୍ଷେତ୍ରରେ ପ୍ରବେଶ କରନ୍ତି ମାତ୍ର ଏଥିରେ ଆତ୍ମପ୍ରକାଶର ଯଥାର୍ଥ କ୍ଷେତ୍ର ପାଇ ନଥାନ୍ତି । ପୁଣି କେତେବେଳେ ନିଜ ସାହିତ୍ୟ ସାଧନାର ଏକ ପରିଣତ ପର୍ଯ୍ୟାୟରେ ସେମାନେ ଉପନ୍ୟାସ କ୍ଷେତ୍ରକୁ ଫେରିଆସନ୍ତି । ଏହି ଶ୍ରେଣୀର ଉପନ୍ୟାସ ମଧ୍ୟରେ ସଚ୍ଚି ରାଉତରାୟଙ୍କର ‘ଚିତ୍ରଗ୍ରୀବ’; ମାୟାଧର ମାନସିଂହଙ୍କର ‘ଅନ୍ୱେଷଣ’, ଗୋବିନ୍ଦ ଦାସଙ୍କର ‘ଅମାବାସ୍ୟାର ଚନ୍ଦ୍ର’, କୁଞ୍ଜବିହାରୀ ଦାଶଙ୍କର ‘ମଣାଣି ତୁଳସୀ’ର ନାମ ଉଲ୍ଲେଖ କରାଯାଇପାରେ ।

 

ସଚ୍ଚି ରାଉତରାୟଙ୍କ ‘ଚିତ୍ରଗ୍ରୀବ’ ଏକାଧିକ ସଂସ୍କରଣରେ ପ୍ରକାଶିତ । ୧୯୩୬ରେ ଏହା କଲିକତାରେ ଲେଖକଙ୍କର ପ୍ରବାସ ଜୀବନର ସ୍ମୃତି ବହନକରି ରଚିତ ହୋଇଥିଲା । ଏହି ଉପନ୍ୟାସର ଦ୍ୱିତୀୟ ସଂସ୍କରଣର ମୁଖବଂଧରେ ଲେଖକ ନିଜେ ସ୍ୱୀକାର କରିଛନ୍ତି ଏଥିରେ କେବଳ କଲିକତାରେ ପଢ଼ୁଥିବା ଓଡ଼ିଆ ଛାତ୍ରମାନଙ୍କର ଚିନ୍ତାଧାରା, ଜୀବନବୋଧ ପରିପାଶ୍ୱର୍ର ଯେ ପ୍ରମୂର୍ତ୍ତନ ହୋଇଛି ତାହାନୁହେଁ, ଏହା ବୁଦ୍ଧିଜୀବୀ ଶ୍ରେଣୀର ଏକ ବିଶ୍ୱସ୍ତ ଜୀବନାଲେଖ୍ୟ” । ଚିତ୍ରଗ୍ରୀବର ଗଳ୍ପାଂଶ ଅତ୍ୟନ୍ତ ଦୁର୍ବଳ । ଗଳ୍ପାଂଶରେ କୌଣସି କ୍ରମିକ ଅଗ୍ରଗତି ଦେଖାଯାଏ ନାହିଁ । ଏଥିରେ ଚାରେଟି ଶିକ୍ଷିତ ଯୁବକ ସୌରେନ୍ଦ୍ର, ଗଗନ, ମୃଗାଙ୍ଗ ଓ ଗଣେଶ ନାୟକ । ଉପନ୍ୟାସରେ ସମସ୍ତଙ୍କର ସ୍ଥାନ ସମାନ । ଏଥିରେ ମୃଗାଙ୍ଗ ବିବାହିତ । ଗଣେଶ ପ୍ରେମିକ, ସେ ସୌରେନ୍ଦ୍ର ବା ଗଗନଙ୍କ ଭଳି ଚତୁର ଅଥବା ବାସ୍ତବଦର୍ଶୀ ନୁହେଁ । ଅଯଥା ଖିଆଲ ପଛରେ ଗୋଡ଼ାଇ ସେ ଏକ ଅର୍ଦ୍ଧପାଗଳ ଖିଆଲି ଚରିତ୍ରରେ ପରିଣତ ହୋଇଛି । ସୀମାହୀନ ପ୍ରତିକ୍ଷା ଓ ଅତୃପ୍ତି ମଧ୍ୟରେ ତା ପ୍ରେମର ପରିସମାପ୍ତି ଘଟିଅଛି । ଏହି ବଂଧୁମାନଙ୍କ ମଧ୍ୟରେ ଯୁକ୍ତିତର୍କ ଗଳ୍ପ ଓ କଥକତାର ଲଘୁ ପରିବେଶ ମଧ୍ୟରେ ଉପନ୍ୟାସ ହୋଇଛି କେତେବେଳେ ପରିହାସଧର୍ମୀ, ଅବା କେତେବେଳେ ପ୍ରଚାରଧର୍ମୀ । ପ୍ରେମ, ଅର୍ଥନୀତି, ରାଜନୀତି, ସମାଜ ସଂସ୍କାର ସବୁକିଛିରୁ ଲେଖକ ନିଜ ଉପନ୍ୟାସର ଉପାଦାନ ସଂଗ୍ରହ କରିଛନ୍ତି । ବ୍ୟର୍ଥ ପ୍ରେମିକ ଗଣେଶ କେବଳ ପ୍ରେମିକାଙ୍କ ନା ଲେଖି ବିନା ଠିକଣାରେ ଚିଠି ଲେଖେ ଓ ରାସ୍ତା କଡ଼ରେ ଚିଠିବାକ୍‌ସରେ (letter box) ସଂଧାନ ନପାଇ ଅଳିଆ ବାକ୍‌ସ (litter box)ରେ ଚିଠିପକାଏ । ପାଇବାରେ ଅତୃପ୍ତି ଓ ପାଇବାରେ ବ୍ୟର୍ଥତା ଘେନି ଏହି ଚରିତ୍ରଗୁଡ଼ିକ ହୋଇଛନ୍ତି କେତେବେଳେ ଆଦର୍ଶବାଦୀ ରେମାଣ୍ଟିକ୍‌ କ୍ୱଚିତ୍‌ ବାସ୍ତବବାଦୀ । ସଚ୍ଚି ରାଉତରାୟଙ୍କର ଏହି ଉପନ୍ୟାସ ତୀର୍ଯ୍ୟକ୍‌ ବୁଦ୍ଧିଦୀପ୍ତ ଭାଷାରେ ରଚିତ । ଏହି ଭାବରେ ଏହା କେତେ ପରିମାଣରେ ବୈଶିଷ୍ଟ୍ୟ ଦାବୀ କରିପାରେ ।

 

‘ଦେଶେ ଦେଶେ’ ଭ୍ରମଣ କାହାଣୀର ଲେଖକ ଦିଲ୍ଲୀ ସୁପ୍ରିମ କୋର୍ଟ୍‌ର ଆଡ୍‌ଭୋକେଟ୍‌ରୂପେ ପ୍ରତିଷ୍ଠିତ ବୁଦ୍ଧିଜୀବୀ ବାରିଷ୍ଟର ଗୋବିନ୍ଦ ଦାସଙ୍କର (୧୯୨୮) ଅମାବାସ୍ୟାର ଚନ୍ଦ୍ର (୧୯୬୪) - ଆଧୁନିକ ସହରୀ ଜୀବନର ପରିବେଶରେ ରଚିତ ଏକ ଉଲ୍ଲେଖଯୋଗ୍ୟ ଉପନ୍ୟାସ । ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ‘କାଉ୍‌ଲ’ ଏକ ଅସହାୟ ରୁଗ୍‌ଣ ଦରିଦ୍ର ଜୀବନକୁ ଚାଲେଞ୍ଜ କରି ଭୌତିକ ସାଫଲ୍ୟ ଅର୍ଜନ କରିଛି । ଏକ ଦିଗରେ ତା ଚରିତ୍ରର ବହୁ ଦୋଷ ଦୁର୍ବଳତା ଓ ଅନ୍ୟ ଦିଗରେ ତା’ର ଉଦାର ମନସ୍କତାହିଁ ହୋଇଛି ଉପନ୍ୟାସର ଉପଜୀବ୍ୟ । ସେ ସନ୍ତାନବିହୀନା କମ୍ପାନୀ ମାଲିକଙ୍କର ଶ୍ରଦ୍ଧାଭାଜନ ହୋଇଛି, କିନ୍ତୁ କୌଣସି ନାରୀଙ୍କର ସେ ହୋଇପାରି ନାହିଁ ଅସଯତ୍ନ ପ୍ରେମିକ । କାଉଲ୍‌ ନଗରକୁ ନଗର ବୁଲିଛି । ତା’ର ନେପଥ୍ୟ ଜୀବନରେ ଆସିଛନ୍ତି କେତେ ନାରୀ । ମାତ୍ର ସ୍ଥାନ ଓ କାଳର ନାୟକ ନହୋଇ ସେ ହୋଇଛି କେତୋଟି ମୁହୂର୍ତ୍ତ ଆବେଗର ବ୍ୟକ୍ତି ଚେତନାର ପ୍ରମୂର୍ତ୍ତ ଆଲେଖ୍ୟ । ସଂଳାପ ଧର୍ମୀ ଚରିତୋପଯୋଗୀ କେତେବେଳେ ନାଟକୀୟ ପରିମିତ ବୋଧ, କେତେବେଳେ ଅବା କାବ୍ୟିକ ଆବେଗ ପ୍ରବଣତା ମଧ୍ୟରେ ଏହାର ଭାଷାଶୈଳୀ ବିଶିଷ୍ଟତାର ଅପେକ୍ଷା ରଖେ । ସମସ୍ତ ଉପନ୍ୟାସଟି ଏକ ପ୍ରାଣସ୍ପର୍ଶୀ ଟ୍ରାଜିକ୍‌ର ଧର୍ମ, ବ୍ୟର୍ଥ ପ୍ରଣୟ ଓ ଅସାର ଭୌତିକତା ମଧ୍ୟରେ ଉଦାର ବ୍ୟଷ୍ଟିକୈନ୍ଦ୍ରିକ ମାନବତାର ବାଣୀ ବହନ କରିଛି । ଅନୁଚ୍ଚାରିତ ଆତ୍ମକଥନ, ଅତୀତ ସ୍ମୃତିର ରୋମନ୍ଥନ ଓ ମନସ୍ତାତ୍ୱିକ ବିଶ୍ଳେଷଣ ମଧ୍ୟରେ ଲେଖକ ନିଜର ନାୟନ ନାୟିକାଙ୍କୁ ଜୀବନ୍ତ କରିପାରିଛନ୍ତି । ‘ଅମାବାସ୍ୟାର ଚନ୍ଦ୍ର’ ନାମକରଣ ମଧ୍ୟରେ ଆଧୁନିକ ମଣିଷର ଚତୁପାଶ୍ୱର୍ର ଆବିଳ ଅନ୍ଧକାରମୟ ପରିବେଶ ମଧ୍ୟରେ ଚିରନ୍ତନ ମାନବତାର ଦୀପ୍ତି ଆବିଷ୍କାର କରିଅଛନ୍ତି ।

 

କୁଞ୍ଜବିହାରୀ ଦାସ (୧୯୧୪)

 

କବି ମନୀଷୀ କୁଞ୍ଜବିହାରୀଙ୍କର ସଦ୍ୟତମ ସୃଷ୍ଟି ‘ମଶାଣି ତୁଳସୀ’ (୧୯୮୦) ଗ୍ରାମୀଣ ପ୍ରତିଭାର ଏକ ପ୍ରତୀକ, ବିଂଶ ଶତକରେ ତୃତୀୟ ଦଶକର ଓଡ଼ିଶା ପଲ୍ଲୀଜୀବନ ଉପରେ କେନ୍ଦ୍ରିକ-। ଲୋକସାହିତ୍ୟ ରସରେ ସଂଜୀବିତ ଏକ ପଲ୍ଲୀପ୍ରାଣ ଦରଦି କବିଙ୍କର ଭାବଦୃଷ୍ଟି ଉପନ୍ୟାସରେ ପ୍ରତିଫଳିତ । ନାୟକ ପାଣୁଦାସଙ୍କ (ହରିବୋଲ ବାବା) ମହାପ୍ରୟାଣରୁହିଁ ଉପନ୍ୟାସର ଆରମ୍ଭ ଓ ତାଙ୍କରି ଶେଷନିଶ୍ୱାସ ଆଗରେ ଉପନ୍ୟାସର ପରିଣତି । ଏହାର ନାୟକ ସତେ ଯେପରିକି ଲେଖକଙ୍କର ଏକାନ୍ତ ପରିଚିତ । କଳ୍ପନା ଘେନି ଲେଖକ ଗଳ୍ପଗୁଂଫନ କିନ୍ତୁ ସଚିତ୍ର ପଲ୍ଲୀଜୀବନ ସହିତ ତାଙ୍କର ଏକାତ୍ମ୍ୟ ପରିଦୃଷ୍ଟ । ମନେହୁଏ ଯେପରିକି ଲେଖକଙ୍କ ଆତ୍ମଜୀବନୀର ଏହା ଅଂଶବିଶେଷ । କର୍ମର କଠୋର ଶିଳାଭୂମିରେ ବିଚରଣ କରି କୁସୁମପୁରର ଭୋଇ ଟୋକା ପାଣୁ ଜୀବନରେ ମହାନ୍‌ ସତ୍ୟ ଉପଲବ୍‌ଧି କରିଅଛି । ଏହି ଉପନ୍ୟାସଟିର ପ୍ରଥମ ଅଧ୍ୟାୟରେ ଲୋକଙ୍କ ଆଖିରେ ବାବାଜୀ ପାଣୁର ଅତିମାନସିକ ଚିତ୍ର ଅଂକିତ । ଏଇ ବାବାଜୀ ଥିଲେ ଅତି ସାଧାରଣ ଓ ତାଙ୍କର ମୁଖନିସୃତ ବାଣୀ ୧୯୨୯ରେ ଛାପା ହୋଇଥିଲା ଏକ କ୍ଷୁଦ୍ର ପୁସ୍ତିକା ଆକାରରେ । ଉପନ୍ୟାସର ଶେଷ ଅଧ୍ୟାୟରେ ଏଇ ଉପନ୍ୟାସର ନାୟକ ପାଣୁଆ ଘରଛାଡ଼ିଯାଇଛି ବାବାଜୀ ହୋଇ କେତେ ତୀର୍ଥ କେତେ ପାହାଡ଼ ଉପତ୍ୟକା ଘୂରିଘୂରି ଶେଷରେ ନିଜ ଗାଁ କୁସୁମପୁରକୁ ଫେରିଆସିଛନ୍ତି ଜଣେ ସିଦ୍ଧପୁରୁଷ ମାହାତ୍ମାହୋଇ ଆଉ ତାଙ୍କ କଣ୍ଠରୁ ଶୁଣାଯାଇଛି ।

 

‘ସବୁରିଉପରେ ଏ ମଣିଷ ବଡ଼’, ମଣିଷ ଉପରେ ନାଇଁ ।

 

ଈଶ୍ୱର ପିତା, ଈଶ୍ୱର ସଖା, ଈଶ୍ୱରତାର ଭାଇ’ ।

 

ପାଣୁ ଦାସଙ୍କ ଆତ୍ମୋପଲବ୍‌ଧିର କାହାଣୀ ମଧ୍ୟରେ ଐତିହାସିକ ପୁରୁଷ ଗୋପବନ୍ଧୁ ଓ ଜଣେ ଅପରିଚିତା ଗ୍ରାମୀଣ କର୍ମୀ ବୀର ମହାନ୍ତିଙ୍କର ଆବିର୍ଭାବ ଘଟିଅଛି । ଏଇ ଭାବରେ ଦେଶ ସହିତ କାଳ ସମନ୍ନିତ ହୋଇଛି । ମାତ୍ର ଉପନ୍ୟାସଟିର ଆବେଦନ କାଳାତୀତ । ଏହା ଏକ ଜୀବନଧର୍ମୀ ଭାବବାଦୀ ଉପନ୍ୟାସ । ଏଠାରେ ଆଧ୍ୟାତ୍ମିକତା ଆଧିଭୌତିକତାରେ ଲୟ ଲାଭ କରିନାହିଁ, ଜାଗତିକ କୁଟୁମ୍ବିତାରେ ବିକଶିତ ହୋଇଅଛି । ଏହି ଜଗତ ତରୁଲତା, ପଶୁପକ୍ଷୀଠାରୁ ଆରମ୍ଭ କରି ଦୀନଦୁଃଖୀ, ଭାବୁକ, କବି ସମସ୍ତଙ୍କୁ ଘେନି ଗଠିତ ଶକ୍ତି ସଂଘର୍ଷ ଊଦ୍ଧ୍ୱର୍ରେ ସମତା, ମମତା ଓ ସହଧର୍ମିତା ପଥରେ ମନୁଷ୍ୟର ଉତ୍ତରଣହିଁ ଉପନ୍ୟାସର ଉପଜୀବ୍ୟ, ପଲ୍ଲୀର ଅନୁଷ୍ଠାନ, ଜୀବନଧାରା, ଆଦର୍ଶ ଓ ଆନନ୍ଦର ଚିତ୍ର ଖାଣ୍ଟି ଲୋକ ଭାଷାରେ ରଚିତ । ଏହି ଭାଷା ଆମୂଳାନ୍ତ ଛନ୍ଦୋମୟ ସଙ୍ଗୀତ ଓ ଚିତ୍ରଧର୍ମୀ । ଲେଖକଙ୍କ ଉକ୍ତି ସ୍ମରଣୀୟ–ଓଡ଼ିଆର ସାମାଜିକ ଜୀବନ ଖାଣ୍ଟି ଓଡ଼ିଆ ଭାଷାରେ ଚିତ୍ରିତ ହୋଇଛି ଅତି ଅଳ୍ପ । ଲୋକସାହିତ୍ୟ ସଂଗ୍ରହ କାଳରେ ଓଡ଼ିଆ ଜୀବନକୁ ଯେମିତି ଜାଣିଥିଲି ତା’ର କିଂଚିତ ଆଭାସ ଦେଲି । ଲୋକଗୀତ ଲୋକ ଜୀବନର କେତେ ଅନ୍ତରଙ୍ଗ ତା’ର କେତେ ନିବିଡ଼, ତା’ର ସୂଚନା ପଦେ ପଦେ” । ଆପାତଃ ଦୃଷ୍ଟିରେ ଉପନ୍ୟାସରେ କାହାଣୀ ଅଂଶ ଦୁର୍ବଳ ମନେ ହୋଇପାରେ । ମାତ୍ର ବଳିଷ୍ଠ ଚରିତ୍ର ଚିତ୍ରଣ ସେ ଅଭାବ ପୂରଣ କରିଅଛି । ମୁଖ୍ୟ ଚରିତ୍ର ସହିତ ଗ୍ରାମର ବଧୂ, ମାତା, ହଳିଆ, ମକଦମ ଆବାଳବୃଦ୍ଧ - ସମସ୍ତଙ୍କର ଚିନ୍ତା ଓ ଚରିତ୍ର, କର୍ମ ଓ ଜୀବନ ଚିତ୍ରର ଅନ୍ତରଙ୍ଗ ଆଲେଖ୍ୟରେ ସମସ୍ତ ଉପନ୍ୟାସଟି ଉଜ୍ଜଳ ହୋଇଉଠିଛି । ଅଜସ୍ର ଲୋକଗଳ୍ପର ରୂପକାର, ଗାଥାର ସ୍ରଷ୍ଟା, ଦରଦୀ କବିଙ୍କ ଭାବଦୃଷ୍ଟି ଓ ଅନ୍ତର୍ଦୃଷ୍ଟି ସମ୍ମିଶ୍ରଣରେ ଉପନ୍ୟାସଟି ମହାକାବ୍ୟିକ ଗାରିମା ଲାଭକରିଛି - ଯଦିବା ଶତ ଟ୍ରାଜେଡ଼ିର କାରୁଣ୍ୟ, ପ୍ରଗତୀର ଝଙ୍କାର ଉଚ୍ଚାରିତ ହୋଇଛି ଛତ୍ରେ ଛତ୍ରେ । ଓଡ଼ିଆ କଥାସାହିତ୍ୟର ଅତୀତର ପରମ୍ପରା ଓ ଭବିଷ୍ୟତର ବିକାଶ ସମ୍ଭାବନାର ଏକ ନୂତନ ଶଙ୍କୁ ‘ମଶାଣି ତୁଳସୀ’ର ସ୍ଥାନ ସ୍ୱତନ୍ତ୍ରରୂପେ ଚିହ୍ନିତ ହେବ–ଏହା ନିଃସନ୍ଦେହ ।

 

ମଣିମା ଶୁଣିମା ହେଉ (୧୯୮୧) ଆଧୁନିକ ଉପନ୍ୟାସ ଜଗତରୁ ଗତାନୁଗତିକତାର ସ୍ଥାଣୁତ୍ୱ ଅପସାରଣ ଲାଗି ନବତମ ପ୍ରୟାସ କେବଳ ସୃଷ୍ଟିର ପ୍ରେରଣା ସଂଜାତ ନୁହେଁ, ଅଭିଜ୍ଞତାର ଗଭୀରତା ଓ ଆଧୁନିକ ଜ୍ଞାନଚର୍ଚ୍ଚାରେ ବ୍ୟାପକତା ଉପରେ ନିର୍ଭରକରେ । ଏହି ଦିଗରୁ କୁଂଜବିହାରୀଙ୍କର ସଦ୍ୟତମ ସୃଷ୍ଟି ‘ମଣିମା ଶୁଣିମା ହେଉ’ ବିଶେଷ ଉଲ୍ଲେଖଯୋଗ୍ୟ । ପ୍ରଜାତିଗତ ଓ ପ୍ରାକୃତିକ ବୈଚିତ୍ର୍ୟ ଓ ବ୍ୟବଚ୍ଛିନ୍ନତା ମଧ୍ୟରେ ଜାତୀୟତା ଓ ପ୍ରକୀର୍ଣ୍ଣ ମାନବତାର ବିକାଶ ଇଉରୋପର ଆଧୁନିକ ଯୁଗରେ ଜର୍ମାନରେ ଯେପରି ଘଟିଅଛି–ଭାରତୀୟ ପୃଷ୍ଠଭୂମିରେ ହୁଏତ ଓଡ଼ିଶା ତାହାର ଏକ ଦୃଷ୍ଟାନ୍ତ । ଏହାର ପ୍ରତି ପର୍ବତ, ଗିରି ଝରଣା, ନଦୀ ଉପତ୍ୟକା କୋଣେ କୋଣେ ଯେତେ ବିଚିତ୍ର ମାନବୀୟ ସଂହତି ଓ ସମନ୍ୱୟର ଇତିହାସ ସତେ ଯେପରିକି ଏବେବି ଉପକଥାର ଉପାଦାନ ହୋଇ ରହିଅଛି । ଏହାର ସାମଗ୍ରିକ ଇତିହାସ ସମୟର ଦ୍ରୁତ ପରିବର୍ତ୍ତନ ମଧ୍ୟରେ ବିସ୍ମୃତି ଗର୍ଭରେ ଲୀନ ହୋଇଯାଉଅଛି । ହୁଏତ ଏଥିରୁ ବହୁଳାଂଶ ଏବେବି ଆମଠାରେ ‘ଲଷ୍ଟ ହେରିଟେଜ୍‌’ । ମାତ୍ର ଏହାକୁ ସାହିତ୍ୟର ଅଙ୍ଗୀଭୂତ ନକଲେ ଆମ ନିଜସ୍ୱ ଜୀବନଧାରା, ବିଚାରବୋଧ ଖଣ୍ଡିତ ଓ ବିକଳାଙ୍ଗ ହୋଇ ରହିଯିବ । ଆଜି ରାଜା ନାହାନ୍ତି, ରାଜନୀତିର ରଙ୍ଗମଞ୍ଚରୁ ସେ ବିଦାୟ ନେଇଛନ୍ତି । ମାତ୍ର ଲୋକସ୍ମୃତିରେ ତାଙ୍କର ସେହି ଚଳନ୍ତି ଦେବତାରୂପ, ଅଖଣ୍ଡ ପ୍ରଭାବ ଓ ପ୍ରତିପତ୍ତିର ଇଂଗିତ ଲିଭିଯାଇ ନାହିଁ । ଉପନ୍ୟାସଟିର ଏହି ପରମ୍ପରା ଆଧୁନିକ ଯୁଗର ଇତିହାସ ନିଷ୍ଠା, ତଥ୍ୟ ଓ ଯୁକ୍ତିଧାରାର ଆଲୋକରେ ମନୋଜ୍ଞ ଭାବରେ ଚିତ୍ରିତ ହୋଇଅଛି-। ଔପନ୍ୟାସିକଙ୍କ କଳ୍ପିତ ତାଳମୂଳ ରାଜ୍ୟ, ତାହାର ରାଜବଂଶର କୀର୍ତ୍ତିକଳାପ, ରାଜାମାନଙ୍କର ଅନ୍ତରଙ୍ଗ ଜୀବନଚିତ୍ର, ରାଜ ଅନ୍ତପୁରର କାହାଣୀ, ରାଜଶାସନର ସ୍ୱରୂପର ପଷ୍ଠଭୂମିରେ ମୋଗଲ ରାଜତ୍ୱକାଳରୁ ସୁଦୀର୍ଘ ଇତିହାସ କାଳର ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକର ଉନ୍ମେଷ ଓ ସ୍ୱାଧୀନ ଭାରତରେ ସେଗୁଡ଼ିକର ମିଶ୍ରଣ ବିଲୟ ପର୍ଯ୍ୟନ୍ତ ସମସ୍ତ ଘଟଣା ଏହି ଉପନ୍ୟାସଟିରେ ସ୍ଥାନ ପାଇଅଛି । ଉପନ୍ୟାସର ତଥ୍ୟ ଆହରଣ ପାଇଁ ଲେଖକ ଏକ ଦିଗରେ ଯେପରି ଭାରତ ଓ ଓଡ଼ିଶା ଇତିହାସର ପୃଷ୍ଠା ଉନ୍ମୋଚନ କରିଅଛନ୍ତି, ସେହିପରି ରାଜଦରବାର ସହିତ ସଂପୃକ୍ତ ଅଜସ୍ର ପାରଂପରିକ ରୀତିନୀତି, ଲୋକଚଳଣି, ଉପଜାତୀୟ ଜୀବନଚର୍ଯ୍ୟା ଆଦିକୁ ଆଲୋଚନାକୁ ଆଣିଅଛନ୍ତି । ଔପନ୍ୟାସିକ ହୋଇପାରିଛନ୍ତି ଏକାଧାରାରେ ଜଣେ ଐତିହାସିକ, ନୃତାତ୍ୱିକ, ଲୋକ ସଂସ୍କୃତିବିତ୍‌ ଓ ସମାଜତତ୍ୱଜ୍ଞ । ଏହି ଦୃଷ୍ଟାନ୍ତ ଆଧୁନିକ ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ପ୍ରାୟ ବିରଳ । ପୁଣି କେବଳ ତଥ୍ୟ ନୁହେଁ ତଥ୍ୟର ପଞ୍ଜର ଭିତରୁ ସତ୍ୟର ପ୍ରାଣ ପ୍ରକାଶ ପାଇଁ ଯେଉଁ କାବ୍ୟିକ ଦୂରୋଦୃଷ୍ଟି ପ୍ରୟୋଜନ, ତାହାର ପ୍ରଭୂତ ପରିଚୟ ଉପନ୍ୟାସର ଛତ୍ରେ ଛତ୍ରେ ବିଦ୍ୟମାନ । ଗଠନ ପାଟବ ଓ ଭାଷା ଶିଳ୍ପରେ ପ୍ରକାଶ ପାଇଅଛି ଲେଖକଙ୍କ ଅନନ୍ୟ ଆହରଣ ଓ ସଂଶ୍ଳେଷଣ ଶୈଳୀ । ଏକ ସମଗ୍ର ଜୀବନର ଚିତ୍ର କୌଣସି ବୌଦ୍ଧିକ ପରିଭାଷ୍ୟ ମଧ୍ୟରେ ଫୁଟିବା ଅସମ୍ଭବ । ଗାଁର ସପନା ଭୋଇ ଓ ବୁରୁନ୍ଦୁ ସାଆନ୍ତଙ୍କ ସଂଳାପ ମଧ୍ୟରେ ରାଜାଙ୍କୁ ଘେନି ଲୌକିକ ପରମ୍ପରାର ଏକ ପୃଷ୍ଠଭୂମିରେ ରାଜା କୀର୍ତ୍ତିଚନ୍ଦ୍ରଙ୍କର ରାଜ୍ୟର ଅତୀତ ଓ ବର୍ତ୍ତମାନର କାହାଣୀ ବର୍ଣ୍ଣିତ । ରାଜ୍ୟଚ୍ୟୁତ ରାଜା କୀର୍ତ୍ତିଚନ୍ଦ୍ର ଓ ରାଣୀ ସୁରତରଙ୍ଗିଣୀ ଉପହାସକର ଏକ ପାରମ୍ପରିକ ଅଭିଷେକ ଉତ୍ସବର ବିନିଦ୍ର ରାତ୍ରିରେ ସ୍ମୃତିଚାରଣ ମଧ୍ୟରେ ତାଳମୂଳ ରାଜ୍ୟର ଅତୀତ ଇତିହାସ ବର୍ଣ୍ଣିତ ହୋଇଛି । ବକ୍ତା ରାଜା କୀର୍ତ୍ତିଚନ୍ଦ୍ର ସ୍ରୋତାରାଣୀ ସୁରତରଙ୍ଗିଣୀ । ରାଜବଂଶର କେତେକ ଉତ୍‌ଥାନ ପତନକୁ ପରିହାସ କରି ବହିଚାଲିଛି ବ୍ରାହ୍ମଣୀ ନଦୀର ଅବାରିତ ସ୍ରୋତଧାରା–ମହାକାଳର କାବ୍ୟିକ ଇଙ୍ଗିତ ବହନ କରି । ଚତୁର ବିନୋଦର କଥନ ଚାତୁର୍ଯ୍ୟ ସତେ ଯେପରି ନୂତନ ଆଙ୍ଗିକ ଓ ଆତ୍ମିକ ବିଭବରେ ଜୀବନ୍ୟାସ ପାଇଅଛି । ଓଡ଼ିଆ କଳ୍ପନାଶ୍ରୟୀ ସାହିତ୍ୟର ନିଜସ୍ୱଧାରାର ପୁଷ୍କଳ ବିକାଶ “ମଣିମା ଶୁଣିମା ହେଉ” ଉପନ୍ୟାସରେ ଘଟିଅଛି । ଏହି ଦୃଷ୍ଟିରୁ ଆଧୁନିକ ଓଡ଼ିଆ ଉପନ୍ୟାସର ଏକ ନୂତନ ଦିଗ୍‌ବଳୟ ଉନ୍ୱୋଚିତ । ନାନା ପ୍ରଭାବ ଓ ଅନୁକରଣ, ଅନୁସରଣ ମଧ୍ୟରେ ଲୌକିକ ଓ ପାରମ୍ପରିକ କଥକତାର ଧାରା ନିର୍ଜୀବ ହୋଇପଡ଼ିଥିବା ବେଳେ–ତାହାକୁ କୁଞ୍ଜବିହାରୀ ଏକ ଯୁଗୋପଯୋଗୀ କୌଳିନ୍ୟ ଦେଇଛନ୍ତି । ଗ୍ରାମୀଣ ଲୌକିକ, ଅଭିଜାତ ସାମନ୍ତ ଓ ଆଧୁନିକ ନାଗରିକ ଜୀବନର ଚିତ୍ର ପ୍ରଦାନରେ ଲେଖକଙ୍କର ଅନ୍ତରଙ୍ଗତା ଓ ତଦାତ୍ମ୍ୟବୋଧ ତାଙ୍କୁ ଘଟଣା ଓ ପରିବେଶର ଏକାନ୍ତ ନିକଟବର୍ତ୍ତୀ କରିଅଛି । ମାନବ ଚରିତ୍ରରେ ଦୋଷ ଦୁର୍ବଳତା, ସ୍ୱାଭାବିକ ଗ୍ଳାନି ଓ ପରାଭବ, ଅମଙ୍ଗଳ ଓ ବିପର୍ଯ୍ୟୟ, ତଥ୍ୟ ଭବିଷ୍ୟ ବିକାଶର ପଥ ସନ୍ଧାନ ପାଇଁ ଲେଖକ ଯଥେଷ୍ଟ ଦୂରତା ରକ୍ଷା କରିଛନ୍ତି । ତାଙ୍କର ଦୃଷ୍ଟି ଘଟଣା ବିନ୍ୟାସରେ ଯେପରି ଅଣୁବୈକ୍ଷଣିକ ସତ୍ୟ ସନ୍ଧାନରେ ସେଇପରି ଦୂରବୈକ୍ଷଣିକ ।

 

ଏକ ଦିଗରେ ରାଜା କୀର୍ତ୍ତିଚନ୍ଦ୍ର ଓ ରାଣୀ ସୁରତରଙ୍ଗିଣୀ, ତଥା ଅନ୍ୟ ଦିଗରେ ଜନନେତା ମନ୍ତ୍ରୀ ଗୋବର୍ଦ୍ଧନ ଓ ତାଙ୍କ ସ୍ତ୍ରୀ ୧୯୪୨ର ସହକର୍ମିଣୀ କରବୀଙ୍କ ବିଳାସ ବାହୁଲ୍ୟ ନୀତି ବର୍ଜିତ ଜୀବନଚର୍ଯ୍ୟାକୁ ଏକତ୍ର ବିଚାର କଲେ ଅତୀତ ସହିତ ବର୍ତ୍ତମାନର ରାଜନୀତିକ କ୍ଷମତାଧରଙ୍କ ସାମୟିକ ଶ୍ମଶାନ ବୈରାଗ୍ୟ, ସାଧାରଣ ଓ ବ୍ୟକ୍ତିଗତ ଜୀବନର ଅସାମ୍ୟଞ୍ଜସ୍ୟର ମୂଳ ଉତ୍ସର ସନ୍ଧାନ ମିଳେ । ଦୂର ଅତୀତର ସୂତ୍ର ଧରି ବିଗତ ଅର୍ଦ୍ଧଶତକ ମଧ୍ୟରେ ଦେଶର ଜାତୀୟ ଜୀବନ ପରିବର୍ତ୍ତନର ମାର୍ମିକ ଚିତ୍ର ଏକଦା ଗାଁର ଚଷା, କୋଇଲାଖଣିର କୁଲି, ନୂଆଯୁଗର ବିପ୍ଳବୀ ରତନାର ବ୍ୟକ୍ତିଗତ ଜୀବନରେ ପ୍ରତିଫଳିତ । ଉପନ୍ୟାସଟିର ପ୍ରତି ପର୍ଯ୍ୟାୟରେ ଲୋକଗଳ୍ପର ଆଙ୍ଗିକ ଓ ଭାଷା–ମାତ୍ର ସମଗ୍ର ଗଠନରେ ଏକ ପୂରାଣ ମହାକାବ୍ୟିକ ସୌଷ୍ଠବ ଓ ବିନ୍ୟାସ ଅଣୁ ସହିତ ମହାନର, କ୍ଷୁଦ୍ର ସହିତ ବିରାଟର ସମନ୍ୱୟ ସାଧନ କରିଅଛି । ଏକ ନିର୍ଦ୍ଦିଷ୍ଟ ଦେଶକାଳର ପରିଧିରେ କଳ୍ପିତ ହେଲେବି ଏହାର ଆବେଦନ ଦେଶ କାଳାତୀତ । ‘କଥାଟିଏ କହୁଁ’ରେ ଯେଉଁ ପ୍ରାଣର ସମ୍ପୂର୍ଣ୍ଣ ଗଳ୍ପର ଆରମ୍ଭ ତା’ର ପରିଣତି ଘଟିଛି ଏକ ‘ଚିତ୍ରମୃଗ’ର ବିଦେହୀ ଆତ୍ମାର ବିଧୂର ଆର୍ତ୍ତନାଦରେ–“ତୋର ଆଉ ତୋ ଦଳର ସମସ୍ତଙ୍କର ମଣିଷପରି ଆକୃତିଟି ମାତ୍ର ଥିବ । ପ୍ରକୃତି ଭିନ୍ନ ହୋଇଯିବ । ଅଜଗର ପରି ନିର୍ବିକାରରେ ଗିଳିଯିବୁ, ସୁନା ଦେଖିଲେ ବିବେକ ବୁଦ୍ଧିକୁ ମାଡ଼ିକୁଦି ଗଣ୍ଡାପରି ଏକମୁହାଁ ମାଡ଼ିଯିବୁ, ଭାଲୁପରି ରାମ୍ପୁଡ଼ି କାମୁଡ଼ି ଦେଶମାତାର ମୁଖକୁ ବିକୃତ, ବିବର୍ଣ୍ଣ କରିପକାଇବୁ” (ପୃ.୨୭୯) । ମାତ୍ର ସ୍ୱପ୍ନ ଅମର, ଅମର ମହାନ୍‌ ଚିରନ୍ତନ ମଣିଷ “ଘୋର ଅରଣ୍ୟ, ଉଦ୍‌ବେଳ ସମୁଦ୍ରରୁ, ରଖୁଆଳ, ବାଟ କଢୁଆଳ, ଅତ୍ୟୁଜ୍ଜ୍ୱଳ ମଶାଲଧାରୀ ଦିଶାରୀର ଅସ୍ତିତ୍ୱ କିଏ ଅସ୍ୱୀକାର କରିପାରିବ?

 

ଡକ୍‌ଟର ବିକ୍ରମ ଦାସ (ଜନ୍ମ ୧୯୨୧)ଙ୍କ ‘ମଣିମା ଡ଼ିହ’ ଏକ ନୂତନ ସ୍ୱାଦର ସଦ୍ୟ ପ୍ରକାଶିତ ଉପନ୍ୟାସ (ପ୍ରକାଶ କାଳ ୧୯୮୧) । ଏକ ଐତିହାସିକ ପଟ୍ଟଭୂମି ଉପରେ ସତ୍ୟବାଦୀର ସାକ୍ଷୀଗୋପାଳ ମନ୍ଦିର ଓ ତା’ର ପାରିପାଶ୍ୱିର୍କ ଜୀବନକୁ ଘେନି ରଚିତ ଏହି ଉପନ୍ୟାସଟିରେ ଗଭୀର ଅଭିଜ୍ଞତା, ଜୀବନ ପ୍ରତି ଦରଦୀ ଦୃଷ୍ଟିକୋଣ ଓ ଏକ ଆଞ୍ଚଳିକ ସଂସ୍କତି ଓ ଜୀବନଧାରା ସହିତ ମାର୍ମିକ ତଦାତ୍ମ୍ୟବୋଧ ପ୍ରତିଫଳିତ ହୋଇଅଛି । ପୁରୀର ଗଜପତି ମହାରାଜା ରାମଚନ୍ଦ୍ର ଦେବ ତୃତୀୟଙ୍କର କନିଷ୍ଠ ପୁତ୍ର ଏହି ଉପନ୍ୟାସର ନାୟକ ମଣିମାଙ୍କର ବୁନିୟାଦି ଆଭିଜାତ୍ୟ ଓ ଆଧୁନିକ ଜୀବନ ସହିତ ସାମଞ୍ଜସ୍ୟ ହୀନ କରୁଣ ଜୀବନର ଚିତ୍ର ପ୍ରଦତ୍ତ । ଖଳନାୟକ ପଦମୁକ୍ତାର, ନଡ଼ିଆ ବ୍ୟବସାୟୀ ଓ ଜମିଦାର ବିହାରି ଓ ତାଙ୍କଠାରୁ ରାମସିଂ ଦରୱାନ, ପୋଲିସ୍‌ ଦାରୋଗାଙ୍କ ଭଳି ବହୁ ଚରିତ୍ରଙ୍କ ସହିତ ରତ୍ନଚିରା ନଦୀ, ସତ୍ୟବାଦୀର ବକୁଳବନ, ସାକ୍ଷୀଗୋପାଳ, ଏ ସମସ୍ତ ଯେପରିକି ଉପନ୍ୟାସରେ ଜୀବନ୍ତ ପାତ୍ରପାତ୍ରୀ ହୋଇ ଉଠିଅଛନ୍ତି । ଇତିହାସ, ପୁରାଣ ଓ କିମ୍ବଦନ୍ଦୀ ସଙ୍ଗରେ ଲେଖକଙ୍କ ନିଜସ୍ୱ ଅନୁଭବ ଓ ଶୈଶବସ୍ମୃତି ଓତଃପ୍ରୋତଃ ଭାବରେ ମିଶିଯାଇଅଛି । ଏହି ଉପନ୍ୟାସର ଅନ୍ତରାଳରେ ଔପନ୍ୟାସିକ ନିଜେ ଯେପରିକି ନେପଥ୍ୟ ଭୂମିକା ମଧ୍ୟରେ ଆବଦ୍ଧ ନରହି ପାଦପ୍ରଦୀପର ଆଲୋକ ମଧ୍ୟକୁ ଚାଲିଆସିଛନ୍ତି । ଏକ ପରିଚିତ ଓ କ୍ଷୁଦ୍ର ଭୂମିଖଣ୍ଡ ମଣିମାଡ଼ିହକୁ ଉପଜୀବ୍ୟ କରି ଗଢ଼ିଉଠିଥିବା ଏହି ଉପନ୍ୟାସଟିରେ ସାବଲୀଳ ଗ୍ରାମ୍ୟ ଭାଷାରେ ଗ୍ରାମ୍ୟପ୍ରକୃତି, ଚରିତ୍ର, ପର୍ବପର୍ବାଣୀ ସାଙ୍ଗକୁ ଏକ ମହାନ୍‌ ଐତିହାସିକ ରଙ୍ଗଭୂମିରେ ଏକଦା ଅଭିନୟ କରି କାଳର କୁଟିଳଗତିରେ ଅପସାରିତ ହୋଇଥିବା ରାଜାରାଣୀ, ବିଦୂଷକ ଓ ଖଳନାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅତୀତ ପୃଷ୍ଠାରୁ ଉଦ୍ଧାର କରି ଲେଖକ ଭବିଷ୍ୟତ ପାଇଁ ଏକ ମାନବୀୟ ଚିରନ୍ତନ ଆଦର୍ଶର ଚିତ୍ର ଉପସ୍ଥାପିତ କରିଛନ୍ତି । ଲେଖକଙ୍କ ନିଜ ଭାଷାରେ “ତାଙ୍କ କଲମ ଯାହା ଲେଖୁଛି ତାହା ଠିକ୍‌ ଆଧୁନିକ ଚିତ୍ରକରର ଚିତ୍ର ଭଳି । ତହିଁରୁ କିଏ କ’ଣ ଦେଖିବ ତାହା ତାଙ୍କୁ ଜଣା” । ଉପନ୍ୟାସଟି ପ୍ରତି ଏହି ଉକ୍ତିର ତାତ୍ପର୍ଯ୍ୟ ସହଜରେ କଳନା କରାଯାଇପାରେ । ପ୍ରକୃତରେ ଏହା ଏକ ଐତିହାସିକ ନାଁ ସାମାଜିକ ଊପନ୍ୟାସ, ଅତୀତ ନାଁ ବର୍ତ୍ତମାନ ଉପରେ ଆଧାରିତ ଉପନ୍ୟାସ, ଇତିହାସ ନାଁ କିମ୍ବଦନ୍ତୀ ଭିତ୍ତିରେ ଗଠିତ ଏକ ଆମୋଦଦାୟକ ଗଳ୍ପ, ନାଁ ଜୀବନର ନଶ୍ୱରତା ଓ ନୈତିକ ଆଦର୍ଶ ଘେନି ଭାବାତୁର ଜଣେ ଶିଳ୍ପୀଙ୍କର ନିଜସ୍ୱ ସଂଳାପ - ତାହା କଳନା କରିବା କଠିନ । ହୁଏତ ଉପନ୍ୟାସଟିରେ ଏ ସମସ୍ତର ସମନ୍ୱୟ ଘଟିଅଛି । ଦୀର୍ଘ ଅଭିଜ୍ଞତା, ବହୁ ତୁଙ୍ଗ ବ୍ୟକ୍ତିତ୍ୱର ସ୍ପର୍ଶ, ବିଶେଷତଃ ମହାମନା ପଣ୍ଡିତ ନୀଳକଣ୍ଠଙ୍କର ସ୍ନେହଧନୀ ଆତ୍ମଜ ଡଃ ଦାସଙ୍କ ଲେଖନୀରୁ ଅଭିବ୍ୟକ୍ତି ଲାଭ କରିଥିବା ଏହି ଉପନ୍ୟାସଟି ଏକ ପ୍ରାଥମିକ ରଚନା ହେଲେହେଁ ଏଥିରେ ପରିପୂର୍ଣ୍ଣ ଶିଳ୍ପ ସାଫଲ୍ୟର ଇଙ୍ଗିତ ସ୍ୱତଃ ଉତ୍ସାରିତ । ଡକ୍ଟର ଦାସଙ୍କ ଲେଖନୀ ନବନବ ସୃଷ୍ଟିର ସନ୍ଧାନ କରୁ ଓ ‘ମଣିମାଡ଼ିହ’ ଭଳି ତାଙ୍କ ନବକଳ୍ପିତ ସାରସ୍ୱତ ସମ୍ପଦ ‘ସେପଟ ଦୁନିଆଁ’, ‘ଅଖଇରିଆ କଡ଼ା’ ଓଡ଼ିଆ କଳ୍ପନାଶ୍ରୟୀ ସାହିତ୍ୟର ନବ ଦିଗ୍‌ବଳୟ ଉନ୍ମୋଚନ କରୁ, ଏହାହିଁ କାମନା ।

 

(୯)

 

ସମସାମୟିକ ଉପନ୍ୟାସ କ୍ଷେତ୍ରରେ ସୃଷ୍ଟି ପ୍ରାଚୁର୍ଯ୍ୟ ପାଇଁ ବିଭୂତି ପଟ୍ଟନାୟକ (୧୯୩୯) ଓ ନବନବ ପରୀକ୍ଷା ପାଇଁ କୃଷ୍ଣପ୍ରସାଦ ମିଶ୍ର ଓ ଶାନ୍ତନୁ କୁମାର ଆଚାର୍ଯ୍ୟ ବିଶେଷ ସ୍ମରଣୀୟ । କାହ୍ନୁଚରଣଙ୍କ ପରେ ବିଭୂତି ପଟ୍ଟନାୟକଙ୍କ ଲେଖନୀହିଁ ଅଜସ୍ରସ୍ରାବୀ । ସେ ଏପର୍ଯ୍ୟନ୍ତ ପ୍ରାୟ ଅର୍ଦ୍ଧଶତାଧିକ ଉପନ୍ୟାସ ରଚନା କରିଛନ୍ତି । ପଲ୍ଲୀଜୀବନର ଶାନ୍ତ ସାରଲ୍ୟ ମଧ୍ୟରୁ ଜନ୍ମଲାଭ କରି ତାଙ୍କ ଉପନ୍ୟାସର ନାୟକ ନାୟିକାମାନେ ସହରୀ ଜୀବନର ବିବର୍ଣ୍ଣ ନିଃସଙ୍ଗତା ମଧ୍ୟରେ ଜୀବନ ଅତିବାହିତ କରିଛନ୍ତି । ବିଭୂତି ବାବୁ ଇତିହାସର ଛାତ୍ର । ସମସାମୟିକ ସମାଜର ଐତିହାସିକ ବିବର୍ତ୍ତନ ପ୍ରତି ତାଙ୍କର ଦୃଷ୍ଟି ସଦା ପ୍ରସାରିତ । ସେ ପୁଞ୍ଜିବାଦର କଠୋର ସମାଲୋଚକ, ପୁଣି ବ୍ୟକ୍ତି ସ୍ୱାତନ୍ତ୍ର୍ୟବାଦୀ ଗଣତନ୍ତ୍ରର ସମର୍ଥକ । ଫ୍ରୟେଡ଼ୀୟ ମନସ୍ତତ୍ୱର ଆଧାରରେ ସେ ନାୟକ ନାୟିକାଙ୍କର ମାନସିକ ବିଶ୍ଳେଷଣରେ ଗଭୀର ଅନ୍ତର୍ଦୃଷ୍ଟିର ପରିଚୟ ଦେଇଅଛନ୍ତି । ଅଜସ୍ର ଉପନ୍ୟାସର ସ୍ରଷ୍ଟା ହେଲେବି ନିଜ ଉପନ୍ୟାସ ଜଗତକୁ ବୈଚିତ୍ର୍ୟ ମଣ୍ଡିତ କରିବା ପାଇଁ ସେ ବିଭିନ୍ନ ଶୈଳୀର ଆଶ୍ରୟ ନେଇଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ ତାଙ୍କର ‘କେଶବତୀ କନ୍ୟା’ ଉପନ୍ୟାସଟିରେ ବିଭିନ୍ନ ଚରିତ୍ର ଅନ୍ତର୍ଜଗତର ଆବିଷ୍କାର ପାଇଁ ଚିଠି ଓ ଦିନଲିପିର ମାଧ୍ୟମ ଗ୍ରହଣ କରିଛନ୍ତି । ବିଭୂତି ବାବୁଙ୍କର ଭାଷା ଶୈଳୀ ମନୋରମ । ଘଟଣା ଓ ଚରିତ୍ରର ଉନ୍ମୀଳନ ପାଇଁ ସେ ସଂଳାପ ଓ ନାଟକୀୟ ଉପସ୍ଥାପନା ଶୈଳୀର ନିପୂଣତା ଦେଖାଇଅଛନ୍ତି । ବିଭୂତିଭୂଷଣ ଓଡ଼ିଆ ଉପନ୍ୟାସରେ ଧ୍ରୂପଦୀ ପରମ୍ପରାର ଯଥାର୍ଥ ଦାୟାଦ । ‘ଏଇଗାଁ ଏଇମାଟି’ ଉପନ୍ୟାସରେ ପଦ୍ମ ପୋଖରୀର ବର୍ଣ୍ଣନା ଫକୀରମୋହନଙ୍କ ଅସୁରଦୀଘିକୁ ସ୍ମରଣ କରାଇଦିଏ । ‘ନାୟିକାର ନାମ ଶ୍ରାବଣୀ’ ଉପନ୍ୟାସର କଟକବସ୍ତି ବର୍ଣ୍ଣନାରେ ଗୋପୀନାଥଙ୍କର ହରିଜନର ମେହେନ୍ତର ବସ୍ତିର ଚିତ୍ର ଫୁଟିଦିଶେ । ବିଭୂତିବାବୁ ସମସାମୟିକ ଜୀବନର ରୂପକାର । କିନ୍ତୁ ଆଧୁନିକ ଓଡ଼ିଆ ଜୀବନ ଯେ ଏକ ଦିଗରେ ରାଜାରାଜୁଡ଼ା ଶାସନ, ସାମନ୍ତ ପୁଞ୍ଜିପତିର ଶୋଷଣର ଗ୍ଳାନି ଭିତରୁ ପୂର୍ଣ୍ଣତଃ ଜନ୍ମଲାଭ କରିଛି । ସେ ବିଷୟରେ ବିଭୂତିବାବୁ ସଚେତନ । ତେଣୁ ତାଙ୍କ ଉପନ୍ୟାସରେ ଦେବାନଠାରୁ ଆଧୁନିକ ଯୁଗଚେତନାର ମୂର୍ତ୍ତ ପ୍ରତିନିଧି ବୁଦ୍ଧିଜୀବୀମାନଙ୍କୁ ଦେଖିବାକୁ ମିଳେ । ଜନପ୍ରିୟ ଉପନ୍ୟାସ ସୁଲଭ ପ୍ରେମ, ବିପ୍ଳବ ପାରିବାରିକ ସାମାଜିକ ଜୀବନ ବିରୋଧରେ ବିଦ୍ରୋହର ପୃଷ୍ଠଭୂମିରେ ସେ ତାଙ୍କର ନାୟକ ନାୟିକାଙ୍କ ପ୍ରତି ଘୃଣା, ଈର୍ଷା ଓ କାରୁଣ୍ୟ ସୃଷ୍ଟିର ପ୍ରୟାସ କରିଛନ୍ତି । ଟ୍ରାଜେଡ଼ିଧର୍ମୀ କାହାଣୀ ରଚନାରେ ବିଭୂତି ପଟ୍ଟନାୟକ ବିଶେଷ ପଟ୍ଟୁତା ଦେଖାଇଅଛନ୍ତି ।

 

କୃଷ୍ଣପ୍ରସାଦ ମିଶ୍ର (୧୯୩୩) ଦର୍ଶନ ବିଭାଗରେ ଅଧ୍ୟାପନା ସଙ୍ଗେ ସଙ୍ଗେ ଓଡ଼ିଆ କଥାସାହିତ୍ୟର ସାମୟିକ ସ୍ରଷ୍ଟା । ‘ମରୀଚିକା’, ‘ସିଂହକଟି’, ‘ନେପଥ୍ୟେ’ ପ୍ରଭୃତି ଉପନ୍ୟାସ ମଧ୍ୟରେ ଯୌନକ୍ଷୁଧା ଓ ଦାରିଦ୍ର୍ୟର ଯଥୋଚିତ ଚିତ୍ରଣରେ ଲେଖକ ଆଗ୍ରହୀ । ଉପନ୍ୟାସରେ ଚମତ୍କାରିତା ସୃଷ୍ଟି ପାଇଁ ସେ କେତେ ବିପଥଗାମୀ ନାୟକ ନାୟିକାଙ୍କର ବ୍ୟର୍ଥପ୍ରଣୟ, ଉଚ୍ଚାକାଂକ୍ଷା, ଦୁଃସାହସିକ ଅପରାଧ ପ୍ରବଣତା ସବୁକିଛିର ବିନିଯୋଗ କରିଅଛନ୍ତି । ତାଙ୍କର ବ୍ୟର୍ଥ ପ୍ରେମିକ ନାୟକ କେତେବେଳେ ହୋଇଛି ସନ୍ନ୍ୟାସୀ ପୁଣି କେତେବେଳେ ନୈରାଶ୍ୟବାଦୀ ଦଳର ସଭ୍ୟ । ତାଙ୍କ ନାୟକ ନାୟିକାମାନେ ବହୁ ସମୟରେ ଯୁକ୍ତିର ପଥ ପରିହାର କରି ପ୍ରବୃତ୍ତି ଚରିତାର୍ଥ ପାଇଁ ବ୍ରତୀ ହୋଇଛନ୍ତି । ଜୀବନର ଯଥାର୍ଥ ଚିତ୍ର ଦେବାକୁଯାଇ ଲେଖକ ପାରମ୍ପରିକ ବିଶ୍ୱାସର ଜଗତ ଓ ଆଧୁନିକ ହେତୁବାଦୀ ଚିନ୍ତା ଉଭୟ ମଧ୍ୟରେ ମାନସିକ ସଂଘର୍ଷର ପଟ୍ଟଭୂମିରେ ନିଜ ଉପନ୍ୟାସର ଚରିତ୍ରମାନଙ୍କୁ ଉପସ୍ଥାପିତ କରିଅଛନ୍ତି । କୃଷ୍ଣପ୍ରସାଦଙ୍କ ଭାଷା ସ୍ଥଳବିଶେଷରେ ପ୍ରତୀକଧର୍ମୀ ହେଲେହେଁ ଅମସୃଣ । କୃଷ୍ଣପ୍ରସାଦଙ୍କ ସୃଷ୍ଟିରେ ସାର୍ଥକ ଶିଳ୍ପୀର ସମ୍ଭାବନା ବହୁ ପରିମାଣରେ ବିଦ୍ୟମାନ । ମାତ୍ର ଜୀବନ ସହିତ କଳାର ଅନୁଭବ ସହିତ କଳ୍ପନାର ସମନ୍ୱୟ ସାଧନରେ ଯେପରିକି ତାଙ୍କର ନିଷ୍ଠାର ଅଭାବ, ତାଙ୍କ ସୃଷ୍ଟି ଧର୍ମକୁ କିଞ୍ଚିତ ଖଣ୍ଡିତ କରିଛି । ତେବେ ପରୀକ୍ଷାଧର୍ମୀ ଲେଖକଙ୍କୁ କିଛି ପରିମାଣରେ ଏପରି ବିଫଳତାର ସମ୍ମୁଖୀନ ହେବାକୁହିଁ ହୋଇଥାଏ, କୃଷ୍ଣପ୍ରସାଦ ତା’ର ବ୍ୟତିକ୍ରମ ନୁହନ୍ତି ।

 

ଶାନ୍ତନୁ କୁମାର ଆଚାର୍ଯ୍ୟ (୧୯୩୪) ବିଜ୍ଞାନର ଅଧ୍ୟାପକ । ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ପ୍ରୟୋଗବାଦୀ ଲେଖକ ଭାବରେ ସୁପରିଚିତ । ‘ନରକିନ୍ନର’, ‘ଶତାବ୍ଦୀର ନଚିକେତା’, ‘ତିନୋଟି ରାତ୍ରିର ସକାଳ’ରେ ଅତିବାସ୍ତବ ଚେତନାର ପୁଟ ରହିଛି । ତାଙ୍କର ନାୟକ ନର୍ଦ୍ଦମାରେ ଜନ୍ମଲାଭ କରେ । ଆଧୁନିକ ନଗର ଜୀବନର ଗ୍ଳାନି ଓ ହତାଶା ଭିତରେ ନିଜ ଅବଚେତନ ମନର ଅନ୍ଧକାର ମଧ୍ୟରେ ଆବିଷ୍କାର କରେ ନିଜର ପ୍ରିୟ ଓ ପରିଚିତ ଜଗତକୁ । ଏହି ଜଗତ ରୂପହୀନ, ରଙ୍ଗହୀନ । କେତେକ ଛାୟାଚପଳ ମୁହୂର୍ତ୍ତର ଆଦିମ ପ୍ରବୃତ୍ତିର ଆଭାସମାତ୍ର ବହନ କରେ । ଅନୁକ୍ତ ଉଚ୍ଚାରଣ ଭିତରେ ଉପନ୍ୟାସଗୁଡ଼ିକରେ ଶାନ୍ତନୁକୁମାର ଆଧୁନିକ ଜୀବନର ଦର୍ଶନ ଫୁଟାଇବାକୁ ଚେଷ୍ଟା କରିଛନ୍ତି । ତେଣୁ ତାଙ୍କ ଉପନ୍ୟାସରେ ବର୍ଣ୍ଣନାଧର୍ମୀ ଉପନ୍ୟାସର ଶୃଙ୍ଖଳା ପରିବର୍ତ୍ତେ ଆଭାସଧର୍ମୀ ଉପନ୍ୟାସର ବ୍ୟଞ୍ଜନା ପ୍ରାଧାନ୍ୟଲାଭ କରିଅଛି ।

 

‘ନରକିନ୍ନର’ର ନାୟକ ଜର୍ଜ ଏକ ଅବୈଧ ସନ୍ତାନ । ଜଣେ ବୃଦ୍ଧ ଭିକ୍ଷୁଙ୍କଦ୍ୱାରା ପ୍ରତିପାଳିତ । ବୃଦ୍ଧ ଭିକ୍ଷୁଙ୍କର ମୃତ୍ୟୁପରେ ପରିତ୍ୟକ୍ତ ନିଃସଙ୍ଗ ଜର୍ଜ ସମାଜର ଅନ୍ଧକାର ପଥରେ ଗତିକରିଛି ଓ ଦଳେ କୁଷ୍ଠରୋଗୀଙ୍କର ନେତୃତ୍ୱ ଗ୍ରହଣ କରି ପୁଲିସ ଗୁଳିରେ ନିହତ ହୋଇଛି । ଏ ଅବହେଳିତମାନେ କାହିଁକି ଜନ୍ମହୁଅନ୍ତି? ଏମାନଙ୍କ ଜୀବନ ପାଇଁ ସମାଜର ନୈତିକ ଦାୟିତ୍ୱ କ’ଣ? ଏସବୁ ପ୍ରଶ୍ନର ଅବତାରଣା କରିଛନ୍ତି ଶାନ୍ତନୁ କୁମାର ଆଚାର୍ଯ୍ୟ ‘ନରକିନ୍ନର’ ଉପନ୍ୟାସରେ । ଶତାବ୍ଦୀର ନଚିକେତା ଓ ତିନୋଟି ରାତିର ସକାଳ ଦୁଇଟି ପର୍ଯ୍ୟାୟବାଚୀ ଉପନ୍ୟାସ । ଆଧୁନିକ ଉଚ୍ଚଶିକ୍ଷିତ ବିଭୂପ୍ରସାଦର ଜୀବନରେ ଭଗ୍ନ ଓ ନିଃସଙ୍ଗ ଜୀବନର ଚିତ୍ର ଅଙ୍କିତ । ସମାଜର ମୂଲ୍ୟବୋଧ ଓ ନୈତିକତା ବ୍ୟକ୍ତିଜୀବନର ଅନ୍ୱେଷା ଓ ଆକାଂକ୍ଷାକୁ କିପରି ପଦେ ପଦେ ବିଘ୍ନିତ ଓ ବିଡ଼ମ୍ବିତ କରେ ତାହା ବିଭୁପ୍ରସାଦ ଚରିତ୍ରରେ ପ୍ରତୀକାତ୍ମକ ଭାବରେ ଚିତ୍ରିତ । ବ୍ୟକ୍ତିର ସତ୍ତା ଓ ସ୍ୱାତନ୍ତ୍ର୍ୟ ମାନବିକ ମୂଲ୍ୟବୋଧକୁ ଅଗ୍ରାଧିକାର ଦେବାପାଇଁ ଆଚାର୍ଯ୍ୟଙ୍କ ସାର୍ଥକତା ସମୟ ଓ ଅବସ୍ଥାର ପରିବର୍ତ୍ତନ ସଙ୍ଗେ ସଙ୍ଗେ ସ୍ଥିତିଶୀଳ ସମାଜ ଜୀବନର ବିଡ଼ମ୍ବନାର ଚିତ୍ର ଆଧୁନିକ ଓଡ଼ିଆ ଉପନ୍ୟାସର ଏକ ବୈଶିଷ୍ଟ୍ୟ । ଶାନ୍ତନୁ ନିଜର ଆଭାସଧର୍ମୀ ଉପନ୍ୟାସଗୁଡ଼ିକରେ ଏ ଦିଗରେ ହିଁ ଧ୍ୟାନ ଦେଇଛନ୍ତି ।

 

ସାମୟିକ ଉପନ୍ୟାସ ଲେଖକଙ୍କ ମଧ୍ୟରେ ସ୍ୱର୍ଗତଃ ବାମାଚରଣ ମିତ୍ରଙ୍କର ‘ଚନ୍ଦ୍ର ଓ ଚମ୍ପା’, ସାତକଡ଼ି ହେତାଙ୍କର ‘ସ୍ୱପ୍ନ ଶିଉଳୀ’, ‘ବ୍ୟାକୁଳ ହୃଦୟ’, ‘ଏତେ ସ୍ୱପ୍ନ ଏତେ ଅଲୋକ’, ଉପେନ୍ଦ୍ର ପ୍ରସାଦ ମହାନ୍ତିଙ୍କର ରାଜରାଣୀ ଓ ‘ହରିଶଙ୍କର’ ଆଦି ଉଲ୍ଲେଖଯୋଗ୍ୟ ସୃଷ୍ଟି ।

 

(୧୦)

 

ସୃଜ୍ୟମାନ ଓଡ଼ିଆ ଉପନ୍ୟାସର ଜଗତ କ୍ରମ ପ୍ରସାରିତ ଓ ବହୁ ସମ୍ଭାବନା ପୂର୍ଣ୍ଣ । ଓଡ଼ିଆ ଏକ ଆଞ୍ଚଳିକ ଭାଷା ହେଲେହେଁ ଏହା ସାର୍ବଜନୀନ ସଂସ୍କୃତିର ବାହକ ଓ ଧାରକ । ସୁଦୂର ଅତୀତର ପ୍ରଜ୍ଞା ଓ ବୋଧି ଓ ଭବିଷ୍ୟତର ରୂପ ରଚନା ପାଇଁ କଳ୍ପନାପ୍ରବଣତାର ଆଭବ ଘଟିବାର କୌଣସି କାରଣ ନାହିଁ । ଆଧୁନିକ ଜଗତରେ ଜୀବିକାର ସଂଧାନ ସଙ୍ଗେ ସଙ୍ଗେ ଜୀବନକୁ ଅର୍ଥବହ କରିବା ପାଇଁ ଆବିଶ୍ୱବିହାର କରେ ଓଡ଼ିଆ ଜାତି । ତେଣୁ ଏକ ଆଞ୍ଚଳିକ ସାହିତ୍ୟ ଭାବରେ ଜନ୍ମଲାଭ କରିଥିଲେହେଁ ବିଶ୍ୱସାହିତ୍ୟର ଭାବମୂର୍ତ୍ତି ବହନ କରିବାକୁ ଓଡ଼ିଆ ସାହିତ୍ୟ ଯେ ସମର୍ଥ ତାହା ଯେପରି ମୌଳିକ ଉପନ୍ୟାସ ସୃଷ୍ଟି ଭଳି ଅନୂଦିତ ଉପନ୍ୟାସ ସାହିତ୍ୟରୁ ମଧ୍ୟ ଦେଖାଯାଇପାରେ । ଓଡ଼ିଆରେ ଅନୁବାଦ ଉପନ୍ୟାସ ପ୍ରକାଶ କରିବାରେ ଶ୍ରୀ ଚିତ୍ତରଞ୍ଜନ ଦାସ, ଲାଲା ନଗେନ୍ଦ୍ର କୁମାର ରାୟ, ଗୋଲକବିହାରୀ ଧଳ; ସୁନନ୍ଦ କର, ରଘୁନାଥ ଦାସ, ରବୀନ୍ଦ୍ରନାଥ ସିଂହ, ଲକ୍ଷ୍ମୀନାରାୟଣ ମହାନ୍ତି, କୁଞ୍ଜବିହାରୀ ଦାଶ, ଖଗେଶ୍ୱର ମହାପାତ୍ର ପ୍ରମୂଖଙ୍କ ନାମ ସ୍ମରଣୀୟ-। କିନ୍ତୁ ଏହିସବୁ ଅନୁବାଦ ଗ୍ରନ୍ଥ ଗୁଡ଼ିକରେ ମୂଳଗ୍ରନ୍ଥରୁ ଅନୁବାଦ କ୍ୱିଚିତ୍‌ ଘଟିଅଛି । ଅନୁବାଦଗୁଡ଼ିକ ଇଂରେଜୀ, ହିନ୍ଦୀ ଅଥବା ବଙ୍ଗଳାରୁ ହୋଇଥାଏ । ମୂଳଭାଷାରୁ ଅନୁବାଦ ପାଇଁ ଯୋଗ୍ୟତାସଂପନ୍ନ ଅନୁବାଦକଙ୍କର ଆବିର୍ଭାବ ନଘଟିଲେ ବିଶ୍ୱସାହିତ୍ୟ ସଙ୍ଗେ ଆତ୍ମୀୟତା ସ୍ଥାପନର ପ୍ରୟାସ ପଦେପଦେ ପ୍ରତିହୃତ ହେବ–ଏଥିରେ ସନ୍ଦେହ ନାହିଁ । ଏ ଦିଗରେ ଶ୍ରୀ ଚିତ୍ତରଞ୍ଜନ ଦାଶଙ୍କ ପ୍ରଚେଷ୍ଟା ବହୁତ ଯୋଗ୍ୟ ।

Image

 

Unknown

ଷଷ୍ଠ ଅଧ୍ୟାୟ

ପ୍ରାନ୍ତଭାଷା : ଉପନ୍ୟାସ ଓ ଆମ ଜୀବନ

 

ଓଡ଼ିଆ ଉପନ୍ୟାସର ଜଗତ କ୍ରମ ପ୍ରସାରଣଶୀଳ । ପ୍ରାଚୀନ ଓ ପାରଂପରିକ କଥାସାହିତ୍ୟର ପରିଚିତ ସୀମା ଅତିକ୍ରମ କରି ଏକ ନୂତନ ଶିଳ୍ପରୂପର ପ୍ରଥମ ଆଙ୍ଗିକ ରଚନା କରିଥିଲେ ହୁଏତ କବି ରାଧାନାଥରାୟ ଏକ ଭିନ୍ନଦେଶୀ ନାୟକର ଜୀବନାଲେଖ୍ୟ ‘ଇତାଲୀୟ ଯୁବା’ରେ । ମାତ୍ର ଓଡ଼ିଆ ଉପନ୍ୟାସକୁ ଓଡ଼ିଆ ଜୀବନ ସଙ୍ଗେ ଏକାତ୍ମକରି ଶିଳ୍ପରୂପ ଦେବାରେ ସାର୍ଥକତା ଅର୍ଜ୍ଜନ କରିଥିଲେ ଏଇ ବିଂଶ ଶତାବ୍ଦୀର ପ୍ରଥମ ଭାଷ୍ୟକାର ଫକୀରମୋହନ । ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଉପନ୍ୟାସର ପ୍ରାରମ୍ଭିକ ନାମ ଥିଲା ନବନ୍ୟାସ । ଇଂରେଜୀ ନଭେଲ କଥାଟି ସହିତ ଯେପରି ଏକ ନୂତନର ଭାବ ଜଡ଼ିତ । ହୁଏତ ନବନ୍ୟାସ ଶବ୍ଦଟି ସହିତ ଚିରନ୍ତନ ଜୀବନତାର ଆବାହନ ଧ୍ୱନି ଅନୁରଣିତ । ତେଣୁ ଉପନ୍ୟାସ ପରିବର୍ତ୍ତେ ନବନ୍ୟାସ ଶବ୍ଦଟି କାହିଁକି ପ୍ରଚଳିତ ନହେବ?–ଏ ପ୍ରଶ୍ନ ଏବେବି ଅବାନ୍ତର ନୁହେଁ । ଆଉ ଗୋଟିଏ ଶବ୍ଦ କଥାସାହିତ୍ୟ । ଏହା ଅଧିକ ଅର୍ଥବହ କିନ୍ତୁ ଏହାର ପରିସର ଏତେ ବୃହତ୍‌ ଯେ ଏଥିରେ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ସବୁକିଛି ଅନ୍ତର୍ଭୁକ୍ତ । ଉପନ୍ୟାସ କଳ୍ପନାର ଏକ ମୁକ୍ତ ରଙ୍ଗମଞ୍ଚ । ତଥ୍ୟ ଓ କଳ୍ପନାର (Fact ଓ Fiction) ଦ୍ୱୈତ ଭୂମିରେ ଜୀବନ ଲୀଳାୟିତ । ଅନ୍ତଃହୀନ ବାସନାର ପ୍ରଶ୍ନବାଚୀ ମଧ୍ୟରେ ଜୀବନର ବିରୋଧାଭାସ ସୁନିର୍ଦ୍ଦିଷ୍ଟ, ସୁପରିଜ୍ଞାତ ତଥ୍ୟ ଉପରେ ଯେତିକି ନୁହେଁ ସୁପରିକଳ୍ପିତ ଓ ସୁସଂଯୋଜିତ କଳ୍ପନାର ଭାବମୂର୍ତ୍ତି ମଧ୍ୟରେ କେବଳ ଆବିଷ୍କାର କରାଯାଇପାରେ । କବି ବ୍ଲାକ୍‌ (William Black) ଉପନ୍ୟାସର ସେଇ ଆଦି ଯୁଗରେ ଜୀବନ ପାଇଁ ଏକ ଚିରନ୍ତନୀ ଧ୍ରୂବବାଣୀ (gospel) ରଚନା କରିବାକୁ ଯାଇ ଲେଖିଥିଲେ –

 

“Do what you will, this life is a Fiction, and is made up of Contradiction.”

 

ସବୁ ଶିଳ୍ପପରି ଉପନ୍ୟାସ ହେଉଛି ଏକ ନିର୍ବାଚନ ଓ ସଂଯୋଜନର କଳା । ଜୀବନର କ୍ୟାନ୍‌ଭାସ ଏତେ ବିସ୍ତୃତ, ସ୍ଥାନ ଓ କାଳର ଅନ୍ତଃହୀନ ପ୍ରବାହ ମଧ୍ୟରେ ତା’ର ସ୍ଥିତି ଏତେ ଖଣ୍ଡିତ–ତାର କୌଣସି ସ୍ଥିରରୂପ କଳ୍ପନା କରିବାକୁ ହେଲେ ଅଜସ୍ର ସମ୍ଭାବନା ମଧ୍ୟରୁ ନିଜ ଚିତ୍ର ପାଇଁ ଉପାଦାନ ବାଛିନାହିଁ ସବୁଠାରୁ କଠିନ କାମ । ଏହି କାର୍ଯ୍ୟ ସତତା ଓ ନିଷ୍ଠାର ସଙ୍ଗେ ଆଧୁନିକ ଯୁଗର ଔପନ୍ୟାସିକମାନେ କରିବାକୁ ଆଗ୍ରହୀ । ଏକ ଖଣ୍ଡିତ ସତ୍ତାରୁ ଜୀବନର ଏକ ପରିପୂର୍ଣ୍ଣ ଭାବମୂର୍ତ୍ତି ଅଙ୍କନରେ ସେମାନେ ସଦା ପ୍ରୟାସୀ । ଏଥିପାଇଁ ଆତ୍ମସଚେତନ ଔପନ୍ୟାସିକ ମନେକରିପାରନ୍ତି ଋଷି, ବୈଜ୍ଞାନିକ, କବି ସମସ୍ତଙ୍କଠାରୁ ତାଙ୍କର ସ୍ଥାନ ଉଚ୍ଚରେ । କାରଣ ସେମାନେ ଜୀବନ୍ତ ମଣିଷର ଖଣ୍ଡାଂଶ ଚିତ୍ରଣରେ ଶ୍ରେଷ୍ଠ ଶିଳ୍ପୀ । ମାତ୍ର ଔପନ୍ୟାସିକ ହିଁ ପରିପୂର୍ଣ୍ଣ ଜୀବନର ସ୍ଥପତି । ନବନ୍ୟାସ ହିଁ ଜୀବନର ଉଜ୍ଜ୍ୱଳ ଗ୍ରନ୍ଥ । ଏହି ଗ୍ରନ୍ଥ ଚରନା ପାଇଁ କେତେବେଳେ ଔପନ୍ୟାସିକ (ସ୍ୱପ୍ନ ଜଗତରେ ଶୃଙ୍ଖଳାର) ସ୍ୱପ୍ନ ଦେଖିପାରନ୍ତି, ମୃତ୍ତିକାର ଉତ୍ତାପ ଓ ସ୍ପର୍ଶରେ ବିଭୋର ହୋଇପାରନ୍ତି, ଖୋଜିପାରନ୍ତି ଶାନ୍ତିର ଦିଗ୍‌ବଳୟ, ସଂଗ୍ରାମର ମରୁଭୂମିରେ ଅଥବା ଆଣୁବିକ୍ଷଣିକ ଓ ଦୂରବିକ୍ଷଣିକ ଦୃଷ୍ଟି ଘେନି ନିରୀକ୍ଷଣ କରିପାରନ୍ତି ନିକଟ ଓ ଦୂରକୁ । ବାରମ୍ବାର ଫେରିଯାଇପାରନ୍ତି ନିଜର ଯେଉଁ ଏକ ପରିଚିତ ନୀଡ଼କୁ ଏକ ଶ୍ରାନ୍ତ ପକ୍ଷ ବିହଙ୍ଗ ଭଳି । ଜୀବନର ଯାହାକିଛି ଅସ୍ପଷ୍ଟ, ଜଗତରେ ଯାହାକିଛି ବର୍ଣ୍ଣହୀନ - ସେଥିରେ ରୂପ ଓ ରଙ୍ଗ ଦେବାକୁ ଯାଇ ଔପନ୍ୟାସିକ ହୋଇପାରନ୍ତି ନିଜର କଳ୍ପିତ କାଳଯନ୍ତ୍ରର ସାରଥି, ନବନବ ସୃଷ୍ଟିର ବିଧାତା ।

 

*And being a novelist, I consider myself Superior to the saint, the scientist and philosopher, and the poet, who are all great masters of different bits of man alive, but never get the whole hog.

 

The novel is the one bright book of life.

 

D.H. Lawrence :

 

(Why the Novel Matters)

 

ଓଡ଼ିଆ ଉପନ୍ୟାସର ଭିତ୍ତିରଚନାରେ ଫକୀରମୋହନ ହିଁ ପ୍ରଥମ ସାର୍ଥକ ସ୍ଥପତି । ତାଙ୍କ ଦୃଷ୍ଟିର ତ୍ରିପାର୍ଶ୍ୱ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ରୂପାୟିତ କରିଥିଲା ଶାସକ ଶାସିତ ଓ ଆତ୍ମଶାସିତ ବ୍ୟକ୍ତି ଚେତନାର ଉନ୍ମୀଳନରେ । ଏକ ଦିଗରେ ଇତିହାସ ଓ ଅନ୍ୟ ଦିଗରେ ସମସାମୟିକ ଜୀବନ । ଉପନ୍ୟାସରେ ଫକୀରମୋହନ କୌଣସି ଇତିହାସର ଗୌରବମୟ ଚିତ୍ର ଅଙ୍କନ କରି ନାହାନ୍ତି । ସେ ଯଥାର୍ଥରେ ଆଧୂନିକତାର ଉପାସକ । ସମକାଳୀନ ଚିତ୍ର ମଧ୍ୟରେ ସେ ଚିରକାଳର ଅନ୍ତଦ୍ୱର୍ନ୍ଦ୍ୱ ନିଃପୀଡ଼ିତ, ଅପକର୍ମ ଲିପ୍ତ, ଅନୁଦାର, ଅନୁତପ୍ତ ମଣିଷର ଚିତ୍ର ଅଙ୍କନ କରିଛନ୍ତି । ଫକୀରମୋହନ କଥାଶିଳ୍ପୀ ହେଲେବି ସେ ଥିଲେ ମୁଖ୍ୟତଃ କବି । ଧୂଳିଧୂସରିତ ଜଗତ, ଖଣ୍ଡ ଓ ତୁଚ୍ଛ ଜୀବନ ଉପରେ ଏକ ମହତ୍ତର ଶକ୍ତି ଓ ସତ୍ତାରେ ତାଙ୍କର ବିଶ୍ୱାସ ଥିଲା ଅଖଣ୍ଡ । ଏହି ବିଶ୍ୱାସର ଭାବଭୂମିରେ ଦଣ୍ଡାୟମାନ ହୋଇ ସେ ଜୀବନରୁ ସମସ୍ତ ଅମଙ୍ଗଳବୋଧ ଦୂର କରିବାକୁ ଲୋଡ଼ିଥିଲେ ।

 

ଅମଙ୍ଗଳ ବୋଧର ଦୂରୀକରଣ ନୁହେଁ ଆବାହନ ଯେପରିକି ଆଧୁନିକ ଶିଳ୍ପ ସୃଷ୍ଟିର ଅନ୍ୟତମ ଲକ୍ଷ୍ୟ । ମାତ୍ର ଏହି ଲକ୍ଷ୍ୟ ମହତ୍‌ ସୃଷ୍ଟିର ପରିପୋଷକ ନହୋଇ ପ୍ରତିବନ୍ଧକରୂପେ ବରଂ ବିଦ୍ୟମାନ । ଏହି ବାଧା ଅତିକ୍ରମ କରିବା ପାଇଁ ଆଧୁନିକ ଲେଖକମାନେ ଅନୁଭୂତିର ଜଗତ ଛାଡ଼ି ଅବଚେତନର ଜଗତରେ ପ୍ରବେଶ କରିବାରେ ଆଗ୍ରହୀ । ଏହି ଅବଚେତନର ଜଗତ ଏକ ଅପରିଚିତ ଜଗତ । କେଉଁ ଆଦିମ ଅତଳ ଗୁହାର ଅନ୍ଧକାର ଭିତରୁ ପୁରାଣ କଳ୍ପନାର ଦେବ ଓ ଦୈତ୍ୟ, ସ୍ୱର୍ଗ ଓ ନରକ ସୀମାରେଖା ଭେଦକରି ପ୍ରାକୃତ ଜାନ୍ତବ ମନୁଷ୍ୟର ଆତ୍ମଲୋକର ସନ୍ଧାନ ନିଶ୍ଚିତ ଭାବରେ ଏକ ଦୁରୂହ କାର୍ଯ୍ୟ । ଏଇ ପଥରେ ଗତି କରିଥିବା ଶିଳ୍ପୀ ସବୁବେଳେ ନିଜ ଅନ୍ତରକୁ ଦେଖନ୍ତି ଓ ପ୍ରତି ମୁହୂର୍ତ୍ତରେ ସେ ଅନୁଭବ କରନ୍ତି । ତାଙ୍କ ଚତୁର୍ପାଶ୍ୱରେ ଜୀବନ ଯେପରିକି ଜୀବନର ଏକ ଆଭାସ, ଏକ ଦୁର୍ବୋଧ୍ୟ ପ୍ରହେଳିକା । ଏକ ସାଧାରଣ ମଣିଷ ତା’ର ଅତି ସାଧାରଣ ମନ ଓ ଧାରଣାର ଜଗତ, ଗୋଟିଏ ଅତି ସାଧାରଣ ଦିନ, ଏପରିକି ଏକ ଅତି ସାଧାରଣ ମୁହୂର୍ତ୍ତର ବିଶ୍ଳେଷଣ କଲେ ଦେଖାଯାଇପାରେ ମନର ପରଦାରେ ଅସଂଖ୍ୟ ଛାୟା କିପରି ରେଖାପାତ କରେ-। କେତେ ତୁଚ୍ଛ, କେତେ ଭୟଙ୍କର, କେତେ ଚଞ୍ଚଳ–ସବୁ ଯେପରିକି ମନର ପରଦାରେ ରେଖାୟିତ ହୋଇଥାଏ । ମୁହୂର୍ତ୍ତକର ଶ୍ୱାସ ମଧ୍ୟରେ ଅସଂଖ୍ୟ ଅଙ୍ଗାର ଅଣୁର ବିଚରଣ ଭଳି ଏଇ ଅସଂଖ୍ୟ ଚେତନାର ବର୍ଷଣ ଭିତରେ ରୂପାୟିତ ହୁଏ ଆମର ପରିଚିତ ଐତିହମଣ୍ଡିତ ଦିନ, ମାସ ଓ ବର୍ଷ । ଶିଳ୍ପୀର ସ୍ୱାଧୀନତା ନିର୍ବାଚନରେ ନିଜସ୍ୱ ଅନୁଭବ ଓ ଉପଲବ୍‌ଧିରେ । ଜୀବନ ଭୋଗର ଅଧିକାରୀ ସମସ୍ତେ, ମାତ୍ର ଯେଉଁ ଜୀବନ ଏକ ପ୍ରଭାମଣ୍ଡଳର ଆଲୋକ ସତ୍ତାଭଳି ଭାସ୍ୱର ଆମର ଚେତନାର ଆଦି ଓ ଅନ୍ତ ଯାହାର ସ୍ୱଚ୍ଛ ଫଳକରେ ଆଭାସିତ ତାକୁ ରୂପଦେବା କେବଳ ଜଣେ ସାହସୀ ଓ ନିଷ୍ଠାବାନ୍‌ ଶିଳ୍ପୀ ପକ୍ଷରେ ହିଁ ସମ୍ଭବ । ତେଣୁ ପ୍ରଥାମୁକ୍ତ ସମାଜ ଓ ପ୍ରଭାବମୁକ୍ତ ମନର ଉପାଦାନରେ ହିଁ ଆଧୁନିକ ଉପନ୍ୟାସ ଜଗତରେ ସାର୍ଥକ ସୃଷ୍ଟି ସମ୍ଭବ ।

 

ଓଡ଼ିଆ ଉପନ୍ୟାସରେ ସାମାଜିକ ଓ ପାରିବାରିକ ବନ୍ଧନ ବାହାରେ ପ୍ରଣୟର ଚିତ୍ର ଅଙ୍କନରେ ଯେପରିକି ଆଧୁନିକ ଔପନ୍ୟାସିକମାନଙ୍କର ବହୁଶକ୍ତି ଅପଚିତ ହୋଇଅଛି । ଔପନ୍ୟାସିକଙ୍କଠାରେ ସବୁଠାରୁ ବଡ଼ ସମସ୍ୟା ନିଜର ନିର୍ବାଚିତ ଉପାଦାନକୁ ସୁଚତୁର ସଂଯୋଜନଦ୍ୱାରା ଜୀବନ ଓ ଜଗତ ସହିତ ସମନ୍ୱିତ କରିବା । ମନସ୍ତତ୍ୱର ଅନ୍ଧକାର ଭିତରୁ ଅଦୃଶ୍ୟ ଭାବସତ୍ତା ସବୁକୁ ଆଲୋକକୁ ଆଣିବାର ପ୍ରୟାସରେ ବହୁ ଗ୍ଳାନୀକର ବିବର୍ଣ୍ଣ ବାସ୍ତବତା ଉପନ୍ୟାସ ପୃଷ୍ଠାକୁ ଆଚ୍ଛାଦିତ କରିପାରେ । ଅବୋଧ୍ୟକୁ ବୋଧଗମ୍ୟ କରାଇବା ବିଶେଷ ଭାବରେ ଆଜି ଯାହା ଆମର ନିକଟ ଚେତନାରେ ଅଙ୍ଗୀଭୂତ ଭବିଷ୍ୟତ ବଂଶଧରଙ୍କ ପାଇଁ ତା’ର ଅକପଟ ଭାବମୂର୍ତ୍ତି ସଂଚୟକରି ରଖିବା ଆଧୁନିକ ଔପନ୍ୟାସିକମାନଙ୍କର ଏକ ବଡ଼ ସମସ୍ୟା । ଯେତେ ସାହସ ଓ ନିଷ୍ଠାର ସହିତ ସେ ଏଇ ସମସ୍ୟାର ସମାଧାନ ପାଇଁ ସଚେଷ୍ଟ ହୁଅନ୍ତି, ସେ ହୋଇପାରନ୍ତି ସେତେ ବେଶୀ ମୌଳିକ । ଜୀବନର ସବୁକିଛି ଅଭିଜ୍ଞତାର ପ୍ରତ୍ୟକ୍ଷ ଅନୁଭବ କାହାରି ପକ୍ଷରେ ସମ୍ଭବ ନୁହେଁ । କୌଣସି କଥାଶିଳ୍ପୀଠାରୁ ମଧ୍ୟ ଏହା ପୂର୍ଣ୍ଣତଃ ଆଶାକରାଯାଇ ନପାରେ । ଏହି ସୂତ୍ରରେ ଭିନ୍ନ ଦେଶର କଥା ସାହିତ୍ୟର ପ୍ରଭାବ ଅଥବା ଶିଳ୍ପୀମାନସ ସଙ୍ଗେ ଭାବ ସାମ୍ୟର ପ୍ରଶ୍ନ ଉଠେ । ଫକୀରମୋହନଙ୍କୁ ଭିକ୍ଟୋରିଆ ଯୁଗର ଔପନ୍ୟାସିକ ଅଥବା କାହ୍ନୁଚରଣଙ୍କୁ ଆଧୁନିକ ନବସ୍ୱୌରବାଦୀ ଔପନ୍ୟାସିକଙ୍କ ସହିତ ସମନ୍ୱିତ କରି ଦେଖିବା ହୁଏତ ସ୍ୱାଭାବିକ । ଯୁଦ୍ଧ, ସାମାଜିକ ବିପ୍ଳବ, ରାଜନୈତିକ ଅଭ୍ୟୁତ୍‌ଥାନ, ବୈଜ୍ଞାନିକ ଅନ୍ୱେଷା–ଏସବୁ ଦିଗରୁ ଆମେ ମନେକରୁଥିଲୁ ପାଶ୍ଚାତ୍ୟର ଅନୁଭ୍ରୁବ ଗଭୀରତର ଓ ଅଧିକ ପ୍ରତ୍ୟକ୍ଷ । ବିଶ୍ୱମାନବତାର ଏକ ବିରାଟ ଅଂଶର ଅଧିବାସ ଭୂମି ଆମର ଏଇ ଭାରତ ଓ ତା’ର ଏକ ଅଂଶ ଓଡ଼ିଶା ଏକ ଦିଗରେ ଗ୍ରାମ୍ୟ ନିର୍ଲିପ୍ତତା ଓ ଅନ୍ୟ ଦିଗରେ ସାର୍ବଭୌମିକ ସହମର୍ମିତାର ଦ୍ୱୈତ ଭୂମିରେ ବିଚରଣଶୀଳ । ଏଇ ଶତାବ୍ଦୀରେ ଆମେ ଆଧୁନିକ ଜୀବନର ସ୍ପର୍ଶ ଲାଭକରିଛୁ । ହୋଇଛୁ ଆଧୁନିକ ଯନ୍ତ୍ରର ସାରଥି ଓ ଭୋଗିଛୁ ଆଧୁନିକ ଜୀବନର ଯନ୍ତ୍ରଣା । ଆମର କଥାସାହିତ୍ୟକୁ ଯୁଗଚେତନା ଓ ଯୁଗଯନ୍ତ୍ରଣା ଯୁଗପତ୍‌ ପ୍ରଭାବିତ କରିଅଛି । ମାତ୍ର ଏଇ କଥାସାହିତ୍ୟର ପରିସର ଓ ପ୍ରଭାବ ଜୀବନ ଉପରେ କେଡ଼େ ଗଭୀର ତାହା କେବଳ ପ୍ରକାଶିତ ଗ୍ରନ୍ଥର ମୃତ ପୃଷ୍ଠାରୁ କଳନା କରାଯାଇ ପାରେନା । ଅପଠିତ ଗ୍ରନ୍ଥ, ମଳିନ ମସୀଲିପ୍ତ କେତୋଟି ପୃଷ୍ଠାର ସମାହାର ମାତ୍ର । ଉପନ୍ୟାସ ନାଟକଭଳି ଏକ ସାର୍ବଜନୀନ କଳା । ତେବେ ନାଟକ ଯୌଗିକ ଓ ସମବେତ ଉପଭୋଗର ଏକ ସାଧନ (Means), ମାତ୍ର ଉପନ୍ୟାସ ଏକକ ମନନ ଓ ଭାବ ଚେତନାରେ ସହାୟକ ଏକ ସାଧନ । ତା’ର ପାଠକ ନିଃସଙ୍ଗ ବ୍ୟବଚ୍ଛିନ୍ନ ଓ ସମାଜର ସକଳ ସ୍ତରରେ ପରିବ୍ୟାପ୍ତ । ବୌଦ୍ଧିକତା ଓ ହାର୍ଦ୍ଦିକତାର ପରିବେଶରେ ଏହାର ପ୍ରଭାବ କଳନା ପାଇଁ ବିଶଦ କ୍ଷେତ୍ର - ଅଧ୍ୟୟନ (Field study) ଆବଶ୍ୟକ । ଓଡ଼ିଆ ଉପନ୍ୟାସର ସାମାଜିକ ତାତ୍ପର୍ଯ୍ୟ କଳନା କରିବା ଦୂରୁହ । ଉପନ୍ୟାସର Message ବା ବାଣୀ ହେଉଛି–ଜୀବନ ଭଳି କଳା-ତାର ସଂଭାବନାର ଜଗତ ମଧ୍ୟ ଅସୀମ । ଏହାର କୌଣସି ସୁନିର୍ଦ୍ଦିଷ୍ଟ ସୀମା ନାହିଁ । କୌଣସି ନିର୍ଦ୍ଦିଷ୍ଟ ପଦ୍ଧତି ଓ ପରୀକ୍ଷାର ଏହା ଅନୁଗତ ନୁହେଁ । ଉପନ୍ୟାସର ଉପାଦାନ ଆହରଣରେ ଔଚିତ୍ୟ ବିଚାର ଅବାନ୍ତର । ହୃଦୟର ସ୍ଫୂର୍ତ୍ତି ଓ ମସ୍ତିସ୍କର ଦୀପ୍ତି ଘେନି ରଚିତ କଥା ସାହିତ୍ୟର ରମଣୀୟ ମୂର୍ତ୍ତି ସତେ ଯେପରି ପ୍ରତି ମୁହୂର୍ତ୍ତରେ ଆମକୁ ଆହ୍ୱାନକରେ, ତା’ର ତାରୁଣ୍ୟ ଓ ସାର୍ବଭୌମତ୍ୱରେ ଅବଗାହନ ପାଇଁ ।

 

ଜାତି ଭାବରେ ଆମେ ଇତିହାସ ପ୍ରତି ସଚେତନ ନୋହୁଁ । ଆମ ଆଖିରେ ଇତିହାସ ସତେ ଯେପରିକି ଏକ ପ୍ରକାଣ୍ଡ ଶିଳାସ୍ତୁପ, କାଳର ଶିଉଳୀରେ ତା’ର ସର୍ବାଙ୍ଗ ଆଚ୍ଛାଦିତ । ମାତ୍ର ଏକ ଜୀବନ୍ତ ଜାତି ଭବିଷ୍ୟତରେ ଇଙ୍ଗିତ ଲୋଡ଼େ ଜୀବନଧର୍ମୀ ଚିରସ୍ରୋତା ଇତିହାସର ଗଙ୍ଗୋତ୍ରିରୁ । ମହତ ପ୍ରାଣର ଦାନ ଅନ୍ଧକାର ମଧ୍ୟରେ ଆଲୋକ ବିକୀରଣ । ଚରିତୋପନ୍ୟାସ ରଚନା କରି ଶ୍ରୀ ସୁରେନ୍ଦ୍ର ମହାନ୍ତି ନୂତନ ଦିଗର ସନ୍ଧାନ ଦେଇଛନ୍ତି । କବି, ଶିଳ୍ପୀଙ୍କ ଜୀବନ ଉପରେ ଆଧାରିତ ଅସଂଖ୍ୟ ଉପନ୍ୟାସ ରଚିତ ହୋଇପାରେ । ଜାତିର ମହାକବି ସାରଳା, ବଳରାମ, ଜଗନ୍ନାଥଙ୍କଠାରୁ ଅତୀତର ଶୂର ବୀର ଶାସକଙ୍କ ଜୀବନ ଆଲେଖ୍ୟ ଉପନ୍ୟାସ-କଳ୍ପନାକୁ ଉଜ୍ଜୀବିତ କରିପାରେ । ଏହା କିନ୍ତୁ କେବଳ ଜୀବିକାଧର ଔପନ୍ୟାସିକଙ୍କ କାର୍ଯ୍ୟ ନୁହେଁ । ବିଭିନ୍ନ ବିଷୟରେ ତଦ୍‌ବିଦ୍‌ମାନେ କେବଳ ଅଧିତବ୍ୟ ଜ୍ଞାନ, ଆହୁତି ତଥ୍ୟର ପଞ୍ଜରରେ କଳ୍ପନାର ପ୍ରଲେପ ଦେଇ ଏପରି ସାହିତ୍ୟ ସୃଷ୍ଟି କରିପାରନ୍ତି । କପିଳେନ୍ଦ୍ର ଅଥବା ସେନାପତି ବିଷ୍ଣୁଙ୍କ ଉପରେ ଉପନ୍ୟାସ ରଚନା ହୁଏତ ଐତିହାସିକଙ୍କ କାର୍ଯ୍ୟ । ବିଶେଷ ପେଶାଧାରୀ ଜାତି ଅଥବା ପ୍ରଜାତି ବିଶେଷର ଜୀବନଚର୍ଯ୍ୟା ଓ କ୍ରୟାଚାରର ଭିତ୍ତିରେ ନୃତତ୍ୱବିଦ୍‌ ଉପନ୍ୟାସ ରଚନା କରିପାରନ୍ତି । ସମାଜ ତତ୍ୱବିଦ୍‌ ପରିବର୍ତ୍ତିତ ସମାଜର କ୍ରିୟା ପ୍ରତିକ୍ରିୟା ଆକଳନ କରିପାରନ୍ତି । ନୌବାହିନୀ ବା ବ୍ୟୋମବାହିନୀର ସୈନିକ ଅଥବା ଜଣେ ସର୍କସ ବା ରଙ୍ଗମଞ୍ଚର ଶିଳ୍ପୀଙ୍କୁ ଘେନି ଉପନ୍ୟାସ ରଚିତ ହୋଇପାରେ । ବିଜ୍ଞାନ ବିଷୟ ଘେନି ଉପନ୍ୟାସ ରଚନା ଆଜି ଅନେକ ବୁଦ୍ଧିଜୀବୀ ବୈଜ୍ଞାନିକଙ୍କ କାର୍ଯ୍ୟ । ଏମାନେ ଆଧୁନିକ ଯୁଗର ଭବିଷ୍ୟତ ଦ୍ରଷ୍ଟା । ଉନ୍ନତ କାବ୍ୟିକ ପରିଶୀଳିତ ଭାଷା, ବୁଦ୍ଧିର ଦୀପ୍ତି ଓ କଳ୍ପନାର ଯାଦୁ ବୈଜ୍ଞାନିକ ଉପନ୍ୟାସକୁ ସବୁଠାରୁ ଉପଭୋଗ୍ୟ କରିପାରେ । ବିଶେଷତଃ ବୁଦ୍ଧିଜୀବୀ ପାଠକଙ୍କ ପାଇଁ ଏହାର ଆକର୍ଷଣ ଅଲଂଘ୍ୟ ।

 

ଏବେବି ଓଡ଼ିଆ ଉପନ୍ୟାସ କେବଳ ଓଡ଼ିଶାର ଭୂମିଭାଗରେ ଆତ୍ମପ୍ରତିଷ୍ଠା ଲୋଡ଼ିଆସିଛି । ଭ୍ରମଣ କାହାଣୀ ମଧ୍ୟରେ ଆଜି ସାରାବିଶ୍ୱ ଆମର ନିକଟ ଅନୁଭୂତିରେ ଧରାଦେବାକୁ ଯାଉଛି । ଓଡ଼ିଆ ଉପନ୍ୟାସ ହୁଏତ କୌଣସି ମରୂଦ୍ୟାନ ଅଥବା ପୃଥିବୀର କୌଣସି ବଡ଼ ମେଟ୍ରୋପଲିସ୍‌କୁ ଭିତ୍ତିକରି ରଚିତ ହୋଇପାରେ । ଡିଟେକ୍‌ଟିଭ ଉପନ୍ୟାସ ମଧ୍ୟ ଅଧିକତର ପୂର୍ଣ୍ଣତାର ଅପେକ୍ଷା ରଖେ । ଏହା ଲଘୁ ଅନୁକରଣ ସର୍ବସ୍ୱ ରଚନା ନହୋଇ, ଯଥାର୍ଥରେ ଆନନ୍ଦ ଦାନ ସଙ୍ଗେ ମାନବ ଚରିତ୍ରର ମୌଳିକ ପ୍ରବୃତ୍ତି ସକଳର ଆବିଷ୍କାରରେ ସହାୟତା କରିପାରେ । ଇଂରେଜୀରେ ଷ୍ଟୁଆର୍ଟଙ୍କ ଭଳି ବୁଦ୍ଧିଜୀବୀ ଅଧ୍ୟାପକ ଓ ସି:ଡ଼େ ଲୁଇସ୍‌ଙ୍କ ଭଳି ମୁଖ୍ୟ କବି ଛଦ୍ମ ନାମରେ ଡିଟେକ୍‌ଟିଭ୍‌ ଉପନ୍ୟାସ ଲେଖି ନୂତନ ସମ୍ଭାବନାର ଇଙ୍ଗିତ ଦେଇଛନ୍ତି ।

 

(C. Day Lewis- Nicholas Black.

Michael Innes (J.I.M. Stewart)

 

ସମକାଳୀନ ଉପନ୍ୟାସର ସମ୍ମୁଖରେ ଅନନ୍ତ ସମ୍ଭାବନା ବିଦ୍ୟମାନ । ଏହା ପୁରାଣ ମହାକାବ୍ୟ ଭଳି ଏକ ମହାନ କଳାସୃଷ୍ଟିର ଦାୟାଦ । ଆଜି ସାଧାରଣ ଲେଖକଙ୍କ ହାତରେ ଏକ ଲଘୁ ଆମୋଦ ଦାୟକ ରଚନା ଭାବରେ ଏହାର ମହତ୍ୱ ଖଣ୍ଡିତ ହୋଇଛି । ମାତ୍ର ଉଚ୍ଚକୋଟୀର ଉପନ୍ୟାସ ରଚନା ପାଇଁ ମଧ୍ୟ ପୃଷ୍ଠପୋଷକତା ଆବଶ୍ୟକ । ଏ ପୃଷ୍ଠପୋଷକତା ଯଦି ଦରିଦ୍ର ଅଳ୍ପଶିକ୍ଷିତ ସାଧାରଣ ଜନଗଣଙ୍କ କ୍ରୟ ଶକ୍ତି ଉପରେ କେବଳ ନିର୍ଭର କରେ, ତେବେ ଏହା ଉଚ୍ଚକଳା ସୃଷ୍ଟିର ସୋପାନ ଅତିକ୍ରମ କରି ନପାରେ । ପୁଣି ଅବସରକାଳୀନ ସୃଷ୍ଟି ଭାବରେ ଉପନ୍ୟାସର ସର୍ବାତ୍ମକ ବିକାଶର ପରିକଳ୍ପନା କରାଯାଇ ନପାରେ । ଅନ୍ୟ ପକ୍ଷରେ ସରକାରୀ ବା ବେସରକାରୀ ପୁଞ୍ଜିପତିଙ୍କ ପୃଷ୍ଠପୋଷକତା ହୁଏତ କଥାଶିଳ୍ପୀଙ୍କୁ ଚାଟୁକାରରେ ପରିଣତ କରିପାରେ । କେବଳ ପୁସ୍ତକ ବିକ୍ରୟ ପାଇଁ ଯୌନ କ୍ଷୁଧା ବା ନୀଚ ପ୍ରବୃତ୍ତିର ଚିତ୍ରଣ ଉପନ୍ୟାସର କଳାମୂଲ୍ୟ ଯେପରି ହ୍ରାସ କରିଥାଏ, ସ୍ୱାଧୀନତା ହୀନ କଥାଶିଳ୍ପୀଙ୍କ ରଚନାରେ ଶିଳ୍ପର ଯଥାର୍ଥ ପ୍ରାଣ ପ୍ରାଚୁର୍ଯ୍ୟ ମ୍ଳାନ ହୋଇଯାଏ ।

 

ସ୍ୱୈର ଚେତନାର ଆଲୋକ ବର୍ତ୍ତିକା ଘେନି ଆଧୁନିକ ଯୁଗର ଔପନ୍ୟାସିକମାନେ ରୈଖିକ ପ୍ରଗତି, ହେତୁବାଦ, ଚେତନାସର୍ବସ୍ୱତା କାର୍ଯ୍ୟକାରଣ ସମ୍ବନ୍ଧ, ରହସ୍ୟଧର୍ମିତା, ସ୍ୱଚ୍ଛଭାଷା, ସହଜ ଘଟଣା ଓ ମଧ୍ୟ ଶ୍ରେଣୀର ନୈତିକ ବିଚାରବୋଧକୁ ଅସ୍ୱୀକାର କରିବାକୁ ଶିଖାଇଥିଲେ । ଏକ ସମୟରେ ସ୍ୱୈରବାଦୀ ଚେତନାର ସତ୍ୟତା ହୁଏତ ଅସ୍ୱୀକାର କରାଯାଇଥିଲା । କିନ୍ତୁ ସ୍ୱୈରବାଦର ବିରୋଧୀ ଆଧୁନିକ ଲେଖକମାନଙ୍କ ପ୍ରବର୍ତ୍ତିତ ବ୍ୟବଚ୍ଛିନ୍ନ କାହାଣୀ, ସମସମୟ ଚେତନା, ଅହେତୁକତା, ଆତ୍ମଚେତନସର୍ବସ୍ୱତା, ରାଜନୈତିକ ମତବାଦର ମୁକ୍ତକ୍ରୀଡ଼ା, ନୈତିକ ଚେତନାର ବିବିଧ ପ୍ରବଣତାକୁ ମଧ୍ୟ ସତ୍ୟ ବୋଲି ଗ୍ରହଣ କରାଯାଇ ନପାରେ । ସମକାଳର ଜଣେ ପ୍ରସିଦ୍ଧ ମାର୍କିନ୍‌ କଥାସାହିତ୍ୟିକ ଅଧ୍ୟାପକ ଜନ୍‌ବାର୍ଥଙ୍କ (John Barth) ମତକୁ ସମର୍ଥନ କରି କୁହାଯାଇପାରେ–ଏହି ତଥାକଥିତ ଆଧୁନିକ ପନ୍ଥୀଙ୍କ କବଳରୁ ମୁକ୍ତହୋଇ ଆଦର୍ଶ ଉପନ୍ୟାସ, ବାସ୍ତବତା ଓ ଅବାସ୍ତବତା, ଆଧେୟ ଓ ଆଧାର ସର୍ବସ୍ୱତା, ଶୁଦ୍ଧକଳା ଓ ଆଦର୍ଶ ପ୍ରତି ଆନୁଗତ୍ୟ । ଗୋଷ୍ଠୀ କୈନ୍ଦ୍ରିକତା ଓ ସାର୍ବଜନୀନତାର ଦ୍ୱନ୍ଦର ଊର୍ଦ୍ଧ୍ୱକୁ ଉଠିବା ଆଶାକରାଯାଏ ।

 

ନିଃଶ୍ରେୟସ ଭାବନା ଓ ନୈତିକ ମୂଲ୍ୟବୋଧର ଊର୍ଦ୍ଧ୍ୱରେ ଉପନ୍ୟାସର ମୂଲ୍ୟ ଅବଧାରିତ । ସର୍ବଜନର ଭାଷାରେ ସକଳ ହୃଦୟର ଅତି ସାଧାରଣ ଆଶା ଓ ଆକାଂକ୍ଷାର ଚିତ୍ର ଦେବାରେ କଳାର କଳ୍ପଲୋକ ସୃଷ୍ଟିର ପ୍ରୟାସ–ଏକ କଠିନ ପ୍ରୟାସ । ଏଇ ଦିଗରେ ସଚେତନତାର ଅଭାବ ଏହାକୁ କଳାସୃଷ୍ଟି ଭାବରେ ଅପାଂନ୍ତେୟ କରିପାରେ । ପୁଣି ଅତି ସଚେତନତା ଏହାକୁ ଜୀବନରୁ ଦୂରକୁ ଘେନି ଯାଇପାରେ । ଏକ ବିବର୍ତ୍ତନ ଧାରାରେ–ନବତର ବିକାଶ ଓ ଆକସ୍ମିକ ବିନାଶ–ଉଭୟ ସମ୍ଭାବନାର ପଥ ଉନ୍ମୁକ୍ତ । ଶଙ୍କା ଜଡ଼ିତ ଭବିଷ୍ୟତ ମୁଖରେ, ବିଷାଦ ବିଷର୍ଣ୍ଣ ଗୋଧୂଳିର ଯବନିକା ଅନ୍ତରାଳରେ ନୂତନ ଭାଷାର ଆଲୋକ, ନୂତନ ଆନନ୍ଦ, ନୂତନ ଜୀବନର ସନ୍ଧାନରେ ଏକ ନୂତନ ମାନବର ପଦଧ୍ୱନି ଆମ କଥାସାହିତ୍ୟରେ ଶୁଣିବା ପାଇଁ ଆଜି ଅପେକ୍ଷା କରିବାକୁ ପଡ଼ିବ । ଦେଶ ଦେଶ ଜାତି ଜାତି ମଧ୍ୟରେ ସହମର୍ମିତାରେ ପୁରୁଷ ଓ ନାରୀ ମଧ୍ୟରେ ସମପ୍ରାଣତାରେ ପ୍ରଗତି ଓ ପରିବେଶ ମଧ୍ୟରେ ପରିପୂରକତାର ନିଜ ସୃଷ୍ଟିର ସାର୍ଥକତା ଏ ଯୁଗର ଔପନ୍ୟାସିକ ଖୋଜିପାରନ୍ତି । ତେବେ ଜୀବନଠାରୁ ସ୍ରଷ୍ଟାଠାରୁ କଳାର ମୂଲ୍ୟ ଊଣା ନୁହେଁ । ସୁଲିଖିତ, ସୁରଚିତ, ସୁସଂଯୋଜିତ ଓ ସୁବିନ୍ୟସ୍ତ ଏକ କଳାର ଜଗତ ରଚନା ଔପନ୍ୟାସିକଙ୍କର ଧ୍ୟେୟ ହେବା ଉଚିତ । ଆଜି କବିତାର ଜଗତ ସଂକୁଚିତ, ନାଟକର ଜଗତ ଛାୟାଚିତ୍ରରେ ବିମଣ୍ଡିତ-। ପରିପୂର୍ଣ୍ଣ ଶିଳ୍ପ ସୃଷ୍ଟିର ଏକ ମହାନ କ୍ଷେତ୍ର ଉପନ୍ୟାସ–କାବ୍ୟଧର୍ମୀ ଓ ନାଟକୀୟ ଭାଷା ଓ ଭାବ-ଚିତ୍ରରେ ପୁଷ୍ଟ ଓ ପୁଷ୍ଫଳ ହେବାରେ ହିଁ ଏହାର ସାର୍ଥକତା ।

Image